ଏକ ନଷ୍ଟ ସମାଜରେ ଭଲ ଶିକ୍ଷକ ଆବଶ୍ୟକ

ଏକଦା ୭ ଗୋଟି ପ୍ରମୁଖ ଶିକ୍ଷକ ସଂଘର ଏକ ବୈଠକରେ ଜଣେ ଉଗ୍ରବାଦୀ ଶିକ୍ଷକ ନେତା ତେଜସ୍ୱୀ ଭାଷଣ ଦେଇ କହିଲେ, ‘ଗୋଟିଏ ଭ୍ରଷ୍ଟ ସମାଜରେ କେବଳ ଶିକ୍ଷକମାନେ ହିଁ ଭଲ ହେବେ, ନିଃସ୍ୱାର୍ଥପର ହେବେ, ଏପରି ଆଶା କରିବା ବୃଥା। ରାଜନେତାଙ୍କର ଆଦର୍ଶ ଓ ନୀତିଗତ ସ୍ଖଳନ ଘଟୁଛି। ସମାଜର ସବୁବର୍ଗର ଲୋକଙ୍କର ମାନ ନିମ୍ନାଭିମୁଖୀ ହୋଇଥିବାବେଳେ ଶିକ୍ଷକମାନେ ଉଚ୍ଚମାନର ହେବେ, ଏପରି କାହିଁକି ଭାବୁଛନ୍ତି?’

Ancient Indian Teacher

  • Published: Thursday, 21 September 2023
  • , Updated: 21 September 2023, 04:53 PM IST

News highlights

  • ଓଡ଼ିଶାର ନଷ୍ଟ ସମାଜକୁ ସଜାଡ଼ିବା ପାଇଁ ଅନେକ ଭଲ ଶିକ୍ଷକ ଆବଶ୍ୟକ।
  • ତେବେ, ଭଲ ଶିକ୍ଷକ କିଭଳି ହେବା ଦରକାର?

ପଞ୍ଚାନନ କାନୁନଗୋ

ଏକଦା ୭ ଗୋଟି ପ୍ରମୁଖ ଶିକ୍ଷକ ସଂଘର ଏକ ବୈଠକରେ ଜଣେ ଉଗ୍ରବାଦୀ ଶିକ୍ଷକ ନେତା ତେଜସ୍ୱୀ ଭାଷଣ ଦେଇ କହିଲେ, ‘ଗୋଟିଏ ଭ୍ରଷ୍ଟ ସମାଜରେ କେବଳ ଶିକ୍ଷକମାନେ ହିଁ ଭଲ ହେବେ, ନିଃସ୍ୱାର୍ଥପର ହେବେ, ଏପରି ଆଶା କରିବା ବୃଥା। ରାଜନେତାଙ୍କର ଆଦର୍ଶ ଓ ନୀତିଗତ ସ୍ଖଳନ ଘଟୁଛି। ସମାଜର ସବୁବର୍ଗର ଲୋକଙ୍କର ମାନ ନିମ୍ନାଭିମୁଖୀ ହୋଇଥିବାବେଳେ ଶିକ୍ଷକମାନେ ଉଚ୍ଚମାନର ହେବେ, ଏପରି କାହିଁକି ଭାବୁଛନ୍ତି?’ କାହିଁକି କେଜାଣି ଏ କଥାଟି ମନକୁ ଘେନିଲା ନାହିଁ। ରାଷ୍ଟ୍ର ବା ରାଜ୍ୟର ପୁରୋହିତ - ମାର୍ଗ ଦର୍ଶକ ଶ୍ରେଣୀ ହିଁ ଶିକ୍ଷକ। ବ୍ୟକ୍ତି ନିର୍ମାଣ କାରଖାନାର କୁଶଳୀ କାରିଗର ଏମାନେ। ବ୍ୟକ୍ତିକୁ ନେଇ ସମାଜ ଓ ସମାଜକୁ ନେଇ ରାଜ୍ୟ ବା ରାଷ୍ଟ୍ର। ଜହ୍ନମାମୁଁରେ ପ୍ରକାଶିତ ପୁରାଣର ଦୁଇଟି କଥା ବର୍ଣ୍ଣନା ସମସ୍ତଙ୍କର ମନେଥିବ। ତାହା ସଂକ୍ଷେପରେ ଅବତାରଣା କରାଯାଇପାରେ।

ତ୍ରେତୟା ଯୁଗର କଥା। ଚାରି ପୁଅଙ୍କୁ ଋଷି ଆଶ୍ରମରେ ଛାଡ଼ିବା ପରେ ରାଜା ଦଶରଥ ଅଥୟ ହୋଇ ଉଠିଲେ। ଶିଶୁ ବାଳକମାନେ ରାଜପ୍ରାସାଦ ଛାଡ଼ି ଜଙ୍ଗଲର ଋଷି ଆଶ୍ରମରେ କ’ଣ କରୁଥିବେ ଭାବନାରେ ବୁଡ଼ି ରହିଲେ। ବ୍ୟଥିତ ହୃଦୟରେ ଋଷୀ ଆଶ୍ରମ ମୁଖେ ଯାତ୍ରା କଲେ।

ରାତ୍ରିର ଶେଷ ପ୍ରହର ଅନ୍ତେ ଆଶ୍ରମରେ ପହଂଚି ଯାହା ଦେଖିଲେ ସେଥିରେ ପିତୃ ହୃଦୟ ଆହୁରି ବିଦାରି ହୋଇ ଉଠିଲା। ଅନ୍ୟମାନଙ୍କ ସହିତ ଚାରି ରାଜକୁମାର ଖାଲିପାଦରେ ଜଙ୍ଗଲରେ ଯଜ୍ଞ କାଠ ମୁଣ୍ଡରେ ଧାରଣ କରି ଆଶ୍ରମ ଅଭିମୁଖେ ଚାଲିଛନ୍ତି ଏବଂ ପରେ ପରେ ବ୍ରହ୍ମଚାରୀ ବେଶରେ ନଦୀକୁ ସ୍ନାନାଦି ନିତ୍ୟକର୍ମ ପାଇଁ ପ୍ରସ୍ଥାନ କରିଛନ୍ତି। ବ୍ୟଥିତ ପିତୃହୃଦୟ ଶିକ୍ଷାଗୁରୁଙ୍କ ନିକଟରେ ହାତପାତି ନିବେଦନ କରିଥିଲେ ଯେ ଆଶ୍ରମର ସମସ୍ତ ବ୍ୟବସ୍ଥା ରାଜକୋଷରୁ କରାଇଦେବେ। ଏହି କଠୋର ଆଶ୍ରମଧର୍ମ ସେମାନଙ୍କ ପାଇଁ ଲାଗୁ ନ ହେଉ। ଅବା ରାଜବାଟୀର ନିକଟସ୍ଥ ପ୍ରମୋଦ ଉଦ୍ୟାନରେ ଆଶ୍ରମ ଖୋଲାଯାଇ ସମସ୍ତ ବ୍ୟବସ୍ଥା କରାଯିବ। ସେଥିରେ ଅନ୍ୟମାନେ ମଧ୍ୟ ଶିକ୍ଷାଲାଭ କରିବେ।

ଦାୟିତ୍ୱ ସଂପନ୍ନ ବିଦ୍ୱାନ ଗୁରୁ ରାଜାଙ୍କୁ ଭର୍ତ୍ସନା କରି ବିଦାୟ ଦେଇଥିଲେ। ବୁଝାଇ ଦେଇଥିଲେ ଯେ ଶିକ୍ଷା ଓ ଶିକ୍ଷକ ରାଜ ନିୟନ୍ତ୍ରଣରୁ ପୂର୍ଣ୍ଣ ମୁକ୍ତ। ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ଗଠନ ପ୍ରକ୍ରିୟା ପାଇଁ ଏହି ଶିକ୍ଷାଶ୍ରମର ବ୍ୟବସ୍ଥା। ଦାରୁଣ ହୃଦୟ ଯନ୍ତ୍ରଣା ନେଇ ରାଜା ଫେରିଥିଲେ। ମର୍ଯ୍ୟାଦାବନ୍ତ ଶିଷ୍ୟ ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କର ବ୍ୟକ୍ତିତ୍ୱ ଏହି ଶିକ୍ଷାପ୍ରାପ୍ତି ସହ ପ୍ରଜ୍ୱଳିତ ହୋଇଥିଲା। ରାଷ୍ଟ୍ର ଏକ ଆଦର୍ଶ ସ୍ଥାନୀୟ (ରାମ ରାଜ୍ୟ) ଏବଂ ସମାଜ ଏକ ବିଚାରବନ୍ତ ସ୍ଥିତିରେ ଗଢ଼ି ଉଠିଥିଲା।

ମାତ୍ର ଦ୍ୱାପର ଯୁଗର କାହାଣି ଅଲଗା। ଏଠି ଦ୍ରୋଣାଚାର୍ଯ୍ୟଙ୍କୁ ପୁତ୍ର ଅଶ୍ୱତ୍‌ଥମା ପ୍ରଶ୍ନକଲେ ଆପଣ ପାଣ୍ଡବମାନଙ୍କୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିଲେ ପୁତ୍ରବତ୍‍ ସ୍ନେହ କରୁଥିଲେ ତାଙ୍କ ବିରୋଧରେ ଅସ୍ତ୍ର ଧାରଣ କରୁଛନ୍ତି ଯେ? ଉତ୍ତର ସ୍ପଷ୍ଟ ଥିଲା। ଦ୍ରୋଣାଚାର୍ଯ୍ୟ କହିଥିଲେ, ‘ମୁଁ କୌରବମାନଙ୍କ ପାଖରେ ଋଣୀ। ଗରିବ ବ୍ରାହ୍ମଣ କହି ପାଞ୍ଚାଳ ରାଜା ଦ୍ରୁପଦ ରାଜସଭାରେ ଅପମାନିତ କରିଥିଲେ। ପରିବାର ଭରଣପୋଷଣ ଅସମ୍ଭାଳ ହୋଇ ପଡ଼ିଥିଲା। ସେହି ସମୟରେ କୁରୁକୁଳର ଶିକ୍ଷାଗୁରୁ ଭାବେ ନିୟୋଜିତ ହୋଇ ସେମାନଙ୍କ ନିକଟରେ ଋଣୀ ହୋଇଯାଇଛି।’ ତଥାପି ଅଧର୍ମର ପରିଣତି ତାଙ୍କୁ ଜଣାଥିଲା।

ସମସ୍ତ ଅବ୍ୟବସ୍ଥା ଭିତରେ କଳିଯୁଗର ପ୍ରବେଶ। ରାଷ୍ଟ୍ର ନିୟନ୍ତ୍ରଣରେ ପୂର୍ଣ୍ଣଭାବରେ ଶିକ୍ଷା ବ୍ୟବସ୍ଥା ଅବସ୍ଥାପିତ। ସେହି ଯୁଗରେ ହିଁ ଶିକ୍ଷକ ଖୋଜି ବାହାର କରିବାକୁ ହେବ। ଭ୍ରଷ୍ଟାଚାରୀ ସମାଜ, ରାଷ୍ଟ୍ରକୁ ସଠିକ୍ ମାର୍ଗଦର୍ଶନ ନିମନ୍ତେ ପ୍ରୟାସଟିଏ ହେବା ଦରକାର। କେହି ତ ଜଣେ ପୁରୋହିତ ହେବେ, ମାର୍ଗଦର୍ଶକ ହେବେ! ବିଷ୍ଣୁ ଶର୍ମା ଅବା ଚାଣକ୍ୟର ଭୂମିକା ନେବେ। ଭ୍ରଷ୍ଟ ଅହଂକାରୀ ନନ୍ଦ ରାଜାଙ୍କୁ କଠୋର ଶିକ୍ଷାଦେବେ, ବ୍ୟକ୍ତି ଓ ରାଷ୍ଟ୍ର ଗଠନ କରିବେ। ରାଜ ସଭାରେ ଉପସ୍ଥିତ ରହି ପଣ୍ଡିତ ଶିକ୍ଷାବିତ୍‍ ନବରତ୍ନ ରାଜା ବିକ୍ରମାଦିତ୍ୟର ପଥ ପ୍ରଦର୍ଶକ ହେବେ। ତେବେ ଯାଇ ଗୁରୁ ପଣ୍ଡିତମାନଙ୍କର ପାଣ୍ଡିତ୍ୟକୁ ନେଇ ରାଜା ଓ ରାଜାର ସମ୍ମାନ ବୃଦ୍ଧି ଘଟିବ। ବ୍ୟକ୍ତି ଓ ରାଷ୍ଟ୍ର ସମୃଦ୍ଧ ହେବ। ଏକ ମର୍ଯ୍ୟାଦାବନ୍ତ ସମାଜ ଗଠିତ ହେବ।

ଏ କଥା ଭାବିବାବେଳେ ଆଖି ଆଗରେ ନାଚିଯାଏ ଲେଖକଙ୍କର ପ୍ରାଥମିକ ଶିକ୍ଷାଗୁରୁ ବଡ଼ମାଷ୍ଟ୍ରେ, ଅନ୍ୟତମ ଦୁଇ ଶିକ୍ଷକ ବଙ୍କୁମାଷ୍ଟ୍ରେ, ସୁଲୁ ମାଷ୍ଟ୍ରେଙ୍କ ରୂପ। ସବୁପିଲା ପ୍ରଭାବିତ ନହୋଇ ପାରନ୍ତି, କିଛି ନିଶ୍ଚୟ ହୋଇଛନ୍ତି। ପରିଧାନ ଖଣ୍ଡେ ଲୁଗା ଓ ଦେହରେ ଚାଦର, ବେକରେ ଦୁଇ ତିନି କେରା ମାଳି ଗୁରା ହୋଇଥାଏ। ହାତରେ ଆକଟର ବେତବାଡ଼ି, ମୁହଁରେ ସ୍ନେହଭରା ବିସ୍ତୃତ ଆଲୋକ ରଶ୍ମି, କଣ୍ଠରେ ସଂକଳ୍ପର ବିଚ୍ଛୁରିତ ଭାଷା, ତାହା ହିଁ ଥିଲା କୋମଳମତି ପିଲାଙ୍କୁ ବିଦ୍ୟାଳୟକୁ ଟାଣି ନେବାର ପୂର୍ଣ୍ଣ ବ୍ୟକ୍ତିତ୍ୱ।

ସବୁ ଅବ୍ୟବସ୍ଥା ଭିତରେ ସତ୍ୟବାଦୀ ବନବିଦ୍ୟାଳୟର ଚିତ୍ରଟି ସାମନାକୁ ଆସେ। ଯେଉଁଠି ଭୟଶୂନ୍ୟ ପରିବେଶରେ ଜାତିପ୍ରେମ ବହ୍ନିର ଯଜ୍ଞକୁଣ୍ଡ ଅନେକଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିଲା। ସେହି ଶିକ୍ଷକମାନଙ୍କର ପ୍ରଭାବରେ କେବଳ ଛାତ୍ର ନୁହଁନ୍ତି ସମାଜ ପ୍ରଭାବିତ ହେଉଥିଲା। ପଣ୍ଡିତ ମାଲବ୍ୟଜୀଙ୍କ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଅନ୍ୟ ଏକ ଦୃଷ୍ଟାନ୍ତ। ସର୍ବପଲ୍ଲୀ ରାଧାକୃଷ୍ଟନଙ୍କ ପରି ଶିକ୍ଷକଙ୍କର ଆକର୍ଷଣରେ ସମଗ୍ର ଦେଶର ଛାତ୍ରଛାତ୍ରୀମାନେ ଏଠାକୁ ଟାଣିହୋଇ ଆସୁଥିଲେ। ଏବେ ମଧ୍ୟ କିଛି ଶିକ୍ଷକ ଓ ଅଧ୍ୟାପକ/ଅଧ୍ୟାପିକାଙ୍କୁ ଏ ଲେଖକ ଅତି ପାଖରୁ ଦେଖିଛନ୍ତି। ସେମାନେ ଆଦୌ ଟ୍ୟୁସନ କରନ୍ତି ନାହିଁ, ପରଦିନର ପାଠ ପଢ଼ାଇବା ପାଇଁ ପୂର୍ବଦିନ ମଧ୍ୟରାତ୍ର ପର୍ଯ୍ୟନ୍ତ ପାଠ ପ୍ରସ୍ତୁତ କରିଥାନ୍ତି। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପୁସ୍ତକ ଓ ପତ୍ରପତ୍ରିକା ଅଧ୍ୟୟନ କରିଥାନ୍ତି। ଏମାନେ ଅତି ଦୁର୍ଦ୍ଦାନ୍ତ ପିଲାଙ୍କଠାରୁ ପରୀକ୍ଷା ହଲ୍‌ରେ ଅସଦପତ୍ର(କପି) ଛଡ଼ାଇ ନେବାବେଳେ ସାମାନ୍ୟ ଭୟକରି ନଥାନ୍ତି ବା ସେହି ଦୁର୍ଦ୍ଦାନ୍ତ ବା ପ୍ରଭାବଶାଳୀ ପିଲାମାନେ ତାଙ୍କ ପ୍ରତି କେବେ ଅସଦ୍ ବ୍ୟବହାର କରି ନଥାନ୍ତି। ଏମାନଙ୍କର ବ୍ୟକ୍ତିତ୍ୱ ପାଖରେ ସେମାନଙ୍କର ବା ସେମାନଙ୍କ ପରିବାରର ନାଲିଆଖି ନଇଁଯାଏ।

ଛାତ୍ର ଅବସ୍ଥାରେ ଗୋଟିଏ ଉଚ୍ଚ ବ୍ୟକ୍ତିତ୍ୱ ସମ୍ପନ୍ନ ଶିକ୍ଷକ ପାଖକୁ ଟାଣି ହୋଇ କିପରି ଛାତ୍ରଟିଏ ଆସିଥାଏ ତା’ର ଏକ ସତ୍ୟାନୁଭୂତି ଉପସ୍ଥାପନ କରାଯାଇପାରେ। ପ୍ରଫେସର ଡକ୍ଟର କରୁଣାସାଗର ବେହେରାଙ୍କ ଶ୍ରେଣୀରେ ସେଦିନର ଛାତ୍ର ଏହି ଲେଖକ କେବେ ବି ଅନୁପସ୍ଥିତ ଥିବାର ମନେ ନାହିଁ। ଶିକ୍ଷକଙ୍କର ନିଷ୍ଠା ଓ ବ୍ୟକ୍ତିତ୍ୱର ଆକର୍ଷଣ ପାଖରେ ଚଞ୍ଚଳମତି ଛାତ୍ରଛାତ୍ରୀ ହାରମାନେ ବିଶ୍ୱବିଦ୍ୟାଳୟର ଛାତ୍ର ନେତାଥାଇ ଅନେକ ବିଶୃଙ୍ଖଳିତ ମୁହୂର୍ତ୍ତ ଓ ପରିସ୍ଥିତିକୁ ଏଡ଼େଇ ଜଣେ ଛାତ୍ର ଯେ ଶିକ୍ଷକଙ୍କର ବ୍ୟକ୍ତିତ୍ୱ ଓ ନିଷ୍ଠାରେ ଯେ ଶ୍ରେଣୀଗୃହକୁ ରୁଟିନ୍‍ ସମୟରେ ଟାଣି ହୋଇଯାଏ ଏହାଠାରୁ ବଡ଼ ପ୍ରମାଣ ଆଉ କ’ଣ ଥାଇପାରେ? ଶିକ୍ଷକ ହିଁ ଜବରଦସ୍ତ ପ୍ରଭାବ ବିସ୍ତାର କରିଥାନ୍ତି। ଏହା ପ୍ରମାଣ କରୁଛି ଯେ - ଶିକ୍ଷକଙ୍କର ଶିକ୍ଷାଦାନ ଶୈଳୀ, ଜ୍ଞାନ ଓ ଶ୍ରଦ୍ଧା ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହକୁ ଆକର୍ଷିତ କରିଥାଏ। ତା’ ସାଙ୍ଗକୁ ଅଧିକ ଆକର୍ଷଣ ଥାଏ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କର ବ୍ୟକ୍ତିତ୍ୱ ଓ ନିଷ୍ଠାର।

କେବଳ ଜ୍ଞାନ ବା ପ୍ରଥମ ଶ୍ରେଣୀରେ ପାସ୍ ସହିତ ଡକ୍ଟରେଟ୍‌, ଡି.ଲିଟ୍ ପାଇଥିବା ବର୍ଗ ଯେ ଭଲ ଶିକ୍ଷକ ହୋଇଥାନ୍ତି ସେପରି ଭାବିବା ଉଚିତ୍ ନୁହେଁ। ବିଶେଷତଃ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଶିକ୍ଷାରେ ପୂର୍ଣ୍ଣ ଆଧୁନିକ ଜ୍ଞାନ ବିତରଣର କୌଶଳ ମାଲୁମଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛାତ୍ରଛାତ୍ରୀମାନେ ସହଜରେ ଗ୍ରହଣ କରିଥାନ୍ତି। ଏହା ସହିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବ୍ୟକ୍ତିତ୍ୱ ଯଥା ପୋଷାକପତ୍ର, ବେଶଭୂଷା, ଆଚାର ବ୍ୟବହାର ମଧ୍ୟ ଶିକ୍ଷକ ଚୟନବେଳେ ଦେଖିବାର କଥା। ଏହାର ପ୍ରଭାବ ମଧ୍ୟ ପିଲାଙ୍କ ଉପରେ ପଡ଼ିଥାଏ।

ଏକଦା ଏହି ଲେଖକ ଗୋଟିଏ ଶିକ୍ଷକ ଚୟନ କମିଟିରେ ସଦସ୍ୟ ଥିଲେ। ଅନ୍ୟ ଦୁଇଜଣ ସଦସ୍ୟ ଥିଲେ ରାଜ୍ୟର ଖ୍ୟାତାନାମା ପ୍ରବୀଣ ଶିକ୍ଷାବିତ୍ ସ୍ୱର୍ଗତ ପ୍ରଫେସର ଡକ୍ଟର ରାଧାନାଥ ରଥ ଓ ରାଧାନାଥ ଟ୍ରେନିଂ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସ୍ୱର୍ଗତ ବିବେକାନନ୍ଦ ପତି। କ୍ୟାରିୟର ମାର୍କିଂରେ ଯେ ପ୍ରଥମ ହୋଇଥିଲେ ଇଣ୍ଟରଭ୍ୟୁ ସମୟରେ ଚୟନ ବୋର୍ଡ଼ର ସମସ୍ତ ପ୍ରଶ୍ନ ଅତି ସରଳ ଓ ସହଜ ଭାବରେ ସେ ହିଁ ଦେଇଥିଲେ। ସେ ଥିଲେ ଜଣେ ମହିଳା ପ୍ରାର୍ଥୀ। ମାତ୍ର ଏହି ମହିଳା ପ୍ରାର୍ଥୀ ଯେତେବେଳେ ପଢ଼ାଇବା ପାଇଁ ଶ୍ରେଣୀ ଗୃହରେ ପଶିଲେ ଜଣାଯାଉଥିଲା ପିଲାଏ ଯେପରି ତାଙ୍କର ଫେଶନୀ ଚେହେରାଟିକୁ ଅନାଇଛନ୍ତି। ଡି.ଏ.ଭି. ସ୍କୁଲରୁ ଆସିଥିବା ଏହି ଶିକ୍ଷୟିତ୍ରୀ ଶୁଆ ରଙ୍ଗର ଶାଢ଼ି, ବ୍ଲାଉଜ୍ ସହିତ ମୁଣ୍ଡରେ ଶୁଆ ରଙ୍ଗର ଟିକିଲି, ଗୋଡ଼ ହାତ ନଖରେ ଏକ ରଙ୍ଗର ନେଲ୍‌ପଲିସି ଓ ହାତରେ ସେହି ରଙ୍ଗର କାଚ ପିନ୍ଧିଥିଲେ। ବେକର ମୋତିମାଳ ଓ କାନଝରା ମଧ୍ୟ ସେହି ରଙ୍ଗର ଥିଲା। ବେକ, କାନର ଗହଣା ବୋଧହୁଏ ଏବେ ଆଧୁନିକ ବିଜ୍ଞାନ କୌଶଳରେ ପ୍ରସ୍ତୁତ କଲଚର ମୋତି ଥିଲା। ଦେଖିବାମାତ୍ରେ ପିଲାଙ୍କ ଭିତରେ ଗୁଞ୍ଜରଣ ଥିଲା ‘ଖୁବ୍ ଶାଗୁଆ’, ପାଠ ପଢ଼ାଇବାର ଶୈଳୀ ଯାହା ଥାଉନା କାହିଁକି ଆନମନା ପିଲାଙ୍କ ପାଇଁ ତାହା ଆଦୌ ଗ୍ରହଣଯୋଗ୍ୟ ନଥିଲା। ତିନିଜଣ ଚୟନ କମିଟିର ସଦସ୍ୟ ଅଲଗା ଅଲଗା ମାର୍କ ନ ଦେଇଥିଲେ ମଧ୍ୟ ସେ ସବୁଠାରୁ କମ୍ ପାଇଥିଲେ। ଚୟନ ପ୍ରକ୍ରିୟାରେ ଯେଉଁ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିଲେ ସେ ଉତ୍ତୀର୍ଣ୍ଣ ହେଲେ ପାଠ ପଢ଼ାଇବାର ଶୈଳୀରେ ଅଭିଜ୍ଞ ଓ ଗୋଟିଏ ଶିକ୍ଷୟିତ୍ରୀର ବ୍ୟକ୍ତିତ୍ୱର ଅଧିକାରିଣୀ ନିଶ୍ଚୟ ଥିଲେ।

ଏ ସମସ୍ତ ଅଭିଜ୍ଞତା ପ୍ରସ୍ତୁତ ତଥ୍ୟ। କୌଣସିଟି କାଳ୍ପନିକ ବା ଅତିରଞ୍ଜିତ ନୁହେଁ। ଏସବୁ କହିବାର ଅର୍ଥ ହେଉଛି ଏବେବି ଭଲ ଶିକ୍ଷକ ଶିକ୍ଷୟିତ୍ରୀ ଖୋଜିଲେ ମିଳିବେ। ଚୟନ ପ୍ରକ୍ରିୟା ସ୍ୱାଧୀନ ଓ ସଶକ୍ତ ହେଲେ ଓ ମର୍ଯ୍ୟାଦାବନ୍ତ ଦରମା ଓ ସ୍ଥାନଟିଏ ଶିକ୍ଷକ ପାଇଲେ ଅନେକ ଭଲ ଓ ମେଧାବୀ ଛାତ୍ରଛାତ୍ରୀ ଶିକ୍ଷାକୁ ବୃତ୍ତି ଭାବରେ ଆପଣେଇବାକୁ ଦ୍ୱିଧା କରିବେ ନାହିଁ। ଶିକ୍ଷାନୁଷ୍ଠାନ ବା ଶିକ୍ଷା ବ୍ୟବସ୍ଥା ସଜାଡ଼ିବା ସମୟରେ ଶିକ୍ଷକମାନଙ୍କୁ ସଜାଡ଼ିବା ଓ ପିଲାମାନଙ୍କ ଅଭିଭାବକମାନଙ୍କୁ ସଚେତନ କରାଇ ଏହି ଶିକ୍ଷାନୁଷ୍ଠାନ ପ୍ରତି ଆକୃଷ୍ଟ କରିବା ଆବଶ୍ୟକ। ପ୍ରଥମେ ଦୃଷ୍ଟି ଦେବାକୁ ହେବ ଯେ ସମସ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଶିକ୍ଷକ ଶିକ୍ଷାଦାନ କରୁଥିବା ଅନୁଷ୍ଠାନରେ ନିଜ ପିଲାମାନଙ୍କୁ ପଢ଼ାଇବାର ସଂକଳ୍ପଟିଏ ରଖିଛନ୍ତି କି ନାହିଁ। ଯେଉଁ ରାଜନେତା ପଞ୍ଚାୟତ ସ୍ତରରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଲୋକଙ୍କୁ ଭୋଟଭିକ୍ଷା କରିବାକୁ ଆସନ୍ତି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ସେମାନଙ୍କର ପିଲାମାନେ ପଢ଼ିଛନ୍ତି ବା ପଢ଼ୁଛନ୍ତି କି ନାହିଁ ସମସ୍ତ ଭୋଟଦାତା ପରଖିବା ଦରକାର। ତେବେ ପ୍ରତିନିଧି ସେହିମାନଙ୍କ ଭିତରେ ଜଣେ କି ନାହିଁ ଜଣା ପଡ଼ିବ। ଶିକ୍ଷକ ଓ ନେତୃ ସ୍ଥାନୀୟ ବ୍ୟକ୍ତିଗଣ ସାଧାରଣ ଶିକ୍ଷାକୁ ଶ୍ରଦ୍ଧାର ସହ ଆପଣେଇଲେ ଅନ୍ୟ ଅଭିଭାବକମାନେ ପ୍ରଭାବିତ ହେବେ।

ଭଲ ଶିକ୍ଷକ, ଖୋଜିଲେ ମିଳିବେ। ଭଲ ଶିକ୍ଷକ ମଧ୍ୟ ତିଆରି ହୋଇପାରିବେ। ଭଲ ଶିକ୍ଷକର ବ୍ୟକ୍ତିତ୍ୱ ଚୟନ ହେବା ମଧ୍ୟ ସମ୍ଭବପର। ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପୋଷାକ ଓ ବେଶଭୂଷା ଏକ ‘ଡ୍ରେସ୍‌କୋଡ଼’ ଜରିଆରେ କରାଯାଇ ପାରିଲେ ଭଲ। ଏକଦା ଜଣେ ପ୍ରଶାସିକା ଏହି ଡ୍ରେସ କୋଡ଼ ପ୍ରଚଳନ କରିବା ସମୟରେ ଅନେକ କଟୁ ମନ୍ତବ୍ୟର ଶରବ୍ୟ ହୋଇଥିଲେ। ସେ ଯଦି ଏହି ଡ୍ରେସ ସ୍ଥାନୀୟ ଓଡ଼ିଶୀ ଶାଢ଼ୀ ଓ ପୁରୁଷମାନଙ୍କ ପାଇଁ ଓଡ଼ିଶାରେ ପ୍ରସ୍ତୁତ ହ୍ୟାଣ୍ଡଲୁମ୍ ଚୟନ କରିଥାନ୍ତେ ତେବେ ତାଙ୍କୁ କେହି ଅନ୍ୟଥା ବିଚାର କରି ନଥାନ୍ତେ। ଅଧିକନ୍ତୁ ରାଜ୍ୟର ବୟନ ଶିଳ୍ପ - ବୟନିକା ବା ସମ୍ବଲପୁରୀ ବସ୍ତ୍ରାଳୟ ଜରିଆରେ ଅଧିକ ଶକ୍ତିଶାଳୀ ଓ ରୋଜଗାରକ୍ଷମ ହୋଇଥାନ୍ତା। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାଗଣାରେ ପିଲାଙ୍କ ସହିତ ଖାଦ୍ୟ ଖାଇବାର ସୁଯୋଗ ସହିତ ମାଗଣା ୟୁନିଫର୍ମ ଯୋଗାଯାଇ ପାରିଲେ ସେମାନଙ୍କ ନିମନ୍ତେ ଦରମା ଅତିରିକ୍ତ ବ୍ୟବସ୍ଥାଟିଏ ହୋଇପାରିବ। ରାଜ୍ୟ ସରକାରଙ୍କର ପ୍ରାଥମିକତା ହେଉଛି ପ୍ରାଥମିକ ବିଦ୍ୟାକୁ ଓ ମାଧ୍ୟମିକ ବିଦ୍ୟାକୁ ସାର୍ବଜନୀନ କରିବା ଓ ଶିକ୍ଷା ସହିତ ଅର୍ଥନୈତିକ ଅଭିବୃଦ୍ଧି ତଥା ସାମାଜିକ ସମତାକୁ ଯୋଡ଼ିବା। ଏହା କରିବା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ଚୟନ ଅତ୍ୟନ୍ତ ଅପରିହାର୍ଯ୍ୟ। କାରଣ ପିଲାଙ୍କୁ ସଜାଡ଼ିବାରେ ଶିକ୍ଷକଙ୍କର ଦାୟିତ୍ୱ ନିଶ୍ଚୟ ଅଧିକ ଅଛି। ହେଲେ ନିଜ ପରିବାରର ବା ଅଭିଭାବକ, ପିତାମାତାଙ୍କର ଦାୟିତ୍ୱ ଓ ସଂସ୍କାର ପିଲାଗଠନରେ ସାହାଯ୍ୟ କରିଥାଏ।

ପ୍ରାଥମିକ ସ୍ତରରେ ପିଲାଙ୍କୁ ସଜାଡ଼ିବାର ଦାୟିତ୍ୱ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଏବଂ ଛୁଟିଦିନମାନଙ୍କରେ ବା ପରିବାର ଉପରେ ନ୍ୟସ୍ତଥାଏ। ତା’ର ଶରୀରର ଯତ୍ନ, ମାନସିକ ଅବସ୍ଥାର ଶୃଙ୍ଖଳା, ବିଦ୍ୟାଳୟ ପାଇଁ ପ୍ରସ୍ତୁତି ସବୁକିଛି ଅଭିଭାବକମାନେ କରିଥାନ୍ତି। ଅଭିଭାବକମାନେ ନିଜ ନିଜ ପିଲାଙ୍କ ଭିତରେ ଶିକ୍ଷା ଓ ଶିକ୍ଷକମାନଙ୍କ ପ୍ରତି ଶ୍ରଦ୍ଧା ଭରିବାର ପ୍ରଥମ ପାତ୍ର ବୋଲି ଧରିବାକୁ ହେବ। ମାଧ୍ୟମିକ ସ୍ତରରେ ଅଭିଭାବକ ଗଣ ବିଦ୍ୟାଳୟକୁ ସପ୍ତାହରେ ଅନ୍ତତଃ ଥରେ ଯାଇ ବୁଝି ଆସିଲେ ପିଲାଙ୍କର ଖାପଛଡ଼ା ଭାବ ବା ଦୂରେଇ ରହିବାର ଭାବ ରହିବନାହିଁ। ପିଲାଙ୍କ ଉପରେ ନିଜର ଇଚ୍ଛାକୁ ଚାପିଦେବା ଅପେକ୍ଷା ସେମାନଙ୍କର ଆଗ୍ରହ ପ୍ରତି ଧ୍ୟାନଦେବା ଦରକାର। ତା’ ଭିତରେ ବିଶେଷତ୍ୱକୁ ଲକ୍ଷ୍ୟକରି ତାକୁ ସଜାଡ଼ିବାର ଅଛି। ଖେଳକୁଦରେ ଯିଏ ଭଲ କରୁଛି ସେ ଦିଗରେ ସେ ଯାଉ। ଗଣିତରେ ଭଲ କରୁନାହିଁ ବା ବିଜ୍ଞାନରେ ଭଲ କରୁନାହିଁ ତାକୁ ଯବରଦସ୍ତି ଇଂଜିନିୟରିଂ ବା ଡାକ୍ତରୀ ପଢ଼ିବାକୁ ବାଧ୍ୟ କରା ନଯାଉ। ଶିକ୍ଷକ - ଅଭିଭାବକଙ୍କ ମିଳିତ ଆଲୋଚନାରେ ପିଲାର ପାଠପଢ଼ା ନିର୍ଣ୍ଣୟ ହେବା ପାଇଁ କାଉନ୍‌ସେଲିଂର ବ୍ୟବସ୍ଥା ରହିବା ଦରକାର। ଗୋଟିଏ ଚୟନ ନିୟନ୍ତ୍ରଣ କମିଟି ଦ୍ୱାରା ଅସ୍ଥାୟୀ(ଆଡ଼ହକ) ଶିକ୍ଷକ ନିଯୁକ୍ତି ଓ ପାଞ୍ଚବର୍ଷ ଶିକ୍ଷକତା କରିବା ପରେ ଅଭିଜ୍ଞ ଶିକ୍ଷକମାନଙ୍କ କମିଟି ଦ୍ୱାରା ପରୀକ୍ଷା କରାଯାଇ ଛ’ ବର୍ଷରେ ତାକୁ ସ୍ଥାୟୀ ନିଯୁକ୍ତି ଦେବା ଦରକାର।

ବୃତ୍ତି ପାଇଁ ବୃତ୍ତିଧାରୀଙ୍କ ଶ୍ରଦ୍ଧା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଶିକ୍ଷାବୃତ୍ତିକୁ ମେଧାବୀ ଛାତ୍ରଛାତ୍ରୀମାନେ ଯେପରି ଅଧିକ ଭାବରେ ଶ୍ରଦ୍ଧାର ସହ ଗ୍ରହଣ କରନ୍ତି, ତାହା ଦେଖିବାର କଥା। ଛାତ୍ରଛାତ୍ରୀଙ୍କଠାରୁ ପ୍ରାପ୍ତ ଉତ୍ତର ଖାତାରୁ ଓ ଉତ୍ତର ଦେବାବେଳେ ଶିକ୍ଷକଙ୍କର ମାନ ଜାଣିବା ଦରକାର ଓ ଏହି କାର୍ଯ୍ୟ କଲାବେଳେ ପିଲା ଯେପରି ଶିକ୍ଷକ/ଶିକ୍ଷୟିତ୍ରୀ ସମାଲୋଚନା ନ କରନ୍ତି ସେଥିପ୍ରତି ଯତ୍ନନେବା ଦରକାର। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୁଲ ଥିଲେ କୌଣସି ଭାବେ ପିଲାଙ୍କ ସମ୍ମୁଖରେ ପ୍ରକାଶ ପାଇବା ଉଚିତ୍‍ ନୁହେଁ। ଏକଥା ସ୍ପଷ୍ଟ ଯେ ଗୋଟିଏ ସମାଜ ନଷ୍ଟ ହୋଇ ଯାଇଥିବାବେଳେ କୌଣସି ଧର୍ମଗୁରୁ ଏହାକୁ ସଜାଡ଼ି ପାରି ନଥାନ୍ତି। କାରଣ ଆଧ୍ୟାତ୍ମିକତା ପ୍ରତ୍ୟେକର ଅନୁଭୂତି। ମାତ୍ର ଶିକ୍ଷାଗୁରୁ ଉଚିତ୍‍ ଶିକ୍ଷା ବିତରଣ କରି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଜୀବନକୁ ଆଲୋକିତ କରିଥାନ୍ତି। ସମାଜ ଓ ବ୍ୟକ୍ତିର ଆବଶ୍ୟକତା ମତେ ଶିକ୍ଷା ସଜାଡ଼ିଥାନ୍ତି, ପ୍ରଦାନ କରିଥାନ୍ତି।

ଫୋ- ୯୪୩୮୩୬୦୮୪୯

Related story