Mamata Vs ED Photograph: (Internet)
ରବି ଦାସ
ପଶ୍ଚିମ ବଙ୍ଗରେ କେନ୍ଦ୍ରୀୟ ଏଜେନ୍ସି ଇଡି ପକ୍ଷରୁ ହେଉଥିବା ଚଢ଼ଉ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ୟକ୍ତିଗତ ଭାବରେ ରାଜ୍ୟ ପୋଲିସ୍ ଅଧିକାରୀଙ୍କ ସହ ପହଂଚିବା ଓ କେନ୍ଦ୍ରୀୟ ଏଜେନ୍ସି ଜବତ କରିଥିବା ଫାଇଲ୍ ଓ କମ୍ପ୍ୟୁଟର୍ ହାର୍ଡଡିକ୍ସ ନେଇଆସି ବାହାରେ ସିଧାସଳଖ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ତାଙ୍କ ଦଳର ନିର୍ବାଚନ ରଣନୀତି କାଗଜପତ୍ର ନେଇଯିବା ପାଇଁ କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, କେନ୍ଦ୍ରୀୟ ଏଜେନ୍ସି ବିରୋଧରେ କେବେ କୌଣସି ରାଜ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏପରି ଭାବରେ ପଦକ୍ଷେପ ନେବା ଓ ରାଜ୍ୟ ପୋଲିସ୍ ପକ୍ଷରୁ କେନ୍ଦ୍ରୀୟ ଏଜେନ୍ସି ଜବରଦସ୍ତ ଭାବରେ ପଶ୍ଚିମ ବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସର ଦସ୍ତାବିଜ୍ ନେଇଯାଉଥିବା ଘଟଣାରେ ମାମଲା ଦାୟର କରିବା ଦେଶରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି।
କେନ୍ଦ୍ରୀୟ ଏଜେନ୍ସି ଯାହାକି ପଶ୍ଚିମ ବଙ୍ଗରେ ଚଢ଼ଉ କରିଥିବା ଇଡି ଏହାକୁ ସେମାନଙ୍କ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଶାରୀରିକ ହସ୍ତକ୍ଷେପ ଆଇନ୍ର ବିରୁଦ୍ଧାଚରଣ କରୁଛି ବୋଲି ଅଭିଯୋଗ କରିଛନ୍ତି। ପ୍ରଥମେ ପଶ୍ଚିମବଙ୍ଗ ହାଇକୋର୍ଟ ଓ ପରେ ପରେ ସୁପ୍ରିମ୍କୋର୍ଟରେ ଇଡି ଆଶ୍ରୟ ନେବା ଫଳରେ ସାରା ଦେଶରେ କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟକଳାପ ଓ ରାଜ୍ୟ ପୋଲିସ୍ର କାମ କରିବା ଢଙ୍ଗ ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ଘଟଣା ଭାରତରେ ସଂଘୀୟ ବ୍ୟବସ୍ଥା ଉପରେ କେନ୍ଦ୍ରୀୟ ଏଜେନ୍ସି ଜରିଆରେ ବରାବର ଆକ୍ରମଣ ଚାଲିଥିବା ଘଟଣା ନେଇ ଅନ୍ୟ ବିରୋଧୀ ଦଳମାନେ ଯାହା କହି ଆସୁଥିଲେ ତାହା ଏଥର ଏକ ନଗ୍ନ ରୂପରେ ବିତର୍କ ଭିତରକୁ ଆସିଛି। ଇଡି ପ୍ରଥମେ ପଶ୍ଚିମବଙ୍ଗ ହାଇକୋର୍ଟ ଯିବା ପୂର୍ବରୁ ତୃଣମୂଳ କଂଗ୍ରେସ ବା ମମତା ବାନାର୍ଜୀଙ୍କ ପକ୍ଷରୁ ମଧ୍ୟ ହାଇକୋର୍ଟର ଆଶ୍ରୟ ନିଆଯାଇ କେନ୍ଦ୍ରୀୟ ଏଜେନ୍ସି କେନ୍ଦ୍ର କ୍ଷମତାରେ ଥିବା ଦଳୀୟ ନେତୃତ୍ୱର ଇଙ୍ଗିତରେ ରାଜ୍ୟ କ୍ଷମତାସୀନ ଦଳକୁ ନିର୍ବାଚନ ପୂର୍ବରୁ ଅସୁବିଧାରେ ପକାଇବା ପାଇଁ ଓ ଏହାର ନିର୍ବାଚନ ରଣକୌଶଳ ସଂପର୍କୀତ ଫାଇଲ୍ ନେଇଯିବା ପାଇଁ ବ୍ୟବହାର କରିଥିବାର ଅଭିଯୋଗ କରାଯାଇଛି।
ପଶ୍ଚିମବଙ୍ଗ ହାଇକୋର୍ଟରେ ଦୁଇଟିଯାକ ପିଟିସନ୍ର ଶୁଣାଣୀ ଆରମ୍ଭ ହେବା କ୍ଷଣି ସେଠାରେ ଏତେମାତ୍ରାରେ ଗଣ୍ଡଗୋଳ ହେଲା ଯେ, ମାନ୍ୟବର ଜଷ୍ଟିସ୍ ପରିସ୍ଥିତିକୁ ଏଡ଼ାଇବା ପାଇଁ ସେଦିନ ମାମଲାର ଶୁଣାଣୀ ନକରି ୧୪ ତାରିଖରେ ଶୁଣାଣୀ ନିମନ୍ତେ କହି ଅଦାଲତ ଛାଡ଼ି ଚାଲିଯାଇଥିଲେ। ୯ ତାରିଖରେ ହୋଇଥିବା ଏହି ଘଟଣା ପରେ ଇଡି ଆଉ ସମୟ ନଷ୍ଟ ନକରି ସିଧାସଳଖ ସୁପ୍ରିମ୍କୋର୍ଟର ଆଶ୍ରୟ ନେଇଛନ୍ତି। ମମତା ବାନାର୍ଜୀ ଯାହାକଲେ ତାହା ଉପରେ ସିବିଆଇ ତଦନ୍ତ ନିମନ୍ତେ ଇଡି ପକ୍ଷରୁ ସୁପ୍ରିମ୍କୋର୍ଟରେ ପ୍ରାର୍ଥନା କରାଯାଇଛି। ଏଥିରେ ଫଳାଫଳ କ’ଣ ହେବ ତାହା ଭିନ୍ନ କଥା। କିନ୍ତୁ ଏହି ଘଟଣାଟି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ କେନ୍ଦ୍ରରେ ଥିବା ସରକାର ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ଓ ରାଜ୍ୟରେ କ୍ଷମତାରେ ଥିବା ଦଳ ରାଜ୍ୟ ପୋଲିସ୍କୁ ସେମାନଙ୍କ ସୁରକ୍ଷା ପାଇଁ ଓ ସେମାନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଯାଇଛି। ଲୋକମାନଙ୍କ ଟିକସରୁ ଅର୍ଥ ନେଉଥିବା କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀ ଓ ରାଜ୍ୟ ପୋଲିସ୍ ଅଧିକାରୀମାନେ ଜନସାଧାରଣଙ୍କ ପାଇଁ ବା ଆଇନ୍ର ସୁରକ୍ଷା ସହିତ ସଂଘୀୟ ବ୍ୟବସ୍ଥା ରକ୍ଷା କରିବା ଲକ୍ଷ୍ୟରେ କୌଣସି କାର୍ଯ୍ୟ କରୁନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି।
ବାସ୍ତବରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଯଥା- ଆୟକର ବିଭାଗ, ସିବିଆଇ ଓ ଇଡି ପରି ସଂସ୍ଥାଗୁଡ଼ିକ କେନ୍ଦ୍ରରେ କ୍ଷମତାସୀନ ଦଳର ନେତୃତ୍ୱର ନିର୍ଦ୍ଦେଶ ଓ ଇଙ୍ଗିତରେ କାମ କରୁଥିବା ଓ ରାଜ୍ୟ ସ୍ତରରେ ରାଜ୍ୟ ପୋଲିସ୍ ଆଇନ୍ର ସୁରକ୍ଷା ପରିବର୍ତ୍ତେ କ୍ଷମତାଧିକାରୀ ନେତୃତ୍ୱର ସ୍ୱାର୍ଥ ରକ୍ଷା କରିବା ପାଇଁ ସେମାନଙ୍କ ଇଙ୍ଗିତରେ କାମ କରୁଥିବାର ବହୁ ଘଟଣା ଦେଶରେ ବରାବର ଘଟୁଥିଲେ ମଧ୍ୟ କଲିକତା ଘଟଣାରେ ଏହି ଅତ୍ୟନ୍ତ ଅଶୋଭନୀୟ ଡ୍ରାମା ଯେପରି ଭାବରେ ମଂଚସ୍ଥ ହେଲା ତାହା ଭାରତୀୟ ଗଣତନ୍ତ୍ରର ଅସଲ ଚେହେରାକୁ ପଦାକୁ ଆଣିଛି। କ୍ଷମତାରେ ଯିଏ ଅଧିକାରୀ ହେଲା ସେ କେନ୍ଦ୍ର ହୋଇଥିଲେ କେନ୍ଦ୍ରୀୟ ଏଜେନ୍ସି ଓ ରାଜ୍ୟ ହୋଇଥିଲେ ରାଜ୍ୟ ଏଜେନ୍ସିଗୁଡ଼ିକ କାମ କରିବା ସମୟରେ ନୀତି, ନିୟମ, ପରମ୍ପରା, ଗଣତାନ୍ତ୍ରିକ ବିଧି ଓ ସଂଘୀୟ ବ୍ୟବସ୍ଥାର ମର୍ଯ୍ୟାଦାକୁ ଭୁଲିଯିବା ଘଟଣା ଆଲୋଚିତ ହେଉଥିଲେ ମଧ୍ୟ ତାହାର ନଗ୍ନ ରୂପ କଲିକତାରେ ପ୍ରଦର୍ଶିତ ହେଲା।
ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି ଖୋଦ୍ ଦିଲ୍ଲୀରେ ତତ୍କାଳୀନ ଆପ୍ ସରକାରଙ୍କ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଓ ପରେ ଝାଡ଼ଖଣ୍ଡରେ ଜେମ୍ଏମ୍ଏମ୍ର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ଏପରିକି ଛତିଶଗଡ଼ରେ କଂଗ୍ରେସ ସରକାର ଥିବା ସମୟରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ୍ଙ୍କ ବିରୋଧରେ ବ୍ୟବହୃତ ହେବା ଦେଖାଯାଇଛି। ପଶ୍ଚିମବଙ୍ଗରେ ମଧ୍ୟ ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି ସିବିଆଇ ଓ ଇଡି ବିଭିନ୍ନ ସମୟରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି। କିନ୍ତୁ ପଶ୍ଚିମବଙ୍ଗରେ ରାଜ୍ୟ ପୋଲିସ୍ ସିଧାସଳଖ ଭାବରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କେନ୍ଦ୍ରୀୟ ଏଜେନ୍ସି କର୍ମକର୍ତ୍ତାଙ୍କ ଉପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ କରିଥିବାର ନଜିର୍ ମଧ୍ୟ ରହିଛି। କାରଣ ଅନ୍ୟ ଅଣବିଜେପି ଶାସିତ ରାଜ୍ୟମାନଙ୍କ ଅପେକ୍ଷା ପଶ୍ଚିମବଙ୍ଗ ଘଟଣା ଭିନ୍ନ। ସେଠାରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ରାସ୍ତାରେ ଲଢ଼େଇ କରୁଥିବା ନେତ୍ରୀ ଭାବରେ ଯେଉଁ ଖ୍ୟାତି ଅର୍ଜନ କରିଛନ୍ତି, ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ସେହି ପରମ୍ପରାକୁ ଜାହିର ରଖି ନିଜେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ମୁକାବିଲା କରିବା ପାଇଁ ରାସ୍ତାକୁ ବାହାରୁଛନ୍ତି। ସେଥିପାଇଁ ପଶ୍ଚିମବଙ୍ଗ ଘଟଣା ଉପରେ ସୁପ୍ରିମ୍କୋର୍ଟ ବା ହାଇକୋର୍ଟ କି ପ୍ରକାର ଦୃଷ୍ଟିଭଙ୍ଗୀ ନେଉଛନ୍ତି ଓ ଏଜେନ୍ସିଗୁଡ଼ିକ କେନ୍ଦ୍ର ହେଉ ବା ରାଜ୍ୟର ହେଉ ସେଗୁଡ଼ିକ କିପରି କାର୍ଯ୍ୟ କରିବା ଦରକାର ସେ ବିଷୟରେ ଆଇନ୍ ଓ ସମ୍ବିଧାନ କ’ଣ କହୁଛି ତାହା ଦେଶବାସୀ ଏହି ମାମଲାର ଫଳାଫଳରୁ ଜାଣିପାରିବେ।
କେନ୍ଦ୍ରୀୟ ଏଜେନ୍ସି ବିଶେଷ ଭାବରେ ସିବିଆଇ ଓ ଇଡି ଅଣବିଜେପି ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଥିବା ଓ ଏହାର ସଂଚାଳନ ଏପରି କରାଯାଉଛି ଯେ, କ୍ଷତିଗ୍ରସ୍ତ ନେତାମାନେ ନିଜକୁ ରକ୍ଷା କରିବା ପାଇଁ ଦଳ ପରିବର୍ତ୍ତନ କରୁଛନ୍ତି ବା ବିଜେପି ମେଂଟରେ ଯୋଗ ଦେଉଛନ୍ତି। ଦେଖାଯାଉଛି, ଯେଉଁ ନେତାମାନେ ଏହି ଢଙ୍ଗରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ ଇଡି କରୁଥିବା ଭ୍ରଷ୍ଟାଚାର ଅଭିଯୋଗ ଥଣ୍ଡା ବାକ୍ସକୁ ଚାଲିଯାଉଛି ବା ମାମଲାର ଚୂଡ଼ାନ୍ତ ରିପୋର୍ଟ ଦିଆଯାଇ ଅଭିଯୁକ୍ତଙ୍କୁ ମୁକ୍ତ କରିଦିଆଯାଉଛି। କିନ୍ତୁ ଯେଉଁ ବିରୋଧୀ ଦଳମାନେ ଏହି ଢଙ୍ଗରେ କାମ କରୁନାହାନ୍ତି ଓ ସେମାନଙ୍କର ବିରୋଧୀ କାର୍ଯ୍ୟକଳାପ ଅବ୍ୟାହତ ରଖୁଛନ୍ତି, ସେମାନଙ୍କ ବିରୋଧରେ ଇଡିର ତଦନ୍ତ ପ୍ରକ୍ରିୟା ବନ୍ଦ ହେବନାହିଁ। ଆଶ୍ଚର୍ଯ୍ୟର କଥା ଅଧିକାଂଶ କ୍ଷେତ୍ରରେ ଏହିସବୁ ମାମଲାର ତଦନ୍ତ ଦୀର୍ଘଦିନ ଧରି ଚାଲୁଛି ଓ ମାମଲାର ପ୍ରକୃତ ବିଚାର ହେଉନାହିଁ।
ପିଏମ୍ଏଲ୍ଏ ଆଇନ୍ ଏପରି ହୋଇଛି ଯେ, ୟୁଏପିଏ ପରି ଏଥିରେ ଜଣେ ଅଭିଯୁକ୍ତ ହୋଇ ତଦନ୍ତର ସମ୍ମୁଖୀନ ହେଲେ ତାଙ୍କୁ ଯଦି ଗିରଫ କରାଯାଏ, ତେବେ ସହଜରେ ସେ ଜାମିନ୍ ପାଆନ୍ତି ନାହିଁ। ଏହି ପ୍ରକ୍ରିୟାଟି ଏପରି ଭାବେ ଗଠିତ ହୋଇଛି ଯେ, ଆଇନ୍ରେ ଦଣ୍ଡିତ ହେବାଠାରୁ ଏହାର ପ୍ରକ୍ରିୟାଟି ଅଧିକ ସାଂଘାତିକ ହେଉଛି। ଜଣେ ଆଇନ୍ରେ ଦଣ୍ଡିତ ହେବା ପାଇଁ ତା’ ବିରୋଧରେ ଚାର୍ଜସିଟ୍ ପରେ ବିଚାର ପ୍ରକ୍ରିୟା ଚାଲି ଶେଷ ହେବା ଦରକାର। କିନ୍ତୁ ଅଧିକାଂଶ ଘଟଣାରେ ଯେଉଁଠାରେ ବିରୋଧୀ ଦଳ ନେତାମାନଙ୍କ ବିରୋଧରେ ସିବିଆଇ ବା ଅନ୍ୟ କେହି ଏତଲା ଦେଉଛନ୍ତି ସେଠାରେ ଆପେ ଆପେ ଇଡି ପହଂଚି ଯାଉଛି। କେନ୍ଦ୍ରୀୟ ଏଜେନ୍ସି ରାଜନୈତିକ ସ୍ତରରେ କେବଳ ବିରୋଧୀ ଦଳର ନେତାମାନଙ୍କ ବିରୋଧରେ ତଦନ୍ତ କରୁଥିବାରୁ ଏହି ଏଜେନ୍ସିକୁ ବିରୋଧୀ ପକ୍ଷକୁ ଦୁର୍ବଳ କରିବା ପାଇଁ ବା ବିରୋଧୀ ପକ୍ଷରୁ ନେତାମାନଙ୍କୁ ସରକାରୀ ପକ୍ଷକୁ ଆଣିବା ପାଇଁ ବ୍ୟବହାର ହେଉଥିବା ନେଇ ବରାବର ଅଭିଯୋଗ କରାଯାଉଛି। ରାଜନୈତିକ ତୋମାନଙ୍କ ବିରୋଧରେ ଇଡି ଯେତେଗୁଡ଼ିଏ ମାମଲା କରିଛି ସେଥିମଧ୍ୟରୁ ୯୮ ଭାଗ କେବଳ ବିରୋଧୀ ଦଳ ନେତାମାନଙ୍କ ବିରୋଧରେ ଉଦ୍ଦିଷ୍ଟ। କିନ୍ତୁ କୌଣସି ମାମଲାର ବିଚାର ବର୍ଷ ବର୍ଷ ଧରି ଶେଷ ହେଉନାହିଁ ଓ ଯେଉଁଗୁଡ଼ିକର ଶେଷ ହେଉଛି ସେଥିରେ ରାଜନୈତିକ ବ୍ୟକ୍ତିମାନଙ୍କ ବିରୋଧରେ ଦଣ୍ଡ ହାର ଶତକଡ଼ା ୦.୧ ଭାଗ ରହିଛି।
ଅରିବିନ୍ଦ କେଜ୍ରିୱାଲ୍, ମନୀଷ ସିସୋଦିଆ, ସଞ୍ଜୟ ସିଂ ପ୍ରମୁଖ ବହୁ ଆପ୍ ନେତା ଯେଉଁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲ୍କୁ ଯାଇଥିଲେ ସେମାନଙ୍କ ବିରୋଧରେ ଏବେ ପର୍ଯ୍ୟନ୍ତ ମଧ୍ୟ ମାମଲାର ବିଚାର ଶେଷ ହୋଇନି। ସେମାନେ ଜାମିନ୍ରେ ଅଛନ୍ତି। କିନ୍ତୁ ଇଡିର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଦିଲ୍ଲୀରେ ଆପ୍ କ୍ଷମତାଚ୍ୟୁତ ହୋଇଛି। ସେହିପରି ଛତିଶଗଡ଼ରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାର ବିରୋଧରେ ମହାଦେବ ଆପ୍ ବେଟିଂ ଓ ମଦ ଦୁର୍ନୀତି ଅଭିଯୋଗ ସବୁ ନିର୍ବାଚନ ପୂର୍ବରୁ କରାଯାଇ ସେମାନେ ବିପୁଳ ପରିମାଣର ଅର୍ଥ ଲୁଟ୍ କରିଥିବା ଅଭିଯୋଗ ହେଲା। ଏହି ଅଭିଯୋଗ ତୀବ୍ରତର ହେବାରୁ ଛଡ଼ିଶଗଡ଼ ନିର୍ବାଚନରେ କଂଗ୍ରେସ କ୍ଷମତାଚ୍ୟୁତ ହେଲା। ଝାଡ଼ଖଣ୍ଡରେ ହେମନ୍ତ ସୋରେନ୍ଙ୍କ ବିରୋଧରେ ୨୦୨୪ ଲୋକସଭା ପୂର୍ବରୁ ଇଡି କାର୍ଯ୍ୟାନୁଷ୍ଠାନ ହେଲା ଓ ସେ ଜେଲ୍ ଯିବା ପୂର୍ବରୁ ଇସ୍ତଫା ଦେଲେ। ହେଲେ ଲୋକସଭା ନିର୍ବାଚନ ପରେ ହାଇକୋର୍ଟ ତାଙ୍କର ଜାମିନ୍ ଆବେଦନର ବିଚାର କରି ମତ ଦେଲେ ଯେ, ତାଙ୍କ ବିରୋଧରେ ଅଭିଯୋଗର ସତ୍ୟତା ନାହିଁ। ସେହି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ହେମନ୍ତ ସୋରେନ୍ ପୁଣି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାରୁ ସେ ବିଧାନସଭା ନିର୍ବାଚନରେ ବିଜୟୀ ହେଲେ।
ପଶ୍ଚିମବଙ୍ଗର ୨୦୨୧ ନିର୍ବାଚନ ପୂର୍ବରୁ କୋଇଲା ପରିବହନ ଦୁର୍ନୀତି ମାମଲା ସିବିଆଇ ଦାୟର କରିବା ପରେ ୨୦୨୧ରେ ଇଡି ଏହି ମାମଲା ଉପରେ ତଦନ୍ତ କରି ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କୁ ଜେରା କରିଛି। ତାହା ସତ୍ତ୍ୱେ ୨୦୨୧ ନିର୍ବାଚନରେ ମମତାଙ୍କୁ ବିପୁଳ ସମର୍ଥନ ମିଳି ସେ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେହି ମାମଲା କିଛିଦିନ ଧରି ନିରବ ରହିବା ପରେ ଚଳିତ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳର କଂଗ୍ରେସର ନିର୍ବାଚନ ରଣନୀତି ପରିଚାଳନା କରୁଥିବା ଆଇ-ପ୍ୟାକ୍ ଏହି ଦୁର୍ନୀତି ଅର୍ଥ ପାଇଥିବା ଅଭିଯୋଗ କରି ତାହା ଉପରେ ଇଡି ଚଢ଼ାଉ କରାଯାଇଥିବାରୁ ମମତା ବାନାର୍ଜୀ ସିଧାସଳଖ ଆସି ସେଥିରେ ହସ୍ତକ୍ଷେପ କରି କମ୍ପ୍ୟୁଟର୍ ହାର୍ଡଡିକ୍ସ ଓ ଫାଇଲ୍ ସବୁ ନେଇଛନ୍ତି। ଏହି କାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗର ପୋଲିସ୍ ଡିଜି, ପୋଲିସ୍ କମିସନର୍ ଓ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରତ୍ୟେକ୍ଷ ଭାବରେ ସଂପୃକ୍ତ ହୋଇ ମମତା ବାନାର୍ଜୀଙ୍କୁ ସହାୟତା ଦେଇଛନ୍ତି। ତେଣୁ ଏହି ମାମଲା ଉପରେ ଏବେ ହାଇକୋର୍ଟ ବା ସୁପ୍ରିମ୍କୋର୍ଟ ତଦନ୍ତ କରିବା ସମୟରେ ଇଡିର କାର୍ଯ୍ୟ ପରିସରର ସୀମା ସହିତ ସଂଘୀୟ ବ୍ୟବସ୍ଥାରେ ଏହାର ଭୂମିକା ଓ ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଏକ କେନ୍ଦ୍ରୀୟ ଏଜେନ୍ସିର ତଦନ୍ତରେ ହସ୍ତକ୍ଷେପ କରିବା ଓ ସେଥିରେ ରାଜ୍ୟ ପୋଲିସ୍ ସହାୟତା କରିବା ପ୍ରଶ୍ନ ଉପରେ ମତାମତ ଦେବେ ବୋଲି ଆଶା କରାଯାଉଛି।
ଅଦାଲତର ଏ କ୍ଷେତ୍ରରେ ଭୂମିକା ରାଜନୈତିକ ଦୃଷ୍ଟିରୁ କେତେ ଗୁରୁତ୍ୱପୂର୍ଣ୍ଣ ତା’ କଲିକତା ହାଇକୋର୍ଟରେ ଏହି ମାମଲା ସମୟରେ ଘଟିଥିବା ଗଣ୍ଡଗୋଳରୁ ବେଶ୍ ସ୍ପଷ୍ଟ। ଅସଲ ପ୍ରଶ୍ନ ହେଉଛି, କେନ୍ଦ୍ରୀୟ ଏଜେନ୍ସି ହେଉ ବା ରାଜ୍ୟ ଏଜେନ୍ସି ହେଉ ସେଗୁଡ଼ିକ କ୍ଷମତାଧିକାରୀଙ୍କ ନିୟନ୍ତ୍ରଣରେ ଯେପରି ଏବେ ଚାଲୁଛନ୍ତି ସେଥିରେ ରୋକ ଲଗାଇବାରେ ସମ୍ବିଧାନ ଦୃଷ୍ଟିରୁ ଉଚ୍ଚତମ ନ୍ୟାୟାଳୟ ସକ୍ଷମ ହେବେ କି?
ଫୋ- ୯୪୩୭୪୦୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/13/ed-mamata-2026-01-13-17-07-33.jpg)