ଦେବ ରଞ୍ଜନ
୨୦୧୬ ମସିହା ଜୁଲାଇ ମାସରେ ଯେବେ ଯାଜପୁର ଜିଲ୍ଲାର ନଗଡ଼ା ଅଞ୍ଚଳରେ ୨୯ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା, ସେହି ବର୍ଷ ମୁକେଶ ଆମ୍ବାନୀ ଭାରତର ସର୍ବଶ୍ରେଷ୍ଠ ଧନୀ ଭାବରେ ଫୋର୍ବସ ତାଲିକାରେ ସ୍ଥାନ ପାଇଥିଲେ। ସେତେବେଳେ ଆମ୍ବାନୀଙ୍କର ସମୁଦାୟ ସମ୍ପତ୍ତି ଥିଲା ଏକ ଲକ୍ଷ ପଚାଶ ହଜାର କୋଟି ଟଙ୍କାରୁ ଅଧିକ (୨୨.୭ ବିଲିଅନ ଡଲାର) ଓ ନଗଡ଼ାର ଶିଶୁମାନେ ଅପପୁଷ୍ଟି, ଖାଦ୍ୟ ଓ ଚିକିତ୍ସାର ଅଭାବ କାରଣରୁ ମୃତ୍ୟୁବରଣ କରିଥିଲେ। ଦେଶର ଏ ଦୁଇ ସନ୍ତାନ ଦୁଇ କୋଣର ଶୀର୍ଷରେ ଥିଲେ, ଜଣେ ସମ୍ପତ୍ତି ଠୁଳ କରିବାରେ ଓ ଅନ୍ୟମାନେ ଦାରିଦ୍ର୍ୟର ଶିକାର ହେବାରେ।
ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଆମେ ଇଥିଓପିଆର ଦାରିଦ୍ର୍ୟ ସମ୍ପର୍କରେ ଖବରକାଗଜରେ ପଢୁଛୁ। ୨୦୧୯ ମସିହାରେ ସମୁଦାୟ ଜନ୍ମ ହୋଇଥିବା ପ୍ରାୟ ୨ ଲକ୍ଷ ଶିଶୁଙ୍କ ମଧ୍ୟରୁ ଅପପୁଷ୍ଟି ହେତୁ ୫୭ ପ୍ରତିଶତ ଅର୍ଥାତ ପ୍ରାୟ ୧,୨୦,୦୦୦ ଶିଶୁ ପାଞ୍ଚ ବର୍ଷ ହେବା ପୂର୍ବରୁ ମୃତ୍ୟୁବରଣ କରିଥିଲେ। ସେହି ସମୟରେ ଇଥିଓପିଆ ବାସିନ୍ଦା ମହମ୍ମଦ ଆଲ ଅମ୍ମୋଡି ସମଗ୍ର ଆଫ୍ରିକାର ଏକ ନମ୍ବର ଧନୀ ବ୍ୟକ୍ତି ଓ ସମଗ୍ର ବିଶ୍ଵର ୧୦୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଏହା ସମ୍ଭବ ହୋଇପାରିଲା ପ୍ରଥମରେ ପୂର୍ଣ୍ଣମାତ୍ରାରେ ସରକାରୀ ସହଯୋଗ ଓ ଦ୍ଵିତୀୟରେ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅତ୍ୟଧିକ ସମ୍ବେଦନହୀନତା ଓ ଅମଣିଷ ପଣିଆ ହେତୁ। ବ୍ୟକ୍ତି ଅନ୍ୟକୁ ଶୋଷଣ ନ କରିପାରିଲେ ଓ ଦେଶର ଅର୍ଥକୁ ନିଜେ ସ୍ଵାର୍ଥ ପାଇଁ ଉପଯୋଗ ନ କରିଲେ କଦାପି ଏତେ ବଡ଼ ଧନୀ ହୋଇପାରିବ ନାହିଁ। ଏଥିଲାଗି ଆବଶ୍ୟକ ନିଜ ପସନ୍ଦର ଏକ ସରକାର।
ଆମେ ଆମ ଚାରିପାଖରେ ଆମ୍ବାନୀ ଓ ନଗଡ଼ାର ଶିଶୁ, ଏହିଭଳି ଦୁଇଟି ପୃଥିବୀ ଏକାସାଥିରେ ଦେଖୁଛେ। ଗୋଟିଏ ପୃଥିବୀ ନିରନ୍ତର ଫିଲ୍ମ, ଟିଭି ଓ ଖବରକାଗଜରେ ଦେଖାଯାଉଛି ତ ଆଉ ଗୋଟିଏ ପୃଥିବୀକୁ ଲୁଚାଇ ଦିଆଯାଉଛି। ଲୁଚାଇ ଦିଆଯାଉଥିବା ପୃଥିବୀ ଫାଟି ଲଙ୍ଗଳା ହୋଇ ସେତେବେଳେ ଦେଖାଯାଉଛି ଯେତେବେଳେ ସେ ଭିତରୁ କାହାର ମୃତ୍ୟୁ ହେଉଛି।
ନବେ ଦଶକର ଅର୍ଥନୈତିକ ସଂସ୍କାର ପରେ ଏହା ସଂପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି ଯେ ସରକାର ଚାହିଁଲେ କମ୍ପାନୀର ମାଲିକମାନେ ବିଲିୟୋନାୟାର ବା ବୃନ୍ଦପତି ହୋଇପାରିବେ ଓ ସରକାର ଚାହିଁବା ହେତୁ ହିଁ ଲୋକେ କ୍ରମାଗତ ଗରିବ ହେଉଛନ୍ତି। ସରକାରୀ ନୀତି ହିଁ ଦେଶରେ ବିଲିୟୋନାୟର ଓ ଦରିଦ୍ର ତିଆରି କରୁଛି।
୨୦୧୬ ମସିହାରୁ ୨୦୨୪ ମସିହା ମଧ୍ୟରେ ଦେଶର କର୍ପୋରେଟ ଟାକ୍ସ କ୍ରମାଗତ ଭାବରେ ତଳମୁହାଁ ହୋଇଛି। ବିଦେଶୀ କମ୍ପାନୀଙ୍କ ଲାଗି ଏହା ୪୦ ପ୍ରତିଶତରୁ ଖସି ୩୫ ପ୍ରତିଶତ ଓ ଦେଶୀ କମ୍ପାନୀଙ୍କ ଲାଗି ୩୫ ପ୍ରତିଶତରୁ ୨୫ ପ୍ରତିଶତକୁ ଖସି ଆସିଛି। ଧନୀ ଏହା ଦ୍ଵାରା ଉପକୃତ ହେଉଛନ୍ତି।
ସେହିଭଳି ଆନ୍ତର୍ଜାତିକ ବଜାରରେ ତୈଳ ଦର ବ୍ୟାରେଲ ପିଛା ସର୍ବନିମ୍ନ ୭୦ ଡଲାର ହେବା ସତ୍ତ୍ୱେ ସରକାର ପେଟ୍ରୋଲ ଓ ଡିଜେଲ ଦର କମାଇଲେ ନାହିଁ। ଏହା ଜଣାଶୁଣା କଥା ଯେ ତୈଳ ଦର ଅଧିକ ହେଲେ ଦରଦାମ ଅଧିକ ହୁଏ। ଏଥିରେ ସାଧାରଣ ଦେଶବାସୀ ଅଧିକ ଅର୍ଥରେ କମ ଜିନିଷ କିଣିଥାନ୍ତି। ଅନ୍ୟପଟରେ, ତୈଳ ଦର ବ୍ୟାରେଲ ପିଛା କମିବା ସତ୍ତ୍ୱେ ଉପଭୋକ୍ତାଙ୍କୁ ସେହି ଲିଟର ପିଛା ୧୦୦ ଟଙ୍କା ବା ତାହାଠାରୁ ଅଧିକ ଦେବା ଦ୍ଵାରା ଆମ୍ବାନୀ, ଏସାର ଓ ସରକାରୀ ତୈଳ ଉଦ୍ୟୋଗ ଅଧିକ ଲାଭ କରିପାରିଲେ। ମୁକେଶ ଆମ୍ବନୀଙ୍କ ମୁଖ୍ୟ ବ୍ୟବସାୟ ତୈଳଖଣି। ତେଣୁ ସେ ଅଧିକ ଲାଭବାନ ହେଉଛନ୍ତି।
ସେହିଭଳି ଗଲା ଆଠ ବର୍ଷ ମଧ୍ୟରେ ସରକାର ସବୁ କ୍ଷେତ୍ରରେ ଅନଲାଇନ କରିଛନ୍ତି। ଅନେକ ପ୍ରସଙ୍ଗରେ ସରକାରୀ ଫର୍ମ ପୂରଣ ଠାରୁ ଆବେଦନ ଓ ପାଠପଢ଼ା ଇତ୍ୟାଦି ଲାଗି ଇଣ୍ଟରନେଟ ଆମ ସମୟରେ ଦୈନନ୍ଦିନ ଜୀବନର ଅଂଶ ହୋଇଗଲାଣି। ନିପଟ ଆଦିବାସୀ ଗାଁର ଗରିବ ମଣିଷ ବି ଅନଲାଇନରେ ରାସନ କାର୍ଡ, ଆଧାର ଇତ୍ୟାଦି ଆବେଦନ କରିବା ଲାଗି ବାଧ୍ୟ। ଏଠାରେ ଅନଲାଇନ ପାଇଁ ଆବଶ୍ୟକ ଇଣ୍ଟରନେଟ ଡାଟା ରିଲାଏନ୍ସ ଓ ଏୟାରଟେଲ କମ୍ପାନୀ ସମଗ୍ର ଦେଶ ପାଇଁ ଯୋଗାଇବ। କେନ୍ଦ୍ର ସରକାରଙ୍କ ବିଏସଏନଏଲକୁ ଆଜି ପର୍ଯ୍ୟନ୍ତ ୪-ଜି ସୁବିଧା ନଦେବା କାରଣରୁ ବିଏସଏନଏଲ ବନ୍ଦ ହେଉଛି, କିନ୍ତୁ ରିଲାଏନ୍ସ ଇଣ୍ଟରନେଟ ଡାଟା ବିକ୍ରି କରି ଲାଭବାନ ହେଉଛି। ସରକାରଙ୍କ ଅନଲାଇନ ନୀତି ରିଲାଏନ୍ସକୁ ସାହାଯ୍ୟ କରୁନାହିଁ କି?
ଗଲା ଆଠ ବର୍ଷ ମଧ୍ୟରେ ଜିଏସଟି ହିସାବ ଦେଖିଲେ ସେହିଭଳି ଚକିତ ଖବର ଆସିଛି। ଅକ୍ସଫାମ ରିପୋର୍ଟ ଅନୁସାରେ ଦେଶର ସବୁଠାରୁ ଗରିବ ୫୦ ଭାଗ ଲୋକ ୬୫ ପ୍ରତିଶତ ଜିଏସଟି ଦେଉଛନ୍ତି। ଏହି ୫୦ ଭାଗ ଲୋକଙ୍କ ମଧ୍ୟରେ ନଗଡ଼ାର ଲୋକେ ଆସୁଛନ୍ତି ଯେଉଁମାନେ ନିଜର ଯତକିଞ୍ଚିତ ଉପାର୍ଜନକୁ ନେଇ ବଜାରରୁ ଯେତେବେଳେ ଲୁଗା, ବାସନ ଇତ୍ୟାଦି କିଣୁଛନ୍ତି ସେମାନେ ଅଧିକ ପରିମାଣର ଜିଏସଟି ଦେଉଛନ୍ତି। ଜିନିଷର ମୂଲ୍ୟ କ୍ରମାଗତ ବଢୁଥିବା ଓ ଟିକସର ମାତ୍ରା ବଢୁଥିବା ହେତୁ ସେମାନଙ୍କ ଆୟର ମୁଖ୍ୟ ଭାଗ ଏହିଥିରେ ଯାଉନାହିଁ କି?
ଜିଏସଟି ହିସାବ ଅନୁସାରେ ଦେଶର ସବୁଠାରୁ ଅଧିକ ଧନୀ ୧୦ ପ୍ରତିଶତ ସମୁଦାୟ ଜିଏସଟିର ମାତ୍ର ୩.୬ ପ୍ରତିଶତ ଦେଇଛନ୍ତି। ଏହି କମ ଜିଏସଟି ଦେଉଥିବା ପରିବାର ମଧ୍ୟରେ ଆମ୍ବାନୀ ପରିବାର ଆସୁଛନ୍ତି। ସେମାନେ ଅଧିକ ଜିନିଷ ବ୍ୟବହାର କରୁଛନ୍ତି କିନ୍ତୁ କମ ଟିକସ ଦେଉଛନ୍ତି। ଜିଏସଟି ଅଧିକ ପରିମାଣରେ ଗରିବ ଲୋକଙ୍କ ବ୍ୟବହୃତ ଜିନିଷ ଉପରେ ଅଧିକ ରହୁଥିବା କାରଣରୁ ଏହାର ବୋଝ ଗରିବଙ୍କ ଉପରେ ଅଧିକ ରହୁଛି।
ଅନ୍ୟ ଏକ ଉଦାହରଣ ହେଉଛି କୋଭିଡ ସମୟ। ଏହି ସମୟରେ ଅନେକ ଗରିବ ଲୋକ କାମ ପାଇଲେ ନାହିଁ କି ଖାଦ୍ୟ ପାଇଲେ ନାହିଁ। କିନ୍ତୁ ସେହି ଅକ୍ସଫାମ ପୁଣି ରିପୋର୍ଟ ପ୍ରକାଶ କରିଛି ଯେ ଦେଶର ସର୍ବଶ୍ରେଷ୍ଠ ଧନୀ ଦଶ ଜଣ ବ୍ୟକ୍ତି କୋଭିଡ ସମୟରେ ନିଜର ଆୟ ଦୁଇଗୁଣ ବଢ଼ାଇଛନ୍ତି। ଏହି ରିପୋର୍ଟକୁ ଆଜି ବି ନା କେନ୍ଦ୍ର ସରକାର ନା କୌଣସି ବିଲିୟୋନାୟାର ଭୁଲ ବୋଲି ପ୍ରମାଣିତ କରିଛନ୍ତି।
କୋଭିଡ ପରେ ଲକ୍ଷ ଲକ୍ଷ ଛୋଟ ଦୋକାନୀମାନେ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହେଲେ। ସେହି ସମୟରେ ଅନଲାଇନ ବ୍ୟବସାୟ ଏତେ ବ୍ୟାପକ ହୋଇଗଲା ଯେ ଆଜି ବି ଖୁଚୁରା ବ୍ୟବସାୟୀ ଅଣ୍ଟା ସଳଖ କରିପାରୁନାହିଁ।
ଉପରର ଏହି ସମସ୍ତ ଉଦାହରଣ କଣ ପ୍ରମାଣିତ କରୁନାହିଁ ଯେ ଦେଶରେ ସରକାର ହିଁ ସୃଷ୍ଟି କରୁଛନ୍ତି ବିଲିୟୋନାୟାର ଓ ସରକାର ହିଁ ସୃଷ୍ଟି କରୁଛନ୍ତି ଦାରିଦ୍ର୍ୟ?
ସରକାର କ୍ରମାଗତ ଭାବରେ କର୍ପୋରେଟ ଟିକସ କମ କରିବା ସହିତ କମ୍ପାନୀଙ୍କ ଲାଗି ବିଭିନ୍ନ ସବସିଡ଼ି ବଢ଼ାଉଛନ୍ତି, ଆମଦାନୀ ଓ ରପ୍ତାନୀ ଟିକସ, କଷ୍ଟମ ଡ୍ୟୁଟି କମ କରିଚାଲିଛନ୍ତି। ପ୍ରାଇଭେଟ - ପବ୍ଲିକ ପାର୍ଟନରଶିପରେ ଲାଗୁ ହେଉଥିବା ପ୍ରକଳ୍ପରେ ସରକାର ନିଜେ ଆଗୁଆ ଋଣ ଦେବା ଦ୍ଵାରା କମ୍ପାନୀକୁ କିଛି ବି ଖର୍ଚ୍ଚ କରିବାକୁ ପଡୁନାହିଁ।
ଏପରିକି କିଛି ପ୍ରକଳ୍ପର ଆଧୁନିକୀକରଣ ବାବଦକୁ ସରକାର ଅପର୍ଯ୍ୟାପ୍ତ ଖର୍ଚ୍ଚ କରିବା ପରେ ତାହାକୁ ପ୍ରାଇଭେଟ କମ୍ପାନୀକୁ ବିକ୍ରି କରୁଛନ୍ତି ଯେମିତି କି ଭୁବନେଶ୍ୱର ଏୟାରପୋର୍ଟକୁ ଆଦାନୀ କମ୍ପାନୀକୁ ଦିଆଗଲା। ସରକାର ପ୍ରାଇଭେଟ କମ୍ପାନୀ ଲାଗି ରାସ୍ତା, ବିଜୁଳି, ଟ୍ରେନ, ବିମାନ ସେବା, କୋଇଲା, କମ ଦରରେ କଞ୍ଚାମାଲ, ପୁଲିସ ସୁରକ୍ଷା, ଆବର୍ଜନା ବୋହିବା ଲାଗି ନଦୀ ଓ ନାଳ, ଠିକା ଶ୍ରମିକ, ଶ୍ରମିକ ଆଇନରେ କୋହଳ, ପୁଲିସ ଦ୍ଵାରା ମିଥ୍ୟା ମାମଲା ରୁଜୁ ଭଳି ଅନେକ ସୁବିଧା ଯୋଗାଇ ଦେଇଥାନ୍ତି। ପୁଣି ସରକାର ଟିକସ ଠାରୁ ଜେଲ ପର୍ଯ୍ୟନ୍ତ ସମସ୍ତ ଅସୁବିଧା ସାଧାରଣ ଲୋକଙ୍କ ଲାଗି ଖଞ୍ଜି ଦେଇଥାନ୍ତି।
ଆମେ ଭାରତରେ ଦୁଇଟି ପୃଥିବୀ ଏହିଭଳି ଦେଖୁଛୁ। ଦଳେ ଆମ୍ବାନୀଙ୍କ ସହିତ ରହିଛନ୍ତି ତ ଆଉ କିଛି ନଗଡ଼ାବାସୀଙ୍କ ସହିତ। କେବଳ ନଗଡ଼ା ନାମକ ଗାଁ ନୁହେଁ, ଦେଶର ଅନେକ ଗାଁ ଯାହା ନଗଡ଼ାର ସ୍ଥିତି ଭୋଗୁଛନ୍ତି, ସେମାନଙ୍କ ସହିତ ଅଛନ୍ତି।
୨୦୧୬ ମସିହାରେ ନଗଡ଼ାର ସ୍ଥିତି ଅନୁଧ୍ୟାନ କରିବାକୁ ଯାଇ ଜାଣିଥିଲୁ ଯେ ନଗଡ଼ା ଯାଜପୁର ଜିଲ୍ଲାର ଯେଉଁ କାଳିଆପାଣି ଅଞ୍ଚଳରେ ଅବସ୍ଥିତ ସେ ଅଞ୍ଚଳରେ କ୍ରୋମାଇଟ କମ୍ପାନୀଙ୍କ ଧାଡ଼ି ଲାଗିଛି। କାଳିଆପାଣି ଅଞ୍ଚଳରେ ଫାକରର ଓସ୍ତପାଳ ମାଇନ୍ସ, କଳରଙ୍ଗୀ ମାଇନ୍ସ, ଟାଟା କମ୍ପାନୀର ସୁକିନ୍ଦା କ୍ରୋମାଇଟ ମାଇନ୍ସ, ଜିନ୍ଦଲର କ୍ରୋମାଇଟ ମାଇନ୍ସ, ବିର୍ଲା କମ୍ପାନୀର ବାଲେଶ୍ଵର ଆଲୟେଜ ଲିମିଟେଡ, ରାଜ୍ୟ ସରକାରଙ୍କ ନିଜସ୍ଵ ଉଦ୍ୟୋଗ ଓଏମସିର ସୁକିନ୍ଦା ମାଇନ୍ସ, ଓଏମସିର ଧନେଶ୍ଵର ଇଞ୍ଜୀନିୟରିଙ୍ଗ ମାଇନ୍ସ, ଓଏମସିର କାଳିଆପାଣି ମାଇନ୍ସ, ଇଡ଼କଲର ତଳରଙ୍ଗୀ ମାଇନ୍ସ, ମିଶ୍ରିଲାଲ କ୍ରୋମାଇଟ ମାଇନ୍ସ ଓ ବିସି ମହାନ୍ତି ଆଣ୍ଡ ସନ୍ସ କ୍ରୋମାଇଟ ମାଇନ୍ସ ଭଳି ୧୩ଟି କମ୍ପାନୀ ଚାରି ପାଖରେ ରହିଛି।
କାହିଁ କେତେ ସହସ୍ର ବର୍ଷ ହେଲା ଜଙ୍ଗଲ ଉପରେ ନିର୍ଭରଶୀଳ ନଗଡ଼ାର ଜୁଆଙ୍ଗ ଆଦିବାସୀଙ୍କୁ ସରକାରୀ ଚାଉଳର ନିୟମିତ ବଣ୍ଟନର ଆଶ୍ଵାସନା ଦେଇ ଏବେ ନିକଟବର୍ତ୍ତୀ ସମସ୍ତ ଜଙ୍ଗଲକୁ କାଟି ନିଆଗଲା। ଯେଉଁମାନେ କହୁଛନ୍ତି ଯେ ଆଗାମୀ କିଛି ବର୍ଷ ମଧ୍ୟରେ ଦେଶର ଗରିବୀ ହଟିଯିବ ଓ କେହି ଅନାହାରରେ ମାରିବେ ନାହିଁ ଏହା ପାଞ୍ଜିକାରଙ୍କ ଭବିଷ୍ୟବାଣୀ ବ୍ୟତୀତ ଅନ୍ୟ କିଛି ନୁହେଁ। ପାଞ୍ଜିକାରଙ୍କ ଭବିଷ୍ୟବାଣୀରେ ଯେମତି ପ୍ରମାଣ ନଥାଏ କି ଉତ୍ତରଦାୟିତ୍ଵ ବୋଧ ନଥାଏ ସେମିତି ସେଭଳି କଥାରେ କୌଣସି ସତ୍ୟତା ନଥାଏ।
ମୋବାଇଲ – ୯୪୩୭୭୬୨୨୭୨