ସରକାର ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ 

ସୁଧାଂଶୁ ରଞ୍ଜନ ଦାସ ଅନେକ ଭାରତୀୟ ଓ ବିଦେଶୀ ଖବର କାଗଜରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼େ କେବଳ ଟୀକାକରଣ କରୋନା ସଂକ୍ରମଣକୁ ପୂରାପୁରି ରୋକିପାରିବ ନାହିଁ। କରୋନା-୧, କରୋନା-୨ ଓ କରୋନାର ଡେଲ୍ଟା ମଡେଲ, ଏଭଳି ଅନେକ ଭୂତାଣୁ ଭବିଷ୍ୟତରେ ଲୋକଙ୍କୁ ସଂକ୍ରମିତ କରିବ। ଯେତେବେଳ ଯାଏ ଏହି ଭୂତାଣୁ ଯୁଦ୍ଧର ଖଳନାୟକମାନେ ଧାରା ନପଡ଼ିଛନ୍ତି ସେପର୍ଯ୍ୟନ୍ତ ଜନସାଧାରଣ ନିଜକୁ ବଂଚାଇବାର ଉପାୟ ବାହାର କରିବା ନିହାତି ଦରକାର। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମନୁଷ୍ୟ ଦେହରେ […]

immunity1

Debendra Prusty
  • Published: Monday, 16 August 2021
  • , Updated: 16 August 2021, 02:19 PM IST
  • ସୁଧାଂଶୁ ରଞ୍ଜନ ଦାସ

ଅନେକ ଭାରତୀୟ ଓ ବିଦେଶୀ ଖବର କାଗଜରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼େ କେବଳ ଟୀକାକରଣ କରୋନା ସଂକ୍ରମଣକୁ ପୂରାପୁରି ରୋକିପାରିବ ନାହିଁ। କରୋନା-୧, କରୋନା-୨ ଓ କରୋନାର ଡେଲ୍ଟା ମଡେଲ, ଏଭଳି ଅନେକ ଭୂତାଣୁ ଭବିଷ୍ୟତରେ ଲୋକଙ୍କୁ ସଂକ୍ରମିତ କରିବ। ଯେତେବେଳ ଯାଏ ଏହି ଭୂତାଣୁ ଯୁଦ୍ଧର ଖଳନାୟକମାନେ ଧାରା ନପଡ଼ିଛନ୍ତି ସେପର୍ଯ୍ୟନ୍ତ ଜନସାଧାରଣ ନିଜକୁ ବଂଚାଇବାର ଉପାୟ ବାହାର କରିବା ନିହାତି ଦରକାର। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମନୁଷ୍ୟ ଦେହରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଭୂତାଣୁ ସଂକ୍ରମଣରୁ ଜୀବନ ବଞ୍ଚାଇବା ପାଇଁ ଅନେକ ସାହାଯ୍ୟ କରିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କଥା ଅନୁସାରେ ଜନସାଧାରଣ ଯଦି ନିଜ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସକ୍ଷମ ହେବେ ତେବେ ଭୂତାଣୁ ସଂକ୍ରମଣ ମହାମାରୀର ରୂପ ନେବା ନାହିଁ। ଏଥିପାଇଁ ସରକାର, ମାନବିକ ମୂଲ୍ୟବୋଧ ଥିବା ରାଜନେତା, ବୁଦ୍ଧିଜୀବୀ ଓ ଶିକ୍ଷିତ ଯୁବପିଢ଼ି ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସମସ୍ତ ପଦକ୍ଷେପ ନେବା ଦରକାର।

ଓଡ଼ିଶା ରାଜ୍ୟରେ ଥିବା ସମସ୍ତ  ଖୋଲା ଜାଗା ଓ ଖେଳପଡ଼ିଆଗୁଡିକରେ ସ୍ଥାନୀୟ ଲୋକଙ୍କ ପାଇଁ ବିଭିନ୍ନ ଶାରୀରିକ କାର୍ଯ୍ୟକ୍ରମ ଯଥା ଖେଳ, କସରତ, ଯୋଗ ଓ ବ୍ୟାୟାମ ଆଦିର ଆୟୋଜନ କରାଯାଇପାରିବ। ଯେଉଁ ପ୍ରକଳ୍ପଗୁଡିକ ଓଡ଼ିଶା ଉପଯୋଗୀ ନୁହେଁ ସେଥିରେ ବୃଥା ଅର୍ଥ ଖର୍ଚ୍ଚ ନକରି ସେ ଅର୍ଥକୁ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ପାଇଁ ଖର୍ଚ୍ଚ କରିବା ଦରକାର। ଉଦାହରଣ ସ୍ୱରୂପ ସୁନ୍ଦରଗଡ଼ରେ ହଜାର ହଜାର କୋଟି ଟଙ୍କା ଖର୍ଚ କରି ଆନ୍ତର୍ଜାତିକ ସ୍ଥରର ହକି ଷ୍ଟାଡିୟମ ନକରି ସେ ଅର୍ଥରେ ୧୦ଟି ଛୋଟ ଛୋଟ ହକି ଷ୍ଟାଡିୟମ ରାଜ୍ୟର ବିଭିନ୍ନ ଜାଗାରେ ବନିଥିଲେ ଏହା ହକି ଖେଳାଳିଙ୍କ ସାମୂହିକ ବିକାଶରେ ସାହାଯ୍ୟ କରିଥାନ୍ତା। ଷ୍ଟାଡିୟମ ବନାଇବା ପୂର୍ବରୁ ଏହା କେତେଜଣ ଖେଳାଳିଙ୍କ ପାଇଁ ଉପଯୋଗୀ ହେବ ତାହା ବିଚାର କରିବା ନିହାତି ଦରକାର ଥିଲା।
ଓଡ଼ିଶାରେ ଥିବା ସମସ୍ତ ହ୍ରଦ, ପୋଖରୀ ଓ କୂଅଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ବିଶୁଦ୍ଧିକରଣ କରିବା ସଂଗେ ସଂଗେ ଏହାକୁ ସନ୍ତରଣ ଉପଯୋଗୀ କରିବା ଦରକାର। ଓଡ଼ିଶାରେ ଥିବା ପ୍ରତ୍ୟେକ ଖବରକାଗଜ ଓ ଖବର ଚ୍ୟାନେଲ ରାଜ୍ୟର ଜଳଧନର ସୁରକ୍ଷା ଓ ରାଜ୍ୟବାସୀଙ୍କର ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ପାଇଁ ନିଜକୁ ଉତ୍ସର୍ଗୀକୃତ କାରିବା ଦରକାର। ଜଳଧନର ବିକାଶରେ ଫସଲ ବିଭିନ୍ନତାର ସୁରକ୍ଷା ହେବ ଓ ଫସଲ ବିଭିନ୍ନତା ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସଂଗେ ସଂଗେ  ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ।

ପଚାଶ ବର୍ଷ ତଳେ ଓଡ଼ିଶାର ପ୍ରାଚୀନ ସହର କଟକ ଓ ପୁରୀର ପ୍ରତ୍ୟେକ ସାହିରେ କୁସ୍ତି, କବାଡ଼ି ଓ ଭଲିବଲ ଆଦି ଅନେକ ଦେଶୀ ଖେଳର ଆୟୋଜନ କରାଯାଉଥିଲା। ସାର୍ବଜନିକ ଖେଳ ପଡ଼ିଆର ଅଭାବ, ଖେଳର ବ୍ୟବସାୟୀକରଣ, ନେତୃତ୍ୱର ଅଭାବ, ସ୍ମାର୍ଟ ଫୋନ ଓ ଟିଭିର ଭୟାନକ କୁପ୍ରଭାବ ଓ ଭଲ ନମ୍ବର ରଖିବା ପାଇଁ ପିଲାଙ୍କ ଉପରେ ପରିବାରର ଚାପ ଇତ୍ୟାଦି ନୂତନ ଯୁବପିଢ଼ିଙ୍କର ଶାରୀରିକ ବିକାଶ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି। ସହର ଓ ଗାଁଗୁଡିକରେ ଯେଉଁ କ୍ଳବଗୁଡିକ ସରକାରଙ୍କ ଅନୁଦାନ ନେଉଛନ୍ତି ସରକାର ସେମାନଙ୍କୁ ଖେଳ ସଂସ୍କୃତିର ବିକାଶ କରିବା ପାଇଁ ନିର୍ଦେଶ ଦେବା ଉଚିତ।

ସହର ଓ ଗାଁଗୁଡିକରେ ଖେଳ ପଡ଼ିଆ ଓ ଖୋଲା ଜାଗାର ଜବର ଦଖଲ ହେବାରୁ ଲୋକେ ନିଜର ଶାରୀରିକ ବିକାଶ ନକରିପାରି ରୋଗ ପ୍ରତିରୋଧକ ଶକ୍ତି ହରାଉଛନ୍ତି। ତେଣୁ ସମାଜରେ ଥିବା ଶିକ୍ଷିତ ଲୋକେ ଓ ସାହସୀ ରାଜନୈତିକ ନେତା ସକ୍ରୀୟ ହୋଇ ନିଜ ଇଲାକାରେ କିଭଳି ଖେଳ ସଂସ୍କୃତିର ବିକାଶ ହେବ ତାହାର ଉପାୟ ବାହାର କରିବା ଉଚିତ। କରୋନା ସମୟରେ ଆର୍ଥିକ ଗତିବିଧିଗୁଡିକ ବଂଚି ରହିଲେ ଖେଳ ସଂସ୍କୃତିର ବିକାଶ ମଧ୍ୟ ସମ୍ଭବ ହୋଇ ପାରିବ। ବିଭିନ୍ନ ଛୋଟ ଛୋଟ ଆର୍ଥିକ ଗତିବିଧିକୁ ବଞ୍ଚାଇ ରଖି କିଭଳି ଭୂତାଣୁ ବିରୋଧରେ ଯୁଦ୍ଧ କରିହେବ ସେଥିପାଇଁ ଅଭିନବ ଉପାୟ ବାହାର କରିବା ଦରକାର।

ଶାରୀରିକ ବିକାଶ ପାଇଁ ଭେଜାଲ ମୁକ୍ତ ଖାଦ୍ୟ ନିହାତି ଦରକାର। ଗତକିଛି  ମାସ ମଧ୍ୟରେ ସରକାର ଓଡ଼ିଶାର ବିଭିନ୍ନ ଜାଗାରେ ଭେଜାଲ ଖାଦ୍ୟର ଉତ୍ପତି ସ୍ଥଳ ଉପରେ ଚଢ଼ାଉ କରି ଅନେକ ଭେଜାଲ ଖାଦ୍ୟ ନଷ୍ଟ କରିଛନ୍ତି। ଓଡ଼ିଶାକୁ ସମ୍ପୂର୍ଣ୍ଣ ଭେଜାଲମୁକ୍ତ କରିବା ପାଇଁ ଏହି ଚଢ଼ାଉ ଲୋକ ଦେଖାଣିଆ ନହୋଇ ନିରନ୍ତର  ଚାଲିବା ଦରକାର। କରୋନା ସଂକ୍ରମଣଠାରୁ ଭେଜାଲ ଖାଦ୍ୟ ଖାଇ ଲୋକେ ଅନେକ ବ୍ୟାଧିର ଶିକାର ହୋଇଥାନ୍ତି। ଆଜି ଭାରତରେ ବିଶ୍ୱର ସବୁଠାରୁ ଅଧିକ ଲୋକ ଅଙ୍ଗ ବିଫଳତାର ଶିକାର ହୋଇଛନ୍ତି। ଏହାର ମୂଳ କାରଣ ହେଲା ଭେଜାଲ ଖାଦ୍ୟ ଓ ଅଶୁଦ୍ଧ ଜଳର କୁପ୍ରଭାବ। ଭୂତାଣୁ ଆକ୍ରମଣ ସମୟରେ ଭେଜାଲ ଖାଦ୍ୟ ଓ ଅଶୁଦ୍ଧ ଜଳ ଘାତକସିଦ୍ଧ ହୋଇଥାଏ।

ଭେଜାଲ ଖାଦ୍ୟ ବନ୍ଦ କରିବା ସଂଗେ ସଂଗେ ସରକାର ରାଜ୍ୟରେ ଥିବା ପ୍ରତ୍ୟେକ ଜିଲାର ଫସଲ ବିଭିନ୍ନତାକୁ ପଞ୍ଜିକରଣ କରି ଏହାର ସୁରକ୍ଷା କଲେ ଏହା  ପୁଷ୍ଟିସାର ଜାତୀୟ ଖାଦ୍ୟର ଅଭାବ ପୂରଣ କରିବ। ଜିନ ବିକୃତିକରଣ, ଲୋକ ସଚେତନତା ଓ ନେତୃତ୍ୱର ଅଭାବରୁ ଓଡ଼ିଶା ଆଜି ତାହାର ଫସଲ ବିବିଧତାକୁ ହରାଇବାକୁ ଯାଉଛି। ଫସଲ ବିବିଧତାକୁ ରକ୍ଷା କରିବାପାଇଁ ସରକାର ପ୍ରଥମେ ଉର୍ବର ଚାଷଜମି ନ ବିକିବାପାଇଁ ଦୃଢ଼ ପଦକ୍ଷେପ ନେବା ଉଚିତ। ଓଡ଼ିଶାର ଅନେକ ଜାଗାରେ ଚାଷୀମାନେ ଲୋଭରେ ପଡ଼ି ନିଜ ଜମି ବିକି ପ୍ରାପ୍ତ ଧନରାଶିକୁ  ହରାଇ ନିଜ ଜମିରେ ମୂଲ ଲାଗୁଥିବାର ଦେଖିବାକୁ ମିଳୁଛି।

ଶିକ୍ଷା, ଆବାସ ଓ ସ୍ୱାସ୍ଥ୍ୟ ବାବଦରେ ସାଧାରଣ ଲୋକେ ଆୟର ଅଧିକାଂଶ ଅଂଶ ଖର୍ଚ୍ଚ କରୁଥିବାରୁ ମନୁଷ୍ୟ ପାଇଁ ଦିନକୁ ଯେତିକି କ୍ୟାଲୋରୀ ଖାଦ୍ୟ ଦରକାର ତାହା ସେମାନେ ପାଉନାହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁସାରେ ଜଣେ ପୁରୁଷ ଦିନକୁ ୨୫୦୦ କ୍ୟାଲୋରୀ ଓ ସ୍ତ୍ରୀ ଦିନକୁ ୨୦୦୦ କ୍ୟାଲୋରୀ ଦରକାର କରେ। ଜଣେ ମଧ୍ୟବିତ୍ତ କିମ୍ବା ନିମ୍ନ ମଧ୍ୟବିତ୍ତ ପରିବାର ତାହାର ସମସ୍ତ ସଦସ୍ୟଙ୍କୁ ନିର୍ଧାରିତ କ୍ୟାଲୋରୀର ଖାଦ୍ୟ ଯୋଗାଇବା ଅସମ୍ଭବ। ଏହା ଭାରତର ସମସ୍ତ ରାଜ୍ୟରେ ଏକ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି। ଫସଲ ବିବିଧତା ରକ୍ଷାକଲେ ଓ ଘର ତିଆରି ପୁଷ୍ଟିକର ଖାଦ୍ୟର ପ୍ରଚାର ପ୍ରସାର ହେଲେ ଏହା ଲୋକଙ୍କର କ୍ୟାଲୋରୀ ଅଭାବ ପୂରଣ କରି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରିବ। ସରକାରୀ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକର ଗୁଣାତ୍ମକ ମାନ ବଢ଼ିଲେ ଅନେକ ଲୋକ କମ ଖର୍ଚ୍ଚରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପାଇ ଉତ୍ତମ ଖାଦ୍ୟ ପାନୀୟରେ ବେଶୀ ଖର୍ଚ୍ଚ କରିପାରନ୍ତେ। ରୋଗ ପ୍ରତିଶୋଧକ ଶକ୍ତି ଲୋକଙ୍କୁ ଅନେକ ରୋଗରୁ ମଧ୍ୟ ରକ୍ଷା  କରିପାରିବ।

Related story