ବନ୍ୟାର କାରଣ ରାଜ୍ୟ ସରକାରଙ୍କ ଅପାରଗତା ଓ ଅବହେଳା

  • ପଞ୍ଚାନନ କାନୁନଗୋ

ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତୀ ଉତ୍ସବ ପାଳନ ହେଉଥିବାବେଳେ ଓଡ଼ିଶାର ଏକ ବିରାଟ ଅଞ୍ଚଳ ବନ୍ୟା ବିଭୀଷିକାର ସମ୍ମୁଖୀନ ହେବାକୁ ଯାଉଥିଲା। ପରେ ପରେ ମହାନଦୀ ବନ୍ୟାରେ ସମ୍ବଲପୁର, ବରଗଡ଼ଠାରୁ ଆରମ୍ଭ କରି ବୌଦ୍ଧ, ବିନିକା ସମେତ କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ଯାଜପୁରର ଅନେକ ଅଞ୍ଚଳ ଦୁର୍ଦ୍ଦଶାଗ୍ରସ୍ତ ହେଲା। ପରେପରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗରେ ବଡ଼ ବନ୍ୟା ଆସି ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାର କ୍ଷୟକ୍ଷତିର କାରଣ ହେଲା। ଗାଁ’ରେ ଘରେ ପାଣି ପଶିଲା। ସବୁଠାରୁ ବଡ଼ କ୍ଷତି ହେଲା ଚାଷୀ ଓ ଚାଷର। ବିଲର ତଳି ଉଜୁଡ଼ି ଗଲା, ପରିବା ଫସଲ ବିଲରେ ପଚିଷଢ଼ି ଗଲା। ପୋଖରୀ ମାଛ ନଈରେ ଗଲେ। ଅନେକ ଚାଷୀ ସର୍ବସ୍ୱାନ୍ତ ହେଲେ।

ତେବେ, ଏହି ବନ୍ୟା ଅତୀତର ଅନେକ ବଡ଼ ବନ୍ୟା ପରି ନଥିଲା। ହୀରାକୁଦରେ ପ୍ରଥମେ ୨୮, ପରେ ୩୪ ଓ ପରେ ୪୦ଟି ଗେଟ୍‍ ଦେଇ ସେକେଣ୍ଡ୍‍ ପିଛା ପାଖାପାଖି ୬ ଲକ୍ଷ କ୍ୟୁସେକ୍‍ ଜଳ ଆସୁଥିଲା। ନଦୀରେ ଏପରି କିଛି ବଡ଼ ଜଳ ପ୍ରବାହ ନଥିଲା। ମାତ୍ର ତଳ ମୁଣ୍ଡରେ ମହାନଦୀରେ ପଡ଼ିଥିବା ନଦୀ ସମୂହର ପାଖାପାଖି ୬ ଲକ୍ଷ କ୍ୟୁସେକ୍‍ ପାଣି ଆସି ମିଶିଲା। ଏପରି ମିଶି ମହାନଦୀର ମୁଣ୍ଡୁଳିଠାରେ ବାର ଲକ୍ଷ କ୍ୟୁସେକ୍‍ ପାଣି ତଳକୁ ଗତି କଲା। ଏଥିପାଇଁ ହୀରାକୁଦରେ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ବା ଛତିଶଗଡ଼ର ପାଣି ପ୍ରବେଶକୁ ଅନେକ ଦାୟୀ କରିଥାନ୍ତି। ସୁବର୍ଣ୍ଣରେଖା ବନ୍ୟା ପାଇଁ ଝାଡ଼ଖଣ୍ଡ ସରକାରଙ୍କର ଡ୍ୟାମ୍‍ର ଗେଟ୍‍ ଖୋଲା ସଂପର୍କରେ କହିଥାନ୍ତି। ମାତ୍ର ବାସ୍ତବ ସତ୍ୟ ଅନୁଧ୍ୟାନ ନକରି ଏଣୁ ତେଣୁ କହିଲେ ସମସ୍ୟା ସମାଧାନ ସୂତ୍ର ମିଳିବ ନାହିଁ, ବରଂ ଅଧିକ ଜଟିଳ ହେବ। ରାଜ୍ୟର ସମସ୍ତ ବଡ଼ ବନ୍ୟ ଅନ୍ତଃରାଜ୍ୟ ନଦୀ। ଏହା ଏକ ଭୌଗୋଳିକ ସ୍ଥିତି। ତେବେ ପ୍ରଶ୍ନ ଉଠେ ଏ ରାଜ୍ୟର ଏକମାତ୍ର ସର୍ବପ୍ରାଚୀନ ନଦୀ ବୈତରଣୀର ଜଳପ୍ରବାହ କେବଳ ରାଜ୍ୟ ନିୟନ୍ତ୍ରଣରେ ଥିବାବେଳେ ବୈତରଣୀ ଓ କାଣୀ ନଦୀରେ ବାରମ୍ବାର ବନ୍ୟା ଆସି ବଡ଼ କ୍ଷତି ଘଟିଲା କାହିଁକି?

ହୀରାକୁଦ ନିର୍ମାଣ ପରଠାରୁ ମହାନଦୀରେ ୨୨ଟି ବଡ଼ବନ୍ୟା ହୋଇସାରିଲାଣି। ହୀରାକୁଦର ବନ୍ୟା ନିୟନ୍ତ୍ରଣ ନିମନ୍ତେ ପ୍ରସ୍ତୁତ ରୁଲ୍‍ କର୍ଭ ଅନୁସାରେ ଗେଟ୍‍ ଖୋଲିବା, ବନ୍ଦହେବା ଏକ କାହାଣୀ ପରି ଏବେ ଜଣାଯାଉଛି। ଗେଟ୍‍ ଖୋଲିବା ବା ବନ୍ଦ ହେବାର ଏକ ସଂକ୍ଷିପ୍ତ ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା। ହୀରାକୁଦ ଡ୍ୟାମରେ ମୋଟ ୯୮ଟି ଗେଟ୍‍ରୁ ୬୪ଟି ତଳ ଭାଗରେ ସ୍ଲୁଇସ୍‌ ଗେଟ୍‌, ୩୪ଟି ଉପର ଭାଗରେ କ୍ରାଏଷ୍ଟ ଗେଟ୍‍ ରହିଛି, ଅତି ଆବଶ୍ୟକ ହେଲେ ଯାହା ଖୋଲାଯାଇଥାଏ। ଏହିସବୁ ଗେଟ୍‍ ଦେଇ ସର୍ବାଧିକ ୧୨ ଲକ୍ଷ କ୍ୟୁସେକ୍‍ ଜଳ ନଦୀ ମଧ୍ୟକୁ ଛଡ଼ାଯାଇ ପାରିବ ବୋଲି ସି.ଡବ୍ଲ୍ୟୁ.ପି.ଆର.ଏସ୍‍ ପୁନେ ଆକଳନ କରିଛନ୍ତି। ଏକଥା ସମସ୍ତେ ଜାଣିବା ଦରକାର ଯେ ଗତ ବର୍ଷମାନଙ୍କରେ ଆସିଥିବା ୨୨ଟି ବଡ଼ବନ୍ୟା ମଧ୍ୟରୁ ମାତ୍ର ୨ଟି ୧୯୬୧ ମସିହା ଓ ୧୯୮୦ ମସିହା ବନ୍ୟା କେବଳ ହୀରାକୁଦ୍‍ ଜଳ ପାଇଁ ହୋଇଥିଲା।

ହୀରାକୁଦରେ କେତେ ପାଣି ହେଲେ କେତେ ନିଷ୍କାସନ ହେବା ତାହା ସ୍ଥିର ହୋଇଛି। ଯାହାକୁ ରୁଲ୍‍ କର୍ଭ ବୋଲି କୁହାଯାଇଥାଏ। ଏହା ଯେ ଉଲଙ୍ଘନ କରା ନଯାଇଛି ତା’ ନୁହେଁ, ତେବେ ଜଳଭଣ୍ଡାରରେ ପଶୁଥିବା ପାଣିର ପରିମାଣକୁ ଲକ୍ଷ୍ୟ ରଖି ପାଣି ଛଡ଼ାଯାଏ ଓ ସେହି ଅନୁସାରେ ଗେଟ୍‍ ମାନ ଖୋଲାଯାଇଥାଏ। ୧୯୮୦ରେ ସବୁଠାରୁ ଅଧିକ ଗେଟ୍‍ ୮୮ଟି ଖୋଲାଯାଇଥିଲା। ମାତ୍ର ଚଳିତ ବର୍ଷ ଅତିବେଶୀରେ ମାତ୍ର ୪୦ଟି ଗେଟ୍‍ ଖୋଲାଯାଇଛି। ଏଥର ପାଖାପାଖି ୬ ଲକ୍ଷ କ୍ୟୁସେକ୍‍ ପାଣି ଛଡ଼ା ଯାଇଥିଲା। କିନ୍ତୁ ହୀରାକୁଦର ତଳଭାଗରେ ମହାନଦୀର ଅନ୍ୟ ଉପନଦୀ ଯଥା- ତେଲ, ଅଂଗ, ଦିଗା ଆଦିରୁ ୬ ଲକ୍ଷ କ୍ୟୁସେକ୍‍ ଜଳ ପ୍ରବେଶ କରିବାରୁ ମୁଣ୍ଡୁଳି ପାଖରେ ୧୨ ଲକ୍ଷ କ୍ୟୁସେକ୍‍ ପ୍ରବାହିତ ହୋଇଥିଲା। ସୁବର୍ଣ୍ଣରେଖା ନଦୀ ଉପରେ ଝାଡ଼ଖଣ୍ଡ ରାଜ୍ୟର ଗୋଟିଏ ଡ୍ୟାମ ଅଛି। ସେହି ପାଣି ଆସି କ୍ଷୟକ୍ଷତିର ପରିମାଣ ବଢ଼ାଇବାରେ ମୁଖ୍ୟକାରଣ ହେଉଛି ନୂଆକରି ଗଢ଼ି ହୋଇଥିବା ଉଚ୍ଚଜାତୀୟ ରାଜପଥ। ରେଙ୍ଗାଲି ଡ୍ୟାମର ଯେତେ ଜଳନିୟନ୍ତ୍ରିତ କରି ଛାଡ଼ିଲେ ମଧ୍ୟ ତଳମୁଣ୍ଡରେ ବ୍ରାହ୍ମଣୀ ବିଭିନ୍ନ କାରଣରୁ ପୋତିହୋଇ ଜଳ ଉଚ୍ଛୁଳିବା ଦେଖାଯାଇଥାଏ।

ଏହା ପ୍ରମାଣ କରଛି ଯେ, ଉପରମୁଣ୍ଡରେ ହେଉଥିବା ବର୍ଷାଜଳ ସମସ୍ୟା ସୃଷ୍ଟି କରିବା ଅପେକ୍ଷା ତା’ ଠାରୁ ବଡ଼ ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର। ମୌସୁମୀ ବର୍ଷା ହେଉ ବା ଲଘୁଚାପ ଜନିତ ବର୍ଷା ହେଉ ଏ ସବୁକୁ ଆକଳନ କରି ଜଳର ନିୟନ୍ତ୍ରଣ ଓ ସୁପରିଚାଳନା କରିବା ରାଜ୍ୟ ସରକାରଙ୍କର ଦାୟିତ୍ୱ। ସ୍ୱାଧୀନତା ପୂର୍ବର ୭୫ ବର୍ଷ ଓ ପରେ ୭୫ ବର୍ଷ ବିତିଗଲା। ବନ୍ୟାକୁ ନେଇ ଅନେକ ଚର୍ଚ୍ଚା ହୋଇଛି। ପରିଚାଳନା ନିମନ୍ତେ ପ୍ରସ୍ତାବ ରଖାଯାଇଛି। ତଥାପି ସମସ୍ୟା ତୁଟିଲା ନାହିଁ। କେତେବେଳେ ପ୍ରକୃତିକୁ ତ କେତେବେଳେ ଆଉ କାହାକୁ, ଉପରମୁଣ୍ଡରେ ଥିବା ରାଜ୍ୟମାନଙ୍କ ଦୋଷଦେଇ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାର ଉଦ୍ୟମ ହୋଇଛି।

ବନ୍ୟା ନିୟନ୍ତ୍ରଣ ସଂପର୍କରେ ଅନୁଧ୍ୟାନ କଲେ ଦେଖାଯାଏ ଯେ, ବନ୍ୟାର ପ୍ରକୋପରୁ ଲୋକଙ୍କୁ ବା ଅଞ୍ଚଳକୁ ରକ୍ଷା କରିବା ଅନେକ ଆଗରୁ ବିଦେଶୀ ଇଂରେଜ ସରକାରଙ୍କ ଦୃଷ୍ଟି ପରିସରକୁ ଆସିଥିଲା। କ୍ୟାପ୍‌ଟେନ୍‌, ଜେନ୍ ହାରିସ୍ ନାମକ ଜଣେ ଇଂରେଜ ଇଂଜିନିୟର ୧୮୫୮ ମସିହାରେ ମହାନଦୀରେ ଆସୁଥିବା ବନ୍ୟାଜଳ ନିୟନ୍ତ୍ରଣ ପାଇଁ ପରୀକ୍ଷା ନିରୀକ୍ଷା କରି ମତାମତ ଦେଇଥିଲେ। (No. 607 office memorandum, Fort williom 28th May 1860 (Captain Harris Report on the River Mohanadi Part-III) callected from Irrigation and power Dept’s Report on Tikarpada Dam Project-1964.

ନଅଙ୍କ ଦୁର୍ଭିକ୍ଷ ପରେ ଇଂରେଜ ସରକାରଙ୍କର ଚେତା ପଶିଲା। ମହାନଦୀ-ବ୍ରାହ୍ମଣୀ-ବୈତରଣୀ ନଦୀର ତଳ ପାଖ ଅର୍ଥାତ୍ କଟକ, ବାଲେଶ୍ୱର ଜିଲ୍ଲାର ଅନେକ ସ୍ଥଳରେ ଆନିକଟ ବନ୍ଧାଯାଇ କେନାଲମାନ ଖୋଳାଗଲା। ୧୮୮୫ ମସିହାବେଳକୁ ପ୍ରାୟତଃ ଏହା ତ୍ୱରାନ୍ୱିତ ହୋଇଥିଲା। ତଥାପି ବନ୍ୟା ନିୟନ୍ତ୍ରଣ ହୋଇ ପାରିଲା ନାହିଁ। ୧୯୨୭, ୧୯୩୩, ୧୯୩୭ ମସିହାରେ ବନ୍ୟା ବିତ୍ପାତରେ ଅନେକ କ୍ଷୟକ୍ଷତି ହେଲା। ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ୧୯୩୭ ମସିହାରେ ଭାରତର ବିଖ୍ୟାତ ଇଂଜିନିୟର ସାର୍‌.ଏମ୍‌. ବିଶ୍ୱେଶ୍ୱରାୟଙ୍କଠାରୁ ମତାମତ ଲୋଡ଼ାଗଲା ଏବଂ ସେ ୧୯୩୭ ମସିହାରେ ଗୋଟିଏ ସୁବିସ୍ତୃତ ରିପୋର୍ଟ ପ୍ରଦାନ କଲେଏଥିରେ ସ୍ପଷ୍ଟଭାବେ କୁହାଯାଇଥିଲା ଯେ ବନ୍ୟା ନିୟନ୍ତ୍ରଣ ହେଲେ ଏକ ବିରାଟ ଅଞ୍ଚଳ ସ୍ୱର୍ଣ୍ଣପ୍ରସୂ ହେବ। “Once floods come under effective control, the whole area may be transformed into a prosperous region.”

ସାର୍ ବିଶ୍ୱେଶ୍ୱରାୟଙ୍କ ମତାମତକୁ ଭିତ୍ତିକରି ୧୯୩୮ ମସିହାରେ Flood Enquiry Committee ଗଠିତ ହେଲା ଏବଂ ପରେ ୧୯୪୦ ମସିହାରେ ଆଉ ଏକ କମିଟି ଗଠିତ ହେଲା। ଏହି କମିଟୀ ବନ୍ୟା ନିୟନ୍ତ୍ରଣ ସଂପର୍କରେ ଅନେକ ଉପାଦେୟ ପରାମର୍ଶ ଦେଲେ। ଏହାପରେ ୧୯୪୫ ମସିହା ପ୍ରଖ୍ୟାତ ଇଂଜିନିୟର ଚିନ୍ତାନାୟକ ଅଯୋଧ୍ୟାନାଥ ଖୋସଲା (Chairman, Central waterways, Irrigaton and Navigation Commission) ମହାନଦୀର ଉପରମୁଣ୍ଡରେ ପାଣି ଅଟକାଇବାର ପ୍ରସ୍ତାବ ଦେଲେ। ଏହି ପରିକଳ୍ପନା ଅନୁସାରେ ହୀରାକୁଦ ଡ୍ୟାମ ୧୯୪୮ ମସିହାରେ ଆରମ୍ଭ ହୋଇ ୧୯୫୬-୧୯୫୭ରେ ଶେଷ ହେଲା। ହୀରାକୁଦର ତଳମୁଣ୍ଡ ଟିକରପଡ଼ାଠାରେ ଆଉ ଗୋଟିଏ ଡ୍ୟାମ୍‍ର ପ୍ରସ୍ତାବ ମଧ୍ୟ ଥିଲା। ରାଜନୈତିକ କାରଣ ଓ ଇଚ୍ଛାଶକ୍ତିର ଅଭାବରୁ ଏହା ହେଲାନାହିଁ। ପରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ତଳମୁଣ୍ଡରେ ମଣିଭଦ୍ରାଠାରେ ଏକ ନଦୀବନ୍ଧ କଥା ଉଠିଥିଲା, ତାହା ମଧ୍ୟ ବନ୍ଦ ହେଲା। ନରାଜଠାରେ ଗୋଟିଏ ବ୍ୟାରେଜ ନିର୍ମାଣ ହେଲା। ତଥାପି ବନ୍ୟାର ଦାଉ କମିଲା ନାହିଁ। ୧୯୫୫ରୁ ୧୯୬୩ ପର୍ଯ୍ୟନ୍ତ ଲଗାତର ବନ୍ୟା ମହାନଦୀ ଅବବାହିକାର ତଳ ଅଞ୍ଚଳକୁ ଧ୍ୱସ୍ତ ବିଧ୍ୱସ୍ତ କରିବାରେ ଲାଗିଲା। ୧୯୬୨ ମସିହା ଫେବୃୟାରୀ ୨୮ ତାରିଖରେ ତଦାନ୍ତୀନ ରାଜ୍ୟପାଳ ୱାଇ.ଏନ୍‌.ସୁକଥାଙ୍କର ତାଙ୍କ ଅଭିଭାଷଣ ବିଧାନସଭାରେ ଉପସ୍ଥାପନ କରି କହିଲେ, The Problems of floods can never be left out of consideration. My Government is firmly of the view that only a second Dam on the Mohanadi, preferably at Tikarapada will give full protection to the Mohanadi Delta.”

ଏହି ଅଭିଭାଷଣ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲା ଯେ ହୀରାକୁଦ ବନ୍ଧ ଏକାକୀ ମହାନଦୀ ବନ୍ୟା ନିୟନ୍ତ୍ରଣ କରି ପାରିବ ନାହିଁ। ଏହା ପୂର୍ବରୁ ୧୯୫୫ ମସିହାର ଦଳେଇ ଘାଇ ବନ୍ୟା ବିତ୍ପାତ ପରେ ୧୯୫୬ ମସିହାରେ ଆଉ ଗୋଟିଏ କମିଟି ଗଠନ ହୋଇଥିଲା। ଏହି କମିଟିରେ ଶ୍ରୀ ଏମ୍‌.ଏମ୍‌. ଥିରୁମଲ୍ଳ ଆୟାରା ଚିଫ୍ ଇଞ୍ଜିନିୟର ହୀରାକୁଦ ଡ୍ୟାମ୍ ପ୍ରୋଜେକ୍ଟ ମୁଖ୍ୟ ରହିଲେ ଏବଂ ଏଥିରେ ଏସ୍‌.ଆର.ଏଲ୍‌. ନାରାୟଣ ଓଡ଼ିଶାର ବିଦ୍ୟୁତ୍ ବିଭାଗର ତଦାନ୍ତୀନ ଚିଫ୍ ଇଞ୍ଜିନିୟର, କେ.ଏମ୍‌. ଭାଟିଆ ଓଡ଼ିଶା ସରକାରଙ୍କର ଜଳସେଚନ ବିଭାଗ ଡେପୁଟି ଚିଫ୍ ଇଞ୍ଜିନିୟର ଏବଂ ସି.ଏମ୍‌. ବାନେଟ ଓଡ଼ିଶା ସରକାରଙ୍କର ଅନ୍ୟ ଜଣେ ଚିଫ୍ ଇଂଜିନିୟର ସଦସ୍ୟ ରହିଲେ। ଏହି କମିଟି ମହାନଦୀ, ବ୍ରାହ୍ମଣୀ, ବୈତରଣୀ ନଦୀର ‘ଡ୍ୟାମ୍‌’ ନିର୍ମାଣର ପ୍ରସ୍ତାବମାନ ରହିଥିଲା। ଏହି ସମୟରେ ଓଡ଼ିଶା ରାଜ୍ୟପାଳ ଅଯୋଧ୍ୟାନାଥ ଖୋସଲା ୧୯୬୩ମସିହା ମେ ମାସରେ ବାଙ୍ଗାଲୋରଠାରେ ସାର୍ ବିଶ୍ୱେଶ୍ୱରାୟ ଷଷ୍ଠ ବକ୍ତୃତାମାଳାରେ ଅଭିଭାଷଣ (43rd Annual convention of the institutions of engineers) ଦେଇ ଗୋଟିଏ ବିସ୍ତୃତ ମାଷ୍ଟରପ୍ଲାନର ଦସ୍ତାବିଜ୍ ଉପସ୍ଥାପନ କଲେ। ଯେଉଁଥିରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀରେ ପୂର୍ଣ୍ଣ ବନ୍ୟା ନିୟନ୍ତ୍ରଣ ସହିତ ଆଭ୍ୟନ୍ତରୀଣ ଜଳପଥ ଦ୍ୱାରା ପଶ୍ଚିମ ବଙ୍ଗ, ବିହାର, ମଧ୍ୟ ପ୍ରଦେଶ, ଆନ୍ଧ୍ର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ରକୁ ସଂଯୋଗ କରିବା ସହିତ ଅନେକ ଅଞ୍ଚଳକୁ ଜଳସେଚନ ଯୋଗାଇ ଦେବାର ବ୍ୟବସ୍ଥା କଥା କୁହାଯାଇଛି।

ଏହି ମାଷ୍ଟର ପ୍ଳାନ୍ ଭିତରେ ଓଡ଼ିଶାର ସମସ୍ତ ମୁଖ୍ୟନଦୀ ଯଥା ମହାନଦୀ- ବ୍ରାହ୍ମଣୀ, ବୈତରଣୀ, କୋଲାବ୍‌, ଇନ୍ଦ୍ରାବତୀ, ସୁବର୍ଣ୍ଣରେଖା, ଅଂଗ, ତେଲ ସାଲକି, ବୁଢ଼ାବଳଙ୍ଗ ଆଦି ପ୍ରକଳ୍ପ ସ୍ଥାନିତ ହୋଇଥିଲା ଏବଂ ଏହି ସବୁ ଯୋଜନାରେ ଖର୍ଚ୍ଚ ଅଟକଳ ଏବଂ ସମୟ ନିର୍ଘଣ୍ଟର ସୂଚନା ଦିଆ ଯାଇଥିଲା। ଏଥିପ୍ରତି ସମୟୋଚିତ ଧ୍ୟାନ ଦିଆ ଯାଇଥିଲେ ହୁଏତ ମହାନଦୀରେ ୧୯୮୦, ୧୯୮୨, ୧୯୯୧, ୨୦୦୧, ୨୦୦୩, ୨୦୦୬, ୨୦୦୭, ବର୍ଷମାନଙ୍କରେ ବଡ଼ ବଡ଼ ବନ୍ୟା ଆସି ତଳ ଅଞ୍ଚଳର ପ୍ରଭୃତ କ୍ଷତି ଘଟାଇ ନଥାନ୍ତା।

ସମସ୍ତ ଐତିହାସିକ ତଥ୍ୟ ଓ ସତ୍ୟ ସଂପର୍କରେ ସରକାର ଜ୍ଞାତ। ଏକଥା ସତ୍ୟ ଯେ ସ୍ୱାଧୀନତା ପ୍ରାପ୍ତି ପରର ସରକାରଙ୍କ ସବୁଠାରୁ ବଡ଼ ଅବଦାନ ଥିଲା ହୀରାକୁଦ ବନ୍ୟା ନିୟନ୍ତ୍ରଣ ଯୋଜନା। ପରେ ଏଥିରେ ଜଳଭଣ୍ଡାର ହେଲା ଓ ପରେ ସୁବର୍ଣ୍ଣରେଖା ତଥା ଜମ୍ଭୀରା ଜଳଭଣ୍ଡାର ନିର୍ମାଣ ଆରମ୍ଭ ହୋଇଥିଲା। ବ୍ରାହ୍ମଣୀ ନଦୀରେ ରେଙ୍ଗାଲି ଜଳଭଣ୍ଡାର ନିର୍ମାଣ ହୋଇଛି। ବୈତରଣୀର କାନୁପୁରଠାରେ ଅନ୍ୟ ଏକ ଜଳଭଣ୍ଡାର ନିର୍ମାଣ କାର୍ଯ୍ୟ ଅନେକ ବର୍ଷ ହେବ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ। ଅନେକ ଇନ୍ଦ୍ରାବତୀ, କୋଲାବ୍‍ ସମେତ କ୍ଷୁଦ୍ର ଓ ମଧ୍ୟମ ଜଳଭଣ୍ଡାରମାନ ପୂର୍ବତନ ଶାସକମାନଙ୍କ ସମୟରେ ହୋଇଥିଲା। ବର୍ତ୍ତମାନର ଶାସକଙ୍କ ସମୟରେ ଦୂରଦୃଷ୍ଟିହୀନତା, ନିଷ୍ଠା ଓ ଆନ୍ତରିକତା ନଥିବା ହେତୁ ଜଳ ନିୟନ୍ତ୍ରଣ କରିବାର କୌଣସି ବ୍ୟବସ୍ଥା ହୋଇନାହିଁ। ଯାହାଫଳରେ ନଦୀରେ ବନ୍ୟା ନିୟନ୍ତ୍ରଣ ହରାଇ ଉପକୁଳବର୍ତ୍ତୀ ତଥା ତଳିଆ ସମୁଦ୍ର ନିକଟବର୍ତ୍ତୀ ଓ ତ୍ରିକୋଣଭୂମି ଅଞ୍ଚଳରେ ପ୍ରଭୁତ କ୍ଷୟକ୍ଷତି ଘଟାଇଚାଲିଛି। ଅଧିକନ୍ତୁ ତଳ ଅଞ୍ଚଳରେ ଜଳ ନିଷ୍କାସନର ଏକ ମାଷ୍ଟର ପ୍ଲାନ୍‍ ୨୦୦୨ ମସିହାରେ ପ୍ରସ୍ତୁତ ହେଲେ ମଧ୍ୟ କାର୍ଯ୍ୟକାରୀ ହେଲାନାହିଁ। ଚଳିତ ବନ୍ୟାରେ ଅନେକ ଗାଁ’ରେ ଓ ଚାଷ ଜମିରେ ୧୦ରୁ ୧୭ ଦିନ ଧରି ପାଣି ଜମି ରହିଛି ଓ ନିଷ୍କାସିତ ହୋଇପାରୁ ନାହିଁ।

ବିଭିନ୍ନ ନଦୀରେ ବନ୍ୟାଜଳର ବିପଦ ସ୍ତର ନିର୍ଣ୍ଣିତ ଓ ଚିହ୍ନିତ ହୋଇଛି। ଯେଉଁ ସ୍ତରଠାରୁ ଜଳ ପ୍ରବାହ କମ୍‍ ରହିଲେ ନଦୀବନ୍ୟାର କ୍ଷୟକ୍ଷତି ବେଶୀ ହେବନାହିଁ। ଏଥି ସହିତ ନଦୀବନ୍ଧମାନଙ୍କର ଏଚ୍‍.ଏଫ୍‍.ଏଲ୍‍.ହାଇ ଫ୍ଲଡ୍‌ ଲେଭେଲ ମଧ୍ୟ ସରକାରଙ୍କୁ ଜଣା। ନଦୀମାନଙ୍କରେ ହୋଇଥିବା ଜଳଭଣ୍ଡାର ତଳଭାଗରେ ଅନେକ ଉପନଦୀର ଜଳ ଆସି ମୁଖ୍ୟନଦୀରେ ମିଶି ତଳ ଅଞ୍ଚଳରେ ବନ୍ୟା ବିତ୍ପାତ ଘଟାଇଥାଏ। ଏହିସବୁ ଉପନଦୀର ପାଣିକୁ ବିଭିନ୍ନ ସ୍ଥାନରେ ଅଟକାଇ ରଖିଲେ ମୁଖ୍ୟ ନଦୀରେ ଜଳ ପ୍ରବାହର ମାତ୍ରା ଯଥେଷ୍ଟ କମିପାରିବ।

ସରକାରୀ କଳ ବା ଏହାର ଇଂଜିନିୟରମାନେ ତଳ ଭାଗରେ ଥିବା ମୁଖ୍ୟନଦୀ ଓ ଶାଖାନଦୀମାନଙ୍କର ବନ୍ଧ ଉଚ୍ଚତାକୁ ଏଚ୍‍.ଏଫ୍‍.ଏଲ୍‍.ଠାରୁ ୨ ଫୁଟ୍‍ ବଢ଼ାଇ ରଖିଲେ ଓ ପ୍ରତିବର୍ଷ ମରାମତି ଉପରେ ଧ୍ୟାନ ଦେଉଥିଲେ ତଳ ମୁଣ୍ଡର କ୍ଷତି ବଢ଼ିବ ନାହିଁ ଏବଂ ତଳମୁଣ୍ଡରେ ସମସ୍ତ ନଦୀବନ୍ଧକୁ ଅନ୍ତତଃ ଏହି ସ୍ତରର ଜଳଧାରଣା କ୍ଷମତା ପାଇଁ ସର୍ବଦା ପ୍ରସ୍ତୁତ ରଖିବାର ଆବଶ୍ୟକତା ଅଛି। ନଦୀର ଉପରମୁଣ୍ଡରେ ଜଳ ନିୟନ୍ତ୍ରଣ ଓ ତଳ ମୁଣ୍ଡରେ ତ୍ୱରିତ ଜଳ ନିଷ୍କାସନ ହେବା ନିମନ୍ତେ ଗତ ତିନି ଦଶନ୍ଧି ଧରି ଆଦୌ କିଛି ହୋଇନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏଥିପାଇଁ ଆଜିର ଏ ଦୁର୍ଦ୍ଦଶା ଓ କ୍ଷୟକ୍ଷତି।

ଫୋ- ୯୪୩୮୩୬୦୮୪୯

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।