ସରକାର ହିଁ ସୃଷ୍ଟି କରୁଛନ୍ତି ଅବହେଳିତ ବର୍ଗ

  • ଦେବ ରଞ୍ଜନ

ମାନବିକ ଅଧିକାର ସମ୍ପର୍କିତ ଚେତନା ହିଁ ଆମକୁ ଦର୍ଶାଉଛି ଯେ ସମାଜର ଅବହେଳିତ ବର୍ଗ କଦାପି ନିଜର ଭାଗ୍ୟ ବା ନିଜ ପୂର୍ବଜଙ୍କ ଦୁର୍ବଳ ଆର୍ଥିକ ସ୍ଥିତି ଲାଗି ଅବହେଳିତ ନୁହନ୍ତି। ସେମାନେ ଅବହେଳିତ ସରକାରଙ୍କ କ୍ରମାଗତ “ଅବ୍ୟବସ୍ଥା” ଲାଗି। ବିଧାନସଭାର ସଦସ୍ୟମାନେ ନିଜର ଦରମାର ବୃଦ୍ଧିର ଆବଶ୍ୟକତାକୁ ଅନୁଭବ କରୁଥିଲା ବେଳେ ସେମାନେ କିନ୍ତୁ ଅନୁଭବ କରିପାରୁନାହାନ୍ତି ଏହି ରାଜ୍ୟର ଅନ୍ୟୁନ ୪୮ ଲକ୍ଷ ୫୭ ହଜାର ହିତାଧିକାରୀଙ୍କର (ଓଡିଶା ସରକାରଙ୍କ ୱେବସାଇଟର ତଥ୍ୟ ଅନୁସାରେ) ଦୟନୀୟ ସ୍ଥିତିକୁ।

ହିତାଧିକାରୀଙ୍କ ପେନସନ ବୃଦ୍ଧି ରାଜ୍ୟ ସରକାରଙ୍କ ଦାୟିତ୍ଵ ହୋଇଥିଲା ବେଳେ ବିଧାନସଭାରେ ଏ ସଂକ୍ରାନ୍ତରେ ଆଲୋଚନା ଆଦୌ ହୋଇପାରୁନାହିଁ, ଅନ୍ତତଃ ମାନବିକତା ଅଧାରରେ ମଧ୍ୟ।

ରାଜ୍ୟର ଏହି ହିତାଧିକାରୀଙ୍କ ଭିତରେ ଅଛନ୍ତି ଏ ରାଜ୍ୟର ବୃଦ୍ଧବୃଦ୍ଧା, ବିଧବା ମହିଳା, ବିକଳାଙ୍ଗ ଓ ତୃତୀୟ ଲିଙ୍ଗୀ ଇତ୍ୟାଦି ଯେଉଁମାନେ କି ମାସକୁ ମାତ୍ର ୫୦୦ ଟଙ୍କାରେ ନିର୍ଭରଶୀଳ। ହୁଏତ ଜଣେ ବୃଦ୍ଧଙ୍କୁ ଅଥବା ବିକଳାଙ୍ଗ ବ୍ୟକ୍ତିଙ୍କୁ ଆଜି ବିଧାୟକଙ୍କ ବର୍ତ୍ତମାନର ଦରମାର ସମକକ୍ଷ ହେବା ଲାଗି ୨୦୦ ମାସ ଅର୍ଥାତ ଅନ୍ୟୁନ ୧୭ ବର୍ଷ ଲାଗିଯିବ ଯଦି ସେ ସେହି ଭତ୍ତାକୁ ଖର୍ଚ୍ଚ ନକରି ସଞ୍ଚୟ କରିରଖନ୍ତି। ଅର୍ଥାତ ଜଣେ ହିତାଧିକାରୀଠାରୁ ଜଣେ ବିଧାୟକ ବର୍ତ୍ତମାନ ୧୭ ବର୍ଷ ଆଗରେ ରହୁଛନ୍ତି। ଯଦି ଦରମାର ବୃଦ୍ଧି ଅଥଚ ପେନସନରେ କୌଣସି ବୃଦ୍ଧି ନଘଟେ ତେବେ ଏହି ପାର୍ଥକ୍ୟ ଦୁଇ ଗୁଣ ହୋଇଯିବ।

ମୁଦ୍ରାସ୍ଫୀତି ସମସ୍ତଙ୍କୁ ବାଧୁଛି

ଅଥଚ ଆମ ସମ୍ବିଧାନରେ ବିଧାୟକ/ବିଧାୟକଙ୍କ ଏକ ମାତ୍ର ମୁଖ୍ୟ ଯୋଗ୍ୟତା ହେଲା ଯେ ସେ ସେହି ହିତାଧିକାରୀଙ୍କ ଦ୍ଵାରା ନିର୍ବାଚିତ। (ବିଧାୟକଙ୍କ ଅନ୍ୟ ଯୋଗ୍ୟତା ହେଲା ଯେ ସେ ସୁସ୍ଥ ମସ୍ତିଷ୍କର ହୋଇଥିବେ, କୌଣସି କୋର୍ଟ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇନଥିବେ ଓ କୌଣସି ଲାଭ ଜନକ ବ୍ୟବସାୟ ସଂସ୍ଥାର ମାଲିକ ହୋଇନଥିବେ)। ଓଡିଆ ସାହିତ୍ୟର ପ୍ରସିଦ୍ଧ ଗାଳ୍ପିକ ବସନ୍ତ କୁମାର ଶତପଥିଙ୍କ ମର୍ମସ୍ପର୍ଶୀ ଗଳ୍ପ ‘କାଠ’ରେ ଜଣେ ବୃଦ୍ଧ ଆଦିବାସୀ ପ୍ରତି ଜଣେ ମଧ୍ୟବିତ୍ତର ସମ୍ବେଦନହୀନତାକୁ ଗାଳ୍ପିକ ଯେଉଁଭଳି ଦର୍ଶାଇଛନ୍ତି ଆଜି ତାହା ଗଣତାନ୍ତ୍ରିକ ରାଷ୍ଟ୍ର ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କର ବୃଦ୍ଧ ହିତାଧିକାରୀଙ୍କ ପ୍ରତି ରହିଥିବା ଦର୍ଶାଉଛି। ନଚେତ କାହିଁ ମାସକୁ ପେନସନ ୫୦୦ ଟଙ୍କା ଓ କାହିଁ ବିଧାୟକଙ୍କ ମାସିକ ଦରମା ଏକ ଲକ୍ଷ ଟଙ୍କା, ଆମ ସମ୍ବିଧାନର ଘୋଷଣାନାମାକୁ ଦେଖିଲେ ଏହାକୁ କ’ଣ ଗ୍ରହଣ କରାଯାଇପାରନ୍ତା କି?

ଗଲା ୨୦୦୮ ମସିହାରେ ହିତାଧିକାରୀଙ୍କର ପେନସନ ବୃଦ୍ଧି ଘଟି ମାସକୁ ୩୦୦ ଟଙ୍କା ହୋଇଥିଲା। ସେତେବେଳେ ବିଧାୟକ/ବିଧାୟିକାଙ୍କ ଦରମା ଥିଲା ମାସକୁ ସମ୍ଭବତଃ ୨୦୦୦୦ ଟଙ୍କା। ଏହା ପରେ ବହୁ ଅଞ୍ଚଳରେ ରାଲି କରାଯିବା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ଦାବିପତ୍ର ଦିଆଯିବା ହେତୁ ୨୦୧୯ ମସିହାରେ ରାଜ୍ୟ ସରକାର ହିତାଧିକାରୀଙ୍କ ପେନସନରେ ସାମାନ୍ୟ ବୃଦ୍ଧି ଘଟାଇ ୫୦୦ ଟଙ୍କା କରିଥିଲେ ତାହା ପୁଣି ନିର୍ବାଚନର ଠିକ ପୂର୍ବରୁ।

ଏହି ସମୟ ମଧ୍ୟରେ ବିଧାୟକଙ୍କ ଦରମା ତିନି ଥର ବୃଦ୍ଧି ଘଟି ମାସିକ ଏକ ଲକ୍ଷ ଟଙ୍କାରେ ପହଞ୍ଚି ସାରିଥିଲା। ଆଜି ଏହାର ପୁନଃ ବୃଦ୍ଧି ଲାଗି ଏବେ ଦାବି ହେଉଛି। ଯଦି ଦରମାରେ ବୃଦ୍ଧି ହେଉଛି ତେବେ ସମାନୁପାତରେ ପେନସନରେ ବୃଦ୍ଧି ହେବା ଜରୁରୀ। ଯଦି ମୁଦ୍ରାସ୍ଫୀତି ଏକ କାରଣ ତେବେ ତାହା ସମସ୍ତଙ୍କୁ ବାଧୁଛି, ବିଧାୟକଙ୍କୁ ବି ହିତାଧିକାରୀଙ୍କୁ ବି।

ବରିଷ୍ଠ ନାଗରିକଙ୍କ ଅବଦାନ

ଆଜିର ବୃଦ୍ଧ ମଣିଷ ଗଲା କାଲିର ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ଗ୍ରାମ୍ୟ କଳାକାର, କ୍ଷୁଦ୍ର ଚାଷୀ, ଖଣି ଖାଦାନର ଶ୍ରମିକ, କ୍ଷୁଦ୍ର ଦୋକାନୀ ଅଥବା ଉଦ୍ୟୋଗର ଅସଂଗଠିତ ଶ୍ରମିକ ହୋଇଥିବ । ଦେଶର ଜିଡିପି (gross domestic product)ରେ ତା’ର ଅବଦାନ ରହିଛି।

ନିଜର ଯୁବା ବୟସରେ ସେହି ବ୍ୟକ୍ତି ଜଣକ କେତେ ଯେ ଚାଷ କରିଥିବ ଅଥବା କେତେ ଘର ନିର୍ମାଣ କରିଥିବ ତାହାର କୌଣସି ରେକର୍ଡ ନାହିଁ। ଭୁବନେଶ୍ଵର ପାଖାପାଖି ପ୍ରତ୍ୟେକ ମଜୁରିଆ କହେ ବିଧାନ ସୌଧ, ସଚିବାଳୟ, ଏମଏଲଏ କଲୋନୀ ଅଥବା ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ରାଷ୍ଟ୍ର ନିର୍ମାଣର ପ୍ରତୀକ ପଛରେ ଥିବା ତା’ର ଅବଦାନ।

ଗାଁରେ ବୁଢା ଚାଷୀ କୁହେ: ମୋ ହାତ ଚାଲୁଥିଲା ବେଳେ ଏହି ମାଟିରେ ସୁନା ଫଳଉଥିଲି। ତାହାକୁ ତ ଖାଇ ପାଖ ଗାଁର ପୁଅ ଆଜି ଏମଏଲଏ ହୋଇଛି, କି କଲେକ୍ଟର ହୋଇଛି!

କୋରାପୁଟ ଅଞ୍ଚଳର ଆଦିବାସୀ ଚାଷୀ ଗର୍ବରେ କୁହେ ସେ କେମିତି ଏକ ଏକର ଜମିରେ ଝରଣା ପାଣି ମଡ଼ାଇ ୩୦ ପ୍ରକାରର ଚାଷ ବର୍ଷରେ କରିଥାଏ ଯେଉଁଥିରେ ଥାଏ ଧାନ, ମାଣ୍ଡିଆ, ଜହ୍ନା, କେଡ଼ଯହ୍ନା, ବିଭିନ୍ନ କନ୍ଦମୂଳ, ଶୁଆଁ, ଅଳସୀ, କୋଳଥ, ମସୁରୀ ପରି ଅନେକ କିସମର ଦ୍ରବ୍ୟ। ସେହି ଆଦିବାସୀ କୁହେ: ସେହି ଚାଷକୁ ତ ସହର ବାବୁମାନେ ଖାଉଛନ୍ତି, ନହେଲେ ସେମାନେ କ’ଣ କେଉଁଠି ଚାଷ କରୁଛନ୍ତି କି? ବରଗଡ଼ର ବୁଣାକାର ନିଜ ବୟସ ଥିଲା ବେଳେ କେମିତି ସେମାନେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଲାଗି ଲୁଗା/କପଡ଼ା ବୁଣି ପଠାଇଥିଲେ।

ଆମର ଅର୍ଥନୀତିରେ ପେନସନର ସୁବିଧା ରହିଲା କାରଣ ଜଣେ ବ୍ୟକ୍ତି ଦେଶ ନିର୍ମାଣରେ ନିଜର ଯୁବା ସମୟ ସଂପୂର୍ଣ୍ଣ ଭାବରେ ଦେଲା ପରେ ତାହାର ବାର୍ଦ୍ଧକ୍ୟ ସମୟରେ ତାହାର ପ୍ରତିପୋଷଣ ଦାୟିତ୍ଵ ସରକାରଙ୍କର। ଅଥଚ ବହୁଳ ପ୍ରଚାରିତ ଓ ପ୍ରସାରିତ ବିକାଶ ଓ ଦେଶର ଜାତୀୟତାର ସଂକଳ୍ପ ସତେରେ ଏହି ବୃଦ୍ଧ ବୃଦ୍ଧାମାନଙ୍କୁ ଦେଲା କ’ଣ? ମାସକୁ ମାତ୍ର ୫୦୦ ଟଙ୍କା ଓ ଶୀଘ୍ର ମୃତ୍ୟୁବରଣ କରିବାର ଆଶ୍ଵାସନା?

ଶୋଷଣର ପ୍ରକ୍ରିୟା

ରାଜ୍ୟର ବୃଦ୍ଧ ବୃଦ୍ଧାମାନେ ଜୀବନ ସାରା ପରିଶ୍ରମ କରିବା ସତ୍ତ୍ୱେ କାହିଁକି ନିଜର ଭବିଷ୍ୟତକୁ ସୁରକ୍ଷିତ କରିପାରିଲେ ନାହିଁ? ଏ ପ୍ରଶ୍ନ ମଧ୍ୟ ଆମର ସମାଜ ମଧ୍ୟରେ ଆଲୋଚିତ ହେବା ଆବଶ୍ୟକ।

ସେମାନଙ୍କର ଆଜିର ଅବହେଳିତ ଜୀବନ ପଛରେ କ’ଣ କାରଣ ନୁହେଁ ଅଧିକ ପରିଶ୍ରମ ସତ୍ତ୍ୱେ କମ ମଜୁରୀ, ଅସଂଗଠିତ ଶ୍ରମଶକ୍ତି, କୃଷି କ୍ଷେତ୍ରରୁ ବିତାଡ଼ନ, ଦୂଷିତ ଜଳବାୟୁ, ବଡ଼ କାରଖାନାର ଉତ୍ପାଦିତ ଦ୍ରବ୍ୟ ଆସିବା ପରେ ଗାଁର ତିଆରି ଜିନିଷ ଲୋପ ପାଇଯିବା (କଂସା ବାସନ ଓ ଲୁହା ଉପକରଣ ସଦୃଶ), କ୍ରମାଗତ ଜଙ୍ଗଲ ସମ୍ପଦର ଅବକ୍ଷୟ ସାଙ୍ଗକୁ ସ୍ୱାସ୍ଥ୍ୟ, ପରିବହନ ଭଳି ଅତ୍ୟାବଶ୍ୟକ ବ୍ୟବସ୍ଥାକୁ ସରକାର କମ୍ପାନୀମାନଙ୍କୁ ଟେକିଦେବା ଇତ୍ୟାଦି? ଏ ସବୁ ଲାଗି ଆମେ କଣ ବୟସ୍କ ଲୋକଙ୍କୁ ଦାୟୀ କରିବା କି ଆମର ଶାସନ ବ୍ୟବସ୍ଥାକୁ?

ଏହାସହିତ କ୍ରମାଗତ ଦରଦାମ ବୃଦ୍ଧି ସାଙ୍ଗକୁ ନିଜେ ପାଉଥିବା ମଜୁରୀ କି ଦରମାର ବୃଦ୍ଧି ନଘଟିବା ଜଣେ କାର୍ଯ୍ୟକ୍ଷମ ବ୍ୟକ୍ତିକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିଦେଇଥାଏ। ଆଜିର ଏହି ଧନୀ ଗରିବର ତାରତମ୍ୟ ପୂର୍ଣ୍ଣ ଜୀବନରେ ଅତୀତର ସେହି ଶକ୍ତିଶାଳୀ ଯୁବକ କି ଯୁବତୀ ଆକି ଏକ ଅଲୋଡ଼ା ଜୀବନ ବିତାଉଛନ୍ତି। ସେମାନେ ହୁଏତ ମାନି ନେଇଛନ୍ତି ଯେ ସେମାନଙ୍କ ସେହି ଅଲୋଡ଼ାପଣିଆ ଓ ଦାରିଦ୍ର୍ୟ ପାଇଁ ସେହିମାନେ ହିଁ ଦାୟୀ କାରଣ ‘ଭାଗ୍ୟ’ ସେମାନଙ୍କ ସାଥୀ ଦେଲା ନାହିଁ। ମାତ୍ର ଯାହାର ପକେଟ ଯେତେ ମୋଟା ତାହାର ବଜାରରେ ସେତିକି ଭାଉ ରହିଲା ଭଳି ମାସକୁ ପାଞ୍ଚ ଶହ ଟଙ୍କିଆ ବୁଢ଼ା ବୁଢ଼ୀଙ୍କ ପାଇଁ ଆଜିର ମୁଦ୍ରାସ୍ଫୀତିରେ ବା କ’ଣ ମୂଲ୍ୟ?

କୌତୁକର ବିଷୟ ହେଲା ଯେ ନିର୍ବାଚନ ସମୟରେ ଗ୍ରାମର ମାସିକ ଏହି ପାଞ୍ଚ ଶହ ଟଙ୍କିଆ ବୁଢ଼ା ବୁଢ଼ୀ ହିଁ ନେତାଙ୍କ ପାଇଁ କିଛି ତମାଖୁ, ଖଣ୍ଡେ ଲୁଗା, କିଛି ହାତଗୁଞ୍ଜା ଓ ମିଥ୍ୟା ପ୍ରତିଶୃତିର ସହଜ ଉପାଦାନ ପାଲଟି ଯା’ନ୍ତି। ସେହି ନିର୍ବାଚନ ମଧ୍ୟରେ ଦେଶ ଆଜି ୭୫ ବର୍ଷର ସ୍ଵାଧୀନତା ପାଳୁଛି।

ଗଲା ୭୫ ବର୍ଷର ଶାସନ ବ୍ୟବସ୍ଥାର ସମୀକ୍ଷା ହେବା ଜରୁରୀ। ସଂପୂର୍ଣ୍ଣ ଶାସନ ବ୍ୟବସ୍ଥାର ଦୃଷ୍ଟିଭଙ୍ଗୀରେ ଆମୂଳଚୁଳ ପରିବର୍ତ୍ତନ ଆବଶ୍ୟକ। ଆଜିର ବ୍ୟବସ୍ଥାରେ ସବୁଠାରୁ ପଛରେ ଥିବା ସେହି ହିତାଧୀକାରୀମାନେ ସବୁଠାରୁ ଆଗରେ ରହିବା ଓ ଆଜିର ସମୟରେ ସବୁଠାରୁ ଆଗରେ ଥିବା ନିର୍ବାଚିତ ପ୍ରତିନିଧୀମାନେ ସବୁଠାରୁ ପଛରେ ରହିପାରିଲେ ଯାଇ ଆମେ ଏକ ପରିବର୍ତ୍ତିତ ସମାଜ ଆଶା କରିପାରିବା।

ମୋବାଇଲ: ୯୪୩୭୭୬୨୨୭୨

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।