/odisha-reporter/media/post_attachments/uploads/2021/02/thumbnail.jpg)
thumbnail
ବିବିଧତା ଭିତରେ ଏକତା ହିଁ ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ। ଏହି ସର୍ବପୁରାତନ ଗଣତାନ୍ତ୍ରିକ ଦେଶରେ ଲୋକଙ୍କର ବିଚାରର ଓ ମତରେ ପାର୍ଥକ୍ୟ ରହିଥିଲେ ସୁଦ୍ଧା ଜାତୀୟ ସଂହତି କଥା ଉଠିଲେ ସମସ୍ତେ ଏକ ହୁଅନ୍ତି। ହେଲେ ଏବେ ଏହି ଧାରାରେ ବିଚ୍ୟୁତି ହେବାରେ ଲାଗିଛି। ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ଆଳରେ ଲାଲକିଲ୍ଲାରେ ହିଂସା ଘଟୁଛି ତ ଯେଉଁଠି ଜାତୀୟ ପତାକା ଫର ଫର ଉଡ଼ିବା କଥା, ସେଠି ଗୁରୁଦ୍ୱାରରେ ଲାଗୁଥିବା ପବିତ୍ର ଧ୍ୱଜାକୁ ଉଡ଼଼ାଯାଉଛି। ଯଦି ରାଲି ବେଳର ହିଂସାକୁ ବିରୋଧୀମାନେ ନିନ୍ଦା କରିଛନ୍ତି ହେଲେ ସରକାର ବା ପୁଲିସ ହିଂସାକାରୀଙ୍କ ବିରୋଧରେ ଏଫଆଇଆର ଦାୟର କରିବା ପରେ ସେହି ବିରୋଧୀ କଂଗ୍ରେସ ସେମାନଙ୍କ ପାଇଁ ଓକିଲ ବନ୍ଦୋବସ୍ତ କରୁଛି।
ପ୍ରଥମ ଥର ପାଇଁ ଦେଶର କୌଣସି ସରକାର କୃଷି ବିଲ୍ କାର୍ଯ୍ୟକାରୀ କରିବାକୁ ସାହସ ଦେଖାଇଛନ୍ତି। ଯାହାକୁ ଏବେର ବିରୋଧୀ କ୍ଷମତାରେ ଥିବା ବେଳେ ଆଲୋଚନା କରୁଥିଲେ, ହେଲେ ଆଇନରେ ପରିଣତ କରିପାରିନଥିଲେ। ସଂସଦରେ ପାରିତ ଏହି ବିଲ୍ ଚାଷୀଙ୍କ ହିତରେ କେତେ, କର୍ପୋରେଟ ହାଉସଙ୍କ ସପକ୍ଷରେ କେତେ, ତାହା ଭିନ୍ନ ପ୍ରସଙ୍ଗ। ଏବେ ଏହି ଆଇନକୁ ନେଇ ସାରା ଦେଶ ଦୁଇ ଭାଗ। ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି ଏବଂ ଏହି ମୁହାଁମୁହିଁର ପ୍ରତିଧ୍ୱନି ଦେଶର ସୀମା ଅତିକ୍ରମ କରି ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି।
ନିକଟରେ ଟ୍ୱିଟରରେ ବହୁ ଅସନ୍ତୋଷ ଦେଖାଦେଇଥିଲା ଯେତେବେଳେ ଅନ୍ତର୍ଜାତୀୟ ଆମେରିକୀୟ ପପ୍ ଗାୟକ ରିହାନା ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ସିଏନଏନର ଏକ ରିପୋର୍ଟ ଦେଖିଥିଲେ। ପରେ ରିହାନା ଟ୍ୱିଟରରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ପରେ ପରେ ଅନ୍ୟ ବହୁ ଅନ୍ତର୍ଜାତୀୟ ସେଲେବ୍ରିଟି ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଥିଲେ। ସ୍ୱିଡେନର ପରିବେଶବିତ୍ ଗ୍ରେଟା ଥନବର୍ଗ ଟୁଇଟ୍ କରି କହିଥିଲେ ଯେ ସେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଆଉ ଏହା ପରେ ପର୍ଣ୍ଣ ତାରକା ମିଆଁ ଖଲିଫା ମଧ୍ୟ ଚାଷୀ ଆନ୍ଦୋଳନକୁ ଟ୍ୱିଟ୍ କରି ସମର୍ଥନ କରିଥିଲେ।
ଏବେ ବଡ଼ ପ୍ରଶ୍ନ ଯେଉଁମାନେ ଭାରତ ସରକାରଙ୍କୁ ବିରୋଧ କରି ଟ୍ୱିଟ୍ କରିଛନ୍ତି ସେମାନଙ୍କ ପେସା କଣ? ଭାରତର କୃଷି ବାବଦରେ ତାଙ୍କର କେତେ ଜ୍ଞାନ? କାରଣ ପୂର୍ବରୁ ଭାରତର ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ଏମାନଙ୍କ ପାଟି କେବେ ବି ଫିଟି ନଥିଲା। ଭାରତରେ ଆନ୍ଦୋଳନକାରୀ-ସରକାର ଅବା ଶାସକ ବିରୋଧୀ ମୁହାଁମୁହିଁ ହେବା ଦେଶର ନିହାତି ଆଭ୍ୟନ୍ତରୀଣ କଥା। କୃଷି ଆଇନ୍ ମଧ୍ୟ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ। ହେଲେ ଭାରତର ଛବି ଅନ୍ତର୍ଜାତୀୟ ସ୍ତରରେ ବଦନାମ ହେଉଥିବା ବେଳେ ବିରୋଧୀ ପାଟିରେ ହାତ ରଖି ଚୁପ୍ ବସିବା ଅନେକ କିଛି ପ୍ରଶ୍ନ ଉଠାଇଛି। ଆଉ ଏହା ଷଡଯନ୍ତ୍ର ବୋଲି ସେତେବେଳେ ଜଣାପଡିଲା ଯେତେବେଳେ ସ୍କୁଲ୍ ଡ୍ରପ ଆଉଟ ଗ୍ରେଟା ଯେଉଁ ଟ୍ୱିଟ୍ କରିଥିଲେ ସେଥିରେ ଏକ ପ୍ରେସ ରିଲିଜ୍ ଭୁଲରେ ଅପଲୋଡ କରିଦେଇଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ସେ ଡିଲିଟ୍ କରି ଦେଇଥିଲେ। ଏହି ଡିଲିଟ କରିଥିବା ଟ୍ୱିଟରେ ସେ ଉଲ୍ଲେଖ କରିଥିଲେ ଜାନୁଆରୀ ମାସରେ ଚାଷୀ ପ୍ରସଙ୍ଗରେ ସେ କେତେବେଳେ କଣ ଟ୍ୱିଟ୍ କରିବେ ଓ କାହାକୁ କରିବେ। ଆଉ ଏହାର ହ୍ୟାଶଟ୍ୟାଗ କଣ ରହିବ।
ଗ୍ରେଟା ଯେଉଁ ଟ୍ୱିଟ୍ ଡିଲିଟ୍ କରିଛନ୍ତି ସେଥିରେ କୃଷି ଆନ୍ଦୋଳନକୁ ସମର୍ଥନ କରି ସୋଶାଲ ମିଡିଆରେ କିପରି କ୍ୟାମ୍ପେନ୍ କରି ହେବ ତାହା ବର୍ଣ୍ଣନା କରାଯାଇଛି। ଯାହାର ସ୍କ୍ରିନ ସଟ୍ ସୋଶାଲ ମିଡିଆରେ ଘୁରି ବୁଲୁଛି। ରିହାନା ଏବଂ ଗ୍ରେଟାଙ୍କ ଟ୍ୱିଟ୍ କିପରି ଏକ ବୃହତ ଅନ୍ତର୍ଜାତୀକ ଷଡଯନ୍ତ୍ରର ଅଂଶ ଏହିଥିରୁ ଜଣାପଡ଼ିଛି। ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଚାଷୀଙ୍କ ଆନ୍ଦୋଳନକୁ ନେଇ ଡିଜିଟାଲ୍ ଷ୍ଟ୍ରାଇକ୍ କରିବାକୁ ହେବ। ଏଥିପାଇଁ #AskIndiaWhy ହ୍ୟାଶଟ୍ୟା
ଏହି ଡକ୍ୟୁମେଣ୍ଟରେ ଏପରି ଆହୁରି ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଉଲ୍ଲେଖ ଅଛି। ଯେଉଁମାନେ ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ଏବଂ ଯେଉଁ ଅନ୍ତର୍ଜାତୀୟ ସେଲେବ୍ରିଟି ତାଙ୍କ ସପକ୍ଷରେ କହୁଛନ୍ତି ସେମାନେ ମଧ୍ୟ ଏ ବାବଦରେ ମତ ରଖିବେ।
ତେବେ ରିହାନା ଟୁଇଟ୍ କରିବା ପରେ ଚାଷୀ ନେତା ଏବଂ ବିରୋଧୀ କହୁଥିଲେ ଏହି ଟୁଇଟ୍ ସରକାରର ମୁଖା ଖୋଲିଛି। ହେଲେ ଗ୍ରେଟାର ଗୋଟିଏ ଭୁଲ୍ ଟ୍ୱିଟ୍ ପରବର୍ତ୍ତୀ ସମୟରେ ଆସିବା ପରେ ବିରୋଧୀ ଏବେ ଏ ବାବଦରେ ଆଲୋଚନା କରିବାକୁ ନାରାଜ। ଯଦି ଗ୍ରେଟାଙ୍କ ଏହି ଗୋଟିଏ ଭୁଲ୍ ସାମ୍ନାକୁ ଆସିନଥାନ୍ତା ତାହାଲେ ଆଜି ସରକାର ବ୍ୟାକଫୁଟରେ ଥାଆନ୍ତେ। କୁହାଯାଏ ଷଡ଼ଯନ୍ତ୍ର ବଦନାମ କରିପାରେ ହେଲେ ଏହା ସଫଳ ହୋଇପାରେ ନାହିଁ।
ସବୁଠୁ ବଡ଼ କଥା ହେଲେ ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ଭଳି ବ୍ୟକ୍ତିତ୍ୱ ବିଦେଶୀ ତାରକାଙ୍କ ଏପରି ମନ୍ତବ୍ୟକୁ ବିରୋଧ କରିବା ପରେ କେରଳରେ କଂଗ୍ରେସ ତାଙ୍କ ପୋଷ୍ଟରରେ କଳା ବୋଳିବା ଆଦୌ ଗ୍ରହଣୀୟ ନୁହେଁ। ଯାହାକି କଂଗ୍ରେସର ଦୋମୁହାଁ ନୀତି ଏବଂ ବାରମ୍ୱାର ଲୋକଙ୍କ ଦ୍ୱାରା ପ୍ରତ୍ୟାଖାତ ହେବାର ମୁଖ୍ୟ କାରଣ କୁହାଯାଇପାରେ। ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ପର୍ଣ୍ଣ ଷ୍ଟାର ମତ ଦେବାକୁ ନେଇ ବିରୋଧୀ ଚୁପ୍ ରହୁଛି ହେଲେ ସରକାର ସମର୍ଥନରେ ମତ ରଖିବାରୁ ସଚିନଙ୍କ ବିରୋଧରେ କଂଗ୍ରେସ ନାରାବାଜି ଦେବା କାଳି ଦେବା ଆଦୌ ଗ୍ରହଣୀୟ ନୁହେଁ। ଦେଶର ସର୍ବପୁରାତନ ଦଳର ଏଭଳି ଆଚରଣ ଆଗାମୀ ଦିନରେ ମହଙ୍ଗା ହୋଇପାରେ।
ପରିବର୍ତ୍ତନର ରାସ୍ତା କେବେ ସହଜ ନୁହେଁ। ବିରୋଧ ଏବଂ ସଂଘର୍ଷ ବିନା କୌଣସି ବଡ଼ ପରିବର୍ତ୍ତନ ହୋଇ ନାହିଁ। ଇତିହାସ ହେଉଛି ଏହାର ମୂକ ସାକ୍ଷୀ। ଏହାର ଉଦାହରଣ ହେଲା ଯେତେବେଳେ ଉଦାରୀକରଣ ହେଲା ସେତେବେଳେ କ୍ଷମତାରେ କଂଗ୍ରେସ ଥିଲା। ଆଉ ବାମପନ୍ଥୀମାନେ ଏହାକୁ ଘୋର ବିରୋଧ କରୁଥିଲେ। ଏମିତିକି ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହା ରାଓ ଏହାକୁ ନେଇ ଦେଶବ୍ୟାପୀ ବିରୋଧର ସମ୍ମୁଖୀନ ହୋଇଥିଲେ। କାରଣ ବାମପନ୍ଥୀମାନେ ଅନୁଭବ କରିଥିଲେ ଯେ ବହୁରାଷ୍ଟ୍ରୀୟ କମ୍ପାନୀର ଆଗମନ ଏବଂ ଅନ୍ତର୍ଜାତୀୟ ପୁଞ୍ଜି ଭାରତୀୟ ବଜାରକୁ ନିଜ ଦଖଲକୁ ନେଇଯିବେ। ଏବେ ଉଦାରୀକରଣର ୩୦ ବର୍ଷ ପରେ ଦେଶର ଅର୍ଥନୀତିକ ସ୍ଥିତି ଲୋକଙ୍କ ସାମ୍ନାରେ। ଯାହାକି ବାମପନ୍ଥୀଙ୍କ ଆକଳନକୁ ଭୁଲ୍ ପ୍ରମାଣିତ କରିଛି।
ଏବେ ଯେଉଁ ଗୋଷ୍ଠୀ ରିହାନା ଏବଂ ଗ୍ରେଟା ଥନବର୍ଗଙ୍କ ପରି ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱଙ୍କ ଟ୍ୱିଟକୁ ନେଇ ସରକାରଙ୍କୁ ଘେରୁଛନ୍ତି ସେମାନେ କାହିଁକି ଆଇଏମଏଫର ମୁଖ୍ୟ ପରାମର୍ଶଦାତା ଗୀତା ଗୋପୀନାଥଙ୍କ କୃଷି ଆଇନକୁ ସମର୍ଥନ ଓ ଆମେରିକା ସରକାରର ସମର୍ଥନ ବାବଦରେ ଆଲୋଚନା କରିବାକୁ ନାରାଜ। ଏହି ବ୍ୟକ୍ତିତ୍ୱଙ୍କ ଜ୍ଞାନ କ'ଣ ସେଲେବ୍ରିଟିଙ୍କ ଅପେକ୍ଷା କମ୍? ଅଧାରୁ ସ୍କୁଲ୍ ଛାଡ଼ି ସମାଜସେବୀ ପାଲଟିଥିବା ଗ୍ରେଟାଙ୍କୁ ପ୍ରଥମ ପ୍ରଶ୍ନ ସେ ଭାରତ ବିଷୟରେ କେତେ ଜାଣିଛନ୍ତି? ଆମର ଭୌଗୋଳିକ ସ୍ଥିତିକୁ ନେଇ କେତେ ସଚେତନ ଅଛନ୍ତି? ରିହାନା କ'ଣ ଜାଣିଛନ୍ତି ଯେ ପଞ୍ଜାବରେ ଅଧିକ ଲୋକ କାହିଁକି କ୍ୟାନସରରେ ଆକ୍ରାନ୍ତ? ରିହାନା କୃଷି ଆଇନ୍ ବାବଦରେ କଣ ଜାଣିଛନ୍ତି? ଜଳବାୟୁ ସଂଗ୍ରାମ ପାଇଁ ଗ୍ରେଟା ଥନବର୍ଗ ସଂଗ୍ରାମ କରୁଛନ୍ତି। ଏହି ଯୁଦ୍ଧରେ ଭାରତ ମଧ୍ୟ ତାଙ୍କ ସହିତ ରହିଛି। ହେଲେ ଯେଉଁ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସେହି ଆନ୍ଦୋଳନକାରୀ ଯେତେବେଳେ ଆତ୍ମହତ୍ୟା କରୁଥିବା ଅଭିଯୋଗ ଆସେ ସେତେବେଳେ ସେ ଚୁପ୍ କାହିଁକି?
ବିରୋଧ କରିବା ଉପରେ କୌଣସି ପ୍ରତିରୋଧ ନାହିଁ। କେବଳ କଥା ହେଉଛି ଏହି ବିରୋଧ ଯୁକ୍ତିଯୁକ୍ତ ହେବା ଉଚିତ୍। ବିରୋଧୀ ତଥ୍ୟ ଆଧାରରେ ରହିବା, ତଥ୍ୟର ବ୍ୟାଖ୍ୟା କରିବା ଏବଂ ତଥ୍ୟ ବୁଝାଇବା ଦରକାର।
ୱେଷ୍ଟଇଣ୍ଡିଜର ବାରବାଡୋସରୁ ଆସିଥିବା ରିହାନା ବର୍ତ୍ତମାନ ଆମେରିକାର ନାଗରିକ। ରିହାନା ବହୁତ ସୁନ୍ଦର ଗୀତ ଗାଉଛନ୍ତି। ତାଙ୍କର ସମସ୍ତ ଆଲବମ୍ ସୁପର ହିଟ୍। ଦୁନିଆରେ ଅନେକ ସୁନାମ ରହିଛି କିନ୍ତୁ କୌଣସି ବିଷୟ ଉପରେ ମତ ରଖିବା ପୂର୍ବରୁ ସେ ଏହାକୁ ବୁଝିବା ଦରକାର।
ଗ୍ରେଟା ଜଣେ ସ୍କଲ୍ ଡ୍ରପଆଉଟ୍ ଛାତ୍ରୀ ହୋଇଥିଲେ ମଧ୍ୟ ସ୍ୱିଡେନର ଏହି ଝିଅ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶକୁ ନେଇ ଯେଉଁ ଚିନ୍ତା କରୁଛନ୍ତି ତାହା ବାସ୍ତବରେ ପ୍ରଶଂସାଯୋଗ୍ୟ। ସେ ସମସ୍ତ ପ୍ରସଙ୍ଗରେ ମତ ରଖିବା ଦରକାର। ଏହା ପ୍ରତ୍ୟେକ ମଣିଷର ମୌଳିକ ଅଧିକାର। ହେଲେ ପଡ଼ୋଶୀ ଘରର ପାରିବାରିକ କଳିର କାରଣ ନଜାଣି ଚୁପ୍ ରହିବା ଦରକାର, ନହେଲେ ସମାଧାନ ପାଇଁ ପରାମର୍ଶ ଦେବା ଉଚିତ୍। ଭାରତ ମଧ୍ୟ କାହାରି ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମୁଣ୍ଡ ପୂରାଏ ନାହିଁ। କେବଳ ଏକାଠି ହୋଇ ଆମେ ଏହି ଷଡ଼ଯନ୍ତ୍ରର ମୁକାବିଲା କରିପାରିବା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
