ଜି.ଏସ୍‍.ଟି – ସାଧାରଣ ଲୋକଙ୍କ ପାଇଁ ବେଡ଼ି ଉପରେ କୋରଡ଼ାମାଡ଼

କେନ୍ଦ୍ର ମନଇଚ୍ଛା ଏକସାଇଜ୍‍ ଡ୍ୟୁଟି ଓ ସେସ୍‍ ବସାଇବା ସହିତ ରାଜ୍ୟମାନେ ନିଜର ଆର୍ଥିକ ସ୍ଥିତିର ସୁଧାର ଆଣିବାକୁ ଉଚ୍ଚହାରର ଟିକସ୍‍ ବସାଇଲେ। ଫଳତଃ ସବୁବର୍ଗର ଉପଭୋକ୍ତା ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିର ଶିକାର ହେଲେ। ଅଧିକନ୍ତୁ ଏହି ଦରବୃଦ୍ଧି ପାଇଁ ପରିବହନ ଖର୍ଚ୍ଚ ବଢ଼ିଲା, ଦରଦାମ ହୁ ହୁ ବଢ଼ିଲା।

  • ପଞ୍ଚାନନ କାନୁନଗୋ

ଏକ ଦେଶ, ଏକ ଟିକସ୍‍ ନାମରେ ଦେଶ ତମାମ ବାର୍ତ୍ତା ଗଲା। ୨୦୧୭ ଜୁଲାଇ ୧ ତାରିଖଠାରୁ ଦ୍ରବ୍ୟ ଓ ସେବାକର ଲାଗୁ ହେଲା। ସମଗ୍ର ଦେଶର ଲୋକେ ପୁଲକିତ ହେଲେ। ସାଧାରଣ ଲୋକେ ଭାବିଲେ ଗୁଡ଼ାଏ ଟିକସ୍‍ କମିବ। ଦରଦାମ୍‍ କମିବ। ବେପାରୀ ଭାବିଲେ ବ୍ୟବସାୟରେ ଅଧିକ ଦହଗଂଜ ହେବାକୁ ପଡ଼ିବ ନାହିଁ। ବାରଦୁଆର ବୁଲି କାଗଜ ପ୍ରସ୍ତୁତ ପାଇଁ ସମୟ ଯିବ ନାହିଁ। ପରିବହନକାରୀ ଭାବିଲେ, ବାଟରେ ସମୟ ନଷ୍ଟ ହେବନି। ରାସ୍ତାସାରା ଟୋଲଗେଟ୍‍ ଝାମେଲାରେ ଆଉ ଫସି ରହିବେନି କି ହାତଗୁଞ୍ଜା ଦେବାକୁ ହେବନି। ଉତ୍ପାଦନକାରୀମାନେ ଭାବିଲେ ଯଥାର୍ଥ ଉତ୍ପାଦନ ଖର୍ଚ୍ଚ ଉପରେ ଦି’ ପଇସା ଭଲ ଲାଭର ସୁଯୋଗ ମିଳିଲା। ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦିଆଗଲା ଯେ ଭୟ କରନାହିଁ, ବର୍ଷକରେ ପୂର୍ବ ତିନିବର୍ଷ କର (ପ୍ରତ୍ୟକ୍ଷ କର)ର ହାରାହାରିଠାରୁ ୧୪% ଅଧିକ ନ ହେଲେ ଯାହା ନିଅଣ୍ଟ ପଡ଼ିବ ତାହା କେନ୍ଦ୍ରୀୟ ତହବିଲ୍‍ରୁ ଭରଣା କରାଯିବ। ସେମାନେ ଆଶ୍ୱସ୍ତ ହେଲେ। ସବୁଠାରୁ ବେଶୀ ଖୁସି ହେଲେ କେନ୍ଦ୍ର ସରକାର ତାଙ୍କ ଆୟ ବଢ଼ିବ, ତାଙ୍କ ହାତଟେକାକୁ ରାଜ୍ୟମାନେ ଚାହିଁ ବସିବେ।

କିନ୍ତୁ ଟିକସର ମାତ୍ରା କମିଲା ନାହିଁ। ବରଂ ୫ଟି ସ୍ତରର ଟିକସ ସହ କେନ୍ଦ୍ର ଅନେକ ରକମର ଉପକର ଲାଗୁକଲେ। ଅଧିକନ୍ତୁ ପେଟ୍ରୋଲ, ଡିଜେଲ ଉପରେ ଜି.ଏସ୍‍.ଟି. ବଦଳରେ ପୂର୍ବପରି ଭାଟ୍‍ ଲାଗୁ ରହିଲା। କେନ୍ଦ୍ର ମନଇଚ୍ଛା ଏକସାଇଜ୍‍ ଡ୍ୟୁଟି ଓ ସେସ୍‍ ବସାଇବା ସହିତ ରାଜ୍ୟମାନେ ନିଜର ଆର୍ଥିକ ସ୍ଥିତିର ସୁଧାର ଆଣିବାକୁ ଉଚ୍ଚହାରର ଟିକସ୍‍ ବସାଇଲେ। ଫଳତଃ ସବୁବର୍ଗର ଉପଭୋକ୍ତା ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିର ଶିକାର ହେଲେ। ଅଧିକନ୍ତୁ ଏହି ଦରବୃଦ୍ଧି ପାଇଁ ପରିବହନ ଖର୍ଚ୍ଚ ବଢ଼ିଲା, ଦରଦାମ ହୁ ହୁ ବଢ଼ିଲା। ଅଣାୟତ୍ତ ହେଲା ମୁଦ୍ରାସ୍ଫୀତି। ଯାହାକି ଅଧିକାଂଶ ସମୟରେ ୭% ଅଧିକ ରହିଲା ଓ ଚଳିତ ବର୍ଷ ଶେଷ ଆଡ଼କୁ ୮%କୁ ଛୁଇଁବାର ଆଶଙ୍କା ବି ଅଛି। ରାଜ୍ୟମାନେ ଯେଉଁ କ୍ଷତି ଭରଣାର ପ୍ରତିଶୃତି ପାଇଥିଲେ ସେଥିରେ ଗତ ୨ ବର୍ଷ ଧରି ବ୍ୟତିକ୍ରମ ଦେଖାଗଲା। ଏଥିସହିତ ଚଳିତ ଜୁଲାଇ ୧ ତାରିଖରୁ ଏହା ପ୍ରତ୍ୟାହାର କରି ନିଆଗଲା। ଅଧିକନ୍ତୁ ମନ୍ତ୍ରୀ ଗୋଷ୍ଠୀଙ୍କ ସୁପାରିଶ କ୍ରମେ ଅନେକ ବସ୍ତୁର ସେବା ଓ ଦ୍ରବ୍ୟକରର ହାର କମାଇବାକୁ ଯାଇ ତଳସ୍ତରରେ ଥିବା ସାଧାରଣ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ୫%ରୁ ବା ୧୨%ରୁ ହାର ବୃଦ୍ଧିପାଇ ଅଧିକ ଦରବୃଦ୍ଧିର ଆଶଙ୍କା ଦେଖାଦେଇଛି।

ଏହା ସତ୍ୟ ଯେ ଗତ କିଛି ମାସ ହେବ ଦେଶ ତଥା ରାଜ୍ୟମାନଙ୍କରେ ଜି.ଏସ୍‍.ଟି ଆଦାୟ ଖୁବ୍‍ ଅଧିକ ହେବାରେ ଲାଗିଛି। ଏପରିକି ମାସକୁ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାରୁ ଉପରକୁ ଉଠିଛି। ଯଦି ଲକ୍ଷ୍ୟ କରାଯାଏ ଚଳିତବର୍ଷ କେନ୍ଦ୍ର ସରକାରଙ୍କ ଏ ବାବଦ ଆୟ ଅଟକଳଠାରୁ ଆଦାୟ ଅଧିକ ହୋଇ ୧୫ ଲକ୍ଷ କୋଟି ଛୁଇଁପାରେ। ମୁଦ୍ରାସ୍ଫୀତି ବୃଦ୍ଧି ଓ ଦରବୃଦ୍ଧି ତଥା କରୋନାଜନିତ କାରବାର ହିଁ ଏହି ଆୟ ବୃଦ୍ଧିର କାରଣ। ଅନେକ ଭାବରେ କେନ୍ଦ୍ର ଅତ୍ୟନ୍ତ ଲାଭବାନ ହେଉଥିବାବେଳେ ରାଜ୍ୟମାନେ ଆର୍ଥିକ ସଂକଟ ବା ନିଜସ୍ୱ ଟିକସ ଆୟ କମିବାର ଆଶଙ୍କାରେ ପଡ଼ିଛନ୍ତି। ସଂଘୀୟ ବ୍ୟବସ୍ଥା ପ୍ରାୟତଃ ସଙ୍କଟାପନ୍ନ।

ଏହିପରି ଏକ ସମୟ, ଯେଉଁ ସମୟରେ ସାଧାରଣବର୍ଗଙ୍କର କ୍ରୟଶକ୍ତି କ୍ଷୀପ୍ରଭାବେ ହ୍ରାସ ପାଇଛି, ମୁଦ୍ରାସ୍ଫୀତି ବଢ଼ିଛି ଓ ଦରଦାମ ବୃଦ୍ଧିରେ ସାଧାରଣ ଖାଉଟୀ ଛଟପଟ ହେଉଛନ୍ତି। ସେହି ସମୟରେ ସାଧାରଣବର୍ଗଙ୍କ ଉପରେ ସେବା ଓ ଦ୍ରବ୍ୟକର ନୂଆଭାବେ ବସାଗଲା, ବୃଦ୍ଧି କରାଗଲା। ସବୁଠାରୁ ପରିତାପର ବିଷୟ ମୁଢ଼ି, ଚୁଡ଼ା, ମୁଆଁ, ଖଇ, ଗୁଡ଼, କ୍ଷୀର, ଦହି, ଗହମ, ଅଟା, ମହୁ, ପାମ୍ପଡ଼ ଆଦି ଉପରେ ୫% ଜି.ଏସ୍‍.ଟି. ଲାଗୁ କରାଗଲା। ପିଲାଙ୍କ ପାଠପଢ଼ା ସାମଗ୍ରୀ ଯଥା ମ୍ୟାପ୍‍, ଆଟଲାସ୍‍, ପେନ୍‍ସିଲ୍‍, କଟର ଉପରୁ ୧୨% କର ଆଦାୟ ଏଇ ମାସଠାରୁ ଆରମ୍ଭ ହୋଇଛି। ପୂର୍ବରୁ ଖଲିପତ୍ର ଆଦି ଉପରେ କର ବସି ସାରିଛି।

ଏହିସବୁ ଦ୍ରବ୍ୟ ଉପରେ ଟିକସ୍‍ ବସିବା ବା ବୃଦ୍ଧି ହେବା ସଂପର୍କରେ ବ୍ୟବସାୟ ସଂଘ ଅତ୍ୟନ୍ତ ଉଦବେଗ ପ୍ରକାଶ କରିଛନ୍ତି। ଯେଉଁମାନେ ମୋଦୀଙ୍କ ଘୋଷଣାରେ ଉତ୍‍ଫୁଲ୍ଲିତ ହେଉଥିଲେ, ସେମାନେ ହିଁ ଛଟପଟ ହେଉଥିବା ଦେଖାଯାଉଛି। ଅଥଚ ରାଜ୍ୟ ସରକାର ଗୃହରେ ଉତ୍ତର ରଖି ଯେଉଁ କୈଫୟତ୍‍ ଦେଇଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଦାୟିତ୍ୱହୀନତାର ପରିଚୟ ଦେଉଛି। ସେ ଜାଣିବା ଉଚିତ୍‍ ଥିଲା ଏହାର ପ୍ରତିବାଦ କରି ଦ୍ରବ୍ୟ ଓ ସେବାକର ପରିଷଦରୁ ଓହରି ଆସିବାର କ୍ଷମତା ତାଙ୍କର ନିଜସ୍ୱ। ତାହା ସେ କରି ନାହାନ୍ତି। କହିଥିଲେ ଓଡ଼ିଶାବାସୀଙ୍କ ପାଖରେ ଆଦର୍ଶ ସୃଷ୍ଟି କରିଥାନ୍ତେ। ଏହି ଜି.ଏସ୍‍.ଟି. ଲାଗୁ ହେବା ପୂର୍ବରୁ ଭାଟ ପ୍ରଚଳନ ସମରେ ବିଭିନ୍ନ ରାଜ୍ୟ ଖୁବ୍‍ ପ୍ରତିବାଦ କରିଥିବାରୁ ସାଧାରଣବର୍ଗ ବହୁଳଭାବେ ବ୍ୟବହାର କରୁଥିବା ପ୍ରାୟ ୪୭ଟି ପଦାର୍ଥ ଟିକସ୍‍ରୁ ବାଦ୍‍ ପଡ଼ିଥିଲା। ଭାଟ ଲାଗୁ ହେବା (୨୦୦୫) ସମୟରେ ବିଚାରରେ ଏହିସବୁ ଦ୍ରବ୍ୟ ସମେତ ଏପରିକି ପୁରୀର ଅବଢ଼ା, ମହାପ୍ରସାଦ, ଓଡ଼ିଶା ଓ ବଙ୍ଗଳାର ପାନପତ୍ର ପ୍ରଭୃତି ସର୍ବସାଧାରଣଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଉପରେ ଟିକସ ଲାଗୁହେବା ଯଥାର୍ଥ ନୁହେଁ। ଲୋକଙ୍କ ନାମରେ ଲୋକଙ୍କୁ ବିମୋହିତ କରି ଆସିଥିବା ସରକାର ଲୋକଙ୍କ ଦୁର୍ଦ୍ଦଶା ହୃଦୟଙ୍ଗମ କଲେ ନାହିଁ।

କୈଫୟତ୍‍ ଦେଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ କହିଛନ୍ତି ଯେ, ଏହା ଗାଁ ଗହଳରେ ଲୋକଙ୍କୁ ବାଧିବ ନାହିଁ ଏବଂ କେବଳ ପ୍ୟାକେଟ୍‍ ଜିନିଷ ଉପରେ ହିଁ ବସିବ। ସେ କ’ଣ ଜାଣି ନାହାନ୍ତି ଗାଁ ଦୋକାନରେ ହଳଦୀରାମର ମୁଢ଼ି ପ୍ୟାକେଟ୍‍, ଓମ୍‍ଫେଡ଼୍‍, ମିଲ୍କମୁଁର ଦହି ପ୍ୟାକେଟ୍‍, ବେସନ ଆଦି ଏବେ ବହୁଳଭାବେ ବିକ୍ରୀ ହେଉଛି। ଅଧିକନ୍ତୁ ଗାଁ ଲୋକେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନରେ ଆସିଲେ ଏଠୁ କୋରାଖଇ ପ୍ୟାକେଟ୍‍ରେ ନିଅନ୍ତି। ସେଥିରେ କ’ଣ ଗାଁ ଲୋକର ପରିଚୟ ଦେଇ ଛାଡ଼ ପାଇବେ। ଏହା ସତ୍ୟ ଯେ ଗରିବ ଘରର ଢିଙ୍କିଶାଳରେ ମୁଢ଼ି, ଖଇ ଭଜାହୁଏ। ଅନେକଙ୍କ ଘରେ ଗାଈ ଦୁହାଁ ହୁଏ। ସେମାନଙ୍କ ସଂଖ୍ୟା କେତେ?

ରାଜ୍ୟର ସାଧାରଣ ଅଣୁ କ୍ଷୁଦ୍ର ବ୍ୟବସାୟୀଭାବେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଅଞ୍ଚଳଠାରୁ ଆରମ୍ଭ କରି ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱରର ମଞ୍ଚେଶ୍ୱର, ଗଞ୍ଜାମ ବଜାରରେ ମିଳୁଥିବା ମୁଆଁ, ଗୁଡ଼ ସବୁ ଛୋଟ ହେଉ ଅବା ବଡ଼ ପ୍ୟାକେଟ୍‍ରୁ ବଜାରକୁ ଯାଇଥାଏ। କାରଣ ଏହା ଖୋଲାଗଲେ ଖୁବ୍‍ଶୀଘ୍ର ନଷ୍ଟ  ହୋଇଯାଇଥାଏ। ଖଲିପତ୍ର ପ୍ରସ୍ତୁତକାରୀମାନେ ଅଣୁ ବା କ୍ଷୁଦ୍ର ବ୍ୟବସାୟୀ ତାଲିକାଭୁକ୍ତ।

ଏହିପରି ଏକ ଆର୍ଥିକ ବୋଝ ସମସ୍ତ ଖାଉଟୀ କ୍ଷୁଦ୍ର ଅଣୁ ପ୍ରସ୍ତୁତକାରୀଙ୍କ ଉପରେ ଲଦି ଦେଲେ ଏ ବ୍ୟବସାୟ ସଂକୁଚିତ। ଓଡ଼ିଶାର ପ୍ରାୟ ୬୦ ଲକ୍ଷ ପରିବାରର କାମଧନ୍ଦା ହାତଛଡ଼ା ହେବ। ଇଂରେଜ ସରକାର ଲୁଣ ଉପରେ କର ବସାଇବାର ଇତିହାସ ଅତ୍ୟନ୍ତ ମର୍ମନ୍ତୁଦ ଓ ତାହା ହିଁ ବେପାରୀ ସରକାରଙ୍କ ମୁତ୍ୟୁ ଘଣ୍ଟି ହିଁ ବଜାଇ ଥିଲା। ଏକଥା କ’ଣ ସ୍ମରଣରେ ନାହିଁ? ଏହି ସମସ୍ତ କର ବିଶେଷତଃ ଓଡ଼ିଶାର ପ୍ରଭୁତ କ୍ଷତି ଘଟାଇବାକୁ ଯାଉଛି। ସାଧାରଣବର୍ଗଙ୍କୁ ଶୋଷିନେବାର ବଡ଼ ଆଶଙ୍କା ରହିଛି। ସେଥିପାଇଁ ଓଡ଼ିଶା ସରକାରଙ୍କର ହିଁ ଏହାର ପ୍ରତିବାଦ ତୀବ୍ର ହେବା ଆବଶ୍ୟକ। ନହେଲେ ଧରିନେବାକୁ ଯେ ସାଧାରଣଙ୍କ ଉପରେ ଏ ବୋଝ ଲଦିବା ପାଇଁ କେନ୍ଦ୍ର ସହିତ ରାଜ୍ୟ ହାତ ମିଳାଇଛି।

ଫୋ- ୯୪୩୮୩୬୦୮୪୯

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।