/odisha-reporter/media/media_files/2025/09/23/droupadi-murmu-2025-09-23-13-37-52.jpg)
President Droupadi Murmu Photograph: (Internet)
ଡ. ରୀନା ରାଉତରାୟ
ମୋର ପୁସ୍ତକ ‘ଗାନ୍ଧିଜୀଙ୍କ ସହ ତିରିଶ ଦିନ’କୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରି ଭେଟି ଦେବାର ଏକ ସୁଯୋଗ ପାଇଥିଲି। ରାଷ୍ଟ୍ରପତିଙ୍କ ଅଫିସରୁ ମୋତେ ଅପରାହ୍ନ ଚାରିଟା ସମୟରେ ତାଙ୍କୁ ଭେଟିବା ପାଇଁ ନିର୍ଦ୍ଦେଶ ଆସିଥିଲା। ସମୟ ଅନୁସାରେ ପହଞ୍ଚିଲୁ। ସାଙ୍ଗରେ ଥାଆନ୍ତି ମୋର ସ୍ଵାମୀ ଅଜୟ।
ରାଷ୍ଟ୍ରପତି ବସିଥିବା କୋଠରୀରେ ପହଞ୍ଚିଲେ କେମିତି ଯିବ, କେଉଁଠି ବସିବ, କେମିତି ସମ୍ବୋଧନ କରିବ ଇତ୍ୟାଦି ବିଷୟରେ ସବିଶେଷ ଭାବରେ ପୂର୍ବରୁ କୁହାଯାଇଥାଏ। ପର୍ଯ୍ୟାୟ କ୍ରମେ ତିନିଟି ବୈଠକଖାନାରେ ବସି ସୁସ୍ୱାଦୁ ଜଳଖିଆ ସହିତ ଚା, କଫି ସହିତ ସୁନ୍ଦର ଅଭ୍ୟର୍ଥନା ଓ ପ୍ରୋଟୋକଲ ଅନୁସାରେ ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ ପରେ ସେଇ ସମୟ ଆସିଲା। ସମ୍ବନ୍ଧୀୟ ପ୍ରଶାସନିକ ଅଧିକାରୀ ମୋତେ ଦଶ ମିନିଟର ସମୟ ଦେଇଥାନ୍ତି।
ଏକ ସୁନ୍ଦର ସୁସଜ୍ଜିତ ବିରାଟ ବୈଠକଖାନାର ମଝିରେ ବସିଥାନ୍ତି ମହାମହିମ ରାଷ୍ଟ୍ରପତି, ଆମର ପ୍ରିୟ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଧଳା ନାଲି ରଙ୍ଗର ଶାଢ଼ୀରେ ଦୂରରୁ ଏକ ଦେବୀ ପ୍ରତିମା ପରି ମନେ ହେଉ ଥାଆନ୍ତି। ପାଖକୁ ଯାଇ ପାଦ ଛୁଇଁ ମୁଣ୍ଡିଆ ମାରିବାକୁ ଇଚ୍ଛା ହେଉଥିଲେ ମଧ୍ୟ ନିୟମ ଅନୁସାରେ ପାଖକୁ ଯାଇ ପ୍ରଣାମ କଲି।
ସତେ ଯେମିତି ନିଜ ଲୋକଟିକୁ ଦେଖିଲେ ଖୁବ ଖୁସିରେ ହସିଦେଇ ଠିଆ ହୋଇ ପଡ଼ିଲେ। ପାଖକୁ ଡାକିଲେ।
ସେହି ସମୟରେ ତାଙ୍କ ଅଫିସ ଫୋଟୋଗ୍ରାଫର ଆସି ଫଟୋ ଉତ୍ତୋଳନ କଲେ। ମୁଁ ମୋର ବହିଟିକୁ ତାଙ୍କୁ ଦେଲି। ମୋତେ ପାଖ ସୋଫାରେ ବସିବାକୁ କହି ସେ ବସିଲେ। ମୁଁ ତାଙ୍କ ଡାହାଣ ପାଖ ସୋଫାରେ ବସିଲା ପରେ ସେ ମୋ ବହି ବିଷୟରେ ଜାଣିବାକୁ ଚାହିଁଲେ। ଗାନ୍ଧୀ ଜ୍ୟୋତି ଯାତ୍ରା ଅନୁଭୂତିର ସମାହାର ମୋର ଏ ପୁସ୍ତକ ଶୁଣି ଖୁବ ଖୁସି ହେଲେ।
ବହିଟିକୁ ଓଲଟାଇ କିଛି ପୃଷ୍ଠା ପଢ଼ିଲେ ଏବଂ ମୋର ଅନୁଭୂତି ସମ୍ପର୍କରେ ଦୁଇଟି ଘଟଣା ମୋ ଠାରୁ ଶୁଣିଲା ପରେ କହିଲେ, ହଁ, ମୁଁ ଜାଣିଛି, ଭଲ କାମ କଲେ ଏହିପରି ଦିବ୍ୟ ଓ ଅଲୌକିକ ଘଟଣାମାନ ନିଜ ସହିତ ଘଟେ। ତୁମେ ଏତେ ଭଲ କାମ ସବୁ କରୁଛ। ମୁଁ ତୁମକୁ ବହୁତ ଭଲ ଭାବରେ ଜାଣେ, ‘ଆଶାର ଆଲୋକ’ରେ ତୁମକୁ ସବୁବେଳେ ଦେଖେ। ବହୁତ ଭଲ କାମ କରୁଛ।
ମୁଁ ଆଶ୍ଚର୍ଯ୍ୟ, ଚକିତ ହୋଇ ପଚାରିଲି, ଆପଣ ଏହି ପ୍ରୋଗ୍ରାମକୁ ଦେଖନ୍ତି?
ହସି କହିଲେ, ହଁ, ମୁଁ ଯଦି କୌଣସି କାର୍ଯ୍ୟବ୍ୟସ୍ତତା ବଶତଃ ଶନିବାର ରାତିରେ ନ ଦେଖି ପାରିଲି, ତେବେ ରବିବାର ଦିନ ଦଶଟାରେ ଦେଖେ। ସେଥିପାଇଁ ତୁମେ ଯେତେବେଳେ ରୁମକୁ ପଶିଲ, ତୁମକୁ ଦେଖି ମୋତେ ବହୁତ ଖୁସି ଲାଗିଲା।
ସତରେ ତ ‘ଆଶାର ଆଲୋକ’ ପ୍ରୋଗ୍ରାମର ସଠିକ ସମୟ ମଧ୍ୟ କହିଛନ୍ତି। ମୋର ଖୁସି ଓ ଆଶ୍ଚର୍ଯ୍ୟର ସୀମା ନ ଥିଲା।
ତା’ ପରେ ସେ ଅନେକ କଥା ପଚାରିଲେ। ସେତେବେଳକୁ ସେ ଏତେ ସହଜ ଓ ଆତ୍ମୀୟ ଭାବରେ କଥା ହେଉଥିଲେ ଯେ ମୁଁ ଭୁଲି ଯାଇଥିଲି ଯେ ମୁଁ ଆମ ଦେଶର ରାଷ୍ଟ୍ରପତିଙ୍କ ପାଖରେ ବସିଛି ବୋଲି। ଲାଗୁଥାଏ ମୋର ଅତି ନିଜର ଜଣେ ପରିବାର ସଦସ୍ୟଙ୍କ ସହିତ କଥା ହେଉଛି ବୋଲି। ମୋର ସାମାଜିକ କାର୍ଯ୍ୟ ସହିତ ଲେଖାଲେଖି ଏବଂ ପରିବାର ବିଷୟରେ ଭଲ ମନ୍ଦ ସବୁ ପଚାରି ବୁଝିଲେ। ଭାବୁଥିଲି କେତେ ସରଳ, କେତେ ଉଦାର ହୃଦୟ ଓ ମହାନ ସତରେ! ସେଥିପାଇଁ ତ ସେ ଆଜି ଏହି ଆସନରେ।
ତାଙ୍କ ପାଖରେ ବସିଥିବା ବେଳେ ଅଦ୍ଭୁତ ଏକ ଶାନ୍ତି, ଦୃଢ଼ତା ଓ ଆତ୍ମବିଶ୍ୱାସ ମନ ଭିତରେ ଆସୁଥାଏ। ଏକ ସକାରାତ୍ମକ ଶକ୍ତିର କେନ୍ଦ୍ରସ୍ଥଳ ଥିଲେ ସିଏ।
ଅଜୟ ମୋ ସହିତ ଆସିଛନ୍ତି ଶୁଣି ଖୁସି ହେଲେ ଏବଂ ତାଙ୍କୁ ମଧ୍ୟ ଡକାଇ ପଠାଇଲେ। ଅଜୟଙ୍କ ସହିତ ତାଙ୍କର ଆଗରୁ ପରିଚୟ ଥିଲା। ତାଙ୍କୁ ଦେଖି ଖୁବ ଖୁସି ହେଲେ ଏବଂ ତାଙ୍କ ସହିତ ବିଭିନ୍ନ ବିଷୟରେ ଆଲେଚନା କଲେ।
ମଝିରେ ମଝିରେ ମୋ ଆଡ଼କୁ ଚାହିଁ ଅଜୟଙ୍କୁ କହୁଥାନ୍ତି, ସେ ବହୁତ ଭଲ କାମ କରୁଛନ୍ତି। କେତେ ପରିବାର ସଜାଡୁଛନ୍ତି। ତାଠୁ ବଳି ପୁଣ୍ୟ କାମ କ’ଣ ଅଛି?
ଗୋଟିଏ ବହି ତାଙ୍କୁ ଦେଇ ଆଉ ଗୋଟିଏ ବହି ନେଇଥିଲି ତାଙ୍କଠୁ ସିଗ୍ନେଚର କରି ଆଣିବାକୁ। ବହିଟି ତାଙ୍କୁ ଦେଇ ଅନୁରୋଧ କଲି ସିଗ୍ନେଚର କରିବା ପାଇଁ।
ମୋ ଠୁ ବହିଟି ନେଇ ହସି ଦେଇ କହିଲେ, ନିୟମ ଅନୁସାରେ ସିଗ୍ନେଚର କରିବା ମନା, କିନ୍ତୁ ତୁମ ପାଇଁ କରୁଛି।
"Go ahead, I am always with you" ଲେଖି ଦସ୍ତଖତ କରି ବହିଟି ମୋତେ ଦେଲେ।
ମୋତେ ଲାଗିଲା ଯେମିତି କେବଳ ରାଷ୍ଟ୍ରପତି ନୁହେଁ, ସମଗ୍ର ରାଷ୍ଟ୍ର ମୋ ସହିତ ଅଛନ୍ତି। ମନ ହୃଦୟ ଆତ୍ମା ସବୁକିଛି ଏକ ଅଜବ ଆନନ୍ଦ ଓ ଗୌରବରେ ପୂର୍ଣ୍ଣ ଲାଗୁଥାଏ।
ସେତେବେଳକୁ ପ୍ରାୟ ଅଧଘଣ୍ଟା ହୋଇ ସାରିଥାଏ। ବିଦାୟ ନେବାର ସମୟ ବହୁ ଆଗରୁ ଅତିକ୍ରାନ୍ତ ହୋଇ ସାରିଥାଏ।
ତାଙ୍କୁ ପ୍ରଣାମ କରି ବିଦାୟ ନେଲି। ଫେରିଲା ବେଳେ ବୁଲିକି ଲେଉଟି ଚାହିଁଲି, ଘର ଲୋକଙ୍କୁ ବିଦାୟ ଦେଲା ପରି ସେମିତି ଚାହିଁ ରହି ଥାଆନ୍ତି।
ଲାଗୁଥାଏ, ଆହୁରି ଅନେକ କଥା ରହିଗଲା.....।
ଫୋ- ୯୪୩୮୨୭୨୧୫୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
