ଭାଲଚନ୍ଦ୍ର ଷଡ଼ଙ୍ଗୀ
ଗତ ଅକ୍ଟୋବର ୭ ତାରିଖରେ ପାଲେଷ୍ଟାନୀୟ ଚରମପନ୍ଥୀ ସଙ୍ଗଠନ ‘ହମାସ୍’ ଦ୍ୱାରା ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣରେ ସେନାର ୩୦୬ ଜଣ ସୈନିକଙ୍କ ସମେତ ମୋଟ ୧୪୦୩ ଜଣ ଲୋକଙ୍କ ମୃତ୍ୟୁ ସେ ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି। ଜଳ, ସ୍ଥଳ ଓ ଆକାଶମାର୍ଗରୁ ଅତ୍ୟନ୍ତ ସୁନିୟୋଜିତ ଭାବେ ହମାସର ଏହି ଆକ୍ରମଣ, ବିଶ୍ୱରେ ଏକ ଦୃଢ଼ ସାମରିକ ଶକ୍ତି ଭାବେ ରହି ଆସିଥିବା ଇସ୍ରାଏଲର ଭାବମୂର୍ତ୍ତିକୁ ଏକଦମ୍ ଚୂରମାର କରି ଦେଇଛି। ସବୁଠାରୁ ବଡ଼ କଥା ହେଲା, ହମାସର ଏହି ଆକ୍ରମଣ ଓ ତା’ର ପ୍ରତିକ୍ରିୟାରେ ରକ୍ତମୁଖା ଇସ୍ରାଏଲ୍ର ଶାସକମାନେ ପାଲେଷ୍ଟାଇନ୍ର ଗାଜାପଟି ଉପରେ ଆକାଶ ମାର୍ଗରୁ ଯେଉଁଭଳି ବୋମା ବର୍ଷଣ କରି ଶିଶୁ ଓ ମହିଳାଙ୍କ ସମେତ ହଜାର ହଜାର ନିରୀହ ପାଲେଷ୍ଟାନୀୟଙ୍କୁ ହତ୍ୟା କରିଛନ୍ତି ତା’ରି ଫଳରେ ଥଣ୍ଡା ପଡ଼ିଯାଇଥିବା ପାଲେଷ୍ଟାଇନ୍ ପ୍ରସଙ୍ଗଟି ହଠାତ୍ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଯାଇଛି।
ଗାଜାର ସ୍କୁଲ, କଲେଜ, ମସଜିଦ୍, ଚର୍ଚ୍ଚ ଏପରିକି ହସପିଟାଲ ବି ଇସ୍ରାଏଲର ଆକ୍ରମଣରୁ ବାଦ୍ ପଡ଼ି ନଥିବା ବେଳେ ଏଯାଏଁ ବୋମାମାଡ଼ରେ ୭ ହଜାରରୁ ଉର୍ଦ୍ଧ୍ୱ ପାଲେଷ୍ଟାଇନ୍ ନାଗରିକ ପ୍ରାଣ ହରାଇବା ସହ ୧୭ ହଜାରରୁ ଉର୍ଦ୍ଧ୍ୱ ଗୁରୁତର ଭାବେ ଆହତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ମୃତକମାନଙ୍କ ମଧ୍ୟରେ ୪୦%ରୁ ଅଧିକ ଶିଶୁ ରହିଥିବା ଜଣାପଡ଼ିଛି। ଇସ୍ରାଏଲୀ ସେନା ପକ୍ଷରୁ ଦୈନିକ ୩୦୦-୫୦୦ ଥର ବୋମାମାଡ଼ ଫଳରେ ଗାଜାର ହଜାର ହଜାର ସୁଉଚ୍ଚ ଅଟ୍ଟାଳିକା ଧ୍ୱଂସ ସ୍ତୁପରେ ପରିଣତ ହୋଇଛି। ଏପରିକି ସେଠାରେ ମିଳିତ ଜାତିସଂଘର ରିଲିଫ୍ ଓ ଥଇଥାନ କାମରେ ନିୟୋଜିତ ୩୫ ଜଣ କର୍ମଚାରୀ ବି ବୋମାମାଡ଼ରେ ପ୍ରାଣ ହରାଇଛନ୍ତି। ପାଲେଷ୍ଟାଇନ୍ରୁ ଆସୁଥିବା ମୃତାହତଙ୍କ ଭୟଙ୍କର ଚିତ୍ର ଓ ଭିଡ଼ିଓ ବିଶେଷ କରି ମୃତ ଓ ଆହତ ଶିଶୁମାନଙ୍କ ଫଟୋ ଓ ଚିତ୍କାରର ଭିଡ଼ିଓ ସମସ୍ତଙ୍କ ଲୋମ ଟାଙ୍କୁରି ଦେବା ସହିତ ଇସ୍ରାଏଲର ଆତଙ୍କବାଦୀ ଚେହେରାକୁ ବିଶ୍ୱବାସୀଙ୍କ ଆଗରେ ପୁଣି ଥରେ ଉଜାଗର କରିଦେଇଛି। ‘ହମାସ୍’ର ଆତଙ୍କକୁ ବଳିଯାଇଥିବା ଇସ୍ରାଏଲର ହିଂସା ଓ ବର୍ବରତାକୁ ନେଇ ଏବେ ସାରା ବିଶ୍ୱରେ ଭୟଙ୍କର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆରବ ଦେଶଙ୍କ ସମେତ ଆମେରିକା ଓ ୟୁରୋପର ଦେଶମାନଙ୍କରେ ବି ହଜାର ହଜାର ସଂଖ୍ୟାରେ ଲୋକେ ରାସ୍ତାକୁ ଆସି ଇସ୍ରାଏଲୀ ଜିଓନବାଦୀ ଆକ୍ରମଣର ପ୍ରତିବାଦ କରିଛନ୍ତି।
‘ହମାସ୍’ର ଆକ୍ରମଣର ତୁରନ୍ତ ପରେ ପରେ ଇସ୍ରାଏଲ୍ ସରକାର ଆନୁଷ୍ଠାନିକ ଭାବେ ଯୁଦ୍ଧ ଘୋଷଣା କରିଛନ୍ତି। ତେବେ ସେମାନେ ଏହି ଯୁଦ୍ଧ ଯଦିଓ ହମାସ୍ ବିରୁଦ୍ଧରେ କରିଛନ୍ତି ବୋଲି କହୁଛନ୍ତି, କିନ୍ତୁ ବାସ୍ତବରେ ଗାଜାର ନିରୀହ ନାଗରିକ ହିଁ ତା’ର ଶିକାର ହୋଇଛନ୍ତି। ଗାଜାପଟିରେ ରହୁଥିବା ୨୨ ଲକ୍ଷ ପାଲେଷ୍ଟାଇନୀୟଙ୍କୁ ଇସ୍ରାଏଲ କେବଳ ଆକାଶରୁ ବୋମାମାଡ଼ କରୁନି, ବରଂ ସେମାନଙ୍କ ବିରୁଦ୍ଧରେ ଅମାନବିକ ଅବରୋଧ ମଧ୍ୟ ଆରମ୍ଭ କରିଛି। ଗତ ୨୦୦୭ରୁ ଗାଜାକୁ ଏକ ଖୋଲା ଜେଲ୍ରେ ପରିଣତ କରି ରଖିଥିବା ଇସ୍ରାଏଲ ସେଠାକୁ ଯାଉଥିବା ପାଣି, ଇନ୍ଧନ, ଖାଦ୍ୟ, ଜିନିଷପତ୍ର ଓ ବିଦ୍ୟୁତର ଯୋଗାଣକୁ ବି ଏକଦମ୍ ବନ୍ଦ କରି ସେମାନଙ୍କୁ ପୋକମାଛି ପରି ମାରିବାକୁ ଷଡ଼ଯନ୍ତ୍ର କରିଥିବା ସ୍ପଷ୍ଟ ଜଣାପଡ଼ୁଛି। ଲୋକେ ଖାଦ୍ୟାଭାବର ସମ୍ମୁଖୀନ ହୋଇଥିବା ବେଳେ ହସ୍ପିଟାଲଗୁଡ଼ିକରେ ଆବଶ୍ୟକୀୟ ଔଷଧ, ଚିକିତ୍ସା ସରଞ୍ଜାମ ଏବଂ ସର୍ବୋପରି ବିଦ୍ୟୁତ୍ ଅଭାବରୁ ଚିକିତ୍ସାର ସୁବିଧା ନପାଇ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି। ଅବସ୍ଥା ଏପରି ହୋଇଛି ଯେ ଗତ କିଛିଦିନ ହେଲା ଡାକ୍ତରମାନେ ବିନା ବିଦ୍ୟୁତ୍ ଓ ବିନା ନିଶ୍ଚେତକରେ ଅପରେସନ୍ କରିବାକୁ ବାଧ୍ୟ ହେଉଛନ୍ତି। ଗାଜାର ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନର ମୌଳିକ ଆବଶ୍ୟକତାରୁ ବଂଚିତ କରି ସେମାନଙ୍କୁ ପୋକମାଛି ପରି ମାରିବାକୁ ଉଦ୍ଦିଷ୍ଟ ଏହି ଅବରୋଧ ନିଶ୍ଚିତ ଭାବେ ଏକ ଯୁଦ୍ଧ ଅପରାଧ ସହିତ ଅର୍ନ୍ତଜାତୀୟ ସନ୍ଧିର ବି ଉଲଂଘନ।
ଇସ୍ରାଏଲ ଓ ପାଲେଷ୍ଟାଇନ୍ ବିବାଦକୁ ନେଇ ଆମ ଦେଶର ଅନେକ ଲୋକଙ୍କ ଭିତରେ ଗୁଡ଼ିଏ ଭୁଲ ଧାରଣା ରହିଛି। ପାଲେଷ୍ଟାଇନ୍ବାସୀଙ୍କ ସଂଘର୍ଷର ଇତିହାସ ସମ୍ପର୍କରେ ଅଜ୍ଞତା ଯୋଗୁଁ ଅନେକେ ସେଠାକାର ପରିସ୍ଥିତି ପାଇଁ କେବଳ ହମାସ୍କୁ ଦାୟୀ କରି ଗାଜାବାସୀଙ୍କ ଉପରେ ଇସ୍ରାଏଲର ବର୍ବରୋଚିତ ଆକ୍ରମଣକୁ ସମର୍ଥନ ବି କରୁଛନ୍ତି। କେହି କେହି ଏହାକୁ ଇହୁଦୀ ଓ ମୁସଲମାନଙ୍କ ମଧ୍ୟରେ କେବଳ ଏକ ଧାର୍ମିକ ସଂଘର୍ଷ ବୋଲି ମଧ୍ୟ କହୁଛନ୍ତି। ଆମ ଦେଶର ହିନ୍ଦୁତ୍ୱବାଦୀ ଶକ୍ତିମାନେ କିନ୍ତୁ ହମାସର ଆକ୍ରମଣର ଆଳରେ ସମାଜରେ ମୁସଲମାନ ବିରୋଧୀ ଘୃଣା ସୃଷ୍ଟି କରିବାକୁ ଜୋରଦାର ପ୍ରଚାର କରିବା ଦେଖାଯାଇଛି। ତେବେ ଏହି ଧାରଣାର ବିପରୀତ ପାଲେଷ୍ଟାଇନ୍-ଇସ୍ରାଏଲ ବିବାଦ। ଏହା କୌଣସି ଧାର୍ମିକ ଯୁଦ୍ଧ ନୁହେଁ, ବରଂ ପାଲେଷ୍ଟାଇନରେ ବାସ କରି ଆସୁଥିବା ଆରବୀମାନଙ୍କ ଜମି ଉପରେ ଇସ୍ରାଏଲୀ ଜିଓନବାଦୀ ଶାସକମାନଙ୍କ ବଳପୂର୍ବକ କବ୍ଜା ଓ ଜୁଲୁମ୍ ବିରୁଦ୍ଧରେ ପାଲେଷ୍ଟାଇନ୍ବାସୀଙ୍କ ମୁକ୍ତି ସଂଘର୍ଷ ବୋଲି କୁହାଯାଇପାରେ। ସେମାନଙ୍କ ଏହି ସଂଘର୍ଷରେ କେବଳ ମୁସଲମାନ୍ ନୁହଁନ୍ତି, ଅଧିକନ୍ତୁ ଆରବୀ ଭାଷା କହୁଥିବା ଖ୍ରୀଷ୍ଟିଆନ୍ ଓ ଅନ୍ୟ ଧର୍ମବିଶ୍ୱାସୀମାନେ ବି ରହିଛନ୍ତି।
ଯଦିଓ ‘ହମାସ୍’ର ଆକ୍ରମଣକୁ ଦେଖାଇ ଇସ୍ରାଏଲ୍ ନିଜକୁ ଏକ ପୀଡ଼ିତ ରାଷ୍ଟ୍ର ବୋଲି ବିଶ୍ୱବାସୀଙ୍କ ଅନୁକମ୍ପା ନେବାକୁ ଚେଷ୍ଟା କରୁଛି, କିନ୍ତୁ ସେଠାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିପାଇଁ କେବଳ ଆଉ କେବଳ ଇସ୍ରାଏଲ୍ ହିଁ ଦାୟୀ। କାରଣ ପାଲେଷ୍ଟାଇନ୍କୁ ନେଇ ସମସ୍ୟା ହମାସ୍ର ଆକ୍ରମଣ (ଅକ୍ଟୋବର ୭)ରୁ ହିଁ ଆରମ୍ଭ ହୋଇନି। ଖୋଦ୍ ମିଳିତ ଜାତିସଂଘର ମହାସଚିବ ମଧ୍ୟ ନିକଟରେ ଏହିକଥାକୁ ସ୍ପଷ୍ଟ ଭାବେ କହିଛନ୍ତି। ଗତ ୭୫ ବର୍ଷ ଧରି ପାଲେଷ୍ଟାନୀୟମାନଙ୍କ ଉପରେ ଇସ୍ରାଏଲର ବେଆଇନ କବ୍ଜା ଓ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାରର ଏକ ପ୍ରତିକ୍ରିୟା ଭାବେ ସେ ‘ହମାସ୍’ର ଆକ୍ରମଣକୁ ଦେଖିଛନ୍ତି। ଅତଏବ ହମାସ୍ର ଆକ୍ରମଣ ପୂର୍ବରୁ ସେହି ଅଞ୍ଚଳରେ ସବୁକିଛି ଠିକ୍ଠାକ୍ ଥିଲା ଏବଂ ହମାସ୍ ଯୋଗୁଁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲା ବୋଲି କହିବା ଭୁଲ ହେବ।
ଏହା ସତ ଯେ ଇହୁଦୀମାନଙ୍କର ଗତ ଅଢ଼େଇ ହଜାର ବର୍ଷର ଇତିହାସ ହେଉଛି ଧାର୍ମିକ ଉତ୍ପୀଡ଼ନର ଇତିହାସ। ସେମାନେ ନିଜର ଧାର୍ମିକ ବିଶ୍ୱାସ ଲାଗି ଭୟଙ୍କର ଉତ୍ପୀଡ଼ନର ଶିକାର ହୋଇଛନ୍ତି। ଅତିତରେ ଇଜିପ୍ଟୀୟ, ଗ୍ରୀକ୍, ବେବିଲେନିଓ ଓ ରୋମାନ ଶାସକମାନେ ଭିନ୍ନ କାରଣରୁ ସେମାନଙ୍କୁ ଘୃଣା କରିବା ସହିତ ସେମାନଙ୍କ ସହିତ ବର୍ବରୋଚିତ ବ୍ୟବହାର କରିଛନ୍ତି। ଇହୁଦୀମାନଙ୍କ ଉପରେ ନିର୍ଯ୍ୟାତନାର ଏହି ପ୍ରକ୍ରିୟା ଚରମ ସୀମାରେ ପହଂଚିଥିଲା ଗତ ଶତାବ୍ଦୀରେ, ଜର୍ମାନୀରେ। ସେଠାରେ ହିଟଲରର ନେତୃତ୍ୱରେ ନାଜୀ ପାର୍ଟିର ଫାଶିବାଦୀ ଶାସନ ଆରମ୍ଭ ହେବା ପରେ ଇହୁଦୀ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା। ସେମାନେ ଇହୁଦୀମାନଙ୍କ ଲାଗି ଜର୍ମାନୀ ପ୍ରଥମ ବିଶ୍ୱଯୁଦ୍ଧରେ ହାରିଥିଲା ବୋଲି କହିବା ସହିତ ଆର୍ଥିକ ଭାବେ ଅପେକ୍ଷାକୃତ ସ୍ୱଚ୍ଛଳ ଇହୁଦୀମାନଙ୍କୁ ଜର୍ମାନମାନଙ୍କ ଶୋଷଣକାରୀ ବୋଲି ଚିତ୍ରଣ କଲେ। ନିଜର ଫାଶୀବାଦୀ ରାଜନୈତିକ ବିଚାର ଲାଗି ହିଟଲର ଇହୁଦୀମାନଙ୍କୁ ଜର୍ମାନମାନଙ୍କ ଶତୃ ରୂପେ ଦେଖାଇ ସେମାନଙ୍କ ଉପରେ ଭୟଙ୍କର ଦମନ ଓ ନିର୍ଯ୍ୟାତନା ଚଳାଇଥିଲେ। ହିଟଲରର ଶାସନରେ ହିଁ ଜର୍ମାନୀରେ ୬୦ ଲକ୍ଷ ଇହୁଦୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଶହଶହ ସଂଖ୍ୟାରେ ଇହୁଦୀମାନଙ୍କୁ ଆବଦ୍ଧ ଘରେ ପୂରାଇ ବିଷାକ୍ତ ଗ୍ୟାସ୍ ଦେଇ ପୋକମାଛି ପରି ହତ୍ୟା କରାଯାଇଥିଲା।
ତେବେ ବାରମ୍ବାର ଉତ୍ପୀଡ଼ନର ଶିକାର ହୋଇ ବିଭିନ୍ନ ଦେଶରେ ବିକ୍ଷିପ୍ତ ହୋଇ ରହିଥିବା ଇହୁଦୀମାନଙ୍କ ମଧ୍ୟରେ ଧାର୍ମିକ ଉତ୍ପୀଡ଼ନରୁ ସବୁବେଳ ଲାଗି ମୁକ୍ତି ପାଇବା ପାଇଁ ନିଜର ଧର୍ମର ଆଧାରରେ ଏକ ସ୍ୱତନ୍ତ୍ର ଦେଶ ଗଠନର ଇଚ୍ଛା ୧୮୮୦ ବେଳକୁ ସୃଷ୍ଟି ହୋଇଥିଲା। ଇହୁଦୀମାନଙ୍କ ମଧ୍ୟରେ ଜିଓନବାଦୀ (ଉଗ୍ର ଇହୁଦୀ ଜାତୀୟତାବାଦୀ) ବିଚାର ପ୍ରସାର ଲାଭ କରିବା ସହିତ ସେମାନଙ୍କ ଧର୍ମଗ୍ରନ୍ଥରେ ରହିଥିବା ଇଶ୍ୱରଙ୍କ ଦ୍ୱାରା ପ୍ରତିଶୃତିର ମାତୃଭୂମି (ପ୍ରମିଜଡ଼୍ ଲ୍ୟାଣ୍ଡ) ପାଇବାର ଲୋଭ ଦେଖାଇ ସାରା ବିଶ୍ୱର ଇହୁଦୀମାନଙ୍କୁ ସେମାନଙ୍କ ଧର୍ମର ଜନ୍ମସ୍ଥାନ ରୂପେ ଜେରୁଜେଲମ୍ରେ ଆସି ରହିବାକୁ ଡାକରା ଦିଆଗଲା। ସେହିକ୍ରମରେ ବିଶ୍ୱର ବିଭିନ୍ନ ଦେଶରୁ ଇହୁଦୀମାନେ ସେମାନଙ୍କ କଳ୍ପିତ ପ୍ରମିଜଡ଼ ଲ୍ୟାଣ୍ଡ୍ ପାଇବା ଆଶାରେ ଆସି ପାଲେଷ୍ଟାଇନ୍ରେ ଥିବା ଜେରୁଜେଲମ୍ରେ ରହିବା ଆରମ୍ଭ କଲେ। ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ରୁଷରେ ସଂଗଠିତ ଇହୁଦୀମାନଙ୍କ ନରସଂହାର ପରେ ସେଠାରୁ ବହୁ ସଂଖ୍ୟାରେ ଇହୁଦୀ ଜେରୁଜେଲମ୍ ଆସି ରହିଥିଲେ। ଏହିକ୍ରମରେ ପାଲେଷ୍ଟାଇନ୍ ଅଧୀନରେ ଆସୁଥିବା ଜେରୁଜେଲମ୍ରେ ଇହୁଦୀମାନଙ୍କ ଜନସଂଖ୍ୟା ବଢ଼ିବାକୁ ଲାଗିଲା। ସେତେବେଳେ ପାଲେଷ୍ଟାଇନ୍ ଅଟୋମାନ୍ ସାମ୍ରାଜ୍ୟର ଅର୍ନ୍ତଭୁକ୍ତ ଥିଲା, ସେଠାରେ ପ୍ରାୟତଃ ଆରବୀ ଭାଷା କହୁଥିବା ମୂଳତଃ ମୁସଲମାନ ସମ୍ପ୍ରଦାୟର ଲୋକେ ରହୁଥିଲେ। ଅତଏବ ମୂଳତଃ ଆରବମାନଙ୍କ ବାସସ୍ଥଳୀ ରୂପେ ପରିଚିତ ପାଲେଷ୍ଟାଇନ୍ରେ ଇହୁଦୀମାନେ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟ ଥିଲେ।
ତେବେ ପାଲେଷ୍ଟାଇନ୍ରେ ଇହୁଦୀମାନଙ୍କ ସଂଖ୍ୟାରେ ଏକ ବହୁତ ବଡ଼ ବିକାଶ ହେଲା ୧୯୧୮ ମସିହାର ପ୍ରଥମ ବିଶ୍ୱଯୁଦ୍ଧ ପରେ। ସେତେବେଳେ ଯୁଦ୍ଧ ଜିତିବାକୁ ବ୍ରିଟିଶ ସରକାର ଦେଶର ବଡ଼ ଧନୀ ରୂପେ ପରିଚିତ ଇହୁଦୀମାନଙ୍କ ଆର୍ଥିକ ସହାୟତା ମାଗିଥିଲେ। ସେତେବେଳେ ଇହୁଦୀମାନେ ବିଶ୍ୱ ଜିଓନବାଦୀ ମଂଚ ନାଁରେ ବିଶ୍ୱସ୍ତରରେ ଏକତ୍ରିତ ହେଉଥିଲେ। ଆର୍ଥିକ ସହାୟତା ପାଇଁ ଇଂଲଣ୍ଡ ସରକାରଙ୍କ ଅନୁରୋଧକୁ ସେମାନେ ରଖିବା ସହ ପ୍ରତିବଦଳରେ ଯୁଦ୍ଧ ସରିବା ପରେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦେଶ ନିର୍ମାଣର ପ୍ରତିଶୃତି ଚାହିଁଲେ। ଯୁଦ୍ଧରେ ଇଂଲଣ୍ଡ ଓ ତା’ର ମିତ୍ର ଦେଶମାନେ ଜିତିବା ସହ ଅଟୋମାନ ସାମ୍ରାଜ୍ୟ ମଧ୍ୟ ଏସିଆରେ ଇଂଲଣ୍ଡ ଓ ଫ୍ରାନ୍ସ୍ ଅଧୀନକୁ ଆସିଗଲା। ଇରାକ୍ ଓ ପାଲେଷ୍ଟାଇନ୍ ଅଞ୍ଚଳରେ ବ୍ରିଟିଶମାନଙ୍କ ଶାସନ ପ୍ରତିଷ୍ଠା ହେଲା। ଅତଏବ ପ୍ରତିଶୃତି ମୁତାବକ ବ୍ରିଟିଶମାନେ ପାଲେଷ୍ଟାଇନ୍କୁ ଭବିଷ୍ୟତରେ ଇହୁଦୀମାନଙ୍କ କଳ୍ପିତ ପ୍ରମିଜଡ଼୍ ଲ୍ୟାଣ୍ଡ୍ କରିବା ଲକ୍ଷ୍ୟରେ ସେଠାକୁ ଇହୁଦୀମାନଙ୍କ ଅନୁପ୍ରବେଶକୁ ଅନୁମତି ଦେଇ ପ୍ରୋତ୍ସାହିତ କଲେ। ଏହା ପରେ ସେଠାକୁ ସାରା ବିଶ୍ୱରୁ ଇହୁଦୀମାନଙ୍କ ଆଗମନ ଦୃତ ଗତିରେ ବୃଦ୍ଧି ପାଇଲା। ତେବେ ଏତେ ସଂଖ୍ୟାରେ ଇହୁଦୀଙ୍କ ଆଗମନ ଫଳରେ ପାଲେଷ୍ଟାଇନରେ ସଙ୍କଟ ସୃଷ୍ଟି ହେଲା। ଇହୁଦୀଙ୍କ ଅସ୍ୱାଭାବିକ ସଂଖ୍ୟାବୃଦ୍ଧିରେ ସେଠାକାର ମୂଳ ନିବାସୀ ଆରବୀମାନେ ଆଶଙ୍କିତ ହେଲେ। ଇହୁଦୀମାନଙ୍କ ସଂଖ୍ୟାବୃଦ୍ଧିରେ ପାଲେଷ୍ଟାଇନର ଆରବମାନେ ନିଜକୁ ଅସୁରକ୍ଷିତ ମନେ କରିବା ସହ ଶେଷରେ ଉଭୟଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଦେଖାଗଲା। ଯଦିଓ ଉପରୋକ୍ତ ସଙ୍କଟ ବ୍ରିଟିଶମାନଙ୍କ ‘ଡିଭାଇନ୍ ଆଣ୍ଡ୍ ରୁଲ୍’ର ଅଂଶବିଶେଷ ଥିଲା, କିନ୍ତୁ ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ସେମାନେ ବାଧ୍ୟ ହୋଇ ସେଠାକୁ ଇହୁଦୀଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲେ।
ଦ୍ୱିତୀୟ ବିଶ୍ୱଯୁଦ୍ଧର ସମାପ୍ତିର ତୁରନ୍ତ ପରେ ବ୍ରିଟେଶମାନେ ପାଲେଷ୍ଟାଇନ ଭୂଖଣ୍ଡରେ ଇହୁଦୀମାନଙ୍କ ପାଇଁ ସ୍ୱତନ୍ତ୍ର ଦେଶ ଗଠନ କାମଟି ସଦ୍ୟ ଗଠିତ ମିଳିତ ଜାତିସଂଘ ଉପରେ ନ୍ୟସ୍ତ କରିଥିଲେ। ଦ୍ୱିତୀୟ ଯୁଦ୍ଧ ପରେ ଆମେରିକା ଓ ବ୍ରିଟେନ୍ ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଦେଶମାନେ ବିଶ୍ୱର ନିର୍ଯ୍ୟାତିତ ଇହୁଦୀମାନଙ୍କ ବୋଝକୁ ନିଜେ ନ ମୁଣ୍ଡାଇ ଆରବୀମାନଙ୍କ ପାଲେଷ୍ଟାଇନ ଭୂଖଣ୍ଡରେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦେଶ ଇସ୍ରାଏଲ ଗଠନ କରିଥିଲେ। ଏହିକ୍ରମରେ ୧୯୪୭ରେ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଗୃହୀତ ହୋଇ ପାଲେଷ୍ଟାଇନ୍ ଭୂଖଣ୍ଡକୁ ପାଲେଷ୍ଟାଇନ୍ ଓ ଇସ୍ରାଏଲ ନାମରେ ଦୁଇ ଭାଗ କରି ଇସ୍ରାଏଲ ଗଠିତ ହୋଇଥିଲା। ସେତେବେଳେ ସେଠାରେ ଇହୁଦୀମାନଙ୍କ ଜନସଂଖ୍ୟା ମୋଟ ଜନସଂଖ୍ୟାର ମାତ୍ର ୩୦% ରହିଥିବା ବେଳେ ସେମାନେ କିନ୍ତୁ ମାତ୍ର ୭% ଜମିର ମାଲିକ ଥିଲେ। କିନ୍ତୁ ଅର୍ନ୍ତଜାତୀୟ ସ୍ତରରେ ଇହୁଦୀମାନଙ୍କ ଶକ୍ତିଶାଳୀ ଲବିର ପ୍ରଭାବରେ ମିଳିତ ଜାତିସଂଘ ସେଠାକାର ୫୫% ସ୍ଥଳଭାଗକୁ ଇସ୍ରାଏଲ ଦେଶ ନିମନ୍ତେ ଚିହ୍ନଟ କରି ବଳକା ମାତ୍ର ୪୫% ଭୂଖଣ୍ଡକୁ ପାଲେଷ୍ଟାଇନର ଆରବ ଲୋକଙ୍କ ପାଇଁ ରଖିଲେ। ଏଭଳି ବିଭାଜନ ସମ୍ପୂର୍ଣ୍ଣ ରୂପେ ଭେଦଭାବପୂର୍ଣ୍ଣ ଓ ଅତାର୍କିକ ଥିଲା ଏବଂ ଇହୁଦୀମାନଙ୍କୁ ସେମାନଙ୍କ ସଂଖ୍ୟା ଓ ଆବଶ୍ୟକତାଠାରୁ ବହୁ ଅଧିକ ଜମି ଦେବାକୁ ଯାଇ ପାଲେଷ୍ଟାନୀୟମାନଙ୍କ ଜମିକୁ ଅନ୍ୟାୟପୂର୍ଣ୍ଣ ଭାବେ ଛଡ଼େଇ ନିଆଯାଇଥିଲା।
ଅତଏବ ଜାତିସଂଘର ଏହି ନିଷ୍ପତିକୁ ନେଇ ପାଲେଷ୍ଟାଇନ୍ ଓ ସମଗ୍ର ଆରବ ଭୂଖଣ୍ଡରେ ଲୋକଙ୍କ ଭିତରେ ଭୟଙ୍କର ଅସନ୍ତୋଷ ସୃଷ୍ଟି ହେବା ସହ ଶେଷରେ ଇସ୍ରାଏଲ-ଆରବ ଯୁଦ୍ଧ ହୋଇଥିଲା। ତେବେ ଆମେରିକା ଓ ଇଂଲଣ୍ଡର ପ୍ରତ୍ୟକ୍ଷ ସହାୟତାରେ ଇସ୍ରାଏଲର ନୂଆ ଶାସକମାନେ ଆରବୀମାନଙ୍କୁ ଏହି ଯୁଦ୍ଧରେ ପରାସ୍ତ କରି ଜାତିସଂଘ ଦ୍ୱାରା ସ୍ଥିରୀକୃତ ଭୂଭାଗଠାରୁ ଅଧିକ ୨୫% ଅର୍ଥାତ୍ ମୂଳ ପାଲେଷ୍ଟାଇନ୍ର ୮୦% ଭୂଭାଗକୁ ବଳପୂର୍ବକ କବ୍ଜା କରିବା ସହ ସାରା ବିଶ୍ୱରୁ ଇହୁଦୀମାନଙ୍କୁ ଆଣି ସେଠାରେ ଥଇଥାନ କଲେ। ଅଥଚ ଗତ ୭୫ ବର୍ଷ ମଧ୍ୟରେ ଇସ୍ରାଏଲ୍ର ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମତେ ଏକ ଲକ୍ଷରୁ ଅଧିକ ପାଲେଷ୍ଟାନୀୟ ପ୍ରାଣ ହରାଇଥିବା ବେଳେ ପ୍ରାୟ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ପାଲେଷ୍ଟାନୀୟ ନିଜ ଦେଶରୁ ଉଦ୍ବାସ୍ତୁ ହୋଇ ଆଜି ବିଶ୍ୱର ବିଭିନ୍ନ ଦେଶରେ ରହୁଛନ୍ତି। ୧୯୬୯ ମସିହାଠାରୁ ପାଲେଷ୍ଟାଇନ୍ର ୮୫%ରୁ ଅଧିକ ଭୂଭାଗକୁ ଇସ୍ରାଏଲ୍ ବେଆଇନ କବ୍ଜାରେ ରଖିଥିବା ବେଳେ ୱେଷ୍ଟବ୍ୟାଙ୍କ୍ ଅଞ୍ଚଳରେ ବେଆଇନ ଭାବେ ଜନବସତି ଗଢ଼ି ଚାଲିଛି ଯାହାକୁ ଖୋଦ୍ ମିଳିତ ଜାତିସଂଘ ବେଆଇନ କାର୍ଯ୍ୟ ବୋଲି କହି ତାକୁ ବନ୍ଦ କରିବାକୁ ବାରମ୍ବାର କହିଛି।
ଆମେରିକା ଓ ଅନ୍ୟ ପଶ୍ଚିମୀ ଦେଶମାନଙ୍କ ସମର୍ଥନରେ ଇସ୍ରାଏଲର ଜିଓନବାଦୀ ଶାସକମାନେ ମିଳିତ ଜାତିସଂଘର ସମସ୍ତ ନିଷ୍ପତ୍ତି ଓ ଅନ୍ୟ ଅର୍ନ୍ତଜାତୀୟ ଚୁକ୍ତିକୁ ଏକଦମ୍ ବେଖାତିର କରି ପାଲେଷ୍ଟାନୀୟଙ୍କ ଉପରେ ବର୍ବରୋଚିତ ହିଂସା ଓ ଜୁଲୁମ୍ ଅବ୍ୟାହତ ରଖିଛନ୍ତି। ହିଟଲରର ନକଲରେ ଆରବୀମାନଙ୍କୁ ପାଲେଷ୍ଟାଇନ୍ରୁ ସଂପୂର୍ଣ୍ଣ ଉନ୍ମୁଳନ କରିବାକୁ ସେମାନେ ଯେଉଁ ଅଭିଯାନ ଚଳାଇଛନ୍ତି ତାରି ଫଳରେ ପାଲେଷ୍ଟାଇନର ୫୨୦ଟି ଆରବୀ ଉପଜାତି ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛନ୍ତି। ପାଲେଷ୍ଟାଇନବାସୀଙ୍କ ଉପରେ ଏଯାଏଁ ମୋଟ ୫୨ଟି ନରସଂହାର ସଂଗଠିତ କରିଛି। ୱେଷ୍ଟବ୍ୟାଙ୍କରେ ବଳପୂର୍ବକ ବସବାସ କରୁଥିବା ଇସ୍ରାଏଲୀ ନାଗରିକମାନେ ନିଜ ଦେଶର ସରକାରଠାରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ହାସଲ କରୁଥିଲେ ବି ସେଠାକାର ପାଲେଷ୍ଟାଇନବାସୀ ନିଜ ଦେଶରେ ନାଗରିକ ଭାବେ ସେମାନଙ୍କ ଅଧିକାର ଏଯାଏଁ ପାଇପାରି ନାହାଁନ୍ତି। ଦୀର୍ଘ ୭୫ ବର୍ଷ ଧରି ସେମାନେ ନିଜର ମାତୃଭୂମିରେ ଏକ ରାଷ୍ଟ୍ରହୀନ ଓ ପ୍ରବାସୀ ମଣିଷ ଭାବେ ଏକରକମ ଗୋଲାମୀ ଜୀବନ ଯାପନ କରିବାକୁ ବାଧ୍ୟ ହୋଇଛନ୍ତି।
ଗାଜାପଟ୍ଟି ଆଜି ବିଶ୍ୱର ସବୁଠାରୁ ବଡ଼ ଖୋଲା ଜେଲରେ ପରିଣତ ହୋଇଛି। ୨୦୦୬ଠାରୁ ସେମାନଙ୍କ ଜଳ, ସ୍ଥଳ ଓ ଆକାଶ ପଥ ଉପରେ ଇସ୍ରାଏଲ ସମ୍ପୂର୍ଣ୍ଣ କବ୍ଜାରହିଛି। ଏପରିକି ଗାଜାପଟ୍ଟି ଓ ୱେଷ୍ଟବ୍ୟାଙ୍କ୍ ଉଭୟ ଗୋଟିଏ ଦେଶର ହେଲେ ବି ଇସ୍ରାଏଲ ସେହି ଦୁହିଙ୍କ ମଧ୍ୟବର୍ତ୍ତି ଜାଗାକୁ କବ୍ଜା କରି ସେମାନଙ୍କୁ ଭୌଗୋଳିକ ଭାବେ ବିଛିନ୍ନ କରି ରଖିଛି। ବିଦେଶୀ କବ୍ଜା ଯୋଗୁଁ ସେମାନଙ୍କ ଅର୍ଥନୀତି ଏକଦମ୍ ଧ୍ୱଂସ ହୋଇଯାଇଛି। ନିଜର ଆବଶ୍ୟକୀୟ ପ୍ରତ୍ୟେକ ଜିନିଷ ପାଇଁ ସେମାନଙ୍କୁ ଇସ୍ରାଏଲର ବଜାର ଉପରେ ନିର୍ଭର କରିବାକୁ ପଡ଼ୁଛି। ଇସ୍ରାଏଲର ମୁଣ୍ଡପିଛା ଜିଡିପି ୫୬ ହଜାର ଡଲାର ଥିବା ବେଳେ ପାଲେଷ୍ଟାଇନବାସୀଙ୍କ ମୁଣ୍ଡପିଛା ଜିଡିପି ହଜାରେ ଡଲାରରୁ ବି କମ୍ ରହିଛି। ସେଠାକାର ଲୋକଙ୍କ ମଧ୍ୟରେ ଭୟଙ୍କର ଗରିବୀ ରହିଥିବା ବେଳେ ୮୦% ଯୁବକଯୁବତୀ ବେକାର ଅଛନ୍ତି। ଇସ୍ରାଏଲର କବ୍ଜା ଓ ବିସ୍ଥାପନ ଫଳରେ ସେଠାକାର ଅଧିକାଂଶ ଲୋକ ମାତ୍ର ୧୪୦ ବର୍ଗ ମାଇଲ ପରିମିତ ଗାଜାପଟ୍ଟିରେ ରହିବାକୁ ବାଧ୍ୟ ହୋଇଛନ୍ତି। ୨୩ ନିୟୁତ ଲୋକ ବାସ କରୁଥିବା ଗାଜା ଏବେ ବିଶ୍ୱର ଅନ୍ୟତମ ଘନ ଜନବସତି ଅଞ୍ଚଳ, ଯେଉଁଠି ପ୍ରତି ବର୍ଗ କିମିରେ ଦଶ ହଜାର ଲୋକ ରହୁଛନ୍ତି। ଆଜି ପାଲେଷ୍ଟାଇନରେ ଯେଉଁ ହିଂସା ସୃଷ୍ଟି ହୋଇଛି ସେଥିପାଇଁ ଇସ୍ରାଏଲ ହିଁ ଦାୟୀ। କାରଣ ପାଲେଷ୍ଟାଇନୀୟମାନେ ନିଜର ସ୍ୱାଧୀନତା ଓ ଅଧିକାର ପାଇଁ ଏଯାଏଁ ଶାନ୍ତିପୂର୍ଣ୍ଣ ରାସ୍ତାକୁ ଆପଣେଇ ସାରିଥିଲେ ବି ଇସ୍ରାଏଲର ଶାସକମାନଙ୍କୁ କିଛି ଫରକ ପଡ଼ିନି। ନିକଟରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ମିଳିତ ଜାତିସଂଘରେ ଇସ୍ରାଏଲର ଯେଉଁ ନୂଆ ମାନଚିତ୍ର ଦେଖାଇଛନ୍ତି ତା’ରି ମଧ୍ୟରେ ଗାଜାପଟ୍ଟି, ୱେଷ୍ଟବ୍ୟାଙ୍କ୍ ଓ ଜେରୁଜେଲମ୍ ପରି ପାଲେଷ୍ଟାଇନର ସବୁ ଅଂଚଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଅର୍ଥ ହେଲା, ସେମାନେ ମିଳିତ ଜାତିସଂଘ ଦ୍ୱାରା ସ୍ଥିରୀକୃତ ପାଲେଷ୍ଟାଇନ ରାଷ୍ଟ୍ରର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ସମାପ୍ତ କରି ତାକୁ ଇସ୍ରାଏଲରେ ମିଶାଇ ଦେବାର ବିପଜ୍ଜନକ ବିଚାର ରଖିଛନ୍ତି। ଅଥଚ ପାଲେଷ୍ଟାଇନବାସୀଙ୍କୁ ନିଜର ନାଗରିକ କରିବାକୁ ପ୍ରସ୍ତୁତ ନୁହଁନ୍ତି। ନିକଟରେ ଇସ୍ରାଏଲ୍ର ସେନାମୁଖ୍ୟ ପାଲେଷ୍ଟାନୀୟମାନଙ୍କୁ ‘ମଣିଷ ପଶୁ’ ବୋଲି କହିବା ସହ ସେମାନଙ୍କୁ ନିଃଶେଷ କରିବା ଜରୁରୀ ବୋଲି ମନ୍ତବ୍ୟ ଦେଇ ନିଜର ଘୃଣିତ ଜିଓନବାଦୀ ବିଚାରକୁ ଉଜାଗର କରିଛନ୍ତି। ଅତଏବ ଯେତେବେଳେ ଗୋଟିଏ ସ୍ୱାଧୀନ ଦେଶକୁ ସାମରିକ ଶକ୍ତି ବଳରେ କବ୍ଜା କରି ସେମାନଙ୍କୁ ଗୋଲାମ କରାଯିବ, ସେମାନଙ୍କୁ ନିଜର ଭିଟାମାଟିରୁ ଉଦ୍ବାସ୍ତୁ କରାଯିବ, ସେମାନଙ୍କ ଅର୍ଥନୀତିକୁ ଧ୍ୱଂସ କରି ଦିଆଯିବ, ସେମାନଙ୍କୁ ପୋକମାଛି ପରି ହତ୍ୟା କରି ସମ୍ପୂର୍ଣ୍ଣ ଉନ୍ମୁଳନ କରିବାକୁ ଷଡ଼ଯନ୍ତ୍ର କରାଯିବ ଏବଂ ଏଭଳି ପରିସ୍ଥିତିରେ ସେମାନଙ୍କ ଉପରେ ହେଉଥିବା ଅନ୍ୟାୟ, ଜୁଲୁମ୍କୁ ବନ୍ଦ କରିବାକୁ ବିଶ୍ୱବାସୀ କୌଣସି ପଦକ୍ଷେପ ନେବନି, ସେତେବେଳେ ସେଠାକାର ଲୋକେ ପ୍ରତିରୋଧ କରିବା ବ୍ୟତିତ ଆଉ କ’ଣ କରିବେ? ଅତଏବ ଏଠାରେ ପ୍ରସଙ୍ଗ ହାମାସର ନୁହେଁ ବରଂ ପାଲେଷ୍ଟାଇନର ସ୍ୱାଧନୀତା ଓ ମୁକ୍ତି।
ଫୋନ - ୯୪୩୭୧୬୬୩୯୧
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।