/odisha-reporter/media/post_attachments/uploadimage/library/16_9/16_9_0/IMAGE_1755930054.jpg)
Special Intensive Revision In Voter List
ଜାନକୀଶ ବଡ଼ପଣ୍ଡା
ଆସନ୍ତା ସେପ୍ଟେମ୍ବର ମାସରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଭୋଟିର ତାଲିକାରେ ‘ଏସ.ଆଇ.ଆର.’ (ସ୍ପେସାଲ ଇଣ୍ଟେନସିଭ ରିଭିଜନ) ବା ‘ସ୍ୱତନ୍ତ୍ର ସଘନ ସଂଶୋଧନ’ ପ୍ରକ୍ରିୟା। ଦୀର୍ଘ ୨୪ ବର୍ଷ ପରେ ଆମ ରାଜ୍ୟରେ ଏସଆଇଆର ହେବାକୁ ଥିବାରୁ ଏବଂ ରାହୁଳ ଗାନ୍ଧୀଙ୍କ ‘ଭୋଟ ଚୋରି’ ଅଭିଯୋଗ ସିଧାସଳଖ ନିର୍ବାଚନ କମିସନ ଆଡ଼କୁ ଇଙ୍ଗିତ କରାଯାଇ ଥିବାରୁ ଓଡ଼ିଶାର ରାଜନୈତିକ ଦଳମାନଙ୍କ ମଧ୍ୟରେ ମଧ୍ୟ ଆଲୋଡ଼ନ ସୃଷ୍ଟି ହୋଇଛି।
ପାଠକମାନଙ୍କ ମନେ ଥିବ ଯେ, ଅଗଷ୍ଟ ୧୨ ତାରିଖରେ ବମ୍ବେ ହାଇକୋର୍ଟର ବିଚାରପତି ଅମିତ ବୋରକରଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଦେଇଥିଲେ ଯେ, ଜଣେ ଭାରତର ନାଗରିକ କି ନୁହନ୍ତି, ତାହା ଆଧାର, ପ୍ୟାନ୍ କିମ୍ବା ଭୋଟର ପରିଚୟପତ୍ର ଦ୍ୱାରା ପ୍ରମାଣିତ ହୋଇପାରିବ ନାହିଁ। କେବଳ ଆଧାର କାର୍ଡ, ପାନ କାର୍ଡ କିମ୍ବା ଭୋଟର ପରିଚୟପତ୍ର ରଖିବା ଦ୍ୱାରା କେହି ଜଣେ ଭାରତୀୟ ନାଗରିକ ବୋଲି ନିଜକୁ ସାବ୍ୟସ୍ତ କରିପାରିବେ ନାହିଁ। ଏହି ତିନୋଟି ଦଲିଲ (ଡକ୍ୟୁମେଣ୍ଟ) କେବଳ ନିଜର ପରିଚୟ କିମ୍ବା ସରକାରୀ ସେବା ପାଇବା ପାଇଁ ଉଦ୍ଦିଷ୍ଟ; ନାଗରିକତା ନିର୍ଣ୍ଣୟ ପାଇଁ ନୁହେଁ। ଅଦାଲତ କହିଥିଲେ ଯେ ୧୯୫୫ର ନାଗରିକତା ଆଇନ ଅନୁସାରେ କିଏ ଭାରତୀୟ ନାଗରିକ, କିପରି ନାଗରିକତା ମିଳିବ ଏବଂ କେଉଁ ପରିସ୍ଥିତିରେ ନାଗରିକତା ସମାପ୍ତ କରାଯାଇପାରିବ ତାହା ନିର୍ଣ୍ଣିତ ହୋଇଛି। ଅବୈଧ ପ୍ରବାସୀଙ୍କୁ ନାଗରିକତା ପ୍ରଦାନ ପାଇଁ ବାରଣ କରାଯାଇଛି। ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ଏବଂ ଅଧିକାରକୁ ଯେପରି ଅବୈଧ ପ୍ରବାସୀମାନେ ନପାଇବେ, ତାହା ସୁନିଶ୍ଚିତ କରି ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବାରେ ନାଗରିକତା ଆଇନ ସାହାଯ୍ୟ କରେ।
ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆଧାର କାର୍ଡ ଭାରତୀୟ ନାଗରିକର ପ୍ରମାଣ ଦିଏ ନାହିଁ। ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇ ଖଣ୍ଡପୀଠ ଅଧ୍ୟକ୍ଷ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଆଧାରକୁ ନାଗରିକତାର ପ୍ରମାଣ ଭାବରେ ବିବେଚନା କରାଯାଇପାରିବ ନାହିଁ। ଭୋଟର ତାଲିକାରୁ ନାଗରିକଙ୍କ ଅନ୍ତର୍ଭୁକ୍ତି ଏବଂ ଅଣନାଗରିକଙ୍କୁ ବାଦ ଦେବା ନିର୍ବାଚନ କମିସନଙ୍କ କ୍ଷମତାଧୀନ। ଆଧାର ଆଇନର ଧାରା ୯ରେ ବର୍ଣ୍ଣିତ ନିୟମାନୁସାରେ ନାଗରିକଙ୍କ ଅନ୍ତର୍ଭୁକ୍ତି ପୂର୍ବରୁ ଏହାକୁ ଯାଞ୍ଚ କରିବାକୁ ପଡ଼ିବ।
ବିହାରରେ ଅତ୍ୟନ୍ତ ବିବାଦୀୟ ହୋଇ ଉଠିଥିବା ‘ଏସଆଇଆର’ ପ୍ରକ୍ରିୟାରେ ସ୍ୱଚ୍ଛତାର ଅଭାବ ଏବଂ ତ୍ରୁଟି ସଂଦର୍ଭରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ପ୍ରଦତ୍ତ ପ୍ରଥମ ଅନ୍ତରୀଣ ରାୟ ଏହାକୁ ବିରୋଧ କରୁଥିବା ରାଜନୈତିକ ଦଳ ଏବଂ ସାମାଜିକ କର୍ମୀଙ୍କ ମଧ୍ୟରେ ଆଶ୍ୱାସନା ଆଣିଛି। ଆସନ୍ତା ନଭେମ୍ବର ମାସରେ ବିହାରରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ବିଶୁଦ୍ଧୀକରଣ ସକାଶେ ଭାରତର ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ମୁତାବକ ବିହାର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏସଆଇଆର କରାଯାଉଛି। ଏହା ନିଶ୍ଚିତ ଭାବେ ଏକ କଠୋର ପଦକ୍ଷେପ, ଯାହା ଦୀର୍ଘ ୨୪ ବର୍ଷ ପରେ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ କରାଯାଉଛି। ନିର୍ବାଚନ କମିସନ ଆଶା ପ୍ରକାଶ କରୁଛନ୍ତି ଯେ, ଏହା ଦ୍ୱାରା ନକଲି ଭୋଟରମାନେ ଅବଲୀଳା କ୍ରମେ ତାଲିକାରୁ ବହିଷ୍କୃତ ହୋଇଯାଇ ପାରିବେ।
ବିହାରରେ ବେଆଇନ ଅନୁପ୍ରବେଶକାରୀମାନେ ମୁଖ୍ୟତଃ ବାଂଲାଦେଶୀ ଓ ନେପାଳୀ। ଏମାନଙ୍କ ଛଡ଼ା ଏକାଧିକ ସ୍ଥାନରୁ ଭୋଟର ପରିଚୟ ପତ୍ର ହାସଲକାରୀ, ମୃତ୍ୟୁବରଣ କରିସାରିଥିଲେ ବି ସେମାନଙ୍କ ଭୋଟର ପରିଚୟ ପତ୍ର ବ୍ୟବହାର କରି ମତଦାନ କରୁଥିବା ଦୁରାଚାରୀମାନେ ମଧ୍ୟ ନକଲି ଭୋଟର। ଏହି ନକଲି ମତଦାତାମାନେ ନିର୍ବାଚନ ପ୍ରକ୍ରିୟାରୁ ବାଦ ପଡ଼ିବା ଉଚିତ- ଏହା ସଭିଏଁ ନିଶ୍ଚୟ ସ୍ୱୀକାର କରିବେ। ଭାରତୀୟ ଗଣତନ୍ତ୍ରର ସ୍ଵାସ୍ଥ୍ୟରକ୍ଷା ତଥା ବିକାଶ ପାଇଁ ଏହା ଆବଶ୍ୟକ। ସେଥିପାଇଁ ପ୍ରଶ୍ନ ଉଠିବା ସ୍ଵାଭାବିକ ଯେ ଏଭଳି ଏକ ସ୍ୱାଗତଯୋଗ୍ୟ କାର୍ଯ୍ୟାନୁଷ୍ଠାନକୁ ନେଇ କାହିଁକି ବିବାଦ ହେଉଛି?
ବିବାଦର ପ୍ରଥମ କାରଣଟି ହେଲା ଯେ, ଭାରତର ନିର୍ବାଚନ କମିସନ ଏଭଳି ଏକ ଅତ୍ୟନ୍ତ ଗମ୍ଭୀର, ସ୍ପର୍ଶକାତର ତଥା ଅତିକାୟ ପ୍ରକରଣକୁ ଅତି ତରବରିଆ ଭାବେ ମାତ୍ର ଚାରି ସପ୍ତାହ ମଧ୍ୟରେ ସମାପ୍ତ କରିବାର ସିଦ୍ଧାନ୍ତ ନେଇଛନ୍ତି। ଫଳରେ ମତଦାତା ତାଲିକାରୁ ବାଦ ପଡୁଥିବା ପ୍ରତ୍ୟେକ ନାଗରିକଙ୍କୁ ନିର୍ଦ୍ଦିଷ୍ଟ ଫର୍ମ ମାଧ୍ୟମରେ ଆବଶ୍ୟକ ଫଟୋ ଓ ପ୍ରାମାଣିକ ଦଲିଲ ସଂଲଗ୍ନ କରି ଦାଖଲ କରିବା ଅସମ୍ଭବ ମନେହେଉଛି। ଯଦି ସେମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏତେଗୁଡ଼ିଏ କାମ ସାରି ନପାରନ୍ତି, ସେମାନେ ନିଶ୍ଚୟ ଭୋଟର ତାଲିକାରୁ ବାଦ ପଡ଼ିଯିବେ। ବିହାର ରାଜ୍ୟରୁ ଦାଦନ ଏବଂ ପ୍ରବାସୀ ଶ୍ରମିକମାନଙ୍କ ସଂଖ୍ୟା ବହୁ ଅଧିକ। ସେମାନେ ଜୁଲାଇ ୧୪ରୁ ଆରମ୍ଭ ହୋଇ ଅଗଷ୍ଟ ୧୪ ଯାଏଁ ଚାଲୁ ରହିଥିବା ଏକ ମାସ ସମୟ ମଧ୍ୟରେ ନିଜର ଗ୍ରାମରେ ଉପସ୍ଥିତ ରହି ଫର୍ମ ଦାଖଲ କରିବା ଏକ ଦୁରୂହ ବ୍ୟାପାର। ଅବଶ୍ୟ, ବାହାର ରାଜ୍ୟରେ ଥାଇ ଇଣ୍ଟରନେଟ୍ ସହାୟତାରେ ‘ଅନଲାଇନ’ ମାଧ୍ୟମରେ କିଛି ପ୍ରବାସୀ ବିହାରବାସୀ ଏହି କାର୍ଯ୍ୟ ସଂପନ୍ନ କରିପାରିଥିଲେ ବି କୃଷି ବା ନିର୍ମାଣ ଶ୍ରମିକ ରୂପେ କାର୍ଯ୍ୟରତ ଅଶିକ୍ଷିତ ଏବଂ ଅତ୍ୟନ୍ତ ଗରିବ ଲୋକମାନେ ଏହାର କୌଣସି ପ୍ରକାର ସୁବିଧା ନେବା ସମ୍ଭବ ନଥିଲା।
ଦ୍ୱିତୀୟ କାରଣଟି ଥିଲା ଯେ, ଏହି ପ୍ରକରଣରେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଏବଂ ରାସନ କାର୍ଡକୁ ପରିଚୟ ଓ ଆବାସ ପ୍ରମାଣ ରୂପେ ସ୍ଵୀକାର କରା ନ ଯିବାର ନିୟମ। ଏସବୁ କିନ୍ତୁ ପ୍ରାୟ ୯୦ ପ୍ରତିଶତ ନାଗରିକଙ୍କ ପାଖରେ ପରିଚୟ ଓ ସ୍ଥାୟୀ ଗୃହ ଠିକଣାର ପ୍ରମାଣ ସ୍ୱରୂପ କେବଳ ମହଜୁଦ ନଥିଲା, ବରଂ ସେମାନଙ୍କୁ ଧାରଣା ଦିଆ ଯାଇଥିଲା ଯେ, ଏକମାତ୍ର ଆଧାର କାର୍ଡ଼ ହିଁ ସର୍ବୋପରି। ଉଲ୍ଲେଖଯୋଗ୍ୟ ଯେ ଯେଉଁ ୧୧ଟି ପ୍ରମାଣ ବିଶିଷ୍ଟ ତାଲିକା ଦିଆଗଲା, ତାହା ମଧ୍ୟରୁ ଯେ କୌଣସି ଗୋଟିଏ ଦାଖଲ କଲେ ଗ୍ରହଣୀୟ ବୋଲି କୁହାଗଲା। ଏହି ତାଲିକାରେ ଥିଲା: ପାସପୋର୍ଟ, ସରକାରୀ କର୍ମଚାରୀଙ୍କ ପେନସନ କାଗଜପତ୍ର, ମାଟ୍ରିକ ସାର୍ଟିଫିକେଟ, କୌଣସି ବ୍ୟାଙ୍କ ବା ପୋଷ୍ଟ ଅଫିସ ଦ୍ୱାରା ୧୯୮୫ ମସିହା ପୂର୍ବରୁ ପ୍ରଦାନ କରାଯାଇଥିବା କୌଣସି ପରିଚୟ ପତ୍ର, ଜନ୍ମ ସାର୍ଟିଫିକେଟ, ଜାତି ପ୍ରମାଣ ପତ୍ର ଇତ୍ୟାଦି ଯାହା ବିହାରର ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ନିକଟରେ ନାହିଁ। ଯାହା ବା ଥାଆନ୍ତା, ବିହାରରେ ଲଗାତାର ଭାବେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ସମୟରେ ଲୋକମାନେ ଦଲିଲ ଧରି ପଳାୟନ କରିବା ଅପେକ୍ଷା ପିଲା ଛୁଆଙ୍କ ଜୀବନ ବଞ୍ଚାଇ ଗାଁ ଛାଡ଼ିବାକୁ ଶ୍ରେୟଷ୍କର ମଣିଥିଲେ। ସେମାନଙ୍କ ପାଖରୁ ଏଭଳି ଦଲିଲ ଆଶାକରିବା ଏକ ନିଷ୍ଠୁର ପରିହାସ ମନେହୁଏ।
ତୃତୀୟ କାରଣଟି ନିର୍ବାଚନ କମିସନଙ୍କ ଦ୍ୱାରା ୨୦୦୩ ମସିହାକୁ ଏକ ‘ସମୟ-ବିଭାଜିକା’ ରୂପେ ଗ୍ରହଣ କରାଯିବାର ନିୟମ। ଏଥିରେ ଥିଲା ଯେ, ୨୦୦୩ ମସିହା ଓ ତାହା ପୂର୍ବର ଭୋଟର ତାଲିକାରେ ନାମ ଥିବା ବ୍ୟକ୍ତିମାନେ ଏଭଳି ଯାଞ୍ଚର ସମ୍ମୁଖୀନ ହେବେନାହିଁ ଏବଂ ୨୦୦୩ ପରେ ସୂଚୀଭୁକ୍ତ ହୋଇଥିବା ସମସ୍ତଙ୍କୁ ପ୍ରାମାଣିକ ଦଲିଲ ଦାଖଲ କରିବାକୁ ହେବ। ସୁତରାଂ, ଏହି ପ୍ରକରଣରେ ୧୯୮୫ ମସିହାରୁ ୨୦୦୪ ମସିହା ମଧ୍ୟରେ ଜନ୍ମିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଲାଗି ଏବଂ ସେମାନଙ୍କ ପିତାମାତାଙ୍କ ସକାଶେ ଭାରତୀୟ ନାଗରିକ ହୋଇଥିବାର ପ୍ରମାଣ ବହନକାରୀ ଦଲିଲ ଦାଖଲ କରିବାକୁ ପଡ଼ିଲା। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ନିର୍ବାଚନ କମିସନ ନିୟମିତ ଭାବେ ଭୋଟର ତାଲିକାର ସଂଶୋଧନ କରି ନ ଥାଆନ୍ତି କି? ତାହା ହେଲେ ୨୦୦୩ ମସିହା ଭଳି ଏକ କୁହୁକ ବର୍ଷର ସହସା ଆବିର୍ଭାବ ଘଟିଲା କାହିଁକି? ତାହାର ଉତ୍ତର ଅବଶ୍ୟ ମିଳିନାହିଁ ଏବଂ ନିର୍ବାଚନ କମିସନଙ୍କ ଉତ୍ତରକୁ ଦେଶବାସୀ ଅପେକ୍ଷା କରିଛନ୍ତି।
ତାଲିକାରୁ ବହିର୍ଭୂତ ବ୍ୟକ୍ତିମାନଙ୍କ ନାମକୁ ସବିଶେଷ କାରଣ ସହିତ ୱେବ୍ସାଇଟ୍ରେ ପ୍ରକାଶ କରିବାକୁ ନିର୍ବାଚନ କମିସନ ଅନେକ ଟାଳଟୁଳ କରିଥିଲେ। ନିଜର ନାଗରିକତ୍ୱ ହଟାଇ ଦିଆଯାଇଥିବାର କାରଣ ସଂପର୍କରେ ‘କମିସନଙ୍କ ବିଚାରରେ ଅବୈଧ ନାଗରିକମାନେ’ ଅବଗତ ହେବା ଯେ କୌଣସି ଗଣତନ୍ତ୍ରରେ ଅନିବାର୍ଯ୍ୟ। ନିର୍ବାଚନ କମିସନ ସନ୍ଦେହର ଉର୍ଦ୍ଧ୍ୱରେ ରହିବା ଆବଶ୍ୟକ ଥିଲା ବେଳେ, ତାଲିକାକୁ ୱେବ୍ସାଇଟ୍ରେ ପ୍ରକାଶ କରିବାକୁ ନିର୍ବାଚନ କମିସନ ଅନେକ ଟାଳଟୁଳ କରିଥିଲେ। ତେବେ, ମାନ୍ୟବର ଅଦାଲତଙ୍କ ଅନ୍ତରୀଣ ଆଦେଶ ଆସିବା ପରେ ନିର୍ବାଚନ କମିସନ ତାଲିକା ପ୍ରକାଶ କରିଛନ୍ତି। ଏହି ଅନ୍ତରୀଣ ଆଦେଶର ଦ୍ଵିତୀୟ ମହତ୍ୱପୂର୍ଣ୍ଣ ଅଂଶଟି ହେଲା ଯେ, ଏହି ୬୫ ଲକ୍ଷ ଭୋଟରଙ୍କ ସକାଶେ ଆଧାର କାର୍ଡ ମଧ୍ୟ ଏକ ପ୍ରାମାଣିକ ଦଲିଲ ରୂପେ ସ୍ୱୀକାର କରାଯିବ। ନିର୍ବାଚନ କମିସନ କହି ଆସୁଛନ୍ତି ଯେ ଜଣେ ବି ଭାରତୀୟ ନାଗରିକ ଭୋଟ ଦେବାର ସୁଯୋଗ ପାଇବାରୁ ବଞ୍ଚିତ ହେବା ଅନୁଚିତ। ସେହିଭଳି, ସମସ୍ତେ ସ୍ୱୀକାର କରିବେ ଯେ, ବେଆଇନ ବା ନକଲି ନାଗରିକ ଭୋଟ ଦେବାର ସୁଯୋଗ ପାଇବା ସର୍ବାଦୌ ଅନୁଚିତ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ନକଲି ହଟାଇବାର ଆଗ୍ରହାତିଶଯ୍ୟରେ ଜଣେ ଭାରତୀୟର ନାଗରିକତ୍ୱ ତା’ଠାରୁ ଛିନ୍ନ ହୋଇଯିବ!
ଏସଆଇଆରକୁ ବିରୋଧ କରୁଥିବା ପକ୍ଷ ସନ୍ଦେହ ପ୍ରକାଶ କରିଛନ୍ତି ଯେ ଆସନ୍ତା ବିହାର ନିର୍ବାଚନରେ ବିଜେପିକୁ ଜୟଯୁକ୍ତ କରାଇବା ଲାଗି ଏହା କୁଆଡ଼େ ନିର୍ବାଚନ କମିସନଙ୍କ ଏକ ଚତୁର ହୀନ ଉଦ୍ୟମ। ଅର୍ଥାତ୍ ନକଲି ଭୋଟର ବା ବେଆଇନ ଅନୁପ୍ରବେଶକାରୀଙ୍କ ଚିହ୍ନଟ ନାମରେ ବିଜେପିକୁ ବିରୋଧ କରୁଥିବା ପାରମ୍ପରିକ ଅଣ-ବିଜେପି ମତଦାତାଙ୍କ ନାମ ଭୋଟର ତାଲିକାରୁ ହଟାଇ ଦେଉଛନ୍ତି କମିସନ୍। ସେମାନଙ୍କ ମତରେ ତାହା ହୋଇ ନ ଥିଲେ ଏଭଳି ଏକ ଅତ୍ୟନ୍ତ ସ୍ପର୍ଶକାତର ପ୍ରକରଣକୁ ଆଲୋଚନା, ବିଚାରବିମର୍ଶ, ବିତର୍କ ଓ ସଚେତନତାର ପ୍ରସାର ବିନା ତଥା ଅତ୍ୟନ୍ତ ତରବରିଆ ଭାବେ ସଂପନ୍ନ କରାଯିବାର ଉଦ୍ଗ୍ରୀବତା ପ୍ରକାଶ ପାଇ ନ ଥାଆନ୍ତା।
ମହାରାଷ୍ଟ୍ରରେ ଗତ ୨୦୨୪ ମସିହାର ଲୋକସଭା ନିର୍ବାଚନରେ ଉତ୍ତମ ପ୍ରଦର୍ଶନ କରିଥିବା ‘ଇଣ୍ଡି ମେଣ୍ଟ’, ତାର ମାତ୍ର ଛଅ ମାସ ପରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପ୍ରାୟ ନିଶ୍ଚିହ୍ନ ହୋଇଯିବା ପରିପ୍ରେକ୍ଷୀରେ ରାହୁଳ ଗାନ୍ଧୀ ସ୍ଥିର ନିଶ୍ଚିତ ହୋଇ ଯାଇଥିଲେ ଯେ ନିର୍ବାଚନ କମିସନଙ୍କ ଦ୍ୱାରା କରାଯାଇଥିବା ଭୋଟର ତାଲିକା ହେରଫେର ହିଁ ପରାଜୟର ପ୍ରମୁଖ କାରଣ। ଗଲା ୭ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଳ ଅତ୍ୟନ୍ତ ଆତ୍ମବିଶ୍ୱାସର ସହିତ ‘ପାୱାର ପଏଣ୍ଟ୍’ ଉପସ୍ଥାପନା କରିଥିଲେ। କର୍ଣ୍ଣାଟକର ମହାଦେବପୁରା ଆସନକୁ ‘କେସ୍ ଷ୍ଟଡି’ ଭାବେ ନେଇ ସେ ପ୍ରମାଣ କରିଥିଲେ ଯେ କିଭଳି ନକଲି, ମୃତ ଓ ଅସ୍ତିତ୍ୱହୀନ ଭୋଟରମାନେ ନିର୍ବାଚନରେ ଅଂଶ ଗ୍ରହଣ କରି ସେଠାରେ ବିଜେପିର ନିଶ୍ଚିତ ପରାଜୟକୁ ବିଜୟରେ ପରିଣତ କରିଥିଲେ। ତାଙ୍କର ବଦ୍ଧମୂଳ ଧାରଣା ଯେ ମହାରାଷ୍ଟ୍ର ନିର୍ବାଚନରେ ମଧ୍ୟ ନିର୍ବାଚନ କମିସନଙ୍କ ସମାନ ଧରଣର ପ୍ରତ୍ୟକ୍ଷ ସଂପୃକ୍ତି ଅଛି। ଏଣେ, ବିହାରରେ ପୁରୁଣା ଭୋଟର ତାଲିକା ସଂଶୋଧନ କରାଯାଇ ୬୫ ଲକ୍ଷ ଭୋଟରଙ୍କୁ ତହିଁରୁ ବାହାର କରି ଦିଆଯିବାକୁ ସେ ‘ଭୋଟ ଚୋରି’ କହୁଛନ୍ତି।
ଭୋଟ ଚୋରି ପ୍ରସଙ୍ଗ ଦାନା ବାନ୍ଧୁଥିବା ସମୟରେ ନୂଆଦିଲ୍ଲୀ ସ୍ଥିତ ‘ସିଏସଡିଏସ’ ସଂସ୍ଥାର ନିର୍ବାଚନ ବିଶେଷଜ୍ଞ ସଞ୍ଜୟ କୁମାର ମହାରାଷ୍ଟ୍ରର ଦେଓଲାଲି ବିଧାନସଭା ଆସନ ବିଷୟରେ ସମାନ ତ୍ରୁଟି ହୋଇଥିବାର ଦାବି କରିଥିଲେ। ସେ ଲେଖିଥିଲେ ଯେ, ‘ଲୋକସଭା ନିର୍ବାଚନ ସମୟରେ ଏଠାରେ ୪,୫୬,୦୭୨ ଭୋଟର ଥିଲେ। ଯେତେବେଳେ ବିଧାନସଭା ନିର୍ବାଚନରେ ଏହା ୨,୮୮,୧୪୧କୁ ହ୍ରାସ ହୋଇଗଲା।’ ଏବେ ସେ ମହାରାଷ୍ଟ୍ର ନିର୍ବାଚନ ବିଷୟରେ ପରିବେଷିତ ଭୁଲ ତଥ୍ୟ ପାଇଁ ଆନ୍ତରିକ କ୍ଷମା ପ୍ରାର୍ଥନା କରି କହିଛନ୍ତି ଯେ, ଗତ ବର୍ଷ ହୋଇଥିବା ଲୋକସଭା ଏବଂ ବିଧାନସଭା ନିର୍ବାଚନର ତଥ୍ୟ ତୁଳନା କରିବା ସମୟରେ ଭୁଲ ହୋଇଥିଲା। ଏଣୁ, ଅନେକ ଭ୍ରମାତ୍ମକ ନିର୍ବାଚନୀ ବିଶ୍ଲେଷଣ ଆଧାରରେ ନିର୍ବାଚନ କମିସନଙ୍କ କାନ୍ଧ ଉପରେ ଭୋଟ ଚୋରି ଭଳି ଅପବାଦର ବନ୍ଧୁକ ରଖି ନିର୍ବାଚନ ଯୁଦ୍ଧରେ ପ୍ରତିପକ୍ଷକୁ ଆକ୍ରମଣ କରିବା ଯେଭଳି ନିନ୍ଦନୀୟ, କମିସନଙ୍କ ପକ୍ଷରେ ବାସ୍ତବତା ପ୍ରତି ଆଖି ବୁଜିଦେବା ମଧ୍ୟ ଅଗ୍ରହଣୀୟ।
‘ନିର୍ବାଚନ କମିସନ’ ଓ ବିଜେପି ମଧ୍ୟରେ ଏକ ମେଣ୍ଟ ରହିଛି ବୋଲି ରାହୁଳ ଗାନ୍ଧୀ ବାରମ୍ବାର ଅଭିଯୋଗ କରି ଆସିଛନ୍ତି। ରାହୁଳ ଗାନ୍ଧୀଙ୍କୁ ଅନେକ ଥର ତାଙ୍କ ନିର୍ବାଚନୀ ମନ୍ତବ୍ୟ ସକାଶେ ନିର୍ବାଚନ କମିସନଙ୍କଠାରୁ ଚେତାବନୀ ଓ ଭର୍ତ୍ସନା ଶୁଣିବାକୁ ପଡ଼ିଛି। ଗତ ଅଗଷ୍ଟ ୨୦ ତାରିଖରେ ବିହାରରେ ଏକ ନିର୍ବାଚନ ସଭାରେ ରାହୁଳ ଗାନ୍ଧୀଙ୍କ ଭାଷଣରେ ଅପରିପକ୍ୱ ଚିନ୍ତା ଓ ଚେତନା ପରିଦୃଷ୍ଟ ହୋଇଛି, ଯହିଁରେ ସେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଉଦ୍ଦେଶ୍ୟରେ ଧମକ ଦେଇଛନ୍ତି ଯେ କ୍ଷମତାକୁ ଆସିଲେ ତାଙ୍କୁ ଦେଖିନେବେ। ରାହୁଳ ଗାନ୍ଧୀ ଯେଉଁ ସମ୍ବିଧାନ କଥା କହନ୍ତି, ସେହି ସମ୍ବିଧାନର ଗୋଟିଏ ସଂସ୍ଥାକୁ ଆକ୍ଷେପ କରିବାକୁ ଅପରିପକ୍ୱତା କୁହାଗଲେ ଭୁଲ ହେବନାହିଁ। ଭାରତ ଭଳି ସର୍ବବୃହତ ଗଣତନ୍ତ୍ରରେ ଭୋଟର ତାଲିକାର ବିଶୁଦ୍ଧୀକରଣ ସକାଶେ ଭାରତର ନିର୍ବାଚନ କମିସନଙ୍କ ଆଗ୍ରହ ନିଶ୍ଚିତ ଭାବେ ପ୍ରଶଂସନୀୟ ହୋଇଥିଲେ ହେଁ ଏକ ଅତ୍ୟନ୍ତ ଗମ୍ଭୀର, ସ୍ପର୍ଶକାତର ତଥା ଅତିକାୟ ପ୍ରକରଣକୁ ଅତି ତରବରିଆ ଭାବେ ସମାପ୍ତ କରିବାର ସିଦ୍ଧାନ୍ତ ହିଁ ବିବାଦ ସୃଷ୍ଟିର ଅନ୍ୟତମ କାରଣ; ଏଥିରେ ସନ୍ଦେହ ନାହିଁ। ଆଶା, ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଲାଗୁ କରାଯାଇ ଭୋଟର ତାଲିକାର ବିଶୁଦ୍ଧୀକରଣ କଲାବେଳେ ଯଥେଷ୍ଟ ସମୟ ଦିଆଯିବ ଏବଂ ରାଜନୈତିକ ଦଳମାନେ ନିର୍ବାଚନ କମିସନଙ୍କ ଦୋଷ ବାଛିବାବେଳେ ଯୋଗ୍ୟଙ୍କୁ ସାମିଲ୍ ଏବଂ ଅଯୋଗ୍ୟଙ୍କୁ ହଟାଇବାରେ ମଧ୍ୟ ସହଯୋଗ କରିବେ।
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
