ମହଙ୍ଗା ଟମାଟୋ ଭାରି ସୁଆଦିଆ!

ଜାନକୀଶ ବଡ଼ପଣ୍ଡା ଢିଙ୍କିଶାଳଠୁ ଢେଙ୍କାନାଳ ଯାଏଁ, ବିୟୁଟି ପାର୍ଲରଠାରୁ ଚା ଦୋକାନ ଯାଏଁ ସବୁଠି ଚର୍ଚ୍ଚା ଓ ଟେଲିଭିଜନ ଏବଂ ଖବର କାଗଜରେ ଆଲୋଚନା ଯେ ଗରୀବର କମଳା କୁହାଯାଉଥିବା ଟମାଟୋ ଏବେ ଧନୀ ଲୋକଙ୍କର ହୋଇଯାଇଛି। ସାଧାରଣ ମଧ୍ୟବିତ୍ତ ପରିବାର ଆଉ ବଜାରରୁ ଟମାଟୋ କିଣିବାକୁ ସାହସ କରିପାରୁ ନାହାନ୍ତିI ବିଲାତି ବାଇଗଣ ବା ଟମାଟୋ, ପିଆଜ ବା ଓନିଅନ ଏବଂ ଆଳୁ ବା ପଟାଟୋ, ଯାହାକୁ ସଂକ୍ଷେପରେ TOP ପରିବା କୁହାଯାଉଛି, ତାହାର ଦରଦାମ […]

tomata

Debendra Prusty
  • Published: Monday, 30 May 2022
  • , Updated: 30 May 2022, 04:43 PM IST

ଜାନକୀଶ ବଡ଼ପଣ୍ଡା

ଢିଙ୍କିଶାଳଠୁ ଢେଙ୍କାନାଳ ଯାଏଁ, ବିୟୁଟି ପାର୍ଲରଠାରୁ ଚା ଦୋକାନ ଯାଏଁ ସବୁଠି ଚର୍ଚ୍ଚା ଓ ଟେଲିଭିଜନ ଏବଂ ଖବର କାଗଜରେ ଆଲୋଚନା ଯେ ଗରୀବର କମଳା କୁହାଯାଉଥିବା ଟମାଟୋ ଏବେ ଧନୀ ଲୋକଙ୍କର ହୋଇଯାଇଛି। ସାଧାରଣ ମଧ୍ୟବିତ୍ତ ପରିବାର ଆଉ ବଜାରରୁ ଟମାଟୋ କିଣିବାକୁ ସାହସ କରିପାରୁ ନାହାନ୍ତିI ବିଲାତି ବାଇଗଣ ବା ଟମାଟୋ, ପିଆଜ ବା ଓନିଅନ ଏବଂ ଆଳୁ ବା ପଟାଟୋ, ଯାହାକୁ ସଂକ୍ଷେପରେ TOP ପରିବା କୁହାଯାଉଛି, ତାହାର ଦରଦାମ ଏମିତି ବଢ଼ିଯିବା ଫଳରେ, ଖାଉଟିମାନେ ଚିନ୍ତାରେI ତେଲଠୁ ଡାଲି, ପେଟ୍ରୋଲ-ଗ୍ୟାସ-ଡିଜେଲଠାରୁ ଅଟା ସୁଜି, ବିସ୍କୁଟ ଦର ବଢ଼ିଯାଇଥିବାରୁ ଆଗକୁ ଭାରତ ଶ୍ରୀଲଙ୍କା ଭଳି ହେବାର ଆଶଙ୍କା କରୁଛନ୍ତି କିଛି ରାଜନେତା; କହୁଛନ୍ତି, ଏଥିପାଇଁ କେନ୍ଦ୍ର ଦାୟୀI

ଟମାଟୋ ଏକ ଋତୁ କାଳୀନ ଫସଲ ଓ ଲୋକେ ଆଗରୁ କେବଳ ଶୀତ ଦିନେ ଏହା ଖାଉଥଲେ। ଲୋକଙ୍କ ମୁଣ୍ଡପିଛା ଆୟବୃଦ୍ଧି ସହିତ ଖାଦ୍ୟରୁଚି ଓ ଖାଦ୍ୟଶୈଳୀରେ ପରିବର୍ତ୍ତନ ଯୋଗୁ ଟମାଟୋର ଚାହିଦା ବର୍ଷସାରା ଲାଗି ରହିଛିI ଆଜିକାଲି ବଜାରରେ ବର୍ଷସାରା ଟମାଟୋ ମିଳୁଥିବାରୁ ଲୋକେ ବର୍ଷସାରା ଟମାଟୋ କିଣି ଖାଉଛନ୍ତି। ଆମ ରାଜ୍ୟରେ ସାଧାରଣତଃ ଡିସେମ୍ବର ମାସଠାରୁ ମାର୍ଚ୍ଚ ଯାଏଁ ସିନା ଟମାଟୋ ଅମଳ ହୋଇ ବଜାରକୁ ଆସିଥାଏ, କିନ୍ତୁ ବର୍ଷର ଅନ୍ୟ ମାସମାନଙ୍କରେ ବାହାର ରାଜ୍ୟରୁ ଓ ଆମ ରାଜ୍ୟର କିଛି ଥଣ୍ଡା ଅଞ୍ଚଳରୁ ଆମଦାନୀ ବା ଚାଲାଣ ହୋଇ ଆସିଥାଏI ଭାରତୀୟ ଉପମହାଦେଶର ଭୌଗୋଳିକ ଓ କୃଷି-ଜଳବାୟୁର ବିଭିନ୍ନତା କାରଣରୁ ଆଞ୍ଚଳିକ  ଭିତ୍ତିରେ କେଉଁଠି ନା କେଉଁଠି ପ୍ରାକୃତିକ ଭାବେ ଟମାଟୋ ଚାଷ କରାଯାଇ ପାରୁଥିବାରୁ ଖାଉଟିଙ୍କୁ ବର୍ଷସାରା ଟମାଟୋ କିଣିବାକୁ  ମିଳେI ତେବେ, ବଜାର ଚାହିଦା ଅଧିକ ରହିଲେ ଓ ଉତ୍ପାଦନ କମିଗଲେ ଦରଦାମ ବଢ଼ି ଯାଇଥାଏI

ଲାଲ ଟହ ଟହ ପାଚିଲା ଟମାଟୋକୁ ଲୋକମାନେ ଉଭୟ ସାଲାଡ଼ ଭାବେ ଓ ରନ୍ଧନ କରି ଖାଇବାକୁ ପସନ୍ଦ କରନ୍ତି। ତରକାରୀରେ ଟମାଟୋ ପଡ଼ିଥିଲେ ଏହାର ରଙ୍ଗ, ବାସ୍ନା ଓ ସ୍ୱାଦ ନିଆରା ଲାଗେI ଟମାଟୋକୁ ଖଟା କରି ଆମେ ଖାଉI ବର୍ଷସାରା କମଳାର ଦାମ ଟମାଟୋ ଅପେକ୍ଷା ବହୁଗୁଣରେ ଅଧିକ ରହୁଥିବାରୁ, ଟମାଟୋକୁ ଗରୀବଙ୍କ କମଳା କୁହାଯାଇଥାଏ, ଯେମିତି ଡାଲିକୁ କୁହାଯାଇଥାଏ ଗରିବ ଲୋକଙ୍କ ଶାଗୁଆତି ବା ମାଂସI ଟମାଟୋ ଉଭୟ ପରିବା ଓ ଫଳ ଭାବେ ବ୍ୟବହୃତ ହେଉଥିଲେ ହେଁ ଫଳ ଦୋକାନରେ ବିକ୍ରି ହୁଏନା, ପରିବା ଦୋକାନରେ ମିଳେ, ଏହା ହିଁ ଟମାଟୋ ପାଇଁ ଏକ ଅପମାନଜନକ କଥା ବୋଲି କହିପାରିବାI

ଆମ ଦେଶରେ  ବାର୍ଷିକ ପ୍ରାୟ ୧୦ ଲକ୍ଷ ହେକ୍ଟର ଜମିରେ ଟମାଟୋ ଚାଷ କରାଯାଇ ୨୦୭ ଲକ୍ଷ ଟନ ଫସଲ ଅମଳ କରାଯାଏ। ଏଥିରୁ ମଧ୍ୟପ୍ରଦେଶର ଅବଦାନ ପ୍ରାୟ ୧୨ ପ୍ରତିଶତ ଓ ତାହାର ତଳକୁ ଯଥାକ୍ରମେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ଓଡ଼ିଶା ଓ ଛତିଶଗଡ଼I ଆମ ଓଡ଼ିଶାର ଅବଦାନ ଦେଶରେ ଉତ୍ପାଦିତ ଟମାଟୋ ପରିମାଣର ପ୍ରାୟ ୧୧.୪୨ ପ୍ରତିଶତ। ଓଡ଼ିଶା ରାଜ୍ୟରେ ବାର୍ଷିକ ପ୍ରାୟ ୯୦ ହଜାର ହେକ୍ଟର ଜମିରେ ଚାଷ କରାଯାଇ ୧୩ ଲକ୍ଷ ଟନ ଟମାଟୋ ଅମଳ ହୁଏI କେନ୍ଦୁଝର, ମୟୂରଭଞ୍ଜ, ଗଂଜାମ, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାରେ ବେଶି ଟମାଟୋ ଚାଷ ହୁଏ, ଯାହା ମୁଖ୍ୟତଃ ଶୀତ ଦିନେ କରାଯାଇଥାଏI  କୋରାପୁଟ ଓ ଫୁଲବାଣୀ ଜିଲ୍ଲାର ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚତା ସମ୍ପନ୍ନ ନିଗିଡ଼ା ଜମି ଓ ଅପେକ୍ଷାକୃତ ଥଣ୍ଡା ଜଳବାୟୁରେ ଅଦିନିଆ ଟମାଟୋ ଚାଷ କରାଯାଇଥାଏI ଏହାଛଡ଼ା, ପଲିଥିନ ଓ ତାରଜାଲି ଘେରା ଆଧୁନିକ କୃଷି କ୍ଷେତ୍ରରେ ବର୍ଷ ସାରା ହାଇବ୍ରିଡ଼ ଟମାଟୋ ଚାଷ କରା ଯାଉଥିବାରୁ ଗ୍ରୀଷ୍ମ ଓ ବର୍ଷାଦିନେ ମଧ୍ୟ ଟମାଟୋ ଉତ୍ପାଦନ ହୋଇପାରୁଛିI ଉତ୍ପାଦିତ ଫସଲକୁ ଅମଳ ପରବର୍ତ୍ତୀ ପରିଚାଳନା ବିଜ୍ଞାନ ସହଯୋଗନେଇ ଅଧିକ ଦିନ ସାଇତା ଯାଉଛି ଓ ଶୀତଳ ଶୃଙ୍ଖଳା ମଧ୍ୟରେ ବଜାରରେ ଉପଲବ୍ଧ କରାଯାଇ ପାରୁଛିI

ଏବେ ଅର୍ଥାତ ଚଳିତ ମଇ ମାସରେ ଓଡ଼ିଶାର ଖାଉଟିମାନେ ଦୈନିକ ପ୍ରାୟ ୩୦୦ ଟନ ଟମାଟୋ ଆବଶ୍ୟକ କରୁଥିଲେ ହେଁ ଉପଲବ୍ଧ ହେଉଛି ମାତ୍ର ୧୦୦ ଟନI ନିକଟ ଅତୀତରେ ଝାରଖଣ୍ଡ ରାଜ୍ୟରେ କରାଯାଇଥିବା ଏକ ମୂଲ୍ୟ ଶୃଙ୍ଖଳ ଅନୁଧ୍ୟାନରୁ ଜଣା ଯାଇଛି ଚାଷୀମାନେ ଟମାଟୋ କିଲୋପ୍ରତି ୭ ଟଙ୍କା ଦରରେ ବିକ୍ରି କଲେ, ଖାଉଟି ପାଖରେ ପହଞ୍ଚିଲା ବେଳକୁ ତାହାର ମୂଲ୍ୟ ୧୮ ଟଙ୍କାରେ ପହଞ୍ଚି ଯାଉଛି। ଅନେକ ସମୟରେ ଚାଷୀ ଫସଲର ଉଚିତ ମୂଲ୍ୟ ପାଏନା, ଶସ୍ତାରେ ବିକିବାକୁ ବାଧ୍ୟ ହୁଏI ଯାହା ଫଳରେ, ଆମେ ବଜାରରେ ଶସ୍ତାରେ କିଣିବାକୁ ପାଇଥାଉI ଆମେ ଦେଖିଛେ ଯେ ଉତ୍ପାଦିତ ଟମାଟୋର ଉଚିତ ମୂଲ୍ୟ ନପାଇ ଚାଷୀ ଆତ୍ମହତ୍ୟା କରିଛନ୍ତି, ଟମାଟୋ ଚାଷରୁ ମୁହଁ ଫେରାଇ  ନେଇଛନ୍ତିI କେଜି ପ୍ରତି ମାତ୍ର ଏକ ଟଙ୍କାରେ ବିକିବାକୁ ବାଧ୍ୟ ହୋଇ ଟମାଟୋ ଚାଷୀ ଏତେ କଷ୍ଟ କରି, ଖତ ଓ ସାର କିଣି ଉତ୍ପାଦନ କରିଥିବା ଫସଲକୁ ରାସ୍ତାରେ ଢାଳିଛନ୍ତି। ବେଳେ ବେଳେ, ବଜାର ଦର  ଅତିଶୟ କମିଗଲେ, ଚାଷୀମାନେ ଟମାଟୋ ନ ତୋଳି କ୍ଷେତରେ ଗୋରୁ ଗାଈ ଛାଡ଼ି ଦେଉଥିବାର ମଧ୍ୟ ଶୁଣାଯାଏI ଟମାଟୋ କିଲୋ ଟଙ୍କାଏ ଦୁଇଟଙ୍କା ହେଲା ବେଳେ ତ ଆମେ କେହି ବି ଚିନ୍ତା ପ୍ରକଟ କରୁ ନଥିଲେ ଓ ଚାଷୀଙ୍କ ପାଇଁ ପାଟି ଫିଟାଉ ନଥିଲେI ଅଥଚ ଟମାଟୋ ମୂଲ୍ୟ କେଜି ପ୍ରତି ୩୦ ଟଙ୍କା  ଉପରକୁ ଚାଲିଗଲା ମାତ୍ରେ, ଖାଦ୍ୟ ମୁଦ୍ରାସ୍ଫୀତି ବଢ଼ିଗଲା ବୋଲି ଆମେ ଚିତ୍କାର କରୁଛେI ଏବେ ୧୨୦ ଟଙ୍କାରେ ପହଞ୍ଚିଗଲା ବୋଲି ପାଟିତୁଣ୍ଡରେ ଦୁନିଆ କମ୍ପୁଛିI କଣ ନା, ଭାରତ ଏବେ ଶ୍ରୀଲଙ୍କା ହେବାକୁ ଯାଉଛିI

ବାସ୍ତବରେ, ସମସ୍ତ ପ୍ରକାର ଫସଲ ଅମଳ ପ୍ରକୃତିର ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ଋତୁ ଆଧାରିତI ଟମାଟୋ ଏଥିରୁ ବାଦ  ନୁହେଁI ଖରିଫ ଋତୁର ମଇଠାରୁ ଜୁଲାଇ ମାସ ଯାଏଁ ଲଗାଯାଉଥିବା ଟମାଟୋ ଚାରା ଜୁଲାଇଠାରୁ ନଭେମ୍ବର ମାସଯାଏଁ ଅମଳ ଦେଉଥିଲାବେଳେ, ରବି ଋତୁରେ ଅକ୍ଟୋବରଠାରୁ ଫେବୃଆରୀ ମାସ ଯାଏଁ ଲଗାଯାଉଥିବା ଟମାଟୋ ଫଳ ଧରେ ଡିସେମ୍ବରଠାରୁ ଜୁନ ମାସ ଯାଏଁI ସେଇଥିପାଇଁ ଆମ ଦେଶରେ ଟମାଟୋର ସର୍ବାଧିକ ବଜାର ଦର ଥାଏ ଜୁଲାଇ ମାସରେ; ପଛକୁ ପଛ ଚଢ଼ା ଦର ରହେ ଯଥାକ୍ରମେ ଅକ୍ଟୋବର, ମଇ ଓ ଜୁନ ମାସରେI ଆମ ଦେଶରୁ ମଧ୍ୟ ଟମାଟୋ ବିଦେଶକୁ ରପ୍ତାନୀ କରାଯାଏI  ସବୁଠୁ ଅଧିକ ରପ୍ତାନୀ କରାଯାଉଥିବା ମାସଗୁଡ଼ିକ ଯଥାକ୍ରମେ ନଭେମ୍ବର, ଡିସେମ୍ବର, ସେପ୍ଟେମ୍ବର, ଅକ୍ଟୋବର ଓ ଜୁଲାଇI ଖରିଫ ଋତୁରେ ଆମ ଦେଶରେ ପ୍ରାୟ ୫୦ ଲକ୍ଷ ମେଟ୍ରିକ ଟନ ଟମାଟୋ ଉତ୍ପାଦନ ହେଉଥିଲାବେଳେ ରବି ଋତୁରେ ପ୍ରାୟ ୧୫୫ ମେଟ୍ରିକ ଟନ ଉତ୍ପାଦନ ହୁଏ।

ବର୍ଷ ସାରା ଟମାଟୋ ଚାଷ ପାଇଁ ଆମକୁ ନୂତନ କୃଷି କୌଶଳ ବ୍ୟବହାର କରିବାକୁ ପଡ଼ିବ ଓ ଦେଶର ଯେଉଁ ଅଞ୍ଚଳରେ ବର୍ଷା ଓ ଖରାଦିନେ ମଧ୍ୟ ଅଦିନିଆ ଫସଲ ଚାଷ କରାଯାଇ ପାରିବ, ତାହା ଚିହ୍ନଟ କରିବାକୁ ପଡ଼ିବI ପଲିହାଉସକୁ ଥଣ୍ଡା ରଖି ସେଥିରେ ଶୀତ ଦିନିଆ ପନିପରିବା ଚାଷ କରାଯାଇପାରିବI ଏହାକୁ ଭେଜିଟେବଲ ଫୋର୍ସିଙ୍ଗ କୁହାଯାଏI ଆମକୁ ରୋଗପୋକ ପ୍ରତିରୋଧକ ଓ ଅଧିକ ଦିନ ଯାଏଁ ସାଇତାଯାଇ ପାରୁଥିବା କିସମ ଚାଷ କରିବାକୁ ହେବ। ଟମାଟୋକୁ ସାଇତି ରଖିବାର ବ୍ୟବସ୍ଥା ନଥିବାରୁ, ବିକ୍ରି ହୋଇପାରି ନଥିବା ଟମାଟୋ ପଚି ନଷ୍ଟ ହୁଏI ଟମାଟୋକୁ ପ୍ରକ୍ରିୟାକରଣ କରି, ପ୍ୟୁରି, ସସ, କେଚପ, ସ୍କ୍ୱାସ, ଆଚାର ଇତ୍ୟାଦିକୁ ରୂପାନ୍ତରିତ କରିବାକୁ ଓଡ଼ିଶାରେ ଶିଳ୍ପସଂସ୍ଥା ନଥିବାରୁ, ଉତ୍ପାଦିତ ଶୀତ ଦିନିଆ ଟମାଟୋ ଚାଷ ଲାଭଜନକ ହୋଇପାରୁନିI ଆମ ରାଜ୍ୟରେ ଟମାଟୋର ପ୍ରକ୍ରିୟାକରଣ ହୋଇଥିବା ବିଭିନ୍ନ ଶିଳ୍ପ ଉତ୍ପାଦର ଚାହିଦା ଅଛିI ଆଗ୍ରହୀ ଶିଳ୍ପୋଦ୍ୟୋଗୀ ମଧ୍ୟ ଅଛନ୍ତିI  ଆଜିକାଲି ଟମାଟୋ ନାମରେ ନକଲି ପ୍ୟୁରି, ସସ, କେଚପ, ସ୍କ୍ୱାସ, ଆଚାର ତିଆରି ଚାଲି ଧରାପଡୁଥିବା ଅନେକ ଘଟଣା ହିଁ ପ୍ରମାଣ କରେ ଯେ, ବର୍ଷସାରା ଉଚିତ ମୂଲ୍ୟରେ ଟମାଟୋ ମିଳିଲେ ଏହି ସବୁ ନକଲି କାରଖାନାରେ ଅସଲି ଟମାଟୋ ପ୍ରକ୍ରିୟାକରଣ ପଦାର୍ଥ ପ୍ରସ୍ତୁତ ହେଉଥାଆନ୍ତାI

ଟମାଟୋ ଅମଳ ପରେ ଆମ ଚାଷୀମାନେ ବୈଜ୍ଞାନିକ ପ୍ରଣାଳୀରେ ଅତ୍ୟାବଶ୍ୟକ ଯତ୍ନ ନେଉ ନଥିବାରୁ ଓଡ଼ିଶାରେ ଉତ୍ପାଦିତ ଟମାଟୋ ଫସଲର ବଜାର ଚାହିଦା କମ ରହୁଛି ଓ ମୂଲ୍ୟ କମିଯାଉଛି I ପୂରା ପାଚିବା ପୂର୍ବରୁ ସଠିକ ସମୟରେ ପାକଳ ଟମାଟୋ ତୋଳି ଏହାକୁ ସଙ୍ଗେ ସଙ୍ଗେ ଥଣ୍ଡା କରିବା ଉଚିତI ନ ହେଲେ, ବିଲରୁ ତୋଳା ହୋଇଥିବା ଗରମ ଟମାଟୋ ଶୀଘ୍ର ପାଚିଯାଏI ତାପରେ, ଏହାକୁ ଧୋଇ ପରିଷ୍କାର କଲା ପରେ ସୋଡ଼ିଅମ ହାଇପୋକ୍ଲୋରାଇଟ ମିଶା ପାଣିରେ ବିଶୋଧନ କରିବା ଦରକାରI ଏକା ଭଳି ଦେଖାଯାଉଥିବା ଟମାଟୋକୁ ବାଛି ଅଲଗା ଅଲଗା ପ୍ୟାକିଂ କରାଗଲା ପରେ ବଜାରକୁ ବିକ୍ରି କରିବାକୁ କିମ୍ବା ଶୀତଳ ଭଣ୍ଡାରକୁ ପଠାଇବା ଦରକାରI ଟମାଟୋ ଭଳି ଶୀଘ୍ର ପଚନଶୀଳ କୃଷି ଉତ୍ପାଦର ଉପଯୁକ୍ତ ପରିଚାଳନା କରାଗଲେ ଆମେ ବର୍ଷ ସାରା, ନିର୍ଦ୍ଦିଷ୍ଟ ଦରରେ ବଜାରରେ ଟମାଟୋ କିଣିବାକୁ ପାଇବା ଓ ଚାଷୀମାନେ ଲାଭଜନକ ଟମାଟୋ ଚାଷ କରିବାକୁ ମନ ବଳାଇବେI

ଚାଷୀର ଟମାଟୋ କ୍ଷେତରୁ ଆମର ଖାଇବା ଥାଳିକୁ ଟମାଟୋ ପହଞ୍ଚିବା ପାଇଁ କେବଳ ଚାଷୀ ନୁହେଁ, ଆମ ସମସ୍ତଙ୍କୁ ଉଦାର ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବI ଆମ ଓଡ଼ିଶାରେ ଅନେକ ପନିପରିବା ସାଇତିବା ପାଇଁ ଉପଯୁକ୍ତ ଶୀତଳ ଭଣ୍ଡାର ନିର୍ମାଣ ସରିଥିଲେ ବି ସେଥିମଧ୍ୟରୁ ଅନେକରେ ବ୍ୟାଙ୍କ ଋଣ ଖିଲାପ କାରଣରୁ ତାଲା ପଡ଼ିଛି ଓ ଆଉ କିଛି ବିଦ୍ୟୁତ-ଦେୟ ଭାରରେ ବନ୍ଦ ହୋଇ ଯାଇଛିI ସରକାର ଏ ସବୁର ସମୀକ୍ଷା କରି ପ୍ରାୟ ୪୦ଟି ନିର୍ମାଣ ସାରିଥିବା ଓ କିଛିମାସ କାମ କରିଥିବା ଶୀତଳ ଭଣ୍ଡାରକୁ କର୍ମଚଞ୍ଚଳ କରି ପାରନ୍ତେI ଏପରି କରାଗଲେ, ଚାଷୀ, ବେପାରୀ ଓ ଖାଉଟି ଉପକୃତ ହୁଅନ୍ତେI ଏବେ କେନ୍ଦ୍ର ସରକାର ପନିପରିବା ପରିବହନ ପାଇଁ ସ୍ୱତନ୍ତ୍ର ରେଳ ଓ ବିମାନ ବ୍ୟବସ୍ଥା କରିଛନ୍ତିI ଏବେ ନାସିକର ଚାଷୀମାନେ ଇ-ନାମ ପୋର୍ଟାଲ ସହଯୋଗରେ ନିଜର ଉତ୍ପାଦିତ ଟମାଟୋ ଓଡ଼ିଶାକୁ ପଠାଇ ଅଧିକ ରୋଜଗାର କରୁଛନ୍ତିI ବେପାରୀମାନେ ସ୍ଥାନୀୟ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେଇ ଟମାଟୋ କିଣି ଓଡ଼ିଶାରେ ପହଞ୍ଚାଇ ଦେବାରୁ ଆମେ ଟମାଟୋ କିଣିବାକୁ ପାଉଛେI ନହେଲେ, ଖରାଦିନେ ଟମାଟୋ ମିଳୁନଥାନ୍ତାI ପୂର୍ବ ବର୍ଷଗୁଡ଼ିକୁ ଦେଖିଲେ ଓଡ଼ିଶାରେ କେବେ ବି ଟମାଟୋ ଦର କିଲୋ ପିଛା ୧୨୦ ଟଙ୍କା ଛୁଇଁ ନଥିଲାI  ବିଗତ ୪୦ ବର୍ଷ ଭିତରେ ମଧ୍ୟ କେବେ ବି ୧୦୦ ଟଙ୍କା ହୋଇ ନଥିଲାI ମେ ମାସ ପ୍ରଥମ ସପ୍ତାହରେ ଟମାଟୋ ଦର ଉଚ୍ଚା ରହିବା ପରେ ତୃତୀୟ ସପ୍ତାହରେ ୬୫-୭୦କୁ ଖସି ଆସିଥିଲେ ବି ଏବେ ଶେଷ ସପ୍ତାହରେ ଛୁଇଁଛି ୧୦୦ ଟଙ୍କାI ମହାରାଷ୍ଟ୍ରର ନାସିକ ଟମାଟୋ ଉପରେ ଏବେ ଆମେ ନିର୍ଭରଶୀଳI ଆଜି ବି ସମୟ ଅଛି ଆମେ ନିଜକୁ ସୁଧାରି ନେବା ଓ ଆମ ମାଟିରେ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ପନିପରିବା ଫଳାଇ ଆମ ରାଜ୍ୟର ଉଭୟ ଚାଷୀ ଓ ଖାଉଟୀଙ୍କୁ ସୁଖୀ କରିବାI ନହେଲେ, ଅଧିକ ମୂଲ୍ୟରେ କିଣୁଥିବା ମହଙ୍ଗା ଟମାଟୋ ସ୍ୱାଦିଷ୍ଟ ଲାଗିଲେ ବି ଆମକୁ ଖୁସି କରି ପାରିବନିI

ଫୋ- ୯୪୩୮୨୯୯୦୩୭

Related story