Advertisment

ଓଡ଼ିଶା ମେଟ୍ରୋ ରେଲ୍‌ର ଇତିହାସ!

ଯୋଜନା ପ୍ରଣୟନକାରୀ, ପ୍ରଶାସକ ଏବଂ ରାଜନୈତିକ ନେତାଙ୍କ ଅବଗତି ତଥା ବିଶ୍ଲେଷଣ ପାଇଁ ଏହି ଇତିହାସ କିଛି କମ୍ ମହତ୍ୱପୂର୍ଣ୍ଣ ନୁହେଁ। ବିଭିନ୍ନ ସମୟରେ ଖବରକାଗଜରେ ପ୍ରକାଶିତ ବିବରଣୀଗୁଡ଼ିକୁ ଏକତ୍ର କରି ଓଡ଼ିଶା ରିପୋର୍ଟର ପାଠକମାନଙ୍କୁ ଏଠାରେ ଆମେ କ୍ଷୁଦ୍ର ଇତିହାସ ପ୍ରସ୍ତୁତ କରିବାକୁ ଏକ ନିରାସକ୍ତ ପ୍ରୟାସ କରିଛୁ। କାହିଁକି ନା, ରାଜନୀତି ବିଜ୍ଞାନ ଶ୍ରେଣୀରେ ଛାତ୍ରଛାତ୍ରୀମାନେ କାନ ଡେରି ପାଠ ପଢ଼ିଲା ବେଳେ ଇତିହାସ ଶ୍ରେଣୀରେ ଶୋଇ ପଡ଼ିବା ଅନୁଚିତ।

author-image
Debendra Prusty
Metro Rail

Metro Rail

ଜାନକୀଶ ବଡ଼ପଣ୍ଡା

ରାଜନୈତିକ ରାଜଧାନୀ ଭୁବନେଶ୍ୱର ସହିତ ବ୍ୟାବସାୟିକ ରାଜଧାନୀ କଟକକୁ ଯୋଡ଼ିବା ପାଇଁ ପରିକଳ୍ପିତ ମେଟ୍ରୋ ରେଳ ଯୋଗାଯୋଗ ମାଧ୍ୟମରେ ଦ୍ରୁତ ପରିବହନ ବ୍ୟବସ୍ଥା ଏବେ ସାମୟିକ ଭାବେ ଶୀତଳସୁପ୍ତିରେ ରହିଗଲା ଭଳି ମନେ ହେଉଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରଙ୍କ ରୁଟ୍ ସୃଷ୍ଟି କରାଯିବ ବୋଲି ଘୋଷିତ ଏହି ମହତ୍ୱାକାଂକ୍ଷୀ ଯୋଜନାକୁ ପରବର୍ତ୍ତୀ କାଳରେ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟ ଯାଏଁ ବୃଦ୍ଧି କରାଯିବାକୁ ଘୋଷଣା କରା ଯାଇଥିଲେ ବି ପ୍ରସ୍ତାବଟି ଏବେ ଶୀତଳ ଭଣ୍ଡାରକୁ ଚାଲି ଯାଇଛି। ଏହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇ ଯାଇଛି।

Advertisment

ଓଡ଼ିଶାରେ ମେଟ୍ରୋ ଟ୍ରଙ୍କ ରୁଟ୍ ନିର୍ମାଣ ପରିକଳ୍ପନା ଇତିହାସ ପୁରୁଣା ନୁହେଁ; ମାତ୍ର ୧୫ ବର୍ଷର। ଆଗାମୀ ଦିନରେ ଯୋଜନା ପ୍ରଣୟନକାରୀ, ପ୍ରଶାସକ ଏବଂ ରାଜନୈତିକ ନେତାଙ୍କ ଅବଗତି ତଥା ବିଶ୍ଲେଷଣ ପାଇଁ ଏହି ଇତିହାସ କିଛି କମ୍ ମହତ୍ୱପୂର୍ଣ୍ଣ ନୁହେଁ। ବିଭିନ୍ନ ସମୟରେ ଖବରକାଗଜରେ ପ୍ରକାଶିତ ବିବରଣୀଗୁଡ଼ିକୁ ଏକତ୍ର କରି ଓଡ଼ିଶା ରିପୋର୍ଟର ପାଠକମାନଙ୍କୁ ଏଠାରେ ଆମେ କ୍ଷୁଦ୍ର ଇତିହାସ ପ୍ରସ୍ତୁତ କରିବାକୁ ଏକ ନିରାସକ୍ତ ପ୍ରୟାସ କରିଛୁ। କାହିଁକି ନା, ରାଜନୀତି ବିଜ୍ଞାନ ଶ୍ରେଣୀରେ ଛାତ୍ରଛାତ୍ରୀମାନେ କାନ ଡେରି ପାଠ ପଢ଼ିଲା ବେଳେ ଇତିହାସ ଶ୍ରେଣୀରେ ଶୋଇ ପଡ଼ିବା ଅନୁଚିତ। ଇତିହାସ ନଜାଣି ଶାସନ, ପ୍ରଶାସନ, ଯୋଜନା ପ୍ରଣୟନ ଏବଂ ନୀଳନକ୍ସାଙ୍କନ ମଧ୍ୟ ତ୍ରୁଟି ଯୁକ୍ତ।

୨୦୧୦ ମସିହା ଜୁଲାଇ ୨୭ ତାରିଖରେ ରାଜ୍ୟ ପରିବହନ ବିଭାଗ ପ୍ରଥମ କରି ପ୍ରକାଶ କରିଥିଲେ ଯେ ସେମାନେ ଭୁବନେଶ୍ୱର ଏବଂ କଟକକୁ ମେଟ୍ରୋ ରେଳ ଦ୍ୱାରା ସଂଯୋଗ କରିବାର ସମ୍ଭାବନା ଉପରେ ଏକ ସର୍ଭେ କରିବାକୁ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ କହିଛନ୍ତି। ୨୦୧୩ ମସିହା ଜାନୁଆରୀ ୮ ତାରିଖରେ, ଦିଲ୍ଲୀ ମେଟ୍ରୋ ରେଳ ନିଗମର ପ୍ରମୁଖ ପରାମର୍ଶଦାତା ତଥା ମେଟ୍ରୋ ମ୍ୟାନ୍ ଭାବେ ଜଣାଶୁଣା ପ୍ରଖ୍ୟାତ ଇଞ୍ଜିନିୟର୍ ଶ୍ରୀଧରନ ସର୍ଭେ ପରେ ମତ ଦେଇଥିଲେ ଯେ ମେଟ୍ରୋ ରେଳ ବ୍ୟବସ୍ଥା ଭୁବନେଶ୍ୱର ପାଇଁ ଏବେ ଉପଯୁକ୍ତ ନୁହେଁ। କାରଣ, ଏହା ସର୍ବନିମ୍ନ ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ପାଇଁ ଉପଯୁକ୍ତ। ସେ ପରାମର୍ଶ ଦେଇଥିଲେ ଯେ ଭୁବନେଶ୍ୱରରେ ବସ୍ ମାଧ୍ୟମରେ ଦ୍ରୁତ ପରିବହନ ବ୍ୟବସ୍ଥା କିମ୍ବା ହାଇ ସ୍ପିଡ୍ ଟ୍ରାମୱେ ବ୍ୟବସ୍ଥାରେ ନିବେଶ କରିବା ଉଚିତ ହେବ।

Advertisment

ଏବେ କଟକ ମହାନଗରର ମେୟର ଭାବେ କାର୍ଯ୍ୟ କରୁଥିବା ଏବଂ ତତ୍କାଳୀନ କଟକ ବଞ୍ଚାଅ କମିଟିର ଆବାହକ ସୁବାସ ସିଂହ ଏହି ମେଟ୍ରୋ ରେଳ ବ୍ୟବସ୍ଥା ପ୍ରସଙ୍ଗରେ ବାରମ୍ବାର ଆବେଦନ ଓ ସ୍ମାରକପତ୍ର ଦେଇଥିଲେ। ସେ ଯୁକ୍ତି ରଖିଥିଲେ ଯେ, ଆଗାମୀ ୫୦ ବର୍ଷ ମଧ୍ୟରେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହା ଉପରେ ପୁନର୍ବିଚାର କରିବା ଉଚିତ। ଶ୍ରୀ ସିଂହ କହିଥିଲେ ଯେ, ଭୁବନେଶ୍ୱର, କଟକ ଏବଂ ପୁରୀ ହେଉଛି ପୂର୍ବ ଭାରତରେ ସ୍ୱାସ୍ଥ୍ୟ, କ୍ରୀଡ଼ା, ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଏବଂ ପର୍ଯ୍ୟଟନର କେନ୍ଦ୍ର ହେବାର ଯଥେଷ୍ଟ ସମ୍ଭାବନା ଥିବା ଉଦୀୟମାନ ସହର। ଏହି ସହରଗୁଡ଼ିକୁ ସଂଯୋଗ କରିବା ପାଇଁ ମେଟ୍ରୋ ପ୍ରକଳ୍ପ ଏହି ଅଞ୍ଚଳର ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ ଏବଂ ରାଜ୍ୟର ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶରେ ଆହୁରି ସହାୟକ ହେବ।

୨୦୧୩ ମସିହା ଜାନୁଆରୀ ୯ ତାରିଖରେ ରାଜ୍ୟ ସରକାରଙ୍କୁ ଇଞ୍ଜିନିୟରିଂ ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡ୍ କଟକ ଏବଂ ଭୁବନେଶ୍ୱର ମଧ୍ୟରେ ଏକ ମନୋରେଲ୍ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ୨୦୧୪ ମସିହା ଅଗଷ୍ଟ ୨୩ ତାରିଖରେ ରାଜ୍ୟ ସରକାର ଭୁବନେଶ୍ୱର ଏବଂ କଟକ ମଧ୍ୟରେ ୩୦ କିଲୋମିଟର ପରିବ୍ୟାପ୍ତ ଏକ ମାସ୍ ରାପିଡ୍ ଟ୍ରାନ୍ସିଟ୍ ସିଷ୍ଟମ୍ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ବାଲାଜୀ ରେଲରୋଡ୍ ସିଷ୍ଟମ୍ସ ଲିମିଟେଡ୍ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ। ଦଶ ମାସରେ ଦାଖଲ ହେବାକୁ ଥିବା ଯୋଜନା ପ୍ରସ୍ତୁତି ପାଇଁ ବାଲାଜୀ କମ୍ପାନୀକୁ ୨.୫୨ କୋଟି ଟଙ୍କା ଦେବାକୁ ଚୁକ୍ତି ହୋଇଥିଲା।

ମେଟ୍ରୋମ୍ୟାନ୍ ଶ୍ରୀଧରନ ଜାନୁଆରୀ ୨୦୧୩ରେ ଦେଇଥିବା ତଥ୍ୟ ଆଧାରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ୀ ଫେବୃଆରୀ ୨୦୧୭ରେ କହିଥିଲେ ଯେ ଭୁବନେଶ୍ୱରରେ ମେଟ୍ରୋ ରେଳ ବ୍ୟବସ୍ଥା ପାଇଁ କୌଣସି ସମ୍ଭାବନା ନାହିଁ ଏବଂ ଏହା ବଦଳରେ ଏକ ବସ୍ ଆଧାରିତ ଦ୍ରୁତ ପରିବହନ ବ୍ୟବସ୍ଥା ବିକଶିତ କରାଯିବ। ଭୁବନେଶ୍ୱରରେ ମେଟ୍ରୋ ରେଳ ସ୍ୱପ୍ନ ସେଇଠି ସରିଯାଇଥିଲା।

କିନ୍ତୁ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜାନୁଆରୀ ୨୦୧୮ରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏବଂ ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ରେଳ ସଂଯୋଗ ପାଇଁ ଘୋଷଣା କଲେ। ନିର୍ବାଚନରେ ଲଗାତାର ପଞ୍ଚମ ଥର ପାଇଁ ସେ କ୍ଷମତାକୁ ଆସିବା ପରେ ୨୦୧୯ ମସିହା ଜୁନ୍ ମାସରେ ରାଜ୍ୟ ସରକାର ଐତିହ୍ୟ ସହର କଟକକୁ ସ୍ମାର୍ଟ ସହର ଭୁବନେଶ୍ୱର ସହିତ ମେଟ୍ରୋ ଟ୍ରେନ୍ ଦ୍ୱାରା ସଂଯୋଗ କରାଯିବାକୁ ଚେଷ୍ଟା କରିବେ ବୋଲି ଓଡ଼ିଶାର ରାଜ୍ୟପାଳ ମଧ୍ୟ ସୂଚନା ଦେଇଥିଲେ। ମୃତ ମେଟ୍ରୋ ରେଳ ସ୍ୱପ୍ନ ପୁଣି ଥରେ ଜୀବନ୍ୟାସ ପାଇଲା।

୨୦୨୩ ମସିହା ଏପ୍ରିଲ ମାସରେ ନବୀନ ପଟ୍ଟନାୟକ କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ପୁରୀ ମଧ୍ୟରେ ମେଟ୍ରୋ ଟ୍ରେନ୍ ସେବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଥିଲେ। ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏହି ପ୍ରକଳ୍ପ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଡିପିଆର ପ୍ରସ୍ତୁତି ସମାପ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏହା ସମ୍ପୂର୍ଣ୍ଣ ଭାବରେ ଓଡ଼ିଶା ସରକାରଙ୍କ ପାଣ୍ଠିରେ କରାଯିବାକୁ ମଧ୍ୟ ଘୋଷଣା କରିଥିଲେ। ସେତେବେଳକୁ ସାଧାରଣ ନିର୍ବାଚନ ଥାଏ ମାତ୍ର ଏକ ବର୍ଷ।

ଚାରିମାସ ପରେ ଅର୍ଥାତ୍ ୨୦୨୩ ମସିହା ଅଗଷ୍ଟ ମାସରେ ଦିଲ୍ଲୀ ମେଟ୍ରୋ ରେଳ ନିଗମଙ୍କୁ ଡିପିଆର୍ ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଗଲା। ସେମାନେ ଟ୍ରାଫିକ୍ ସର୍ଭେ, ଭୂ-ବୈଷୟିକ ତଦନ୍ତ, ଟୋପୋଗ୍ରାଫିକ୍ ସର୍ଭେ, ପରିବେଶଗତ ଏବଂ ସାମାଜିକ ପ୍ରଭାବ ମୂଲ୍ୟାଙ୍କନ କରି ଡିପିଆର୍ ପ୍ରସ୍ତୁତ କରିଥିଲେ ଏବଂ ଓଡ଼ିଶାର ତତ୍କାଳୀନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ପ୍ରଦାନ କରିଥିଲେ। ସେତେବେଳକୁ ମେଟ୍ରୋମ୍ୟାନ୍ ଶ୍ରୀଧରନ୍ ଦିଲ୍ଲୀ ମେଟ୍ରୋ ରେଳ ନିଗମର ପରିଚାଳନା ନିର୍ଦ୍ଦେଶକ ନଥିଲେ। ସେ ୨୦୧୧ ମସିହା ଡିସେମ୍ବର ମାସ ୩୧ ତାରିଖଠାରୁ ଅବସର ନେଇ ସାରିଥିଲେ।

ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲାର ବାରଙ୍ଗ ନିକଟସ୍ଥ ତ୍ରିଶୁଳିଆ ଠାରୁ ଭୁବନେଶ୍ୱର ସ୍ଥିତ ବିମାନବନ୍ଦର ପର୍ଯ୍ୟନ୍ତ ଗୋଟିଏ ଲାଇନ୍ ରେଳପଥ ନିର୍ମାଣ ହେବା ଏବଂ ସେଥିରେ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ କରାଯିବାକୁ ସ୍ଥିର ହୋଇଥିଲା; ଯେଉଁଥିରେ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ, ବାପୁଜୀ ନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀ ବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଜିଲ୍ଲା କେନ୍ଦ୍ର, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ବାରଙ୍ଗ ଷ୍ଟେସନ ଏବଂ ଫୁଲାପୋଖରୀ ଅନ୍ତର୍ଭୁକ୍ତ ହୋଇଥିଲା। ଭବିଷ୍ୟତରେ ସମ୍ପ୍ରସାରଣ କରାଗଲେ ତ୍ରିଶୁଳିଆ ଠାରୁ କଟକସ୍ଥିତ ନେତାଜୀ ବସ୍ ଟର୍ମିନାଲ ଯାଏଁ ବିସ୍ତାର କରାଯିବାକୁ ସେଥିରେ ପ୍ରସ୍ତାବ ରହିଥିଲା। ମହାସମାରୋହରେ ୨୦୨୪ ମସିହା ଜାନୁଆରୀ ମାସ ପହିଲା ତାରିଖରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ। ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରେ ପରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ସେହି ବର୍ଷ ମାର୍ଚ୍ଚ ମାସରେ ସମସ୍ତ ୧୯ଟି ଉଚ୍ଚ ମେଟ୍ରୋ ଷ୍ଟେସନ ପାଇଁ ଟେଣ୍ଡର ଜାରି କରା ଯାଇଥିଲା। ସେତେବେଳେ କୁହାଯାଇଥିଲା ଯେ, ଏହି ପ୍ରକଳ୍ପ ପାଇଁ ମୋଟ ୬,୨୫୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି, ଯାହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମାପ୍ତ ହୋଇ ୨୦୨୭ ମସିହା ସୁଦ୍ଧା ମେଟ୍ରୋ ରେଳ ଚଳାଚଳ କରିବ।

ଆଗରୁ ମେଟ୍ରୋ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ଚାଲିଥିଲା। ବିଭିନ୍ନ ସ୍ଥାନରୁ ୫୦-୬୦ ମିଟର ତଳୁ ମାଟି ନେଇ ଦିଲ୍ଲୀ ଓ କଟକସ୍ଥିତ ବିଜ୍ଞାନାଗାରରେ ମାଟି ପରୀକ୍ଷା କରାଯାଇଥିଲା। ମାଟି ପରୀକ୍ଷା ସରିବା ପରେ ଆରମ୍ଭ ହେବାର ଥିଲା ମୂଳଦୁଆ ଡିଜାଇନ୍‌ ପ୍ରସ୍ତୁତି। ତ୍ରିଶୁଳିଆ ନିକଟସ୍ଥ ଫୁଲପୋଖରୀ ରତାଗଡ଼ଠାରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ଡିପୋ ତିଆରି କାମ ମଧ୍ୟ ଚାଲୁ ରହିଥିଲା। ସେହି ସମୟରେ ଭୂମିପତ୍ତନଠାରୁ ୧୩ ମିଟର ଉଚ୍ଚରେ ମେଟ୍ରୋ ଟ୍ରେନ୍ ଚାଲିବ ବୋଲି କୁହାଯାଉଥିଲା। ପ୍ରତି ୧୦ ମିନିଟ୍ ବ୍ୟବଧାନରେ ମେଟ୍ରୋ ଟ୍ରେନ୍ ଚାଲିବ ବୋଲି ସେତେବେଳେ ଏନେଇ ସୂଚନା ଦେଇଥିଲେ ମେଟ୍ରୋ ରେଳ କର୍ପୋରେସନ୍ କର୍ତ୍ତୃପକ୍ଷ। ମନେ ହେଉଥିଲା ସତେ ଯେପରି ମେଟ୍ରୋ ରେଳ ସେବା ଆଉ ଅପହଞ୍ଚ ନୁହେଁ। ସାଧାରଣ ନିର୍ବାଚନରେ ସରକାରୀ ଦଳ ହାରିଗଲା ଏବଂ ୨୦୨୪ ଜୁନ ୧୨ ତାରିଖରେ ମୋହନ ମାଝୀଙ୍କ ନେତୃତ୍ୱରେ ନୂଆ ସରକାର ଗଠିତ ହେଲା।

ଗତ ୨୦୨୪ ମସିହା ନଭେମ୍ବର ମାସରେ ନୂଆ ସରକାର ସୂଚନା ଦେଲେ ଯେ, ୨୦୨୭ ମସିହା ନଭେମ୍ବର ସୁଦ୍ଧା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାମ ସରିଯିବ। ତିନୋଟି କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ମଧ୍ୟ କରାଯାଇଥିଲା। କିନ୍ତୁ ହଠାତ୍ ଭୁବନେଶ୍ୱରରେ ରେଳ ପ୍ରକଳ୍ପକୁ ନେଇ ୨୦୨୫ ମସିହା ମଇ ମାସ ୨୫ ତାରିଖରେ ଚମକପ୍ରଦ ସୂଚନା ଦେଲେ ରାଜ୍ୟର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଲେ ଯେ, ଭୁବନେଶ୍ୱରରେ ଭୂତଳ ମେଟ୍ରୋ ହେବ; ଯେଉଁଥିପାଇଁ ନୂଆ ନୀଳନକ୍ସା ତିଆରି ହେବା ଆବଶ୍ୟକ ହେବ। ନଗର ଉନ୍ନୟନ ବିଭାଗ ଏହା କରିବା ପରେ ମେଟ୍ରୋ ରେଳ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ। ସେ ଏହା ମଧ୍ୟ ସ୍ପଷ୍ଟ କରିଦେଲେ ଯେ, ଉଡ଼ନ୍ତା ପୋଲ ବା ଏଲିଭେଟେଡ୍ ମେଟ୍ରୋ ବଦଳରେ ସମ୍ପୂର୍ଣ୍ଣ ଭୂତଳ ମେଟ୍ରୋ ନିର୍ମାଣ ହେବ। ଉଡ଼ନ୍ତା ପୋଲ ଉପରେ ମେଟ୍ରୋ ରେଳ ଚାଲିଲେ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବ। ଏହାକୁ ଅକ୍ଷୁର୍ଣ୍ଣ ରଖିବାକୁ ଭୂତଳ ମେଟ୍ରୋ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। କୋଲକାତା ମେଟ୍ରୋ ଟ୍ରେନ୍‌ ଭଳି ଭୁବନେଶ୍ୱର ‌ମେଟ୍ରୋ ରେଳ ମାଟି ତଳେ ଚାଲିବ। ଏହାର ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତି କାର୍ଯ୍ୟ ନଗର ଉନ୍ନୟନ ବିଭାଗ ଆରମ୍ଭ କରିଛି। କେଉଁ ରାସ୍ତାରେ ମେଟ୍ରୋ ଯିବ, କେତେ ଷ୍ଟେସନ ‌ରହିବ, କେତେ କିମିର ହେବ ତାହା ସର୍ଭେ କରିବାକୁ କୁହାଯାଇଛି। ସର୍ଭେ ଶେଷ ହେବା ପରେ ନଗର ଉନ୍ନୟନ ବିଭାଗର ଏହାର ଡିପିଆର୍‌ ପ୍ରସ୍ତୁତ କରିବ।

କିଛି ମାସ ତଳେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ ଭୁବନେଶ୍ୱରର ଭିଡ଼ ନିୟନ୍ତ୍ରଣ କରିବାକୁ ଦୁଇ ମହଲା ବିଶିଷ୍ଟ ଉଡନ୍ତା ପୋଲ (ଡବଲ୍‌ ଡେକର୍ ଫ୍ଲାଇଓଭର) ନିର୍ମାଣ ହେବ। ଏହି ଫ୍ଲାଇଓଭରର ତଳେ ଗାଡ଼ି ଯାତାୟତ କରିବ, ମଝିରେ ମେଟ୍ରୋ ଏବଂ ଉପରେ ଅନ୍ୟ ଗାଡ଼ି ଯାତାୟତ କରିବ। କେବଳ ପୂର୍ତ୍ତ ମନ୍ତ୍ରୀ ନୁହେଁ, ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏହା ପୂର୍ବରୁ କହିଥିଲେ ଯେ, ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ହେଲେ କଟକବାସୀଙ୍କ ପାଇଁ ଲାଭ ହେବନି। ଏସ୍‌ସିବି ମେଡିକାଲ କଲେଜ, ହାଇକୋର୍ଟ, ବାଦାମବାଡ଼ି ବସଷ୍ଟାଣ୍ଡକୁ ଯେପରି ଲୋକ ସୁବିଧାରେ ଯାତାୟାତ କରିପାରିବେ ତାହାକୁ ନଜରରେ ରଖି ମେଟ୍ରୋକୁ କଟକ ସହର ଭିତରକୁ ସମ୍ପ୍ରସାରଣ କରାଯିବ। ଏଲିଭେଟର କରିଡରରେ ହିଁ ମେଟ୍ରୋ ରେଳ ଚଳାଚଳ କରିବ। ଏଥିପାଇଁ ଡିପିଆର୍‌ରେ ଆବଶ୍ୟକ ସଂଶୋଧନ କରାଯିବ। ବାସ୍ତବରେ ରାଜ୍ୟ ସରକାରଙ୍କ ସ୍ପଷ୍ଟ ମତ ମିଳୁନଥିବାରୁ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି।

ଏତିକି ବେଳେ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ ହୋଇ ଯାଇଛି। ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ର ପାଖକୁ ଆସିଥିବା ୧୭ଟି ପ୍ରସ୍ତାବ ଭିତରେ ଓଡ଼ିଶାର ନାଁ ନାହିଁ ବୋଲି ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ସଂସଦରେ ସୂଚନା ଦେବା ପରେ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଆପାତତଃ ଦୂର ହୋଇଛି। ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ହେଉନାହିଁ ଏବଂ ମୁଖ୍ୟମନ୍ତ୍ରୀ ଏ ଏନେଇ କୌଣସି ନିଷ୍ପତ୍ତି ନେଇ ନଥିବାରୁ ମନ୍ତ୍ରୀମାନେ ମିଛରେ ବାହାସ୍ଫୋଟ ମାରୁଥିବାର ସ୍ପଷ୍ଟ ହୋଇ ଯାଇଛି। ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରଶ୍ନ ଉଠିବା ସ୍ୱାଭାବିକ। ଆମେ ପରବର୍ତ୍ତୀ ପ୍ରବନ୍ଧରେ ଆଲୋଚନା କରିବା ଯେ, ଭୁବନେଶ୍ୱର ପାଇଁ ମେଟ୍ରୋ ରେଳ ସେବା କେତେ ଆବଶ୍ୟକ। ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ଦେଇ ଏସ୍‌ସିବି ମେଡିକାଲ କଲେଜ ପର୍ଯ୍ୟନ୍ତ ମେଟ୍ରୋରେଳ ଚାଲିଲେ କେତେ ଲାଭ ହେବ? ପୁରୀରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠା ହେବାକୁ ପଥ ପରିଷ୍କାର ହୋଇ ସାରିଥିବାରୁ ପୁରୀ-କୋଣାର୍କ-ଭୁବନେଶ୍ୱର-କଟକ ମେଟ୍ରୋ ରେଳ ମାଧ୍ୟମରେ ସଂଯୋଗ ହେବା କେତେ ଜରୁରୀ? ଆଜିଯାଏଁ ମେଟ୍ରୋ ରେଳ ପାଇଁ ରାଜ୍ୟ ସରକାର କେତେ ଅର୍ଥବ୍ୟୟ କରି ସାରିଛନ୍ତି, ତାହା ପ୍ରକାଶ କରିବା ମଧ୍ୟ ଆବଶ୍ୟକ।

ଫୋ- ୯୪୩୮୨୯୯୦୩୭

Odisha Bhubaneswar Cuttack Metro Rail MetroTrain