/odisha-reporter/media/media_files/2025/12/12/mataram-2025-12-12-17-27-59.jpg)
Vande Mataram Photograph: (Internet)
ରବି ଦାସ
‘ବନ୍ଦେ ମାତରମ୍’କୁ ନେଇ ପାର୍ଲାମେଂଟରେ ୧୦ ଘଂଟା ବ୍ୟାପୀ ଯେଉଁ ଆଲୋଚନା ହେଲା ତା’ ଫଳରେ ଏହି ଜାତୀୟ ଗାନକୁ କେନ୍ଦ୍ରକରି ଚାଲିଥିବା ଅନେକ ବିଭ୍ରାନ୍ତି ଦୂର ହୋଇଛି ବୋଲି ବୁଝିବାକୁ ପଡ଼ିବ। କାରଣ ‘ବନ୍ଦେ ମାତରମ୍’ ଏପରି ଏକ ଜାତୀୟ ଗାନ ଯାହାକୁ ନେଇ ଏହି ଗାନ ପ୍ରସ୍ତୁତ ହେବାର ୧୫୦ ବର୍ଷ ପରେ ଓ ଦେଶ ସ୍ୱାଧୀନ ହୋଇ ସମ୍ବିଧାନ ସଭାରେ ଏହି ଗାନକୁ ଜାତୀୟ ଗାନ ଭାବରେ ଗ୍ରହଣ କରାଯିବାର ୭୬ ବର୍ଷ ପରେ ତାହା ଉପରେ ଏକ ସାନି ବିତର୍କ ହେବା ପଛରେ ପ୍ରକୃତ ଉଦ୍ଦେଶ୍ୟ ବୁଝିବା କଷ୍ଟକର ଥିଲା।
ବଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ‘ବନ୍ଦେ ମାତରମ୍’ ପ୍ରଥମ ଥର ପାଇଁ ବଙ୍ଗଳାର ଏକ ସାହିତ୍ୟ ପତ୍ରିକା ‘ବଙ୍ଗ ଦର୍ଶନ’ରେ ୧୮୭୫ ମସିହାରେ ଛପା ଯାଇଥିଲା। ଏହି ଗାନଟି ସେତେବେଳେ ଜାତୀୟତାବାଦୀ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଭିତରେ ବେଶ୍ ପ୍ରଭାବ ସୃଷ୍ଟି କରିଥିବାରୁ ୧୮୯୬ରେ କଂଗ୍ରେସ ଅଧିବେଶନରେ ରବୀନ୍ଦ୍ରନାଥ ଟାଗୋର୍ ଗାନ କରିଥିଲେ। ସେତେବେଳକୁ ବଙ୍ଗ ବିଭାଜନ ହୋଇନଥିଲା। ବଙ୍ଗ ବିଭାଜନ ସମୟରେ ଏହି ସଙ୍ଗୀତରୁ ଭିନ୍ନ ଭିନ୍ନ ଭାବରେ ବ୍ୟବହାର କଲେ ମଧ୍ୟ ଏହି ଗାନଟି ସେତେବେଳର ଜାତୀୟ ଆନ୍ଦୋଳନରେ ଏକ ପ୍ରମୁଖ ଗୀତରେ ପରିଣତ ହୋଇଥିଲା। ୧୯୩୫ରେ ଗଭର୍ମେଂଟ ଅଫ୍ ଇଣ୍ଡିଆ ଆଇନ ହେବା ପରେ ଭାରତୀୟମାନେ ନିର୍ବାଚନ ବ୍ୟବସ୍ଥାରେ ପ୍ରାଦେଶିକ ବିଧାନସଭା ଓ ଜାତୀୟ ବିଧାନସଭାରେ ଅଂଶଗ୍ରହଣର ସୁବିଧା ପାଇଲେ।
ସେହି ନିର୍ବାଚନରେ କଂଗ୍ରେସର ଏକ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବରେ ମୁସ୍ଲିମ୍ ଲିଗ୍ ବେଶ୍ ସକ୍ରିୟ ହୋଇଥିଲା ଓ ସେମାନେ ‘ବନ୍ଦେ ମାତରମ୍’କୁ ଭିନ୍ନ ଅର୍ଥରେ ବ୍ୟବହାର କରି ତାହା ଜରିଆରେ ହିନ୍ଦୁମାନଙ୍କ ବିରୋଧରେ ଆକ୍ରମଣ କରିବା ପାଇଁ ବାହାରି ପଡ଼ିଥିଲେ। ଯେହେତୁ କଂଗ୍ରେସ ଦଳ ବସ୍ତୁତଃ ‘ବନ୍ଦେ ମାତରମ୍’କୁ ଏହାର ଆନ୍ଦୋଳନର ଏକ ମାଧ୍ୟମ ଭାବରେ ଗ୍ରହଣ କରିଥିଲା, ତେଣୁ ସେହି ଗୀତ ପଛରେ ସାମ୍ପ୍ରଦାୟିକତା ଭାବନା ରହିଥିବାର ଅଭିଯୋଗ ମୁସ୍ଲିମ୍ ଲିଗ୍ କରିଥିଲା। ତେଣୁ ୧୯୩୭ କଂଗ୍ରେସ ଅଧିବେଶନରେ ଏହା ଉପରେ ଏକ ଆଲୋଚନା ପାଇଁ ସ୍ଥିର ହୋଇଥିଲା। ୧୯୩୭ରେ ଜବାହାର୍ଲାଲ୍ ନେହେରୁ କଂଗ୍ରେସର ସଭାପତି ଥିବା ସମୟରେ ଏହି ଆଲୋଚନା କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଅନୁଷ୍ଠିତ ହୋଇଥିଲା। କଲିକତାରେ କଂଗ୍ରେସ ଅଧିବେଶନ ହେଉଥିବାରୁ ‘ବନ୍ଦେ ମାତରମ୍’ ନେଇ ବିବାଦକୁ ଅଗ୍ରାଧିକାର ଦିଆଯାଇଥିଲା।
କାର୍ଯ୍ୟକାରୀ କମିଟିରେ ଏହା ଆଲୋଚନା କରିବା ପୂର୍ବରୁ ସୁବାଷ ବୋଷଙ୍କ ପ୍ରସ୍ତାବକ୍ରମେ ପଣ୍ଡିତ ନେହେରୁ, ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର୍ଙ୍କୁ ସାକ୍ଷାତ କରିଥିଲେ। ସେହି ସାକ୍ଷାତ ସମୟରେ ରବୀନ୍ଦ୍ରନାଥ ଟାଗୋର ଏହି ସଙ୍ଗୀତର ଧ୍ରୁବୀକରଣ କରାଯାଉଥିବା ଅଂଶକୁ ବାଦ୍ ଦେଇ ପ୍ରଥମ ଦୁଇଟି ପଂକ୍ତିକୁ ଜାତୀୟ ଗାନ ଭାବରେ ରଖିବା ପାଇଁ ପରାମର୍ଶ ଦେଇଥିଲେ। ସେହି ଦୁଇ ପଂକ୍ତିର ସଙ୍ଗୀତ ସର୍ଜନା ମଧ୍ୟ ରବୀନ୍ଦ୍ରନାଥ ଟାଗୋର୍ କରିଥିଲେ। ସେତେବେଳେ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଜବାହର୍ଲାଲ୍ ନେହେରୁଙ୍କ ଛଡ଼ା ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ, ମୌଲାନା ଅବ୍ଦୁଲ୍ କଲାମ୍ ଆଜାଦ୍, ଭୁଲାଭାଇ ଦେଶାଇ, ଯମୁନାଲାଲ୍ ବଜାଜ୍, ଆଚାର୍ଯ୍ୟ ଜେବି କୃପାଳିନୀ, ପଟାଭି ସୀଥାରାମାୟା, ରାଜଗୋପାଳାଚାରୀ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଜୟପ୍ରକାଶ ନାରାୟଣ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସଦସ୍ୟ ଥିଲେ। ମହାତ୍ମା ଗାନ୍ଧୀ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ନଥିଲେ ମଧ୍ୟ ଏହି ଆଲୋଚନାରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଥିଲେ। ସେହି କାର୍ଯ୍ୟକାରୀ କମିଟିରେ ରବୀନ୍ଦ୍ରନାଥ ଟାଗୋର୍ଙ୍କର ପରାମର୍ଶକ୍ରମେ ‘ବନ୍ଦେ ମାତରମ୍’ର ପ୍ରଥମ ଦୁଇଟି ପଂକ୍ତିକୁ ଜାତୀୟ ଗାନ ଭାବରେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବଟି ଡକ୍ଟର୍ ରାଜେନ୍ଦ୍ର ପ୍ରସାଦ ଆଗତ କରିଥିଲେ ଓ ସର୍ଦ୍ଦାର ପଟେଲ୍ ସମର୍ଥନ କରିଥିଲେ। ସର୍ବସମ୍ମତିକ୍ରମେ ପ୍ରସ୍ତାବଟି ଗୃହୀତ ହୋଇଥିଲା।
ଏବେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସଙ୍ଗୀତକୁ ନେହେରୁ ମୁସ୍ଲିମ୍ ଲିଗ୍ ନେତା ଜିନାଙ୍କ ଚାପରେ ସଂଶୋଧନ କରି କେବଳ ପ୍ରଥମ ଦୁଇଟି ପଂକ୍ତିକୁ ରଖିବା ଫଳରେ ଭାରତର ସାଂପ୍ରଦାୟିକ ବିଭାଜନର ରାସ୍ତା ଖୋଲିଥିଲା ବୋଲି ଅଭିଯୋଗ କରୁଛନ୍ତି। ଯେହେତୁ କଂଗ୍ରେସ ଦଳର କାର୍ଯ୍ୟକାରୀ କମିଟି ଏହି ପ୍ରସ୍ତାବ ଗ୍ରହଣ କରିବା ସମୟରେ ନେହେରୁ ଦଳର ସଭାପତି ଥିଲେ, ତେଣୁ ସିଧାସଳଖ ଭାବରେ ନେହେରୁ ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ଏହା ସତ୍ୟ ଯେ, ସେତେବେଳେ ‘ବନ୍ଦେ ମାତରମ୍’ ଗାନ ଓ ‘ଆନନ୍ଦ ମଠ’ ଉପନ୍ୟାସର ବିଷୟବସ୍ତୁକୁ ମୁସ୍ଲିମ୍ ଲିଗ୍ ଓ ମହମ୍ମଦ ଅଲ୍ଲୀ ଜିନା ସାଂପ୍ରଦାୟିକତା ଧ୍ରୁବୀକରଣ ପାଇଁ ବ୍ୟବହାର କରିଥିଲେ। କିନ୍ତୁ ଯଦି ଦେଖାଯାଏ ତେବେ ନେହେରୁ ଏହି ସାଂପ୍ରଦାୟିକତାର ବିରୋଧୀ ଥିଲେ ବୋଲି ସେ ସମୟରେ ସେ ପ୍ରସ୍ତାବଟି ଗୃହୀତ ପୂର୍ବରୁ ସୁବାଷ ବୋଷଙ୍କୁ ଲେଖିଥିବା ଚିଠିରେ ପରିଷ୍କାର ହୋଇଛି। ଏହି ଚିଠି ବିଷୟରେ ଲୋକସଭାରେ ପ୍ରିୟଙ୍କା ଗାନ୍ଧୀ ଭାଷଣ ଦେଲାବେଳେ ଉଲ୍ଲେଖ କରିଛନ୍ତି।
ମୋଟାମୋଟି ଭାବରେ ଦେଖିଲେ ଯେହେତୁ କଂଗ୍ରେସ ଦଳ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମର ପୃଷ୍ଠଭୂମି ହିନ୍ଦୁ-ମୁସ୍ଲିମ୍ ଏକତା ଉପରେ ଗୁରୁତ୍ୱ ଦେଉଥିଲା, ସେହେତୁ ‘ବନ୍ଦେ ମାତରମ୍’ର ଯେଉଁ ପଂକ୍ତିଗୁଡ଼ିକ ଧର୍ମୀୟ ଭାବନାକୁ ଜାଗ୍ରତ କରୁଥିଲା ତାହାକୁ ବାଦ୍ ଦେଇ ପ୍ରଥମ ଦୁଇଟି ପଂକ୍ତିକୁ ଗ୍ରହଣ କରିବାକୁ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର୍ଙ୍କ ଉପଦେଶକ୍ରମେ ଗ୍ରହଣ କରାଯାଇଥିଲା। ଏହା କେବେ ବି ପଣ୍ଡିତ ଜବାହର୍ଲାଲ୍ ନେହେରୁଙ୍କର ନିଜସ୍ୱ ନିଷ୍ପତି ନଥିଲା। କାରଣ ‘ଆନନ୍ଦ ମଠ’ ଉପନ୍ୟାସ ସମ୍ପର୍କରେ ସେ ପୂର୍ବରୁ ଅଧ୍ୟୟନ କରିନଥିଲେ। କିନ୍ତୁ କଂଗ୍ରେସର ପ୍ରତ୍ୟେକ ଅଧିବେଶନରେ ‘ବନ୍ଦେ ମାତରମ୍’ ସଙ୍ଗୀତକୁ ଜାତୀୟ ଗାନ ଭାବରେ ପ୍ରଥମରୁ ଗାନ କରାଯାଉଥିଲା। ଅଧିକାଂଶ କଂଗ୍ରେସ କର୍ମୀମାନେ ଯେଉଁଥିରେ କି ବହୁ ସଂଖ୍ୟାରେ ମୁସ୍ଲିମ୍ ସଂପ୍ରଦାୟର ଲୋକମାନେ ଥିଲେ ସେମାନେ ଏହି ଗାନକୁ ସ୍ଳୋଗାନ ଭାବରେ ଗ୍ରହଣ କରି ବ୍ରିଟିଶ୍ ସରକାର ବିରୋଧରେ ଆନ୍ଦୋଳନର ଅସ୍ତ୍ର କରିଥିଲେ। ଯେହେତୁ କଂଗ୍ରେସ କାର୍ଯ୍ୟକାରୀ କମିଟି ସର୍ବସମ୍ମତି କ୍ରମେ ଏହି ଗାନକୁ ଜାତୀୟ ଗାନ ଭାବରେ ଗ୍ରହଣ କରିଥିଲେ, ତେଣୁ ଏଥିପାଇଁ ସିଧାସଳଖ ନେହେରୁଙ୍କୁ ଦୋଷ ଦେବାର କୌଣସି କାରଣ ନାହିଁ। ଏହା ସେତେବେଳେ ତୁଷ୍ଟୀକରଣ ପାଇଁ ଉଦ୍ଦିଷ୍ଟ ନଥିଲା, ବରଂ ସ୍ୱାଧୀନତା ସଂଗ୍ରାମରେ ହିନ୍ଦୁ-ମୁସ୍ଲିମ୍ ଏକତା ବଜାୟ ରଖିବା ପାଇଁ ଉଦ୍ଦିଷ୍ଟ ଥିଲା।
ଏହି ବିବାଦର ଚୂଡ଼ାନ୍ତ ସମାଧାନ ସମ୍ବିଧାନ ସଭାରେ ହୋଇଥିଲା। ସେହି ସମ୍ବିଧାନ ସଭାରେ ଡକ୍ଟର୍ ରାଜେନ୍ଦ୍ର ପ୍ରସାଦ ଅଧ୍ୟକ୍ଷତା କରୁଥିଲେ। ଡକ୍ଟର୍ ଭୀମରାଓ ଆମ୍ବେଦକର ସମ୍ବିଧାନ ଚିଠା ପ୍ରଣୟନକାରୀ କମିଟିର ଅଧ୍ୟକ୍ଷ ଥିଲେ ଓ ସମ୍ବିଧାନ ସଭାରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସମେତ ୨୯୯ ସଦସ୍ୟ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶ ବିଭାଜନ ପୂର୍ବରୁ ଯେଉଁ ସମ୍ବିଧାନ ସଭା ହୋଇଥିଲା ସେଥିରେ କଂଗ୍ରେସ ଦଳର ୨୦୮ ଜଣ ସଦସ୍ୟ ଥିଲେ ଓ ମୁସ୍ଲିମ୍ ଲିଗ୍ର ୭୩ ଜଣ ସଦସ୍ୟ ଥିଲେ। ଆଉ ୧୫ ଜଣ ଅନ୍ୟ ସଦସ୍ୟ ଥିଲେ। ପରେ ଦେଶର ଗଡ଼ଜାତମାନଙ୍କର ମିଶ୍ରଣ ପରେ ସମ୍ବିଧାନ ସଭାରେ ସେମାନଙ୍କ ପ୍ରତିନିଧି ଭାବରେ ୯୩ ଜଣ ମନୋନୀତ ହୋଇଥିଲେ। ଦେଶ ବିଭାଜନ ପରେ ମୁସ୍ଲିମ୍ ଲିଗ୍ ସଦସ୍ୟମାନେ ଚାଲିଯାଇଥିଲେ ଓ ମୋଟ୍ ୨୯୯ ଜଣ ସଦସ୍ୟ ସମ୍ବିଧାନ ସଭାରେ ରହିଥିଲେ।
ବାସ୍ତବରେ ଦେଖିବାକୁ ଗଲେ ପ୍ରଥମ ଅବସ୍ଥାରେ ଡକ୍ଟର୍ ଆମ୍ବେଦକର ମୁସ୍ଲିମ୍ ଲିଗ୍ ସମର୍ଥନରେ ବଙ୍ଗଳା ବିଧାନସଭାରୁ ନିର୍ବାଚିତ ହେଉଥିଲେ। କିନ୍ତୁ ଦେଶ ବିଭାଜନ ପରେ ନେହେରୁଙ୍କ ପ୍ରସ୍ତାବକ୍ରମେ ଆମ୍ବେଦକରଙ୍କୁ ବମ୍ବେ ବିଧାନସଭାରୁ ମନୋନୀତ କରାଯିବାରୁ ସେ ସମ୍ବିଧାନ ଚିଠା ପ୍ରଣୟନକାରୀ କମିଟିର ଅଧ୍ୟକ୍ଷ ଓ ଆଇନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସମ୍ବିଧାନ ସଭାରେ ଦେଶର ଜାତୀୟ ସଙ୍ଗୀତ ବା ନ୍ୟାସ୍ନାଲ୍ ଆନ୍ଥେମ୍ ଉପରେ ଆଲୋଚନା ହୋଇଥିଲା। ସେତେବେଳେ ତିନୋଟି ସଙ୍ଗୀତ ସମ୍ବିଧାନ ସଭା ନିକଟରେ ରହିଥିଲା। ଗୋଟିଏ ହେଲା, ‘ବନ୍ଦେ ମାତରମ୍’, ଦ୍ୱିତୀୟଟି ହେଲା ମହମ୍ମଦ ଇକ୍ବଲ୍ଙ୍କ ଦ୍ୱାରା ରଚିତ ‘ସାରେ ଜାହାଁ ସେ ଆଚ୍ଛା’ ଓ ତୃତୀୟଟି ହେଲା ରବୀନ୍ଦ୍ରନାଥଙ୍କର ‘ଜନ-ଗଣ-ମନ’। ଯେହେତୁ ଦେଶ ବିଭାଜନ ପରେ ଇକ୍ବଲ୍ ପାକିସ୍ତାନର ସମର୍ଥକ ହୋଇଯାଇଥିଲେ, ତେଣୁ ତାଙ୍କ ସଙ୍ଗୀତଟି ବାଦ୍ ଦିଆଗଲା। ଯଦିଓ ସେତେବେଳକୁ ‘ବନ୍ଦେ ମାତରମ୍’ କଂଗ୍ରେସ ଜାତୀୟ ଗାନ ଭାବରେ ବ୍ୟବହାର କରୁଥିଲା ଓ କିଛି ସଦସ୍ୟ ଏହାକୁ ବୋଲୁଥିଲେ ତଥାପି ସମ୍ବିଧାନ ସଭା ରବୀନ୍ଦ୍ରନାଥ ଟାଗୋର୍ଙ୍କର ‘ଜନ-ଗଣ-ମନ’କୁ ଜାତୀୟ ଗାନ ଭାବରେ ଗ୍ରହଣ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତି କରିଥିଲେ।
ସେହି ସମ୍ବିଧାନ ସଭାରେ ସେତେବେଳର ଦେଶର ଅଧିକାଂଶ ବିଦ୍ୱାନ ଓ ସଂଗ୍ରାମୀମାନେ ସଦସ୍ୟ ଥିଲେ। ସେମାନେ କେହି ଏଥିନେଇ ଦ୍ୱିମତ ପ୍ରକାଶ କରିନାହାନ୍ତି। ଏହି ସମ୍ବିଧାନ ସଭାରେ ସଂଖ୍ୟାଗରିଷ୍ଠ ଲୋକ ହିନ୍ଦୁ ଥିଲେ। ତଥାପି ସେମାନେ ‘ଜନ-ଗଣ-ମନ’କୁ ନ୍ୟାସ୍ନାଲ୍ ଆନ୍ଥେମ୍ ଭାବରେ ଗ୍ରହଣ କଲେ। ଏପରିକି ସେହି ସମ୍ବିଧାନ ସଭାରେ ଥିବା ହିନ୍ଦୁ ମହାସଭାର ଓ ପରେ ଜନସଂଘର ନାୟକ ଶ୍ୟାମପ୍ରସାଦ ମୁଖାର୍ଜୀ ମଧ୍ୟ କୌଣସି ଭିନ୍ନମତ ସେହି ସଭାରେ ପ୍ରକାଶ କରିନଥିଲେ। ଯେଉଁ ‘ବନ୍ଦେ ମାତରମ୍’ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମୀମାନଙ୍କୁ ଏକଜୁଟ କରୁଥିଲା ସେହି ସଙ୍ଗୀତକୁ ନେଇ ସ୍ୱାଧୀନତାର ୭୯ ବର୍ଷପରେ ବିବାଦ ସୃଷ୍ଟି କରି ବା ତାକୁ ନେଇ ବିଭାଜନ ଆଣିବା ସବୁ ଦୃଷ୍ଟିରୁ ବିଚାର କଲେ ଆଦୌ ଆବଶ୍ୟକ ନୁହେଁ। ଏହାକୁ ମୁସ୍ଲିମ୍ ଲିଗ୍ ସାଂପ୍ରଦାୟିକ ଧ୍ରୁବୀକରଣ ପାଇଁ ସେତେବେଳେ ବ୍ୟବହାର କରିଥିଲେ ମଧ୍ୟ ଏବେ ତାହାକୁ ଆଉ ବ୍ୟବହାର କରିବା ଆଦୌ ଠିକ୍ ନୁହେଁ।
ଫୋ- ୯୪୩୭୪୦୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
