Advertisment

ଓଡ଼ିଶା ରାଜନୀତିରେ ଇତିହାସର ପୁନରାବୃତ୍ତି

କିନ୍ତୁ ଏଥର ଡ୍ରାମା ବିପରୀତ ଦିଗରେ ଯିବ। ଯେଉଁ ସୁବିଧା ନବୀନ ୨୦୦୦ ମସିହାରେ ହାସଲ କରିଥିଲେ ତାହା ୨୦୨୬ ରେ ପାଇବାର ସମ୍ଭାବନା ନାହିଁ। ବରଂ ଏହି ପଦକ୍ଷେପ ଓଡ଼ିଶାରେ ନୂଆ ଦଳର ସମ୍ଭାବନା ଗତିକୁ ତ୍ୱରାନ୍ୱିତ କରିବ।

author-image
Rabi Das
arabinda

Arabinda Mohapatra And Sanatan Mahakud Photograph: (Internet)

ରବି ଦାସ

ଓଡ଼ିଶାରେ ନୂଆ ରାଜନୈତିକ ଦଳ ଚଳିତ ବର୍ଷ ହେବାର ସମ୍ଭାବନା ବଢୁଥିବା ସମୟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ଦୁଇ ଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରି ରାଜ୍ୟରେ ଇତିହାସର ପୁନରାବୃତ୍ତି ପାଇଁ ଏକ ଅବକାଶ ସୃଷ୍ଟି କରିଛନ୍ତି। ବିଶେଷ ଭାବରେ ଅରବିନ୍ଦ ମହାପାତ୍ର ଯିଏକି ଓଡ଼ିଶାର ପରିଚିତ ରାଜନୈତିକ ବ୍ୟକ୍ତିତ୍ୱ ବିଜୟ ମହାପାତ୍ରଙ୍କ ପୁତ୍ର ତାଙ୍କୁ ଦଳରୁ ନିଲମ୍ବନ ଘଟଣା ଇତିହାସର ପୁନରାବୃତ୍ତି ଦିଗରେ ପ୍ରଥମ ପାହାଚ ପକାଇଛି। 

Advertisment

ଅରବିନ୍ଦ ମହାପାତ୍ର ପ୍ରଥମ ଥର ପାଇଁ ଗତ ନିର୍ବାଚନରେ ବିଜୁ ଜନତା ଦଳର ବିଧାୟକ ଭାବରେ ଆସିବା ପରେ ବିଧାନସଭା ଭିତରେ ଓ ବାହାରେ ନିଜର ମାର୍ଜିତ ଆଚରଣ ଓ ଉଚ୍ଚାରଣ ବଳରେ ନିଜ ପାଇଁ ଯୁବକମାନଙ୍କ ଭିତରେ ଶ୍ରଦ୍ଧାର ବାତାବରଣ ସୃଷ୍ଟି କରିଛନ୍ତି। ବିଧାନସଭାରେ ଜଣେ ବିରୋଧୀ ଦଳର ସଦସ୍ୟ ଭାବରେ ସେ ୧୯ ମାସ ଭିତରେ ଯେଉଁସବୁ ବିତର୍କରେ ଅଂଶଗ୍ରହଣ କରିଛନ୍ତି ସେଗୁଡ଼ିକ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ, ବିଧାନସଭାକୁ ସେ ସବୁବେଳେ ପ୍ରସ୍ତୁତ ହୋଇ ଆସୁଥିଲେ ଓ ମାର୍ଜିତ ଭାଷାରେ ନିଜର ଯୁକ୍ତି ଓ ପକ୍ଷ ରଖିଥିଲେ। ବ୍ୟକ୍ତିଗତ ଭାବରେ ସେ ଦଳ ବିରୋଧରେ ସାଧାରଣ ଲୋକ ଜାଣିବା ପରି କୌଣସି କାର୍ଯ୍ୟ ବା ବୟାନ ଦେଇନାହାନ୍ତି। ସେ ବରାବର କହିଛନ୍ତି ଯେ, ନବୀନ ପଟ୍ଟନାୟକ ତାଙ୍କର ନେତା। ହେଲେ ଏବେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଛି। 

ସେ ବିଧାୟକ ଅଛନ୍ତି ଓ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ସେ ବିଧାୟକ ଭାବରେ ରହିବେ। ସେତେବେଳକୁ କ୍ରମଃ ଅବକ୍ଷୟ ମୁଖରେ ଚାଲିଥିବା ବିଜେଡ଼ି ସ୍ୱାସ୍ଥ୍ୟ ଓ ବୟସ ଯୋଗୁ ନିଷ୍କ୍ରିୟତା ହରାଉଥିବା ନବୀନଙ୍କ ଅବସ୍ଥା କ’ଣ ଥିବ ତାହା କହିବା ମୁସ୍‌କିଲ୍। ତାଙ୍କର ପିତା ବିଜୟ ମହାପାତ୍ର ଜନତା ଦଳ ଶାସନ ବ୍ୟବସ୍ଥାରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଭାବରେ ପରିଚିତ ହୋଇ ନିଜର ପ୍ରତିଷ୍ଠା ଜନତା ଦଳରେ ହାସଲ କରିଥିଲେ। ଜନତା ଦଳର ସେତେବେଳର ଓଡ଼ିଶା ସୁପ୍ରିମୋ ବିଜୁ ପଟ୍ଟନାୟକଙ୍କର ଜଣେ ଘନିଷ୍ଠ ଅନୁଗତ ଓ ବିଶ୍ୱାସୀ ଭାବରେ କାମ କରିବାର ସୁଯୋଗ ପାଇଥିଲେ। ବିଜୁ ପଟ୍ଟନାୟକଙ୍କ ୧୯୯୭ରେ ମୃତ୍ୟୁ ହେବା ପରେ ରାଜ୍ୟ ଜନତା ଦଳ ମୁରବୀ ଶୂନ୍ୟ ହୋଇଯିବା ଫଳରେ ସେତେବେଳେ ଦଳର ରାଜ୍ୟ ସଭାପତି ଥିବା ଅଶୋକ ଦାସ ଓ ବିଧାନସଭାରେ ଦଳର ବରିଷ୍ଠ ବିଧାୟକ ଭାବରେ ବିଜୟ ମହାପାତ୍ର ଓ ସେତେବେଳେ ମିଳିତ ସାମ୍ମୁଖ୍ୟ ସରକାରରେ ଦିଲ୍ଲୀରେ ମନ୍ତ୍ରୀ ଥିବା ଶ୍ରୀକାନ୍ତ ଜେନା ରାଜ୍ୟ ଜନତା ଦଳକୁ ଦିଗ୍‌ଦର୍ଶନ ଦେବା ପାଇଁ ଉଦ୍ୟମ କରୁଥିଲେ। 

Advertisment

ବିଜୁଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ଆସିକା ଲୋକସଭା ଆସନରେ ଉପନିର୍ବାଚନ ପ୍ରାର୍ଥୀ ହେବା ପାଇଁ ବିଜୁଙ୍କର ସାନପୁଅ ଭାବରେ ନବୀନ ପଟ୍ଟନାୟକଙ୍କୁ ଜନତା ଦଳର ନେତାମାନେ ଆଣିଥିଲେ। ଜାତୀୟ ସ୍ତରରେ ଜନତା ଦଳର ଅବକ୍ଷୟ ଘଟୁଥିବା ସହିତ ଓଡ଼ିଶାରେ ଥିବା କଂଗ୍ରେସ ଦଳକୁ କ୍ଷମତାଚ୍ୟୁତ କରିବା ପାଇଁ କେଉଁ ରାସ୍ତା ରାଜ୍ୟ ପାଇଁ ଭଲ ହେବ ତାହାନେଇ ଜନତା ଦଳର ନେତାମାନଙ୍କ ଭିତରେ ଆଲୋଚନା ଚାଲିଥିଲା। ଜାତୀୟ ସ୍ତରରେ ବାଜପେୟୀ ଓ ଆଡଭାନୀଙ୍କ ନେତୃତ୍ୱରେ ବିଜେପି ଶକ୍ତିଶାଳୀ ହେଉଥିବା ଯୋଗୁ ୧୯୯୬ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାରେ କୌଣସି ଆସନ ପାଇନଥିଲେ ମଧ୍ୟ ପ୍ରାୟ ୧୪ ଭାଗ ଭୋଟ୍ ପାଇଥିଲେ। ସେମାନଙ୍କର ଏହି ଭୋଟ୍ ହାସଲ ଫଳରେ ଜନତା ଦଳ କେତେକ ଆସନରେ ହାରିଯାଇଥିଲା। 

ଇତିମଧ୍ୟରେ ଦେଖାଗଲା ଯେ, ନବୀନ ପଟ୍ଟନାୟକ ଆସିକା ଲୋକସଭା ଆସନରୁ ଉପନିର୍ବାଚନରେ ଜିତିବା ପରେ ଜନତା ଦଳରେ ବିଜୁଙ୍କ ଆବର୍ତ୍ତମାନରେ ସୃଷ୍ଟି ହୋଇଥିବା ଶୂନ୍ୟତା କିଛି ପରିମାଣରେ ପୂରଣ ହୋଇପାରେ। ଜନତା ଦଳର ଅନେକ ମୂଳ ଦଳ ସହିତ ରହିବାକୁ ଚାହୁଁଥିଲା ବେଳେ ଆଉ କେତେକ ବିଧାୟକ ବିଜେପି ସହିତ ସାମିଲ ହେବାକୁ ପ୍ରସ୍ତୁତ ହେଉଥିଲେ। ବିଜୟ ମହାପାତ୍ର ଏହି ସମୟରେ ରାଜ୍ୟରେ ଏକ ନୂତନ ଆଂଚଳିକ ଦଳ ସୃଷ୍ଟି କରି ବିଜେପି ସହିତ ବୁଝାମଣା ରାଜନୈତିକ ଦୃଷ୍ଟିରୁ ସୁବିଧାଜକନ ହେବ ବୋଲି ଅନୁଭବ କରିଥିଲେ। ଏହି ପ୍ରସ୍ତାବରେ ବିଜେପିକୁ ଚାଲିଯିବାକୁ ଚାହୁଁଥିବା ନେତାମାନେ ସହଜରେ ରାଜିହେବା ସହିତ ରାଜ୍ୟରେ କଂଗ୍ରେସକୁ ହରାଇବା ପାଇଁ ଏହା ଏକ ଉତ୍ତମ ରାସ୍ତା ହେବ ବୋଲି ଅନେକ ଅନୁଭବ କଲେ। 

ବାସ୍ତବିକ ଏହି ବିଚାର ଉପରେ ବିଜୁ ଜନତା ଦଳର ସୃଷ୍ଟି ହେଲା ଓ ନବୀନଙ୍କୁ ଏହାର ମୁଖ୍ୟ ଭାବରେ ଉପସ୍ଥାପିତ କରି ବିଜେପି ସହିତ ବୁଝାମଣାର ରାସ୍ତା ଖୋଲିବା ପାଇଁ ବ୍ୟବସ୍ଥା ହେଲା। ସେପର୍ଯ୍ୟନ୍ତ ଓଡ଼ିଶାରେ ବିଜେପି କୌଣସି ଲୋକସଭା ଆସନ କେବେ ପାଇନଥିବାରୁ ଓଡ଼ିଶାରେ ଏପରି ଏକ ସୁଯୋଗ ସେମାନଙ୍କର ନିମନ୍ତେ କେନ୍ଦ୍ରରେ କ୍ଷମତା ଦଖଲରେ ସହାୟକ ହେବ ଭାବି ଏହି ପ୍ରସ୍ତାବିତ ଆଂଚଳିକ ଦଳକୁ ପୂର୍ଣ୍ଣମାତ୍ରାରେ ସହଯୋଗ କଲେ। ଫଳରେ ୧୯୯୭ ଡିସେମ୍ବରରେ ବିଜୁ ଜନତା ଦଳ ଗଠିତ ହୋଇ ଏହା କ୍ରମାଗତ ଭାବରେ ୧୯୯୮ ଓ ୧୯୯୯ରେ ବିଜେପି ସହିତ ମେଂଟରେ ବିପୁଳ ବିଜୟ ହାସଲ କରିଥିଲା। 

ଏହି ନୂଆ ଦଳରେ ନବୀନ ପଟ୍ଟନାୟକ ସଭାପତି ଭାବରେ ମୁଖ୍ୟ ଆସନରେ ଥିଲେ ମଧ୍ୟ ଦ୍ୱିତୀୟ କ୍ଷମତାଶାଳୀ ପଦବୀ ରାଜନୈତିକ ବ୍ୟାପାର କମିଟିର ଅଧ୍ୟକ୍ଷ ପଦବୀ ବିଜୟ ମହାପାତ୍ରଙ୍କୁ ମିଳିଥିଲା। କିନ୍ତୁ ୨୦୦୦ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୟନର ଚୂଡ଼ାନ୍ତ ସମୟରେ ବିଜୟ ମହାପାତ୍ରଙ୍କୁ ହଠାତ୍ ଶେଷ ମୁହୂର୍ତ୍ତରେ ଦଳରୁ ବହିଷ୍କାର କରି ଦିଆଯାଇ ତାଙ୍କ ସ୍ଥାନରେ ପାଟକୁରା ବିଧାନସଭା ପ୍ରାର୍ଥୀ ଭାବରେ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରାର୍ଥୀ କରାଗଲା। ବିଜୟ ମହାପାତ୍ର ସ୍ୱାଧୀନ ଭାବରେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ସମୟ ନପାଇବାରୁ ସେହି ଆସନରେ ତୃଣମୂଳ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ତ୍ରିଲୋଚନ ବେହେରାଙ୍କୁ ସମର୍ଥନ କଲେ ଓ ସେ ପ୍ରାୟ ୩୬ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହେଲେ। 

ହେଲେ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ବିଜୟ ମହାପାତ୍ର ଆଉ ବିଧାନସଭାକୁ ପ୍ରବେଶ କରିପାରିନାହାନ୍ତି। ଓଡ଼ିଶା ଗଣ ପରିଷଦ ଓ ଏନ୍‌ସିପି ଜରିଆରେ ଓ ପରେ ବିଜେପିର ପ୍ରାର୍ଥୀ ଭାବରେ ବିଜୟ ମହାପାତ୍ରଙ୍କର ବିଧାନସଭା ପ୍ରବେଶ ପଥକୁ ନବୀନ ପୂରାମାତ୍ରାରେ ରୋକିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଗତ ବିଧାନସଭା ନିର୍ବାଚନରେ ବିଜୟ ମହାପାତ୍ରଙ୍କ ପୁତ୍ର ଅରବିନ୍ଦ ମହାପାତ୍ର ସେହି ସମୟରେ ଜନତା ଦଳରେ ଥିବା ନେତାମାନଙ୍କ ପୁତ୍ରମାନଙ୍କ ଜରିଆରେ ନବୀନ ପଟ୍ଟନାୟକ ସହିତ ଯୋଗାଯୋଗ କରିବାରୁ ତାଙ୍କୁ ବିଜୁ ଜନତା ଦଳରୁ ୨୦୨୪ରେ ପ୍ରାର୍ଥୀ କରାଯାଇଥିଲା। 

ଇତିହାସର ବିଡ଼ମ୍ବନା ଯେ, ବିଜୟ ମହାପାତ୍ର ବିଜୁ ଜନତା ଦଳ ଗଢ଼ିବାରେ ପ୍ରମୁଖ ଭୂମିକା ଥାଇ ମଧ୍ୟ ବିଜୁ ଜନତା ଦଳ ଗଠନ ପରେ ଆଉ ବିଧାନସଭାକୁ ଆସିପାରିନାହାନ୍ତି। ଅପରପକ୍ଷରେ ତାଙ୍କ ପୁତ୍ର ଗତ ବିଧାନସଭାରେ ବିଜେଡ଼ି ଟିକେଟ୍‌ରେ ବିଧାନସଭାକୁ ଆସିଛନ୍ତି। ଏବେ ତାଙ୍କୁ ଦଳରୁ ବହିଷ୍କାର ପଛର ମୁଖ୍ୟ କାରଣ ଯେ, ବିଜୟ ମହାପାତ୍ରଙ୍କର ନୂଆ ରାଜନୈତିକ ଦଳ ପାଇଁ ଚଳାଇ ଥିବା ଆଲୋଚନା ଓ ପ୍ରଚେଷ୍ଟା ଏହା ବେଶ୍ ଜଣାପଡୁଛି। ବିଜୟ ମହାପାତ୍ରଙ୍କ ପରି ଜଣେ ପରିଚିତ ନେତା ସେ ବିଧାନସଭାରେ ନଥିଲେ ମଧ୍ୟ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ଭାବରେ ବିଭିନ୍ନ ଫୋରମ୍‌ରେ କାମ କରିବା ପରେ ଏବେ ସ୍ୱାଧୀନ ଭାବରେ ଅଛନ୍ତି। ହେଲେ ସେ ବିଜେଡ଼ିର ସଦସ୍ୟ ନୁହଁନ୍ତି। ଅରବିନ୍ଦ ମହାପାତ୍ର ବିଜେଡ଼ିର ବିଧାୟକ ହେଲେ ବୋଲି ବିଜୟ ମହାପାତ୍ର ରାଜନୀତିରୁ ସନ୍ନ୍ୟାସ ନେଇଯାଇଛନ୍ତି ବୋଲି ଭାବିବା ଭୁଲ୍। 

ସେହିକ୍ରମରେ ଓଡ଼ିଶାରେ ନୂଆ ରାଜନୈତିକ ଦଳ ପାଇଁ ଚାଲିଥିବା କଥାବାର୍ତ୍ତାର ମୂଳ ପୃଷ୍ଠଭୂମି ହେଲା ବିଜେଡ଼ିର କ୍ରମାଗତ ଅବକ୍ଷୟ ସହିତ ନବୀନଙ୍କର ବୟସ ଓ ସ୍ୱାସ୍ଥ୍ୟ। କ୍ଷମତାଚ୍ୟୁତ ହେଲା ପରେ ନବୀନଙ୍କର ସେହି ପତିଆରା ବା ଲୋକପ୍ରିୟତା ନାହିଁ। ସେ ଯେପରି ଭାବରେ ଶାସନର ଶେଷ ୬ବର୍ଷ ରାଜ୍ୟର ଶାସନ ଭାର ସହିତ ଦଳର ପରିଚାଳନା ଭି. କେ. ପାଣ୍ଡିଆନ୍‌ଙ୍କ ହାତକୁ ସମର୍ପଣ କରିଦେଇଥିଲେ ଓ ରାଜ୍ୟରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାରୁ ନିଜକୁ ଓ ଶାସନକୁ ରକ୍ଷା କରିବା ପାଇଁ କେନ୍ଦ୍ରୀୟ ନେତୃତ୍ୱର ଶରଣାପନ୍ନ ହୋଇଥିଲେ, ସେଥିରେ ଓଡ଼ିଶାବାସୀଙ୍କର ହୃଦ୍‌ବୋଧ ହୋଇଥିଲା ଯେ, ସେ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ସେଥିପାଇଁ ବିଜେଡ଼ି ଏକ ଆଂଚଳିକ ଦଳ ହୋଇଥିଲେ ମଧ୍ୟ ବିଜେପି ଏହା ବିରୋଧରେ ଓଡ଼ିଆ ଅସ୍ମିତାର ସ୍ଳୋଗାନ ଦେଇ ନିର୍ବାଚନ ଜିଣିପାରିଲା। କେନ୍ଦ୍ରୀୟ ବିଜେପି ନେତୃତ୍ୱର ଆସ୍ଥା ଜିଣିବା ପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ଦୁଇ ଥର ବିଜେଡ଼ି ସମର୍ଥନରେ ରାଜ୍ୟସଭାକୁ ପଠାଯାଇଥିଲା। କେବଳ ସେତିକି ନୁହେଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଦୁଇ ଦଳ ମଧ୍ୟରେ ମେଂଟ ପାଇଁ ବି କଥାବାର୍ତ୍ତା ଚାଲିଲା। 

ଅର୍ଥାତ୍ ସନାତନ ମହାକୁଡ଼ ଓ ଅରବିନ୍ଦଙ୍କୁ ଦଳରୁ ବହିଷ୍କାର କରି ଏବେ ଯେଉଁ କାରଣ ଦର୍ଶାଯାଇ କୁହାଯାଉଛି ଯେ, ନବୀନ ପଟ୍ଟନାୟକ ଦୁର୍ନୀତି ଓ ବିଶ୍ୱାସଘାତକତାକୁ ସହ୍ୟ କରନ୍ତି ନାହିଁ ତାହା ସମ୍ପୂର୍ଣ୍ଣ ମିଥ୍ୟା। କାରଣ ନିଜର ଦୁର୍ନୀତିକୁ ଲୁଚାଇବା ପାଇଁ ବିଜେଡ଼ିକୁ ରାଜ୍ୟରେ ବିପୁଳ ସଂଖ୍ୟାଗରିଷ୍ଠତା ମିଳିଥିବା ସତ୍ୱେ କେନ୍ଦ୍ରୀୟ ବିଜେପି ନେତୃତ୍ୱ ନିକଟରେ ଆତ୍ମସମର୍ପଣ କରିଥିଲେ ନବୀନ ପଟ୍ଟନାୟକ। ଏହା ଓଡ଼ିଶାର ଏକ ଆଂଚଳିକ ଦଳ ହୋଇଥିଲେ ମଧ୍ୟ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା କରି ତାମିଲ୍ ଓ ଅନ୍ୟ ଅଣଓଡ଼ିଆ ଅଫିସର୍‌ଙ୍କ ଉପରେ ରାଜ୍ୟର ଶାସନ ଓ ରାଜନୀତିକୁ ଟେକିଦେଇଥିଲେ। ତେଣୁ ଦୁର୍ନୀତି ଓ ବିଶ୍ୱାସଘାତକତା ନେଇ ସେମାନଙ୍କର ଅଭିଯୋଗ ବାସ୍ତବିକ ପୂରାମାତ୍ରାରେ ସେମାନଙ୍କ ପାଇଁ ଲାଗୁ ହେଉଛି। 

ବିଜୟ ମହାପାତ୍ରଙ୍କୁ ନବୀନ ବିଧାନସଭାକୁ ବାଟ ନଛାଡ଼ି ଏକ ବଡ଼ ସଫଳତା ପାଇଥିଲେ ବୋଲି ବିଚାର କରାଯାଉଥିଲା। କାରଣ ବିଜୟଙ୍କୁ ଯେତେବେଳେ ଦଳରୁ ବହିଷ୍କାର କରାଗଲା, ସେତେବେଳେ ରାଜ୍ୟବାସୀ ନବୀନଙ୍କୁ ସମର୍ଥନ କରିଥିଲେ। ବିଜୟ ଦଳପ୍ରତି ବିଶ୍ୱାସଘାତକତା କରିଥିବା ନେଇ ତାଙ୍କ ଅଭିଯୋଗକୁ ସେତେବେଳେ ନବୀନଙ୍କ ନବାଗତ ଭାବମୂର୍ତ୍ତି ଯୋଗୁ ସମର୍ଥନ ମିଳିଥିଲା। ହେଲେ ଏବେ ଅରବିନ୍ଦଙ୍କ ବିରୋଧରେ ସେହି ଅଭିଯୋଗ କାମ ଦେବନାହିଁ। କାରଣ ଅରବିନ୍ଦଙ୍କର ଭାବମୂର୍ତ୍ତ ଏବେ ବି ବେଶ୍ ନିର୍ମଳ। ସେ ଏବେ ବିଧାନସଭାର ସଦସ୍ୟ ଓ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହିବେ। କିନ୍ତୁ ଆଗାମୀ ନିର୍ବାଚନ ବେଳକୁ ନବୀନ ଓ ବିଜେଡ଼ି କେଉଁ ଅବସ୍ଥାରେ ଥିବେ? ଅସଲକଥା ହେଉଛି ବିଜେଡ଼ିର ଅବକ୍ଷୟ ସ୍ଥିତି ଯୋଗୁ ରାଜ୍ୟରେ ଏକ ନୂଆ ଦଳ ଗଠିତ ହେବାକୁ ଯାଉଛି। ଏହି ଭୟ ଯୋଗୁ ବିଜୟଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଦେଖି ନବୀନ ଆଗୁଆ ପଦକ୍ଷେପ ନେଇଛନ୍ତି। ନବୀନ ଧରିନେଇଥିଲେ ଯେ, ଓଡ଼ିଶାରେ ନୂଆ ଦଳ ପାଇଁ କାହାରି ପାଖରେ ସମ୍ବଳ ନାହିଁ। ବିଜେଡ଼ିର ସମସ୍ତ ସମ୍ବଳ ଯାହାକି ପ୍ରାୟ ୭୦୦ କୋଟି ଟଙ୍କା ହେବ ତାହା ତାଙ୍କ ନିକଟରେ ରହିଛି। 

ଏହି ପରିପ୍ରେକ୍ଷୀରେ ମୁକିମ୍‌ଙ୍କର କଂଗ୍ରେସରୁ ବହିଷ୍କୃତ ହେଲା ପରେ ଦଳ ଗଠନ ପାଇଁ ଘୋଷଣା ସହିତ ବିଜୟ ମହାପାତ୍ରଙ୍କର ଦିଲ୍ଲୀପ ରାୟଙ୍କ ସହିତ ବନ୍ଧୁତା ଓ ଝାରସୁଗୁଡ଼ାରେ ସ୍ୱର୍ଗତଃ ନବ ଦାସଙ୍କର ପୁଅଝିଅଙ୍କ ସହିତ ସାକ୍ଷାତ ଯୋଗୁ ନୂଆ ଦଳ ପାଇଁ ସମ୍ବଳ ସଂକଟ ଦୂର ହେବାର ସମ୍ଭାବନା ଦେଖି ନବୀନ ଭୟଭୀତ ହୋଇ ସନାତନ ଓ ଅରବିନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି। କିନ୍ତୁ ଏଥର ଡ୍ରାମା ବିପରୀତ ଦିଗରେ ଯିବ। ଯେଉଁ ସୁବିଧା ନବୀନ ୨୦୦୦ ମସିହାରେ ହାସଲ କରିଥିଲେ ତାହା ୨୦୨୬ ରେ ପାଇବାର ସମ୍ଭାବନା ନାହିଁ। ବରଂ ଏହି ପଦକ୍ଷେପ ଓଡ଼ିଶାରେ ନୂଆ ଦଳର ସମ୍ଭାବନା ଗତିକୁ ତ୍ୱରାନ୍ୱିତ କରିବ।

ଫୋ- ୯୪୩୭୪୦୪୪୫୫

Odisha BjD Naveen Patnaik Odisha Politics Bijoy Mohapatra