Advertisment

ଧରା ନ ପଡ଼ିଲେ ସାଧୁ

ଘରେ ନଗଦ କୋଟି କୋଟି ଟଙ୍କା ଥାଇ ନିଜ ଇଚ୍ଛାରେ ପାଟିକୁ ସ୍ଵାଦ ଲାଗିଲା ଭଳି ଯଦି ଖାଦ୍ୟ ଖାଇବକୁ ବାରଣ ରହିଛି, ତା’ହେଲେ ଏତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବାର ମୂଲ୍ୟ କ’ଣ?

Notes

Notes

Advertisment

କଥାରେ ଅଛି ଧରା ନ ପଡ଼ିଲା ପର୍ଯ୍ୟନ୍ତ ଚୋର ନିଜକୁ ସାଧୁ ବୋଲି କହି ବୁଲୁଥାଏ। ଆଉ ଯେତେବେଳେ ରଙ୍ଗେ ହାତେ ଧରା ପଡ଼ିଯାଏ, ସେତେବେଳ ଏହା ତାଙ୍କ ପ୍ରତି ଷଡ଼ଯନ୍ତ୍ର, ଉଦ୍ଦେଶ୍ୟ ପ୍ରଣୋଦିତ କହି ସଫେଇ ଦେଇଥାଏ। ଏମିତି କୌଣସି ସରକାରୀ ଚାକିରିଆ (ପିଅନ ଠାରୁ ଆରମ୍ଭ କରି ବାବୁଙ୍କ ପର୍ଯ୍ୟନ୍ତ ) ନାହାନ୍ତି  ବିନା ଲାଞ୍ଚରେ କାମ କରନ୍ତି । କିଏ ଚା'ପାନରେ କାମ କରନ୍ତି ତ କିଏ ଦେହ ଆଉ ଦାରୁ ନେଇ ସହଯୋଗ କରନ୍ତି। ପୁଣି କିଏ ପ୍ଲଟ, ଫ୍ଲାଟ୍, ଟଙ୍କା ଓ ଅଳଙ୍କାର ନେଇ କୁବେର ବନି ଯାଆନ୍ତି। ଲାଞ୍ଚ ନେଇ ଆଇନ ଅନୁସାରେ ଲୋକଙ୍କ କାମ କିନ୍ତୁ କରି ଦିଅନ୍ତି। ଚାକିରି କାଳ ଭିତରେ ଯେଉଁ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରା ପଡ଼ିଲା, ଜେଲ ଗଲା- ସିଏ ହେଲା ଚୋର। ଆଉ ଯେଉଁ ମାନେ ଧରା ନ ପଡ଼ିଲେ ସିଏ ହେଲେ ସାଧୁ । ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ ଯାଇଥିବା ସରକାରୀ କର୍ମଚାରି ଟିଏ କୋର୍ଟ ଦ୍ଵାରା ଯଦି ଦୋଷୀ ସାବ୍ୟସ୍ତ ନହୁଏ ତାଙ୍କୁ ମଧ୍ୟ ଚୋର କୁହା ଯାଇ ପାରିବ ନାହିଁ । ଏବେ ଆସିବା ମୂଳ ପ୍ରସଙ୍ଗକୁ ।

Advertisment

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ହ୍ୱାଟ୍ସ ଆପରେ ସୂଚନା ଆସିଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ କୋଠାବାଢ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି । ଅଫିସ୍‌ର ନିର୍ଦ୍ଦେଶ କ୍ରମେ ମୋର ସହକର୍ମୀ ଭିଡିଓ ଜର୍ଣାଲିଷ୍ଟଙ୍କ ସହ ସମ୍ପୃକ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କ ଚଢାଉ ହେଉଥିବା ଘରେ ପହଞ୍ଚି ଗଲି । ଘରକୁ ପ୍ରବେଶ କଲା ବେଳକୁ ଚଢାଉରେ ନିୟୋଜିତ ଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଘରର ବେଡ୍‌ ରୁମ୍ ଠାରୁ ଆରମ୍ଭ କରି ଠାକୁର ଘର, ବାଥ୍ ରୁମ୍ ସହ ଡ୍ରଇଂ ରୁମ୍‌ରର ବିଭିନ୍ନ ସ୍ଥାନରେ ଖୋଳତାଡ଼ କରି ଯାହା ପାଇଲେ ବଣ୍ଡଲ ବଣ୍ଡଲ ୫ସହ ଟଙ୍କିଆ ନୋଟ୍ ସାଙ୍ଗକୁ  ସୁନା, ରୂପା, ହୀରା ଆଦି ଅଳଙ୍କାରକୁ ପ୍ରଦର୍ଶନୀରେ ପ୍ରଦର୍ଶିତ ହେଲା ଭଳି ଏକ ବଡ ଟେବୁଲ୍ ଉପରେ ସେ ସବୁକୁ ସଜାଇ ରଖିଥିଲେ।  ବିଭିନ୍ନ ସହରରେ ପ୍ଲଟ, ଫ୍ଲାଟ୍, ଚାରି ଚକିଆ ଯାନ ସାଙ୍ଗକୁ ରାଷ୍ଟ୍ରାୟତ ବ୍ୟାଙ୍କରେ ନିବେଶ ଓ ସଞ୍ଚୟ କରିଥିବା ଡକ୍ୟୁମେଣ୍ଟ ମଧ୍ୟ ଜବତ କରି ରଖିଥିଲେ। 

କଥା ଏତିକିରେ ସରୁ ନାହିଁ। ଘରେ କେତେଟି କେଉଁ ବ୍ରାଣ୍ଡର ଏସି, ଫ୍ରିଜ, ୱାସିଂ ମେସିନ, ମୋବାଇଲ ଫୋନ, ଲାପଟପ୍, , ଇଲୋକ୍ଟ୍ରନିକ୍ସ ଗ୍ୟାଜେଟ, ଟିଭି ସହ କେତେ ହଳ କେଉଁ ବ୍ରାଣ୍ଡର ଡ୍ରେସ୍, ଗଞ୍ଜି, ଚଡ଼ି, ଶାଢ଼ୀ, ବ୍ଲାଉଜ, ବ୍ରା, ପ୍ୟାଣ୍ଟି, କଣ୍ଡୋମ, ସିଗାରେଟ, କେଉଁ ବ୍ରାଣ୍ଡର ଘଣ୍ଟା, ଚପଲ, ଜୋତା, ଛତା ଓ ପରଫ୍ୟୁମ୍ ଅଛି, ତାର ବି ଲମ୍ବା ଚଉଡା ତାଲିକା କରୁଛନ୍ତି। ଡାଇନିଂ ଟେବୁଲ୍ ଚେୟାର ସହ ଖଟ,ସୋଫା ଆଦି ମଧ୍ୟ ତାଲିକାରେ ଯୋଡୁଥିଲେ।  ବିଦେଶ ଗସ୍ତ ସହ ରାଜ୍ୟ ବାହାରକୁ କେବେ କେବେ ଗସ୍ତ କରିବା, ଫ୍ଲାଇଟରେ ଉଡ଼ିବା ଟିକେଟ, କେଉଁ କେଉଁ ହୋଟେଲରେ ରହୁଥିଲେ ତାର ବିଲ, ମେଡିକାଲ ଓ ମେଡ଼ିସିନ୍ ବିଲକୁ ମଧ୍ୟ ଛାଡ଼ୁ ନଥିଲେ ।  ପ୍ରତିଦ୍ବନ୍ଦୀ ଟିଭି ଚ୍ୟାନେଲର ପ୍ରତିନିଧି ମାନେ ମଧ୍ୟ ପହଞ୍ଚି ଭିଜିଲାନ୍ସ ଚଢ଼ାଉର ଲାଇଭ ଦେଖାଉଥିଲେ। ସେମାନଙ୍କ ମଧ୍ୟରୁ  କିଏ ପ୍ରାର୍ଥନା ଘରେ ପଶି କେଉଁ ଧାତୁର ମୂର୍ତ୍ତି ପୂଜା କରୁଥିଲେ ତାହାକୁ ଦେଖାଉ ଥିଲେ।  ଆଉ କିଏ ଘର ସାରା ବୁଲି ବୁଲି କେତେ କଣ ଦାମିକା  ଜିନିଷରେ ଘର ସଜା ହୋଇଥିଲା ତାହାକୁ ଲାଇଭ ଦେଖାଉଥିଲେ  ତ ଆଉ କିଏ ବାବୁଙ୍କ ଟଙ୍କା ଆମଦାନୀର ଉତ୍ସ ବର୍ଣ୍ଣନା କରିବା ସହ ତାଙ୍କ ଚରିତ୍ର ଚିତ୍ରଣ କରୁଥିଲେ। ମୁଁ ବି ପ୍ରତିଦ୍ବନ୍ଦିତା ମୂଳକ ବଜାରରେ ଲୋକଙ୍କୁ ଆକର୍ଷିତ ହେଲା ଭଳି ଶବ୍ଦ ସଂଯୋଜନା କରି ଅନୁରୂପ ଢଙ୍ଗରେ ଲାଇବ ଦେଖାଇଲି । ଏହି ଖବର ପ୍ରସାରଣ ହେବା ପରେ ଅଧୀକ୍ଷଣ ଯନ୍ତ୍ରୀ ଜଣକ ଛାତ୍ର ଜୀବନରୁ ଆରମ୍ଭ କରି ଚାକିରି କାଳ ଭିତରେ ଯେତେ ମାନ ସମ୍ମାନ ଅର୍ଜନ କରିଥିଲେ ସେସବୁ ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା ଭଳି ଇଜ୍ଜତ ମହତ ଚାଲିଗଲା। 

Advertisment

ଗଣମାଧ୍ୟମର ପ୍ରତିନିଧିମାନେ ସେହି ସ୍ଥାନ ଛାଡି ଚାଲିଗଲେ। ମୋର ନଜର ପଡ଼ିଗଲା ମେଡିକାଲ, ମେଡିସିନ ଓ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଉପରେ । ସେଥିରୁ ଜାଣିବାକୁ ପାଇଲି ଅଧୀକ୍ଷଣ ଯନ୍ତ୍ରୀ ଜଣକ ଡାଇବେଟିସ ରୋଗୀ। ରକ୍ତରେ ସର୍କରା ବଢ଼ିଯିବା ଯୋଗୁଁ କୋଲେଷ୍ଟ୍ରାଲ ଓ ଟ୍ରାଏଗ୍ଲିସେରିନ ପରିମାଣ ବି ବଡ଼ି ଯାଇଛି। ଉଚ୍ଚ ରକ୍ତଚାପ ବି ରହିଛି । ନିଜ ହାତରେ ଇନସ୍ୟୁଲିନ୍ ନେଉଛନ୍ତି । ଭଲ ନିଦ ହେଉନି।  ହାର୍ଟରେ ବ୍ଲକେଜ୍ ଯୋଗୁଁ ଷ୍ଟେନ ଦୁଇଟି ଲାଗିଛି । ଡାକ୍ତରଙ୍କ ପରାମର୍ଶ ରହିଛି ଯେ ଖାଦ୍ୟରେ ତେଲ ମସଲା କମ ରହିବ। ଲାଉ, ଅମୃତ ଭଣ୍ଡା ,କଲରା, ଶାଗ, କାକୁଡି ଆଦି ନିୟମିତ ଖାଇବାକୁ । ଛେଳି ମାଂସ, ବଡ ମାଛ, କଙ୍କଡା, ଚିଙ୍ଗୁଡ଼ି ଖାଇବାକୁ ସମ୍ପୂର୍ଣ ବାରଣ କରାଯାଇଛି। ସପ୍ତାହକୁ  ମାତ୍ର ଥରୁଟିଏ ଚୁନା ମାଛ କିମ୍ବା କୁକୁଡ଼ା ମାଂସ ଗୋଟେରୁ ଦୁଇ ପିସ୍ ଖାଇବାକୁ ଅନୁମତି ରହିଛି । ଏହାରି ଭିତରେ ଅଣ୍ଟା ବ୍ୟଥା ବାହାରି ଯାଇଛି ଯେ ତଳେ ମସିଣା ପକାଇ ଶୋଇବାକୁ ପରାମର୍ଶ ରହିଛି।

ଏଠି ମୋ ମନରେ ପ୍ରଶ୍ନ ଆସିଲା ଦାମୀ ଖଟ ସାଙ୍ଗକୁ ଗୋଲାପ ଓ ମଲ୍ଲି ଫୁଲ ଭଳି ସେଜ ଥାଇ ଯଦି ଅଧୀକ୍ଷଣ ଯନ୍ତ୍ରୀ ଜଣକୁ ଭଲ ନିଦ ହେଉନି ଏ ସମ୍ପତ୍ତି ଉପାର୍ଜନର ମୂଲ୍ୟ କଣ? 

ଘରେ ନଗଦ କୋଟି କୋଟି ଟଙ୍କା ଥାଇ ନିଜ ଇଚ୍ଛାରେ ପାଟିକୁ ସ୍ଵାଦ ଲାଗିଲା ଭଳି ଯଦି ଖାଦ୍ୟ ଖାଇବକୁ ନିଷେଧ ରହିଛି, ସେତେବେଳ ଏତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବାର ମୂଲ୍ୟ କଣ? ଏତେ ଟଙ୍କା, ଏତେ ପ୍ଲଟ, ଏତେ ଫ୍ଲାଟ୍ ଏତେ ଅଳଙ୍କାର ଥାଇ ଯଦି ଶରୀରର ରୋଗ ସମ୍ପୂର୍ଣ ଭଲ ହୋଇ ପାରୁନି ତାହା ହେଲେ ଏସବୁର ମୂଲ୍ୟ କଣ?  ଦିନେ କେହି ଜଣେ ମହାପୁରୁଷ କହିଥିଲେ ଟଙ୍କା ଦେଇ ଖାଦ୍ୟ କିଣି ହେବ, ହେଲେ ଭୋକ ନୁହେଁ । ଟଙ୍କା ଦେଇ ସେଜ କିଣି ହେବ, କିନ୍ତୁ ନିଦ ନୁହେଁ । ଟଙ୍କା ଦେଇ ବସ୍ତ୍ର କିଣି ହେବ, କିନ୍ତୁ ଭୂଷଣ ନୁହେଁ । ଟଙ୍କା ଦେଇ ସାର୍ଟିଫିକେଟ କିଣି ହେବ. କିନ୍ତୁ ଚରିତ୍ର ନୁହେଁ। 

ସେହି ସ୍ଥାନ ଛାଡ଼ିଲା ବେଳକୁ ଅଭିଯୁକ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ମୋର ଦେଖା ହେଲା । କହିଲେ, ଧରା ପଡ଼ିଗଲି ବୋଲି ମୁଁ ସିନା ଚୋର ହୋଇଗଲି, କିନ୍ତୁ ଧରା ନ ପଡ଼ିଥିବା ଲୋକ ସାଧୁ ନୁହନ୍ତି ।

ନିରଞ୍ଜନ ରେଡ୍ଡୀ, ସିନିଅର ରିପୋର୍ଟର, ଓଟିଭି,

ସମ୍ପର୍କ - ୯୯୩୭୯୯୨୬୫୦

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe