Representative Image Photograph: (Internet)
ଡ ରୀନା ରାଉତରାୟ
ଗତକାଲି ଭେଟ ହେଲା ପ୍ରମିଳା ଭଉଣୀଙ୍କ ସହିତ। ବୟସ ଆନୁମାନିକ ପାଖାପାଖି ଷାଠିଏ ହେବ। ଦାରିଦ୍ର୍ୟର ତାଡ଼ନାରେ ଯୁଝୁ ଥିବା ଅନେକଙ୍କ ବୟସକୁ ଅନୁମାନ କରିବା ପ୍ରାୟତଃ ଭୁଲ ମଧ୍ୟ ହୁଏ।
ପାରିବାରିକ ସମସ୍ୟା ନେଇ ଆସିଥିଲେ। ସାଙ୍ଗରେ ଥିଲେ ଦୀର୍ଘ ବର୍ଷ ଧରି ତାଙ୍କୁ ଛାଡ଼ି ଚାଲିଯାଇ, ପୁଣି ଫେରି ଆସି ତାଙ୍କ ଉପରେ ବୋଝ ସାଜିଥିବା ସତୁରି ବର୍ଷ ବୟସ୍କ ସ୍ୱାମୀ।
ଟ୍ରଲି ରିକ୍ସା ଟାଣି ଜୀବିକା ନିର୍ବାହ କରୁଥିଲେ। ମାତ୍ର ଏବେ ଅକ୍ଷମ।
ଘଟଣାଟି ଥିଲା ଏହିପରି।
ଦୁହେଁ ପ୍ରେମ ବିବାହ କରିଥିଲେ। ବିବାହର ମାତ୍ର କିଛି ବର୍ଷ ପରେ ଦୁଇଟି ପୁତ୍ର ସନ୍ତାନର ଜନକ ହେଲା ପରେ ସ୍ଵାମୀ ନବକିଶୋର ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଛାଡ଼ି ଅନ୍ୟ ଏକ ମହିଳାଙ୍କ ସହିତ ଯାଇ ଘରଠାରୁ ଦୂରରେ ରହିଲେ।
ଦୀର୍ଘ କୋଡ଼ିଏ ବର୍ଷ ବିତିଗଲା। ଦୁଇ ଅକ୍ଷର ପାଠ ପଢ଼ି ନ ଥିବା ପ୍ରମିଳା ଅତ୍ୟନ୍ତ ଦୁଃଖ କଷ୍ଟରେ ପର ଘରେ କାମ କରି ଛୁଆ ଦୁଇଙ୍କୁ ବଡ଼ କଲେ।
ବଡ଼ ପୁଅ ବାହା ହୋଇ ଭିନ୍ନେ ହୋଇଗଲା। ବୋଝ ଉପରେ ନଳିତା ବିଡ଼ା ପରି ତାଙ୍କର ଦୁର୍ଭାଗ୍ୟକୁ ସାନ ପୁଅ ଏକ ଅଜଣା ବାତ ରୋଗର ଶିକାର ହେଲା। ନିଜ ନାମରେ ଘର ଡିହ ଖଣ୍ଡେ ନ ଥିବାରୁ ଇନ୍ଦିରା ଆବାସ ନ ପାଇ ଗାଆଁ ମୁଣ୍ଡରେ ଏକ ଅନାବାଦି ଜାଗାରେ ଜରି ପାଲ ପକାଇ ୧୮ ବର୍ଷର ରୋଗୀଣା ପୁଅକୁ ପାଖରେ ରଖି ଗାଆଁରେ ଗୋଟିଏ ଛୋଟିଆ ଦୋକାନ କରି ଗୁଜୁରାଣ ମେଣ୍ଟାଉ ଥିବା ପ୍ରମିଳାଙ୍କ ପୁଅର ଚିକିତ୍ସା ପାଇଁ ଆର୍ଥିକ ଦୁରବସ୍ଥା ସହଜରେ ଅନୁମେୟ।
ସ୍ଥାନୀୟ ଡାକ୍ତରଖାନା କଟକ ବଡ଼ ଡାକ୍ତରଖାନାକୁ ପଠେଇ ଦେଲେ। ସେଠି ସାତଦିନର ରହଣୀ ସାଙ୍ଗକୁ ଔଷଧ କିଣିବା ପାଇଁ ଅର୍ଥର ଆବଶ୍ୟକତା ହେଲା।
ଗାଆଁର ଜଣେ ବ୍ୟକ୍ତିଙ୍କ ନିକଟରେ ଦୀର୍ଘ ଏକ ବର୍ଷ ଧରି ତାଙ୍କ ରେସନ କାର୍ଡ ଟିକୁ ବନ୍ଧା ପକାଇ ପାଞ୍ଚ ହଜାର ଟଙ୍କା ଆଣି ପୁଅର ଔଷଧ କିଣି ଚିକିତ୍ସା କରିଛନ୍ତି।
ଶୁଣିକି ଯେତିକି ଆଶ୍ଚର୍ଯ୍ୟ ହେଲି ସେତିକି କଷ୍ଟ ମଧ୍ୟ ହେଲା। ରେସନ କାର୍ଡ ବନ୍ଧା ବି ପଡ଼ିପାରେ ତାହା ପ୍ରଥମ ଥର ପାଇଁ ଶୁଣିଲି। ଯେ ପର୍ଯ୍ୟନ୍ତ ପ୍ରମିଳା ଉଧାର ଆଣିଥିବା ପାଞ୍ଚ ହଜାର ଟଙ୍କା ସୁଧମୂଳ ସହିତ ନ ଶୁଝିଛନ୍ତି, ସେ ପର୍ଯ୍ୟନ୍ତ ତାଙ୍କ କାର୍ଡରେ ମିଳୁଥିବା ଚାଉଳ ଓ ଅନ୍ୟାନ୍ୟ ରାସନ ସେ ସାହୁକାର ନେଇଯିବେ। ଓଃ...ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ।
ଏହିପରି ମାନସିକ, ଶାରୀରିକ ଓ ଆର୍ଥିକ ଦୁର୍ଦ୍ଦିନ ଦେଇ ପ୍ରମିଳା ଗତି କରୁଥିବା ସମୟରେ ତାଙ୍କର ବୃଦ୍ଧ ସ୍ୱାମୀ ଏବେ ଅନୁତପ୍ତ ହୋଇ ଘରକୁ ଫେରିଛନ୍ତି।
ଯାହା ଜାଣିବାକୁ ପାଇଲୁ, ତାଙ୍କର ଦ୍ଵିତୀୟ ମହିଳାଙ୍କ ପରଲୋକ ଗମନ ଓ ଆଉ କାମ କରିବାକୁ ଅକ୍ଷମ ଯୋଗୁଁ ପ୍ରଥମ ସ୍ତ୍ରୀ ଓ ପିଲାମାନଙ୍କ ସାହାରାରେ ବାକି ଜୀବନ ଅତିବାହିତ କରିବାକୁ ଫେରି ଆସିଛନ୍ତି।
ଯୌବନ ସମୟରେ ପ୍ରେମ ବିବାହ କରିଥିବା ସ୍ଵାମୀଙ୍କ ବିଶ୍ୱାସଘାତକତା ଓ ପିଲାଙ୍କ ଦାୟିତ୍ଵ ନ ନେଇ ଏବେ ଶାରୀରିକ ଅକ୍ଷମତା ପାଇଁ ଘରକୁ ଫେରିଥିବା ସ୍ଵାମୀଙ୍କ ପାଇଁ ପ୍ରମିଳାଙ୍କ ମନର କ୍ଷୋଭ ଓ ଅସହ୍ୟ କୋହ ରହିଥିବା ସତ୍ତ୍ୱେ ତାଙ୍କର ପ୍ରଶ୍ନ ଥିଲା, ମୁଁ ତ ରେସନ କାର୍ଡକୁ ବନ୍ଧା ପକାଇ ଦେଇଛି। ପେଟକୁ ମୁଠେ ଭାତ ଦେଉଥିବା ରେସନ କାର୍ଡଟି ବନ୍ଧା ପକାଇବା ପରେ, ଆଉ କ’ଣ ଅଛି ଯେ ମୋ ପାଖରେ?
ରୋଗିଣା ପୁଅ, ପୁଣି ଏ ଲୋକକୁ କୋଉଠୁ ଆଣି ଖାଇବାକୁ ଦେବି ମାଆ?
ବଞ୍ଚିବାର ଶେଷତମ ଖୋରାକ ରାସନ କାର୍ଡ ପରେ ତାଙ୍କ ପାଖରେ ସତରେ ଆଉ ଅଛି କ’ଣ?
ପ୍ରମିଳାଙ୍କ ବ୍ୟକ୍ତିତ୍ଵ ପାଖରେ ମୁଣ୍ଡ ନଇଁ ଯାଉଥିବା ବେଳେ ମୋ କମ୍ପିତ ହୃଦୟରେ ଉଙ୍କି ମାରୁଥିଲା ଆହୁରି ଅନେକ ପ୍ରଶ୍ନ ...
ଫୋ- ୯୪୩୮୨୭୨୧୫୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/04/poor-woman-2025-11-04-13-12-12.jpg)