ଧରନ୍ତୁ ଆପଣ କୌଣସି ଏକ ଜିନିଷ କିଣିବାକୁ ଗଲେ। ଦୋକାନୀ ଆପଣଙ୍କୁ ସେଇ ଜିନିଷର ଦୁଇଟି କିସମ ଦେଖାଇଲା। ଗୋଟିଏ ଆମେରିକାରେ ତିଆରି ଓ ଅନ୍ୟଟି ଚାଇନାରେ। ଯଦି ଆପଣଙ୍କ ପାଖରେ ଆବଶ୍ୟକ କ୍ରୟଶକ୍ତି ବା ଅର୍ଥ ଅଛି ତାହାଲେ ଆପଣ ଆମେରିକାରେ ତିଆରି ଜିନିଷ କିଣିବାର ସମ୍ଭାବନା ଅଧିକ। ଯଦି ଅର୍ଥ କମ ଥିବା ଲାଗି ଚାଇନା ତିଆରି ଜିନିଷ କିଣିଲେ ତା’ହେଲେ ଜିନିଷ କିଣିବା ଖୁସି ଭିତରେ ବି ଜିନିଷଟି କେତେଦିନ ଯିବ ସେ ଆଶଙ୍କାଟି ଆପଣଙ୍କ ମନ ଭିତରକୁ ଆସିବ ହିଁ ଆସିବ।
ଏପରି ହେବାର କାରଣ ଅତି ସରଳ। ଆଉ ସେଇଟି ହେଲା ଆପଣଙ୍କ ପାଖରେ ଆମେରିକା କିମ୍ବା କୌଣସି ୟୁରୋପୀୟ ଦେଶର ବିଶ୍ୱସନୀୟତା ଚାଇନାଠାରୁ ଅଧିକ। କୌଣସି କଥା ଆମେରିକାର ରାଷ୍ଟ୍ରପତି କହିଲେ ଆମକୁ ସତ ଲାଗେ। କିନ୍ତୁ ସେଇ କଥାଟି ଚାଇନାର ମୁଖ୍ୟ କହିଲେ ଆମେ ତାକୁ ସେତିକି ସତ ବୋଲି ମାନି ନଥାଉ। ଗତ ପଚାଶ ବର୍ଷ ଭିତରେ ବିଶ୍ୱର ଅନେକ ରାଷ୍ଟ୍ରର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରି, ସେମାନଙ୍କୁ ବରବାଦ କରି ସାରିଲା ପରେ ମଧ୍ୟ ଆମେରିକାର ବିଶ୍ୱ ଶାନ୍ତି କଥା ଆମକୁ ନୂତନ ଯୁଗର ଆହ୍ୱାନ ଭଳି ଲାଗେ। କିନ୍ତୁ ସମାନ କଥା ଯଦି ଉତ୍ତର କୋରିଆ କିମ୍ବା ଚୀନର ରାଷ୍ଟ୍ରମୁଖ୍ୟ କୁହନ୍ତି ସେଇଟି ଆମକୁ ସୈତାନର ବେଦପାଠ ଭଳି ପ୍ରତୀତ ହୁଏ।
ଥରେ ହିସାବ କରି ଦେଖନ୍ତୁ, ସାରା ବିଶ୍ୱରେ ଯେତିକି ଲୋକ ପ୍ରତିବର୍ଷ ଆତଙ୍କବାଦ ଦ୍ୱାରା ମରନ୍ତି, ତାଠାରୁ ଅଧିକ ଲୋକ କେବଳ ଆମେରିକାରେ ହିଁ ମରନ୍ତି ସେମାନଙ୍କ ମୁକ୍ତ ବନ୍ଧୁକ ନୀତି ପାଇଁ, ବନ୍ଧୁକ ଜନିତ ହିଂସାରେ। ଆମେରିକୀୟ ସମାଜରେ ଭୟଙ୍କର ଲିଙ୍ଗଗତ ଓ ବର୍ଣ୍ଣ ବୈଷମ୍ୟ ଆଜି ବି ରହିଛି। ଗତ ଦଶ ବର୍ଷରେ ଆମେରିକାରେ ଗୃହହୀନ ଲୋକଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଚାଇନା ଗତ ତିରିଶ ବର୍ଷ ଭିତରେ କୌଣସି ଯୁଦ୍ଧ କରିନାହିଁ, ଦାରିଦ୍ର୍ୟ ଦୂରୀକରଣ ଦିଗରେ ସମଗ୍ର ବିଶ୍ୱରେ ଏକ ଅନୁକରଣୀୟ ମଡେଲ ହୋଇ ପାରିଛି, ମାତ୍ର ଚାରି ଦଶନ୍ଧି ଭିତରେ ବିଶ୍ୱର ଦ୍ଵିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇ ପାରିଛି।
ଏସବୁ ପରେ ବି କାହିଁକି ଆମେରିକା ବା ଅନ୍ୟ କୌଣସି ୟୁରୋପୀୟ ଦେଶ ସାମ୍ନାରେ ଚାଇନା ସାରା ବିଶ୍ୱର ପ୍ରତୀୟମାନତାର ଖେଳରେ ମାତ ଖାଇ ଯାଏ? କାହିଁକି ଦୁନିଆର ଅଧିକାଂଶ ବିକାଶଶୀଳ ଦେଶ ବିଶ୍ୱ ଦରବାରରେ ନିଜ ଛବି ଆମେରିକାର ଦର୍ପଣରେ ଦେଖିବାକୁ ଚାହାନ୍ତି, ଚାଇନା ଦର୍ପଣରେ ନୁହେଁ? ଆମେରିକା ଭଳି ଚାଇନା ପାଖରେ ମଧ୍ୟ ସାମରିକ ଶକ୍ତି, ଅର୍ଥ ଓ ନବାଚାର ଆଣିପାରୁଥିବା ଏକ ସଶକ୍ତ ଓ ବୃହତ ମାନବ ସମ୍ବଳ ରହିଛି। କିନ୍ତୁ ଚାଇନା ପାଖରେ ଗୋଟିଏ ଜିନିଷ ସେହି ମାତ୍ରାରେ ନାହିଁ ଯାହା ଆମେରିକା ଓ ୟୁରୋପୀୟ ଦେଶମାନଙ୍କ ପାଖରେ ରହିଛି। ସେଇଟି ହେଲା ସଫ୍ଟ ପାୱାର ବା ମୃଦୁ ଶକ୍ତି। ବିନା ବଳ ପ୍ରୟୋଗ ବା ବାଧ୍ୟବାଧକତାରେ ଅନ୍ୟ ଦେଶକୁ ନିଜ କଥା ମନେଇ ପାରିବା ବା ନିଜ ବାଞ୍ଛିତ ପରିଣାମ ଦିଗରେ ପ୍ରେରିତ କରାଇ ପାରିବା ଦିଗରେ ଅନ୍ୟତମ ଶକ୍ତିଶାଳୀ ଉତପ୍ରେରକ ହେଉଛି ଗୋଟିଏ ଦେଶର ସଫ୍ଟ ପାୱାର ବା ମୃଦୁ ଶକ୍ତି।
ପ୍ରସିଦ୍ଧ ଆମେରିକୀୟ ରାଜନୈତିକ ବିଜ୍ଞାନୀ ଓ ସଫ୍ଟ ପାୱାର ଶବ୍ଦଟିର ଉଦ୍ଭାବନକାରୀ ଯୋଶେଫ ସାମୁଏଲ ନେୟୀଙ୍କ ମତରେ ବିନା ପ୍ରଚାର ହିଁ ଯୋଗାଯୋଗ ବ୍ୟବସ୍ଥାରେ ସବୁଠାରୁ ଶକ୍ତିଶାଳୀ ପ୍ରଚାର ବା ପ୍ରୋପାଗଣ୍ଡା। ଏବଂ ଯେକୌଣସି ପ୍ରସଙ୍ଗକୁ ଆକାଙକ୍ଷା ଓ ବିଶ୍ୱସନୀୟତାର ପୁଟ ଦେଇ ମୃଦୁ ଶକ୍ତି ଏକ ବୃହତ ଗୋଷ୍ଠୀର ଅସ୍ଥି ମଜ୍ଜାଗତ କରି ପାରେ। ହଲିଉଡ଼ଠାରୁ ଭାଲେଣ୍ଟାଇନ ଦିବସ ଯାଏ, ଫେସନଠାରୁ ସଦ୍ଦାମ ହୁସେନଙ୍କୁ ବିଶ୍ୱର ସବୁଠାରୁ ବଡ଼ ଶତ୍ରୁ ଘୋଷଣା କରିବା ଯାଏ, ଗ୍ରେମୀଠାରୁ ଅସ୍କାର ଯାଏ, ଇଂରାଜୀ ଭାଷାଠାରୁ ଖାଇବା ଟେବୁଲରେ ବସି କିପରି ଖାଇବେ ସେ ସୌଜନ୍ୟ ଯାଏ, ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ ନିଜ ମୃଦୁ ଶକ୍ତିକୁ ଏମିତି ଅନ୍ତଃରାଷ୍ଟ୍ରୀୟ କରି ପାରିଛନ୍ତି ଯେ ବିଶ୍ୱର ଏକ ବୃହତ ଜନଗୋଷ୍ଠୀ ସେମାନଙ୍କ ଭଳି ହେବାକୁ ଚାହେଁ, ସେମାନଙ୍କ ସ୍ୱୀକୃତିକୁ ଚାତକ ଭଳି ଅପେକ୍ଷା କରି ବସିଥାଏ। ଏଇଟି ଚାଇନା ପାଖରେ ନାହିଁ।
ଦୁଇ ବିଶ୍ଵ ଶକ୍ତିଙ୍କ ମଧ୍ୟରେ ଏହି ଦୀର୍ଘ ତୁଳନାତ୍ମକ ଚିତ୍ର ରଖିବାର ସନ୍ଦର୍ଭ ହେଉଛି ବିଶ୍ୱ ପ୍ରତୀୟମାନତାର ଭାରତକୈନ୍ଦ୍ରିକ ଆଲୋଚନା। ଗତ କିଛି ବର୍ଷ ଧରି ଆମେ ବିଶ୍ଵଗୁରୁ, ପାଞ୍ଚ ଟ୍ରିଲିୟନ ଅର୍ଥନୀତି, ବିଶ୍ୱ ଦରବାରରେ ଭାରତର ବର୍ଦ୍ଧିତ ପ୍ରଭାବ ଓ ପ୍ରଶଂସା ସମ୍ପର୍କରେ ଅନେକ ଆଲୋଚନା, ସମାଲୋଚନା ପଢ଼ି ଆସୁଛେ। ସତରେ କଣ ଅର୍ଥନୀତିର ଆକାର ବଢ଼େଇ କିମ୍ବା ଗୁଡ଼ାଏ ଅସ୍ତ୍ରଶସ୍ତ୍ର ବିଦେଶରୁ କିଣି ଆମେ ନିଜକୁ ବିଶ୍ଵଗୁରୁ ବା ଏମିତି ଏକ ବିଶ୍ଵଶକ୍ତିରେ ରୂପାନ୍ତରିତ କରି ପାରିବା ଯାହାକୁ ସାରା ବିଶ୍ୱ ଅନୁସରଣ କରିବାକୁ ଚାହୁଁଥିବ? କାନକୁ ଭଲ ଶୁଣା ଯାଇ ନପାରେ, ମାତ୍ର ଏହି ପ୍ରଶ୍ନର ଉତ୍ତରଟି ହେଉଛି ଏକ ସ୍ପଷ୍ଟ 'ନା'। ଆମେ ଆମ ମୃଦୁ ଶକ୍ତିର ବିଶ୍ୱବ୍ୟାପ୍ତି ନକେରଇବା ଯାଏ ବିଜ୍ଞାପନ ସଂସ୍ଥାମାନଙ୍କ ଦ୍ୱାରା ହୁଏତ ବିଦେଶରେ ଭିଡ଼ ଏକାଠି କରେଇ ପାରିବା, ନିଜେ ନିଜ ପାଇଁ ତାଳି ପିଟି ପାରିବା, କିନ୍ତୁ ବିଶ୍ଵଗୁରୁ ହେବାର ସ୍ୱପ୍ନ ଅନେକ ଦୂରରେ ରହିଯିବ।
ବର୍ତ୍ତମାନ ଆସିବା ଆମେ ଭାରତର ମୃଦୁ ଶକ୍ତିକୁ। କେଉଁଗୁଡ଼ିକ ହେଲେ ଭାରତର ପ୍ରକୃତ ମୃଦୁ ଶକ୍ତି? ଆମ ସଫ୍ଟ ପାୱାର ହେଉଛି ବିବିଧତା ଭିତରେ ଏକତା, ପାଞ୍ଚ ହଜାର ବର୍ଷର ସମାବେଶୀ ସଂସ୍କୃତି, ଆମ ନୃତ୍ୟ, ସଂଗୀତ, କାରୁକାର୍ଯ୍ୟ, ଯୋଗ, ଆୟୁର୍ବେଦ, ସଂସ୍କୃତି, ପରସ୍ପର ଭାବ ବିନିମୟ ଓ ସହାବସ୍ଥାନ ଦିଗରେ କେଉଁ ଅନାଦି କାଳରୁ ଗୋଟେ ଦେଶ ଭାବେ, ଗୋଟେ ଜାତି ଭାବେ ଆମେ କରି ଆସିଥିବା ନିରନ୍ତର ପ୍ରଚେଷ୍ଟା। ଆନୁଷ୍ଠାନିକ ପୃଷ୍ଠପୋଷକତା ଓ ଅନେକ ସମୟରେ ତା ବିନା ବି ଏହି ମୃଦୁ ଶକ୍ତି ସାରା ବିଶ୍ୱକୁ ସଂଚରିତ ହେଇଛି ଭାରତୀୟ ମୂଳର ବ୍ୟକ୍ତିବିଶେଷଙ୍କ ଦ୍ୱାରା। ମାତ୍ର ଏକ ଆନୁଷ୍ଠାନିକ ଢାଞ୍ଚାର ଅନୁପସ୍ଥିତି ଓ ଏକ ସାମୂହିକ ଉଦାସୀନତା ହିଁ ଏତେ ସବୁ ବିଶେଷତ୍ୱ ଭିତରେ ବି ଭାରତକୁ ମୃଦୁ ଶକ୍ତି କ୍ଷେତ୍ରର ବିଶ୍ୱର ସର୍ବାଧିକ ଶକ୍ତିଶାଳୀ ତିରିଶଟି ଦେଶ ମଧ୍ୟରେ ଗୋଟିଏ ହେବାରୁ ବଂଚିତ କରିଛି।
ଏବେ ଆସିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ। ଉପରେ ବର୍ଣ୍ଣିତ ଭାରତୀୟ ମୃଦୁ ଶକ୍ତିର ଗୋଟିଏ ବା ଏକାଧିକ ଉପାଦାନର ପକ୍ଷାଘାତ କରାଇ ଆମେ ବିଶ୍ଵଗୁରୁ ହୋଇପାରିବା କି? ଯେଉଁ ସମାବେଶୀ ସଂସ୍କୃତି ଆମ ପରିଚୟ, ଯେଉଁ ସହନଶୀଳତା ଓ ବସୁଧୈବ କୁଟୁମ୍ବକମ ଆମ ଅସ୍ମିତା, ତାକୁ କୁଠାରଘାତ କରି ସାରା ବିଶ୍ୱରେ ଆମେ ଆମ ମୃଦୁ ଶକ୍ତିର ଆଧିପତ୍ୟ ଓ ଗ୍ରହଣୀୟତା ବଢ଼ାଇ ପାରିବା କି? ଯେକୌଣସି ମୌଳବାଦ, ରୂଢ଼ିବାଦ ଓ ଆତ୍ମମୋହ ଆମ ବିଶ୍ୱସନୀୟତାକୁ ବୃହତ୍ତର ବିଶ୍ୱ ମଞ୍ଚରେ ସଶକ୍ତ ଭାବେ ଥୋଇ ପାରିବ କି? ଏଗୁଡ଼ିକ ଆମକୁ ଗୋଟିଏ ଏକମୁହାଁ ରାସ୍ତାରେ ବାଟ କଢ଼େଇ ନେଇଯାଉନି କି?
ଛୋଟିଆ ଉଦାହରଣଟିଏ ଏଇ ପ୍ରସଙ୍ଗରେ। ସତୁରୀ ଦଶକ ଓ ପରେ ଭାରତୀୟ ଚଳଚ୍ଚିତ୍ର ରୁଷିଆର ଅନ୍ୟତମ ପ୍ରମୁଖ ମନୋରଞ୍ଜନ ମାଧ୍ୟମ ଥିଲା। ଆଫ୍ରିକୀୟ ଦେଶମାନଙ୍କରେ ଆଜି ବି ଭାରତୀୟ ଚଳଚ୍ଚିତ୍ରର ଆଦୃତି ଖୁବ ବେଶୀ। ମାତ୍ର ବିଶ୍ୱର ଏହି ସର୍ବବୃହତ ଚଳଚ୍ଚିତ୍ର ନିର୍ମାଣକାରୀ ଶିଳ୍ପ ଯାହା ଭାରତୀୟ ସଂସ୍କୃତିକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ବିଗତ କିଛି ଦଶକରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା ତାହା ଆଜି ନିଜ ଦେଶରେ ବୟକଟ ଗ୍ୟାଙ୍ଗ ଆଗରେ ଜାନୁନତ ହୋଇ ବସିଛି। ଗୋଟିଏ ପଟେ ମୃଦୁ ଶକ୍ତିର କଥା କହିବା ଓ ଅନ୍ୟ ପଟେ 'ମେରୀ ମର୍ଜି'କୁ ସର୍ବୋଚ୍ଚ ସ୍ଥାନ ଦେବା, କେବଳ ପରସ୍ପର ବିରୋଧାଭାସ ନୁହନ୍ତି, ପରସ୍ପରର ପ୍ରତିକୂଳ ମଧ୍ୟ।
ଯଦି ଆମେ ସତରେ ବିଶ୍ଵଗୁରୁ ହେବାକୁ ଚାହୁଁଛେ ତାହାଲେ କେବଳ କୂଟନୀତି ଓ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନ ବେଳେ ନୁହେଁ, ଆମ ମୄଦୁ ଶକ୍ତିର ବିଶ୍ଵବ୍ୟାପୀ ଏକ ବ୍ୟାପକ ଓ ସଂରଚନାଗତ ସଂସ୍ଥାପନାର ଆବଶ୍ୟକତା ରହିଛି। କଥା ଓ କାର୍ଯ୍ୟର ବିରୋଧାଭାସ ଏହି ସଂସ୍ଥାପନାକୁ ଦୁର୍ବଳ କରିବାର ସମସ୍ତ ସମ୍ଭାବନା ରହିଛି।
ପରଂବ୍ରହ୍ମ ତ୍ରିପାଠୀ, ନାଉଗାଁହାଟ, ଜଗତସିଂହପୁର
ଫୋ- ୯୭୧୭୩୦୨୨୦୫