ଜାନକୀଶ ବଡ଼ପଣ୍ଡା
ଶୃଙ୍ଖଳିତ ଦେବନୀତି ପାଳନ, ଦିଅଁ ଦର୍ଶନ, ମହାପ୍ରସାଦ ପ୍ରସ୍ତୁତି ଓ ବିକ୍ରି ବ୍ୟବସ୍ଥିତ ହେଉ ବୋଲି ସମସ୍ତେ ଚାହାନ୍ତି। ପୂର୍ବ ସରକାରଙ୍କ ଅମଳର ଦର୍ଶନ ଅବ୍ୟବସ୍ଥା ତଥା କେବଳ ସିଂହଦ୍ୱାର ଦେଇ ପ୍ରବେଶ ଅନୁମତିକୁ ସର୍ବସାଧାରଣ ବିରୋଧ କରି ଆସୁଥିଲେ। ପୂର୍ବପରି ଚାରିଦ୍ୱାର ଖୋଲି ଦିଆଗଲେ କୋଭିଡ ପୂର୍ବରୁ ଯେଭଳି ବ୍ୟବସ୍ଥିତ ଦର୍ଶନ ମିଳୁଥିଲା ସେପରି ସମ୍ଭବ ହେବ ବୋଲି ବିଚାର କରୁଥିଲେ ଭକ୍ତମାନେ। ଭକ୍ତଙ୍କ ଆଶାପୂରଣ କରିବାକୁ ନୂଆ ସରକାର ନିର୍ବାଚନ କାଳରେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କୋଭିଡ କଟକଣା ପରଠୁଁ ବଡ଼ଦାଣ୍ଡରେ ବ୍ୟାରିକେଡ଼ କରାଯାଇ ଦର୍ଶନ ବ୍ୟବସ୍ଥା କରା ଯାଇଥିଲା। ସର୍ବସାଧାରଣଙ୍କ ପାଇଁ କେବଳ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ ଅନୁମତି ଥିଲାବେଳେ ପୁରୀବାସୀଙ୍କ ପାଇଁ କିଛି ମାସ ତଳେ ପଶ୍ଚିମଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ ଅନୁମତି ଦିଆ ଯାଇଥିଲା। ଧାଡ଼ିରେ ଅପେକ୍ଷମାଣ ଭକ୍ତଙ୍କ ସୁବିଧା ପାଇଁ ବଡ଼ଦାଣ୍ଡରେ ବାତାନୁକୂଳିତ ଟନେଲ ମଧ୍ୟ ନିର୍ମାଣ ହୋଇଥିଲା। କିନ୍ତୁ, ପ୍ରବଳ ଦାବି ସତ୍ତ୍ୱେ ଚାରି ଦ୍ୱାର ଖୋଲାଯାଉ ନଥିଲା। ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ବଡ଼ଦାଣ୍ଡରେ ଧାଡ଼ିରେ ଚାଲିବା ପରେ ମନ୍ଦିର ବେଢ଼ାରେ ପ୍ରବେଶ କରୁଥିଲେ ଓ ସାତ ପାହାଚ ପୂର୍ବରୁ ସେମାନଙ୍କୁ ପୁନର୍ବାର ଧାଡ଼ିରେ ଅପେକ୍ଷା କରିବାକୁ ପଡୁଥିଲା।
ଏବେ ବଡ଼ଦାଣ୍ଡରେ ବ୍ୟାରିକେଡ୍ ନାହିଁ, ମୁକ୍ତ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଚାରିଦ୍ୱାର ଖୋଲା ରହିଛି। ଯେଉଁମାନେ ଚାରିଦ୍ୱାର ଦେଇ ମନ୍ଦିର ବେଢ଼ାରେ ପ୍ରବେଶ କରୁଛନ୍ତି, ସେମାନଙ୍କୁ କିନ୍ତୁ ପୂର୍ବଭଳି ସାତ ପାହାଚ ପୂର୍ବରୁ ଧାଡ଼ିରେ ରହିବାକୁ ପଡୁଛି। ସେମାନେ ପୂର୍ବଭଳି ନାଟମଣ୍ଡପ ଦେଇ ଜଗମୋହନରେ ପ୍ରବେଶ କରୁଛନ୍ତି ଏବଂ ପ୍ରବଳ ଭିଡ଼ରେ ଦଳା ଚକଟାକୁ ସାମ୍ନା କରୁଛନ୍ତି। ସିସିଟିଭି ନଥିବାର ସୁଯୋଗ ନେଇ ବହୁ ମହିଳା ଭକ୍ତଙ୍କୁ ଅସଦାଚରଣ କରାଯାଉଥିବାର ଖବର ମିଳୁଛି।
କୋଭିଡ୍ ପୂର୍ବରୁ ଚାରିଦ୍ୱାର ଖୋଲା ରହୁଥିଲା ଓ ଭକ୍ତମାନେ ସ୍ୱଳ୍ପ ସମୟରେ ଓ ସୁବିଧାରେ ଦିଅଁ ଦର୍ଶନ କରୁଥିଲେ ବୋଲି କୁହାଯାଉଥିଲେ ବି ଏହା ସତ୍ୟର ଅପଳାପ ବ୍ୟତିତ ଅନ୍ୟ କିଛି ନୁହେଁ। ଆମକୁ ମନେରଖିବାକୁ ହେବ ଯେ, କ୍ରମଶଃ ଭକ୍ତଙ୍କ ସଂଖ୍ୟା ବଢୁଛି। ଦେଶର ଲୋକସଂଖ୍ୟା ଏବେ ୧୪୧ କୋଟି ଏବଂ ଭବିଷ୍ୟତରେ ଏହା ସର୍ବାଧିକ ୧୭୫ କୋଟି ଛୁଇଁବାର ଆକଳନ କରାଯାଉଛି। ଭାରତୀୟଙ୍କ ମୁଣ୍ଡପିଛା ଆୟବୃଦ୍ଧି ସହ ତାଳ ଦେଇ ଗମନାଗମନ ସୁବିଧା ଓ ଭକ୍ତଙ୍କ ତୀର୍ଥାଟନ ପାଇଁ ଆଗ୍ରହ ଓ ସାମର୍ଥ୍ୟ ବଢ଼ୁଥିବାରୁ ଗହଳି ରହିଆସିଛି ଏବଂ ଆଗକୁ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ିବା ସୁନିଶ୍ଚିତ।
ଶ୍ରୀମନ୍ଦିରରେ ଭକ୍ତଙ୍କୁ ଅବାଧ ଦର୍ଶନ ବ୍ୟବସ୍ଥା ସମେତ ମୌଳିକ ସୁବିଧା ଯୋଗାଇ ଦେବାକୁ ୨୦୧୯ରେ ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସମ୍ଭବତଃ ମନ୍ଦିର ଭିତରେ ଓ ବାହାରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ସୁବିଧା ଯୋଗାଇ ଦେବାକୁ ଜାତୀୟ ମାନବାଧିକାର କମିସନ ନିର୍ଦେଶ ଦେଇଥିଲେ। କିନ୍ତୁ, ଆନ୍ତରିକତା ନଥିବାରୁ ଏସବୁ କାର୍ଯ୍ୟକାରୀ କରି ନଥିଲେ ପୂର୍ବସରକାର।
ରାଜ୍ୟରେ ନୂଆ ସରକାର ଆସିବା ପରେ ପ୍ରତିଶ୍ରୁତି ପାଳନ ସ୍ୱରୂପ ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲା ଯାଇ ସାରିଛି। ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତ, ବୁଦ୍ଧିଜୀବୀ, ସେବାୟତ ବହୁଦିନ ଧରି ଏହି ଦାବି କରିଆସିଥିଲେ। ଦାବି ପୂରଣ ପରେ, ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି ଓ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି। କିନ୍ତୁ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନଥିବାରୁ ପୂର୍ବଭଳି ଶ୍ରୀମନ୍ଦିର ଭିତର ଓ ବାହାରେ ଭିଡ଼ ଦେଖିବାକୁ ମିଳୁଛି। ଚାରିଦ୍ୱାର ଖୋଲାଯାଇ ଥିବାରୁ ଯେଉଁ ଭକ୍ତଗଣ ଖୁସି ହୋଇଥିଲେ ସେମାନେ ଦର୍ଶନ କରିବାକୁ ଯାଇ ଯନ୍ତ୍ରଣା ପାଉଛନ୍ତି। ବାହାର ବେଢ଼ାରେ ଥିବା ଆନନ୍ଦ ବଜାରର ସ୍ଥାନାନ୍ତରଣ ଏବଂ ଦର୍ଶନ ବ୍ୟବସ୍ଥା ପରିବର୍ତ୍ତନରେ ଏହାର ସମାଧାନର ସୂତ୍ର ରହିଛି ବୋଲି ଆମର ବିଶ୍ୱାସ।
ଚାରିଦ୍ୱାରରୁ ଭକ୍ତଗଣ ଧାଡ଼ି ବାନ୍ଧି ବେଢ଼ା ମଧ୍ୟକୁ ପ୍ରବେଶ କରିବାର ସୁବନ୍ଦୋବସ୍ତ କରାଯାଇଥିଲେ ବି ସେମାନଙ୍କୁ ପୂର୍ବଭଳି ସାତ ପାହାଚ ନିକଟସ୍ଥ ବ୍ୟାରିକେଡ଼ଠାରେ ଅଟକି ରହିବାକୁ ପଡୁଛି। ଚାରିଦ୍ୱାର ଦେଇ ଭକ୍ତଙ୍କ ସୁଅ ଛୁଟୁଥିବା ଫଳରେ ଭିତର ବେଢ଼ାରେ ଗହଳି ପୂର୍ବାପେକ୍ଷା ବଢ଼ିଛି। ଗହଳି ନିୟନ୍ତ୍ରଣ କରିବା ପାଇଁ ଖୋଲା ଯାଇଥିବା ଚାରୋଟି ଯାକ ଦ୍ୱାର ଦେଇ ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ପ୍ରବେଶ ଅନୁମତି ଦିଆଯାଉଥିବାରୁ ପରିଣତି ସ୍ୱରୂପ ସମ୍ପୂର୍ଣ୍ଣ ପରିକ୍ରମା ମାର୍ଗ ଏବଂ ବଡ଼ଦାଣ୍ଡ ଲୋକାରଣ୍ୟରେ ପରିଣତ ହେଉଛି। ଚାରିଦ୍ୱାର ଖୋଲାଗଲେ ଭକ୍ତଗଣ ଅକ୍ଳେଶରେ ଦର୍ଶନ କରିପାରିବେ ବୋଲି ଯେଉଁ ଆଶା କରିଥିଲେ ତାହା ଏବେ ମିଳେଇଯାଇଛି।
ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସାତ ପାହାଚଠାରୁ ନାଟମଣ୍ଡପ, ଭିତର କାଠ ପର୍ଯ୍ୟନ୍ତ ମାନବ ଶୃଙ୍ଖଳ ଜରିଆରେ ଧାଡ଼ିକରି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯିବା ଦରକାର। ଏବେ ପୂର୍ବ ଭଳି ଶ୍ରୀମନ୍ଦିର ଭିତରେ ସାତ ପାହାଚଠାରୁ ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ନାଟମଣ୍ଡପ ଭିତରକୁ ଛଡାଯାଉଛି। କିନ୍ତୁ, ନାଟମଣ୍ଡପ ଭିତରେ ଥିବା ଗରୁଡ଼ ସ୍ତମ୍ଭ ପାଖରୁ ଦିଅଁମାନଙ୍କୁ ଦର୍ଶନ କରିବାରେ ବାଧକ ହେଉଛନ୍ତି କିଛି ସେବାୟତ। ମନ୍ଦିର ଭିତର କାଠ ଏବଂ ବାହାର କାଠ ନିକଟରେ କେତେକ ସେବକ ବଡ଼ବଡ଼ ପିତ୍ତଳ ଥାଳି ଧରି ମହାବାହୁଙ୍କ ଆଡ଼କୁ ପିଠିକରି ଠିଆ ହୋଇ ରହୁଥିବାର ଦେଖାଯାଉଛି। ସେମାନଙ୍କ କାରଣରୁ ଗରୁଡ଼ ସ୍ତମ୍ଭ ପାଖରେ ଠିଆ ହୋଇ ଦିଅଁଙ୍କୁ ଦର୍ଶନ କରି ହେଉନାହିଁ।
ସାତ ପାହାଚ ସାମ୍ନାରେ ଥିବା ଦକ୍ଷିଣ ଦ୍ୱାର ପୂର୍ବରୁ ଖୋଲା ରହୁଥିଲା, ଯାହାକୁ ପ୍ରସ୍ଥାନ-ଦ୍ୱାର ଭାବେ ବ୍ୟବହାର କରାଯାଉଥିଲା। ମହିଳା, ଶିଶୁ, ବୟସ୍କ ତଥା ଅସୁସ୍ଥ ଭକ୍ତମାନେ ଗରୁଡ଼ସ୍ତମ୍ଭ ପାଖରେ ଠିଆ ହୋଇ ଦିଅଁଙ୍କୁ ଦର୍ଶନ କରି ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରୁଥିଲେ। ନାଟ ମନ୍ଦିର, ଜଗମୋହନ ଓ ଗର୍ଭଗୃହ ମଧ୍ୟରେ ଜନଗହଳି ଜନିତ ଦୁର୍ଘଟଣା ଏଡ଼ାଇବାକୁ ଏକାଧିକ ପ୍ରସ୍ଥାନ ଦ୍ୱାର ଖୋଲାଯିବା ଆବଶ୍ୟକ ମନେହୁଏ।
ନାଟ ମନ୍ଦିରଠାରୁ ଗର୍ଭଗୃହ ଯାଏଁ ଜନଗହଳି ଲାଗି ରହୁଥିବା ସମୟରେ ଗରୁଡ଼ ସ୍ତମ୍ଭ ପାଖରେ ଠିଆ ହୋଇ ଦିଅଁଙ୍କୁ ଦର୍ଶନ କରିବାରେ ଅନ୍ତରାୟ ହେଉଛନ୍ତି ଜଗମୋହନରୁ ଗର୍ଭଗୃହକୁ ପ୍ରବେଶ କରୁଥିବା ଭକ୍ତଗଣ। ବହୁ ପ୍ରତୀକ୍ଷା ପରେ ଥରେ ନାଟମଣ୍ଡପ ମଧ୍ୟକୁ ପ୍ରବେଶ କରିଗଲା ପରେ, ଭକ୍ତଗଣ କାଳିଆ ସାଆନ୍ତଙ୍କୁ ମନଭରି ଦେଖି ଭକ୍ତିଭାବରେ ତଲ୍ଲୀନ ହୋଇ ଯିବାକୁ ଚାହାନ୍ତି। ବାହାରକୁ ବାହାରିଯିବାକୁ ମନ ହୁଏନା। ଏହା ହିଁ ଶ୍ରୀମନ୍ଦିର ଭିତର ଭିଡ଼ ବଢାଇବା ସହ ଭକ୍ତଙ୍କ ଯନ୍ତ୍ରଣା ବି ବଢ଼ାଉଥିବାର ଅନ୍ୟତମ କାରଣ। ଏଭଳି ସ୍ଥିତିରେ ଭକ୍ତଙ୍କୁ ବଳ ପ୍ରୟୋଗ କରି ମନ୍ଦିର ପରିସରରୁ ବାହାର କରିବା ଅସମ୍ଭବ।
ଦର୍ଶନ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ବାହାର କାଠ ପାଖରେ ପ୍ରବଳ ଧସ୍ତାଧସ୍ତି ହୋଇଥିବାର ଖବର ପ୍ରକାଶ ପାଇଛି। ଶ୍ରୀଜୀଉଙ୍କ ଦର୍ଶନରୁ ବହୁ ଭକ୍ତ ବଞ୍ଚିତ ହେଉଛନ୍ତି। ଭକ୍ତଙ୍କ ଅସନ୍ତୋଷ ବୃଦ୍ଧି ପାଉଛି। ଏବେ, ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଦିଅଁଙ୍କୁ ଦର୍ଶନ କରି ନପାରି ତଥା ଦଳା ଚକଟାର ତିକ୍ତ ଅନୁଭୂତି ନେଇ ପ୍ରସ୍ଥାନ କରୁଛନ୍ତି। ବ୍ୟବସ୍ଥାଗତ ପୂର୍ବ-ପ୍ରସ୍ତୁତି ବିନା ଚାରିଦ୍ୱାର ଖୋଲିଦେଇ ପ୍ରତିଶ୍ରୁତି ପାଳନ କରିବା କେବଳ ଏକ ଲୋକ ଦେଖାଣିଆ ଅହଙ୍କାର ସାବ୍ୟସ୍ତ ହୋଇଛି। ଏଥିରେ ଓଡ଼ିଆ ଅସ୍ମିତା ଓ ଭକ୍ତଙ୍କ ନିରାପତ୍ତା ଯେ ବିପନ୍ନ ହେଉଛି ତାହା ନୂଆ ଆତ୍ୟୁତ୍ସାହୀ ସରକାର ଯେତେଶୀଘ୍ର ବୁଝିପାରିବେ ଓ ପ୍ରତିକାର ବ୍ୟବସ୍ଥା କରିବେ ସେତେ ଭଲ।
ଶ୍ରୀମନ୍ଦିର ମଧ୍ୟରୁ ଭକ୍ତଗଣ ବାହାରକୁ ଯଥାଶୀଘ୍ର ବାହାରିଯିବା ପାଇଁ ଆନନ୍ଦ ବଜାରର ଅବସ୍ଥିତି ମହତ୍ୱପୂର୍ଣ୍ଣ। ମହାପ୍ରସାଦ ପାଇବା ପାଇଁ ଭକ୍ତଙ୍କ ଆକୁଳତା ସହ ଆନନ୍ଦ ବଜାରର ଅବସ୍ଥିତି କାରଣରୁ ମନ୍ଦିର ବେଢ଼ାରେ ଅତ୍ୟଧିକ ଗହଳି ଲାଗି ରହୁଛି। ଏହା ଉପଲବ୍ଧି କଲା ପରେ ଆନନ୍ଦ ବଜାର ସ୍ଥାନାନ୍ତର କରିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି ଗଜପତି ମହାରାଜ। ସେ 'ଅନ୍ନଯଜ୍ଞ କ୍ଷେତ୍ର ପରିକଳ୍ପନା' ପ୍ରସ୍ତୁତ କରି ଉତ୍ତର ଦ୍ଵାର ନିକଟବର୍ତ୍ତୀ ଏକ ମଠରେ ବିକଳ୍ପ ଆନନ୍ଦ ବଜାର ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି। ଆମେ ଜାଣୁ ଯେ ଅଧୁନା ଶ୍ରୀମନ୍ଦିରରେ ବିଦ୍ୟମାନ ଭୋଗ ମଣ୍ଡପ ବା ଭଅଣ୍ଡ, ରୋଷଘର, ସ୍ନାନ ମଣ୍ଡପ ଓ ଆନନ୍ଦ ବଜାର ଇତ୍ୟାଦି ମୂଳ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ହେବାର ପରବର୍ତ୍ତୀ କାଳରେ ନିର୍ମିତ ହୋଇଛି। ନିର୍ମାଣ ଚାଲିଥିବା ପରିକ୍ରମା ମାର୍ଗ ପୂର୍ବରୁ ନଥିଲା। ଏଣୁ, ବିକଳ୍ପ ଆନନ୍ଦ ବଜାର ନିର୍ମାଣ କଲେ ତାହା ପରମ୍ପରାର ବିରୁଦ୍ଧାଚରଣ କରିବ ନାହିଁ। ଶ୍ରୀମନ୍ଦିରର ଚାରି ଦିଗରେ ଅନ୍ତତଃ ଏକ କିଲୋମିଟର ଦୂରରେ ଚାରିଗୋଟି ବିକଳ୍ପ ଆନନ୍ଦ ବଜାର ଅତ୍ୟନ୍ତ ବ୍ୟବସ୍ଥିତ, ଭକ୍ତିମୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆରାମପ୍ରଦ ଭାବେ ପ୍ରତିଷ୍ଠା କରାଗଲେ ଭଲ ହୁଅନ୍ତା।
ପ୍ରସ୍ତାବିତ ଆନନ୍ଦ ବଜାର ମଧ୍ୟରୁ ଗୋଟିଏ ବଡ଼ଦାଣ୍ଡ ନିକଟରେ ଓ ଆଉ ଗୋଟିଏ ରେଳଷ୍ଟେସନ ନିକଟବର୍ତ୍ତୀ ସ୍ଥାନରେ ପ୍ରତିଷ୍ଠା କରାଯିବା ଉଚିତ। ତୃତୀୟଟି କାର ରହଣିସ୍ଥଳ ନିକଟରେ ବାତାନୁକୂଳିତ କରାଗଲେ ସେଠାରେ ଦେଶ ବିଦେଶରୁ ଆସୁଥିବା ଅନେକ ଧନୀକ ଭକ୍ତ ମହାନନ୍ଦରେ ମହାପ୍ରସାଦ ସେବନ କରିବାକୁ ଆଗ୍ରହ ପ୍ରକାଶ କରନ୍ତେ। ଚତୁର୍ଥଟି ରହନ୍ତା ସହର ବାହାରକୁ ଗାଡ଼ିମଟରରେ ପରିବହନ ହେବାକୁଥିବା ବରାଦି ଶ୍ରୀମହାପ୍ରସାଦ ପାଇଁ। ଏହି ସମସ୍ତ ପ୍ରସ୍ତାବିତ ଆନନ୍ଦ ବଜାରକୁ ମହାପ୍ରସାଦ ଉଠିଲା ପରେ ପ୍ରଶାସନ ପକ୍ଷରୁ ବ୍ୟାଟେରିଚାଳିତ ସ୍ୱତନ୍ତ୍ର ଗାଡ଼ିରେ ଯୋଗାଣ ହେଲେ, ଶ୍ରୀମନ୍ଦିର ପରିସର ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରହନ୍ତା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିୟନ୍ତ୍ରିତ ବିକଳ୍ପ ଆନନ୍ଦ ବଜାରର ତଳ ମହଲାରେ ପ୍ରତୀକ୍ଷାଳୟ, ହାତ-ପାଦଧୁଆ ସୁବିଧା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ନିର୍ମାଲ୍ୟ, ଖଜା, ପଥର ମୂର୍ତ୍ତୀ, ନାଲିବାଡ଼ି, ପଟ୍ଟଚିତ୍ର, ପୁସ୍ତକ, ଭଜନ ସିଡ଼ି ଇତ୍ୟାଦି ବିକ୍ରି କରାଯିବା ପାଇଁ ଦୋକାନ ଏବଂ ଉପର ମହଲାରେ ଭୋଜନାଳୟ ମଧ୍ୟ ରହନ୍ତା।
ଆମର ଉପରୋକ୍ତ ମତାମତ ଗୁଡ଼ିକୁ ବିଚାର କରାଗଲେ ଏବଂ କାର୍ଯ୍ୟକାରୀ କରାଗଲେ ପୂର୍ବପରି ଚାରିଦ୍ୱାର ଦେଇ ଭକ୍ତଗଣ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରି ଚକାନୟନଙ୍କୁ ଦର୍ଶନ କରି ପରମ ସନ୍ତୋଷ ପାଇପାରନ୍ତେ।
ଫୋ- ୯୪୩୮୨୯୯୦୩୭