Advertisment

ଚାଷୀମାନେ ସମୃଦ୍ଧ ହେବେ କିପରି?

ଆମ ଦେଶର ପ୍ରାୟ ୮୭ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବର୍ଗର ହୋଇଥିବାରୁ ସେମାନେ ପ୍ରତିବର୍ଷ ଉତ୍ପାଦନ କରୁଥିବା ଫସଲ ପାଇଁ ଯେତେ ଅଧିକ ମୂଲ୍ୟ ଦେଇ କିଣି ନେଲେ ବି ସମସ୍ୟା କମିବନି, ବଢ଼ିଯିବ।

author-image
Debendra Prusty
Farmer

Farmer

ଜାନକୀଶ ବଡ଼ପଣ୍ଡା

ଗୋଟିଏ ଜାତୀୟ ସ୍ତରର ଅର୍ଥନୈତିକ ଖବରକାଗଜର ରାଜ୍ୟମୁଖ୍ୟ ତଥା ଜଣେ ଜଣାଶୁଣା ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ସେ କହିଲେ ଯେ, ପ୍ରତ୍ୟେକ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପ୍ରଚଳିତ ମୂଲ୍ୟର ବହୁଗୁଣ ନ ବଢ଼ିଲେ ଚାଷୀଙ୍କ ଉନ୍ନତି ହେବନାହିଁ। ସେ ଅତି ସହଜରେ ଏକଥା କହିଦେଲେ ସିନା, ଏହାର ସୁଦୂର ପ୍ରସାରୀ ପରିଣାମ କ’ଣ ହୋଇପାରେ, ସବୁ କଥା ମୋଠାରୁ ଶୁଣିବା ପରେ ସେ ମୋ ଦୃଷ୍ଟିଭଙ୍ଗୀ ସହ ଏକମତ ହେଲେ ଓ ସ୍ୱୀକାର କଲେ ଯେ, ଏମଏସପି ବଢ଼େଇଦେବା ସମସ୍ୟାର ସମାଧାନ ନୁହେଁ।

Advertisment

ଅନେକେ ଯଦି ଭୁଲି ଯାଇଥିବେ, ଆମେ ମନେ ପକାଇ ଦେବାକୁ ଚାହୁଁ ଯେ, ବାଜପେୟୀ ସରକାରଙ୍କ ଅମଳରେ ୨୦୦୩ ମସିହାରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ‘ଆଦର୍ଶ କୃଷି ଉତ୍ପାଦନ ବଜାର କମିଟି ଅଧିନିୟମ’ (ମଡେଲ୍ ଏପିଏମସି ବିଲ୍) ପ୍ରସ୍ତୁତ କରି ରାଜ୍ୟମାନଙ୍କୁ ପଠାଇଥିଲେ। ପରବର୍ତ୍ତୀ ୟୁପିଏ ସରକାର ମଧ୍ୟ ଏହି ସଂସ୍କାରମୂଳକ ପଦକ୍ଷେପକୁ ଆଗେଇ ନେଇଥିଲେ। କିନ୍ତୁ କୃଷି ଉଭୟ ରାଜ୍ୟ-କେନ୍ଦ୍ର ବିଷୟ ହୋଇଥିବାରୁ ମଡେଲ ଏପିଏମସି ଅଧିନିୟମ ଅନୁଯାୟୀ ଆଇନ ପ୍ରଣୟନ କରିବାକୁ ରାଜ୍ୟମାନେ ଆଗେଇ ଆସିନଥିଲେ। ଏହି ପୃଷ୍ଠଭୂମିରେ ଦ୍ୱିତୀୟ ପାଳିର ଏନଡିଏ ସରକାର ତିନୋଟି ସ୍ୱତନ୍ତ୍ର ଆଇନ ପ୍ରଣୟନ କରି କୃଷି କ୍ଷେତ୍ରରେ ସଂସ୍କାର ଆଣିବାକୁ ୫, ଜୁନ୍ ୨୦୨୦ରେ ଏକ ଅଧ୍ୟାଦେଶ ଜାରି କରିଥିଲେ। ପରେ, ୧୬ ସେପ୍ଟେମ୍ବର ୨୦୨୦ରେ ସଂସଦରେ ଅଧିନିୟମ ଭାବେ ଉପସ୍ଥାପନ କରି, ଆଇନରେ ପରିଣତ କରିଥିଲେ। ଆଇନ ତିନୋଟି ଯଥାକ୍ରମେ ଥିଲା- ୧. କୃଷି-ଉତ୍ପାଦ ବିକ୍ରି ଏବଂ ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨. କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ ଏବଂ ୩. ଅତ୍ୟାବଶ୍ୟକୀୟ ସାମଗ୍ରୀ (ସଂଶୋଧନ) ଆଇନ।

ଆଇନ୍ ପାରିତ ହେବା ପରେ କୃଷକମାନଙ୍କ ଆଶଙ୍କା ହେଲା ଯେ ବେସରକାରୀ ବ୍ୟବସାୟୀମାନେ ମଣ୍ଡି ବାହାରେ ରହି କୃଷି ଉତ୍ପାଦ ବେପାର କଲେ ପ୍ରଥମେ ପ୍ରଥମେ ଚାଷୀଙ୍କଠାରୁ ଅଧିକ ମୂଲ୍ୟରେ କୃଷିଜାତ ଶସ୍ୟ କ୍ରୟ କରିନେବେ। ପରେ, ଚାଷୀ ଓ ବେପାରୀ ମଣ୍ଡିକୁ ନଆସିଲେ ମଣ୍ଡି ଗୁଡ଼ିକ ବନ୍ଦ ହୋଇଯିବ। ମଣ୍ଡି ବନ୍ଦ ହୋଇଯିବା ପରେ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ବ୍ୟବସ୍ଥା ଅକାମୀ ହୋଇଯିବ ଏବଂ ଏହି ବ୍ୟବସାୟୀମାନେ, ମନଇଚ୍ଛା କମ୍ ମୂଲ୍ୟରେ କୃଷି-ଉତ୍ପାଦ କିଣିବେ। ଏଥିରେ ଅଭାବୀ ବିକ୍ରି ବଢ଼ିବା ସହିତ ଚାଷୀମାନେ କ୍ଷତିଗ୍ରସ୍ତ ହେବେ। ଅମ୍ବାନୀଙ୍କ ରିଲାଏନ୍ସ, ଗୌତମ୍ ଆଦାନୀଙ୍କ ଭଳି ଧନୀ ବେପାରୀଙ୍କ ହିତରେ ଏଭଳି ଆଇନ ଆସିଛି ବୋଲି ଧାରଣା ସୃଷ୍ଟି କରାଗଲା, ଯାହାକୁ ସରକାର ବଦଳାଇ ପାରିଲେନି। ୨୦୨୧ ମସିହା ନଭେମ୍ବର ୨୬ ତାରିଖରେ ତିନୋଟି ଯାକ କୃଷି ଆଇନ ପ୍ରତ୍ୟାହୃତ ହେଲା, ଯାହା ଏବେ ଇତିହାସ।

Advertisment

ମଜା କଥା ଯେ, ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନଏସଏସଓ)ର ୭୭ତମ ସର୍ଭେ ଅନୁଯାୟୀ ଦେଶର ମାତ୍ର ୬ ପ୍ରତିଶତ ଚାଷୀ ନିଜ ଫସଲକୁ ନିର୍ଦ୍ଧାରିତ ଶସ୍ୟ ସଂଗ୍ରହକାରୀ ସଂସ୍ଥାଙ୍କୁ ବିକ୍ରି କରି ଏମଏସପି ପ୍ରକ୍ରିୟାରେ ସାମିଲ ହୋଇଥାଆନ୍ତି। ଅର୍ଥାତ ଦେଶର ପ୍ରାୟ ୯୪ ପ୍ରତିଶତ ଚାଷୀ ବିଭିନ୍ନ କାରଣରୁ ଏମଏସପି ବ୍ୟବସ୍ଥା ଓ ପ୍ରକ୍ରିୟା ବାହାରେ ଥାଆନ୍ତି। ଏକ ଅଧ୍ୟୟନ ଅନୁଯାୟୀ ମାତ୍ର ୨୪ ପ୍ରତିଶତ ଚାଷୀ ପରିବାର ନିଜ କ୍ଷେତରେ ଚାଷ କରୁଥିବା ଫସଲ ପାଇଁ ମିଳୁଥିବା ଏମଏସପି ବାବଦରେ ଜାଣନ୍ତି। ଏହାର ଏକ ମୁଖ୍ୟ କାରଣ ହେଉଛି ଧାନ ଓ ଗହମକୁ ବାଦ ଦେଲେ ଅନ୍ୟ ଫସଲଗୁଡ଼ିକର ସଂଗ୍ରହ ପରିମାଣ ଅତ୍ୟନ୍ତ ନଗଣ୍ୟ। ନୀତି ଆୟୋଗର ଏକ ରିପୋର୍ଟ ଅନୁଯାୟୀ ଟଙ୍କା ମିଳିବାରେ ବିଳମ୍ୱ, ସଂଗ୍ରହ କେନ୍ଦ୍ର (ମଣ୍ଡି)ରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ, ଗାଁଠାରୁ କେନ୍ଦ୍ରର ଅଧିକ ଦୂରତା, ଇତ୍ୟାଦି କାରଣରୁ ପ୍ରାୟ ୭୯ ପ୍ରତିଶତ ଚାଷୀ ପ୍ରଚଳିତ ବ୍ୟବସ୍ଥାରେ ସନ୍ତୁଷ୍ଟ ନୁହନ୍ତି। ଯେଉଁ ରାଜ୍ୟରେ ସଂଗ୍ରହ ବ୍ୟବସ୍ଥା ଓ ଭିତ୍ତିଭୂମି ଯେତେ ବ୍ୟବସ୍ଥିତ ସେହି ରାଜ୍ୟର ଚାଷୀଙ୍କଠାରୁ ସେତେ ଅଧିକ ଶସ୍ୟ ସଂଗ୍ରହ ହୋଇ ପାରିଥାଏ। ମଣ୍ଡି ଭିତ୍ତିଭୂମି ଅଧିକ ବ୍ୟବସ୍ଥିତ ରହିଥିବା ପଞ୍ଜାବ, ହରିଆଣାର ଚାଷୀମାନେ କୃଷି ଆଇନ ପ୍ରତ୍ୟାହାର ଦାବୀ ଆନ୍ଦୋଳନରେ ଅଧିକ ସଂଖ୍ୟାରେ ସାମିଲ ହେବାର କାରଣ ଥିଲା ଯେ, ସେମାନେ ଏମଏସପି ପ୍ରସଙ୍ଗରେ ଅଧିକ ସଚେତନ ଥିଲେ ଏବଂ ମଣ୍ଡିମାନଙ୍କରେ ଆଡ଼ତିଆଙ୍କ ପ୍ରଭାବ ସତ୍ତ୍ୱେ ଅଧିକାଂଶ ଚାଷୀ ମଣ୍ଡିରେ ଗହମ ଓ ଧାନ ଏମଏସପିରେ ବିକ୍ରି କରି ଲାଭବାନ୍ ହେଉଥିଲେ।

ଭାରତ ସରକାରଙ୍କ ପକ୍ଷରୁ ଦରଦାମକୁ ନିୟନ୍ତ୍ରଣରେ ରଖିବା ତଥା ଜରୁରୀକାଳୀନ ଆବଶ୍ୟକତାର ପୂରଣ ପାଇଁ ସାଇତି ରଖା ଯାଉଥିବା ବଫର ଷ୍ଟକ ପାଇଁ ଏକ ନିୟମ ରଖାଯାଇଛି। ତଦନୁସାରେ ଦେଶରେ ୧୬୩.୫୦ ଲକ୍ଷ ମେଟ୍ରିକ ଟନ ଗହମ ଓ ୪୦୦ ଲକ୍ଷ ମେଟ୍ରିକ ଟନ ଚାଉଳ- ଏପରି ସମୁଦାୟ ୫୬୩.୫ ଲକ୍ଷ ମେଟ୍ରିକ ଟନ ଶସ୍ୟ ମହଜୁଦ ରହିବା ଆବଶ୍ୟକ। କିନ୍ତୁ ସେପ୍ଟେମ୍ୱର ୨୦୨୪ ଶେଷ ସୁଦ୍ଧା ମହଜୁଦ ଚାଉଳ ଓ ଗହମର ପରିମାଣ ଥିଲା ଯଥାକ୍ରମେ ୨୬୬ ଲକ୍ଷ ମେଟ୍ରିକ ଟନ ଓ ୬୫୦ ଲକ୍ଷ ମେଟ୍ରିକ ଟନ। ଏହା ନିର୍ଦ୍ଧାରିତ ପରିମାଣର ପ୍ରାୟ ଦୁଇ ଗୁଣ। ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟଶସ୍ୟଠାରୁ ଅଧିକ ପରିମାଣରେ ମହଜୁଦ ରହିଲେ ତାହାର ସୁପରିଚାଳନା ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ। କାରଣ ଉପଯୁକ୍ତ ଭଣ୍ଡାର ବା ଗୋଦାମ ଅଭାବରୁ ଅନେକ ସମୟରେ ଖାଦ୍ୟଶସ୍ୟକୁ ଖୋଲାମେଲାରେ ରଖାଯାଇ ଥାଏ। ଏଥିପାଇଁ ଅନେକ ଖାଦ୍ୟଶସ୍ୟ ମଧ୍ୟ ନଷ୍ଟ ହୁଏ। ବର୍ଦ୍ଧିତ ବଫର ଷ୍ଟକ ଯୋଗୁଁ ସରକାରଙ୍କୁ ଖାଦ୍ୟ ସବସିଡି ବାବଦରେ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଥିବାରୁ ଅର୍ଥନୀତିଜ୍ଞମାନେ ବଫର ଷ୍ଟକର ପରିମାଣ କମ କରିବା ପାଇଁ ମତପୋଷଣ କରନ୍ତି। ତଥାପି, ଭାରତ ସରକାରଙ୍କ ୨୦୨୫-୨୬ ବଜେଟରେ ଖାଦ୍ୟ ସବସିଡି ପରିମାଣ ୨.୦୩ ଲକ୍ଷ କୋଟି ଟଙ୍କାକୁ ବଢା ଯାଇଛି, ଯାହା ପୂର୍ବ ବର୍ଷ ଥିଲା ୧. ୯୭ ଲକ୍ଷ କୋଟି ଟଙ୍କା। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଚିହ୍ନଟ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବାରୁ ବଜେଟ୍ ବ୍ୟୟ ବଢିଛିI ସମସ୍ତ ଉତ୍ପାଦିତ ଖାଦ୍ୟଶସ୍ୟ ସରକାର କିଣିବା ସମ୍ଭବ ନୁହେଁ କିମ୍ବା ସମ୍ଭବ ହେଲେ ବି ଅନୁଚିତ ବୋଲି ଅର୍ଥନୀତିଜ୍ଞମାନେ ମତ ଦିଅନ୍ତି। ଏହି ପରିପ୍ରେକ୍ଷୀରେ, ସରକାରୀ ଭାବେ ହେଉ କି ଘରୋଇ ଭାବେ ସଂଗ୍ରହ ହେଉ, ଚାଷୀ କିପରି ନିର୍ଦ୍ଧାରିତ ଏମଏସପି ଅପେକ୍ଷା ଅଧିକ ମୂଲ୍ୟରେ କୃଷିଉତ୍ପାଦ ବିକ୍ରି କରି ପାରିବ, ତାହା ସୁନିଶ୍ଚିତ କରାଯିବା ନିଶ୍ଚୟ ଅତ୍ୟାବଶ୍ୟକ। ଚାଷୀ ଉପଯୁକ୍ତ ମୂଲ୍ୟ ନପାଇ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଲେ, ସେମାନେ ଚାଷରୁ ମୁହଁ ଫେରାଇ ନେବାର ଆଶଙ୍କା ରହିଛି।

ଅଲୋଚିତ ତିନିଟି ଆଇନରେ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ବିଷୟ ଉଲ୍ଲେଖ ହୋଇ ନଥିଲେ ବି ତାହା ପରୋକ୍ଷରେ ମଣ୍ଡି ବ୍ୟବସ୍ଥାର କ୍ଷତି ସାଧନ କରି ସମଗ୍ର କୃଷି ବଜାର ବ୍ୟବସ୍ଥାକୁ କର୍ପୋରେଟ ନିୟନ୍ତ୍ରଣକୁ ନେଇଯିବ ବୋଲି ଚାଷୀ ସଂଗଠନମାନେ ଆଶଙ୍କିତ ହୋଇଥିଲେ। ପୂର୍ବ ବ୍ୟବସ୍ଥା ଅନୁଯାୟୀ କ୍ରେତା ଚାଷୀର ଖାଦ୍ୟଶସ୍ୟ ମଣ୍ଡି ମାଧ୍ୟମରେ ହିଁ କିଣି ପାରୁଥିଲେ। କୃଷି ଆଇନ କାର୍ଯ୍ୟକାରୀ ହେଇଥିଲେ କ୍ରେତାମାନେ ସିଧାସଳଖ ଚାଷୀଠାରୁ ଫସଲ କିଣିବାକୁ ସମର୍ଥ ହୋଇ ଥାଆନ୍ତେ ଏବଂ ମଣ୍ଡି ଗୁଡ଼ିକ ଆଦାୟ କରୁଥିବା ଶୁଳ୍କ ଓ ପରିବହନ ଖର୍ଚ୍ଚରୁ ରକ୍ଷା ପାଇଥାଆନ୍ତେ। ଏଥିରେ ମଣ୍ଡି ବ୍ୟବସ୍ଥା ଭୁଷୁଡି ଯିବାର ଆଶଙ୍କା କରିଥିଲେ ଚାଷୀ ଓ କୃଷକ ନେତାମାନେ। ମଣ୍ଡି ବ୍ୟବସ୍ଥା ଓ ଏମଏସପି ଉପରେ ଅତ୍ୟଧିକ ନିର୍ଭରଶୀଳତା କାରଣରୁ ଚାଷୀମାନେ ନୂଆ ଆଇନକୁ ବିରୋଧ କଲେ। ମଣ୍ଡି ବ୍ୟବସ୍ଥା ଭୁଷୁଡି ଗଲେ ବିକଳ୍ପ ବ୍ୟବସ୍ଥା ଭାବେ ଖୋଲା ବଜାର ଏବଂ ଇ-ନାମ୍ ବ୍ୟବସ୍ଥା ଇତ୍ୟାଦିକୁ ଚାଷୀମାନେ ଗ୍ରହଣ କଲେନାହିଁ। ବରଂ ବ୍ୟବସାୟୀଙ୍କ ଶୋଷଣରୁ ମୁକ୍ତ ରହିବା ପାଇଁ ଏମଏସପିକୁ ଆଇନଗତ କରାଯିବା ଏବଂ ସଶକ୍ତ ମଣ୍ଡି ବ୍ୟବସ୍ଥା ଉପରେ ସେମାନେ ଅଡ଼ି ବସିଥିଲେ।

କୃଷକମାନଙ୍କ ଯୁକ୍ତି ଥିଲା ଯେ, ପ୍ରତିବର୍ଷ ଗତାନୁଗତିକ ଭାବେ ବିଭିନ୍ନ ଫସଲ ପାଇଁ କେବଳ ଏମଏସପି ଘୋଷଣା କରାଯିବା ଯଥେଷ୍ଟ ନୁହେଁ। ସରକାରୀ ଭାବେ ସଂଗ୍ରହ ନହେଲେ, ବେପାରୀ ସମସ୍ତ ପ୍ରକାର କୃଷି ଉତ୍ପାଦଗୁଡ଼ିକୁ ଚାଷୀ ଘର ପାଖରୁ କିଣିନେଲେ ବି ଚାଷୀର ମୂଲଚାଲ କ୍ଷମତା ରହେନାହିଁ। ସେମାନେ ଏମଏସପିଠାରୁ କମ ମୂଲ୍ୟରେ ବେପାରୀମାନଙ୍କୁ ବିକିବାକୁ ଏକପ୍ରକାର ବାଧ୍ୟ ହୁଅନ୍ତି। ଗାଉଁଲି କ୍ଷୁଦ୍ର ବେପାରୀ ପାଖରେ ଚାଷୀଟିଏ ତାର ମୂଲଚାଲ କ୍ଷମତାକୁ ସୁରକ୍ଷିତ ରଖିବାକୁ ଅସମର୍ଥ ହେଉଥିବା ବେଳେ ବଡ଼ ବଡ଼ କମ୍ପାନୀ ସିଧାସଳଖ ଚାଷୀଙ୍କଠାରୁ କିଣିବା ଆରମ୍ଭ କଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଉଚିତ ମୂଲ୍ୟ ପାଇବାକୁ କେତେ ଦୂର ସମର୍ଥ ହେବ, ତାହା ଆଶଙ୍କା ସୃଷ୍ଟି କରିଥିଲା। ଉଲ୍ଲେଖଯୋଗ୍ୟ ଯେ, ଆମ ଦେଶର ପ୍ରାୟ ୮୭ ପ୍ରତିଶତ ଚାଷୀ ହେଉଛନ୍ତି ଏହି କ୍ଷୁଦ୍ର ଓ ନାମମାତ୍ର ଚାଷୀବର୍ଗର। ଏଣୁ, କାଗଜ କଲମରେ ଏମଏସପି ତ ଘୋଷଣା ହେଉଥିବ, ହେଲେ ବେପାରୀମାନେ ଚାଷୀଙ୍କଠାରୁ ସେହି ମୂଲ୍ୟରେ କିଣୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରି ହେବନାହିଁ। ସେତେବେଳେ ସରକାର ଯୁକ୍ତି କରୁଥିଲେ ଯେ, ଏହି ବ୍ୟବସ୍ଥାରେ ଚାଷୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ପରିବର୍ତ୍ତେ ସର୍ବାଧିକ ମୂଲ୍ୟ ମିଳିବ। କାରଣ ବେପାରୀମାନେ ଚାଷୀଙ୍କ ନିକଟରୁ ଖାଦ୍ୟଶସ୍ୟ କ୍ରୟ କରିବାକୁ ଆଗେଇ ଆସିଲେ, ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢିବ; ଯାହା ଚାଷୀଙ୍କୁ ଲାଭାନ୍ୱିତ କରିବ।

ଆମ ରାଜ୍ୟରେ ସରକାରୀ ନିୟନ୍ତ୍ରିତ ମଣ୍ଡିମାନଙ୍କରେ ଚାଷୀମାନେ ଯେଉଁ ଅନୁଭୂତି ଅର୍ଜନ କରି ଆସୁଛନ୍ତି, ସେଥିରୁ ସେମାନେ ଯେ ନିୟନ୍ତ୍ରଣହୀନ ବେପାରୀ ଓ କମ୍ପାନୀମାନଙ୍କଠାରୁ ଖାଦ୍ୟଶସ୍ୟ ସଂଗ୍ରହ ବେଳେ ଅଧିକ ମୂଲ୍ୟ ପାଇବେ ତାହା ଆଶା କରିବା ତ ଦୂରର କଥା, ସରକାରଙ୍କ ଘୋଷିତ ଏମଏସପି ପାଇବେ ବୋଲି ବିଶ୍ୱାସ କରି ହେଉନାହିଁ। ସମସ୍ତେ ଜାଣିଥିଲେ ଯେ, ବିହାର ରାଜ୍ୟରେ ପ୍ରାୟ ୧୮ ବର୍ଷ ତଳୁ ମଣ୍ଡି ବ୍ୟବସ୍ଥାକୁ ଉଠାଇ ଦିଆ ଯାଇଛି। ସେଠାରେ ଚାଷୀମାନେ ବେପାରୀଙ୍କୁ ଧାନ ବିକ୍ରି କରି ଆସୁଛନ୍ତି ଓ ସେମାନଙ୍କୁ ଅନ୍ୟ ରାଜ୍ୟ ତୁଳନାରେ ଧାନ ମୂଲ୍ୟ କମ ମିଳୁଛି। ଚାଷୀଙ୍କୁ ଶୋଷଣର ଶିକାର ନହେବା ପାଇଁ ଏମଏସପିର ଏକ ସୁରକ୍ଷା ବଳୟ ପ୍ରଦାନ କରିବା ଓ ସଶକ୍ତ ମଣ୍ଡି ବ୍ୟବସ୍ଥା ପାଇଁ ଆଇନ ପ୍ରଣୟନ ହେବା ଆବଶ୍ୟକ ବୋଲି କୃଷକମାନେ ଦାବି କରିଥିଲେ। ସରକାରୀ ସଂସ୍ଥା ବା ଅନ୍ୟ କେହି ବେପାରୀ ଓ କମ୍ପାନୀ ଚାଷୀଙ୍କଠାରୁ ଏମଏସପିରୁ କମ ମୂଲ୍ୟରେ ଖାଦ୍ୟଶସ୍ୟ ସଂଗ୍ରହ କରିପାରିବେ ନାହିଁ ଓ ଏହା ଉଲ୍ଲଂଘନ କରିବା ଏକ ଧର୍ତ୍ତବ୍ୟ ଅପରାଧ ବିବେଚିତ ହେବାପାଇଁ ଦାବି ହେଲା। ଏହାକୁ ନ୍ୟାୟସଙ୍ଗତ ଦାବି ଭାବେ ଉପସ୍ଥାପନ କରି ଆଇନ ଅନ୍ତର୍ଭୁକ୍ତ କରିବା ଲାଗି ସେବେଠୁ ଆଜିଯାଏଁ ଚାଷୀ ସଙ୍ଗଠନମାନେ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଆସୁଛନ୍ତି।

ଏତେ ସବୁ ଆଲୋଚନା କରିବା ପରେ ମୂଳ ପ୍ରଶ୍ନକୁ ଫେରିବା। ଚାଷୀଙ୍କୁ କିଭଳି ସୁଖମୟ ସମୃଦ୍ଧ ଜୀବନ ଦେବା- ଏଥିପାଇଁ ଏମଏସପି ବୃଦ୍ଧି, ଆଇନ୍ ପ୍ରଣୟନ କରିବା ଇତ୍ୟାଦି ପଦକ୍ଷେପ କେବେହେଁ ସମାଧାନ ନୁହେଁ। ଆମ ଦେଶର ପ୍ରାୟ ୮୭ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବର୍ଗର ହୋଇଥିବାରୁ ସେମାନେ ପ୍ରତିବର୍ଷ ଉତ୍ପାଦନ କରୁଥିବା ଫସଲ ପାଇଁ ଯେତେ ଅଧିକ ମୂଲ୍ୟ ଦେଇ କିଣି ନେଲେ ବି ସମସ୍ୟା କମିବନି, ବଢ଼ିଯିବ। ଜଣେ କ୍ଷୁଦ୍ର କିମ୍ବା ନାମମାତ୍ର ଧାନ ଚାଷୀଙ୍କୁ ଯେତେ ଅର୍ଥ ଦିଆଗଲେ ବି ସେ ଅଧିକ ଅର୍ଥ ଖର୍ଚ୍ଚ କରି ବଜାରରୁ ପାରିବାପତ୍ର ଠାରୁ ତେଲ, ଲୁଣ, ଡାଲି, ସୁଜି ଓ ବିସ୍କୁଟ୍ ଇତ୍ୟାଦି କିଣିଲେ, କି ଲାଭ ପାଇବେ? ବରଂ ଖାଦ୍ୟ ମୁଦ୍ରାସ୍ଫୀତି ବଢ଼ିବା କାରଣରୁ ମଜୁରୀ, ଦରମା ସବୁ କିଛି ବଢିଯିବ ଏବଂ ଚାଷୀ ଯେଉଁ ଦୁଃଖ ଓ ଦାରିଦ୍ର୍ୟରେ ଥିଲେ, ତାହାଠୁ ଖରାପ ଅବସ୍ଥାକୁ ଆସିଯିବେ। ଏଣୁ ଏମଏସପି ବୃଦ୍ଧି କରାଯିବା ଅଦୂରଦର୍ଶୀ ପଦକ୍ଷେପ ହେବ। ନିଶ୍ଚୟ ପ୍ରଶ୍ନ ଉଠିବ ଯେ, ଚାଷୀ କ’ଣ ଆତ୍ମହତ୍ୟା କରୁଥିବ, କ୍ଷତି ସହି ଚାଷ କରି ଚାଲିଥିବ?

ଏ ଭଳି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମକୁ ପରବର୍ତ୍ତୀ ପ୍ରବନ୍ଧ ପ୍ରକାଶ ପାଇବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ଛୋଟିଆ ଅନୁରୋଧ ଯେ, ଓଡ଼ିଶା ରିପୋର୍ଟରରେ ପ୍ରକାଶ ପାଉଥିବା ସମସ୍ତ କୃଷି ଓ କୃଷକ ସମ୍ବନ୍ଧିତ ପ୍ରବନ୍ଧ ପଢ଼ିବେ ଓ ମତାମତ ଦେବେ।

ଫୋ- ୯୪୩୮୨୯୯୦୩୭

Farmer Suicide Farmer Farmer Protest New Farmer Bill Farmer's Income