/odisha-reporter/media/post_attachments/uploadimage/library/16_9/16_9_0/IMAGE_1695215643.jpg)
New Parliament
ନୂତନ ସଂସଦ ଭବନର ପ୍ରଥମ ଦିନରେ ‘ନାରୀ ଶକ୍ତି ବନ୍ଦନା ଅଧିନିୟମ’ ଅଧୀନରେ ୩୩%ମହିଳା ସଂରକ୍ଷଣ ବିଲ୍ ଆଗତ ହୋଇଛି। ଏହି ବିଲ୍ ସଂସଦର ଉଭୟ ଗୃହରେ ଅନୁମୋଦିତ ହେଲା ପରେ ଆଇନରେ ପରିଣତ ହେବ। ଏହା ନିଶ୍ଚିତ ଭାବରେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ।
୨୦୦୮ ଓ ୨୦୧୦ ମସିହାରେ ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ଦୁଇଥର ଏହି ବିଲ୍ ଆଗତ ହୋଇଥିଲେ ମଧ୍ୟ ଲୋକ ସଭାରେ ବହୁମତ ଅଭାବରୁ ଏହି ବିଲ୍ଟି ପାରିତ ହୋଇ ପାରି ନ ଥିଲା। ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରୁ ବିଜେପିର କାର୍ଯ୍ୟସୂଚୀରେ ମହିଳା ସଂରକ୍ଷଣ ବିଲ ଥିଲା ଏବଂ ୨୦୧୯ ମସିହାରେ ବିଜେପି ଇସ୍ତାହାରରେ ମଧ୍ୟ ମହିଳା ସଂରକ୍ଷଣ ପ୍ରସ୍ତାବ ରହିଥିଲା।
କହିବା ବାହୁଲ୍ୟ ଯେ ଦୀର୍ଘ ୨୭ ବର୍ଷ ମଧ୍ୟରେ ଚାରୋଟି ସରକାରଙ୍କ ଅମଳରେ ବାରମ୍ୱାର ଏହି ବିଲ୍ ଆଗତ ହୋଇଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ନେତୃତ୍ଵଙ୍କ ଇଚ୍ଛାଶକ୍ତିର ଅଭାବ ଓ ଉଦ୍ଦେଶ୍ୟମୂଳକ ଅସହଯୋଗରୁ ଏହା ଆଇନରେ ପରିଣତ ହୋଇ ପାରିନାହିଁ।
ବାସ୍ତବରେ ଏହାର କାରଣ କ’ଣ ହେଇପାରେ?
ପୁରୁଷକୈନ୍ଦ୍ରିକ ମାନସିକତା ନା ମହିଳାଙ୍କ ମଧ୍ୟରେ ରାଜନୈତିକ ଦକ୍ଷତାର ଅଭାବ ଅବା ରାଜନୀତିରେ ମହିଳାଙ୍କ ପାଇଁ ଅନୁକୂଳ ଭିତ୍ତିଭୂମିର ଅଭାବ? ୨୦୧୯ ଗଣନା ଅନୁଯାୟୀ ଆମ ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୪ କୋଟି ହୋଇଥିବା ବେଳେ ରାଜନୀତି କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ ନୈରାଶ୍ୟଜନକ ଅଟେ। ଏହି ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେଲେ ଆମ ଲୋକ ସଭାରେ ମହିଳା ସାଂସଦଙ୍କ ସଂଖ୍ୟା ୮୨ରୁ ୧୮୧କୁ ବୃଦ୍ଧି ପାଇବ ଏବଂ ଆମ ରାଜ୍ୟ ବିଧାନସଭାରେ ମହିଳା ବିଧାୟିକାଙ୍କ ସଂଖ୍ୟା ୧୫ (୧୦%)ରୁ ୪୯କୁ ବୃଦ୍ଧି ହେବ।
ତ୍ରି-ସ୍ତରୀୟ ପଞ୍ଚାୟତିରାଜ କ୍ଷେତ୍ରରେ ଆମ ରାଜ୍ୟ ଓଡ଼ିଶାରେ ଏହି ୩୩% ସଂରକ୍ଷଣ ବ୍ୟବସ୍ଥା ସ୍ୱର୍ଗତ ବିଜୁ ପଟ୍ଟନାୟକ ୧୯୯୨ ମସିହାରେ ଲାଗୁ କରିଥିଲେ ଏବଂ ୨୦୦୪ରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଏହା ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା।
ମହିଳା ସଂରକ୍ଷଣ ବିଲ୍କୁ ଆଇନ କରିବା ଦ୍ୱାରା ମହିଳାମାନଙ୍କୁ ବହୁମାତ୍ରାରେ ନିଷ୍ପତ୍ତି ନେବାର ଅଧିକାର ପ୍ରକ୍ରିୟାରେ ସାମିଲ୍ କରିବା।
ଏହା କେବଳ ଲିଙ୍ଗଗତ ସମାନତାର ନିଦର୍ଶନ ହେବ ନାହଁ ବରଂ ଏହା ଦ୍ୱାରା ବିଭିନ୍ନ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସ୍ତରର ମହିଳାଙ୍କୁ ଦେଶ ଗଠନ ପ୍ରକ୍ରିୟାରେ ବ୍ୟାପକ ଭାବେ ସାମିଲ୍ ହେବ ପାଇଁ ସୁଦୂରପ୍ରସାରୀ କ୍ଷେତ୍ର ପ୍ରସ୍ତୁତ କରିବI
ଏହାର ମୂଳ ଲକ୍ଷ୍ୟକୁ ଫଳପ୍ରଦ କରିବାକୁ ହେଲେ କେତେଗୁଡ଼ିଏ ସମାନ୍ତରାଳ ପଦକ୍ଷେପ ନେବା ମଧ୍ୟ ଉଚିତ୍ ହେବ, ଯେପରି କି-
୧. ମନ୍ତ୍ରୀ ମଣ୍ଡଳରେ ସମାନୁପାତିକ ପ୍ରତିନିଧିତ୍ୱ ଏବଂ ସରକାରୀ ଆୟୋଗ ଓ ଉଦ୍ୟୋଗ ଗୁଡ଼ିକର ସର୍ବୋଚ୍ଚ ପଦ ପଦବୀ ମାନଙ୍କରେ ଅନ୍ୟୁନ ଏକ ତୃତୀୟାଂଶ ମହିଳାଙ୍କୁ ନିଯୁକ୍ତି ଦେବା।
୨. ପ୍ରାର୍ଥୀ ଚୟନ ବେଳେ ପରିବାରବାଦକୁ ପ୍ରୋତ୍ସାହିତ ନ କରି ଉପଯୁକ୍ତ ଗୁଣବତ୍ତାର ପ୍ରାର୍ଥୀ ଚୟନ କରିବା।
୩. ବିଭିନ୍ନ କ୍ଷେତ୍ରରେ ସ୍ଵୀକୃତି ଲାଭ କରି ଥିବା ମହିଳାମାନଙ୍କୁ ରାଜନୀତି କ୍ଷେତ୍ରରେ ସୁଯୋଗ ଦେବା।
୪. ମହିଳାମାନଙ୍କ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା।
୫. ବିଶେଷ କରି ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ମହିଳା ନେତୃତ୍ୱଙ୍କୁ ବିଧାନସଭା ଓ ଲୋକସଭା ଆସନମାନଙ୍କରେ ସୁଯୋଗ ଦେଲେ ଏହି ଆଇନର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଫଳବତୀ ପଦକ୍ଷେପ ହେବ।
୬. ଏହି ଆଇନକୁ କାର୍ଯ୍ୟକାରୀ କଲାବେଳେ ବିଶେଷ କରି ଧ୍ୟାନ ଦେବାକୁ ପଡ଼ିବ ଯେ ଯେଉଁ ଆସନ ଗୁଡ଼ିକ ମହିଳାମାନଙ୍କ ପାଇଁ ସଂରକ୍ଷିତ ହେବ ସେହି ଅଞ୍ଚଳରେ ପୂର୍ବରୁ ପ୍ରତିଷ୍ଠିତ ଥିବା ପୁରୁଷ ରାଜନେତାମାନେ ସେମାନଙ୍କ ପରିବାରର ମହିଳାମାନଙ୍କୁ ଛିଡ଼ା କରେଇ ତାଙ୍କ ପ୍ରଭୂତ୍ଵକୁ ଅବ୍ୟାହତ କରିବାକୁ ଯେପରି ଚେଷ୍ଟା ନ କରିବେ। ସେହିପରି ଏକ ସ୍ଥିତି ନିଶ୍ଚିତ ଭାବରେ ଏହି ଯୁଗାନ୍ତକାରୀ ନିଷ୍ପତ୍ତିର ମୂଳଲକ୍ଷ୍ୟକୁ ନିଷ୍କ୍ରିୟ କରିଦେବ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉପସ୍ଥାପିତ ଏହିପରି ଏକ ଐତିହାସିକ ପଦକ୍ଷେପ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇ ପାରିଲେ ‘ନାରୀ ଶକ୍ତି ବନ୍ଦନା’ ନାମଟି ସାର୍ଥକ ହୋଇପାରିବ ଏଥିରେ ସନ୍ଦେହ ନାହିଁ।
ସର୍ବୋପରି ନୂତନ ଭାବେ ପ୍ରତିଷ୍ଠିତ ସଂସଦ ଭବନରେ ଲୋକ ସଭାରେ ୮୮୮ ଟି ଓ ରାଜ୍ୟ ସଭାରେ ୩୮୪ ଟି ସିଟର ବ୍ୟବସ୍ଥା ଭବିଷ୍ୟତରେ ଆହୁରି ଅଧିକ ସଂଖ୍ୟାରେ ମହିଳା ପ୍ରତିନିଧିତ୍ୱର ସୂଚନା ଦେଉଛି।
ଡ଼ଃ ରୀନା ରାଉତରାୟ, ସମାଜବିଜ୍ଞାନୀ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
