ନବୀନ ପଟ୍ଟନାୟଙ୍କ ଅସହାୟତା

ଏହି ପ୍ରକ୍ରିୟାକୁ ନବୀନ ରୋକି ପାରିବେ ବୋଲି ବିଶ୍ୱାସ ହେଉନାହିଁ। ବରଂ ଏହାର ପ୍ରଭାବ ଧୀରେ ଧୀରେ ଜିଲା ପରିଷଦ, ପଂଚାୟତ ସମିତି ଓ ମ୍ୟୁନିସିପାଲିଟି ଉପରେ ପଡ଼ିବାର ଆଶଙ୍କା ରହିଛି। କାରଣ ନୀତି ଆଦର୍ଶହୀନ ଏକ କ୍ଷମତା ଆଧାରିତ ଦଳକୁ ନୀତି ଆଦର୍ଶହୀନ ନେତୃତ୍ୱ ଏକଜୁଟ ରଖିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ସବୁଠାରୁ ବଡ଼କଥା ହେଉଛି ଯେ, ଯେଉଁ ବ୍ୟକ୍ତି ଓ ଗୋଷ୍ଠୀ ବିଜୁ ଜନତା ଦଳର ପରାଜୟ ମୁଖ୍ୟ କାରଣ ହେଲେ ସେମାନେ ଏବେ ମଧ୍ୟ ନବୀନଙ୍କ ଅତି ନିକଟରେ ରହି କାର୍ଯ୍ୟ କରୁଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସାହସ ତାଙ୍କ ପାଖରେ ନାହିଁ।

Naveen Patnaik

  • Published: Friday, 02 August 2024
  • , Updated: 02 August 2024, 06:22 PM IST

ରବି ଦାସ

ମାତ୍ର କିଛିମାସ ତଳେ ଓଡ଼ିଶାରେ ଏବଂ ଦେଶରେ ଅଧିକାଂଶ ରାଜନୈତିକ ପର୍ଯ୍ୟବେକ୍ଷକ ଓ ବିଶ୍ଳେଷକ ମତ ଦେଉଥିଲେ ଯେ, ନବୀନ ପଟ୍ଟନାୟକ ରାଜନୀତିରେ ଜଣେ ଚାଣକ୍ୟ। ଯେପରି ଭାବରେ ଓଡ଼ିଶାରେ ୧୯୯୭ ମସିହାରେ ଜନତା ଦଳର ବିଭାଜନ କରାଇ ବିଜୁ ଜନତା ଦଳ ଗଠନ କରି ସେ ତା’ର ନେତୃତ୍ୱ ନେଇଥିଲେ ଓ ସେହି ଦିନଠାରୁ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ସାଧାରଣ ନିର୍ବାଚନ, ପଂଚାୟତ ନିର୍ବାଚନ, ଉପ ନିର୍ବାଚନ ଓ ସବୁ କ୍ଷେତ୍ରରେ କ୍ରମାଗତ ଭାବରେ ନିଜର ପ୍ରାଧାନ୍ୟ ପ୍ରତିଷ୍ଠା କରିଆସୁଥିଲେ ସେଥିରେ ତାଙ୍କୁ ସହଜରେ ଚାଣକ୍ୟ ବୋଲି କୁହାଯାଉଥିଲା।

ବାସ୍ତବରେ ଦେଖିବାକୁ ଗଲେ ଯେତେବେଳେ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଜନତା ଦଳ ବିଭାଜିତ ହୋଇ ବିଜୁ ଜନତା ଦଳ ଗଠିତ ହୋଇଥିଲା ଓ ସେହି ଦଳ କେନ୍ଦ୍ରରେ ତତ୍କାଳୀନ ବିଜେପିର ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱ ସହିତ ଯୋଡ଼ି ହୋଇଯାଇଥିଲା ସେଥିରେ ଓଡ଼ିଶାରେ ବିଜୁ ଜନତା ଦଳର ସଫଳତା ପଛରେ ଉଭୟ ବିଜୁ ପଟ୍ଟନାୟକଙ୍କ ପ୍ରତି ଥିବା ପ୍ରଚଣ୍ଡ ସହାନୁଭୂତି ସହିତ ବାଜପେୟୀଙ୍କ ନେତୃତ୍ୱର ଆକର୍ଷଣୀୟତା କାମ କରିଥିଲା। ସେଥିପାଇଁ ଜନତା ଦଳ ବସ୍ତୁତଃ ଏକ ବିଜେପି ବିରୋଧୀ ଶକ୍ତି ଭାବରେ ବିଚାର କରାଯାଉଥିଲେ ମଧ୍ୟ ବିଜୁ ପଟ୍ଟନାୟକ କଂଗ୍ରେସ ବିରୋଧୀ ଶକ୍ତି ଭାବରେ ଓଡ଼ିଶାରେ ଯେପରି ଜନତା ଦଳକୁ ଗଢ଼ିଥିଲେ ତାଙ୍କ ଅବର୍ତ୍ତମାନରେ ବିଜେପି ସହିତ ମେଂଟ କରିବା ପାଇଁ ତାଙ୍କର କେତେକ ଘନିଷ୍ଠ ଅନୁଗତ ପ୍ରେରଣା ଦେବାରୁ ବିଜୁ ଜନତା ଦଳ ଗଠନ କରିବା ସହଜ ହୋଇଥିଲା।

ରାଜ୍ୟରେ ଥିବା ଜନତା ଦଳର ବିଜୁଙ୍କ ସମୟରେ ଦ୍ୱିତୀୟ ପାହ୍ୟାର ନେତା ଭାବେ ପରିଚିତ ଥିବା ନେତୃମଣ୍ଡଳୀ ଭିତରେ ଜଣେ କେହି ଦଳର ନେତୃତ୍ୱ ନେବା ପାଇଁ ସହମତି ପ୍ରକାଶ ନ ପାଇବା ଫଳରେ ନବୀନ ପଟ୍ଟନାୟକଙ୍କୁ ସେମାନେ ସଦହଜରେ ନେତା ଭାବରେ ଗ୍ରହଣ କରିନେଇଥିଲେ। ବିଜୁ ଜନତା ଦଳ ଗଠିତ ହେଲା ଦିନଠାରୁ ପ୍ରତ୍ୟେକଟି ନିର୍ବାଚନରେ ଏହାର ଜୟଯାତ୍ରା ନବୀନଙ୍କୁ ଏପରି ଏକ ସ୍ଥାନରେ ପହଁଚାଇଦେଲା ଯେଉଁଥିରେ ରାଜ୍ୟର ଜନସାଧାରଣ ତାଙ୍କର ଅତୀତ ଓ ବର୍ତମାନର କାର୍ଯ୍ୟକଳାପକୁ ବିଶ୍ଳେଷଣ କରିବା ପାଇଁ ସମୟ ପାଇଲେ ନାହିଁ। ବିଜୁ ପଟ୍ଟନାୟକଙ୍କ ଅନୁଗତ ଓ ରାଜ୍ୟବ୍ୟାପୀ ସଂଗଠନ ଉପରେ ତଥାପି ନିର୍ଭର କରିଆସିଥିବା ନବୀନ ପଟ୍ଟନାୟକଙ୍କୁ ରାଜନୈତିକ ଦୃଷ୍ଟିରୁ ଯେଉଁମାନେ ପ୍ରଶ୍ନ ପଚାରିପାରିବାର ଶକ୍ତି ଥିଲା ଅର୍ଥାତ ଯେଉଁମାନେ ବିଜୁ ବାବୁଙ୍କ ସହିତ ଏକାଠି କାମ କରିବାର ସୁବିଧା ପାଇ ନେତୃତ୍ୱ ହାସଲ କରିଥିଲେ ସେମାନଙ୍କୁ ଧୀରେ ଧୀରେ କ୍ଷମତା ଜରିଆରେ ନ୍ୟୁନ କରିଦିଆଗଲା ବା ଦଳରୁ ବିଦା କରିଦିଆଗଲା। ତାହା ସତ୍ତ୍ୱେ କ୍ରମାଗତ ଭାବରେ ତାଙ୍କର ନିର୍ବାଚନ ବିଜୟରେ କେତେବେଳେ ପ୍ୟାରୀମୋହନ ମହାପାତ୍ର ଓ ଆଉ କେତେବେଳେ ଅନ୍ୟ କେହି ସାହାଯ୍ୟ କଲେ ମଧ୍ୟ ସମସ୍ତ ବିଜୟର ଶ୍ରେୟ ନବୀନ ପଟ୍ଟନାୟକଙ୍କୁ ଯାଉଥିଲା।

ସବୁଠାରୁ ବଡ଼କଥା ଯେ, ଆର୍ଥିକ ଦୃଷ୍ଟିରୁ ସର୍ବାଧିକ ଦାରିଦ୍ର୍ୟ ଶ୍ରେଣୀର ଲୋକ ଥିବା ତଥା ସାରା ଦେଶରେ ଏକ ପଛୁଆ ରାଜ୍ୟ ଭାବରେ ପରିଗଣିତ ଓଡ଼ିଶାରେ ଖଣିଜ ପଦାର୍ଥ ଯୋଗୁଁ ଓ ବିଶେଷ ଭାବରେ ଲୁହାପଥର, ମାଙ୍ଗାନିଜ ପ୍ରଭୃତିର ଚାହିଦା ଦେଶ ଭିତରେ ଓ ବିଦେଶରେ ବଢ଼ିବା ଫଳରେ ରାଜ୍ୟର ଆୟ ବୃଦ୍ଧି ପାଇଲା। ବାସ୍ତବିକ ଏହି ଆୟ ବୃଦ୍ଧି ଯୋଗୁ ଓଡ଼ିଶା ରାଜସ୍ୱରେ ବଳକା ରାଜ୍ୟରେ ପରିଣତ ହେଲା ଓ ଜନସାଧାରଣଙ୍କୁ ସରକାରୀ ପିଡିଏସ ଚାଉଳକୁ ଆଣି ୨ ଟଙ୍କାରେ ଗରିବ ଲୋକମାନଙ୍କୁ ଦେବାର ସୁଯୋଗ ପାଇ ନବୀନ ପଟ୍ଟନାୟକ ନିଜ ଲୋକପ୍ରିୟତାକୁ ଚରମ ସୋପାନରେ ପହଁଚାଇଥିଲେ। ଯେଉଁ ରାଜ୍ୟରେ ମାତ୍ର ବାର୍ଷିକ ୧୧ ହଜାର କୋଟି ଟଙ୍କାର ବଜେଟ୍ ସେ ଆସିବା ସମୟରେ ଥିଲା ତାହା ବଢ଼ି ବଢ଼ି ପ୍ରଚୁର ଖଣି ରାଜସ୍ୱ ଓ ଅବକାରୀ ରାଜସ୍ୱ ଯୋଗୁ ୨ ଲକ୍ଷ କୋଟି ଟଙ୍କାକୁ ବଢ଼ିଗଲା। କିନ୍ତୁ ନିର୍ବାଚନ ବିଜୟ ପାଇଁ ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରୁଥିଲେ ସେମାନେ ଭୁଲିଗଲେ ଯେ, ବିଜୁ ଜନତା ଦଳ ରାଜନୈତିକ ଆଦର୍ଶ, ନୀତିକୁ ଛାଡ଼ି ନବୀନବାବୁ ଏକ କ୍ଷମତା ଆଧାରିତ ବ୍ୟବସ୍ଥା ଉପରେ ନିଜର ସଂପ୍ରସାରଣ ଘଟାଇଛନ୍ତି।

ଯେହେତୁ ରାଜ୍ୟର ସରକାର ଅତି ମାତ୍ରାରେ ଏହି ଖଣିଜ ଶିଳ୍ପ ଯୋଗୁ ବହୁପ୍ରକାର ଅନୈତିକତା ଓ ଅସାଧୁତାକୁ ପ୍ରଶ୍ରୟ ଦେଇ ଦଳୀୟ ପାଣ୍ଠି ଓ କ୍ଷମତାସୀନ ବ୍ୟକ୍ତିମାନଙ୍କର ସମ୍ପତି ବଢ଼ାଇବାରେ ସହାୟକ ହୋଇଥିଲେ ସେହେତୁ କେନ୍ଦ୍ରରେ ମୋଦି ସରକାରଙ୍କ ପ୍ରତିଷ୍ଠା ପରେ ସିଧାସଳଖ ଭାବରେ ଏହାକୁ ନୀତିଗତ ବ୍ୟାପାରରେ ବିରୋଧ କରିବାକୁ ନବୀନ ପଟ୍ଟନାୟକ ଭୟଭୀତ ହେଲେ। ତେଣୁ ବିଜେପି ସରକାରର ସମସ୍ତ ଜାତୀୟ ସ୍ତରର ନିଷ୍ପତି ଓ ବିଧେୟକକୁ ସେ ସମର୍ଥନ କଲେ। ଏହିପରି ଆଚରଣ ଦ୍ୱାରା ସେ ଭାବି ନେଇଥିଲେ ଯେ, କେନ୍ଦ୍ରରେ ଥିବା ସରକାର ବିରୋଧରେ ଭ୍ରଷ୍ଟାଚାର ମାମଲାରେ ଯେପରି ଅନ୍ୟ ଅଣବିଜେପି ସରକାର ବିରୋଧରେ ଅଭିଯାନ ଚଳାଇଛନ୍ତି ତାହା ଓଡ଼ିଶାରେ ହେବ ନାହିଁ। ବାସ୍ତବିକ ଏହି କୌଶଳ ତାଙ୍କର ସଫଳ ହୋଇଥିଲା। ହେଲେ ସେ ଭୁଲିଗଲେ ଯେ, ୨୦୧୯ ନିର୍ବାଚନରେ ବିଜେଡି ପୁନର୍ବାର ବିପୁଳ ସଂଖ୍ୟାରେ ବିଧାନସଭାରେ ବିଜୟୀ ହୋଇଥିଲେ ମଧ୍ୟ ବିଜେପି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଭାବରେ ସ୍ଥାପିତ ହୋଇଛି। ଯେଉଁ ଦଳ କେନ୍ଦ୍ରରେ କ୍ଷମତାରେ ଅଛି ଓ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଭୂମିକାକୁ ଆସିଯାଇଛି ସେହି ଦଳ ସହିତ ବନ୍ଧୁତା ରଖି ଦଳ ବା ସରକାରକୁ ନବୀନ ରାଜ୍ୟରେ କ୍ଷମତା ଜାହିର କରିବାର ଯେଉଁ କୌଶଳ କରିଥିଲେ ତାହାକୁ ବିଜେପି ଭଲ ଭାବରେ ବୁଝିପାରିଥିଲା।

ତେଣୁ ନିର୍ବାଚନ ପର୍ଯ୍ୟନ୍ତ ନବୀନଙ୍କ ସହିତ ବନ୍ଧୁତାକୁ ସମ୍ମାନ ଦେବା ସହିତ ମେଂଟ କଥାବାର୍ତ୍ତା ମଧ୍ୟ ଚାଲିଲା। କିନ୍ତୁ ବିଜେପି ନେତୃତ୍ୱ ଭଲ ଭାବରେ ଜାଣିଥିଲେ ଯେ, ଓଡ଼ିଶାରେ ଯେପରି ଭାବରେ ଶାସନ କାର୍ଯ୍ୟ ଓ ରାଜନୀତି ଚାଲିଛି ସେଥିରେ ମାତ୍ର ମୁଷ୍ଟିମେୟ କେତେ ଜଣ ଅଫିସର ସବୁ କ୍ଷମତାର ଅଧିକାରୀ ହୋଇଛନ୍ତି। ନବୀନ ପଟ୍ଟନାୟକ କ୍ଷମତାରେ ଅନ୍ଧ ହୋଇ ଏହି ଅଫିସରମାନଙ୍କ ଉପରେ ନିର୍ଭର କରି ଯେପରି ଭାବରେ ରାଜ୍ୟର ଶାସନ ଚଳାଇଥିଲେ ଓ ଯେପରି ରାଜନୀତି କରୁଥିଲେ ସେଥିରେ ସାଧାରଣ ଲୋକ ଏପରିକି ଏକଦା ବିଜୁ ପଟ୍ଟନାୟକଙ୍କ ସମର୍ଥକ ଭାବରେ ପରିଚିତ ଶ୍ରେଣୀଗୁଡ଼ିକ ଅତିଷ୍ଠ ହୋଇଯାଇଥିଲେ। ରାଜ୍ୟରେ କଂଗ୍ରେସର ଦୟନୀୟ ସ୍ଥିତି ଯୋଗୁ ବିଜେପି ଏକ ଶକ୍ତିଶାଳୀ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପାଇଁ ଯେଉଁମାନେ ଚାହୁଁଥିଲେ ସେମାନେ ଥରେ ବିଜେପି ସେହି ଭୂମିକାକୁ ଆସିବା ପରେ ମତ ବଦଳାଇ ନବୀନଙ୍କୁ କ୍ଷମତାଚ୍ୟୁତ କରିଦେଲେ।

ଏତେବର୍ଷର ରାଜନୈତିକ ଅଭିଜ୍ଞତାରେ ପ୍ରକୃତ ବିରୋଧୀ ଦଳ ଭୂମିକାରେ କେବେ ରହିନଥିବା ନବୀନ ପଟ୍ଟନାୟକ ଏବେ ବିରୋଧୀ ଦଳର ନେତା ହୋଇଛନ୍ତି। ବିଜେଡି କ୍ଷମତାଚ୍ୟୁତ ହୋଇଥିଲେ ମଧ୍ୟ ରାଜ୍ୟରେ ୩୦ଟି ଜିଲା ପରିଷଦ, ଅଧିକାଂଶ ପୌର ପରିଷଦ, ଅଧିକାଂଶ ପଂଚାୟତ ସମିତି ଓ ୩ଟି ଯାକ ମହାନଗର ନିଗମ ବିଜେଡି ହାତରେ ଅଛି। ବିଧାନସଭା ଚିତ୍ରକୁ ଦେଖିଲେ ବିଜୁ ଜନତା ଦଳ ବାସ୍ତବରେ ଏକ ଅତି ଶକ୍ତିଶାଳୀ ବିରୋଧୀ ଦଳ। କିନ୍ତୁ ଗତ ୨୪ ବର୍ଷ ହେଲା କ୍ଷମତାରେ ରହି ରାଜନୀତି କରିଥିବା ନବୀନ ପଟ୍ଟନାୟକ କ୍ଷମତାଶୂନ୍ୟ ଭାବରେ ନିଜ ଦଳକୁ କେତେଦୂର ଏକଜୁଟ କରି ରଖିପାରିବେ ଓ ଦଳ ପାଇଁ ବର୍ତ୍ତମାନ ପରିସ୍ଥିତିରେ ରାଜନୈତିକ ଓ ସାମାଜିକ ମାର୍ଗ କ’ଣ କରାଯିବା ଉଚିତ ତାହା ସ୍ଥିର କରିପାରିବେ ସେ ନେଇ ଘୋର ସନ୍ଦେହ ରହିଛି। କାରଣ ଏପରି ଏକ ରାଜନୀତିରେ ସେ କେବେ ସମ୍ମୁଖୀନ ହୋଇନାହାନ୍ତି।

ସେଥିପାଇଁ ଲୋକସଭାରେ ପ୍ରଥମ ଥର ପାଇଁ ବିଜେଡିର କୌଣସି ସଦସ୍ୟ ନ ଥିବା ବେଳେ ରାଜ୍ୟସଭାରେ ଥିବା ୯ ଜଣ ସଦସ୍ୟଙ୍କୁ ଏକଜୁଟ ରଖି ଏକ ଜାତୀୟ ଭୂମିକା ନେବା ପାଇଁ ଖୋଦ ନବୀନ ପଟ୍ଟନାୟକ ସଂସଦୀୟ ଦଳର ଅଧ୍ୟକ୍ଷ ଭାବରେ ନିଜକୁ ମନୋନୀତ କରିଥିଲେ। ତାହା ସତ୍ତ୍ୱେ ତାଙ୍କର ଜଣେ ରାଜ୍ୟସଭା ସାଂସଦ ମମତା ମହନ୍ତ ଅଧିବେଶନ ଚାଲିଥିବା ସମୟରେ ରାଜ୍ୟସଭାରୁ ଓ ଦଳରୁ ଇସ୍ତଫା ଦେଲେ ଓ ପରଦିନ ବିଜେପିରେ ଯୋଗଦେଲେ। ମମତା ଭଲ ଭାବରେ ଜାଣନ୍ତି ଯେ, ସେ ଛାଡ଼ୁଥିବା ଆସନରେ ବିଜେପିର ଜଣେ ପ୍ରାର୍ଥୀ ଉପନିର୍ବାଚନରେ ରାଜ୍ୟସଭାକୁ ଆସିବେ।

ଅସଲ ପ୍ରଶ୍ନ ହେଉଛି ମମତା ମହନ୍ତ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି ଓ ଦଳ ତ୍ୟାଗ କରିବେ ବୋଲି ବିଜେଡି ରାଜ୍ୟସଭାର ନେତା ଓ ଅନ୍ୟ ସଦସ୍ୟମାନଙ୍କ ସହିତ ନବୀନ ପଟ୍ଟନାୟକ କିପରି ଆଗୁଆ ସୂଚନା ପାଇଲେ ନାହିଁ। ମମତା ମହନ୍ତଙ୍କ ଇସ୍ତଫା ପରେ ଦଳର ଅନ୍ୟ ରାଜ୍ୟସଭା ସଦସ୍ୟଙ୍କ ପାଇଁ ମଧ୍ୟ ଏକ ଥୋପ ସୃଷ୍ଟି କରାଯାଇଛି। ଯଦି ସେମାନଙ୍କୁ ବିଜେପି ପୁନର୍ବାର ରାଜ୍ୟସଭାକୁ ମନୋନୀତ କରେ ସେମାନେ ଚାହିଁଲେ ଜଣ ଜଣ କରି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବାରେ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ। କାରଣ ବିଧାନସଭା ସ୍ଥିତି ଦୃଷ୍ଟିରୁ ରାଜ୍ୟସଭାର ଯେତେ ଉପନିର୍ବାଚନ ହେବ ସେଥିରେ ବିଜେପି ପ୍ରାର୍ଥୀ ନିର୍ବାଚିତ ହେବେ। ଜଣେ ଲୋକସଭା କିମ୍ବା ବିଧାନସଭା ସଦସ୍ୟ ଇସ୍ତଫା ଦେଲେ ତାହାକୁ ଉପନିର୍ବାଚନ ଜରିଆରେ ଲୋକମାନଙ୍କ ପାଖକୁ ଯିବାକୁ ପଡ଼ିବ। କିନ୍ତୁ ରାଜ୍ୟସଭା ସଦସ୍ୟ ଇସ୍ତଫା ଦେଲେ କେବଳ ବିଧାନସଭା ସଦସ୍ୟମାନେ ଭୋଟ ଦେଉଥିବାରୁ ଓ ସେଠାରେ ବିଜେପିର ସଂଖ୍ୟା ଗରିଷ୍ଠତା ଥିବାରୁ ସେହି ଦଳର ପ୍ରାର୍ଥୀ ସହଜରେ ଉପନିର୍ବାଚନ ଜିତିବେ।

ଏହି ପ୍ରକ୍ରିୟାକୁ ନବୀନ ରୋକି ପାରିବେ ବୋଲି ବିଶ୍ୱାସ ହେଉନାହିଁ। ବରଂ ଏହାର ପ୍ରଭାବ ଧୀରେ ଧୀରେ ଜିଲା ପରିଷଦ, ପଂଚାୟତ ସମିତି ଓ ମ୍ୟୁନିସିପାଲିଟି ଉପରେ ପଡ଼ିବାର ଆଶଙ୍କା ରହିଛି। କାରଣ ନୀତି ଆଦର୍ଶହୀନ ଏକ କ୍ଷମତା ଆଧାରିତ ଦଳକୁ ନୀତି ଆଦର୍ଶହୀନ ନେତୃତ୍ୱ ଏକଜୁଟ ରଖିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ସବୁଠାରୁ ବଡ଼କଥା ହେଉଛି ଯେ, ଯେଉଁ ବ୍ୟକ୍ତି ଓ ଗୋଷ୍ଠୀ ବିଜୁ ଜନତା ଦଳର ପରାଜୟ ମୁଖ୍ୟ କାରଣ ହେଲେ ସେମାନେ ଏବେ ମଧ୍ୟ ନବୀନଙ୍କ ଅତି ନିକଟରେ ରହି କାର୍ଯ୍ୟ କରୁଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସାହସ ତାଙ୍କ ପାଖରେ ନାହିଁ। ବରଂ ସେହି ବ୍ୟକ୍ତି ଅର୍ଥାତ୍ ପାଣ୍ଡିଆନ ଗୋଷ୍ଠୀଙ୍କୁ ରକ୍ଷା କରିବା ପାଇଁ ଖୋଦ ନବୀନ ପଟ୍ଟନାୟକ ପଦାକୁ ଆସି ଯେପରି ବୟାନ ଦେଉଛନ୍ତି ସେଥିରୁ ସ୍ପଷ୍ଟ ହୋଇଯାଇଛି ଯେ, ବିଜୁ ଜନତା ଦଳକୁ ଆଦର୍ଶ ଭିତ୍ତିରେ ରକ୍ଷା କରିବା ପାଇଁ ତାଙ୍କ ନିକଟରେ କୌଣସି ସୂତ୍ର ବା କାର୍ଯ୍ୟକ୍ରମ ନାହିଁ। ନବୀନଙ୍କ ଏହି ଅସହାୟତା ଦଳର ସମର୍ଥକମାନଙ୍କୁ ନିଶ୍ଚିତ ଚିନ୍ତିତ କରିବ।

ବରିଷ୍ଠ ସାମ୍ବାଦିକ, ମୋ- ୯୪୩୭୪୦୪୪୫୫

Related story