ଜାନକୀଶ ବଡ଼ପଣ୍ଡା
ମୋହନ ମାଝୀଙ୍କ ନେତୃତ୍ୱରେ ପରିଚାଳିତ ସରକାର ନବୀନ ପଟ୍ଟନାୟକ ସରକାର ଅପେକ୍ଷା ନିଜକୁ ଭଲ ପ୍ରମାଣ କରିବାକୁ କୌଣସି ବି ଦିଗକୁ ଅଣଦେଖା କରୁନାହାନ୍ତି। ଶ୍ରୀମନ୍ଦିର ଚାରି ଦ୍ୱାର ଦେଇ ଜନସାଧାରଣଙ୍କ ପ୍ରବେଶ ଓ ପ୍ରସ୍ଥାନ, ରତ୍ନ ଭଣ୍ଡାର ଖୋଲିବା ଠାରୁ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଦେଇ ଏବେ କୁଇଣ୍ଟାଲ୍ ପିଛା ୩,୧୦୦ ଟଙ୍କାରେ ଧାନ କିଣିବା ଯାଏଁ କାର୍ଯ୍ୟକ୍ରମ ଚାଲିଛି। ସୁଭଦ୍ରା ଯୋଜନାକୁ ବିଜୁ ଜନତା ଦଳ (ବିଜେଡି)ର ମହିଳା ଭୋଟ୍ ବ୍ୟାଙ୍କକୁ ଛଡ଼ାଇ ନେବାକୁ ଏକ ପ୍ରୟାସ ଭାବରେ ଦେଖାଯାଉଛି; ଯେଉଁ ବଳ ଆଧାରରେ ଦୀର୍ଘ ୨୪ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଶାସନ କରିବା ପରେ ବିଜେଡି ବର୍ତ୍ତମାନ ବିରୋଧୀ ଦଳରେ ବସିଛି। ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ଲକ୍ଷ୍ୟରେ ପୂର୍ବ ସରକାରଙ୍କ ମିଶନ ଶକ୍ତି ଅପେକ୍ଷା ସୁଭଦ୍ରା ଯୋଜନା ଯେ ଅଧିକ ପ୍ରିୟଭାଜନ ହେବା ସହିତ ମହିଳାମାନଙ୍କୁ କ୍ଷୀପ୍ର ଗତିରେ ସଶକ୍ତ କରିପାରିବ, ଏହି ଲକ୍ଷ୍ୟ ହାସଲ କରବା ପାଇଁ ତଥା ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତି ପୂରଣ ପାଇଁ ଉଦ୍ୟମ କରି ଚାଲିଛି ମୋହନ ସରକାର।
ମାଝୀଙ୍କ ନେତୃତ୍ୱାଧୀନ ଭାଜପା ସରକାର ମଧ୍ୟ ଦୁର୍ନୀତି ବିରୋଧରେ ଏକ ଯୁଦ୍ଧ ଆରମ୍ଭ କରିଥିବା ଭଳି ମନେ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୂନ୍ୟ-ସହନଶୀଳତା ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସରକାର ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ପୋଷଣ କରନ୍ତି। ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ଦୁର୍ନୀତି ପରାୟଣ ସରକାରୀ କର୍ମଚାରୀଙ୍କ ବିରୋଧରେ ଲଗାତାର ଚଢାଉ ଆରମ୍ଭ କରିସାରିଛି ଏବଂ ସେମାନଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟ ଆରମ୍ଭ କରାଯାଉଛି। ଏଥିରେ ଉଚ୍ଚପଦସ୍ଥ ଅଧିକାରୀଙ୍କ କଳା କାରନାମା ପଦାକୁ ଆସୁଛି।
ଆମେ ଜାଣିଛେ ଯେ, ଦକ୍ଷିଣ କୋରିଆର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ ପୋସ୍କୋ ପାରାଦୀପଠାରେ ବାର୍ଷିକ ୧୨ ନିୟୁତ ଟନ୍ କ୍ଷମତା ସମ୍ପନ୍ନ ଇସ୍ପାତ କାରଖାନା ସ୍ଥାପନ କରିବାର ଯୋଜନା କରି ବିସ୍ଥାପନ ଓ ଖଣି ସମସ୍ୟାରେ ଛନ୍ଦି ହୋଇ ଫେରିଯିବାକୁ ବାଧ୍ୟ ହୋଇଥିଲା। ଏବେ ସେହି ପୋସ୍କୋ କମ୍ପାନୀ ପୁନର୍ବାର ଓଡ଼ିଶା ଆସିବାକୁ ନିଜଆଡୁ ଆଗ୍ରହ ଦେଖାଉଛି। ଜିନ୍ଦଲ୍ ଷ୍ଟିଲ୍ ସହିତ ମିଳିତ ଭାବେ ଇସ୍ପାତ ଉତ୍ପାଦନ କରିବାକୁ ଆଗ୍ରହ ପ୍ରକାଶ କରିଛି। ରାଜ୍ୟକୁ ପୁଞ୍ଜି ନିବେଶ ଆଣିବାକୁ ପ୍ରଚେଷ୍ଟା କରି ଚାଲିଥିବା ମାଝୀ ସରକାରଙ୍କ ପାଇଁ ଏହା ଏକ ଶୁଭ ଖବର।
୨୦୧୭ ମସିହାରେ ପ୍ରସ୍ତାବିତ ପାରାଦୀପ ପ୍ରକଳ୍ପରୁ ଓହରି ଯିବା ପାଇଁ ପୋସ୍କୋ ପକ୍ଷରୁ ନିଷ୍ପତ୍ତି ନିଆଯିବା ଥିଲା ନବୀନ ପଟ୍ଟନାୟକ ସରକାରଙ୍କ ଅନ୍ୟତମ ବିଫଳତା। ଏଥି ପାଇଁ ନବୀନଙ୍କୁ ବିରୋଧୀଙ୍କର ଘୋର ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ଯଦି ଏହି ପ୍ରକଳ୍ପ ବର୍ତ୍ତମାନ ଓଡ଼ିଶା ଆସି ଶିଳ୍ପ ପ୍ରତିଷ୍ଠା କରିବ, ତେବେ ଏହା ମୋହନ ମାଝୀ ସରକାରଙ୍କ ଏକ ପ୍ରମୁଖ ସଫଳତା ଭାବରେ ଦେଖାଯାଇ ପାରିବ। ଦକ୍ଷିଣ କୋରିଆର ଏହି ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ ଓ ସାଜ୍ଜନ ଜିନ୍ଦଲଙ୍କ ଜେଏସଡବ୍ଲ୍ୟୁ ଗୋଷ୍ଠୀ ମିଳିତ ଭାବେ ବାର୍ଷିକ ୫ ନିୟୁତ ଟନ୍ ଉତ୍ପାଦନକ୍ଷମ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି। ଯଦିଓ ଉଭୟ କମ୍ପାନୀ ନିଜର ବିବୃତ୍ତିରେ କୌଣସି ରାଜ୍ୟ ସମ୍ପର୍କରେ ଉଲ୍ଲେଖ କରି ନାହାନ୍ତି, ବିଶ୍ୱସ୍ତ ସୂତ୍ରରୁ ଏହା ଜଣାପଡିଛି ଯେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଜ ଜିଲ୍ଲା ଖଣିଜ ସମ୍ପଦଭରା କେଉଁଝରରେ ଏହି କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି।
ମଟରଗାଡ଼ିର ବହିରାବରଣ ପାଇଁ ବ୍ୟବହୃତ ଉଚ୍ଚମାନର ପତଳା ଇସ୍ପାତ ଚଦର ଉତ୍ପାଦନରେ ସୁନାମ ଅର୍ଜନ କରିଥିବା ପୋସ୍କୋ ୨୦୦୫ ମସିହାରେ ଓଡ଼ିଶା ଆସିଥିଲା। କେନ୍ଦ୍ରରେ ଥିବା ତତ୍କାଳୀନ ମନମୋହନ ସିଂହଙ୍କ କଂଗ୍ରେସ ସରକାର ଏବଂ ଓଡ଼ିଶା ରାଜ୍ୟରେ ଥିବା ବିଜେଡି-ଭାଜପା ମେଣ୍ଟ ସରକାର ପୋସ୍କୋ କମ୍ପାନୀର ସମସ୍ତ ସର୍ତ୍ତ ମାନି ନେଇଥିଲେ। ପୋସ୍କୋ ଚାହୁଁ ଥିଲା ନିଜସ୍ୱ ସାମୁଦ୍ରିକ ବନ୍ଦର ଏବଂ ଖଣି। ସର୍ବାଧୁନିକ କୋରେକ୍ସ ଲୌହ ନିଷ୍କାସନ ପ୍ରଣାଳୀ ଅବଲମ୍ବନ କରି ପାରାଦୀପରେ ୫୦,୦୦୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରି ଏକ ଇସ୍ପାତ କାରଖାନା ସ୍ଥାପନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲା। ଏହା ଥିଲା ଭାରତର ସବୁଠାରୁ ବଡ଼ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ) ପ୍ରକଳ୍ପ। ସରକାରମାନେ ରାଜି ହୋଇଯାଇ ଥିଲେ ବି ପୋସ୍କୋର ଚାଲ୍ ଧରା ପଡ଼ିଯାଇଥିଲା ସର୍ବ ସମ୍ମୁଖରେ। ଜମି ଅଧିଗ୍ରହଣ ଏବଂ ଖଣିଜ ବ୍ଲକ ପାଇବାରେ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖିବାକୁ ମିଳିଲା। ପାରାଦୀପ ବନ୍ଦରରେ ନିଜସ୍ୱ ବର୍ଥ୍ ନିର୍ମାଣ ନକରି ସ୍ୱତନ୍ତ୍ର ଘରୋଇ ବନ୍ଦର ପ୍ରତିଷ୍ଠା କରିବା, ସେହି ବନ୍ଦର ଦେଇ ସ୍ଥାନୀୟ ନିମ୍ନମାନର ଲୁହାପଥର ରପ୍ତାନୀ କରି ଉଚ୍ଚମାନର ଲୁହାପଥର ଆମଦାନୀ (ସ୍ୱାପିଂ) କରିବା ପ୍ରସ୍ତାବକୁ ଲୋକମାନେ ସନ୍ଦେହ ଚକ୍ଷୁରେ ଦେଖିଲେ। ଏଣୁ ବିରୋଧ କରାଗଲା। ନାନାଦି ଅସୁବିଧାର ସମ୍ମୁଖୀନ ହୋଇ ୧୨ ବର୍ଷରୁ ଅଧିକ ସମୟ ଅପେକ୍ଷା କରିବା ପରେ ୨୦୧୭ ମସିହାରେ କମ୍ପାନୀ ଆନୁଷ୍ଠାନିକ ଭାବରେ ପ୍ରସ୍ତାବିତ ପାରାଦୀପ ପ୍ରକଳ୍ପରୁ ଓହରି ଯାଇଥିଲା।
ଏବେ ଓଡ଼ିଶାରେ ନା ଅଛି ଭାଗୁଆଳୀ ସରକାର ନା ନବୀନ ସରକାର। ବିଗତ ୧୨ ବର୍ଷ ମଧ୍ୟରେ ଆସିଛି ଅନେକ ପରିବର୍ତ୍ତନ। ବିଜୁ ଜନତା ଦଳର ସରକାର ଆଉ ନାହିଁ। ଭାଜପା ଦାବି କରୁଛି ଯେ ଦକ୍ଷିଣ କୋରିଆର ପୋସ୍କୋ କମ୍ପାନୀ ପୁଣି ଥରେ ଓଡ଼ିଶା ଫେରୁଛି। ପୋସ୍କୋର ପ୍ରତ୍ୟାବର୍ତ୍ତନ ସୂଚାଇ ଦେଉଛି ଯେ ଓଡ଼ିଶାରେ ସରକାରଙ୍କ ପରିବର୍ତ୍ତନ, ଶାସନ ଡୋରୀ ଭାଜପା ହାତକୁ ଆସିବା ଏବଂ ଡବଲ୍ ଇଞ୍ଜିନ୍ ସରକାର କାରଣରୁ ରାଜ୍ୟରେ ପୁଞ୍ଜିନିବେଶ ଜଳବାୟୁ ଉପରେ ସକାରାତ୍ମକ ପ୍ରଭାବ ପଡିଛି। ତାହାର ଶ୍ରେୟ ନେଉଛି ମାଝୀ ସରକାର। ପ୍ରସ୍ତାବିତ ଗ୍ରୀନଫିଲ୍ଡ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମାଝୀ ସରକାର ଆଧିକାରିକ ଅନୁମୋଦନ ଦେଇ ସାରିଛନ୍ତି। ଏହି ପ୍ରକଳ୍ପ ପାଇଁ କଞ୍ଚାମାଲ ପାଇବାରେ କୌଣସି ଅସୁବିଧା ହେବାର ଆଶଙ୍କା ନାହିଁ। କାରଣ, ଜେଏସଡବ୍ଲ୍ୟୁ ଗୋଷ୍ଠୀ ପୂର୍ବରୁ ରାଜ୍ୟରେ ଲୁହାପଥର ଖଣି ଲିଜ୍ ନେଇସାରିଛି; ଯାହା ଏବେ ଜେଏସଡବ୍ଲ୍ୟୁ-ପୋସ୍କୋ ଯୌଥ ଉଦ୍ୟୋଗ ପାଇଁ ଉପଯୋଗୀ ହେବ।
ରାଜ୍ୟ ସରକାରଙ୍କଠାରୁ ପ୍ରସ୍ତାବ ପାଇବା ପରେ ଜିନ୍ଦଲ୍ ଷ୍ଟିଲର ବରିଷ୍ଠ ଅଧିକାରୀମାନେ କେଉଁଝର ଜିଲ୍ଲାର ଦୁଇଟି ସମ୍ଭାବ୍ୟ ସ୍ଥଳ ପରିଦର୍ଶନ କରିସାରିଲେଣି। ପ୍ରଥମଟି ହେଲା ବାଂଶପାଳ (୨,୫୦୦ ଏକର) ଏବଂ ପାଟଣା (ପ୍ରାୟ ୨,୦୦୦ ଏକର)। ଆଗାମୀ ଜାନୁଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ’ ସମୟରେ ଜେଏସଡବ୍ଲୁ-ପୋସ୍କୋ ଯୌଥ ଉଦ୍ୟୋଗ ଆନୁଷ୍ଠାନିକ ଭାବେ ରାଜ୍ୟ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଯୌଥ-କମ୍ପାନୀ ପକ୍ଷରୁ ଏହି ଅର୍ଖନୂଆ ପ୍ରକଳ୍ପରେ (ଗ୍ରୀନ୍ ଫିଲ୍ଡ) ମୋଟ କେତେ ପରିମାଣର ପୁଞ୍ଜି ବିନିଯୋଗ କରିବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନ ଥିବାବେଳେ ଜଣାଯାଇଛି ଯେ ଏହା ପୂର୍ବରୁ ପୋସ୍କୋର ପ୍ରସ୍ତାବିତ ୫୦,୦୦୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ ପରିମାଣଠାରୁ ଅଧିକ ହେବ।
ଜେଏସଡବ୍ଲୁ-ପୋସ୍କୋ ଯୌଥ ପ୍ରକଳ୍ପ ସବୁଜ ଗୃହ ବାଷ୍ପ ନିର୍ଗମନକୁ ହ୍ରାସ କରିବା ପାଇଁ ସବୁଜ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଇସ୍ପାତ କାରଖାନାରୁ ଉତ୍ପାଦନ କରିବାକୁ ଯୋଜନା କରିଛି। ଯୌଥ କମ୍ପାନୀ ଯୁବକଯୁବତୀମାନଙ୍କ ପାଇଁ ହଜାର ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଦାୟିତ୍ୱ ଗ୍ରହଣ କରିବା ପରଠାରୁ ମାଝୀ ସରକାର କେଉଁଝରରେ ଏକ ପ୍ରମୁଖ ଇସ୍ପାତ ଶିଳ୍ପ ଗୋଷ୍ଠୀ ପକ୍ଷରୁ ବୃହତ୍ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଚେଷ୍ଟା କରି ଆସୁଛନ୍ତି। ଆଜି ବି କେବଳ କେଉଁଝର ଜିଲ୍ଲାରେ ଦେଶର ମୋଟ ଗଚ୍ଛିତ ଲୁହାପଥର ପରିମାଣର ୩୦ ପ୍ରତିଶତରୁ ଅଧିକ ରହିଛି। ଗତ ଅଗଷ୍ଟ ମାସରେ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କ ନେତୃତ୍ୱରେ ଏକ ଟାସ୍କଫୋର୍ସ ଗଠନ କରି ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ ସମ୍ଭାବ୍ୟ ନିବେଶକମାନଙ୍କ ତାଲିକା ପ୍ରସ୍ତୁତ କରିଥିଲେ। ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତାଙ୍କୁ ସରକାର ଯଥାଶୀଘ୍ର ଶିଳ୍ପ ପାଇଁ ଜମି ଅଧିଗ୍ରହଣ କରିବେ, କଞ୍ଚାମାଲ ଯୋଗାଣକୁ ସହଜ କରିବେ ଏବଂ ଅନ୍ୟାନ୍ୟ ନୀତିଗତ ମଞ୍ଜୁରୀ ପ୍ରଦାନକୁ ନିଶ୍ଚିତ କରିବେ ବୋଲି ଟାସ୍କଫୋର୍ସରେ ଥିବା ଅଧିକାରୀମାନେ ପ୍ରତିଶୃତି ଦେଇଛନ୍ତି।
ଦିଲ୍ଲୀ ଏବଂ ମୁମ୍ବାଇରେ ରୋଡ୍ ସୋ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜେଏସଡବ୍ଲ୍ୟୁ ଏବଂ ପୋସ୍କୋ ଅଧିକାରୀଙ୍କ ସହିତ ଆଲୋଚନା କରିବା ସମୟରେ ସକାରାତ୍ମକ ତଥା ଅନୁକୂଳ ପ୍ରତିକ୍ରିୟା ପାଇଥିଲେ। ତାହା ପରଠାରୁ ଟାସ୍କଫୋର୍ସର ଅଧିକାରୀମାନେ ତ୍ୱରିତ ବେଗରେ ପ୍ରତିଦିନ କାମ କରିବା କାରଣରୁ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସମସ୍ତ କାର୍ଯ୍ୟ ଏପର୍ଯ୍ୟନ୍ତ ସୁରୁଖୁରୁରେ ଚାଲିଛି। ପୋସ୍କୋ କମ୍ପାନୀ ବିଜେଡି କାଳରେ ଥରେ ଫେରିଗଲା ପରେ ଦ୍ୱିତୀୟ ଥର ପାଇଁ ଆସିବା ଘଟଣାକୁ ଭାଜପା ସରକାର ଏକ ପ୍ରକାର ‘ବିଜୟ’ ମନେ କରୁଥିବା ଏବଂ ନବୀନ ପଟ୍ଟନାୟକ ସରକାରଙ୍କ ଶିଳ୍ପ ବିକାଶକୁ ସମାଲୋଚନା କରୁଥିବାବେଳେ ବିରୋଧୀ ଆସନରେ ବସିଥିବା ବିଜୁ ଜନତା ଦଳ ପୋସ୍କୋ କମ୍ପାନୀର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଛି ଯେ, ଯେଉଁ କମ୍ପାନୀର ଉଦ୍ଦେଶ୍ୟ ଉପରେ ଭାଜପା ସନ୍ଦେହ ପ୍ରକାଶ କରୁଥିଲା, ତାକୁ ଏପରି ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଉଛି କାହିଁକି? ମୋହନ ସରକାର ଏହି ପ୍ରଶ୍ନର ଉତ୍ତର ଦେବା ଦରକାର। ଉତ୍ତର ଭିତରେ ସତର୍କ ସୂଚନା ବି ଛପି ରହିଛି, ଯାହା ଅତ୍ୟନ୍ତ ସମ୍ବେଦନଶୀଳ। ଆଗକୁ ଯେ, ଯୌଥ ଉଦ୍ୟୋଗ ପକ୍ଷରୁ ଲୁହା ପଥର ସ୍ୱାପିଂ ପାଇଁ ଏବଂ ସ୍ୱତନ୍ତ୍ର ବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ନ ଆସିବ, ଏହା କେହି କହି ପାରିବେନି।
ଆଶା, ରାଜ୍ୟ ସରକାର ପୂର୍ବ ସରକାର ଅପେକ୍ଷା ଭଲ କାମ କରୁଥିବାର ପ୍ରମାଣପତ୍ର ମିଳିବ ଯେତେବେଳେ ଜିନ୍ଦଲ୍-ପୋସ୍କୋ ଯୌଥ ଉଦ୍ୟୋଗ ପକ୍ଷରୁ ଗାଡ଼ି ମଟର ବଡିବିଲ୍ଡିଂ ପାଇଁ ପତଳା ଷ୍ଟିଲ୍ ଚଦର ଓଡ଼ିଶାରେ ନିର୍ମାଣ ହେବ; ଯାହାକୁ ଉପଯୋଗ କରି ମାରୁତି ଠାରୁ ଆରମ୍ଭକରି ଅନ୍ୟାନ୍ୟ ଦେଶୀ ବିଦେଶୀ କାର୍ ନିର୍ମାତା ଓଡ଼ିଶାରେ ଚେସିସ୍, ବଡି ଇତ୍ୟାଦି ନିର୍ମାଣ କରିବେ। ଓଡ଼ିଶାରେ ଆଗାମୀ ଦିନରେ ସେମି କଣ୍ଡକ୍ଟର୍ ତିଆରି ହେବାକୁ ଥିବାରୁ ରାଜ୍ୟ ସରକାର ଏବେଠୁ ଓଡ଼ିଶାରେ କିପରି ଗାଡ଼ିମୋଟର୍ ଯନ୍ତ୍ରାଂଶ, ଆଲୁମିନିୟମ, କାଚ ଏବଂ ପ୍ଲାଷ୍ଟିକ୍ ତିଆରି ଅଂଶ ତିଆରି ହୋଇପାରିବ, ସେଥିପ୍ରତି ଦୃଷ୍ଟି ଦେବେ। ଆଧୁନିକ ଇସ୍ପାତ୍ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହେଲେ, ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭବ ନୁହେଁ। କିନ୍ତୁ, ଏହାର ଉତ୍ପାଦିତ ପଦାର୍ଥକୁ ବ୍ୟବହାର କରି ବ୍ୟାଟେରୀ ଚଳିତ ଯାନ ନିର୍ମାଣ ସମ୍ଭବ। ଆଗକୁ ଆର୍ସେଲର୍ ମିତଲ/ନିପ୍ପନ ଷ୍ଟିଲ୍ ମଧ୍ୟ ଓଡ଼ିଶା ଆସିବେ, ଯେମିତି ଗୁଡ଼ ଥିଲେ ଜନ୍ଦା ଆସନ୍ତି ହିଁ ଆସନ୍ତି। ନବୀନ ସରକାର ଅମଳରେ ସମସ୍ତ କୃଷି ଭିତ୍ତିକ ଶିଳ୍ପ ସଂସ୍ଥା ବନ୍ଦ ହୋଇ ଯାଇଥିଲା। ଗୋଟିଏ ବି ଚିନିକଳ, ଝୋଟକଳ, ସୂତା କଳ ଠିଆ କରି ନଥିଲେ ସେମାନେ। ଆନୁସଙ୍ଗିକ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ମଧ୍ୟ ଉପେକ୍ଷିତ ଥିଲା। ଏଣୁ, ଜିନ୍ଦଲ୍-ପୋସ୍କୋ ଯୌଥ ଉଦ୍ୟୋଗ ପାଇଁ ବେଶୀ ଖୁସି ନହୋଇ, ଓଡ଼ିଶାରେ ବିଜଦ ସରକାର ବିଫଳ ହୋଇଥିବା କ୍ଷେତ୍ରରେ ଯେଭଳି ବିକାଶ ହେବ, ସେଥିପାଇଁ ମୋହନ ସରକାର ଦୃଷ୍ଟି ଦିଅନ୍ତୁ। ଚୁକ୍ତିପତ୍ର ସ୍ୱାକ୍ଷର କଲାବେଳେ ଏସମସ୍ତ ଦିଗ ପ୍ରତି ନ୍ୟାୟ ପ୍ରଦାନ କରନ୍ତୁ। ଫଳରେ ଶିଳ୍ପାୟନ ହେବ, ନିଯୁକ୍ତି ସୁଯୋଗ ବଢ଼ିବ। ତେବେ ଯାଇ ଆମେ କହିବୁ, ଯେ ନୂଆ ସରକାର ଭାରି ଭଲ!
ଫୋ- ୯୪୩୮୨୯୯୦୩୭