/odisha-reporter/media/post_attachments/uploadimage/library/16_9/16_9_0/IMAGE_1699877169.jpeg)
Harbhajan Singh
ରୁଦ୍ର ପ୍ରସନ୍ନ ରଥ
ସେଯାଏ କୌଣସି ବି ଭାରତୀୟ ଟେଷ୍ଟ ମ୍ୟାଚ୍ରେ ହ୍ୟାଟ୍ରିକ୍ ନେଇ ନଥିଲେ। ଏକଥା ବୋଧହୁଏ ଅନେକ ଭାରତୀୟ ଜାଣି ନଥିଲେ। ଆଉ ଭାରତୀୟ ଅଫ ସ୍ପିନର ହରଭଜନ ସିଂହ ବି ଏକଥା ବି ଜାଣି ନଥିଲେ। ଭାରତ ଟେଷ୍ଟରେ ଅନେକ ଭଲ ଭଲ ସ୍ପିନର ଏବଂ ପେସ୍ ବୋଲିଂ ବିଭାଗରେ କପିଳ ଦେବ, ମଦନଲାଲ, ମହୀନ୍ଦର ଅମରନାଥ ଏବଂ ଶ୍ରୀନାଥଙ୍କ ପରି ବୋଲର ବିଶ୍ୱ ଟେଷ୍ଟ କ୍ରିକେଟକୁ ଗିଫ୍ଟ ଦେଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି ଟେଷ୍ଟରେ ହ୍ୟାଟ୍ରିକ୍ ଅର୍ଜନ କରିପାରି ନଥିଲେ।
କୋଲକାତାର ଇଡେନ ଗାର୍ଡେନ ଅନେକ କ୍ରିକେଟୀୟ ମୂହୂର୍ତ୍ତର ମୂକସାକ୍ଷୀ। ଏଇଠି କେତେବେଳେ ଭାରତ ବିପକ୍ଷକୁ ଧରାଶାୟୀ କରିଛି ତ ଆଉ କେତେବେଳେ ନିଜର ମାନ ମହତ ରକ୍ଷା କରିବାରେ ବିଫଳ ହୋଇ ଧରାଶାୟୀ ହୋଇଛି। କେତେବେଳେ ଏଠାରେ ଭାରତୀୟ ବୋଲରମାନେ ରାଜୁତି କରିଛନ୍ତି ତ ଆଉ କେତେବେଳେ ଭାରତୀୟ ବ୍ୟାଟରମାନେ ଚିତ୍ ପଟ୍ଟାଙ୍ଗ ମାରିଛନ୍ତି। ତେବେ ସେ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ହରଭଜନ ହ୍ୟାଟ୍ରିକ୍ ଅର୍ଜନ କରି ଭାରତକୁ କେବଳ ଯେ ଏକ ଐତିହାସିକ ବିଜୟ ଭେଟିଦେଲେ ତାହା ନୁହେଁ ବରଂ ଦୀର୍ଘ ସମୟ ଧରି ଅପରାଜେୟ ଭାବେ ଗଡ଼ି ଆସୁଥିବା ଅଷ୍ଟ୍ରେଲିଆର ବିଜୟ ରଥକୁ ରୋକିବାରେ ସକ୍ଷମ ହେଲେ। ଭାରତ ହରଭଜନଙ୍କ ଏହି କୃତିତ୍ୱ ବଳରେ ଅଷ୍ଟ୍ରେଲିଆକୁ ହରାଇ ସିରିଜକୁ ବରାବର କଲା ଏବଂ ପରେ ପରେ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ କବଜା କଲା। ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ସିରିଜରେ ଆରମ୍ଭରୁ ପଛୁଆ ରହି କମବ୍ୟାକ୍ କରିବା ଏବଂ ପରେ ପରେ ବିଜୟୀ ହେବା ଏକ ଅସମ୍ଭବ ବ୍ୟାପାର ଏବଂ ଏହି ଅସମ୍ଭବକୁ ସମ୍ଭବ କରିପାରିଥିଲେ ସେଇ କୋଲକାତାର ସ୍ଥାନୀୟ ଖେଳାଳି ସୌରଭଙ୍କ ବାହିନୀ।
୨୦୦୧ ମସିହାର କଥା। ସାରା ପୃଥିବୀରେ ବିଭିନ୍ନ ଦେଶକୁ ହରାଇ ସାରି ଅଷ୍ଟ୍ରେଲିଆ ଭାରତରେ ପହଁଚିଥାଏ ଭାରତକୁ ହରାଇବା ପାଇଁ। ଅଷ୍ଟ୍ରେଲିଆ ପାଇଁ ଭାରତ ଥିଲା ଫାଇନାଲ ଫ୍ରଣ୍ଟିୟର। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଯେଉଁ ଅଶ୍ୱମେଧ ଯଜ୍ଞ ବାହାରିଥାଏ ତାକୁ ରୋକିବାକୁ କେହି ନଥାନ୍ତି। ଅଧିନାୟକ ଷ୍ଟିଭ ୱ, ପଣ୍ଟିଂ, ହେଡେନ୍, ଗୀଲଖ୍ରୀଷ୍ଟ, ମ୍ୟାକ୍ଗ୍ରା, କାସ୍ପ୍ରୋୱିଚ, ମାଇକେଲ୍ ସ୍ଲାଟର, ଗିଲେସ୍ପୀ ଏବଂ ସେନ ୱାର୍ଣ୍ଣଙ୍କ ପରି ଏକାଧିକ ମ୍ୟାଚ୍ ବିଜୟୀ ଖେଳାଳି ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦଳକୁ କେବଳ ହରାଉ ନଥାଏ ବରଂ ସେମାନଙ୍କୁ ବେଶ୍ ଲଜ୍ଜାଜନକ ପରାଜୟ ବରଣ କରିବାକୁ ବାଧ୍ୟ କରୁଥାଏ। ମୋଟ୍ ଉପରେ ଅଧିନାୟକ ଷ୍ଟିଭ୍ ୱ ନିଜ ସହ ଗୋଟିଏ ଶକ୍ତିଶାଳୀ ଏବଂ ଆତ୍ମବିଶ୍ୱାସରେ ଭରପୂର ଦଳଟିଏ ନେଇ ଭାରତ ଆସିଥାନ୍ତି। ଅଷ୍ଟ୍ରେଲିଆ ଲଗାତାର ୧୬ଟି ଟେଷ୍ଟ ମ୍ୟାଚ୍ ଜିତି ରେକର୍ଡ କରିଥାଏ।
ଏହି ସିରିଜର ପ୍ରଥମ ଟେଷ୍ଟ ମୁମ୍ବାଇଠାରେ ଖେଳ ହୋଇଥାଏ ଏବଂ ଭାରତ ଏହାକୁ ୧୦ ୱିକେଟ୍ରେ ହାରି ସାରିଥାଏ। ଏହାକୁ ନେଇ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଦକ୍ଷତା ଏବଂ ଭାରତର ପାରିବାର ପଣ ନେଇ ଅନେକ ଆଲୋଚନା ହେଉଥାଏ। ଭାରତ ଯେ ଅଷ୍ଟ୍ରେଲିଆକୁ ହରାଇ ପାରିବ ଏନେଇ ଅନେକଙ୍କର ସଂଶୟଥାଏ।
ସିରିଜର ଦ୍ୱିତୀୟ ମ୍ୟାଚ୍ କୋଲକାତାରେ ଖେଳାଯାଉଥାଏ ମାର୍ଚ୍ଚ ୧୧ରୁ ୧୫ ଯାଏ। ଏଥିରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥାଏ। ମୁମ୍ବାଇ ପରି କୋଲକାତାରେ ମଧ୍ୟ ଅଷ୍ଟ୍ରେଲିଆର ବ୍ୟାଟରମାନେ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥାଆନ୍ତି। ପ୍ରଥମ ଦୁଇ ଅଧିବେଶନରେ ଅଷ୍ଟ୍ରେଲିଆ ହରାଇଥାଏ ମାତ୍ର ଗୋଟିଏ ୱିକେଟ୍। ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆର ବୋଲରମାନଙ୍କୁ କିପରି ରୋକି ହେବ ସେ ନେଇ କିଛି ସୁରାକ ପାଉନଥାନ୍ତି। ତୃତୀୟ ଅଧିବେଶନରେ ଭାରତ ପାଇଁ ବୋଲିଂ କରିବାକୁ ଆସିଲେ ହରଭଜନ ସିଂହ। ଇନିଂସ୍ ୭୨ତମ ଓଭର ବ୍ୟାଟିଂ କରି ସେ ଭାରତ ପାଇଁ ଇତିହାସ ରଚନା କଲେ।
ଟେଷ୍ଟ ମ୍ୟାଚରେ ଭାରତର ଶକ୍ତି ହେଉଛନ୍ତି ଭାରତର ବୋଲର। ଯେଉଁମାନେ ଲଗାତାର ଭଲ ବୋଲିଂ କରି ବିପକ୍ଷର ୱିକେଟ୍ ହାସଲ କରିଥାଆନ୍ତି। ସେତେବେଳେ ଭାରତର ଏକ ନମ୍ବର ବୋଲର ଥିଲେ ଅନୀଲ କୁମ୍ବଲେ। ମାତ୍ର ଅନୀଲ କୁମ୍ବଲେ କାନ୍ଧରେ ଆଘାତପ୍ରାପ୍ତ ହୋଇଥିବାରୁ ସେ ଏହି ହାଇ ପ୍ରୋଫାଇଲ ସିରିଜରୁ ବାଦ୍ ପଡ଼ିଥିଲେ। ପ୍ରାୟ ପ୍ରାୟ କ୍ୟାରିୟର ଶେଷ ହୋଇ ଆସୁଥିବା ଭେଙ୍କଟପତି ରାଜୁଙ୍କୁ ଦଳରେ ସ୍ଥାନ ମିଳିଥାଏ। ଆଉ ତା ସହ ହରଭଜନ ସିଂହଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଥାଏ। ସେତେବେଳେ ହରଭଜନଙ୍କ ବୟସ ମାତ୍ର ୧୭ ବର୍ଷ। ସେତେବେଳେ ଜାତୀୟ କ୍ରିକେଟ୍ ଏକାଡେମୀରୁ ଶୃଙ୍ଖଳାଗତ କାରଣରୁ ବହିଷ୍କାର ହୋଇ ସାମୟିକ ବାସନ୍ଦ ଦଣ୍ଡ ଭୋଗୁଥିବା ହରଭଜନଙ୍କୁ ଟିମରେ ନେବା ପାଇଁ ଅଧିନାୟକ ଗାଙ୍ଗୁଲି ବିସିସିଆଇ ଚୟନକର୍ତ୍ତାଙ୍କୁ ଏକ ରକମ ବାଧ୍ୟ କରିଥିଲେ। ଯାହାର ଫଳ ସ୍ୱରୁପ ହରଭଜନ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ତେବେ ତାଙ୍କ ଚୟନକୁ ଯଥାର୍ଥ ବୋଲି ପ୍ରତିପାଦିତ କରିବା ଏବଂ ଭାରତୀୟ ଦଳରେ ନିଜର ବୋଲିଂ ସ୍ଥାନ ପକ୍କା କରିବାର କାମ ହରଭଜନଙ୍କୁ କରିବାର ଥିଲା। ଆଉ ସେହି ଟେଷ୍ଟର ସେହି ୭୨ତମ ଓଭର ଏହି ଦୁଇଟି କାମକୁ ମାତ୍ର ତିନୋଟି ବଲ ବ୍ୟବଧାନରେ ପ୍ରମାଣ କରିଦେଲା।
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସ୍ଲାଟର ଏବଂ ହେଡେନଙ୍କ ଜରିଆରେ ଭଲ ଆରମ୍ଭ କଲା। ସେମାନେ ପ୍ରଥମ ୱିକେଟ୍ ଯୋଡ଼ିରେ ୧୦୦ ରନ୍ ଯୋଡ଼ିଲେ। ହେଡେନ୍ ୯୭ ରନ କରି ସିରିଜରେ ଦ୍ୱିତୀୟ ଶତକରୁ ବଂଚିତ ହେଲେ ସତ ହେଲେ ସେତେବେଳକୁ ଅଷ୍ଟ୍ରେଲିଆ ୧୯୭ ରନ୍ରେ ପହଁଚି ଗଲାଣି। ହଠାତ୍ ଅଷ୍ଟ୍ରେଲିଆ ୨୩୬ ରନ ବେଳକୁ ଆଉ ଦୁଇଟି ୱିକେଟ୍ ହରାଇ ସାରିଥିଲା। ଅଷ୍ଟ୍ରେଲିଆର ୨୫୨ ରନ ହୋଇଥିବାବେଳେ ହରଭଜନ ପୁଣି ଥରେ ବୋଲିଂ କରିବାକୁ ଆସିଲେ। ଏହା ଥିଲା ଇନିଂସର ଦ୍ୱିତୀୟ ବଲ।
ରିକି ପଣ୍ଟିଂ ଏହି ବଲ ଖେଳିବାକୁ ଗଲାବେଳେ ସେ ଲାଇନ୍ ମିସ୍ କରିଗଲେ। ପଣ୍ଟିଂ ସବୁବେଳେ ଭାରତରେ ସ୍ପିନରମାନଙ୍କୁ ଖେଳିଲାବେଳେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଏବଂ ଏଥର ବି ତାହାର ପୁନରାବୃତ୍ତି ଘଟିଲା। ହରଭଜନଙ୍କ ଅପିଲରେ ଭାରତ ଖାତାକୁ ପଣ୍ଟିଂଙ୍କ ୱିକେଟ୍ ଆସିଲା। ହରଭଜନଙ୍କ ବଲରେ ସେ ଏଲବିଡବ୍ଲୁ ହେଲେ ଆଉ ହ୍ୟାଟ୍ରିକର ପ୍ରଥମ ସଂଖ୍ୟା ବନିଗଲେ।
ଦ୍ୱିତୀୟ ବଲ ଖେଳିବାକୁ ଆସିଲେ ଆଡାମ ଗିଲଖ୍ରୀଷ୍ଟ। ପୂର୍ବ ମ୍ୟାଚ୍ରେ ଶତକ ହାସଲ କରି ଗିଲ୍ଖ୍ରୀଷ୍ଟ ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ। ଏଥର କିନ୍ତୁ ତାହା ସମ୍ଭବ ହେଲାନାହିଁ। ସେ ବି ସେମିତି ଲାଇନ୍ ମିସ୍ କରି ହରଭଜନଙ୍କ ବଲରେ ଏଲବିଡବ୍ଲୁ ହେଲେ।
ଏତେବେଳକୁ ଇଡେନ ଗାର୍ଡ଼େନ ଦର୍ଶକଙ୍କ ହର୍ଷୋଲ୍ଲାସରେ ଫାଟି ପଡ଼ିଲାଣି। ଲଗାତାର ୱିକେଟ୍ ପଡୁଥିବାରୁ ଭାରତୀୟ ବୋଲର ମଧ୍ୟ ବେଶ୍ ଖୁସି ଜଣାପଡୁଥାଆନ୍ତି। ଭାରତ ଧୀରେ ଧୀରେ ମ୍ୟାଚକୁ ନିଜର କବ୍ଜାକୁ ନେବାକୁ ଆରମ୍ଭ କଲାଣି। ହରଭଜନ ନିଜର ଭାରତ ପାଇଁ ପ୍ରଥମ ହ୍ୟାଟ୍ରିକ୍ ଲାଭ କରି ଏକ ବିରାଟ ରେକର୍ଡ କରିବା ଲକ୍ଷ୍ୟରେ ଥାଆନ୍ତି।
ଅଧିନାୟକ ଗାଙ୍ଗୁଲି ଏହି ସୁଯୋଗର ସଦୁପଯୋଗ କରି ପଡ଼ିଆକୁ ଆହୁରି ଆକ୍ରମଣାତ୍ମକ କରି ସଜାଇଦେଲେ। କୌଣସି ସୁଯୋଗ ହାତଛଡ଼ା ନକରିବା ପାଇଁ ବ୍ୟାଟରଙ୍କ ଆଖପାଖରେ ଅଧିକ କ୍ଲୋଜ-ଇନ୍ ଫିଲ୍ଡର ରଖିଲେ। କାରଣ ଶେନ ୱାର୍ଣ୍ଣ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ହ୍ୟାଟ୍ରିକ୍ ଏଡ଼ାଇବା ଯେହେତୁ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ତେଣୁ ଗାଙ୍ଗୁଲିଙ୍କ ଜାଣିଥିଲେ ଯେ ଶେନ୍ ୱାର୍ଣ୍ଣ କେବେ ବି ବଡ଼ ଟ୍ ଖେଳିବେ ନାହିଁ, ବରଂ ନିଶ୍ଚିତ ରୂପେ ରକ୍ଷଣାତ୍ମକ ଭାବେ ଖେଳିବେ, ଯାହା ଭାରତ ପାଇଁ ସୁଯୋଗ ସୃଷ୍ଟି କରିବ।
ଗାଙ୍ଗୁଲି ଯେମିତି ଭାବୁଥିଲେ ସେମିତି ହିଁ ଘଟିଲା। ହରଭଜନଙ୍କ ଏକ ତଳୁଆ ଫୁଲଟସକୁ ୱାର୍ଣ୍ଣ ଖେଳିବାକୁ ଯାଇ ଫରୱାର୍ଡ ସର୍ଟଲେଗରେ ଠିଆ ହୋଇଥିବା ସଦାଗୋପନ ରମେଶଙ୍କୁ ଏକ ତଳୁଆ କ୍ୟାଚ୍ ଦେଇଦେଲେ। ଏହାକୁ ନେଇ ଭାରତୀୟ ଦଳ ଅପିଲ କଲେ ବି ଅମ୍ପାୟାର ନିଷ୍ପତ୍ତି ନେଇ ପାରିଲେ ନାହିଁ। ଅମ୍ପାୟାର ନିଶ୍ଚିତ ନଥିଲେ ଯେ ବଲ ଶେନଙ୍କ ବ୍ୟାଟରୁ ଆସିଛି ନା ପ୍ୟାଡରୁ। ପୁଣି ଅମ୍ପାୟର ଏହା ବି ନିଶ୍ଚିତ ନଥିଲେ ଯେ ଫିଲ୍ଡର ସଦାଗୋପନ ରମେଶ ଠିକ୍ ଭାବେ ବଲକୁ କ୍ୟାଚ୍ କରିଛନ୍ତି ନା ବଲ କ୍ୟାଚ୍ ହେବା ଆଗରୁ ମାଟି ଛୁଇଁଛି। ଏହି ଘଟଣା ତେଣୁ ଥାର୍ଡ ଅମ୍ପାୟାରଙ୍କ ପାଖରୁ ରେଫର କରାଗଲା।
ସମଗ୍ର ପଡ଼ିଆରେ ନୀରବତା, ଆଶା ଆଉ ଆଶଙ୍କା ଭିତରେ କେବଳ ଗାଙ୍ଗୁଲି ହିଁ ନିଶ୍ଚିତ ଥିଲେ ଯେ ହରଭଜନ ହ୍ୟାଟ୍ରିକ୍ ଲାଭ କରିଛନ୍ତି। ଅନ୍ୟମାନେ ହରଭଜନଙ୍କୁ ଏଥିପାଇଁ ବଧେଇ ଦେବା ଆରମ୍ଭ କରିଦେଲେଣି। ବେଶ୍ କିଛି ମିନିଟର କସରତ ପରେ ଯେତେବେଳେ ତୃତୀୟ ଅମ୍ପାୟର ନିଶ୍ଚିତ ହୋଇଗଲେ ଯେ ଏହି କ୍ୟାଚଟି ସଠିକ୍ ରୁପେ ନିଆଯାଇଛି ସେ ନାଲିବତୀ ଜଳାଇଦେଲେ। ଯାହାର ଅର୍ଥ ଥିଲା ବ୍ୟାଟର ଜଣଙ୍କ ଆଉଟ୍ ହୋଇଯାଇଛନ୍ତି।
ଏହା ପରେ ଇଡେନ ଉଚ୍ଛୁଳି ପଡିଲା। ହରଭଜନ ହ୍ୟାଟ୍ରିକ ପାଇ ସାରିଥିଲେ। ଭାରତର କୌଣସି ବୋଲର ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟ୍ରେ ହ୍ୟାଟ୍ରିକ୍ ନେଇଥିଲେ। ଭାରତ ମ୍ୟାଚକୁ ଫେରିଥିଲା।
ଇଏ ହେଉଛି ସେହି କୋଲକାତା ଟେଷ୍ଟ ଯେଉଁଠି କେବଳ ହରଭଜନଙ୍କ ହ୍ୟାଟ୍ରିକ ନୁହେଁ ବରଂ ଦ୍ୱିତୀୟ ଇନିଂସ୍ରେ ୩୭୬ ରନର ବିଶାଳ ପାର୍ଟନରଶିପ ହୋଇଥିଲା ଦ୍ରାବିଡ୍ ଏବଂ ଲକ୍ଷ୍ମଣଙ୍କ ମଧ୍ୟରେ, ଯାହା ବଳରେ ଭାରତ ଫଲୋଅନ ବରଣ କରି ମଧ୍ୟ ଏହି ଟେଷ୍ଟ ମ୍ୟାଚକୁ ଜିତିପାରିଥି୍ଲା।
ମଜା କଥା ହେଉଛି ହରଭଜନ ଆଦୌ ଜାଣି ନଥିଲେ ଯେ ଭାରତୀୟ ବୋଲର ଟେଷ୍ଟ କ୍ରିକେଟ୍ରେ ଆଦୌ ହ୍ୟାଟ୍ରିକ ନେଇ ନାହାନ୍ତି ବୋଲି। ଏହା ସେ ରେକର୍ଡ କରିବା ପରେ ହିଁ ଜାଣିଲେ। ମୋଟ୍ ଉପରେ ୨୦୦୧ର ଏହି କୋଲକାତା ଟେଷ୍ଟ ହରଭଜନଙ୍କ ହ୍ୟାଟ୍ରିକ୍ ଏବଂ ଦ୍ରାବିଡ୍ ଓ ଲକ୍ଷ୍ମଣଙ୍କ ପାର୍ଟନରଶିପ୍ ପାଇଁ ଭାରତୀୟ ଦର୍ଶକଙ୍କ ମନରେ ଅନେକ ଦିନ ପାଇଁ ସ୍ମୃତି ହୋଇ ରହିବ।
ଫୋ- ୭୯୭୮୬୭୧୭୭୬
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
