Advertisment

ପଦ୍ମପୁର ଉପନିର୍ବାଚନ ଫଳାଫଳ ଗୁରୁତ୍ୱପୂର୍ଣ୍ଣ

ରବି ଦାସ କୌଣସି ଉପନିର୍ବାଚନ ଫଳାଫଳ କିଛିଦିନ ପାଇଁ ରାଜନୈତିକ ମାହୋଲ ସୃଷ୍ଟି କଲେ ମଧ୍ୟ ରାଜ୍ୟ ରାଜନୀତିକୁ କୌଣସି ବଡ଼ ଧରଣର ପ୍ରଭାବ ପକାଏ ନାହିଁ। ବିଶେଷ ଭାବରେ ଯେଉଁ ରାଜ୍ୟ ବିଧାନସଭାରେ ସରକାରୀ ଦଳର ତିନି ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ରହିଛି ସେଠାରେ ଉପନିର୍ବାଚନ ଫଳାଫଳ ରାଜ୍ୟ ସରକାର ବା ରାଜନୀତିକୁ ପ୍ରଭାବିତ କରିବାର ସମ୍ଭାବନା ନଥାଏ। କିନ୍ତୁ ଏଥର ପଦ୍ମପୁର ବିଧାନସଭା ଉପନିର୍ବାଚନ ଫଳାଫଳକୁ ସାରା ରାଜ୍ୟବାସୀ ଚାତକ ଦୃଷ୍ଟିରେ ଅନେଇ ରହିବାର […]

ପଦ୍ମପୁର ଉପନିର୍ବାଚନ ଫଳାଫଳ ଗୁରୁତ୍ୱପୂର୍ଣ୍ଣ

BJP

Advertisment

ରବି ଦାସ

କୌଣସି ଉପନିର୍ବାଚନ ଫଳାଫଳ କିଛିଦିନ ପାଇଁ ରାଜନୈତିକ ମାହୋଲ ସୃଷ୍ଟି କଲେ ମଧ୍ୟ ରାଜ୍ୟ ରାଜନୀତିକୁ କୌଣସି ବଡ଼ ଧରଣର ପ୍ରଭାବ ପକାଏ ନାହିଁ। ବିଶେଷ ଭାବରେ ଯେଉଁ ରାଜ୍ୟ ବିଧାନସଭାରେ ସରକାରୀ ଦଳର ତିନି ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ରହିଛି ସେଠାରେ ଉପନିର୍ବାଚନ ଫଳାଫଳ ରାଜ୍ୟ ସରକାର ବା ରାଜନୀତିକୁ ପ୍ରଭାବିତ କରିବାର ସମ୍ଭାବନା ନଥାଏ। କିନ୍ତୁ ଏଥର ପଦ୍ମପୁର ବିଧାନସଭା ଉପନିର୍ବାଚନ ଫଳାଫଳକୁ ସାରା ରାଜ୍ୟବାସୀ ଚାତକ ଦୃଷ୍ଟିରେ ଅନେଇ ରହିବାର ମୁଖ୍ୟ କାରଣ ହେଲା ଯେ, ସେହି ଗୋଟିଏ ଉପନିର୍ବାଚନ ଫଳାଫଳ ରାଜ୍ୟର ରାଜନୀତିକୁ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଧାମନଗର ଉପନିର୍ବାଚନ ଫଳାଫଳ ଶାସକ ଦଳ ପ୍ରତି ଏକ ଧକ୍କା ହୋଇଥିଲେ ମଧ୍ୟ ତାହା ବିଜେପିର ଆସନ ଥିଲା ଓ ବିଜେପି ବିଧାୟକଙ୍କ ମୃତ୍ୟୁ ପରେ ସେହି ଉପନିର୍ବାଚନ ହେଉଥିବାରୁ ସେଠାରେ ବିଜେପି ବିଜୟୀ ହେବା ସେତେ ବଡ଼ କଥା ନୁହେଁ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ସହଜରେ କହିଦେଲେ। ଯଦିଓ ତାହା ଥିଲା ୨୦୧୯ ପରେ ପ୍ରଥମ ଉପନିର୍ବାଚନ ଯେଉଁଠାରେ ଶାସକ ଦଳର ପରାଜୟ ହେଲା।

Advertisment

୨୦୧୯ ପରେ ବିଜେପି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହୋଇଥିବା ସତ୍ତ୍ୱେ ସେମାନେ କୌଣସି ଗୋଟିଏ ହେଲେ ଉପନିର୍ବାଚନ ନୁହେଁ, ପଂଚାୟତ ଓ ପୌର ନିର୍ବାଚନରେ ମଧ୍ୟ ବିଜେଡିକୁ ମୁକାବିଲା କରିପାରିନଥିଲା। ବିଶେଷ ଭାବରେ ବିଜେପିର ଆସନ ଥିବା ବାଲେଶ୍ୱର ଉପନିର୍ବାଚନରେ ବିଜେଡି ବିଜୟୀ ହେବା ସହିତ ସବୁଗୁଡ଼ିକ ଉପନିର୍ବାଚନରେ ବିଜେପିର ପରାଜୟ ହେବା ଫଳରେ ସାଧାରଣରେ ବିଜେଡି ରାଜ୍ୟରେ ଏକଚାଟିଆ ଶାସନ ନିମନ୍ତେ ଜନସାଧାରଣ ରାୟ ଦେଇଥିବା କୁହାଯାଉଥିଲା। ସେହି ପରିପ୍ରେକ୍ଷୀରେ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିର ସମଗ୍ର ରାଜ୍ୟରେ ବିପୁଳ ବିଜୟ ଯେପରି ହେଲା ଓ ୨୦୧୭ରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଆବିର୍ଭାବ କରୁଥିବାର ଯେଉଁ ସୂଚନା ମିଳୁଥିଲା ତାହା ସବୁ ଧୋଇ ଯାଇଥିଲା। ସେହି ପୃଷ୍ଠଭୂମିରେ ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ଓ ବିଜେଡି ୨୦୧୯ ଓ ପରବର୍ତ୍ତୀ ପଂଚାୟତ ନିର୍ବାଚନଠାରୁ ଯଥେଷ୍ଟ କମ୍ ଭୋଟ ପାଇବା ପ୍ରମାଣିତ କଲା ଯେ, ରାଜ୍ୟରେ ଶାସକ ଦଳ ପ୍ରତି ଅସନ୍ତୋଷ ବୃଦ୍ଧି ପାଇଲାଣି। ବିଜେଡି ଦଳରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଓ ବିଜେଡିର ପୂର୍ବତନ ବିଧାୟକ ବିଦ୍ରୋହୀ ପ୍ରାର୍ଥୀ ଭାବରେ ସମସ୍ତ ଚାପ ସତ୍ୱେ ପ୍ରାର୍ଥୀ ହେବା ଦଳରେ ଅସନ୍ତୋଷର ଯେଉଁ ସୂଚନା ପ୍ରଦାନ କରିଥିଲା ତାହାକୁ ରାଜ୍ୟ ରାଜନୀତିରେ ଏକ ନୂଆ ସ୍ୱରୂପ ଭାବରେ ବିଚାର କରାଗଲା। କାରଣ ଶାସକ ଦଳର ନେତୃତ୍ୱ ଓ ଶୃଙ୍ଖଳା ଭିତରେ ଦଳରେ ଅସନ୍ତୋଷ କି ଧରଣର ପରିଣତି କରିପାରେ ତାହାକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଲୋଚନା କରୁଥିଲେ।

ସେହି ପୃଷ୍ଠଭୂମିରେ ସଙ୍ଗେ ସଙ୍ଗେ ପଦ୍ମପୁର ଉପନିର୍ବାଚନ ହୋଇଥିବାରୁ ଯାହାକି ଏକ ବିଜେଡି ଆସନ ତାହାର ଫଳାଫଳ ଏକ ସାଂଘାତିକ ରୂପ ନେଇପାରେ ବୋଲି ବିଚାର କରାଯାଉଛି। ଯଦି ସ୍ୱାଭାବିକ ଭାବରେ ବିଜେଡି ତାହାର ଆସନ ରକ୍ଷା କରେ ତେବେ ଧାମନଗର ଉପନିର୍ବାଚନ ପରେ ଯେଉଁସବୁ ରାଜନୈତିକ ଆଲୋଚନା ଓ କଳ୍ପନାଜଳ୍ପନା ଚାଲିଥିଲା ସେଥିରେ ଅବସାନ ଘଟିବ। ବିଜେପିର କ୍ରମବର୍ଦ୍ଧିଷ୍ଣୁ ଉନ୍ମାଦନା ବହୁ ପରିମାଣରେ କମିଯିବ। ଶାସକ ଦଳରେ ଯେଉଁ ଅସନ୍ତୋଷର ସୂଚନା ଧାମନଗର ଉପନିର୍ବାଚନ ସମୟରେ ପଦାକୁ ଆସିଛି ସେଥିରେ ଲଗାମ ଲଗାଇବା ପାଇଁ ଶାସକ ଦଳର ନେତୃତ୍ୱ  ଅନେକ ପରିମାଣରେ ସକ୍ଷମ ହେବେ। ଠିକ୍ ସେହିପରି ସେହି ଉପନିର୍ବାଚନରେ ଯଦି ବିଜେଡି ପରାଜିତ ହୁଏ ତେବେ ଦଳର ଅସନ୍ତୋଷକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ ନାହିଁ। କିନ୍ତୁ ତାହାଠାରୁ ବଡ଼ କଥା ହେଉଛି ଯେ, ବିଜେଡି ରାଜ୍ୟରେ ଅଜୟ ବୋଲି ଯେଉଁ ଧାରଣା ଥିଲା ତାହା ପୂରାପୂରି ବଦଳିଯିବ। ସମ୍ଭବତଃ ସେହି କାରଣରୁ ଅନ୍ୟ ଉପନିର୍ବାଚନରେ ଭର୍ଚୁଆଲ ପ୍ରଚାର କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ପ୍ରଚାର ପାଇଁ ପଦ୍ମପୁର ଯିବାକୁ ବାଧ୍ୟ ହୋଇଛନ୍ତି। କେବଳ ସେତିକି ନୁହେଁ, ପଦ୍ମପୁର ଉପକଣ୍ଠରେ ଥିବା ବିଭିନ୍ନ ଜାତି ଓ ସଂପ୍ରଦାୟକୁ ନିଜ ଆଡ଼କୁ ଆଣିବା ପାଇଁ କୁଲତା ସମାଜ ପାଇଁ ପୁରୀରେ ଜମି ବ୍ୟବସ୍ଥା, ଗଣ୍ଡ ସମାଜ ପାଇଁ ପ୍ରତିଶ୍ରୁତି ଓ ସର୍ବୋପରି ବର୍ଷା ସିଂହ ବରିହାଙ୍କ ସମ୍ପ୍ରଦାୟ ଭାବେ ପରିଚିତ ବିଂଝାଲ ସମାଜକୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରାଯାଇଛି। ସେହି ଅଂଚଳରେ କେନ୍ଦୁପତ୍ର ତୋଳାଳିଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କ ପାଇଁ ବୋନସ ଓ କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ୧୮ ଭାଗ ଜିଏସ୍ଟି ଲାଗୁ କରିଥିବା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ମୋଟାମୋଟି ଭାବରେ କଳେବଳେ କୌଶଳେ ପଦ୍ମପୁର ଆସନ ଜିତିବା ବିଜେଡି ପାଇଁ ଏକ ପ୍ରଥମ ପ୍ରାଥମିକତା ହୋଇଛି।

Advertisment

ପଦ୍ମପୁର ଉପନିର୍ବାଚନ ଫଳାଫଳଠାରୁ ଓଡ଼ିଶାର ରାଜନୀତି ଯେ ବଦଳିବ ତାହା ସହଜରେ କୁହାଯାଇପାରେ। ବିଜେଡି ଜିତିଲେ ମଧ୍ୟ ପ୍ରଶାସନିକ ଓ ସାଂଗଠନିକ କାର୍ଯ୍ୟକଳାପକୁ ନେଇ ସାଧାରଣରେ ଯେଉଁ ଅସନ୍ତୋଷ ରହିଛି ତାହାକୁ ସୁଧାରିବା ପାଇଁ ଦଳକୁ ପଦକ୍ଷେପ ନେବାକୁ ପଡ଼ିବ। ଯଦି ଦଳ ବିପୁଳ ଭୋଟରେ ବିଜୟୀ ହୁଏ ତେବେ ଧାମନଗର ଏକ ବ୍ୟତିକ୍ରମ ଥିଲା ବୋଲି ଦଳ ବିଚାର କରି ଆତ୍ମସନ୍ତୋଷ ଲାଭ କରିପାରେ। କିନ୍ତୁ ବିଜେଡି ଯଦି ପରାଜିତ ହୁଏ ତେବେ ୨୨ ବର୍ଷର ଶାସନ ପରେ ସରକାର ବିରୋଧରେ ଅସନ୍ତୋଷ ମୁଣ୍ଡ ଟେକୁଥିବା ସ୍ପଷ୍ଟ ହେବା ସହିତ ଦଳ ଭିତରେ ଅସନ୍ତୋଷ ଏପରି ଏକ ଧାରଣ କରିବ ଯାହାକୁ ସମ୍ଭାଳିବା ନିଶ୍ଚିତ କଷ୍ଟକର ହେବ। ନବୀନ ପଟ୍ଟନାୟକଙ୍କର ବୟସ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଏକ ନୂଆ ଉଦ୍ୟମରେ କ’ଣ କରିପାରିବେ ତାହା ନେଇ ସନ୍ଦେହ ରହିଛି। ଅପରପକ୍ଷରେ ସରକାରୀ ବିରୋଧୀ ଅସନ୍ତୋଷ ପଦାକୁ ଆସିବା କ୍ଷଣି ୨୦୨୪ ପର୍ଯ୍ୟନ୍ତ ଥିବା ସରକାରୀ ବିରୋଧରେ ଓ ମନ୍ତ୍ରୀମାନଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ପ୍ରତିରୋଧ ଦେଖାଯିବ, ଯାହାକି ମଧ୍ୟ ରାଜ୍ୟ ପାଇଁ ଏକ ସମସ୍ୟା ସୃଷ୍ଟିକରିବ। ଯେହେତୁ ବିଜୁ ଜନତା ଦଳ ଏକ ଆଦର୍ଶଭିତିକ ଦଳ ଭାବରେ କେବଳ ରାଜ୍ୟ ସ୍ୱାର୍ଥ ପାଇଁ ଗଠିତ ହୋଇଥିବା କୁହାଯାଉଛି ସେଥିରେ ଥରେ ଅସନ୍ତୋଷ ଦେଖାଗଲେ ଦଳୀୟ ନେତା ଓ କର୍ମୀମାନଙ୍କୁ ସମ୍ଭାଳିବା କଷ୍ଟକର ହେବ। ସେହି କାରଣରୁ ବିଜେଡିର ଅନେକ ନେତା ବିଜେପି ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଦଳ ଓ ସରକାର ଦୁର୍ବଳ ହେଉଥିବାର ସଂକେତ ମିଳିବା କ୍ଷଣି ସେମାନେ କେତେବେଳେ ଦଳ ଛାଡ଼ି ଚାଲିଯିବେ ତାହା କହିବା ମୁସ୍କିଲ।

ବରିଷ୍ଠ ସାମ୍ବାଦିକ

ମୋ: ୮୦୧୮୦୯୪୪୫୫

BjD Bjp Naveen Patnaik Odisha Politics Padmapur By Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe