ରୁଦ୍ର ପ୍ରସନ୍ନ ରଥ
ସେ ମ୍ୟାଚ୍ରେ ଫଳାଫଳ ପ୍ରାୟ ଆସିବାର ନଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଚାରିଗୋଟି ଶତକ ସହାୟତାରେ ମୋଟ୍ ୬୭୯ ରନ୍ କରିଥିଲା, ତାହା ବି ୭ ୱିକେଟ୍ ବିନିମୟରେ। ଏଠାରୁ ପାକିସ୍ତାନ ହାରିବାର ପ୍ରଶ୍ନ ହିଁ ନଥିଲା। କେବଳ ଭାରତ ହାରିବା କିମ୍ବା ମ୍ୟାଚ୍ ଡ୍ର ରହିବାର ପ୍ରଶ୍ନ ଥିଲା। ତେବେ ଭାରତ ବି ହାରିବା ପାଇଁ ପ୍ରସ୍ତୁତ ନଥିଲା। କାରଣ ଭାରତର ବ୍ୟାଟିଂ ଲାଇନ୍ ଅପ ବି ବେଶ୍ ତଗଡ଼ା ଥିଲା। ପୁଣି ୨୦୦୬ ମସିହାରେ ଲାହୋରର ଏହି ବ୍ୟାଟିଂ ଉପଯୋଗୀ ୱିକେଟ୍ରେ ଭାରତର ବ୍ୟାଟିଂ ଲାଇନ୍ ଅପ ଯେ ପାକିସ୍ତାନ ପେସ୍ ବାହିନୀର ବେଶ୍ ପରୀକ୍ଷା ନେବ ତାହା ପାକିସ୍ତାନକୁ ମଧ୍ୟ ଜଣାଥିଲା। ତେବେ ପ୍ରଶ୍ନଥିଲା ଯେ ଭାରତ କେତେ ସମୟ ଯାଏ ପାକିସ୍ତାନକୁ ପ୍ରତିରୋଧ କରିପାରିବ ଏବଂ ପାକିସ୍ତାନ ଆଉଥରେ ବ୍ୟାଟିଂ ସୁଯୋଗ ପାଇବ କି ନାହିଁ।
୨୦୦୬ର ଭାରତୀୟ ଦଳର ପାକିସ୍ତାନ ଗସ୍ତ ବେଶ୍ ଘଟଣା ବହୁଳ ଥିଲା। ୨୦୦୫ ମସିହାରେ ଭାରତ ତତ୍କାଳୀନ କୋଚ୍ ଗ୍ରେଗ୍ ଚାପେଲ ଏବଂ ତତ୍କାଳୀନ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ମଧ୍ୟରେ ବିବାଦ ବେଶ୍ ଚର୍ଚ୍ଚିତ ଥିଲା। ଗାଙ୍ଗୁଲୀଙ୍କୁ ଅଧିନାୟକ ପଦରୁ ହଟାଇବାର ଚକ୍ରାନ୍ତ ଚାପେଲ କରିଥିଲେ। ଗାଙ୍ଗୁଲୀଙ୍କ ନିଜସ୍ୱ ଫର୍ମ ମଧ୍ୟ ଚିନ୍ତାର କାରଣ ଥିଲା। ଗାଙ୍ଗୁଲୀଙ୍କୁ ନେଇ ଚାପେଲ ବିସିସିଆଇକୁ କରିଥିବା ଇ-ମେଲ ଲିକ୍ ହେବା ପରେ ପରିସ୍ଥିତି ଆହୁରି ବିଗିଡ଼ି ଗଲା। ଗାଙ୍ଗୁଲୀ ଅଧିନାୟକ ପଦରୁ ହଟିଗଲେ ଏବଂ ରାହୁଳ ଦ୍ରାବିଡ୍ ଅଧିନାୟକ ହେଲେ। ଏବଂ ଅଧିନାୟକ ହେବା ପରେ ଦ୍ରାବିଡ୍ଙ୍କର ପାକିସ୍ତାନକୁ ୨୦୦୬ ମସିହାରେ ପ୍ରଥମ ବିଦେଶ ଗସ୍ତ ଥିଲା।
ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ସବୁବେଳେ ରୋମାଂଚକର ହୁଏ ଏବଂ ଆଶା କରାଯାଉଥିଲା ଯେ ଏହି ମ୍ୟାଚ୍ ବି ବେଶ୍ ରୋମାଂଚକର ହେବ। ଭାରତ ପାକିସ୍ତାନକୁ ପାକିସ୍ତାନରେ ହରାଇ ଭାରତୀୟଙ୍କୁ ଆମୋଦିତ କରାଇବ। ଏହି ଟେଷ୍ଟ ସିରିଜ ପାଇଁ ଉଭୟ ଦେଶରେ ବେଶ୍ ଉତ୍କଣ୍ଠା ଲାଗି ରହିଥାଏ।
ତେବେ ପ୍ରଥମ ଟେଷ୍ଟରୁ ହିଁ ଉଭୟ ଦଳର ଖେଳାଳି ଏବଂ ଫ୍ୟାନମାନଙ୍କୁ ନିରାଶ ହେବାକୁ ପଡିଲା । ପ୍ରଥମ ଟେଷ୍ଟ ଖେଳ ହେଲା ଲାହୋରର ଗଦାଫି ଷ୍ଟାଡିୟମରେ, ଜାନୁୟାରୀ ୧୩ରୁ ୧୭ ତାରିଖଯାଏ। ଏହି ୱିକେଟରେ ବୋଲରମାନଙ୍କ ପାଇଁ ଆଦୌ କିଛି ସହାୟତା ନଥିଲା। ତେଣୁ ପାକିସ୍ତାନ ଟସ୍ ଜିତିଲା ମାତ୍ରେ ବ୍ୟାଟିଂ ପାଇଁ ବାହାରି ପଡ଼ିଲା। ଦଳ ପକ୍ଷରୁ ୟୁନିସ୍ ଖାନ ଏବଂ ମହମ୍ମଦ ୟୁସୁଫ ଶତକ ହାସଲ କଲେ। ୟୁନିସ୍ ଖାନ୍ ମାତ୍ର ଗୋଟିଏ ରନ୍ ପାଇଁ ଦ୍ୱିଶତକ(୧୯୯)ରୁ ବଂଚିତ ହେଲେ। ମହମ୍ମଦ ୟୁସୁଫ କଲେ ୧୭୩ ରନ୍। ଉଭୟଙ୍କ ମଧ୍ୟରେ ତିନିଶହ ରନର ପାର୍ଟନରଶିପ୍ ହେଲା ତୃତୀୟ ୱିକେଟ୍ ଯୋଡିରେ। ଭାରତ ଉଭୟଙ୍କୁ ଆଉଟ୍ କଲାପରେ ମ୍ୟାଚକୁ ଫେରିବାକୁ ଚେଷ୍ଟା କଲା ସତ ହେଲେ କମରନ ଅକମଲ ଏବଂ ଶହୀଦ୍ ଆଫ୍ରିଦି ଆଉ ଦୁଇଟି ଶତକ ହାସଲ କରି ମ୍ୟାଚ୍କୁ ପୂରା ପାକିସ୍ତାନ କବଜାକୁ ନେଇ ଗଲେ। ପାକିସ୍ତାନ ୧୪୩.୩ ଓଭର ଖେଳି ୬୭୯/୭ରେ ପ୍ରଥମ ପାଳି ଘୋଷଣା କଲା।
ଭାରତ ପାଇଁ ବ୍ୟାଟିଂ କରିବାକୁ ଆସିଲେ ରାହୁଲ ଦ୍ରାବିଡ୍ଙ୍କ ସହ ବୀରେନ୍ଦ୍ର ସେହବାଗ। ସେତେବେଳକୁ ରାହୁଳ ପୂର୍ବରୁ ଟେଷ୍ଟରେ ଭାରତ ପାଇଁ ଓପନ କରିଥିଲେ ବି ସଫଳ ହୋଇନଥିଲେ। ବରଂ ୮ଟି ମ୍ୟାଚରୁ ୧୨୮ ରନ୍ କରିପାରିଥିଲେ, ମାତ୍ର ୧୬ ରନ୍ ହାରରେ। ସେଥିରେ ଗୋଟିଏ ବି ଅର୍ଦ୍ଧଶତକ ନଥିଲା। ସେତେବେଳର ସ୍ଥିତି ହିଁ ସେମିତି ଥିଲା। ଦଳର ସନ୍ତୁଳନ ବଜାୟ ରଖିବାକୁ କେତେବେଳ ଦ୍ରାବିଡଙ୍କୁ ଓପନ କରିବାକୁ ପଡୁଥାଏ ତ ଆଉ କେତେବେଳେ କିପିଂ କରିବାକୁ ପଡୁଥାଏ। ଆଉ ସେସବୁକୁ ହସି ହସି ସ୍ୱାଗତ କରିବାକୁ ପ୍ରସ୍ତୁତ ଥାଆନ୍ତି ଦ୍ରାବିଡ୍।
ରାହୁଳ ଏବଂ ସେହବାଗଙ୍କ ବ୍ୟାଟିଂ ଆରମ୍ଭ ହେଲା ମାତ୍ରେ ପାକିସ୍ତାନୀ ବୋଲରଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୋଇଗଲା। ସେହବାଗ ଚିରାଚରିତ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ ଆରମ୍ଭ କଲେ। ଦ୍ୱିତୀୟ ଦିନ ଭାରତୀୟ ବ୍ୟାଟିଂରେ ମାତ୍ର ୧୩ ଓଭର ଖେଳ ସଂଭବ ହେଲା, ଆଉ ଭାରତ କୌଣସି ୱିକେଟ୍ ନ ହରାଇ କରିଥିଲା ୬୫ ରନ୍। ସେତେବେଳେ ଟେଷ୍ଟ କ୍ରିକେଟ୍ରେ ଓଭର ପିଛା ପାଂଚ ହାରରେ ରନ ସଂଗ୍ରହ କରିବା ବେଶ୍ ବଡ଼ କଥା ଥିଲା। ଦ୍ୱିତୀୟ ଦିନରେ ମାତ୍ର ଖେଳ ହେଲା ୧୫ ଓଭର, ବର୍ଷା ଯୋଗୁଁ ଖେଳ ବନ୍ଦ ହେବା ବେଳକୁ ଭାରତର ସ୍କୋର ଥିଲା ୧୪୫/୦। ଭାରତର ରନ ରେଟ୍ କି ୱିକେଟ୍ କିଛି ଖସୁ ନଥିଲା।
ତୃତୀୟଦିନ ପାକିସ୍ତାନ ବୋଲରମାନେ ଭାରତର ୱିକେଟ୍ ଖସାଇବା ପାଇଁ ପ୍ରବଳ ଚେଷ୍ଟା କଲେ। ପାକିସ୍ତାନ ବୋଲରଙ୍କ ଲକ୍ଷ୍ୟ ଥିଲା ଯେମିତି ହେଲେ ଭାରତକୁ ଫଲୋ ଅନ କରାଇବା ଏବଂ ଦ୍ୱିତୀୟ ଥର ବ୍ୟାଟିଂ କରିବା ପାଇଁ ବାଧ୍ୟ କରାଇବା। ତେବେ ସେଦିନ ସେହବାଗ ଏବଂ ଦ୍ରାବିଡ୍ ପାକିସ୍ତାନ ବୋଲରଙ୍କ ସବୁ ଆଶାରେ ପାଣି ଭରିଦେଲେ। ୯୬ ରନରେ ଅପରାଜିତ ଥିବା ସେହୱାଗ ଚୌକା ମାରି ଶତକ ହାସଲ କଲେ ଏବଂ ଭାରତ ତରଫରୁ ସେତେବେଳେ ସବୁଠାରୁ କମ୍ ବଲରେ (୯୩ ବଲରେ) ଶତକ ହାସଲ କରିବାର ରେକର୍ଡ କଲେ। ଏହା ପରେ ତାଙ୍କର ଆକ୍ରମଣ ପୂର୍ବପରି ଜାରୀ ରହିଲା। ପାକିସ୍ତାନୀ ବୋଲରମାନେ କୌଣସି ଉପାୟ ପାଉ ନଥାଆନ୍ତି। ଗୋଟିଏ ପଟେ ସେହୱାଗ ନିଜର ଆକ୍ରମଣ ଜାରୀ ରଖିଥିଲାବେଳେ ଅନ୍ୟପଟେ ଦ୍ରାବିଡ୍ ନିଜର ଷ୍ଟାଇଲିଶ୍ ବ୍ଲକିଂ ଜାରୀ ରଖିଥିଲେ। ବୋଲମାନେ ଉଭୟଙ୍କୁ ଆଉଟ୍ କରିବାର କୌଣସି ସୁଯୋଗ ପାଉ ନଥିଲେ। ସେହବାଗ ନିଜର ଆକ୍ରମଣ ଜାରୀ ରଖି ମାତ୍ର ୧୮୨ ବଲରେ ଦ୍ୱିଶତକ ହାସଲ କଲେ। ଏହା ସେତେବେଳେ ଭାରତ ପାଇଁ ଦ୍ରୁତତମ ଦ୍ୱିଶତକ ଥିଲା। ଦ୍ରାବିଡ୍ ମଧ୍ୟ ଶତକ ହାସଲ କରି ସାରିଥିଲେ। ୪ର୍ଥ ଦିନ ଖେଳ ଶେଷ ବେଳକୁ ଭାରତ ୪୦୩ ରନ୍ କରି ସାରିଥିଲା ଏବଂ ଏହାର ଓପନର ଦ୍ୱୟ ତଥାପି ଅପରାଜିତ ଥିଲେ। ପାକିସ୍ତାନୀ ବୋଲରମାନେ ଦିନ ସାରା ପ୍ରାୟ ୬୦ ଓଭର ବୋଲିଂ କରି ହାଲିଆ ହୋଇ ପଡ଼ିଥିଲେ ମଧ୍ୟ ଗୋଟିଏ ବି ୱିକେଟ୍ ପାଇ ନଥିଲେ। ମାତ୍ର ୭୫ ଓଭରରେ ୪୦୩ ରନ ସେତେବେଳେ ଗୋଟିଏ ବଡ଼ ରନ ସଂଗ୍ରହ ଥିଲା।
ପଂଚମ ଦିନ ଖେଳରୁ ଯେ ଫଳାଫଳ ମିଳିବ ଏହି ଆଶା କାହାର ନଥିଲା। ତେବେ ଗୋଟିଏ ବିଶ୍ୱ ରେକର୍ଡ ଉପରେ ସମସ୍ତଙ୍କ ନଜର ଥିଲା। ୧୯୫୬ ମସିହାରେ ଚେନ୍ନାଇରେ ପଙ୍କଜ ରୟ ଏବଂ ବିନୁ ମଙ୍କଡ ନିଉଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ୱିକେଟ୍ ପାର୍ଟନରଶିପରେ ୪୧୩ ରନ୍ ସଂଗ୍ରହ କରିଥିଲେ। ପ୍ରାୟ ପଚାଶ ବର୍ଷ ପରେ ଏହି ରେକର୍ଡ ଭାଙ୍ଗିବାର ଥିଲା। ପଂଚମ ଦିନ ଏହି ରେକର୍ଡ ଭାଙ୍ଗିବାକୁ ଦ୍ରାବିଡ୍ ଏବଂ ସେହୱାଗ ମାତ୍ର ୧୧ ରନ ଆବଶ୍ୟକ କରୁଥିଲେ। ସମସ୍ତେ ଆଶା କରୁଥିଲେ ଯେ ଦ୍ରାବିଡ୍ ଏବଂ ସେହବାଗ ଯେପରି ବ୍ୟାଟିଂ କରୁଛନ୍ତି ଏହି ରେକର୍ଡ ସହଜରେ ଭାଙ୍ଗିପାରିବେ।
ତେବେ ପଂଚମ ଦିନର ଖେଳ ଆରମ୍ଭ ହେବାର ଦୁଇ ଓଭର ଯାଇଛି କି ନାହିଁ ୨୪୭ ବଲ୍ରେ ୨୫୪ ରନ୍ କରିଥିବା ସେହବାଗ ପାକିସ୍ତାନୀ ବୋଲର ରାଣା ନାଭେଦ-ଉଲ-ହସନଙ୍କ ବୋଲିଂରେ ୱିକେଟ୍ କିପର କମରନ ଆକମଲଙ୍କ ହାତକୁ କ୍ୟାଚ୍ ଟେକି ଦେଇ ପାଭିଲିୟନ ଫେରି ଆସିଲେ। ଭାରତ ପ୍ରଥମ ୱିକେଟ୍ ହରାଇଲା ୪୧୦ ରନରେ। ସେହି ରେକର୍ଡ ଅଭଙ୍ଗା ରହିଗଲା ଦୀର୍ଘ ଦିନ ପାଇଁ। ଏହା ପରେ ଭିଭିଏସ ଲକ୍ଷ୍ମଣ ବ୍ୟାଟିଂ କରିବାକୁ ଆସିଲେ। ସେ ମାତ୍ର ଗୋଟିଏ ବଲ ଖେଳିଛନ୍ତି କି ନାହିଁ ଏହି ମ୍ୟାଚକୁ ଡ୍ର କରିବାକୁ ଉଭୟଦଳ ରାଜି ହୋଇଗଲେ। ଭାରତ ମାତ୍ର ୭୭.୨ ଓଭର ଖେଳି ୪୧୦ ରନ ସଂଗ୍ରହ କରିଥିଲା।
ଏହି ସିରିଜର ଦ୍ୱିତୀୟ ଟେଷ୍ଟ ଫୈସଲାବାଦରେ ଅନୁଷ୍ଠିତ ହୋଇଥିବାବେଳେ ଏହା ଡ୍ର ରହିଥିଲା। କରାଚୀଠାରେ ଅନୁଷ୍ଠିତ ତୃତୀୟ ମ୍ୟାଚ୍ ପାକିସ୍ତାନ ୩୪୧ ରନର ବିଶାଳ ବ୍ୟବଧାନରେ ଜିତି ସିରିଜ ଜିତି ନେଇଥିଲା। ତେବେ ସୋଏବ ଅଖତର, ନବିଦ ଉଲ୍ ହସନ, ମହମ୍ମଦ ସାମୀ ଏବଂ ସୋଏବ୍ ମଲିକ, ଡାନିଶ୍ କାନେରିଆ ଆଦି ବୋଲରଙ୍କ ଉପସ୍ଥିତିରେ ଦ୍ରାବିଡ୍ ଏବଂ ସେହବାଗ ପ୍ରାୟ ଦୁଇ ଦିନ ଯାଏ ବ୍ୟାଟିଂ କରିବାର ସ୍ମୃତି ଅନେକ ଭାରତୀୟଙ୍କ ହୃଦୟରେ ଢେର ଦିନଯାଏ ତାଜା ହୋଇ ରହିଥିଲା।
ଫୋ- ୭୯୭୮୬୭୧୭୭୬