/odisha-reporter/media/post_attachments/uploadimage/library/16_9/16_9_0/IMAGE_1757335704.jpg)
Odisha 2036 Vision
ପଞ୍ଚାନନ କାନୁନଗୋ
୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଦୀର୍ଘ ଦିନ ହେବ ଶାସନ ଗାଦୀରେ ରହି ଆସିଥିବା ବିଜୁ ଜନତା ଦଳକୁ ପଛକୁ ହଟାଇ ଭାରତୀୟ ଜନତା ପାର୍ଟି ରାଜ୍ୟରେ ସରକାର ଗଠନ କଲେ। ଶତାବ୍ଦୀର ଆରମ୍ଭରୁ ପାଞ୍ଚ ଥର ଲଗାତାର ନିର୍ବାଚିତ ହୋଇ ରାଜ୍ୟର ଶାସନଭାର ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନରୁ ଅନ୍ତର ହେଲେ। ଏହି ନିର୍ବାଚନରେ ଜଣାପଡୁଥିଲା ସତେ ଯେପରି ଦୁଇ ରାଜନୈତିକ ଦଳ ଭିତରେ କୌଣସି ଏକ ଗୁପ୍ତ ବୁଝାମଣା ସଂପନ୍ନ ହୋଇଛି। ନିର୍ବାଚନର ଫଳାଫଳ ପ୍ରକାଶ ପାଇଲା ବେଳେ ଦେଖାଗଲା ରାଜ୍ୟରେ ଥିବା ୨୧ଟି ଯାକ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି (ବିଜୁ ଜନତା ଦଳ) ପୂରାପୂରି ପୋଛି ହୋଇଯାଇଛି। ୨୦ଟି ସିଟରେ ଭାରତୀୟ ଜନତା ପାର୍ଟି ଓ ଗୋଟିଏ ସିଟରେ କଂଗ୍ରେସ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ଲୋକସଭାରେ ଓଡ଼ିଶାରୁ ୨୦ଟି ଆସନ ପ୍ରାପ୍ତି ଯେ ଭାଜପାକୁ ସରକାର ଗଢ଼ିବାରେ ସାହାଯ୍ୟ କଲା, ଏହା କୁହାଯିବାରେ ଅତ୍ୟୁକ୍ତି ହେବନାହିଁ।
ସେହିପରି ବିଧାନସଭାରେ ଭାରତୀୟ ଜନତା ପାର୍ଟି ଆବଶ୍ୟକ ସଂଖ୍ୟକ ସଭ୍ୟ ହାସଲ କରି ସରକାର ଗଢ଼ିଲା ଓ ବିଜୁ ଜନତା ଦଳ ୫୧ଟି ସିଟ୍ ପାଇ ବିଧାନସଭାରେ ବିରୋଧୀ ଦଳ ଆସନରେ ରହିଲା। ସରକାର ଗଠନ ପରେ ପୂର୍ବରୁ ଯାହାସବୁ ତୁମ୍ବିତୋଫାନ ଭାରତୀୟ ଜନତା ପାର୍ଟି ବିଜୁ ଜନତା ଦଳ ବିରୋଧରେ ବା ତାଙ୍କ ନେତାଙ୍କ ବିରୋଧରେ କରୁଥିଲା ନିର୍ବାଚନ ପରେ ସେପରି କୌଣସି ପ୍ରତିକ୍ରିୟା କାର୍ଯ୍ୟରେ ଦେଖାଦେଲା ନାହିଁ। ବରଂ ବିଜୁ ଜନତା ଦଳର ସହାୟତା ଲାଭ କରୁଥିବା ସମସ୍ତ ଉଚ୍ଚପଦସ୍ତ ଅଫିସରମାନେ ଭଲ ଭଲ ସ୍ଥାନରେ ଅବସ୍ଥାପିତ ହେଲେ। ବିଜୁ ଜନତା ଦଳ ଯେଉଁସବୁ କାର୍ଯ୍ୟକ୍ରମ ନେଇଥିଲା ତା’ର କିଛିମାତ୍ର ନାମ ବଦଳାଇ ରାନୀପାଲ୍ ଟିନୋପାଲ୍ ବିଚାରରେ କାର୍ଯ୍ୟ ଚାଲିଲା। ବେଳେ ବେଳେ ଭାରତୀୟ ଜନତା ପାର୍ଟି କୈଫତ୍ ଦେବା ଭଙ୍ଗୀରେ ବିଜୁ ଜନତା ଦଳ ସହିତ ଓ ସଂପର୍କରେ କଥା କହୁଥିଲେ।
କିନ୍ତୁ ସବୁଠାରୁ ବଡ଼ କଥା ହେଲା ଏହିପରି ଏକ ବ୍ୟବସ୍ଥା ଭିତରେ ଥାଇ ଭାରତୀୟ ଜନତା ପାର୍ଟି ସରକାର ପ୍ରତିଦିନ ଘୋଷଣା କରିଚାଲିଛି ୨୦୩୬ ମସିହାରେ ଓଡ଼ିଶାର ୧୦୦ ବର୍ଷ ପୂର୍ତ୍ତି ପାଳିତ ହେବ। ସେ ସମୟକୁ ଓଡ଼ିଶା ଏକ ପୂର୍ଣ୍ଣ ବିକଶିତ ରାଜ୍ୟରେ ପରିଣତ ହେବ। ଏହି ବିକଶିତ ରାଜ୍ୟର ଅର୍ଥଟି କ’ଣ ତାହା ସର୍ବସାଧାରଣ ଜାଣିବାକୁ ଚାହାନ୍ତି। ପ୍ରତ୍ୟେକ ନାଗରିକର ଓ ଅଞ୍ଚଳର ବିକାଶ ସମସ୍ତେ ଚାହାନ୍ତି। ବିକାଶ ବୋଇଲେ ବୁଝିବାକୁ ହେବ ଯେ, ସମସ୍ତ ନାଗରିକ ପୂର୍ଣ୍ଣ ସୁସ୍ଥ ଥାଇ ସ୍ୱାଭାବିକ ପ୍ରକ୍ରିୟାରେ କାର୍ଯ୍ୟକ୍ଷମ ହେଲେ ପୂର୍ଣ୍ଣ ମଜୁରୀ ବା ରୋଜଗାର ଲାଭ କଲେ। ଅନ୍ୟ ରାଜ୍ୟମାନଙ୍କର ସହିତ ଏହି ବିକାଶ ସବୁକୁ ତୁଳନା କରାଯିବ। ବର୍ତ୍ତମାନ ପରି ଓ ସେଥିରେ ଓଡ଼ିଶା ପଛରେ ପଡ଼ିବ ନାହିଁ।
କେରଳର ଲୋକସଂଖ୍ୟା ଓ ରାଜ୍ୟର ଭୌଗୋଳିକ ସ୍ଥିତି ସହିତ ଓଡ଼ିଶାର ଲୋକସଂଖ୍ୟା ଓ ଭୌଗୋଳିକ ସ୍ଥିତି ପ୍ରାୟତଃ ସମାନ। ସେହି ଦୃଷ୍ଟିରୁ ସେହି ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କର ମାନବୀୟ ବିକାଶ (ହ୍ୟୁମାନ୍ ଡେଭ୍ଲୋପ୍ମେଣ୍ଟ ଇନ୍ଡେକ୍ସ) ସହିତ ଓଡ଼ିଶାର ମାନବୀୟ ବିକାଶ ୨୦୩୬ ମସିହା ସମୟକୁ ଉପଲବ୍ଧ ହୋଇଥିବ ବୋଲି ସମସ୍ତେ ଆଶା କରନ୍ତି। ଏହି ମାନବୀୟ ବିକାଶଧାରାରେ କେରଳ ଆଜି ୦.୯୭୨ ମାପକରେ ଅଛି। ଅଥଚ ସେପରି ସ୍ଥଳେ ଓଡ଼ିଶାର ମାନବୀୟ ବିକାଶ (ହ୍ୟୁମାନ୍ ଡେଭ୍ଲୋପ୍ମେଣ୍ଟ ଇନ୍ଡେକ୍ସ) ମାପକ ୦.୬୭୩ରେ ଅଛି। ଏହି ହିସାବ ୟୁ.ଏନ୍.ଡ଼ି (ୟୁନାଇଟେଡ୍ ନେସନ୍ସ୍ ଡେଭ୍ଲୋପ୍ମେଣ୍ଟ) ପ୍ରକାଶ ତଥ୍ୟ ଆଧାରିତ। ଏଥିରେ ମୁଖ୍ୟତଃ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନ ଧାରାକୁ ନେଇ କରାଯାଇଛି। ଉଭୟ ରାଜ୍ୟର ବଡ଼ିମାକ୍ସ ଇନ୍ଡେକ୍ସ ତୁଳନା କଲେ କେରଳ ଓଡ଼ିଶା ଠାରୁ ଅନେକ ଆଗରେ ଶକ୍ତିଶାଳୀ ଅଛି। ପୁଷ୍ଟିହୀନତା ଓ ରକ୍ତଶୂନ୍ୟତାର ତୁଳନା କଲେ କେରଳର ମହିଳା ଓ ଶିଶୁମାନେ ଓଡ଼ିଶାର ମହିଳା ଓ ଶିଶୁମାନଙ୍କ ଠାରୁ ଖୁବ୍ ଭଲରେ ଥିବାର ଦେଖାଯାଏ। କେରଳର ଶିକ୍ଷା, କେରଳର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଉଚ୍ଚମାନର ଓ ଉଚ୍ଚ ସ୍ଥାନରେ ରହିଛି। ଓଡ଼ିଶା ୨୦୩୬ ବେଳକୁ ସେହି ସ୍ଥାନରେ ପହଞ୍ଚି ପାରିବ କି?
କେରଳର ଶାସନ ବ୍ୟବସ୍ଥାକୁ ଦେଖିଲେ ଏହି ବ୍ୟବସ୍ଥାର ମାପକ (ଗୁଡ୍ ଗଭର୍ନାନ୍ସ) ଖୁବ୍ ଭଲ ଅବସ୍ଥାରେ ଅଛି। କେରଳ ୨୦୨୪ ମସିହାରେ ଏହି ୧୦୦ରୁ ୫୯.୩୧ ମାର୍କ ରଖି ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ୫୫ ପଏଣ୍ଟରେ ଅଛି। ଓଡ଼ିଶାରେ ଏବେ ବି ସେଠି ପହଞ୍ଚିବା ସମ୍ଭବ ହୋଇପାରିନାହିଁ ଓ ୨୦୩୬ ବେଳକୁ ସମ୍ଭବ ହେବ ଏଭଳି ଚିନ୍ତା କରାଯାଇପାରୁ ନାହିଁ। ଅନେକ ଅଞ୍ଚଳରେ ଶିଶୁ ଓ ମହିଳାମାନଙ୍କୁ ଦେଖିବା ସହିତ ଓଡ଼ିଶାରେ ଶିଶୁ ମୃତ୍ୟୁ ହାର ଏବେ ବି ବହୁ ସଂଖ୍ୟାରେ ଘଟୁଛି। ସେ ସମୟରେ କେରଳର ଶିଶୁ ମୃତ୍ୟୁହାର ଗୋଟିଏ ତଳସ୍ତରରେ ରହିଥିବାର ଦେଖାଯାଏ। ୨୦୩୬ ମସିହା ବେଳକୁ ଉଭୟ ଶିଶୁ ମୃତ୍ୟୁ ହାର ମାତୃ ମୃତ୍ୟୁ ସଂଖ୍ୟାରେ କେରଳ ସହିତ ପାଦ ମିଳାଇ ପାରିବ କି? ସେହି ପ୍ରଶ୍ନଟି ଓଡ଼ିଶାବାସୀ ପଚାରୁଛନ୍ତି।
ଏବେ ଆର୍ଥିକ ସ୍ଥିତିକୁ ପରଖିବା। କେରଳରେ ବିଭିନ୍ନ ଭାବରେ ଥିବା ଦାରିଦ୍ର୍ୟ (ମଲ୍ଟି ଡାଇମେନ୍ସନାଲ୍ ପ୍ରୋଭର୍ଟି) ବର୍ତ୍ତମାନ ୦.୦୦୦୨ ସ୍ତରରେ ଅଛି। ଅର୍ଥାତ୍ ଦାରିଦ୍ର୍ୟ ଶୂନ୍ୟ କେରଳ, ଅଥଚ ସେହି ସମୟରେ ଓଡ଼ିଶାର ଦାରିଦ୍ର୍ୟ ୧୭%ରୁ ଅଧିକ ଥିବାର ସରକାରୀ ଭାବେ କୁହାଯାଉଛି। ୨୦୩୬ ବେଳକୁ ଓଡ଼ିଶାର ଦାରିଦ୍ର୍ୟ ସଂଖ୍ୟା ସେହି ସ୍ତରକୁ ଆସିବ କି? ସମସ୍ତଙ୍କର ବଡ଼ ପ୍ରଶ୍ନ ଏବଂ ଏହି ଦାରିଦ୍ର୍ୟ ହାର ରାଜ୍ୟର ସବୁ ଅଞ୍ଚଳରେ ପାଖାପାଖି ରହିବ କି? କାରଣ ବିକାଶ ସମଭାବରେ ସବୁ ଅଞ୍ଚଳକୁ ସ୍ପର୍ଶ କରିଥିବା ଦରକାର। କେରଳରେ ମାଟିତଳେ ଥିବା ସଂପତ୍ତି ଠାରୁ ବହୁ ଅଧିକ ମୂଲ୍ୟର ସଂପତ୍ତି ଓଡ଼ିଶାରେ ଅଛି। ତାହାକୁ ତୁଳନା କରାଯାଇପାରିବ ନାହିଁ। କିନ୍ତୁ ଓଡ଼ିଶା ଅଭାବ ଅନାଟନ ଭିତରେ ରହିଥିବା ବେଳେ କେରଳ ଆର୍ଥିକ ସ୍ଥିତିରେ ଦୃଢ଼ ରହିଥିବା ଦେଖାଯାଇଛି। ତା’ର କାରଣ କେରଳରେ ଉନ୍ନତମାନର ପର୍ଯ୍ୟଟନ। ପର୍ଯ୍ୟଟନ କ୍ଷେତ୍ରରେ କେରଳ କେବଳ ଭାରତବାସୀ ନୁହଁନ୍ତି, ସାରାବିଶ୍ୱକୁ ଆକୃଷ୍ଟ କରୁଛି। ସେଥିରେ ରାଜ୍ୟର ଅନେକ ରୋଜଗାର ହେଉଛି। ତତ୍ସହିତ ନିଯୁକ୍ତି କ୍ଷେତ୍ର ମଧ୍ୟ ପ୍ରସସ୍ତ ହୋଇଛି। ଅଥଚ ଓଡ଼ିଶାରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନକ୍ଷେତ୍ର ରହିଥିଲେ ମଧ୍ୟ ତା’ର ପ୍ରସ୍ତୁତି ଏବେ ବି ହୋଇପାରିନାହିଁ।
କେରଳର ମଣିଷମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ, ସ୍ୱାସ୍ଥ୍ୟରେ ଅନେକ ଉନ୍ନତ ଓ ଶିକ୍ଷାରମାନ ଉଚ୍ଚତର। ଯେଉଁଥିପାଇଁ କେରଳରେ ପ୍ରତ୍ୟେକ ମଣିଷ ବଞ୍ଚି ରହିବାର ସମୟ ଜନ୍ମ ବେଳେ ୮୧ ହୋଇଥିବା ବେଳେ ଆଜି ବି ଓଡ଼ିଶାରେ ଜନ୍ମ ବେଳେ ମଣିଷର ବୟସ ୭୦-୭୧ ବୋଲି ସରକାରୀ ଭାବେ କୁହାଯାଇଛି। କେବଳ କେରଳ ନୁହେଁ, ଅନେକ ରାଜ୍ୟ ଯଥା- ଆନ୍ଧ୍ର, ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ଗୁଜୁରାଟ, ମହାରାଷ୍ଟ୍ର ତୁଳନାରେ ଓଡ଼ିଶା ପୂର୍ବ ବର୍ଣ୍ଣିତ କ୍ଷେତ୍ରମାନଙ୍କରେ ପଛରେ। ତେବେ ପୂର୍ଣ୍ଣ ବିକଶିତ ପାଇଁ କେରଳକୁ ହିଁ ନିଆଗଲା। କେରଳ ସହିତ ସମକକ୍ଷ ହେବା ପାଇଁ ଓଡ଼ିଶା ୨୦୩୬ ମସିହା ବେଳକୁ ଯଦି ନିଜକୁ ଛିଡ଼ା କରାଇପାରିଥିବ ତେବେ ଓଡ଼ିଶା ଏକ ବିକଶିତ ରାଜ୍ୟ ବୋଲି କୁହାଯାଇପାରିବ। ଆଜି ଯେଉଁମାନେ ଓଡ଼ିଶା ଏକ ବିକଶିତ ରାଜ୍ୟ ହେଇପାରିବାର ସ୍ୱପ୍ନ ବାଣ୍ଟୁଛନ୍ତି, ସେମାନେ ଏଥିପାଇଁ ତିଆରି କରିଥିବା ଭିଜନ୍ ପେପର୍ ଓ ତା’ର ବାର୍ଷିକ ମାଇଲଷ୍ଟୋନ୍ ପ୍ରସ୍ତୁତ କଲେଣି କି? ନା ଅପେକ୍ଷା କରିଛନ୍ତି ଏପରି ବିକାଶ ନକରି ପାରିଲେ ପ୍ରକୃତି ଉପରେ ଦୋଷ ଦେଇ ଅବା ଅନ୍ୟ କୌଣସି କାରଣ ଦେଖାଇ ଖସିଯିବେ?
ଏସବୁକୁ ବିଚାର କଲାବେଳେ ଅନ୍ୟ ଏକ କଥା ସାମ୍ନାକୁ ଆସେ। ବର୍ତ୍ତମାନର ସରକାର ଆସିଛନ୍ତି ମାତ୍ର ୫ ବର୍ଷ ପାଇଁ। ଅର୍ଥାତ୍ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ୨୦୨୯ ବେଳକୁ ଏହାଙ୍କ ସମୟ କାର୍ଯ୍ୟ ପୂରି ଯାଇଥିବ। କିନ୍ତୁ ସେ ୨୦୩୬ ପର୍ଯ୍ୟନ୍ତ ବାଣ୍ଟୁଥିବା ସ୍ୱପ୍ନକୁ ଏହି ୫ ବର୍ଷ ଭିତରେ କେତେ ପରିମାଣରେ ଏବଂ କେଉଁ ଅବସ୍ଥାରେ ପହଞ୍ଚାଇ ପାରିଛନ୍ତି ସେଥିପାଇଁ ବିକାଶର ପ୍ରମାଣ ରଖିବା ଦରକାର। ସମସ୍ତେ ବିକାଶ ଚାହାନ୍ତି। ଆଜିର ଓଡ଼ିଶାର ପ୍ରତ୍ୟେକ ଯୁବକ ଛାତ୍ର, ସମସ୍ତଙ୍କର ଇଚ୍ଛା ଓଡ଼ିଶା ଏକ ବିକଶିତ ରାଜ୍ୟ ହେଉ। ଯେଉଁଥିପାଇଁ ସରକାରଙ୍କ ପ୍ରଚାର କାନକୁ ଭଲ ଶୁଭୁଛି ଓ ଆଖିକୁ ଭଲ ଦେଖାଯାଉଛି। ଏହାର ଅର୍ଥ ନୁହେଁ ଯେ, ଏହିସବୁ ପ୍ରଚାର ସରକାରଙ୍କ କଥା ଅନୁସାରେ କାର୍ଯ୍ୟକାରୀ ହୋଇଯିବ। ଆଶା ଓ ବିଶ୍ୱାସ ଅଞ୍ଚଳ ଅଞ୍ଚଳ ଭିତରେ ଥିବା ବୈଷମ୍ୟ ଦୂର କରି ଆର୍ଥିକ ବିକାଶର ମାନଦଣ୍ଡ ଓଡ଼ିଶାରେ ଏକ ସମୃଦ୍ଧ ଶକ୍ତିଶାଳୀ ଚିତ୍ର ଉପସ୍ଥାପନ କରିବ। ଅଞ୍ଚଳ ଅଞ୍ଚଳ ଭିତରେ ଥିବା ମଣିଷଙ୍କର ସମସ୍ତ ମାପକ ଗୋଟିଏ ସ୍ତରର ହୋଇଥିବ। ଏହିପରି ଏକ ବିକାଶ ୨୦୩୬ ମସିହା ସୁଦ୍ଧା ଓଡ଼ିଶାବାସୀ ଆଶା କରନ୍ତି।
ଫୋ- ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
