Advertisment

କେତେଦିନ କାଗଜ ଡଙ୍ଗା ଭସାଇବା?

ଏବେ ସମସ୍ତ ଓଡ଼ିଆଙ୍କର ସ୍ମରଣ କରିବାର ଅଛି ଯେ, କେତେଦିନ ଏହିପରି ଚାଲିବ ଆଉ? ଏଥିରୁ ମୁକ୍ତ ହୋଇ କେବେ ଆମର ଉତ୍ପାଦନ ବାହାର ଦେଶକୁ ପଠାଇବା ଓ ତା’ର ବଜାର ଖୋଲିବା?

dangi bhasa

Dangi Bhasa Photograph: (Internet)

Advertisment

ପଞ୍ଚାନନ କାନୁନଗୋ

କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ଚଳଚଞ୍ଚଳ ହୋଇଉଠେ ନଗରରୁ ପୂରପଲ୍ଲୀ ଯାଏ। ଓଡ଼ିଆ ଘରର ଲଳନାମାନେ କାର୍ତ୍ତିକ ପୂର୍ଣ୍ଣିମାର ଶୀତ ଅନ୍ଧାରରୁ ଶେଯ ତ୍ୟାଗ କରି ସଜ୍ଜିତ ହୋଇ ହାତରେ ଦୀପଟିଏ, କାଗଜର ଡଙ୍ଗାଟିଏ ଧରି ଧାଇଁ ଯାଆନ୍ତି ନଈକୂଳକୁ, ପୋଖରୀ କୂଳକୁ ଅବା ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସାଗର କୂଳକୁ। ଆ କା ମା ବୈ.. ଡାକରେ ସର୍ବତ୍ର ପ୍ରକମ୍ପିତ ହୁଏ ଓଡ଼ିଆ ନାରୀଙ୍କର ହୁଳ ହୁଳି ସ୍ୱରରେ ଦୀଗ ପ୍ରକମ୍ପିତ ହୁଏ। ବାସ୍‍ ମୂହୁର୍ତ୍ତ କେତୋଟି ପରେ ଏସବୁର ଅବସାନ ଘଟେ। କୋଉଠି କେମିତି ବଡ଼ ବିପଣୀ ଖୋଲି ଦୋକାନ ବଜାରରେ କାରବାର ଆରମ୍ଭ ହୁଏ ଏବଂ କିଛି ନେତା ସଭାର ଆୟୋଜନ କରି ଜାତିର ଐତିହ୍ୟ, ଜାତିର ସଂସ୍କୃତି, ଗର୍ବ, ଗୌରବ, ଅସ୍ମିତାକୁ ସ୍ମରଣ କରି ଭାଷଣ ଦେବା ଦେଖାଯାଏ। ବେକରେ ଗୋଟିଏ ଫୁଲମାଳ ବା ଉତ୍ତରୀୟ ଧରି ସଗର୍ବେ ଘରକୁ ଫେରନ୍ତି। କିନ୍ତୁ ଏ ଜାତିର ଡଙ୍ଗା ଯେ ବହୁତ ଦିନରୁ ନଈ ଅବବାହିକାରେ ବୁଡ଼ିଯାଇଛି, ତା’ ଉପରେ ସ୍ତର ସ୍ତର ମାଟି ବାଲି ଜମିଯାଇଛି ଏକଥା ସେମାନେ ଦେଖିପାରନ୍ତି ନାହିଁ। 

Advertisment

ଦିନେ ଆମ ଜାହଜରେ ଭରି ରହୁଥିଲା ଏ ଜାତିର କାରୁକାର୍ଯ୍ୟଭରା ସମ୍ପଦ। ବିଭିନ୍ନ ଜାତିର ବିଭିନ୍ନ ଧରଣର ବସ୍ତ୍ର, ପରମ୍ପରାର ଉଦଘୋଷଣା କରି ତିଆରି ହେଉଥିବା କଂସା ପିତ୍ତଳ ବାସନ, ବିଭିନ୍ନ ଅଳଙ୍କାର, ଜଙ୍ଗଲରୁ ସାଉଁଟା ହୋଇ ଆସୁଥିବା ମହୁ, ଝୁଣା ଓ ଅନେକ ଜଙ୍ଗଲଜାତ ଦ୍ରବ୍ୟ ଯାହାର ତାଲିକା କେବଳ ଇତିହାସ ପଢ଼ିଲେ ଦେଖିବାକୁ ମିଳେ। ସେସବୁ ଆଜି ଯାଉନାହିଁ। ଆମ ରାଜ୍ୟରେ ୪୨୦ କି.ମି ବ୍ୟାପି ସାଗର ତଟରେ ବିଭିନ୍ନ ସମୟରେ ଥିବା ପ୍ରାୟ ୧୮ଟି ବନ୍ଦର, ଉତ୍ତରରେ ତାମ୍ରଲିପ୍ତ ଠାରୁ ଦକ୍ଷିଣରେ କଳିଙ୍ଗପଟନମ୍‍ ପର୍ଯ୍ୟନ୍ତ ଆଜି ଆଉ ନାହିଁ। ସେସବୁ ଜାଗାରେ ଆଜି ସହର ଗଢ଼ି ଉଠିଛି। ଅଥଚ ଅନ୍ୟ ତିନୋଟି ସ୍ଥାନରେ ଓଡ଼ିଆଙ୍କ ପାଇଁ ତିନୋଟି ବନ୍ଦର ତିଆରି ହୋଇସାରିଛି। ଗୋଟିଏ ବନ୍ଦର ୫୦ ଦଶକର ପ୍ରାନ୍ତରେ ଓ ୬୦ ଦଶକର ଆଦ୍ୟକାଳରେ ପାରାଦ୍ୱୀପ ଠାରେ ନିର୍ମିତ ହୋଇଥିଲା। ଏହାର ପ୍ରତିଷ୍ଠାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହର୍ଲାବଲ୍‍ ନେହେରୁ ଯୋଗ ଦେଇଥିଲେ। ସେ ବନ୍ଦରଟି ଆଜି ସମଗ୍ର ଭାରତ ବର୍ଷରେ ବୃହତ ବନ୍ଦରମାନଙ୍କ ଭିତରେ ସ୍ଥାନିତ ହୋଇଛି। ଓଡ଼ିଆଏ ଜାଣିବା ଦରକାର ଏହି ବନ୍ଦର ନିର୍ମାଣ କାଳରେ ବଡ଼ ସ୍ୱପ୍ନ ଦେଖାଯାଇଥିଲା। ମଧ୍ୟପ୍ରଦେଶ, ବିହାର ଓ ଓଡ଼ିଶାରୁ ଉତ୍ପାଦିତ ଦ୍ରବ୍ୟ ବିଦେଶ ଯିବ। ଆମ ଜାତିର ସାଧବ ପୁଅ ବଣିକମାନଙ୍କ ସ୍ଥାନରେ ଆମ ଜାତିର ରାଷ୍ଟ୍ର ବାଣିଜ୍ୟ ଉନ୍ନତ ହେବ, ରାଜ୍ୟ ସମୃଦ୍ଧ ହେବ। ଅତୀତରେ ଦିନେ ଆମର ସମ୍ପତ୍ତି ଓ ସମୃଦ୍ଧି ପାଇଁ ଗୌରବ ଫେରିଆସିବ। 

ସେହି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା। ଆମ ବନ୍ଦରରୁ ପ୍ରଥମ ଜାହାଜ ରପ୍ତାନୀ କରିଥିଲା ଲୁହାପଥର। ୧୯୫୮ ମସିହାର ରାଜ୍ୟପାଳ ସୁକଥାଙ୍କରଙ୍କର ଅଭିଭାଷଣ ଅନୁସାରେ ସେହିବର୍ଷ ୧ ଲକ୍ଷ ମେଟ୍ରିକ୍‍ ଟନ୍‍ ଲୁହାପଥର ରପ୍ତାନୀ ହୋଇଥିଲା ବୋଲି ବିଧାନସଭାରେ ଘୋଷଣା କରିଥିଲେ। ଆଜି ପର୍ଯ୍ୟନ୍ତ ଲୁହାପଥର ରପ୍ତାନୀକାରୀ ଭାବେ ପାରାଦ୍ୱୀପର ଅଭିବୃଦ୍ଧି ଘଟିଛି, ପରିଚୟ ଦୃଷ୍ଟି କରିଛି। ଅବଶ୍ୟ ବନ୍ଦର ଏବେ ବହୁତ ଲକ୍ଷ ଟନ୍ରସ ଲୁହାପଥର ସହିତ କ୍ରୋମାଇଟ୍‍ ପଥର ଓ କୋଇଲା ବାହାରକୁ ପଠାଇବାରେ କ୍ଷମତା ହାସଲ କରିଛି। ଏକ ବଡ଼ ବଲ୍କ କାର୍ଗୋ ରପ୍ତାନୀ ଆମଦାନୀକାରୀ ବନ୍ଦର ଭାବେ ପାରାଦ୍ୱୀପର ପ୍ରତ୍ୟେକ ବର୍ଷର ହିସାବ ଖସଡ଼ା ପ୍ରସ୍ତୁତ ହେଉଛି। ଗୋଟିଏ ହେଲେ ବି କଣ୍ଟେନର୍‍ ଜାହାଜ ଯେଉଁଥିରେ ଆମ ଦେଶର, ଆମ ରାଜ୍ୟର ଉତ୍ପାଦନ ନେବା ଆଣିବା କାର୍ଯ୍ୟରେ ଏ ବନ୍ଦରରେ ଦେଖାଯାଉନାହିଁ।

Advertisment

ଆମ ରାଜ୍ୟ ମାଟି ଖୋଳି ବିକ୍ରି କରିବାରେ ପ୍ରସିଦ୍ଧ ଲାଭ କରିଛି। ପ୍ରଶଂସା ଶୁଣୁଛି। ମେଗା ବନ୍ଦର (ଅବଶ୍ୟ ଏହାର ଅର୍ଥ ମୋତେ ଜଣାନାହିଁ) ହେବାର ପ୍ରତିଶ୍ରୁତି ଆମକୁ ମିଳୁଛି। ଆମ ଜାତିର କୋଣାର୍କ ମନ୍ଦିର ଗୌରବ ଗାଥା ଶୁଣୁଛି। ବନ୍ଦରକୁ ଏବେ କୋଇଲା ଓ ଲୁହାପଥରରେ ପରିପୂର୍ଣ୍ଣ ଅଞ୍ଚଳରୁ ଦୁଇଟି ରେଳ ଲାଇନ୍‍ ସଂଯୋଗ ହୋଇଛି। ଗୋଟିଏ କଟକ ପଟେ ପାରାଦ୍ୱୀପ ଆଉ ଗୋଟିଏ ହାରିଦାସପୁରରୁ କେନ୍ଦ୍ରାପଡ଼ା ଦେଇ ପାରାଦ୍ୱୀପ ରେଳ ଲାଇନ୍‍ ସଂଯୋଗ ହୋଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଆଉ କିଛି ନୁହେଁ, ମାଟି ଭିତରେ ଗଚ୍ଛିତ ଥିବା ସମ୍ପତ୍ତିକୁ ଖୋଳି ଖାଳି ରପ୍ତାନୀ କରିବା ହିଁ ମୁଖ୍ୟ ଉଦ୍ଦେଶ୍ୟ। ଏ ଜାତିର ସମୃଦ୍ଧି କେବଳ ଲୋକ ଦେଖାଣିଆ। କାର୍ତ୍ତିକ ପୂର୍ଣ୍ଣିମାରେ ମନେ ପକାଉଥିବା ସାଧବ ବା ବଣିକମାନଙ୍କର ସମୃଦ୍ଧି ଏପର୍ଯ୍ୟନ୍ତ କଣିଚାଏ ବି ସମ୍ଭବ ହୋଇନାହିଁ। 

ରାଜ୍ୟରେ ଆଉ ଦୁଇଟି ବନ୍ଦର ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି। ଦକ୍ଷିଣରେ ଗୋପାଳପୁର ଓ ଉତ୍ତରରେ ଧାମରା। ଧାମରା ବନ୍ଦରର ସ୍ଥିତି ଇତିହାସରେ ଦେଖିବାକୁ ମିଳେ। ଠାକୁରାଣୀ ମା’ ଧାମରେଇ ଏହି ବନ୍ଦରର ରକ୍ଷାକର୍ତ୍ତି ଥିଲେ, ଆଜି ବି ଅଛନ୍ତି। କିନ୍ତୁ ସେହି ବନ୍ଦର ଆଜି କେବଳ କୋଇଲା ଲୁହାପଥର ରପ୍ତାନୀକାରୀ ବା ଆମଦାନୀକାରୀ ବନ୍ଦର ଭାବେ ଦେଖାଯାଉଛି। ଶିଳ୍ପପତି ଆଦାନୀଙ୍କର ନା ବନ୍ଦରର ପ୍ରତ୍ୟେକଟି ଜିନିଷରେ ଖୋଦିତ ହୋଇଛି। ଧାମରା ବନ୍ଦର ଅପେକ୍ଷା ଏ ବନ୍ଦର ଆଦାନୀ ବନ୍ଦର ଭାବେ ଖ୍ୟାତ ହେବା ଆଉ ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି। କେତୋଟି ହଜାର ମୂଲିଆ ମଜୁରିଆ ଓଡ଼ିଆ ଜାତିରୁ ସୃଷ୍ଟି ହେବା ପରିବର୍ତ୍ତେ ଓଡ଼ିଶାର ସମୃଦ୍ଧିରେ ଏ ବନ୍ଦରର ଅବଦାନ କିଛି ନଥିଲା ପରି ମନେହୁଏ। ଏ ବନ୍ଦରର ଇତିହାସ ସହିତ ଏକ ବଡ଼ ସଂସ୍କୃତି ଓ ପରମ୍ପରା ଯୋଡ଼ି ହୋଇ ରହିଛି। ଏଠି ଥିବା ମା’ ଧାମରେଇ କୌଣସି ବ୍ରାହ୍ମଣଙ୍କ ଦ୍ୱାରା ପୂଜିତ ନୁହଁନ୍ତି। ମାଟିର ଆଦ୍ୟ ବଣିକ କୈବର୍ତ୍ତ ସ୍ତ୍ରୀ ଦ୍ୱାରା ଏବେ ବି ପୂଜା ପାଉଛନ୍ତି। କେହି ଛୁଆଁ ଅଛୁଆଁ ଭେଦଭାବ ଏଠି ଦେଖୁନାହାନ୍ତି। ତାହା ହିଁ ଭାରତବର୍ଷର ସଂସ୍କୃତିର ବୈଶିଷ୍ଟ୍ୟକୁ ନେଇ ସାରା ବିଶ୍ୱକୁ ଅତୀତରୁ ଆଜି ପର୍ଯ୍ୟନ୍ତ ଦେଖାଇ ଚାଲିଛି। 

ଏହି ବନ୍ଦରଟି ୧୯୯୮ ମସିସହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ଘାୋଟନ କରିଥିଲେ। ସେ ସମୟରେ ନିଶ୍ଚୟ ଆଶା ବାନ୍ଧିଥିବେ ଜାତିର ସମୃଦ୍ଧି ଉଦ୍ଦେଶ୍ୟରେ ବନ୍ଦର କାର୍ଯ୍ୟ କରିବ। କିନ୍ତୁ ଆଜି ବି ତାହା ଦେଖାଯାଉନାହିଁ। ଦକ୍ଷିଣ ପଟେ ଆଉ ଏକ ବନ୍ଦର ନିର୍ମାଣ ହୋଇଛି। ତାହା ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ। ସେହି ବନ୍ଦରର କାର୍ଯ୍ୟ କେବଳ ବଲ୍କ କାର୍ଗୋ ନେବା ଆଣିବା କାର୍ଯ୍ୟରେ ଏପର୍ଯ୍ୟନ୍ତ ସୀମିତ ରହିଥିବା ଦେଖାଯାଉଛି। ସେଠୁ ଆଉ କିଛି ରପ୍ତାନୀଯୋଗ୍ୟ ପଦାର୍ଥ ବାହାରକୁ ଯାଉନାହିଁ କିମ୍ବା ବାହାରୁ ଆସୁନାହିଁ। ପରବର୍ତ୍ତୀ କାଳରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ରାଜ୍ୟରେ ୭ ଗୋଟି ବନ୍ଦର ନିର୍ମାଣ ହେବ ବୋଲି ଘୋଷଣା କରାଗଲା। ସେ କଥା ଶୁଣିଲେ ଯିଏ କେହି ଚିନ୍ତାଶୀଳ ବ୍ୟକ୍ତି ହସୁଥିଲେ, ତାତ୍ସଲ୍ୟ କରୁଥିଲେ। ତାଙ୍କର ୨୪ ବର୍ଷ ଶାସନ ପୂରିଲା ସିନା ସେହି ତାତ୍ସଲ୍ୟ ସତରେ ପରିଣତ ହେଲା। 

ଗୋଟିଏ ବି ବନ୍ଦର ଆଉ କେଉଁଠି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ବନ୍ଦରର ଆବଶ୍ୟକତା ପାଇଁ ଯାହାସବୁ ଦରକାର ତାହା ଏ ରାଜ୍ୟରେ ନାହିଁ। କେବଳ ମାଟି ଖୋଳି ବିଦେଶକୁ ବିକ୍ରି କରିବା ଶ୍ରେୟ ହେବ ସିନା ଏ ଜାତିର କୌଣସି ସମୃଦ୍ଧି ହେବନାହିଁ। ଯାହାହେଉ ତିନିଗୋଟି ବନ୍ଦର ଆଜି ରହିଛି। ସେ ବନ୍ଦରମାନଙ୍କରେ କାଗଜ ଡଙ୍ଗା ଭସାଯାଇ ହଜାର ହଜାର ଓଡ଼ିଆ ଲଳନା ଆ କା ମା ବୈ.. ର ଡାକରା ଦେଉଛନ୍ତି। ଏ ଆ କା ମା ବୈ.. ର ଅର୍ଥ ଥିଲା ଆଷାଢ଼, କାର୍ତ୍ତିକ, ମାଘ, ବୈଶାଖ ଚାରି ଋତୁର ଚାରି ମାସକୁ ସ୍ମରଣ କରି ତାଙ୍କ ଠାରୁ ଭରଷା ପ୍ରାପ୍ତି ପାଇଁ ଆହ୍ୱାନ କରିବା। କାରଣ ସେ ସମୟରେ ଯେଉଁସବୁ ନୌକା ସମୁଦ୍ରରେ ଯାତାୟତ କରୁଥିଲା ସେସବୁ ପାଣିପାଗ ଓ ତତ୍ଜରନିତ ବାୟୁ ଚାଳନ ଅନୁସାରେ ଧାର୍ଯ୍ୟ ହେଉଥିଲା। ସେଥିପାଇଁ ଓଡ଼ିଆ ନାରୀ ଡାକୁଥିଲା “ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର।” କିନ୍ତୁ ଏବେ ଆ କା ମା ବୈ.. ର ଅର୍ଥ ହେଉଛି ଆଉ କାହିଁକି, ମାତୃଭୂମିର ବୈରୀ ସାଜିବା? ବର୍ତ୍ତମାନ ମା’ ମାଟିକୁ ବିଦୀର୍ଣ୍ଣ କରି ତା’ ଭିତରେ ସାଇତି ରଖିଥିବା ସମସ୍ତ ସମ୍ପତ୍ତି ବିଦେଶକୁ ପଠାଇବାରେ ଆମେ ବାହା ବାହା ନେଉଛୁ। ମା’ କୁ କଷ୍ଟ ହେଉଛି, ମାତୃଭୂମିର ସମ୍ପଦ ନଷ୍ଟ ହେଉଛି, ଅପରପକ୍ଷରେ କିଛି ବେପାରୀ ଲାଭବାନ୍‍ ହେଉଛନ୍ତି ଓ ଆମକୁ ନୁଖୁରା ପ୍ରଶଂସା କରୁଛନ୍ତି। 

ଏବେ ସମସ୍ତ ଓଡ଼ିଆଙ୍କର ସ୍ମରଣ କରିବାର ଅଛି ଯେ, କେତେଦିନ ଏହିପରି ଚାଲିବ ଆଉ? ଏଥିରୁ ମୁକ୍ତ ହୋଇ କେବେ ଆମର ଉତ୍ପାଦନ ବାହାର ଦେଶକୁ ପଠାଇବା ଓ ତା’ର ବଜାର ଖୋଲିବା? ବିଭିନ୍ନ ଜାଗାରେ କାର୍ତ୍ତିକ ପୂର୍ଣ୍ଣମୀରେ ଅନୁଷ୍ଠିତ ହେଉଥିବା ବାଲିଯାତ୍ରାରେ ଆମ ରାଜ୍ୟରେ ତିଆରି ହେଉଥିବା ଅଳ୍ପକିଛି ଘରୋଇ ଉତ୍ପାଦନ ନେଣ ଦେଣ ହେଉଛି। ଶହ ଶହ ବେଲୁନ୍‍ ବିକାଳୀ ବେଲୁନ୍‍ ବିକୁଛନ୍ତି, ପିଲାଏ କିଣୁଛନ୍ତି, କ୍ଷଣକ ପରେ ତାହା ଫାଟିଯାଉଛି। ପେଁ କାଳୀ ଦୋକାନୀ ପେଁ କାଳୀ ବିକୁଛି, କ୍ଷଣକ ପରେ ସେ ପେଁ କାଳୀର ଶବ୍ଦ ଆଉ ଶୁଭୁନି। କୈବର୍ତ୍ତ ସଂହିତାର ଉକ୍ତି ଅନୁସାରେ ଗୋଟିଏ ଜାତି ଧିବରରୁ ୬୪ ଜାତିର ସୃଷ୍ଟି। ସେଥିରୁ ଅତୀତରେ ଏଠାରେ ସୃଷ୍ଟି ହୋଇଛି ଗୋଟିଏ ଜାତି ଯେଉଁମାନେ ଅତୀତରେ ଗୁଡ଼ିଆ ଭାବରେ ସମାଜରେ ପ୍ରତିଷ୍ଠିତ ଥିଲେ, ସେହି ବୃତ୍ତିରେ ଥିବା ଜାତିର ଅନ୍ୟ ଏକ ରୂପାନ୍ତରୀତ ବ୍ୟବସ୍ଥା ଦେଖିବାକୁ ମିଳୁଛି, ଦୋକାନରେ ଭିଡ଼ ଜମୁଛି। ସେଠି ଠୁମ୍କା  ପୁରୀ, ଆଳୁ କୋବିର ମସଲା ଦିଆ ତରକାରୀ, ରସାବଳୀ, ରସଗୋଲା ପ୍ରଭୃତି ସ୍ୱାଦିଷ୍ଟ ଖାଇବାରେ ଯାତ୍ରାରେ ବୁଲୁଥିବା ସମସ୍ତ ବ୍ୟକ୍ତି ସନ୍ତୁଷ୍ଟ ହେଉଛନ୍ତି। କେହି କେବେ ପଚାରିନାହିଁ, ଏଠି କ’ଣ ସବୁ ଠୁଳ ହୋଇଥିବା ଜିନିଷ ବାହାର ଦେଶକୁ ଯିବା ପାଇଁ ଅଛି ବା ଯାଉଛି।

ଏପରି ଏକ ଅବ୍ୟବସ୍ଥିତ ସ୍ଥିତିରେ ଏହି ଜାତିଟି ବଞ୍ଚିଛି। ସମୃଦ୍ଧି ନାହିଁ, ସଂସ୍କାର ଲୋପ ପାଉଛି, ପରମ୍ପରା ଲୋପ ପାଉଛି, ସଂସ୍କୃତି ଲୋପ ପାଉଛି। ଗହ୍ମା ପୂର୍ଣ୍ଣିମାରେ ଗୋ ପୂଜନ ପରମ୍ପରା ଧୀରେ ଧୀରେ ଲୋପ ପାଉଛି ଅଥଚ ରାକ୍ଷୀ ବନ୍ଧନ ଯେଉଁଥିରେ କିଛି ବାହାର ବ୍ୟବସାୟୀ ଲାଭବାନ୍‍ ହେଉଛନ୍ତି। ସେହି ପରମ୍ପରା ଆମକୁ ଜାବୁଡ଼ି ଧରିଲାଣି। ଆମ ଜଗନ୍ନାଥଙ୍କ ୧୨ ମାସରେ ୧୩ ଯାତରା କ୍ଷୟ ହେବାରେ ଲାଗିଛି। ତାହା ଜାଗାରେ ବାହାର ରାଜ୍ୟର ଅନେକ ପରମ୍ପରା ଯଥା, ଦାଣ୍ଡିଆ ସଂସ୍କୃତି ଆମ ବଜାରରେ ବେଶ୍‍ ଜମିଗଲାଣି। ଆମର ଯାଦବମାନଙ୍କ ଲଉଡ଼ି ଖେଳ ବା କୈବର୍ତ୍ତମାନଙ୍କର ଚଇତି ଘୋଡ଼ାମାନଙ୍କର ସ୍ୱର ଆଉ ବଜାରରେ ଶୁଭୁନାହିଁ। ଆଉ କେତେଦିନ ଚାଲିବ ଆମ ପରମ୍ପରା, ଆମ ସଂସ୍କୃତିକୁ କ୍ଷୁର୍ଣ୍ଣ କରି ଇତିହାସ ଆଧାରରେ ନିଜ ପିଠି ନିଜେ ଥାପୁଡାଇ ବାହାଦୂରୀର ଉଦଘୋଷଣା କରିଚାଲିଥିବା?

ଫୋ- ୯୪୩୮୩୬୦୮୪୯

Odisha Paradip Port Odia Pride Kartika Purnima
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe