ଜାନକୀଶ ବଡ଼ପଣ୍ଡା
ଭାରତୀୟ ରାଜନୀତି ଆକାଶରେ ଏବେ ଯେଉଁ ଇନ୍ଦ୍ରଧନୁ କ୍ରମଶଃ ଦୃଶ୍ୟମାନ ହେବାରେ ଲାଗିଛି, ତାହା ହେଲା ନିର୍ବାଚନରେ ବିଜୟ ହାସଲ କରିବାର ଏକ ଫର୍ମୁଲା - ମହିଳା ସଶକ୍ତିକରଣ। ଏହାକୁ ମହିଳା-କଲ୍ୟାଣକାରୀ ଯୋଜନା କୁହାଯାଉଥିଲେ ବି ଏହା ଯେ ନିର୍ବାଚନ ଜିଣିବାର ଅନ୍ୟତମ ସଫଳ ରଣନୀତିର ଅଂଶ ବିଶେଷ, ଏହା ମହାରାଷ୍ଟ୍ର ନିର୍ବାଚନ ପରିଣାମ ଆସିବା ପରେ ପ୍ରମାଣିତ ହୋଇ ଯାଇଛି। ପୂର୍ବରୁ ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶାରେ ଏହି ଲାଭାର୍ଥୀ ଯୋଜନା ପ୍ରୟୋଗ କରାଯାଇ ସଫଳତା ମିଳିଥିଲା ଏବଂ ଏବେ, ମହାରାଷ୍ଟ୍ରରେ ମଧ୍ୟ ମିଳିଛି।
ବିଭିନ୍ନ ରାଜ୍ୟରେ, ରାଜନୈତିକ ଦଳମାନେ ନିଜନିଜର ଶକ୍ତିଶାଳୀ ଭୋଟବ୍ୟାଙ୍କ ଗଠନ ପାଇଁ ମହିଳା ସଶକ୍ତିକରଣ ନାମରେ ଭିନ୍ନ ଭିନ୍ନ ମହିଳା-କେନ୍ଦ୍ରିତ ଯୋଜନାଗୁଡ଼ିକୁ ଅଧିକରୁ ଅଧିକ ପ୍ରଣୟନ କରୁଥିବାର ଦେଖା ଯାଉଛି। ଏହା ଏଭଳି ଏକ ସଫଳ ରଣନୀତି, ଯାହା ସେମାନଙ୍କୁ କ୍ରମାଗତ ଭାବରେ ଲାଭ ମଧ୍ୟ ଦେଉଛି। ସଦ୍ୟ ସମ୍ପନ୍ନ ମହାରାଷ୍ଟ୍ର ଏବଂ ଝାରଖଣ୍ଡ ନିର୍ବାଚନରେ ମିଳିଥିବା ଭୋଟ୍ ଫଳାଫଳ ଉପରେ ମହିଳାମାନଙ୍କ ଭୂମିକା କେତେ ଅଧିକ, ତାହା ସ୍ପଷ୍ଟ ହୋଇ ଯାଇଛି। ମହାରାଷ୍ଟ୍ରରେ ‘ଲଡକି ବହିଣ’ ଯୋଜନାର ହିତାଧିକାରୀମାନେ ନିର୍ଣ୍ଣାୟକ ଭୂମିକା ନେଇ ମହାୟୁତି ଗଠବନ୍ଧନକୁ ତୃତୀୟଥର ପାଇଁ କ୍ଷମତା ଅର୍ପଣ କରିଛନ୍ତି।
ଭାରତର ପଶ୍ଚିମ ତଟଦେଶରେ ଅବସ୍ଥିତ ଅନ୍ୟତମ ବିକଶିତ ରାଜ୍ୟ ମହାରାଷ୍ଟ୍ରରେ ଗତ ୨୩ ତାରିଖରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି, ଯାହା ଜଣାଶୁଣା ରାଜନୈତିକ ବିଶ୍ଳେଷକମାନଙ୍କ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଛି। ନିର୍ବାଚନ ଫଳାଫଳ ‘ମହା ବିକାଶ ଅଘାଡି’କୁ ମଧ୍ୟ ନିରାଶ କରିଛି। ସେମାନଙ୍କ ଆଶା ବିପରୀତ, ଶାସକ ମହାୟୁତି ଗଠବନ୍ଧନ, ବିଶେଷ କରି ବିଜେପି ସପକ୍ଷରେ ପ୍ରଚଣ୍ଡ ବହୁମତ ମିଳିଛି। ଏହି ଗଠବନ୍ଧନର ବିଜୟ ଫଳରେ ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କ ପରି ବରିଷ୍ଠ ନେତାଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି।
ମହାୟୁତିର ଏହି ଚମକପ୍ରଦ ବିଜୟରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଚର୍ଚ୍ଚା ହେଉଛି। ମହିଳାଙ୍କ ପାଇଁ ‘ଲଡ଼କି ବହିଣ’ ନାମରେ ରାଜ୍ୟରେ ଚାଲିଥିବା ଏକ ସରକାରୀ ମହିଳା ସଶକ୍ତିକରଣ ଯୋଜନା ରାଜନୈତିକ ଚିତ୍ରକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିବାର ଚର୍ଚ୍ଚା ହେଉଛି। ମହାରାଷ୍ଟ୍ରର ଏହି ଯୋଜନା ସରକାରୀ ଦଳ ସପକ୍ଷରେ ଯାଇଛି ଓ କ୍ଷମତା ପରିବର୍ତ୍ତନ କରିବାକୁ ଦେଇନି ବୋଲି ପ୍ରମାଣିତ ହୋଇଛି। ମହାରାଷ୍ଟ୍ରର ମହାୟୁତି ସରକାର ଲଡକି ବହିଣ ଯୋଜନାକୁ ୨୪ ଜୁନ୍ ୨୦୨୪ରେ ଆରମ୍ଭ କରିଥିଲେ। ଶିବରାଜ ସିଂହ ଚୌହାନ୍ ମଧ୍ୟ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଥିଲାବେଳେ ‘ମୁଖ୍ୟମନ୍ତ୍ରୀ ଲାଡଲୀ ବେହନା ଯୋଜନା’ ମାଧ୍ୟମରେ ଲକ୍ଷପତି ଦିଦି ଭଳି ମହିଳା ସଶକ୍ତିକରଣ ଯୋଜନା କରି ଭାଜପାକୁ ୨୦୨୩ ମସିହା ଡିସେମ୍ବର ମାସରେ ଲଗାତାର ତୃତୀୟ ଥର ପାଇଁ କ୍ଷମତା ଅର୍ପଣ କରିବାକୁ ସକ୍ଷମ ହୋଇଥିବାରୁ ଏକନାଥ ସିନ୍ଦେ ସରକାର ମଧ୍ୟ ମହାରାଷ୍ଟ୍ରରେ ‘ଲଡକି ବହିଣ’ ଯୋଜନା ଆରମ୍ଭ କରିଥିଲେ। ଅଗଷ୍ଟ ୨୦୨୪ରେ ଆରମ୍ଭ ହୋଇ ଏହା ୨.୩୪ କୋଟି ମହିଳାଙ୍କ ନିକଟରେ ପହଞ୍ଚିପାରିଥିଲା। ପାଞ୍ଚ ମାସ ମଧ୍ୟରେ ପ୍ରତ୍ୟେକେ ୭,୫୦୦ ଟଙ୍କା ପାଇଥିଲେ। ୪.୬୦ କୋଟି ମତଦାତା ଥିବା ଏକ ରାଜ୍ୟର, ଅଧା ଭୋଟରଙ୍କ ପାଖରେ ଏହି ଯୋଜନା ପହଞ୍ଚିବା ଫଳରେ ନିର୍ବାଚନ ଫଳାଫଳ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରିଲା।
ରାଜ୍ୟ ସରକାର ସିଧାସଳଖ ମହିଳା ହିତାଧିକାରୀଙ୍କୁ ୧୭,୦୦୦ କୋଟି ଟଙ୍କା ହସ୍ତାନ୍ତର କରି ମହିଳାମାନଙ୍କୁ ମହାୟୁତି ସରକାରଙ୍କ ନିକଟତର କରିବାକୁ ସକ୍ଷମ ହେଲେ। ଭୋଟ କେନ୍ଦ୍ର ମାନଙ୍କରେ ମହିଳା ଭୋଟରଙ୍କ ବର୍ଦ୍ଧିତ ସଂଖ୍ୟାରୁ ଜଣା ପଡ଼ିଲା ଯେ ସେମାନେ କାହା ସପକ୍ଷରେ ମତ ଦେଇଥିଲେ। ନିର୍ବାଚନ ପ୍ରଚାର ସମୟରେ ଭାଜପା ଏବଂ ଏହାର ଦୁଇ ସହଯୋଗୀ ଦଳ ଏହି ଯୋଜନା ପ୍ରଣୟନ କରିଥିବାର ଶ୍ରେୟକୁ ଉପଯୋଗ କରିଥିଲେ। ଲଡକି ବହିଣ ବ୍ୟତୀତ ଅନ୍ୟାନ୍ୟ କଲ୍ୟାଣକାରୀ କୁହାଯାଉଥିବା ଲାଭାର୍ଥୀ ଯୋଜନା ମହାୟୁତି ବିଜୟରେ ସହାୟକ ହୋଇଛି। କୃଷକଙ୍କୁ ୧୫,୦୦୦ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଛାଡ, ସୋୟାବିନ୍ ଏବଂ କପା ଚାଷୀଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରଦାନ ସହିତ ଇନପୁଟ ସବସିଡି ବାବଦରେ ୨,୫୦୦ କୋଟି ଟଙ୍କା ପ୍ରଦାନ ଭଳି ଯୋଜନା ମଧ୍ୟ ନିର୍ବାଚନରେ ସହାୟକ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିରାଚରିତ ଭାବେ ଆକ୍ରମଣାତ୍ମକ ସ୍ଲୋଗାନ ଦେବା ବଦଳରେ ଏଥର ‘ଏକ ହୈ ତୋ ସେଫ୍ ହୈ’ ଅଭିଯାନ ଆରମ୍ଭ କରିଥିଲେ। ତାହା ସହିତ ‘ଲଡକି ବହିଣ’ ଯୋଜନା, ଯାହା ମହାୟୁତିକୁ ୨୩୩ରୁ ଅଧିକ ଆସନ ଜିତିବାରେ ସାହାଯ୍ୟ କଲା ଏବଂ ଭାଜପାକୁ ଏକାକୀ ୧୩୨ ଆସନ ଦେଲା। ଏଥର ନିର୍ବାଚନରେ ମହାରାଷ୍ଟ୍ରର ପ୍ରଗତିଶୀଳ ପରମ୍ପରାରୁ ଭିନ୍ନ ଏକ ପରମ୍ପରାର ସୃଷ୍ଟି ହେଲା ଭଳି ମନେହେଲା - ଯାହାର ନାମ ସାମ୍ପ୍ରଦାୟିକ ପରମ୍ପରା। ମୁସଲିମ୍ ପର୍ସନାଲ୍ ଲ ବୋର୍ଡର ସାଜିଦ୍ ନୋମାନୀ ଖୋଲାଖୋଲି ଭାବେ ନିଜର ସମ୍ପ୍ରଦାୟକୁ ଚେତାବନୀ ଦେଲେ ଯେ, ଯେଉଁମାନେ ଭାଜପା ସପକ୍ଷରେ ଭୋଟ୍ ଦେବେ ସେମାନଙ୍କୁ ସାମାଜିକ ବାସନ୍ଦ କରାଯିବ। ଏହାକୁ ମହା ବିକାଶ ଅଘାଡି ନିନ୍ଦା ନକରି ନିରବ ରହିଥିଲେ।
ବିଜେପି ନେତୃତ୍ୱାଧୀନ ଶିବସେନା, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ ଅନ୍ୟାନ୍ୟ ଛୋଟ ଦଳମାନଙ୍କୁ ସାଥିରେ ନେଇ ଗଠିତ ମିଳିତ ମଞ୍ଚ ‘ମହୁୟୁତି’ କ୍ରମାଗତ ତୃତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ବାଜିମାତ୍ କରିବା ଏବଂ ଭାଜପା ଏକାକୀ ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଅତିକ୍ରମ କରିବା ମହାରାଷ୍ଟ୍ରରେ ଭୂକମ୍ପ ସୃଷ୍ଟି କରିଛି। ଉଭୟ ଏକନାଥ ସିନ୍ଦେ ନେତୃତ୍ୱାଧୀନ ଶିବସେନା ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ମଧ୍ୟ ଭଲ ପ୍ରଦର୍ଶନ କରି ଲୋକସଭା ନିର୍ବାଚନ ପରାଭବ ଓ ବିଫଳତାରୁ ମୁକ୍ତ ହୋଇ ନିଜ ନିଜର ଦଳକୁ ମଧ୍ୟ ବଂଶବାଦମୁକ୍ତ କରିପାରିଛନ୍ତି।
ମହା ବିକାଶ ଅଘାଡି ଅପ୍ରତ୍ୟାଶିତ ଭାବେ ପରାଜୟର ସମ୍ମୁଖୀନ ହୋଇଥିବାରୁ ଏବେ ଉଭୟ ଶିବ ସେନା (ଉଦ୍ଧବ ଠାକରେ) ଏବଂ ଏନସିପି (ଶରଦ ପାୱାର)ଙ୍କ ଦଳର ସ୍ଥାୟିତ୍ୱ ଉପରେ ପ୍ରଶ୍ନ ଉଠିଛି। ବଂଶବାଦରେ ବିଶ୍ୱାସୀ ବ୍ୟକ୍ତିକୈନ୍ଦ୍ରିକ ଏହି ଦୁଇ ଦଳଙ୍କୁ ମହାରାଷ୍ଟ୍ରର ମତଦାତା କ୍ଷମତା ଅଳିନ୍ଦରୁ ହଟାଇ ଦେବା ସହିତ କଂଗ୍ରେସକୁ ପରିତ୍ୟାଗ କଲାଭଳି ପ୍ରଦର୍ଶନ କରିଛନ୍ତି। ନିର୍ବାଚନ ଫଳାଫଳ ରାଜ୍ୟର ସାମାଜିକ-ରାଜନୈତିକ ରସାୟନକୁ ପରିବର୍ତ୍ତନ କରିଦେଇଛି।
‘ଏକ୍ ହୈ ତୋ ସେଫ୍ ହୈ’ ଏବଂ ‘ଭୋଟ୍ ଜେହାଦ୍’ ଭଳି ନିର୍ବାଚନୀ ସଂକଳ୍ପ ଏବଂ ତଦନୁଯାୟୀ ପ୍ରଚାର ଅଭିଯାନ ମଧ୍ୟ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜୁନ୍ ମାସରେ ଆସିଥିବା ଲୋକସଭା ଫଳାଫଳ ପରେ ‘ମହା ବିକାଶ ଅଘାଡି’ର ବିଜୟ ଭାଜପା ଶିବିରକୁ ଆତ୍ମଚିନ୍ତନ କରିବାକୁ ବାଧ୍ୟ କରିଥିଲା। ବିପକ୍ଷ ମେଣ୍ଟର ସଫଳତା ପଛରେ ହିନ୍ଦୁମାନଙ୍କ ମଧ୍ୟରେ ଉଦାରବାଦୀ ବିବିଧତା ଏବଂ ମୁସଲିମ ଭୋଟରମାନଙ୍କ ଏକୀକରଣ ଯେ ଦାୟୀ ତାହା ନିର୍ଣ୍ଣିତ ହୋଇଯାଇଥିଲା। ସେଇଥିପାଇଁ ନିର୍ବାଚନ ପ୍ରଚାର କାଳରେ ଅନ୍ୟତମ ତାରକା ପ୍ରଚାରକ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଟେଙ୍ଗେ ତୋ କଟେଙ୍ଗେ’ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ହୈ, ତୋ ସେଫ୍(ସୁରକ୍ଷିତ) ହୈ’ ସ୍ଲୋଗାନ ଶୁଣିବାକୁ ମିଳିଲା, ଯାହା ଫଳରେ ଅଧିକାଂଶ ହିନ୍ଦୁ ମତଦାତା ସଂଘବଦ୍ଧ ହୋଇଗଲେ। ଦେବେନ୍ଦ୍ର ଫଡନାଭିସ୍ ପ୍ରଚାର ଅଭିଯାନକୁ ‘ଭୋଟ୍ ଜେହାଦ୍ ଉପରେ ଧର୍ମ ଯୁଦ୍ଧର ବିଜୟ’ ହେବ ବୋଲି ଯାହା କହିଥିଲେ, ତାହା ସଫଳ ହେଲା।
ଗତ ଲୋକସଭା ନିର୍ବାଚନରେ ଭାଜପା ପକ୍ଷରୁ ନକରାତ୍ମକ ପ୍ରଚାର ଧାରା ଦେଖିବାକୁ ମିଳିଥିବାରୁ ମତଦାତାଙ୍କ ରୋଷର ଶିକାର ହୋଇଥିଲା ମହାୟୁତି ଗଠବନ୍ଧନ। କିନ୍ତୁ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ଅଧିକ ନକରାତ୍ମକ ତଥା ଉଚ୍ଚାଟ ପ୍ରଦର୍ଶନ କରିଥିଲା। ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଦୁର୍ନୀତିଗ୍ରସ୍ତ, ଆଦାନୀ-ଅମ୍ବାନୀ ଏଜେଣ୍ଟ, ସମ୍ବିଧାନ ହତ୍ୟାକାରୀ, ସାମ୍ପ୍ରଦାୟିକ ଘୃଣାସୃଷ୍ଟିକାରୀ ରୂପେ ବର୍ଣ୍ଣନା କରାଯିବା କାରଣରୁ ମତଦାତାଙ୍କ ରୋଷର ଶିକାର ହୋଇଥିଲେ ଅଘାଡ଼ିର ନେତାଏ। ବୟସାଧିକ୍ୟ ଏବଂ ଅସୁସ୍ଥତା ସତ୍ତ୍ୱେ ଶରଦ ପାୱାରଙ୍କ ଭଳି ନେତା ପ୍ରଚାର କରିବାକୁ ମତଦାତା ମଧ୍ୟ ନାପସନ୍ଦ କରିଥିଲେ।
ଏହି ନିର୍ବାଚନ ପରିଣାମ ଭାରତୀୟ ନିର୍ବାଚନ ରାଜନୀତିର ଇତିହାସରେ ମୋଡ଼ ପରିବର୍ତ୍ତନକାରୀ ସମ୍ଭାବନା ସୃଷ୍ଟି କରିଛି। ଏହା ମଧ୍ୟ ମହାରାଷ୍ଟ୍ରର ସାମାଜିକ ଅଭିବ୍ୟକ୍ତିରେ ଏକ ପରିବର୍ତ୍ତନ ଆଣିପାରେ। ରାଜନେତାମାନେ ପୂର୍ବରୁ ମହାତ୍ମା ଫୁଲେ ଏବଂ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ମରାଠୀ ସମାଜର ଅନ୍ତରାତ୍ମା କହିଆସିଥିଲା ବେଳେ ଚଳିତ ବିଧାନସଭା ନିର୍ବାଚନରେ ଖୋଲାଖୋଲି ଭାବେ ସାମ୍ପ୍ରଦାୟିକ ମାନସିକତା ଆଧାରରେ ପ୍ରଚାର କରାଯାଇ ଥିବାର ଦେଖାଗଲା। ଏଭଳି ଅଭିଯାନ ମାଧ୍ୟମରେ ହାସଲ ହୋଇଥିବା ନିର୍ବାଚନୀ ବିଜୟ ମହାରାଷ୍ଟ୍ରର ସାମାଜିକ ଜୀବନ ଏବଂ ଚିନ୍ତନରେ ପରିବର୍ତ୍ତନ କରିବା ସୁନିଶ୍ଚିତ। ହିନ୍ଦୁତ୍ୱ ଆଧାରିତ ରାଜନୀତି ପାଇଁ ମଧ୍ୟ ପ୍ରଦେଶକୁ ଯେଭଳି ଏକ ପ୍ରୟୋଗଶାଳା କରାଯାଇଥିଲା, ଆଗାମୀ ଦିନରେ ମହାରାଷ୍ଟ୍ର ମଧ୍ୟ ତାହାକୁ ଅନୁସରଣ କରିବ; ଏହା ଏବେ ଜଳଜଳ ଦେଖାଯାଉଛି।
ମରାଠା ଆରକ୍ଷଣ ଆନ୍ଦୋଳନ କାରଣରୁ ଲୋକସଭା ନିର୍ବାଚନରେ ମହା ବିକାଶ ଅଘାଡ଼ି ଭଲ ପ୍ରଦର୍ଶନ କରିଥିଲା ବେଳେ ମହାୟୁତି ପରାଭବ ଭୋଗିଥିଲା। ଲୋକସଭା ନିର୍ବାଚନରେ ଏହି ଆନ୍ଦୋଳନ କାରଣରୁ ମହାୟୁତି ୧୨ଟି ଲୋକସଭା ଆସନ ହରାଇ ଥିଲା। ମରାଠା ଆରକ୍ଷଣ ଆନ୍ଦୋଳନ ନେତା ମନୋଜ ଜେ ପାଟିଲଙ୍କ ମିଳିତ ମଞ୍ଚର ଆହ୍ୱାନ ସତ୍ତ୍ୱେ ଅଣ-ମରାଠା ହିନ୍ଦୁ ଭୋଟରଙ୍କୁ ଏକତ୍ର କରି ଭାଜପା ସଫଳତାର ସହ ଆହ୍ୱାନକୁ ମୁକାବିଲା କରିଥିଲା। ଏହାକୁ ମା-ଧ-ବ ସୂତ୍ର ବୋଲି କୁହାଯାଉଛି, ଅର୍ଥାତ୍ ମାଲି, ଧଙ୍ଗର ଏବଂ ବଞ୍ଜର ସମ୍ପ୍ରଦାୟକୁ ଏକତ୍ର କରି ସଫଳତା ପାଇବା।
ମହାୟୁତିର ବିଜୟ ମହାରାଷ୍ଟ୍ରର ରାଜନୈତିକ ଭବିଷ୍ୟତକୁ ନେଇ ନୂଆ ସମ୍ଭାବନା ସୃଷ୍ଟି କରିଛି। ‘ବିଜେପି ନେତୃତ୍ୱାଧୀନ ମହାୟୁତି’ ଭାବରେ ଉପସ୍ଥାପନ କରି ଭାଜପା ଆକ୍ରମଣାତ୍ମକ ପ୍ରଚାର କରିଥିଲା। ସେଇଥିପାଇଁ ଭାଜପା ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବାଧ୍ୟବାଧକତାର ସମ୍ମୁଖୀନ ହେଉଛି। ତାହା ହେଲା - ମୁଖ୍ୟମନ୍ତ୍ରୀ ଭାବରେ ନିଜର ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଉପସ୍ଥାପନ କରିବ କିମ୍ବା ଏକନାଥ ସିନ୍ଦେଙ୍କୁ ବଜାୟ ରଖିବ। ଆଗକୁ ଅଛି ସମ୍ମାନଜନକ ମୁମ୍ବାଇ ନଗରନିଗମ ସମେତ ଅନ୍ୟାନ୍ୟ ପୌର ସଂସ୍ଥା ନିର୍ବାଚନ। ଏଣୁ ମୁମ୍ବାଇ ମହାନଗରରେ ସିନ୍ଧେଙ୍କ ଲୋକପ୍ରିୟତା ଅଧିକ ଥିବାରୁ ଭାଜପା ପୌର ନିର୍ବାଚନ ସରିବା ଯାଏଁ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ରଖିବାକୁ ଚାହିଁବା ଅସ୍ୱାଭାବିକ ନୁହେଁ। ଯଦି ଭାଜପା ମୁଖ୍ୟମନ୍ତ୍ରୀ ପଦବୀ ହାତେଇ ନିଏ, ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ସିନ୍ଦେଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ଗର୍ଭକୁ ଠେଲି ହୋଇଯିବାର ଆଶଙ୍କା କରାଯାଇପାରେ। ଏଣୁ ସିନ୍ଧେଙ୍କ ପାଇଁ ଯେତିକି ନୁହେଁ, ତାହା ଅପେକ୍ଷା ମେଣ୍ଟଧର୍ମ ପାଳନରେ ଉଦାହରଣ ସୃଷ୍ଟି ଦୃଷ୍ଟିରୁ ସ୍ୱାର୍ଥତ୍ୟାଗ କରିବା ଭାଜପା ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଦେବେନ୍ଦ୍ର ଫଡନାଭିସ୍ ମତ ରଖୁଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ପଦବୀ ପାଇଁ କୌଣସି ବିବାଦ ନାହିଁ। ସ୍ୱୟଂ ଏକନାଥ ସିନ୍ଦେ, ଅଜିତ ପାୱାର ଏବଂ ବିଜେପି ହାଇକମାଣ୍ଡ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ ପଦବୀରେ କିଏ ବସିବେ, ତାହା ସ୍ଥିର କରିବେ।’
ବିରୋଧୀ ଦଳ ପାଇଁ ବିଶେଷକରି ଶିବସେନା (ଉଦ୍ଧବ ଠାକରେ) ଏବଂ ଏନସିପି (ଶରଦ ପାୱାର)ଙ୍କ ପାଇଁ ଆଗାମୀ ଦିନରେ ଅନେକ ଆହ୍ୱାନ ରହିଛି। ବିଜେପିର ଆକ୍ରମଣାତ୍ମକ ରାଜନୀତି ବିରୁଦ୍ଧରେ ସେମାନେ କ୍ରମଶଃ ଅବଲୁପ୍ତି ଆଡ଼କୁ ଆଗେଇ ଚାଲିଥିବା ନିଜର ଅନୁଗତ ଗୋଷ୍ଠୀକୁ ଏକତ୍ର ରଖିବା ପାଇଁ ସଂଘର୍ଷ କରିବାକୁ ପଡ଼ିବ। କଂଗ୍ରେସ ନିଶ୍ଚିତ ଭାବରେ ଏହାର ସଙ୍ଗଠନକୁ ପୁନଃନିର୍ମାଣ କରିବ ଏବଂ ମହାରାଷ୍ଟ୍ରରେ ନୂଆ ଯୁବନେତୃତ୍ୱ ଖୋଜିବ। ତେବେ, ଗାନ୍ଧୀ ପରିବାର ଛାୟାରୁ ମୁକ୍ତ ନହେବା ପର୍ଯ୍ୟନ୍ତ କଂଗ୍ରେସର ପୁନଃ ଅଭ୍ୟୁଦୟ ମହାରାଷ୍ଟ୍ର ସମେତ ସମଗ୍ର ରାଷ୍ଟ୍ରରେ ହୁଏତ ସମ୍ଭବ ନୁହେଁ। ଦେଶର ସର୍ବପୁରାତନ ଏହି ଜାତୀୟ ଦଳଟି କ୍ରମେ ଅଧୋଗାମୀ ହୋଇ ଚାଲିଥିବା ବେଳେ ଇନ୍ଦିରା ଗାନ୍ଧୀଙ୍କ ବୋହୂ, ନାତି ଓ ନାତୁଣୀ ଲୋକସଭାର ଶୋଭା ବର୍ଦ୍ଧନ କରିବେ ବୋଲି ଯେଉଁମାନେ ଭାବୁଛନ୍ତି ସେମାନେ ସାଧାରଣ ଭାରତୀୟ ମତଦାତାଙ୍କ ମନରକଥା ପଢ଼ି ନାହାନ୍ତି ବୋଲି ବୁଝିବାକୁ ହେବ। ଝାରଖଣ୍ଡରେ ବିଜୟ ସତ୍ତ୍ୱେ ମହାରାଷ୍ଟ୍ରର ଫଳାଫଳ ‘ଇଣ୍ଡିଆ’ ମେଣ୍ଟକୁ ଦୁର୍ବଳ କରିଛିI ସାମ୍ବିଧାନିକ ସୁରକ୍ଷା ଏବଂ ଜାତି ଜନଗଣନା ପରି କଂଗ୍ରେସର ପ୍ରମୁଖ ଅଭିଯାନ ପ୍ରସଙ୍ଗକୁ ଦୁର୍ବଳ କରିଛି, ଏଥିରେ ସନ୍ଦେହ ନାହିଁ।
ନିର୍ବାଚନରେ ବିରୋଧୀ ଦଳର ଦୟନୀୟ ଫଳାଫଳ ମହା ବିକାଶ ଅଘାଡ଼ି ପାଇଁ ଯେଉଁ ନୂଆ ଅସୁବିଧା ସୃଷ୍ଟି କରିଛି, ତାହା ହେଲା ଆଗାମୀ ବିଧାନସଭାରେ ବିରୋଧୀ ଦଳର ନେତା ପଦବୀ। ସଂସଦୀୟ ନିୟମ ଅନୁଯାୟୀ ବିରୋଧୀ ଦଳ ନେତା ପଦବୀ ପାଇଁ ଅତିକମରେ ଗୃହର ୧୦ ପ୍ରତିଶତ ସଭ୍ୟ ରହିବା ଆବଶ୍ୟକ। ଏଣୁ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନ ସଭାରେ ବିରୋଧୀ ନେତା ମାନ୍ୟତା ପାଇଁ ଅନ୍ତତଃ ୨୮ଟି ଆସନ ପାଇବା ଆବଶ୍ୟକ। ଯଦିଓ ଶିବସେନା (ଉଦ୍ଧବ) ଗୋଷ୍ଠୀ ସର୍ବ ବୃହତ ବିରୋଧୀ ଦଳ ଭାବରେ ଉଭା ହୋଇଛି, ଏହାର ସଭ୍ୟ ସଂଖ୍ୟା ମାତ୍ର ୨୦। ଫଳସ୍ୱରୂପ, ଆଗାମୀ ବିଧାନସଭା ବିନା ବିରୋଧୀ ଦଳର ନେତାରେ କାର୍ଯ୍ୟ କରିବ। ଏହାକୁ ଲକ୍ଷ୍ୟକରି ଉପମୁଖ୍ୟମନ୍ତ୍ରୀ ଫଡନାଭିସ ବିବୃତ୍ତି ଜାରି କରିଛନ୍ତି ଯେ, ‘ସଂଖ୍ୟା ନଥିବା ସତ୍ତ୍ୱେ ଆମେ ବିରୋଧୀଙ୍କୁ ସମ୍ମାନ ଦେବୁ!’
୨୦୧୯ ନିର୍ବାଚନ ପରଠାରୁ ମହାରାଷ୍ଟ୍ର କ୍ଷମତା ରାଜନୀତିରେ ଅପ୍ରତ୍ୟାଶିତ ହଟଚମଟ ଏବଂ ଅସ୍ଥିରତା ଦେଖାଦେଇ ଆସିଛି; ଯେଉଁଥିରେ ରାଜନୀତିରେ ଗୁଣାତ୍ମକ ମାନ ଆଘାତ ପାଇଛି, ନିମ୍ନଗାମୀ ହୋଇଛି। ଚଳିତ ବିଧାନସଭା ନିର୍ବାଚନର ଫଳାଫଳ ମହାୟୁତିକୁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପ୍ରଦାନ କରି ଘୋଡ଼ାବେପାର ବା ବିଧାୟକ କିଣାବିକା କାରବାର କିମ୍ବା ଦୁର୍ବଳ ସରକାର ଗଠନକୁ ନେଇ ପୁରୁଣା କଳ୍ପନାଜଳ୍ପନାର ଓ ଅଭିଯୋଗର ଅନ୍ତ ଘଟାଇଛି। ଏଭଳି ନିର୍ଣ୍ଣାୟକ ଜନାଦେଶ ଦେଇ ମହାରାଷ୍ଟ୍ରବାସୀ ଆଶା କରନ୍ତି ଯେ, ସେମାନ ପ୍ରଦାନ କରିଥିବା ରାଜନୈତିକ ପୁଞ୍ଜିକୁ ବ୍ୟବହାର କରି ମହାରାଷ୍ଟ୍ରର ନୂତନ ସରକାର ସେମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସେବା କରିବେ। ସେଇଥିପାଇଁ ତ ମତଦାତାମାନେ ସେମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି।
ଫୋ- ୯୪୩୮୨୯୯୦୩୭