ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୁଏ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରସିଦ୍ଧ ରଥଯାତ୍ରା ବା ଗୁଣ୍ଡିଚା ଯାତ୍ରା; ଯାହାକି ଏବେ ଦେଶର ଅସଂଖ୍ୟ ସ୍ଥାନ ସମେତ ସମଗ୍ର ବିଶ୍ୱର ବହୁ ସ୍ଥାନକୁ ସମ୍ପ୍ରସାରିତ ହେଲାଣି। ଓଡ଼ିଆ ଜାତି ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ। ପୁରୀର ରଥଯାତ୍ରା ଲାଗି ଅନୁସରଣ କରାଯାଏ ପାରମ୍ପରିକ ବିଧିବିଧାନ। ଏହାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ ପବିତ୍ର ଅକ୍ଷୟ ତୃତୀୟାଠାରୁ। ସେ ଦିନ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ତିନୋଟି ନୂଆ ରଥ ନିର୍ମାଣ ଲାଗି ଶୁଭ ଦିଆଯାଏ। ପ୍ରତିବର୍ଷ ନୂଆ କାଠରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ରଥ ନିର୍ମାଣ କରାଯାଇଥାଏ; ଯାହାର ନାମ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ। ଓଡ଼ିଶାରେ ଦ୍ରୁତ ବେଗରେ ଜଙ୍ଗଲ ପରିମାଣ ଓ ଜଙ୍ଗଲରେ ବୃକ୍ଷ ସାନ୍ଧ୍ରତା ହ୍ରାସ ପାଉଥିବାବେଳେ ରଥ ନିର୍ମାଣ ପାଇଁ ଆବଶ୍ୟକୀୟ ଉପଯୁକ୍ତ ମାନର କାଠଗଣ୍ଡି ମିଳିବାକୁ ନେଇ ସମସ୍ୟା ଦେଖାଦେଇଛି। ଜଙ୍ଗଲ ସୃଷ୍ଟି ହେବା ପରିବର୍ତ୍ତେ ଯଦି କ୍ଷୟ ହୋଇଚାଲେ, ତେବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ କେଉଁଠାରୁ ରଥକାଠ ସଂଗ୍ରହ କରାଯାଇ ପ୍ରତିବର୍ଷ ନୂତନ ରଥ ନିର୍ମାଣ ହେବ; ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟିକରିଛି।
କେବଳ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ୧୨ ପ୍ରକାର ବୃକ୍ଷର ୧,୧୦୦ରୁ ଅଧିକ ବଡ଼ ବଡ଼ କାଠଗଣ୍ଡି ଆବଶ୍ୟକ ହୋଇଥାଏ। ପ୍ରତିବର୍ଷ ଫାଶି, ଅସନ ଓ ଧଉରା ପ୍ରଜାତିର ଆଠ ଫୁଟ ଉଚ୍ଚତା ବିଶିଷ୍ଟ ୮୬୫ ଖଣ୍ଡ କାଠଗଣ୍ଡି ଆବଶ୍ୟକ ହୋଇଥାଏ। ଓଡ଼ିଶା ସରକାରଙ୍କ ବନବିଭାଗ ପକ୍ଷରୁ ରଥକାଠ ଯୋଗାଇଦିଆଯାଏ। ୬-୭ ଫୁଟ ଗୋଲେଇ ବିଶିଷ୍ଟ ପାକଳ ଫାଶୀ କାଠରୁ ପ୍ରସ୍ତୁତ ହୁଏ ରଥଚକ ପାଇଁ ତୁମ୍ବ ଓ ୭-୮ ଫୁଟ ଲମ୍ବ କାଠରୁ ପ୍ରସ୍ତୁତ ହୁଏ ପହି। ଏସବୁ କାଠ ପ୍ରାୟ ୭୦-୮୦ ବର୍ଷ ବୟସର ବୃକ୍ଷ ମଧ୍ୟରୁ ବଛା ଯାଇଥାଏ। ଭୋଇ ସେବକମାନେ ଉପଯୁକ୍ତ ବୃକ୍ଷ ସନ୍ଧାନ କରି ପ୍ରଥମେ କୁରାଢ଼ୀ ଚୋଟ ମାରିଲା ପରେ ବନବିଭାଗ କର୍ମଚାରୀ ଉପଯୁକ୍ତ ମାପର ଗଣ୍ଡି ପୁରୀ ପଠାଇଥାଆନ୍ତି। କ୍ରମଶଃ ଜଙ୍ଗଲମାନଙ୍କରୁ ଫାଶୀ ଗଛ କମିଯାଉଥିବାରୁ ରଥ ନିର୍ମାତା ସେବକମାନେ ଏବେ ଚିନ୍ତାରେ।
ଫାଶୀ, ଧଉରା, ଶିମିଳି, ଗମ୍ଭାରୀ ଓ ଅସନ ଭଳି ରଥ ନିର୍ମାଣ ପାଇଁ ଆବଶ୍ୟକ ବୃକ୍ଷ ରୋପଣ ମାଧ୍ୟମରେ ଏହାର ସମାଧାନ କରାଯାଇ ପାରିବ ଭାବି 'ଜଗନ୍ନାଥ ବନ ପ୍ରକଳ୍ପ'ର ପରିକଳ୍ପନା କରାଯାଇଥିଲା ୨୦୦୨ ମସିହାରେ। ପ୍ରକଳ୍ପ ମାଧ୍ୟମରେ କେବଳ ଖୋର୍ଦ୍ଧା ବନାଞ୍ଚଳରେ ୨୧ଟି ସ୍ଥାନରେ ୯୧.୬୩ ଲକ୍ଷ ଟଙ୍କା ବ୍ୟୟରେ ବୃକ୍ଷରୋପଣ କରାଯାଇଥିଲା। ଚାରା ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଅଧିକ ୨୨.୪୧ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲେ ବି ପ୍ରକଳ୍ପ ସ୍ଥଳରେ ନାହିଁ ରଥକାଠ ପାଇଁ ବୃକ୍ଷ। କିଛି ସ୍ଥାନରେ ପରିହାସ କଲାଭଳି ବଞ୍ଚି ରହିଛି କିଛି ୟୁକାଲିପଟାସ ଗଛ। ସେହିବର୍ଷ ଅର୍ଥାତ ୨୦୦୩ ମସିହାରେ ନୟାଗଡ଼ ଓ ବୌଦ୍ଧ ବନାଞ୍ଚଳରେ ସୃଷ୍ଟ 'ଜଗନ୍ନାଥ ବନ ପ୍ରକଳ୍ପ'ର ସ୍ଥିତି ଏକାଭଳି ଦୁଃଖଦ।
ନୟାଗଡ଼ ଓ ବୌଦ୍ଧ ସମେତ ମହାନଦୀ ଜଳପୁଷ୍ଟ ପାଞ୍ଚଟି ଜିଲ୍ଲାରେ ପ୍ରକଳ୍ପ ମାଧ୍ୟମରେ ୨,୮୦୦ ହେକ୍ଟର ଜମିରେ ଫାଶୀ, ଭୁଆଁର, ଧଉରା ଓ ଅସନ ଭଳି ୧୩ ପ୍ରଜାତିର ପାଖାପାଖି ୪୫ ଲକ୍ଷ ବୃକ୍ଷରୋପଣ କରାଯାଇଥିଲା। ନୟାଗଡ଼ ବନାଞ୍ଚଳର ଦଶପଲ୍ଲା ଜଙ୍ଗଲକୁ ଛାଡ଼ି ଦେଲେ, ଅନ୍ୟ ସ୍ଥାନମାନଙ୍କରେ ଆଖିଦୃଶିଆ ବୃକ୍ଷରୋପଣ ହୋଇପାରିନାହିଁ। ଏହି ପ୍ରଜାତିର ବୃକ୍ଷଗୁଡ଼ିକ ପରିପକ୍ୱ ହେବା ଲାଗି ଅଧିକ ସମୟ ନେଇଥାନ୍ତି। ଗୋଟିଏ ଗଛ ରଥରେ ବ୍ୟବହାର ଉପଯୋଗୀ ହେବାଲାଗି ଅନ୍ତତଃ ୨୦ ବର୍ଷ ସମୟ ଲାଗିଥାଏ। ଫାଶୀ ବୃକ୍ଷ ପାଖାପାଖି ୭୦ ବର୍ଷରୁ ଅଧିକ ସମୟ ନେଇଥାଏ। କିଛି ବର୍ଷ ପୂର୍ବେ ଜଙ୍ଗଲରେ ଫାଶୀ ବୃକ୍ଷ ବହୁତ ମିଳୁଥିବାବେଳେ ଏବେ ଏହାର ସଂଖ୍ୟା କ୍ରମାଗତ ଭାବରେ କମିଛି। ତେବେ ବନବିଭାଗ କହୁଛନ୍ତି ଯେ ଜଗନ୍ନାଥ ବନ ପ୍ରକଳ୍ପରେ ରୋପିତ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷ ବ୍ୟବହାର ଉପଯୋଗୀ ହୋଇଗଲାଣି। ମହାନଦୀର ଅବବାହିକାରେ ରୋପଣ କରାଯାଇଥିବା ବୃକ୍ଷ ପରିପକ୍ୱ ହୋଇଗଲାଣି, ତେଣୁ ରଥ ନିର୍ମାଣ ପାଇଁ କାଠର ଆଉ ଅଭାବ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛନ୍ତି। ରଥ ନିର୍ମାଣ ପାଇଁ ଉଦ୍ଦିଷ୍ଟ କାଠ ନୟାଗଡ଼ ସମେତ ଅନ୍ୟ ୧୪ଟି ଜିଲ୍ଲାରେ ମଧ୍ୟ ଉପଲବ୍ଧ ବୋଲି ପ୍ରଶାସନ କହିଛନ୍ତି। ତେବେ ସହରୀକରଣ, ଖଣି ଖନନ ଓ ଅନ୍ୟାନ୍ୟ ବିକାଶ ପରିଯୋଜନାର ବିସ୍ତାର କାରଣରୁ ଜଙ୍ଗଲର ବ୍ୟାପ୍ତି ଦ୍ରୁତଗତିରେ ହ୍ରାସ ପାଉଥିବାରୁ ସେହି ସବୁ ଅଞ୍ଚଳ ଆଗାମୀ କେତେ ବର୍ଷ ଯାଏଁ ରଥକାଠ ଯୋଗାଇ ପାରିବ, ତାହା ଏକ ବିରାଟ ପ୍ରଶ୍ନ।
ରଥ ନିର୍ମାଣ ପାଇଁ ପ୍ରତିବର୍ଷ ନୟାଗଡ଼ ଓ ବୌଦ୍ଧ ଜିଲାରୁ ଶହ ଶହ ବୃକ୍ଷ ଚ୍ଛେଦନ କରାଯାଇ ରଥକାଠ ଯୋଗାଇ ଦିଆ ଯାଉଅଛି। ଖୋର୍ଦ୍ଧା ଜିଲ୍ଲାର ଜରିପୁଟରେ ରହିଛି ଏକ ବନ ପ୍ରକଳ୍ପ। ଏଥିରେ କିଛି ନିମ୍ବ ଗଛକୁ ଛାଡ଼ିଦେଲେ ଅନ୍ୟ ଗଛ ଆଉ ନାହିଁ। କେବଳ ଜରିପୁଟ ନୁହେଁ, ତରତୁଆ ପ୍ରକଳ୍ପରେ ମଧ୍ୟ ସେହି ଏକା ଅବସ୍ଥା। ଏଠାରେ ନିମ୍ବ ଗଛ ସହ ଫାଶୀ, ଶିଶୁ ଓ ଗମ୍ଭାରୀ ଭଳି ଗଛ ଲଗାଯାଇଥିଲା। ତେବେ ଦୁର୍ଭାଗ୍ୟର ବିଷୟ ୧୮ ବର୍ଷ ପରେ ଏଠାରେ ମାତ୍ର ୨୦ ପ୍ରତିଶତ ଗଛ ବଞ୍ଚିରହିଛି। ସେହିପରି ଚନ୍ଦନପୁରରେ ୧୦, କପିଳେଶ୍ୱରପୁରରେ ୧୫, ଟାଙ୍ଗୀରେ ୩୦, ବାଲିପାଟଣାରେ ୫୦, ଡେଲାଙ୍ଗ ଓ ରଣପୁର ଅଞ୍ଚଳରେ ୩୫ ପ୍ରତିଶତ ଗଛ ବଞ୍ଚିରହିଥିବା ବନ ବିଭାଗ ସୂତ୍ରରୁ ଜଣା ଯାଇଛି। ତେବେ ବେଗୁନିଆ ନିକଟସ୍ଥ ପଙ୍ଗାରସିଂ ଗ୍ରାମରେ ୧୩୮ ହେକ୍ଟର ଜମିରେ ସୃଷ୍ଟ ବନପ୍ରକଳ୍ପ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଲୋକେ ଗଛ କାଟି ନେଇଯାଉଛନ୍ତି। ବନବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା, ଅଭିବୃଦ୍ଧି ଓ ନିଘଞ୍ଚ କରିବାପାଇଁ ଉଦ୍ୟମ ପ୍ରାୟ ନାହିଁ। ଜଙ୍ଗଲରୁ ଗୋଟିଏ ପ୍ରାପ୍ତବୟସ୍କ ବୃକ୍ଷ ଛେଦନ କଲେ ସେଠାରେ ନୂତନ ଚାରା ରୋପଣ କରା ନଯାଇ ପଥୁରିଆ ମାଟି ଓ ଶୁଷ୍କ ଜଳବାୟୁ ଅଞ୍ଚଳରେ ଅବୈଜ୍ଞାନିକ ଭାବେ ବନୀକରଣ କରୁଛନ୍ତି ବନ ବିଭାଗ।
ଶ୍ରୀକ୍ଷେତ୍ର ସମେତ ସମଗ୍ର ବିଶ୍ୱରେ ଥିବା ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରାରେ ରଥଯାତ୍ରା ଏକ ଅଭିନ୍ନ ଅଙ୍ଗ। ଓଡ଼ିଶାର ସମସ୍ତ ଗଡ଼ଜାତ ଓ ସହରମାନଙ୍କରେ ଜଗନ୍ନାଥ ମନ୍ଦିର ଥିବାରୁ ରଥଯାତ୍ରା ଅନୁଷ୍ଠିତ ହୁଏ। କେଉଁଠି ନିର୍ମିତ ହୁଏ ଗୋଟିଏ ତ ଅନ୍ୟ କେଉଁଠି ତିନୋଟି ରଥ। ଗିନିଜ ବୁକ ଅଫ ୱାର୍ଲଡ୍ ରେକର୍ଡସରେ ସ୍ଥାନ ପାଇଥିବା କେନ୍ଦୁଝର ଗଡ଼ର ୭୨ ଫୁଟ ଉଚ୍ଚତା ବିଶିଷ୍ଟ ରଥରେ ଚତୁର୍ଦ୍ଧାମୂର୍ତ୍ତୀ ଏକତ୍ର ଯାତ୍ରା କରନ୍ତି। ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ନୂଆ ରଥ ନିର୍ମିତ ହେଉଥିଲା ବେଳେ ଗଜପତି, କେନ୍ଦୁଝର ଓ ବାରିପଦା ସମେତ ଓଡ଼ିଶାରେ ଅନୁଷ୍ଠିତ ସମସ୍ତ ରଥଯାତ୍ରାରେ କାଠ ତିଆରି ପୁରୁଣା ରଥ ଆବଶ୍ୟକୀୟ ମରାମତି କରାଯାଇ ବ୍ୟବହାର କରାଯାଏ। ଦେଶର ବିଭିନ୍ନ ସହରରେ ଓ ବିଦେଶରେ ଅନୁଷ୍ଠିତ ରଥଯାତ୍ରାରେ ଲୌହ ନିର୍ମିତ ରଥ ମଧ୍ୟ ବ୍ୟବହାର ହେଉଛି। ଏପରିକି ମୋଟର ଗାଡ଼ିରେ ମଧ୍ୟ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ବସାଇ ରଥ ଯାତ୍ରା ଅତୀବ ଉତ୍ସାହରେ ପାଳନ କରାଯାଉଛି। ଇସ୍କନ ପକ୍ଷରୁ ପାଳିତ ଅଦିନରେ ରଥଯାତ୍ରାକୁ ବିରୋଧ କରାଯାଉଥିଲେ ବି ଏଭଳି ଅଣପାରମ୍ପରିକ ରଥାରୂଢ଼ ଶ୍ରୀଜଗନ୍ନାଥଙ୍କ ନବଦିନ ବ୍ୟାପୀ ଯାତ୍ରା ଉପରେ ପ୍ରତିକ୍ରିୟା ଦେଖାଯାଏ ନାହିଁ। ସ୍ମରଣାତୀତ କାଳରୁ ଜଙ୍ଗଲ ପରିବେଷ୍ଟିତ କେନ୍ଦୁଝରରେ ମାତ୍ର ଗୋଟିଏ ରଥ ହୋଇ ଆସୁଥିବା ବେଳେ ଶ୍ରୀକ୍ଷେତ୍ର ସମେତ ଆଉ କିଛି ସ୍ଥାନରେ ତିନୋଟି ରଥରେ ରଥ ଯାତ୍ରା ହୁଏ। ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ନୂଆ କାଠରେ ରଥ ନିର୍ମାଣ ହେଉଥିବାବେଳେ କେନ୍ଦୁଝର ରଥ ପ୍ରତିବର୍ଷ ନୂଆ ନିର୍ମାଣ ନହୋଇ ପୁରୁଣା ରଥ ମରାମତି ପରେ ରଥ ଯାତ୍ରାରେ ଲାଗିଥାଏ।
ସମୟ ଥିଲା ଯେତେବେଳେ ଆମ ରାଜ୍ୟ ବଣଜଙ୍ଗଲରେ ଭରି ରହିଥିଲା। ସେତେବେଳେ ଏପରି ବୃକ୍ଷଚ୍ଛେଦନ ପରିବେଶକୁ ବିଶେଷ ପ୍ରଭାବିତ କରୁ ନ ଥିଲା। କିନ୍ତୁ ବର୍ତ୍ତମାନ ସେ ଅବସ୍ଥା ନାହିଁ। ପରିବେଶ ପ୍ରଦୂଷଣ ଏବଂ ଜାଗତିକ ଉଷ୍ମତା ଏକ ଘାତକ ସମସ୍ୟା ରୂପେ ଉଭା ହେଲାଣି। ଏବେ ଏହାର ପୁନର୍ବିଚାର କରିବାର ସମୟ ଆସିଛି। ଓଡ଼ିଶାରେ ଜଙ୍ଗଲର କ୍ଷେତ୍ରଫଳ ୧,୫୫,୭୦୭ ବର୍ଗ କିଲୋମିଟର ହେଲାବେଳେ ଜଙ୍ଗଲର ଆୟତନ ୫୧,୬୧୮ ବର୍ଗକିଲୋମିଟର; ଅର୍ଥାତ୍ ପ୍ରାୟ ୩୩ ପ୍ରତିଶତ। ତହିଁରୁ ଅନେକ ଘଞ୍ଚ ଜଙ୍ଗଲ ନୁହେଁ। ପରିପକ୍ୱ ଗଛର ଶୁଷ୍କ ଡାଳପତ୍ର ଗ୍ରାମାଞ୍ଚଳର ୪୦ ପ୍ରତିଶତ ଇନ୍ଧନ ଆବଶ୍ୟକତା ପୂରଣ କରେ। ଜଣେ ବ୍ୟକ୍ତି ଗୋଟିଏ ବର୍ଷରେ ଶ୍ୱାସକ୍ରିୟା ଲାଗି ୧୭୫ କିଲୋଗ୍ରାମ ଅମ୍ଳଜାନ ଆବଶ୍ୟକ କଲାବେଳେ ଗଛଟିଏ ୧୧୮ କିଲୋଗ୍ରାମ ଓଜନର ଅମ୍ଳଜାନ ଉତ୍ପାଦନ କରେ। ଏକ ଏକର ଜଙ୍ଗଲ ବାର୍ଷିକ ୬ ଟନ୍ ଅଙ୍ଗାରକାମ୍ଳ ଶୋଷଣ କଲାବେଳେ ୪ ଟନ୍ ଅମ୍ଳଜାନ ଉତ୍ପନ୍ନ କରେ। ଗଛଗୁଡ଼ିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶବ୍ଦ ପ୍ରଦୂଷଣ ହ୍ରାସ କରନ୍ତି, ଗୋଟିଏ ବଡ଼ଗଛ ବାଷ୍ପୀକରଣ ମାଧ୍ୟମରେ ଯେତିକି ଶୀତଳତା ପ୍ରଦାନ କରେ ତାହା ୧୦ଟି ପ୍ରକୋଷ୍ଠକୁ ୨୦ ଘଣ୍ଟା ଧରି ଶୀତଳ ରଖିପାରିଲା ଭଳି ଶୀତତାପ ନିୟନ୍ତ୍ରକ ସହିତ ସମାନ। ଗୋଟିଏ ୧୦ ହଜାର ବୃକ୍ଷ ବିଶିଷ୍ଟ ଛୋଟ ଜଙ୍ଗଲ ୧୦ ନିୟୁତ ଗ୍ୟାଲନ୍ ବୃଷ୍ଟିଜଳ ଧରିରଖେ ଏବଂ ପ୍ରାକୃତିକ ବିଶୋଧନକାରୀ ରୂପେ କାର୍ଯ୍ୟ କରେ। ଆମେ ବ୍ୟବହାର କରୁଥିବା ଔଷଧର ଏକ ଚତୁର୍ଥାଂଶ ଜଙ୍ଗଲସୃଷ୍ଟ। ବିସ୍ତୃତ ବୃକ୍ଷରାଜି ମନକୁ ଶାନ୍ତ କରେ ଏବଂ ଅପରାଧ ପ୍ରବଣତା ହ୍ରାସ କରେ। ଅରଣ୍ୟ ଓ ଗଛଲତା ବିବିଧ ପଶୁପକ୍ଷୀଙ୍କୁ ବାସ ଓ ସୁରକ୍ଷା ପ୍ରଦାନ କରି ଜୈବ ବିବିଧତା ସଂରକ୍ଷଣ କରନ୍ତି। ଗୋଟିଏ ଗଛ ଜୀବନର ୪୦ ବର୍ଷ ମଧ୍ୟରେ ୧ ଟନ୍ରୁ ଅଧିକ ଅଙ୍ଗାରକାମ୍ଳ ଶୋଷଣ କରି ଜାଗତିକ ଉଷ୍ମତା ହ୍ରାସ କରେ। ଝଡ଼ବାତ୍ୟା ଓ ବୃଷ୍ଟିପାତ ନିୟନ୍ତ୍ରଣ କ୍ଷେତ୍ରକୁ ଗଛଗୁଡ଼ିକ ଅବଦାନ ଅକଳନୀୟ।
ଏସବୁ ବ୍ୟତୀତ ଅର୍ଥନୈତିକ ଦୃଷ୍ଟିରୁ ବିଚାର କଲେ ୫୦ ବର୍ଷ ବଞ୍ଚୁଥିବା ଗୋଟିଏ ଗଛ ତା’ ଜୀବନକାଳ ମଧ୍ୟରେ ଆମକୁ ଅମ୍ଳଜାନ ଉତ୍ପାଦନ, ପଶୁପାଳନ, ମୃତ୍ତିକା ସଂରକ୍ଷଣ ଓ ଜଳ ପୁନଃଚକ୍ରଣ, ବାୟୁମଣ୍ଡର ଆର୍ଦ୍ରତା ଓ ତାପମାତ୍ରା ନିୟନ୍ତ୍ରଣ, ବିବିଧ ପଶୁପକ୍ଷୀଙ୍କୁ ବାସ ଯୋଗାଣ ଆଦି ମାଧ୍ୟମରେ ଜୈବବିବିଧତାର ସୁରକ୍ଷା ଏବଂ ବାୟୁରୁ ଅଙ୍ଗାରକାମ୍ଳ, ଗନ୍ଧକ ଅକ୍ସାଇଡ୍, ଭାସମାନ ସୂକ୍ଷ୍ମକଣିକା ପ୍ରଭୃତି ପ୍ରଦୂଷକ ନିଷ୍କାସନ ଇତ୍ୟାଦି କ୍ଷେତ୍ରକୁ ଦେଉଥିବା ଅବଦାନର ମୂଲ୍ୟ ପ୍ରାୟ ୫୮୨.୪୧ ଲକ୍ଷ ଟଙ୍କା। ଗୋଟିଏ ଗଛ କାଟିଲେ ଏତିକି ଅର୍ଥନୈତିକ କ୍ଷତି ଘଟେ। ଏପରିସ୍ଥଳେ ରଥଯାତ୍ରା ପାଇଁ ପ୍ରତିବର୍ଷ ଶହ ଶହ ଗଛ କାଟିବା କେତେ କ୍ଷତିକାରକ ତାହା ଅକଳ୍ପନୀୟ।
ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଭଗବତ ଦୟାଲ୍ ଶର୍ମାଙ୍କ ଅଧ୍ୟକ୍ଷତାରେ କମିଟି ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ଏବଂ ମୁକ୍ତିମଣ୍ଡପ ପଣ୍ଡିତ ସଭା ସହ ଆଲୋଚନା କରି ପ୍ରତିବର୍ଷ ନୂଆ ରଥ ନିର୍ମାଣ ନକରି ଏକ ସ୍ଥାୟୀ ରଥ ନିର୍ମାଣ ସପକ୍ଷରେ ମତ ଦେଇଥିଲେ। ଇତିମଧ୍ୟରେ ମହାବାତ୍ୟା ଓ ଅନ୍ୟାନ୍ୟ ବାତ୍ୟାରେ ଅନେକ ଜଙ୍ଗଲ ସମ୍ପଦ ଧ୍ୱଂସ ହୋଇଯାଇଥିଲେ ବି ସରକାର ସ୍ଥାୟୀ ରଥ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହାର ମୁଖ୍ୟ କାରଣ ହେଲା ଯେ ସରକାର ନିଜକୁ ପରମ୍ପରା ରକ୍ଷକ ଭାବେ ଦେଖାଇ ହେବାକୁ ଚାହାନ୍ତି, ରାଷ୍ଟ୍ର ଓ ବିଶ୍ୱମଙ୍ଗଳ ପଛେ ଚୁଲୀକୁ ଯାଉ! ଆମେ ମନେରଖିବା ଉଚିତ ଯେ, କୌଣସି ପରମ୍ପରା ଚିରସ୍ଥାୟୀ ନୁହେଁ- ସମୟ ସହିତ ତାଳଦେଇ ତାହା ବଦଳିଥାଏ। ସତୀଦାହ ପ୍ରଥା ଓ ନରବଳି ପରମ୍ପରା ଆମେ ବଦଳାଇ ଦେଇଛେ ଓ ରଥ ଉପରେ ଡାହୁକ ଏବେ ଆଉ ଅଶ୍ଳୀଳ ବୋଲିବାଣୀ କରୁନାହାନ୍ତି। ଏବେ ପରମ୍ପରା ଅପେକ୍ଷା ପରିବେଶର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଣୁ ସମସ୍ତ ପରିବେଶପ୍ରେମୀ ଏବଂ ସଚେତନ ନାଗରିକ ସମାଜ ଭଗବତ ଦୟାଲ ଶର୍ମା କମିଟିର ସୁପାରିସକୁ କାର୍ଯ୍ୟକାରୀ କରି ସ୍ଥାୟୀ ରଥ ନିର୍ମାଣ ଲାଗି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଆବଶ୍ୟକ। ଜଗନ୍ନାଥ ସଂସ୍କୃତି ବିଶାରଦ ଓ ସେବକମାନେ ଏ ଦିଗରେ ନେତୃତ୍ୱ ନିଅନ୍ତୁ। ଦାରୁଦେବତାଙ୍କ ରଥ ପାଇଁ ପ୍ରତିବର୍ଷ ଶହଶହ ବୃକ୍ଷ ଅନାବଶ୍ୟକ ଭାବେ ଛେଦନ କରାଯିବାକୁ ସଭିଏଁ ବିରୋଧ କଲେ ହୁଏତ ସରକାର ପରମ୍ପରା ବଦଳେଇବାକୁ ଚିନ୍ତା କରିବାକୁ ବାଧ୍ୟ ହେବେ।
ଜାନକୀଶ ବଡ଼ପଣ୍ଡା
ଫୋ- ୯୪୩୮୨୯୯୦୩୭
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।