Advertisment

ବଜେଟରେ ବାସ୍ତବ ଆର୍ଥିକ ପ୍ରଶ୍ନର ଉତ୍ତର କେତେ ଅଛି?

କେନ୍ଦ୍ର ସରକାର ପୁଞ୍ଜି କ୍ଷେତ୍ରରେ ଯେଉଁ ଆଗ୍ରହ ପ୍ରଦର୍ଶନ କରୁଛନ୍ତି ସେଥିରେ ଘରୋଇ ପୁଞ୍ଜି ଆକର୍ଷିତ ହେଉନାହିଁ। କେନ୍ଦ୍ର ସରକାର ପୁଞ୍ଜି କ୍ଷେତ୍ରରେ ବାର୍ଷିକ ହାରାହାରି ଶତକଡ଼ା ୧୬ ହାରରେ ଅଭିବୃଦ୍ଧି ପ୍ରଦର୍ଶନ କରିଥିଲେ ମଧ୍ୟ ଘରୋଇ କମ୍ପାନୀମାନେ ମାତ୍ର ଶତକଡ଼ା ୬ ହାରରେ ପୁଞ୍ଜି ବିନିଯୋଗ କରୁଛନ୍ତି।

author-image
Debendra Prusty
Representative Image

Representative Image

ରବି ଦାସ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବା ପରେ ଏଥିରେ ମଧ୍ୟମ ଆୟ ଶ୍ରେଣୀରେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକରଦାତାଙ୍କୁ ଟିକସ ଛାଡ଼ କରାଯାଇଥିବାରୁ ଏହି ଶ୍ରେଣୀ ଆନନ୍ଦିତ ହେବା ସ୍ୱାଭାବିକ। କିନ୍ତୁ କେନ୍ଦ୍ର ବଜେଟ୍ ଆଗତ ପୂର୍ବରୁ ଭାରତର ବାସ୍ତବ ଆର୍ଥିକ ସ୍ଥିତି ନେଇ ଯେଉଁ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲା ଏବଂ ସେଥିରେ ଭାରତୀୟ ଅର୍ଥନୀତିରେ ଦେଖା ଦେଇଥିବା ସଙ୍କଟଗୁଡ଼ିକ ସହିତ ଭବିଷ୍ୟତ ରୂପରେଖ ବିଷୟରେ ଯେଉଁ ପରାମର୍ଶ ଦିଆଯାଇଥିଲା ତାହା ବଜେଟରେ କେତେଦୂର ପ୍ରତିଫଳିତ ହୋଇଛି ତାହା ଉପରେ ଦେଶର ଅର୍ଥନୀତିର ଦିଗ ନେଇ ଆଲୋଚନା ହେବା କଥା।

Advertisment

ଏହି ଆର୍ଥିକ ସର୍ଭେରେ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ, କୋଭିଡ୍ ପରେ ପ୍ରାୟ ୪ ବର୍ଷ କାଳ ଭାରତର ଆର୍ଥିକ ଅଭିବୃଦ୍ଧି ସନ୍ତୋଷଜନକ ଥିଲାବେଳେ ଚଳିତ ଆର୍ଥିକ ବର୍ଷରେ ସେହି ସ୍ଥିତି ନାହିଁ। ଷ୍ଟକ୍ ମାର୍କେଟରେ ସ୍ଥିରତା ନାହିଁ। ଭାରତୀୟ ମୁଦ୍ରା ଦୁର୍ବଳ ହୋଇଛି। ଦେଶ ଭିତରେ ଚାହିଦା ଆଶାନୁରୂପକ ବୃଦ୍ଧି ପାଉନାହିଁ। କେନ୍ଦ୍ର ସରକାର ପୁଞ୍ଜି କ୍ଷେତ୍ରରେ ଯେଉଁ ଆଗ୍ରହ ପ୍ରଦର୍ଶନ କରୁଛନ୍ତି ସେଥିରେ ଘରୋଇ ପୁଞ୍ଜି ଆକର୍ଷିତ ହେଉନାହିଁ। କେନ୍ଦ୍ର ସରକାର ପୁଞ୍ଜି କ୍ଷେତ୍ରରେ ବାର୍ଷିକ ହାରାହାରି ଶତକଡ଼ା ୧୬ ହାରରେ ଅଭିବୃଦ୍ଧି ପ୍ରଦର୍ଶନ କରିଥିଲେ ମଧ୍ୟ ଘରୋଇ କମ୍ପାନୀମାନେ ମାତ୍ର ଶତକଡ଼ା ୬ ହାରରେ ପୁଞ୍ଜି ବିନିଯୋଗ କରୁଛନ୍ତି। ଯଦିଓ ଏହି କମ୍ପାନୀମାନଙ୍କୁ ସରକାର ଭଲ ଟିକସ ରିହାତି ପ୍ରଦାନ କରିଛନ୍ତି। ଫଳରେ ଭାରତୀୟ ଅର୍ଥନୀତିରେ ଏକ ମାନ୍ଦା ଅବସ୍ଥା ଦେଖାଦେଇ ଅଭିବୃଦ୍ଧି ହାର ଚଳିତ ବର୍ଷ ଗତ ବର୍ଷ ତୁଳନାରେ ହ୍ରାସ ପାଇଛି।

ଆମେରିକାର ନୂଆ ପ୍ରଶାସନ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାରେ ଓ ଟିକସ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଫଳରେ ଜଗତୀକରଣ ପ୍ରକ୍ରିୟା ପଛଘୁଂଚା ଦେବାର ପୂର୍ଣ୍ଣ ସୂଚନା ମିଳୁଛି। ତେଣୁ ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧି ହାସଲ ପାଇଁ ଘରୋଇ କାରଣଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକ ଦୂର କରିବା ନିହାତି ଆବଶ୍ୟକ। ଚଳିତ ବର୍ଷର ଆର୍ଥିକ ଅଭିବୃଦ୍ଧିରେ ଦେଖାଯାଇଥିବା ପ୍ରତିବନ୍ଧକ ଭିତରେ ଆନ୍ତର୍ଜାତିକ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଅବସ୍ଥା ଯୋଗୁ ଆସନ୍ତା ବର୍ଷ ଅଭିବୃଦ୍ଧି ହାର ଶତକଡ଼ା ୬.୩ରୁ ୬.୮ ଭିତରେ ସୀମାବଦ୍ଧ ରହିବ। କିନ୍ତୁ ଭାରତକୁ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ବାର୍ଷିକ ଅଭିବୃଦ୍ଧି ହାର ଶତକଡ଼ା ୮ରୁ ଅଧିକ ହେବା ଜରୁରୀ। ଏପରିକି ଆର୍ଥିକ ସର୍ଭେକୁ ଅନୁଧ୍ୟାନ କଲେ ଯେ କେହି କହିପାରିବ ଯେ, ୧୯୯୧ ଯେପରି ଭାରତ ଆର୍ଥିକ ସଂସ୍କାର ଆଣି ଲାଇସେନ୍ସ ପରମିଟ୍ ରାଜ୍ ଖତମ୍ କରିଥିଲା ସେହିପରି ଏକ ବଡ଼ ଧରଣର ଆର୍ଥିକ ସଂସ୍କାର ଏବେ ଦେଶ ଆବଶ୍ୟକ କରୁଛି।

Advertisment

ଉପରୋକ୍ତ ପୃଷ୍ଠଭୂମିରେ ଦେଖିଲେ ୨୦୨୫-୨୬ ବଜେଟରେ ଆୟକର କ୍ଷେତ୍ରରେ ଦିଆଯାଇଥିବା ରିହାତି ଯୋଗୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବଜାରରେ ପ୍ରବେଶ କରି ଘରୋଇ ଚାହିଦା ବଢ଼ାଇବ ବୋଲି ବିଚାର କରାଯାଇଛି। କିନ୍ତୁ ଏହି ୧ ଲକ୍ଷ କୋଟି ଟଙ୍କାର ଚାହିଦା ବୃଦ୍ଧି ଅର୍ଥନୀତିକୁ ବାସ୍ତବରେ କେତେ କ୍ରୀୟାଶୀଳ କରିପାରିବ? ଭାରତରେ ମୋଟ୍ ୯ କୋଟି ଲୋକ ଆୟକର ରିଟର୍ଣ୍ଣ ଦେଉଥିବା ସମୟରେ ସେମାନଙ୍କ ଭିତରୁ ପ୍ରାୟ ସାଢ଼େ ୪ କୋଟି ବାସ୍ତବରେ କୌଣସି ଆୟକର ଦିଅନ୍ତି ନାହିଁ। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ସଂଖ୍ୟାକୁ ଯଦି ବିଚାର କରାଯାଏ, ସେମାନଙ୍କ ସଂଖ୍ୟା କେତେ ହେବ? କାରଣ ୧୨ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଶ୍ରେଣୀ ପାଇଁ ଆୟକର ବ୍ୟବସ୍ଥା ପୂର୍ବପରି ରହିଛି। ଭାରତର ମୋଟ୍ ୧୪୦ କୋଟିରୁ ଉର୍ଦ୍ଧ୍ୱ ଜନସଂଖ୍ୟାରେ ଏମାନଙ୍କ ସଂଖ୍ୟା ଶତକଡ଼ା ୩ ଭାଗ ହେବ। କିନ୍ତୁ ଦେଶର ସଂଖ୍ୟାଗରିଷ୍ଠ ଶ୍ରେଣୀ ଯେଉଁମାନେ ଦିନ ମଜୁରିଆ ଓ ମାସିକ ୧୫ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି, ସେମାନଙ୍କର ଆର୍ଥିକ ଅବସ୍ଥାରେ ବା ମଜୁରି ବୃଦ୍ଧି ନପାଇଲେ ବଜାରରେ ପ୍ରକୃତ ଚାହିଦା ବଢ଼ିବାର ସମ୍ଭାବନା ନାହିଁ।

ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଏହି ଶ୍ରେଣୀର ଲୋକମାନଙ୍କ ପ୍ରକୃତ ଆୟ ମୁଦ୍ରାସ୍ପୀତିକୁ ବାଦ୍ ଦେଲେ ୨୦୧୭ ସ୍ତରରେ ରହିଛି। ଏହି ଶ୍ରେଣୀ ହାତରେ ବ୍ୟୟ କରିବା ପାଇଁ ଅର୍ଥ ନାହିଁ। ଯେଉଁଥିପାଇଁ ଏହି ଶ୍ରେଣୀ ସମ୍ପୂର୍ଣ୍ଣ ଭାବରେ ପାଉଚ୍ କାରବାର ଉପରେ ଜୀବନ କଟାଉଛନ୍ତି। ଏହି ଶ୍ରେଣୀ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ବ୍ୟୟ କଲା ପରେ ଜୀବନଯାପନ ପାଇଁ ଋଣଗ୍ରସ୍ତ ହେଉଛନ୍ତି। ଶିକ୍ଷାଲାଭ ପରେ ମଧ୍ୟ ଭଲ ନିଯୁକ୍ତିଟିଏ ପାଇବା ଏହି ଶ୍ରେଣୀ ପାଇଁ ଅସମ୍ଭବ ହେଉଛି। ଏଣୁ ନିଯୁକ୍ତି ସୃଷ୍ଟି ନ ହେଲେ ଏହି ଶ୍ରେଣୀର ଆୟ ବଢ଼ିବ ନାହିଁ ବା ବଜାରରେ ଚାହିଦା ବଢ଼ିବ ନାହିଁ। କିନ୍ତୁ ଏହି ଶ୍ରେଣୀ ପରୋକ୍ଷ ଟିକସ କ୍ଷେତ୍ରରେ ଧନୀ ଶ୍ରେଣୀ ସହିତ ସମାନ ଭାବରେ ଟିକସ ପ୍ରଦାନ କରୁଛନ୍ତି। ଜିଏସଟି ବ୍ୟବସ୍ଥା ଯେପରି ଚାଲିଛି ସେଥିରେ କେନ୍ଦ୍ର ସରକାରଙ୍କର ସବୁଠାରୁ ବଡ଼ ରାଜସ୍ୱ ଏବେ ଏହି ପରୋକ୍ଷ ଟିକସ କ୍ଷେତ୍ରରୁ ଆସୁଛି।

ଅର୍ଥମନ୍ତ୍ରୀ ଅସନ୍ତା ବର୍ଷର ବଜେଟ୍ ଉପସ୍ଥାପିତ କରିବା ସମୟରେ ଗତ ବର୍ଷ ବଜେଟରେ ଯେଉଁସବୁ କ୍ଷେତ୍ରକୁ ଯାହାସବୁ ବ୍ୟୟ ବରାଦ କରିଥିଲେ ସେଗୁଡ଼ିକ କୌଣସି କ୍ଷେତ୍ରରେ ସମ୍ପୂର୍ଣ୍ଣ ଉପଯୋଗ ହୋଇନାହିଁ ବୋଲି ମାନିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଓ ସର୍ବୋପରି ଗ୍ରାମ୍ୟ ଉଦ୍ୟୋଗରେ ବ୍ୟୟବରାଦର ଖର୍ଚ୍ଚ ହୋଇପାରୁନାହିଁ। କେବଳ ଗ୍ରାମ୍ୟ ଉଦ୍ୟୋଗରେ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇନାହିଁ। ସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଶିକ୍ଷକ ଓ ଅଧ୍ୟାପକ ନାହାନ୍ତି। ଶିକ୍ଷା ବଜେଟର ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରି ନାହିଁ। ବିଭିନ୍ନ ବିଭାଗରେ ଖର୍ଚ୍ଚ କମାଇ ବିତ୍ତୀୟ ନିଅଂଟର ଲକ୍ଷ୍ୟ ପୂରଣ କରାଯାଉଛି। ଆସନ୍ତା ବର୍ଷ ବଜେଟରେ ୧ ଲକ୍ଷ କୋଟି ଟଙ୍କାର ଆୟକର ଛାଡ଼ ପରେ ମଧ୍ୟ ବିତ୍ତୀୟ ନିଅଂଟ ଶତକଡ଼ା ୪.୪ରେ ସୀମିତ ରହିବ ବୋଲି କୁହାଯାଇଛି।

ଅସଲ କଥା ହେଉଛି, ଅର୍ଥନୈତିକ ସର୍ଭେ ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, କମ୍ପାନୀମାନଙ୍କର ଲାଭ ବେଶ୍ ଉତ୍ସାହଜନକ ଥିବାବେଳେ ସାଧାରଣ ଲୋକମାନଙ୍କର ମଜୁରୀ ବଢୁନାହିଁ। ତେଣୁ ଦେଶରେ ପ୍ରକୃତ ଆର୍ଥିକ ସମୃଦ୍ଧି ପାଇଁ ଲାଭର ସମବଂଟନ ହେବା ଅତି ଜରୁରୀ। ଏହା ଅଭିବୃଦ୍ଧିକୁ ସହାୟକ ହେବ। ଦେଶରେ ନିଯୁକ୍ତ ହାର ଶତକଡ଼ା ୧.୫ ହାରରେ ବଢୁଥିବା ବେଳେ କମ୍ପାନୀମାନଙ୍କ ଲାଭ ଶତକଡ଼ା ୨୨ ହାରରେ ପହଂଚିଛି। ଯେଉଁ କମ୍ପାନୀମାନେ ୧୯୨୨-୨୩ରେ କର୍ମଚାରୀଙ୍କ ଦରମା ବା ମଜୁରୀ ବାବଦରେ ଶତକଡ଼ା ୧୭ ଭାଗ ଖର୍ଚ୍ଚ କରୁଥିଲେ ଏହା କମିଯାଇ ୨୦୨୩-୨୪ରେ ଶତକଡ଼ା ୧୩ରେ ପହଂଚିଛି। ଏହିପରି ଅବସ୍ଥାରେ କର୍ମଚାରୀମାନଙ୍କୁ ସପ୍ତାହକୁ ୭୦ ଘଂଟା ବା ୯୦ ଘଂଟା କାମ କରିବା ପାଇଁ କିପରି କୁହାଯାଇପାରିବ?

ଭାରତ ବିଶ୍ୱର ପଂଚମ ଅର୍ଥନୀତି ଓ କିଛି ବର୍ଷ ଭିତରେ ତୃତୀୟ ଅର୍ଥନୀତିରେ ପଣିଣତ ହେବ ବୋଲିକ ୁହାଯାଉଛି। ଏହି କଥା କୁହାଯାଇ ନିଜକୁ ବିଶ୍ୱଗୁରୁ କହିବାକୁ ହେଲେ ଦେଶ ଭିତରେ ପ୍ରତି କ୍ଷେତ୍ରରେ ସେହି ଅନୁସାରେ ଅଭିବୃଦ୍ଧି ଆବଶ୍ୟକ। ବିଶ୍ୱ ବାଣିଜ୍ୟ ମାନଚିତ୍ରରେ କେବଳ ସେବା କ୍ଷେତ୍ରକୁ ଛାଡ଼ିଦେଲେ ଭାରତର ବିଶ୍ୱ ବାଣିଜ୍ୟରେ ଅଂଶ ହେଉଛି ମାତ୍ର ଶତକଡ଼ା ୨ ଭାଗ। ଭାରତର ରାଜନୈତିକ ଓ ଭୌଗୋଳିକ ସ୍ଥିତି ଯୋଗୁ ବିଶ୍ୱରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ହେଲେ ମଧ୍ୟ ଅର୍ଥନୈତିକ କ୍ଷେତ୍ରରେ, ବିଜ୍ଞାନରେ ଓ ଇନୋଭେସନରେ ଭାରତକୁ ଏକ ପ୍ରଭାବଶାଳୀ ଅବସ୍ଥାକୁ ଆଣିବାକୁ ହେଲେ ଯେଉଁ ଧରଣର ପ୍ରଚେଷ୍ଟା ପ୍ରତି ବଜେଟରେ ରହିବା କଥା ତାହା ଅନୁଭୂତ ହେଉନାହିଁ। ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ୍ ଜରିଆରେ ପ୍ରତି ଘରକୁ ପାଇପ୍ ପାଣି ଯୋଗାଇବାକୁ ନେଇଥିବା ମିଶନ୍ ବାବଦରେ ବରାଦ ଅର୍ଥ ଯଦି ଖର୍ଚ୍ଚ ନ ହେଲା ତେବେ ସରକାର ଲକ୍ଷ୍ୟ ଅନୁସାରେ କାମ କରୁଛନ୍ତି ବୋଲି କିଏ ଭାବିବ? ସେହିପରି ବଜାରରେ ମଜୁରୀ ଦର ବଢ଼ି ଚାଲିଥିବା ସମୟରେ ମନରେଗା ଯୋଜନାରେ ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିକୁ ୧୦୦ ଦିନର ବାର୍ଷିକ କାମ ପାଇଁ ଗ୍ୟାରେଂଟି ଦିଆଯାଉଛି ସେହି ମଜୁରୀ ନ ବଢ଼ିବା ଫଳରେ ଏଥିପ୍ରତି ମଜୁରୀଆଙ୍କ ଭିତରେ କୌଣସି ଆଗ୍ରହ ରହୁନାହିଁ।

୨୦୨୫-୨୬ କେନ୍ଦ୍ର ବଜେଟରେ ବିହାରକୁ ଅଧିକ ଫାଇଦା ଦିଆଯାଇଛି ଓ ସେହି ରାଜ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାମାନ ହୋଇଥିବା ବେଳେ ଓଡ଼ିଶା ପାଇଁ କିଛି ସେପରି ବ୍ୟବସ୍ଥା ନଥିବାରୁ ସମାଲୋଚନା କରାଯାଉଛି। କିନ୍ତୁ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ଯେ, ଓଡ଼ିଶାର ଆର୍ଥିକ ଅବସ୍ଥାକୁ ପ୍ରଂଶସା କରାଯାଇଛି। ଓଡ଼ିଶା ସରକାରଙ୍କ ନିଜସ୍ୱ ଆୟର ଶତକଡ଼ା ୪୯ ଭାଗ ଅଣଟିକସ କ୍ଷେତ୍ରରୁ ଆଦାୟ କରି ଓଡ଼ିଶା ଭାରତରେ ଏକ ରେକର୍ଡ ସ୍ଥାପନ କରିଛି। ଖଣି ଉଦ୍ୟୋଗ ଯୋଗୁ ଓଡ଼ିଶାର ଆର୍ଥିକ ସ୍ଥିତି ଓ ଶିଳ୍ପଦ୍ୟୋଗର ସମ୍ଭାବନା ବେଶ୍ ଭଲ ରହିଛି। ସମ୍ଭବତଃ ସେହି କାରଣରୁ କେନ୍ଦ୍ରୀୟ ସରକାର ଗଠନରେ ଓଡ଼ିଶାର ବରିଷ୍ଠ ଭୂମିକା ସତ୍ତ୍ୱେ ଓଡ଼ିଶା ସ୍ୱତନ୍ତ୍ର ଭାବରେ କେନ୍ଦ୍ର ବଜେଟରୁ ବିଶେଷ ଫାଇଦା ପାଇନାହିଁ। କିନ୍ତୁ କେନ୍ଦ୍ରୀୟ ଟିକସର ଅଂଶ ଭାବରେ ରାଜ୍ୟ ଯେଉଁ ପରିମାଣରେ ଅର୍ଥ ଗତବର୍ଷ ପାଇଥିଲା ଆଗାମୀ ବର୍ଷ ପ୍ରାୟ ୯୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ନିଜସ୍ୱ ଗୋଡ଼ରେ ଛିଡ଼ା ହେବା ପାଇଁ ଓଡ଼ିଶା ପାଖରେ ସମ୍ବଳ ଥିବାରୁ ରାଜ୍ୟକୁ ଆଉ ସବୁ କ୍ଷେତ୍ରରେ କେନ୍ଦ୍ରର ସହାୟତା ଆବଶ୍ୟକ ପଡ଼ିବ ନାହିଁ ବୋଲି ବିଚାର କରାଯାଇଛି।

ମୋ- ୮୦୧୮୦୯୪୪୫୫

Income Tax GST Nirmala Sitharaman Union Budget