ଓଡ଼ିଶା ସମୃଦ୍ଧ ହେବ କିପରି?

ସୁଧାଂଶୁ ରଞ୍ଜନ ଦାସ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଉତ୍କଳ ଦିବସ ଅବସରରେ ଆଗାମୀ ୨୦୩୬ ସୁଦ୍ଧା ଓଡ଼ିଶାକୁ ବିଶ୍ୱର ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ଓଡିଶାବାସୀଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ଓଡ଼ିଶା କିଭଳି ଋଣଗ୍ରସ୍ତ, ବନ୍ୟା ଓ ବାତ୍ୟା ପ୍ରପୀଡ଼ିତ ରାଜ୍ୟରୁ ଉଠି ବିଶ୍ୱର ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ ଏହା ସମସ୍ତଙ୍କୁ ଚକିତ କରିଦେଇଛି। ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଥିଲେ ବି ରାଜ୍ୟକୁ କିଭଳି ବିକାଶର ଶିଖରରେ ପହଞ୍ଚାଇବେ ତାହାର କୌଣସି ରୋଡ଼ ମ୍ୟାପ ଦେଇନାହାନ୍ତି।

ପ୍ରାଚୀନ ରାଜ୍ୟ ଓଡ଼ିଶାର ଲୋକେ ଅତ୍ୟନ୍ତ ସାହସୀ, ବୁଦ୍ଧିମାନ, କୁଶଳୀ, ଅତିଥିପରାୟଣ ଓ ସୃଜନଶୀଳ ବୋଲି ସାରା ଭାରତରେ ଖ୍ୟାତି ଲାଭ କରିଥିଲେ।ଓଡ଼ିଶାର ବୁଦ୍ଧିଜୀବୀମାନେ ଆଜି ମଧ୍ୟ ଭାରତ ଓ ଭାରତ ବାହାରେ ବିଭିନ୍ନ କ୍ଷେତ୍ର ଯଥା ବ୍ୟାଙ୍କିଙ୍ଗ, ଶିକ୍ଷା, ଗବେଷଣା, ମିଡ଼ିଆ ଓ ଆଇଟି ଆଦି ସେକ୍ଟରରେ ଉତ୍ତମ ରୂପେ ନିଜ ଦାୟିତ୍ୱ ସମ୍ଭାଳୁଅଛନ୍ତି। ଏତେ ପ୍ରାକୃତିକ ସମ୍ପଦ, ବୁଦ୍ଧିମତା, ଧୈର୍ଯ୍ୟ ଓ ଦୟାଭାବ ଥିଲେ ମଧ୍ୟ ଆତ୍ମବିଶ୍ୱାସର ଅଭାବରୁ ମାର୍ଗଦର୍ଶନ ପାଇଁ ଓଡ଼ିଶା ଆଜି ଅନ୍ୟ ରାଜ୍ୟକୁ ଅନେଇ ବସିଛି। ଓଡ଼ିଶାରେ କର୍ମକ୍ଷେତ୍ରରେ ଅନୁକୂଳ ବାତାବରଣ ଅଭାବରୁ ଅନେକ ଶିକ୍ଷିତ ବୃତ୍ତିଗତ ଓଡ଼ିଆ ଓ ଏଣ୍ଟରପ୍ରିନିଅର ଓଡିଶା ଫେରିପାରୁନାହାନ୍ତି।

ରାଜ୍ୟର ବର୍ତ୍ତମାନର ଆର୍ଥିକ, ସାମାଜିକ ଓ  ସାଂସ୍କୃତିକ ପରିବେଶ ଓ ତୃଣମୂଳ ସ୍ତରର ବାସ୍ତବତା ଉପରେ ଜ୍ଞାନ ଥିବା ନେତୃତ୍ୱ ଓଡ଼ିଶା ଉପଯୋଗୀ ବିକାଶର ମଞ୍ଜି ବୁଣିପାରିବ। ଟଙ୍କିକିଆ ଚାଉଳ ଓ ଗହମ ଖାଇ ଆଜି ଓଡ଼ିଶାର ଗାଁ ଗଣ୍ଡାରେ ଲୋକେ କାମ କରିବାକୁ ଇଛା କରୁନାହାନ୍ତି। ଏହି ଆଳସ୍ୟ ପାହାଡ଼ ଓଡ଼ିଶାର ଅର୍ଥନୀତିକୁ କେତେ କ୍ଷତି ଘଟାଇଛି ଏହାର କୌଣସି ହିସାବ ନାହିଁ। ମୁମ୍ବାଇ, ସୁରଟ, ହାଇଦ୍ରାବାଦ, ବାଙ୍ଗାଲୋର, ପୁନେ, ଦିଲ୍ଲୀ ଓ ଭାରତର ଅନ୍ୟାନ୍ୟ ସହରରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଓଡ଼ିଆ ଶ୍ରମିକ କାମ କରୁଥିବାର ଅନୁମାନ କରାଯାଏ। ଏହାର ସଠିକ ଆଂକଳନ କାହା ପାଖରେ ନାହିଁ। କରୋନା ଲକଡାଉନ ବେଳେ ହଜାର ହଜାର ଓଡ଼ିଆ ଶ୍ରମିକ ନିଜ ରାଜ୍ୟକୁ ଫେରି କର୍ମ ସଂସ୍ଥାନ ନପାଇ ପୁଣି ବାହାର ରାଜ୍ୟକୁ ଫେରି ଯାଇଛନ୍ତି। ନିଜ ରାଜ୍ୟରେ ଯଦି ରୋଜଗାରର ସୁବିଧା ଥାଆନ୍ତା ତେବେ ସେମାନେ ହୁଏତ ଏତେ ସ୍ୱଳ୍ପ ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଇନଥାନ୍ତେ। ଓଡ଼ିଶାର ଅଧିକାଂଶ କୁଶଳୀ ଓ ଅର୍ଦ୍ଧ କୁଶଳୀ ଶ୍ରମିକ ଦିନକୁ ୩୦୦ ଟଙ୍କାରୁ ୧୦୦୦ ଟଙ୍କା ଯାଏ ପାଇଥାନ୍ତି। ଘର ଭଡ଼ା, ଓଡ଼ିଶାକୁ ଯିବା ଆସିବା ଖର୍ଚ୍ଚ, ଖାଦ୍ୟପେୟ, ସ୍ୱାସ୍ଥ୍ୟ ଓ ଶିକ୍ଷାରେ ତାଙ୍କର ୮୦%ରୁ ଅଧିକା  ପଇସା ଖର୍ଚ୍ଚ ହୋଇଯାଏ। ଓଡ଼ିଶାର ଆର୍ଥିକ କ୍ଷେତ୍ର ଯଥା କୃଷି, ପର୍ଯ୍ୟଟନ, ମାଛ ଚାଷ, ଫଳଚାଷ, ହସ୍ତଶିଳ୍ପ, ହସ୍ତତନ୍ତ, କୁଟୀରଶିଳ୍ପ, ରପ୍ତାନୀ ଭିତ୍ତିକ ବିଶେଷ ଶିଳ୍ପଜାତ ଦ୍ରବ୍ୟ, ଜଙ୍ଗଲଜାତ ଦ୍ରବ୍ୟ ଓ ଉପକୂଳବର୍ତ୍ତୀ ଅଂଚଳ ଆଦି ଅନେକ କ୍ଷେତ୍ରରେ ନେତୃତ୍ୱର ଅଭାବରୁ ରୋଜଗାରର ବିଶେଷ ସମ୍ଭାବନା ସୃଷ୍ଟି କରିପାରୁନାହିଁ।

କେବଳ ଉଚ୍ଚ ମାନର ହସ୍ତଶିଳ୍ପ ଓ ହାତବୁଣା ଲୁଗା ଓଡ଼ିଶାକୁ ବହୁତ ଅଧିକ ବିଦେଶୀ ମୁଦ୍ରା ଦେଇପାରିବ। ନେତୃତ୍ୱ କହିଲେ କୋଟ୍‌, ପେଣ୍ଟ, ଜୋତା, ଟାଇ ପିନ୍ଧା ଇଂରାଜୀରେ ଲକ୍ଷ୍ୟହୀନ ଭାବରେ ଭାଷଣ ଦେଉଥିବା ନେତୃତ୍ୱ ନୁହେଁ। ପ୍ରକୃତ ନେତୃତ୍ୱ ହେଲା ଯିଏ ରାଜ୍ୟର ବର୍ତ୍ତମାନର ଆର୍ଥିକ, ସାମାଜିକ ଓ  ସାଂସ୍କୃତିକ ପରିବେଶ ଓ ଭୂମି ସ୍ତରର ବାସ୍ତବତା ଉପରେ ଗଭୀର ଜ୍ଞାନ ରଖି ରାଜ୍ୟ ପାଇଁ ସଚୋଟ, ନିଷ୍ଠାପର ଓ  ପ୍ରତିବଦ୍ଧତାର ସହିତ କାମ କରିପାରିବ। ଏଭଳି ଲୋକଙ୍କୁ ଚିହ୍ନଟ କରି ସରକାର ସେମାନଙ୍କଠାରୁ ମାର୍ଗଦର୍ଶନ ନେଲେ ଏହା ଓଡ଼ିଶାକୁ ନିଶ୍ଚିତ ଭାବରେ ସମୃଦ୍ଧ କରିପାରିବ। ଓଡ଼ିଶାରେ କେତୋଟି ନଦୀ, ହ୍ରଦ ଓ ପୋଖରୀ ଶୁଖିଗଲାଣି ତାର ସଠିକ ଡାଟା କେହି ଦେଇପାରିବେ ନାହିଁ। ବିନା ଡାଟା, ପୁଞ୍ଜି ଓ ତୃଣମୂଳ ସ୍ତରର ଅଭିଜ୍ଞତା ବିନା ଓଡ଼ିଶା କିଭଳି ବିଶ୍ୱର ଏକ ସମୃଦ୍ଧ ରାଜ୍ୟ ବନିବ ଏହା ଜଣାପଡୁନାହିଁ।

ବଡ଼ ବଡ଼ ସହରଗୁଡ଼ିକରୁ ରେଳରେ ଓଡ଼ିଶା ଆସିବା ପାଇଁ ଅନେକ ସମୟ ଲାଗିଥାଏ। ଯଦି ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଓ ପୁନେରୁ ଓଡ଼ିଶା ପାଇଁ ଦ୍ରୁତଗାମୀ ରେଳର ବ୍ୟବସ୍ଥା ହୋଇପାରନ୍ତା ତେବେ ଏହା ଲକ୍ଷ ଲକ୍ଷ ଓଡ଼ିଶାବାସୀଙ୍କର ମୂଲ୍ୟବାନ ସମୟ ବଞ୍ଚାଇ ପାରନ୍ତା।  ମୁମ୍ବାଇ, ପୁନେ, ବାଙ୍ଗାଲୋର  ଓ ହାଇଦ୍ରାବାଦରେ ପୋଟଳ କିଲୋ ପିଛା ୧୨୦ ଟଙ୍କାରୁ ୧୫୦ ଟଙ୍କାରେ ବିକ୍ରୀ ହୋଇଥାଏ। ଯଦି ପୋଟଳ ଓ ଅନ୍ୟାନ୍ୟ ପନିପରିବା ଓ ଫଳ ଆଦି ଅନ୍ୟ ରାଜ୍ୟକୁ ଦ୍ରୁତଗାମୀ ରେଳଦ୍ୱାରା ପଠାଇବାର ବ୍ୟବସ୍ଥା ହୋଇପାରନ୍ତା ତେବେ ଏହା ଅନେକ ଓଡ଼ିଆ ଚାଷୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣନ୍ତା। ନିକଟରେ ଏକ ଓଡ଼ିଆ ଭୋଗ ଦୋକାନୀ ପୁରୀର କେତେକ ଯୁବକଙ୍କୁ ଦାଦା ବଟି ନଦେବାରୁ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ରକ୍ତାକ୍ତ କରାଯାଇଥିବା ଖବର ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା। ଏଭଳି ପରିସ୍ଥିତିରେ ସାଧୁ ପ୍ରକୃତିର ଲୋକେ ବ୍ୟବସାୟ କିଭଳି କରିବେ? ରାଜ୍ୟ ଭିତରେ ଓ ବାହାରୁ  ଆସୁଥିବା ସମସ୍ତ ଅସାମାଜିକ ବ୍ୟକ୍ତିଙ୍କର ଡାଟା ପୁଞ୍ଜି, ପୋଲିସ ଓ ପ୍ରଶାସନର  ଦକ୍ଷତା ରାଜ୍ୟରେ ଅନେକ ଅପରାଧକୁ ରୋକିବା ସଂଗେ ସଂଗେ ଓଡ଼ିଶାର ସାମାଜିକ ଓ ଆର୍ଥିକ ପରିବେଶରେ ଉନ୍ନତି ଆଣିବ।

ଗାଁ ଗୁଡ଼ିକରେ ଥିବା ସମସ୍ତ ଜଳାଶୟଗୁଡିକୁ ପୁନଃ ଉଦ୍ଧାର କରି ଏହାକୁ ମାଛ ଚାଷ ଓ ଜଳସେଚନରେ ବ୍ୟବହାର କଲେ ଏହା ହଜାର ହଜାର ଗ୍ରାମବାସୀଙ୍କର ଆର୍ଥିକ ଉନ୍ନତିରେ ସାହାଯ୍ୟ କରିବ। ଗାଁଗୁଡିକରେ ଲୋପ ପାଇଯାଇଥିବା  ଫସଲ ବିବିଧତାକୁ ପୁନରୁଦ୍ଧାର କଲେ ଏହା ଗାଁ ଲୋକଙ୍କର ଆର୍ଥିକ ଅବସ୍ଥାର ଉନ୍ନତି କରିବା ସଂଗେ ସଂଗେ ଲୋକମାନଙ୍କୁ ପୁଷ୍ଟିହୀନତାରୁ ବଞ୍ଚାଇ ପାରିବ। କୋଉ ଫସଲରେ ବିବିଧତା ନଷ୍ଟ ହୋଇଛି ତାର ସଠିକ ତାଲିକା ତିଆରି କରିବା ଦରକାର। ଓଡ଼ିଶାରେ ଅନେକ ଅଭିଜ୍ଞ ଚାଷୀ ଅଛନ୍ତି ଯେଉଁମାନେ ସରକାରଙ୍କୁ ମାର୍ଗଦର୍ଶନ ଦେଇପାରିବେ। ଚାଷୀମାନଙ୍କୁ ଦରକାର ପାଣିର ସୁବିଧା, ଉତ୍ତମ ବିହନ, ଭେଜାଲ ମୁକ୍ତ ସାର, ଦକ୍ଷ ଓ ସଚ୍ଚୋଟ ସମ୍ପ୍ରସାରଣ ଅଧିକାରୀ। ଉତ୍ତମ ମାନର ସରକାରୀ ଓ ବେସରକାରୀ ସ୍କୁଲ ଓ ସ୍ୱାସ୍ଥ୍ୟକେନ୍ଦ୍ର ଗ୍ରାମର ଉତ୍ପାଦକତା ବଢ଼ିବାରେ ସାହାଯ୍ୟ କରିଥାଏ। ଏକ ସଚ୍ଚୋଟ ଓ ସମ୍ବେଦନଶୀଳ ସରପଞ୍ଚ  ଯେ କୌଣସି ଗାଁକୁ ସୁନା କରିଦେଇପାରିବ।

ଆଜି ଚୀନର ଧନୀ ଲୋକେ ଗାଁରେ ରହିବା ପାଇଁ ପସନ୍ଦ କରୁଛନ୍ତି। କାରଣ ଗାଁରେ ମିଳୁଥିବା ସ୍ଵଚ୍ଛ ଶୀତଳ ଜଳ, ସବୁଜିମା,  ପ୍ରଦୂଷଣ ମୁକ୍ତ ଥଣ୍ଡା ପବନ ଓ ଖୋଲା ପରିବେଶ ସେମାନଙ୍କ ପାଇଁ ଅମୂଲ୍ୟ ବସ୍ତୁରେ ପରିଣତ ହୋଇଛି। ଖାଲି ଚୀନ ନୁହେଁ ଅନେକ ବିକଶିତ ଦେଶରେ ମଧ୍ୟ ‘ଗାଁକୁ ଫେର’ ମନୋଭାବ ଲୋକଙ୍କ ଭିତରେ ଦେଖା ଦେଲାଣି। ଭାରତର ୧୩୮ କୋଟି ଲୋକରୁ ପ୍ରାୟ ୫୦ କୋଟି ଲୋକ ସହରରେ ରୁହନ୍ତି ଓ ଏହି ୫୦ କୋଟି ଲୋକ ସହରୀ ଆର୍ଥିକ ସେକ୍ଟରର ବିକାଶ ପାଇଁ ବହୁ ଅଧିକ ଯୋଗଦାନ କରିଥାନ୍ତି। ମହାତ୍ମା ଗାନ୍ଧୀ କହିଥିଲେ ଯଦି ଆମେ ଅଧିକା ଗ୍ରାମବାସୀଙ୍କୁ ସହରରେ ରଖିବାକୁ ଚେଷ୍ଟା କରିବା ତେବେ ସହରଗୁଡିକ ଲୋକସଂଖ୍ୟା ଚାପରେ ନଷ୍ଟ ହୋଇଯିବ। ମହାତ୍ମା ଗାନ୍ଧୀଙ୍କ ବାଣୀ ଆଜି ସତ୍ୟ ହେଲା ଭଳି ଲାଗେ। ଭାରତର ପ୍ରାୟ ସବୁ ବଡ଼ ବଡ଼ ସହର ଆଜି ମନୁଷ୍ୟ ଉପଯୋଗୀ ନାହିଁ। ଡିଆସିଲ ଖୋଳ ଭଳି ଘରେ ରହି, ବାଲଟିଏ ପାଣିରେ ଗାଧୋଇ, ପ୍ରଦୂଷଣ ଭିତରେ ରହି ବେଶୀ ପଇସା ରୋଜଗାର କରିବାରେ  କି ମୂଲ୍ୟ?

ପ୍ରଖ୍ୟାତ ସମାଜସେବୀ ତଥା ମେଗାସେସେ ପୁରସ୍କାରପ୍ରାପ୍ତ ଆନ୍ନା ହଜାରେ ଭାରତୀୟ ସେନାରୁ ଅବସର ନେଇ ନିଜ ଗାଁ ରାଲେଗାଓଁସିଦ୍ଧିକୁ  ଫେରିଲାପରେ ଦେଖିଥିଲେ ତାଙ୍କ ଗାଁର ଯୁବପିଢ଼ି ମଦମାଂସ ଓ ଆମୋଦ ପ୍ରମୋଦରେ ସମୟ ବିତାଇବା ସଂଗେ ସଂଗେ ସାମାଜିକ ପରିବେଶକୁ କଳୁଷିତ କରୁଛନ୍ତି। ଆନ୍ନା ହଜାରେ ଧୀରେ ଧୀରେ ଗ୍ରାମବାସୀଙ୍କୁ ଏକତ୍ରିତ କରି ଅନେକ ପ୍ରକାରର ଗ୍ରାମବିକାଶ କାମ କରିଥିଲେ। ଯେତେବେଳେ ଗ୍ରାମବାସୀଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ହେଲା ସେମାନେ ସୁସ୍ଥ ସାମାଜିକ ପରିବେଶର ମହତ୍ୱ ବୁଝି ପାରିଲେ। ରାଲେଗାଓଁ ସିଦ୍ଧି ଗାଁ ଭିତରେ ଓ ଆଖ ପାଖରେ ୪୦ରୁ ଅଧିକ ମଦ ଦୋକାନ ଥିଲା। ଆନ୍ନାଙ୍କ ନେତୃତ୍ୱରେ ଗ୍ରାମର ଯୁବ ଗୋଷ୍ଠୀ ସମସ୍ତ ମଦ ଦୋକାନ ବନ୍ଦ କରିଦେଇଥିଲେ। ଆଜି ରାଲେଗାଓଁ ସିଦ୍ଧିର ଚାଷୀ ବର୍ଷକୁ ତିନୋଟି ଫସଲ କରିପାରୁଛି। ରାଲେଗାଓଁ ସିଦ୍ଧିର ଉନ୍ନତ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ପରିବେଶକୁ  ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି।

ଓଡିଶାପ୍ରେମୀ ନେତାମାନେ ଯଦି ଓଡ଼ିଶାର ସାମୂହିକ  ବିକାଶ ଚାହାନ୍ତି ତେବେ ସେମାନେ ଲୋକଙ୍କର ସମସ୍ୟା ପ୍ରତ୍ୟକ୍ଷ ଦେଖିବା ଉଚିତ। ହେଲିକପ୍ଟର, ଉଡ଼ାଜାହାଜ ଓ ଏସି ଗାଡ଼ିରେ ଚଢ଼ି ବୁଲିଲେ ଲୋକଙ୍କର ପ୍ରକୃତ ସମସ୍ୟାକୁ ହୃଦୟଙ୍ଗମ କରିହୁଏ ନାହିଁ। ଭଗବାନ ଶ୍ରୀରାମଙ୍କୁ ସୁଶାସନର ଏକ ପ୍ରତୀକ କୁହାଯାଏ। ଶ୍ରୀରାମ ଛଦ୍ମ ବେଶରେ ଲୋକଙ୍କ ପ୍ରକୃତ ଅବସ୍ଥା ଜାଣିବା ପାଇଁ ଗାଁ ଗାଁ ଓ ନଗରର ଗଳି ଗଳିରେ ବୁଲୁଥିଲେ। ସେଥିପାଇଁ ସେ ପୂରା ଭାରତ ବର୍ଷରେ ସୁରାଜ୍ୟ ସ୍ଥାପନ କରିପାରିଥିଲେ। ତାଙ୍କର ୧୪ ବର୍ଷ ବନବାସ ତାଙ୍କୁ ଲୋକଙ୍କର ପ୍ରକୃତ ସମସ୍ୟା ବିଷୟରେ ଜାଣିବାକୁ ସୁଯୋଗ ଦେଇଥିଲା। ଫଳରେ ସେ ଚାଟୁକାରମାନଙ୍କ କଥାରେ ବଶୀଭୂତ ହେଉନଥିଲେ। ଭାରତର ବଡ଼ ବଡ଼ ରାଜା ମହାରାଜାମାନେ ଶ୍ରୀରାମଙ୍କର ଏହି ପରମ୍ପରାକୁ ଅନୁସରଣ କରି ସମୃଦ୍ଧ ଭାରତ ପ୍ରତିଷ୍ଠା କରିଥିଲେ। ଲୋକଙ୍କ ପ୍ରକୃତ ମୌଳିକ ସମସ୍ୟା ସାଙ୍ଗରେ ଜଡିତ ହୋଇ ତା’ର ସମାଧାନ କଲେ ଯେକୌଣସି ନେତା ବାକ୍ୟ ବୀରରୁ କର୍ମବୀର ହୋଇ ଜନ ସାଧାରଣଙ୍କର ହୃଦୟ ଜିତିପାରିବ। ଶାସନରେ ଥିବା ଓ ବିରୋଧୀ ଦଳର ନେତାମାନେ ଯଦି ଲୋକଙ୍କ ପ୍ରକୃତ ଦୁର୍ଦ୍ଦଶା ବିଷୟରେ ଜାଣି ସାମୂହିକ ବିକାଶ ପାଇଁ  କାମ କରିବେ ତେବେ ଓଡିଶା ୨୦୩୬ ପୂର୍ବରୁ ମଧ୍ୟ ଏକ ସମୃଦ୍ଧ ରାଜ୍ୟରେ ପରିଣତ ହୋଇପାରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।