Advertisment

କାଶୀପୁରରେ ଝଡ଼ି ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ

ସେମାନଙ୍କ ଲାଗି ଅନେକ ଜୀବନ ଚାଲିଯିବାରେ ଲାଗିଛି। ସେମାନଙ୍କ ହେତୁ ଅନେକ ଆଦିବାସୀ ଓ ଦଳିତ ଚାଷୀ ନିଜର ଜମି ଓ ଜଙ୍ଗଲ ହରାଇ ଗରିବ ତାଲିକାଭୁକ୍ତ ହେଉଛନ୍ତି। ସେମାନଙ୍କ ପରିବାର ଲୋକେ ବାହାର ରାଜ୍ୟକୁ ଯାଉଛନ୍ତି ସେ ମଧ୍ୟରୁ ପୁଣି କେହି କେହି ଶବ ହୋଇ ନିଜ ଗାଁକୁ ଫେରୁଛନ୍ତି।

IMG_2290

Alumina Plant At Kashipur Photograph: (Author)

Advertisment

ଦେବ ରଞ୍ଜନ

ପରିବାର ମଧ୍ୟରେ ନୂଆ ଛୁଆଟିଏ ଜନ୍ମ ହେଲେ ସମସ୍ତଙ୍କ ମନରେ ଖୁସି ଆସିଯାଏ। ଛୁଆର ସ୍ଵାଗତରେ ସମସ୍ତେ ଏକାଠି ହୁଅନ୍ତି। ଛୁଆ ତା’ ମା’ର ଜରାୟୁର ଅନ୍ଧାରକୁ ଖୋଜେ। ବାହାରେ ପରିବାର ଲୋକେ ତାହାକୁ ଦୁନିଆର ଆଲୋକ ଓ ଶବ୍ଦର କୋଳାହଳ ସହିତ ପରିଚିତ କରାନ୍ତି। ପରିବାର ଲୋକେ ଭୋଜି ଭାତରେ ଲାଗିଯା’ନ୍ତି। 

Advertisment

ଆଦିବାସୀ ପରିବାର ମଧ୍ୟରେ ସ୍ଥିତି ତ ଆହୁରି ନିଆରା। ନୂଆ ଛୁଆ ଜନ୍ମିଲେ ଗାଁରେ ଢୋଲ ବାଜେ, ମହୁରୀ ବାଜେ। ଛୁଆର ପିଉସୀ ଖୁସିରେ ନାଚିବା ଆରମ୍ଭ କରିଦିଏ। ତାହାର ସାଙ୍ଗମାନେ ପୂରା ଗାଁକୁ ନଚାଇ ଦିଅନ୍ତି। ଖବର ପାଇ ଆଦିବାସୀ ଦିଶାରୀ ଘରକୁ ପଶିଆସନ୍ତି। ଗାଁର ମରିଥିବା ସମସ୍ତ ମଣିଷମାନଙ୍କ ନାମ ନେଇ ଚାଉଳ ପରେ ଚାଉଳ ପକାଇଚାଲନ୍ତି। ଶେଷରେ ନିର୍ଦ୍ଧାରିତ ହୁଏ ଛୁଆ କାହାର ଡୁମା ନେଇ ଜନ୍ମ ହୋଇଛି। ଛୁଆକୁ ନିଜ ପିଢ଼ି ଭିତରେ ସାମିଲ କରିଦିଆଯାଏ। 

ବାପା ମା’ଙ୍କ ରକ୍ତ ଓ ଝାଳ, ପ୍ରକୃତିର ପାଣି ଓ ପବନ ଓ ସମଗ୍ର ସମାଜର ସୁରକ୍ଷା ଓ ଭାଷା ମାଧ୍ୟମରେ ସେହି ଛୁଆ ବଡ଼ ହୁଏ। ପିଢ଼ି ପରେ ପିଢ଼ି ମଣିଷ ତାହାର ଏହି ସ୍ମୃତିକୁ ନେଇ ଚାଲିଛି। ସ୍ମୃତି ନାହିଁ ତ ମଣିଷର ଅସ୍ତିତ୍ୱ ନାହିଁ। 
ଆଧୁନିକ ବିକାଶ କିନ୍ତୁ ଗାଁର ସେହି ଛୁଆକୁ ନେଇ ଖଞ୍ଜି ଦିଏ କୌଣସି ଏକ କମ୍ପାନୀର କର୍ମଚାରୀ ଭାବରେ। ଛାତିରେ ପରିଚୟ ପତ୍ର ଝୁଲାଇଦିଏ। ସେଥିରେ ବାପା ମା’ କି ଗାଁ ସମ୍ବନ୍ଧରେ କିଛି ଉଲ୍ଲେଖ ନଥାଏ। ମଣିଷ ଏକ କୋଡ଼୍‌ ନମ୍ବର ହୋଇଯାଏ। କିଛି ଦିନ ଅନ୍ତେ ‘ତୁମର ସର୍ଭିସ ଆଉ ଆବଶ୍ୟକ ନାହିଁ’ କହି କମ୍ପାନୀ ବିଦା କରିଦିଏ। 

Advertisment

ରାୟଗଡ଼ା ଜିଲ୍ଲାର କାଶୀପୁରର ଆଜି ଅନେକ ଯୁବକ କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶରେ କାର୍ଯ୍ୟ କରୁଛନ୍ତି। ସେମାନେ କୌଣସି ବା କୌଣସି କମ୍ପାନୀର ଠିକା ଶ୍ରମିକ ପାଲଟି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ଅଥବା ଆଦିବାସୀ। ସେ ମଧ୍ୟରୁ ଗୁରୁନାଥ, ଆଦିବାସୀ ପିଲା, କଲିକତା ଯାଇଥିଲା ଏମିତି କୌଣସି ଏକ କମ୍ପାନୀ ନିକଟରେ କାମ କରିବା ଲାଗି। ଏକ ରାସ୍ତା ଦୁର୍ଘଟଣାରେ ନିକଟରେ ତାହାର ମୃତ୍ୟୁ ହୋଇଥିବା ଖବର ଆସିଲା। ଗ୍ରାମବାସୀ ତାହାର ଜନ୍ମ ସମୟରେ ଦିନେ ବାଜା ବଜାଇ ନାଚିଥିଲେ। ଏବେ ସେ ଶବ ହୋଇ ଗାଁକୁ ଫେରୁଛି। 

୨୦୧୦ ମସିହାରେ ଠିକ ଏମିତି ଏକ ଘଟଣା କାଶୀପୁରରେ ଘଟିଥିଲା। ସେ ସମୟରେ ଆଲୁମିନା କମ୍ପାନୀର ପ୍ଳାଣ୍ଟ ନିର୍ମାଣ କାମ କେବଳ ଆରମ୍ଭ ହୋଇଥାଏ। ଛୋଟ ଛୋଟ ବାଳିକାମାନଙ୍କୁ ମଧ୍ୟ କାର୍ଯ୍ୟରେ କମ୍ପାନୀ ନିଯୁକ୍ତ କରିଥାଏ। ହଠାତ ଏକ ପଥର ଗଡ଼ି ଆସିବା ହେତୁ କୁଚେଇପଦର ଗାଁର ଆଦିବାସୀ ଝିଅଟିଏ ମୃତ୍ୟୁବରଣ କରିଥିଲା। କମ୍ପାନୀର ସିଇଓଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣି ଲୋକେ ଏଫଆଇଆର ଦେଇଥିଲେ। ସେ ଏଫଆଇଆର ପରେ ଗାଏବ ହୋଇଗଲା। ଏହାକୁ ଏକ ଅପମୃତ୍ୟୁ ଦେଖାଇ ପୁଲିସ ମାମଲାକୁ ବନ୍ଦ କରିଦେଇଥିଲା। ସେ ଦିନ ବି ଲୋକେ ଝିଅର ଶବ ନିକଟରେ ଅନେକ କାନ୍ଦିଥିଲେ। ତାହାର ଶବକୁ ନେଇ ଶ୍ମଶାନରେ ପୋତିଥିଲେ କାରଣ ଝିଅଟି ଅପ୍ରାପ୍ତ ବୟସ୍କ ଥିଲା। 

ମୋ ଶୁଣିବାରେ ଗ୍ରାମବାସୀଙ୍କର ଅଭିଯୋଗ ଯେ ଗାଁ ପାଖରେ ଏକ ବିରାଟ କମ୍ପାନୀ ରହି ବି ଅଞ୍ଚଳର ପିଲାଙ୍କୁ ଚାକିରି ପାଇଁ ଦୂର ସହରକୁ ଯିବାକୁ ପଡୁଛି। କମ୍ପାନୀ ‘ବାହାରିଆ’ ପିଲାଙ୍କୁ ଚାକିରି ଦେଉଛି ବୋଲି ସେମାନଙ୍କ ବିରକ୍ତି। କମ୍ପାନୀରେ ଚାକିରି କରିଥିଲେ ଯେ ପିଲାଟି ବଞ୍ଚିଥାନ୍ତା ତାହା ନୁହେଁ। କମ୍ପାନୀର ପ୍ରତିଷ୍ଠାଠାରୁ ଆଜି ଭିତରେ ଅନେକ ଜୀବନ ଯାଇସାରିଲାଣି। 

ଗଲା ଦଶ ବର୍ଷ ହେଲା ଉତ୍କଳ ଆଲୁମିନା କମ୍ପାନୀ କାଶୀପୁରର ବାଫଲିମାଳି ପାହାଡ଼ରୁ ବକ୍ସାଇଟ ଖୋଳି ଦୋରାଗୁଡ଼ା ଠାରେ ପ୍ରତିଷ୍ଠିତ ନିଜର ଆଲୁମିନା ପ୍ଳାଣ୍ଟରେ ଆଲୁମିନା ପାଉଡର ତିଆରି କରୁଛି। ଆଦିତ୍ୟ ବିର୍ଲା ଗୃପ ହାତରେ ଏହି କମ୍ପାନୀ। ଏବେ ଏହାର ମୁଖ୍ୟ ହେଉଛନ୍ତି କୁମାର ମଙ୍ଗଳମ ବିର୍ଲା। ସେ ଘନଶ୍ୟାମ ଦାସ ବିର୍ଲାଙ୍କ ନାତି।

ଦେଶ ସ୍ଵାଧୀନ ହେବାର ଠିକ ପୂର୍ବବର୍ତ୍ତୀ ସମୟ। କ୍ଷମତା ହସ୍ତାନ୍ତର ଲାଗି ଆଲୋଚନା ଚାଲିଥାଏ। ସେ ସମୟରେ ‘ବମ୍ବେ ପ୍ଳାନ’ ମାଧ୍ୟମରେ ନିଜ ଲାଗି ଯେଉଁ ବିକାଶର ସ୍ଵପ୍ନ ଘନଶ୍ୟାମ ଦାସ ବିର୍ଲା ଦେଖିଥିଲେ ତାହାର ସୁଫଳ ଏବେ କୁମାର ମଙ୍ଗଳମ ବିର୍ଲା ପାଉଛନ୍ତି। କାଶୀପୁର ଅଞ୍ଚଳର ମାଟି, ପାଣି ଓ ବକ୍ସାଇଟକୁ ବ୍ୟବହାର କରି କମ୍ପାନୀର ମାଲିକ ଶ୍ରୀ ବିର୍ଲା ଆଜି ଦେଶର ଅନ୍ୟତମ ବିଲିୟୋନାୟାର ହୋଇପାରିଛନ୍ତି।

କମ୍ପାନୀ କିଛି ଲୋକଙ୍କୁ ନିଯୁକ୍ତି ଦେଇଛି। ସେମାନେ ନିଜର ଛାତିରେ ପରିଚୟ ପତ୍ର ଝୁଲାଇ ଟିକିରି ବଜାରରେ କେବେ କେମିତି ଆବିର୍ଭାବ ହେଉଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ର ପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ରର ପିଲାମାନେ। ଆଜି ସେମାନେ ନିଜ ପରିବାର ଠାରୁ ଅନେକ ଦୂରରେ ଅଛନ୍ତି। ସେମାନେ ନିଜ ଖାଦ୍ୟ ଓ ସଂସ୍କୃତି ଠାରୁ ଅଲଗା ହୋଇଯାଇ ବଞ୍ଚିବା ପାଇଁ କାଶୀପୁରରେ ଆସି ପହଞ୍ଚିଛନ୍ତି। ସେମାନଙ୍କ ଚାକିରି ଅସ୍ଥାୟୀ। ଆଜି ବି ସେମାନଙ୍କର କୌଣସି ୟୁନିଅନ ନାହିଁ। ୟୁନିଅନ ଗଠନ କରିବାର ଉଦ୍ୟମର ଅର୍ଥ ଚାକିରିରୁ ନିଲମ୍ବନ। ଏହିମାନଙ୍କୁ ସ୍ଥାନୀୟ ଲୋକେ କହୁଛନ୍ତି ‘ବାହାରିଆ’। 

ଏ ଦେଶ କିନ୍ତୁ ସମସ୍ତଙ୍କର। ଦେଶର ସମ୍ବିଧାନ ପ୍ରତ୍ୟେକ ନାଗରିକକୁ ଦେଶର ଯେ କୌଣସି କୋଣକୁ ଯାଇ ଜୀବିକା ଖୋଜିବାର ଅଧିକାର ଦେଉଛି। ଯେମିତି କାଶୀପୁରର ପିଲାମାନେ ତାମିଲନାଡୁ ଓ କେରଳରେ ଦିନ ମଜୁରି କାମ କରୁଛନ୍ତି ସେମିତି ବାହାର ରାଜ୍ୟର ପିଲାମାନେ କାଶୀପୁରରେ କମ୍ପାନୀରେ ଯୋଗ ଦେଇଛନ୍ତି। 

ସମୟ ଥିଲା, କାଶୀପୁରବାସୀ ବର୍ଷା ଦିନର ଖାଦ୍ୟାଭାବ ବ୍ୟତୀତ ବର୍ଷର ବାକି ଦିନମାନଙ୍କରେ ବେଶ ସୁଖ ଓ ଶାନ୍ତିରେ ଜୀବନ ବିତାଉଥିଲେ। ଗାଁରେ କେହି ଅଧିକ ଧନୀ ନଥିଲେ କି ଜମିହରା କୃଷକ ନଥିଲେ। ବକ୍ସାଇଟ ହେତୁ ଝରଣା ଗୁଡ଼ିକ ଚିରସ୍ରୋତା ଥିଲା। ଅନେକ ପ୍ରକାରର ଚାଷ ହେଉଥିଲା। କ୍ରମଶଃ ଜମିର ଉତ୍ପାଦନ କମିଲା। କିନ୍ତୁ ଖର୍ଚ୍ଚ ବଢ଼ିବାରେ ଲାଗିଲା। ଚେକ ଡ୍ୟାମର ଅଭାବ, ପ୍ରଦୂଷଣ ହେତୁ ଉତ୍ପାଦନରେ କମ, ବକ୍ସାଇଟ ଖୋଳା ହେବା ପରେ ଅନେକ ଝରଣା ଶୁଖିଯିବା ଓ ଚାଷୀର ଉତ୍ପାଦନର ଉପଯୁକ୍ତ ମୂଲ୍ୟ ନପାଇବା କାରଣରୁ ପରିଶ୍ରମୀ ଚାଷୀ ବି ଗରିବ ପାଲଟିଗଲା। ସେହି ଆଦିବାସୀ ଚାଷୀ ପରିବାରର ପିଲାମାନେ କାମ ଲାଗି ବାହାର ରାଜ୍ୟକୁ ଯିବାରେ ଲାଗିଲେ। 

ଦେଶର ବିକାଶର ଯୁକ୍ତି ବି ବଡ଼ ବିଚିତ୍ର। ସମସ୍ତେ ଶିଳ୍ପପତିଙ୍କ ଦ୍ଵାରା ବିକାଶ ସମ୍ଭବ ବୋଲି ଯୁକ୍ତି କରୁଛନ୍ତି। ଆଶା କରୁଛନ୍ତି ଯେ ସେମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ଵବୋଧ ଆସିବ ଓ ସେମାନେ ସମାଜକୁ ଦାରିଦ୍ର୍ୟ ଓ ବେକାରୀରୁ ଉଦ୍ଧାର କରିବେ। କେହି ଆଶା କରନ୍ତୁ ବା ନକରନ୍ତୁ ଶାସନକୁ ଆସୁଥିବା ଦଳ ତ ନିଶ୍ଚୟ କରୁଛନ୍ତି। ସେମାନେ ଗଲା ପଚିଶ ବର୍ଷ ହେଲା ସେହି କଥା ହିଁ କହୁଛନ୍ତି। ଏ ଭିତରେ ବିଜେପି, କଂଗ୍ରେସ ଓ ଆଞ୍ଚଳିକ ଦଳ ବିଜେଡ଼ି ଇତ୍ୟାଦି ସମସ୍ତେ ଅଛନ୍ତି।  

କାଶୀପୁରର ବକ୍ସାଇଟ ଉତ୍ତୋଳନ କରି ଲାଭ କରୁଥିବା ଉତ୍କଳ ଆଲୁମିନା କମ୍ପାନୀ ୨୦୨୪ ମସିହାର ନିର୍ବାଚନରେ ଜିତିବା ଲାଗି ‘ବିଜୁ ଜନତା ଦଳ’କୁ ୧୦୦ କୋଟି ଟଙ୍କା ଇଲେକ୍ଟରାଲ ବଣ୍ଡ ମାଧ୍ୟମରେ ଚାନ୍ଦା ଦେଇଥିଲା। ଏହି ତଥ୍ୟ ସାମ୍ନାକୁ ସେତେବେଳେ ଆସିଲା ଯେତେବେଳେ ଇଲେକ୍ଟରାଲ ବଣ୍ଡର ଉଚ୍ଛେଦ ଲାଗି ସୁପ୍ରିମ କୋର୍ଟରେ ମାମଲା ରୁଜୁ ହେଲା। ଏହା ଏକ ଲୁଚା କାରବାର ଥିଲା। ଚାନ୍ଦା କିଛି ଗଣତନ୍ତ୍ରକୁ ସୁଦୃଢ କରିବା ଲାଗି ଦିଆହୋଇନଥିଲା କି କାଶୀପୁରର ବିକାଶ ଲାଗି ଦିଆହୋଇ ନଥିଲା। କାଶୀପୁରର ବିକାଶ ଯଦି କମ୍ପାନୀର ଉଦ୍ଦେଶ୍ୟ ରହିଥାନ୍ତା ତେବେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦୦ କୋଟି ଟଙ୍କାର ବିଶାଳ ଅର୍ଥ ଆସିନଥାନ୍ତା। 

ବିଜୁ ଜନତା ଦଳ ମଧ୍ୟ ଏତେ ବିରାଟ ରାଶି ନେବା ଲାଗି ମନା ମଧ୍ୟ କରିନାହିଁ। ସେମାନେ ବି ଦେଶର ପ୍ରାକୃତିକ ସମ୍ପତ୍ତିର ବିକ୍ରିରେ ଲାଗିଥିଲେ। ରାଜ୍ୟର ପ୍ରାକୃତିକ ପରିବେଶ ସୁରକ୍ଷା ସମ୍ବନ୍ଧିତ ନିୟମକୁ ଫାଙ୍କି କମ୍ପାନୀଙ୍କୁ କେଉଁ ଭଳି ଅଧିକ ଲାଭର ସୁଯୋଗ ଦିଆଯିବ ସେହି ଉଦ୍ଦେଶ୍ୟରେ ବିଜେଡ଼ି ଲାଗିଥିଲା। ସରକାରୀ ଦଳ ପରିବେଶ, ପୁଲିସ, ଜମି ଅଧିଗ୍ରହଣ ଓ ଖଣି ବିଭାଗର କର୍ମଚାରୀଙ୍କୁ ଦେଶର ଆଇନ ପ୍ରତି ଅନୁବନ୍ଧିତ ନହେବା ଲାଗି ପରାମର୍ଶ ଦେଉଥିଲା। ଉତ୍କଳ ଆଲୁମିନା କମ୍ପାନୀ ଆଶା କରିଥିଲା ଯେ ବିଜେଡ଼ି କ୍ଷମତାକୁ ଆସିବ ଓ ଅନେକ ସୁବିଧା କମ୍ପାନୀ ଲାଗି କରିଦେବ। 

ଉତ୍କଳ ଆଲୁମିନା କମ୍ପାନୀକୁ କୋଡ଼ିଙ୍ଗା ଖଣି ମିଳିବା ଓ ଏହାର ଦୋରାଗୁଡ଼ା ପ୍ଳାଣ୍ଟ ଦ୍ଵାରା ହେଉଥିବା ସମସ୍ତ ପ୍ରଦୂଷଣ ପ୍ରତି ଆଖି ବୁଜି ଦେବା ଲାଗି ବିଜେଡ଼ି ଦଳକୁ ମୋଟା ରାଶିର ଚାନ୍ଦା କମ୍ପାନୀ ଦେଇଥିଲା। ଏବେ ବିଜେଡ଼ି ହାରିଯିବା ପରେ ସେହି ଅର୍ଥ ନା କମ୍ପାନୀର ଉଦ୍ଦେଶ୍ୟ ପୂରଣ କରିପାରିଲା ନା ଲୋକଙ୍କର କୌଣସି ଉପକାରରେ ଆସିଲା! 

ହୁଏତ ସେହି ୧୦୦ କୋଟି ଟଙ୍କା କାଶୀପୁର ଭଳି ଏକ ଛୋଟ ଅଞ୍ଚଳରେ ଠିକ ଭାବରେ ଖର୍ଚ୍ଚ କରିଥିଲେ ଅନେକ ଶହ ଚେକ ଡ୍ୟାମ ହୋଇପାରିଥାନ୍ତା, ଅନେକ ଶହ ସ୍କୁଲ ଖୋଲାଯାଇପାରିଥାନ୍ତା ଓ ଅନେକ ମେଡିକାଲ ବି ସ୍ଥାପନ ହୋଇପାରିଥାନ୍ତା। ଆଦିତ୍ୟ ବିରଳା କମ୍ପାନୀର ସାମାଜିକ ଦାୟିତ୍ଵବୋଧ ସାମାନ୍ୟତମ ଥିଲେ ସ୍ଥାନୀୟ ଲୋକଙ୍କ ବିକାଶ ନକରି କମ୍ପାନୀ ଏତେ ବିରାଟ ରାଶି କୌଣସି ଏକ ଦଳକୁ ନିର୍ବାଚନ ପୂର୍ବରୁ ଦେଇନଥାନ୍ତା। 

କମ୍ପାନୀ ହିଁ ବକ୍ସାଇଟ ନେଇ ଲାଭ କରୁଛି ଓ ଲାଭର କିଛି ଅଂଶ ପ୍ରମୁଖ ରାଜନୈତିକ ଦଳକୁ ଚାନ୍ଦା ଦେଉଛି ପୁଣି ସ୍ଥାନୀୟ ଲୋକଙ୍କୁ ଦାନ ଦେଉଛି। ଅନେକ ଦିନ ହେବ କମ୍ପାନୀର ସିଏସଆର ଅର୍ଥରେ ଲୋକଙ୍କୁ ଅର୍ଥ ବଣ୍ଟନ କରୁଥିବାର ଦୃଶ୍ୟ ରାୟଗଡ଼ା ସହରରେ ଦେଖିବାକୁ ମିଳୁଥିଲା। କେବଳ ଉତ୍କଳ ଆଲୁମିନା କମ୍ପାନୀ ନୁହେଁ ଓଡ଼ିଶାର ଅନେକ କମ୍ପାନୀ ଗରିବ ଲୋକଙ୍କୁ ଦାନ ଦେଉଥିବାର ଫୋଟୋ ନିଜ ରିପୋର୍ଟରେ ପ୍ରକାଶ କରୁଛନ୍ତି। 

ଦାନ ନେଉଥିବା ଲୋକର ମୁହଁରେ ସେଭଳି ହସ ନଥାଏ ଯେମିତି ହସ ଦାନ ଦେଉଥିବା ଲୋକର ମୁହଁରେ ଥାଏ। ଉଭୟଙ୍କ ଚେହେରା ଓ ପୋଷାକରୁ ସ୍ୱଚ୍ଛଳତାକୁ ବେଶ ବାରି ହୁଏ। ଦାନର ଗ୍ରହୀତା ଏକ ନୀରବ ପ୍ରତିବାଦ ମଧ୍ୟରେ ଦାନକୁ ଗ୍ରହଣ କରିଥାଏ। କିନ୍ତୁ ଗ୍ରହଣ କରିବା ଲାଗି ମନା କରିପାରେ ନାହିଁ। ସେ ନହେଲେ ଅନ୍ୟ ଜଣେ ସେହି ଟିକକ ଦାନ ଅର୍ଥକୁ ନେଇଯିବ, ସେ କଥା ସେ ଜାଣେ। ଏ ଦାରିଦ୍ର୍ୟ ବି ବଡ଼ ବିଚିତ୍ର। ଏହା ଗରିବକୁ ଭୋକ କେବଳ ଦିଏ ନାହିଁ, ଏହା ଧନୀକୁ ଦୟାଳୁ ହେବାର ସାର୍ଟିଫିକେଟ ମଧ୍ୟ ଯୋଗାଡ଼ କରେଇ ଦିଏ। 

ଗୋଟିଏ ପଟରେ ଦେଶର ପ୍ରାକୃତିକ ସମ୍ପଦକୁ ନେଇ ହାତ ଗଣତି କେତେଜଣ ଶିଳ୍ପପତି ବିଲିୟୋନାୟାର ହୋଇପାରିଛନ୍ତି। ସେମାନଙ୍କ ଲାଗି ଅନେକ ଜୀବନ ଚାଲିଯିବାରେ ଲାଗିଛି। ସେମାନଙ୍କ ହେତୁ ଅନେକ ଆଦିବାସୀ ଓ ଦଳିତ ଚାଷୀ ନିଜର ଜମି ଓ ଜଙ୍ଗଲ ହରାଇ ଗରିବ ତାଲିକାଭୁକ୍ତ ହେଉଛନ୍ତି। ସେମାନଙ୍କ ପରିବାର ଲୋକେ ବାହାର ରାଜ୍ୟକୁ ଯାଉଛନ୍ତି ସେ ମଧ୍ୟରୁ ପୁଣି କେହି କେହି ଶବ ହୋଇ ନିଜ ଗାଁକୁ ଫେରୁଛନ୍ତି। ଲୋକେ ଏଥର କୋହ ମଧ୍ୟରେ ଶବ ନିକଟରେ ଠିଆ ହେଉଛନ୍ତି। ପରିବାରକୁ ସାନ୍ତ୍ଵନା ଦେଉଛନ୍ତି। ଏହା ଅଥନୀତିର ଦୁଶ୍ଚକ୍ର ତିଆରି କରୁଛି। ହୁଏତ, ‘ଦିନେ ସମୟ ଆସିବ / ସେ ଲୁହ ହିଁ ଦ୍ରୋହର ସୁଅହେବ / ଆଉ ସେ ସୁଅରେ ଭାସିଯିବ / ସାହୁକାର ଓ ତା’ର ଶହେ ହାତିଆ ଅମାର, କୋଠାଘର।’ (ଅଶ୍ଵିନୀ କୁମାରଙ୍କ ‘ଡଙ୍ଗର ରାନୀ’ କବିତା)

ମୋବାଇଲ- ୯୪୩୭୭୬୨୨୭୨ 

Odisha Tribal Custom Kashipur Tribal Killing Tribal Rights Odisha tribal issues Odisha tribal village Odisha tribal protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe