Advertisment

ଧର୍ମ ଆଜି ନିର୍ବାଚନ ଜିତିବାର ସାହାରା, କାହିଁକି?

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେଉଁଝର ଜିଲ୍ଲାର ଘଟଗାଁ ତାରିଣୀ ପୀଠର ଉନ୍ନତି ଲାଗି ୨୧୫ କୋଟି ଟଙ୍କା ଘୋଷଣା କଲେ। ନିଜ ଜିଲ୍ଲାର କାନୁପୁର ପ୍ରକଳ୍ପ ଦୁଇ ଦଶନ୍ଧି ହେଲା ପଡ଼ିରହିଛି। ଏହାର କାର୍ଯ୍ୟ ସରୁନାହିଁ। ସରକାରୀ ହିସାବରେ ଏହା ଦ୍ଵାରା ୭୫,୦୦୦ ହଜାର ଏକର ଜମି ଜଳସେଚିତ ହେବ। ହଜାର ହଜାର ଚାଷୀ ଦୁଇ ଫସଲ କରିପାରିବେ।

author-image
Debendra Prusty
Shree Mandir Corridor Project

Shree Mandir Corridor Project

ଦେବ ରଞ୍ଜନ

ଆନୁଷ୍ଠାନିକ ଧର୍ମ କ’ଣ ଶାସକ ଦଳକୁ ନିର୍ବାଚିତ ହେବାରେ ସାହାଯ୍ୟ କରିଥାଏ? ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର। ଏହା କିନ୍ତୁ ରାଜନୀତିର ପ୍ରସଙ୍ଗ ହୋଇଯିବା ଦ୍ଵାରା ଏହି ପ୍ରଶ୍ନ ସ୍ଵାଭାବିକ ଭାବରେ ଆସୁଛି ଯେ ଧର୍ମ ଶାସକକୁ ପୁଣି ନିର୍ବାଚିତ ହେବାରେ କେତେଦୂର ସାହାଯ୍ୟ କରେ?

Advertisment

ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ବିଜୁ ଜନତା ଦଳ। ଓଡ଼ିଶାରେ ନିଜକୁ ଧର୍ମନିରପେକ୍ଷ ବୋଲି ସର୍ବଦା କହି ଆସୁଥିବା ବିଜେଡ଼ି ଗଲା ନିର୍ବାଚନରେ ଧର୍ମକୁ ମାଧ୍ୟମ କରିଥିଲା। ମନ୍ଦିର ନିର୍ମାଣ ଲାଗି ସରକାରୀ ପ୍ରୋତ୍ସାହନ (ଅଳ୍ପ କିଛି ଚର୍ଚ୍ଚ ଓ ମସଜିଦ ନିର୍ମାଣ ମଧ୍ୟ) ଆମକୁ ଦର୍ଶାଉଥିଲା ଯେ ବିଜେଡ଼ି ନିଜର ରାଜନୈତିକ ଆଭିମୁଖ୍ୟରେ ପରିବର୍ତ୍ତନ ଆଣୁଛି।

ଗଲା କିଛି ଦିନ ତଳେ ପୁରୀ ଜିଲ୍ଲାର ଚନ୍ଦନପୁର- ସାକ୍ଷୀଗୋପାଳ ଅଞ୍ଚଳର କିଛି ଗାଁକୁ ଯାଇଥିଲି। ପୁରୁଣା ମନ୍ଦିର ଗୁଡ଼ିକର ପରିପାଟି ବଦଳିଯାଇଛି। ସିମେଣ୍ଟରେ ଅନେକ କାର୍ଯ୍ୟ ନୂଆ ହୋଇଛି। ଯଜ୍ଞ ବେଦି, ରନ୍ଧନ ସ୍ଥଳ, ଅଫିସ, ଷ୍ଟୋର ରୁମ ଇତ୍ୟାଦି ଗୃହ ମନ୍ଦିର ଚାରିପାଖରେ ତିଆରି ହୋଇଛି। ଏହା ସହିତ ନୂତନ ଭାବରେ କେତେକ ମନ୍ଦିର ମଧ୍ୟ ଗାଁର ଗୋଷ୍ଠୀ ଜମି ଉପରେ ତିଆରି ହୋଇଛି।

Advertisment

ଉଭୟ ପୁରୁଣା ଓ ନୂଆ ମନ୍ଦିରକୁ ଲାଗି ରହିଥିବା ପୋଖରୀର ଚାରିପାଖରେ ସିମେଣ୍ଟର ଚୌକି ହୋଇଛି। ପୋଖରୀର ପାହାଚ ସାମ୍ନାରେ ତୋରଣ ହୋଇଛି। କେତେକ ସ୍ଥାନରେ ପୋଖରୀକୁ ଲାଗି ପାର୍କ ମଧ୍ୟ ହୋଇଛି। କେଉଁଠି କାମ ସଂପୂର୍ଣ୍ଣ ହୋଇଛି ତ କେଉଁଠି କାମର କିଛି ଭାଗ ଅସମ୍ପୂର୍ଣ୍ଣ ହୋଇଛି। କାରଣ ରାଜ୍ୟରେ ସରକାର ବଦଳିବା ପରେ ସେହି ଅର୍ଥ ଆସିବା ବନ୍ଦ ହୋଇଯାଇଛି। ନିର୍ବାଚନରେ ହାରିଲେ ବିଜେଡ଼ି ଦ୍ଵାରା ଆସୁଥିବା ଅନୁଦାନ ବନ୍ଦ ହୋଇଯିବ ବୋଲି ଜାଣିବା ସତ୍ତ୍ୱେ ଲୋକେ ବିଜେଡ଼ି ବିପକ୍ଷରେ ଭୋଟ ଦେଇଥିଲେ। କାହିଁକି?

ମୋର ମନେପଡ଼ିଲା ନିର୍ବାଚନ ପୂର୍ବରୁ ବିଜେଡ଼ିର ରଣକୌଶଳ - ଏହାର ନୂତନ ପ୍ରଭାବଶାଳୀ ସଦସ୍ୟଙ୍କ ରାଜ୍ୟବ୍ୟାପୀ ଲୋକଙ୍କ ଠାରୁ ଦାବିପତ୍ର ସଂଗ୍ରହର ଦୃଶ୍ୟ। ଲୋକେ ଜାଣୁଥିଲେ ଯେ ମନ୍ଦିର ନିର୍ମାଣ ସମ୍ବନ୍ଧିତ କୌଣସି ପ୍ରସ୍ତାବ ଦାବିପତ୍ରରେ ରହିଲେ ତାହା ଲାଗି ତୁରନ୍ତ ଅର୍ଥ ବରାଦ ହେଉଥିଲା।

ସେ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନର ମନ୍ଦିରକୁ ସରକାରଙ୍କ ୫-ଟି ସଚିବ ଯାଇ ଶହ ଶହ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରୁଥିଲେ। ଏହା ସହିତ ଉକ୍ତ ସଚିବ ମଧ୍ୟ ରାଜ୍ୟର ଅନେକ ପ୍ରସିଦ୍ଧ ମନ୍ଦିର ସ୍ଥଳର କାର୍ଯ୍ୟ ଅନୁଧ୍ୟାନ କରୁଥିଲେ। ସେ କୌଣସି ଜଳସେଚନ ଅଥବା ଶୀତଳଭଣ୍ଡାର ପ୍ରକଳ୍ପକୁ ଯାଉନଥିଲେ। ସବୁଠାରୁ ଶୀର୍ଷରେ ଥିଲା ଜଗନ୍ନାଥଙ୍କ ନାମରେ ପରିକ୍ରମା ପ୍ରକଳ୍ପ। ଅଯୋଧ୍ୟାରେ ରାମଚନ୍ଦ୍ରଙ୍କ ନୂତନ ମନ୍ଦିର ପ୍ରତିଷ୍ଠାର ପୂର୍ବରୁ ୪୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପର ଶିଳାନ୍ୟାସ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହୋଇଥିଲା। ଏହା ସମସ୍ତ ଖବରକାଗଜର ମୁଖ୍ୟ ସମ୍ବାଦ ଥିଲା।

ଖବରକାଗଜମାନଙ୍କରେ ବିଜେଡ଼ିର ନୂତନ ରଣକୌଶଳ ସମ୍ପର୍କିତ ଖବର ଆକର୍ଷଣୀୟ ଶୀର୍ଷକରେ ପ୍ରକାଶ ପାଉଥିଲା। ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ଏଭଳି ଆଚରଣର ଔଚିତ୍ୟକୁ ନେଇ କୌଣସି ବି ମୁଖ୍ୟଧାରାର ଖବରକାଗଜ ସାମାନ୍ୟ ମାତ୍ର ପ୍ରଶ୍ନ କରୁନଥିଲେ। ଖବରକାଗଜର ସମୁଦାୟ ପୃଷ୍ଠାର ଅର୍ଦ୍ଧାଧିକ ପୃଷ୍ଠାର ବିଜ୍ଞାପନ ସେମାନଙ୍କୁ ପାଗଳ କରିଥିଲା।

ଧାର୍ମିକ ଅନୁଷ୍ଠାନମାନଙ୍କ ସହଯୋଗ ଓ ସଂବାଦପତ୍ରମାନଙ୍କ ନୀରବତା ସତ୍ତ୍ୱେ ବିଜେଡ଼ି କେବଳ କ୍ଷମତାରୁ ଅପସରି ଗଲା, ତାହା ନୁହେଁ, ଏହା ଆଗାମୀ ଦିନରେ ରହିବ କି ନାହିଁ ତାହା ମଧ୍ୟ ଆଶଙ୍କା ମଧ୍ୟକୁ ଚାଲିଗଲା। ଯେଉଁଠି ଉପକୂଳ ଓଡିଶାର ୬୦ରୁ ୭୦ ବିଧାନସଭା ସିଟ ଉପରେ ବିଜେଡ଼ି ସଂପୂର୍ଣ୍ଣ ଭରସା କରିଥିଲା କାରଣ ‘ଆମ ନବୀନ’ ଏକ ପାରିବାରିକ ଶବ୍ଦ ହୋଇଥିଲା, ସେଠାରେ ବିଜେଡ଼ି ଅଧିକ ବିପର୍ଯ୍ୟୟର ସାମ୍ନା କରିଥିଲା।

ଧର୍ମ ଓ ଧାର୍ମିକ ଅନୁଷ୍ଠାନ କଣ ବିଜେଡ଼ିକୁ ଜିତିବାରେ ସାହାଯ୍ୟ କରିପାରିଲା?

କିନ୍ତୁ ବିଜେଡ଼ି କାହିଁକି ଧର୍ମକୁ ଆଶ୍ରା କରି ନିର୍ବାଚନ ଜିତିବା ଲାଗି ଉଦ୍ୟମ କରୁଥିଲା? ଏହାର ଉତ୍ତର ନିଶ୍ଚିତ ହେବ ଯେ ବିଜେପି ରାମ ମନ୍ଦିରକୁ ଭରସା କରି ଉତ୍ତର ଭାରତରେ ସଫଳତା ପାଉଥିବା କାରଣରୁ ଓଡ଼ିଶାରେ ବିଜେଡ଼ି ସେହି କୌଶଳ ନେଇ ବିରୋଧୀ ବିଜେପିକୁ ପରାଜୟ କରିବାର ସ୍ଵପ୍ନ ଦେଖୁଥିଲା।

ଭାରତୀୟ ରାଜନୀତିରେ, ଚାହେ ବିଜେପି ହେଉ ଅଥବା ଆଞ୍ଚଳିକ ଦଳ ଭାବରେ ବିଜେଡ଼ି ଅଥବା ଅନ୍ୟ କୌଣସି ଆଞ୍ଚଳିକ ଦଳ (ତାମିଲନାଡୁର ଡିଏମକେ ବ୍ୟତୀତ) ହୁଅନ୍ତୁ ସମସ୍ତେ ଧର୍ମକୁ ରାଜନୈତିକ ପ୍ରସଙ୍ଗ କରିବା ଏବେ ଏବେ ଆରମ୍ଭ କରିଛନ୍ତି।

ନିକଟରେ ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କ ଦ୍ଵାରା ଦୀଘା ଜଗନ୍ନାଥ ମନ୍ଦିର ନିର୍ମାଣ ଏହାର ଉଦାହରଣ। ଛତିଶଗଡ଼ରେ ଗଲା ନିର୍ବାଚନ ସମୟରେ କଂଗ୍ରେସ ପାର୍ଟିର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ‘ଜାତୀୟ ରାମାୟଣ ପର୍ବ’ ଓ ‘ମାତା କୌଶଲ୍ୟାଙ୍କ ଜନ୍ମସ୍ଥାନ’ ନାମରେ ଅନେକ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଉତ୍ତର ପ୍ରଦେଶ ସମ୍ପର୍କରେ ସମସ୍ତେ ଜାଣନ୍ତି।

ଏହା ଜଣାଶୁଣା କଥା ଯେ ସେହି ସମସ୍ତ ଅର୍ଥ ଯଦି ଲୋକଙ୍କ ଆର୍ଥିକ ଉନ୍ନତି ଦିଗରେ ଖର୍ଚ୍ଚ ହେଉଥାନ୍ତା ବା ମୌଳିକ ସୁବିଧା ଯୋଗାଇବା ଦିଗରେ ଖର୍ଚ୍ଚ ହେଉଥାନ୍ତା ତେବେ ଏହା ସକାରାତ୍ମକ ଫଳ ଦେଉଥାନ୍ତା। କିନ୍ତୁ ତାହା ହେଉନାହିଁ।

ପୁରୀ ଜିଲ୍ଲାର ଚନ୍ଦନପୁର ଅଞ୍ଚଳ ଏହାର ପ୍ରକୃଷ୍ଟ ଉଦାହରଣ। କାଠଯୋଡ଼ିରୁ ଅଲଗା ହୋଇ ଭାର୍ଗବୀ ନଦୀ କିଛି ବାଟ ପ୍ରବାହିତ ହେବା ପରେ ଦୁଇ ଭାଗ ହୋଇ ଧାଉଡ଼ିଆ ଓ ଭାର୍ଗବୀ ହୋଇ ପ୍ରବାହିତ ହୋଇଛନ୍ତି। ନଦୀରେ କିଛି ଆନିକଟ କରାଯାଇ ଛୋଟ ବା ଅଳ୍ପ ଓସାରର କେନାଲ ଦୁଇ ଦଶନ୍ଧି ତଳେ ତିଆରି ହୋଇଥିଲା। ସେହି କେନାଲ କାରଣରୁ ଉକ୍ତ ଅଞ୍ଚଳରେ ଆଖୁ, ଅନେକ ପ୍ରକାରର ପରିବା, ରବି ଫସଲରେ ଧାନ ଓ ବିରି ଇତ୍ୟାଦି ହେଉଥିଲା। ଏବେ କେନାଲରେ ଅନେକ ଦଳ ଜମିବାରୁ ପାଣି ଆସିବା କମିଯାଇଛି। ଅନେକ ଠାରେ କେନାଲକୁ ଚିହ୍ନି ହେଉନାହିଁ।

ଏହି ଚନ୍ଦନପୁର-ସକ୍ଷୀଗୋପାଳ-ବ୍ରହ୍ମଗିଗିର ତ୍ରିକୋଣ ଅଞ୍ଚଳରେ ଚାଷର ବିପର୍ଯ୍ୟୟ ସ୍ଥିତି ଗଲା କିଛି ବର୍ଷ ହେଲା ଅନେକ ଯୁବକଙ୍କୁ ଦାଦନ ଯିବା ଲାଗି ବାଧ୍ୟ କରୁଛି। ସେହି ଦାଦନ ଶ୍ରମିକମାନଙ୍କୁ ମୁଁ ଅନ୍ୟ ରାଜ୍ୟରେ ଅଧିକ ଭାବରେ ଭେଟିଥିବା କାରଣରୁ ଏହାର ପ୍ରକୃତ କାରଣ ଜାଣିବା ଲାଗି ଉପକୂଳ ଓଡ଼ିଶାର ପୁରୀ, ଯାଜପୁର, କେଉଁଝର ଓ ବାଲେଶ୍ଵର ଜିଲ୍ଲାର କିଛି ଅଞ୍ଚଳ ମୁଁ ଏ ଭିତରେ ଯାଇଥିଲି।

ଏହି ସମସ୍ତ ଅଞ୍ଚଳରେ ସବୁଠାରୁ ଅଧିକ ଦୟନୀୟ ସ୍ଥିତିରେ ଅଛନ୍ତି ଦଳିତ ଭୂମିହୀନ ଚାଷୀ ବର୍ଗ। ସେମାନଙ୍କ ପାଖରେ ନା ଜମି ଅଛି ନା ଅନ୍ୟ ଜମିରେ ତାଙ୍କୁ କାମ ମିଳୁଛି! ଚାଷ ଅଧିକ ଅଞ୍ଚଳରେ ପାଣି ଅଭାବ କାରଣରୁ ବନ୍ଦ ହୋଇଗଲାଣି। ତେଣୁ ଅଧିକ ଯୁବକ ଏବେ ବାହାର ରାଜ୍ୟରେ ଦିନ ମଜୁରୀରେ ବିଭିନ୍ନ କାମ କରୁଛନ୍ତି। ସେମାନେ ମୁଖ୍ୟତଃ କର୍ଣ୍ଣାଟକ, ତାମିଲନାଡୁ ଓ କେରଳ ଯାଉଛନ୍ତି।

ସେହି ପ୍ରବାସୀ ଶ୍ରମିକଙ୍କ ବାହାର ରାଜ୍ୟରେ ଭୋଗୁଥିବା ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିବା କଷ୍ଟ। ଏକ ଦଶ ଫୁଟରେ ଦଶ ଫୁଟ ଘରେ ସାତରୁ ଆଠ ଜଣ ଶ୍ରମିକ ରହୁଛନ୍ତି। ତେଣୁ ସେମାନେ ଶିଫ୍ଟ କାମ ପ୍ରତି ଆଗ୍ରହୀ ଯେମିତି ଗୋଟିଏ ସମୟରେ ସବୁ ପିଲା ରୁମ ମଧ୍ୟରେ ରହିବା ଲାଗି ବାଧ୍ୟ ହେବେ ନାହିଁ। ଯଦି କୌଣସି ପର୍ବରେ ବା ବନ୍ଦ ପାଳନ ସମୟରେ ସବୁ ପ୍ରତିଷ୍ଠାନ ବନ୍ଦ ହେଉଛି ତେବେ ଅଧେ ପିଲା ନିକଟସ୍ଥ ପାର୍କରେ ଯାଇ ବସୁଛନ୍ତି। ସମୟ ସମୟରେ ପୁଲିସ ଦ୍ଵାରା ହଇରାଣ ମଧ୍ୟ ଏଥିଲାଗି ହେଉଛନ୍ତି।

ଗୋଟିଏ ପଟରେ ନିଜ ଗାଁରେ ବିସ୍ତୀର୍ଣ୍ଣ ଅଞ୍ଚଳ ରହିଛି ଯାହା ତାଙ୍କୁ ଅପେକ୍ଷା କରୁଛି। ଆଉ ଗୋଟିଏ ପଟରେ ବିରାଟ ସହରରେ ସେମାନଙ୍କ ଲାଗି ଆବଶ୍ୟକୀୟ ଗୃହ। ଏହି ସ୍ଥିତି କଣ ଏବେ ଏବେ ଘଟିଛି?

ଦୀର୍ଘ ସତୁରୀ ବର୍ଷର ସ୍ଵାଧୀନତା ମଧ୍ୟରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତର ପ୍ରଦେଶ ଓ ପଶ୍ଚିମ ବଙ୍ଗର ବିଭିନ୍ନ ଜିଲ୍ଲା ଆଜି ଶ୍ରମିକ ରପ୍ତାନୀର ଅଞ୍ଚଳ ହୋଇଯାଇଛି। ସେମାନେ ଅନ୍ୟ ରାଜ୍ୟର (ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଇତ୍ୟାଦି) ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

ସେହିଭଳି ‘ଧନୀ ରାଜ୍ୟ’ ବଡ଼ ଉଦ୍ୟୋଗମାନେ ନିଜ ରାଜ୍ୟର ଶ୍ରମିକ ବଦଳରେ ଅନ୍ୟ ରାଜ୍ୟର ଠିକା ଶ୍ରମିକଙ୍କୁ ସ୍ୱଳ୍ପ ମଜୁରୀରେ ନିଯୁକ୍ତି ଦେଉଛନ୍ତି। ଏହା ପ୍ରଭାବଶାଳୀ ଧାରାରେ ପରିଣତ ହୋଇଛି। ଏହି ଉଦ୍ୟୋଗପତି ମାନେ ଆଦୌ ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ଆଇନରେ ଥିବା ସର୍ତ୍ତାବଳୀକୁ ପାଳନ କରୁନାହାନ୍ତି।

୨୦୨୪ ମସିହାରେ ଓଡ଼ିଶାରେ ବିଜେଡ଼ି ପରାସ୍ତ ହୋଇ ବିଜେପି ଶାସନକୁ ଆସିଲା। ଏହାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେଉଁଝର ଜିଲ୍ଲାର ଘଟଗାଁ ତାରିଣୀ ପୀଠର ଉନ୍ନତି ଲାଗି ୨୧୫ କୋଟି ଟଙ୍କା ଘୋଷଣା କଲେ। ନିଜ ଜିଲ୍ଲାର କାନୁପୁର ପ୍ରକଳ୍ପ ଦୁଇ ଦଶନ୍ଧି ହେଲା ପଡ଼ିରହିଛି। ଏହାର କାର୍ଯ୍ୟ ସରୁନାହିଁ। ସରକାରୀ ହିସାବରେ ଏହା ଦ୍ଵାରା ୭୫,୦୦୦ ହଜାର ଏକର ଜମି ଜଳସେଚିତ ହେବ। ହଜାର ହଜାର ଚାଷୀ ଦୁଇ ଫସଲ କରିପାରିବେ। ବୈତରଣୀ ନଦୀ ଉପରେ ଏହି ବନ୍ଧ ଏବେ ବି ତିଆରି ଚାଲିଛି। ଏହି ପ୍ରକଳ୍ପ କେତେ ଶୀଘ୍ର ଶେଷ ହେବ ସେ ଦିଗରେ ନୂତନ ସରକାର କୌଣସି ଘୋଷଣା କଲେନାହିଁ।

ତେଣୁ ଓଡ଼ିଶା ସମେତ “ଗରିବ ରାଜ୍ୟ”ରେ ସରକାର ପରେ ସରକାର ବଦଳୁଛନ୍ତି। ଶାସକ ଭାବରେ ଦଳ ପରେ ଦଳ ବଦଳୁଛି। କିନ୍ତୁ ବଦଳୁ ନାହିଁ ନୀତି ଓ ସରକାରଙ୍କ ସହିତ କାମ କରୁଥିବା ଅମଲାତନ୍ତ୍ର। ରାଜ୍ୟରେ ନିର୍ବାଚିତ ସରକାର ଓ ସେମାନଙ୍କ ଅମଲାତନ୍ତ୍ର ବିଶ୍ଵାସ କରୁଛନ୍ତି ଯେ ରାଜ୍ୟର ଗରିବ ଜନତା ପ୍ରବାସୀ ଯିବା ଦ୍ଵାରା ହିଁ ରାଷ୍ଟ୍ରର ଉନ୍ନତି ହୋଇପାରିବ।

ରାଜ୍ୟବାସୀଙ୍କ ଅର୍ଥନୈତିକ ଉନ୍ନତି ଦିଗରେ ନିଷ୍ପତ୍ତି ନେବା ଓ ତାହା ଯେପରି ଶହେ ପ୍ରତିଶତ ଫଳ ଦେବ ସେଥିଲାଗି ସଜାଗ ରହିବା ଭଳି ପଦକ୍ଷେପ ଉଭୟ ସରକାରୀ ଦଳ ଓ ଏହାର ଅମଲାତନ୍ତ୍ର ନେଉନାହାନ୍ତି। ସେମାନେ କୃଷିରେ ଉନ୍ନତି, ଜଳସେଚନ ଓ ଶୀତଳଭଣ୍ଡାରରେ ଉନ୍ନତି ଅଥବା ମନରେଗା କିମ୍ବା ଶ୍ରମିକଙ୍କ ମଜୁରୀ ଦିଗରେ ଉଲ୍ଲେଖନୀୟ ଉନ୍ନତି ଆଣିପାରୁ ନାହାନ୍ତି। କୌଣସି ସରକାର ଏହା ଆପେ ଚାହିଁବ ନାହିଁ। ହୁଏତ ଏଠାରେ ସରକାର ଓ ଏହାର ଅମଲାତନ୍ତ୍ର ସେହିଭଳି ନୀତି ଲାଗି ଚାପଗ୍ରସ୍ତ ଅଛନ୍ତି।

ନିର୍ବାଚନରେ ଜିତିବା ଲାଗି କେବଳ ସେମାନଙ୍କ ଲାଗି ଧର୍ମ ହିଁ ଏକମାତ୍ର ରାସ୍ତା ରହୁଛି। ସେମାନେ ଧର୍ମ ନାମରେ ଭାବାବେଗ ସୃଷ୍ଟି କରୁଛନ୍ତି ଓ ଧର୍ମକୁ ସାହାରା କରି ନିର୍ବାଚନ ଜିତିବାର ଚେଷ୍ଟା କରୁଛନ୍ତି। କେଉଁଠି ସଫଳ ହେଉଛନ୍ତି ତ କେଉଁଠି ସଂପୂର୍ଣ୍ଣ ଭାବରେ ଉଭେଇ ଯାଉଛନ୍ତି। ଓଡ଼ିଶା ଏହାର ବଳିଷ୍ଠ ଉଦାହରଣ।

ମୋବାଇଲ- ୯୪୩୭୭୬୨୨୭୨

Naveen Patnaik Odisha Politics Temple 5T Religion Mohan Majhi