/odisha-reporter/media/post_attachments/uploadimage/library/16_9/16_9_0/IMAGE_1694777635.jpg)
Manoj Prabhakar
ରୁଦ୍ର ପ୍ରସନ୍ନ ରଥ
ଭାରତକୁ ଜିତିବା ପାଇଁ ୫୪ ବଲରେ ମାତ୍ର ୬୩ ରନ୍ କରିବାର ଥିଲା। ଭାରତ ହାତରେ ତଥାପି ପାଂଚ ୱିକେଟ୍ ବାକି ଥିଲା। ଭାରତ ଖେଳୁଥିଲା ୱେଷ୍ଟ ଇଣ୍ଡିଜ ବିପକ୍ଷରେ କାନପୁରରେ, ୧୯୯୪ ମସିହା ଅକ୍ଟୋବର ୩୦ ତାରିଖରେ ୱିଲ୍ସ ୱାର୍ଲ୍ଡ ସିରିଜ କପ୍ରେ। ଏ ମ୍ୟାଚ୍ ପୂର୍ବରୁ ଭାରତ ଫାଇନାଲରେ ପହଁଚି ସାରିଥିଲା। ମନୋଜ ପ୍ରଭାକର ଶତକ ବି ମାରି ସାରିଥିଲେ। ଏପରି ସ୍ଥିତିରେ ଭାରତ କାହିଁକି, ଯେକୌଣସି ଦଳ ମ୍ୟାଚ୍ ଜିତିବା ପାଇଁ ଚେଷ୍ଟା କରିବା କଥା। ମ୍ୟାଚ୍ ଜିତିବା ହାରିବା ଅଲଗା କଥା। କିନ୍ତୁ ଆଶ୍ଚର୍ଯ୍ୟର କଥା ଭାରତ ଜିତିବା ପାଇଁ ଚେଷ୍ଟା ହିଁ କଲା ନାହିଁ। ଏହି ମ୍ୟାଚ୍ ଭାରତ ଯେ କେବଳ ହାରିଗଲା ତାହା ନୁହେଁ ବରଂ ମ୍ୟାଚ୍ ପରେ ମନୋଜ ପ୍ରଭାକର ଏବଂ ନୟନ ମୋଙ୍ଗିଆ ଟୁର୍ଣ୍ଣାମେଂଟର ଅବଶିଷ୍ଟ ମ୍ୟାଚରୁ ବାଦ ପଡ଼ିଲେ। ପରେ ପରେ ଏହି ମ୍ୟାଚ୍ ଏବଂ ଅନ୍ୟ କିଛି ମ୍ୟାଚର ପରିଣାମ ଆଧାରରେ ପରେ ଚନ୍ଦ୍ରଚୂଡ କମିଶନ ବସାଗଲା।
କାନପୁରର ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଦଳରେ ସେତେବେଳେ ନବଜୋତ ସିଂ ସିଦ୍ଧୁ, ଅଜୟ ଜାଡେଜା, ସଚିନ୍ ତେନ୍ଦୁଲକର, ମହମ୍ମଦ ଆଝାରୁଦ୍ଦିନଙ୍କ ପରି ଖେଳାଳି ଥିବାରୁ ଭାରତ ପଛରେ ବ୍ୟାଟିଂ କରି ଲକ୍ଷ୍ୟର ଅନୁଧାବନ କରିବାକୁ ଉଚିତ୍ ମନେକଲା। କାରଣ ଏହି ଟୁର୍ଣ୍ଣାମେଂଟର ଏକ ମ୍ୟାଚରେ ଭାରତ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ରନର ପିଛା କରି ଜିତି ସାରିଥିଲା। କିନ୍ତୁ ଭାରତ ଯେମିତି ଆରମ୍ଭ ଚାହୁଁଥିଲା ସେମିତି ଆରମ୍ଭ ଦଳକୁ ମିଳିଲା ନାହିଁ।
ମନୋଜ ପ୍ରଭାକରଙ୍କର ପ୍ରଥମ ସ୍ପେଲ ମହଙ୍ଗା ରହିଲା। ସେପଟେ ଶ୍ରୀନାଥ ଭଲ ବୋଲିଂ କରୁଥିଲେ ବି ୱିକେଟ ପାଇନଥିଲେ। ଆରମ୍ଭରୁ କାମ୍ବଲୀ ୱେୱ୍ଟ ଇଣ୍ଡିଜ ଓପନରଙ୍କର ଦୁଇଟି କ୍ୟାଚ୍ ଛାଡ଼ିଥିଲେ। ୱେଷ୍ଟ ଇଣ୍ଡିଜ୍ ଭଲ ବ୍ୟାଟିଂ ଜାରୀ ରଖିଥିଲେ ବି ମଝିରେ ମଝିରେ ଭାରତ ପକ୍ଷରୁ କେତେବେଳେ ସଚିନ୍ ତ ଆଉ କେତେବେଳେ ଭେଙ୍କଟପତି ରାଜୁ ୱିକେଟ୍ ବାହାର କରୁଥାଆନ୍ତି। ଲାରା ଏହି ମ୍ୟାଚ୍ ଖେଳୁ ନଥିଲାବେଳେ ଭାରତକୁ ୱେଷ୍ଟ ଇଣ୍ଡିଜର ବ୍ୟାଟର ଆର୍ଥରଟନ ପାଣି ପିଆଇଦେଲେ। ମାତ୍ର ୬୨ ବଲରୁ ୭୨ ରନ୍ କରି ସେ ଦଳର ସ୍କୋରକୁ ୬ ୱିକେଟ୍ ବିନିମୟରେ ୨୫୭ ଯାଏ ପହଁଚାଇଦେଲେ। ଶେଷ ପାଂଚ ଓଭରରେ ଭାରତ ୪୯ ରନ୍ ବ୍ୟୟ କରିଦେଲା। ସେତେବେଳେ ଟି୨୦ କ୍ରିକେଟ୍ ଆସିନଥିବାରୁ ୨୫୦ ରନ୍ ଉପରେ କୌଣସି ସ୍କୋରର ପିଛା କରିବା ପଛରେ ବ୍ୟାଟିଂ କରୁଥିବା ଦଳ ପାଇଁ ଏକ ଆହ୍ୱାନ ରୂପେ ବିବେଚିତ ହେଉଥିଲା।
ଭାରତ ପାଇଁ ରଣନୀତି ବହୁତ ସାଧାରଣ ଥିଲା। କେବଳ ୱାଲ୍ସଙ୍କୁ ଛାଡ଼ି ଅନ୍ୟ ସମସ୍ତ ବୋଲରଙ୍କୁ ସଚିନ ଆଖିବୁଜି ପ୍ରହାର କରିବେ ଏବଂ ପ୍ରଭାକର ଗୋଟିଏ ପଟୁ ୱିକେଟ୍ ନହରାଇ ଜଗି ରହିବେ। ଦ୍ରୁତ ରନ ସଂଗ୍ରହ କରିବା ଚକ୍କରରେ ପ୍ରଥମେ ସଚିନ୍ ଏବଂ ପରେ ପରେ ସିଦ୍ଧୁ ଆଉଟ୍ ହୋଇଗଲେ। ଏହି ସମୟରେ ଦର୍ଶକୀୟ ବିଶୃଙ୍ଖଳା ଯୋଗୁଁ କିଛି ସମୟ ମ୍ୟାଚ୍ ବନ୍ଦ ରହିଲା। ପରେ ମ୍ୟାଚ୍ ଆରମ୍ଭ ହେଲା ସତ, ହେଲେ ସେତେବେଳକୁ ବୋଧହୁଏ ଭାରତୀୟ ବ୍ୟାଟର ନିଜର ଲୟ ହରାଇ ବସିଥିଲେ। ପ୍ରଥମେ ଆଝାରୁଦ୍ଦିନ ଆଉଟ୍ ହେଲେ। ଏହା ପରେ ପରେ ଜାଡେଜା ଏବଂ କାମ୍ବଲୀ ରନ୍ ଆଉଟ୍ ହେଲେ। ଏହି ସମୟରେ ଏଯାଏ ୯୨ ବଲରୁ ୫୦ ରନ୍ କରିଥିବା ପ୍ରଭାକର ମ୍ୟାଚ୍ ଉପରେ ନିଜର ଛାପ ଛାଡ଼ିବାକୁ ଚାହିଁଲେ। ସେ କିଛି ଆକ୍ରମଣାତ୍ମକ ସଟ୍ ମଧ୍ୟ ଖେଳିଲେ। ଆଉ ତାଙ୍କ ସହ କ୍ରିଜରେ ଯୋଗ ଦେବାକୁ ଆସିଲେ ନୟନ ମୋଙ୍ଗିଆ। ଯେହେତୁ ପ୍ରଭାକର ସେଟ୍ ହୋଇଯାଇଥିଲେ ଏବଂ ମୋଙ୍ଗିଆ ନୂଆ କରି ବ୍ୟାଟିଂ କରିବାକୁ ଆସିଥିଲେ, ଲାଗୁଥିଲା ଯେ ଭାରତ ଆକ୍ରମଣାତ୍ମକ ଖେଳି ବିଜୟକୁ ପିଛା କରିବ।
ଅଥଚ ସେମିତି କିଛି ଘଟିଲା ନାହିଁ। ନୟନ ମୋଙ୍ଗିଆ ଧିମା ଖେଳିଲେ। ଏତେ ଧିମା ଯେ ଦର୍ଶକମାନେ ବୋର ହୋଇଗଲେ। ସମସ୍ତେ ଭାବୁଥିଲେ ଯେ ଏ ଓଭରରେ ନ ହେଲା ନାହିଁ ଆର ଓଭରରେ ନିଶ୍ଚୟ କିଛି ବଡ଼ ସଟ୍ ଆସିବ। ମାତ୍ର ନା ମୋଙ୍ଗିଆ ଆକ୍ରମଣାତ୍ମକ ଖେଳିଲେ ନା ପ୍ରଭାକରଙ୍କୁ ବଡ଼ ସଟ୍ ଖେଳିବାର ଦେଖାଗଲା। କୁହାଯାଏ ଯେ ନୟନ ମୋଙ୍ଗିଆ କାଳେ ପ୍ରଭାକରଙ୍କୁ ବୁଝାଇ ଦେଇଥିଲେ ଯେ ଦଳର ମ୍ୟାନେଜମେଂଟ ସଂଦେଶ ଦେଇଛି ଯେ ଶେଷ ଯାଏ ଧିମା ଖେଳ ଖେଳି ୱିକେଟ୍ ବଂଚାଇବାକୁ। ଯେହେତୁ ଭାରତ ଫାଇନାଲରେ ପହଁଚିଯାଇଥିଲା ଏବଂ ଏହି ମ୍ୟାଚ୍ରେ ଭାରତ ପରାଜୟ ହେଲେ ୱେଷ୍ଟ ଇଣ୍ଡିଜକୁ ପୁଣିଥରେ ଫାଇନାଲରେ ଭେଟିବ ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହେଲା। ତେବେ କେଜାଣି କାହିଁକି ମନୋଜ ନିଜ ସହ ଦଳର ଥିଙ୍କ ଟ୍ୟାଙ୍କ କିମ୍ବା ମ୍ୟାନେଜମେଂଟ ସହ ଏ ନେଇ କଥାବାର୍ତ୍ତା କଲେ ନାହିଁ ସେ କଥା ବି ବୁଝା ପଡ଼ିଲା ନାହିଁ। ବରଂ ଭାରତ ଜାଣିଶୁଣି ମ୍ୟାଚ୍ ହାରିବା ପାଇଁ ଯାଉଛି ବୋଲି ଏକ ଧାରଣା ସୃଷ୍ଟି ହେଲା। ଆଉ ଯେତେବେଳେ ଆପଣ କ୍ରିକେଟରେ ବିଜୟ ହାସଲ ପାଇଁ ଖେଳିବାକୁ ଚାହାନ୍ତି ନାହିଁ ସେତେବେଳେ ଆପଣଙ୍କର ଦକ୍ଷତା, ମନୋଭାବ ଏବଂ ଆଦର୍ଶ ଉପରେ ପ୍ରଶ୍ନ ଉଠିବା ସ୍ୱଭାବିକ୍।
ଶେଷର ଭାରତ ଏହି ମ୍ୟାଚ୍ ହାରିଗଲା। ୫୪ ବଲରୁ ୬୩ ରନ୍ ଆବଶ୍ୟକ କରୁଥିବା ଭାରତ ଏହି ୫୪ ବଲରେ ମାତ୍ର ୧୬ ରନ୍ କରି ୪୯ ରନ ବ୍ୟବଧାନରେ ପରାଜୟ ବରଣ କଲା। ପ୍ରଭାକର ୧୫୪ ବଲରେ ୧୦୨ ରନ୍ କରି ଅପରାଜିତ ରହିଲେ। ଏହା ତାଙ୍କର ଦ୍ୱିତୀୟ ଏକ ଦିବସୀୟ ଶତକ ଥିଲା। ତେବେ ଏଥିପ୍ରତି ଲୋକ ଆଗ୍ରହ ଦେଖାଇନଥିଲେ। ପ୍ରଭାକର ଶତକ ହାସଲ ପରେ ଦର୍ଶକୀୟ ଅଭିବାଦନ ନେବାପାଇଁ ବ୍ୟାଟ୍ ଉଠାଇଲେ ସତ, ହେଲେ ଦର୍ଶକମାନେ ଏଥିରେ ବିରକ୍ତି ପ୍ରକାଶ କରି ତାଳି ମାରିନଥିଲେ। ମୋଙ୍ଗିଆ ୨୧ ବଲ ଖେଳି କରିଥିଲେ ମାତ୍ର ୪ ରନ୍। ପ୍ରଭାକର ମଧ୍ୟ ଏହି ସମୟରେ ଖେଳିଥିବା ୧୧ଟି ବଲରୁ ସଂଗ୍ରହ କରିଥିଲେ ମାତ୍ର ୯ ରନ୍।
ଭାରତ ନିଜର ଇନିଂସକୁ ୨୧୧ ରନ୍ ଭିତରେ ସୀମିତ ରଖିଲା। ଏହି ମ୍ୟାଚ୍ ପରେ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଲା। ଅନେକ ଖେଳାଳି ମ୍ୟାଚ୍ ଫିକ୍ସିଂ କରି ମ୍ୟାଚର ଫଇସଲା କରିଦେଉଛନ୍ତି ବୋଲି ଆଲୋଚନା ବି ହେଲା। ଏପରି ଖେଳି ଭାରତୀୟ ଦଳ ଏବଂ ଭାରତର ଭାବମୂର୍ତ୍ତିକୁ ବିପଦରେ ପାକାଇବାର ଉଦ୍ୟମ କରିଛନ୍ତି ବୋଲି ଆଭିଯୋଗ ହେଲା। ଯଦିଓ ପରେ ଫାଇନାଲରେ ଭାରତ ସେହି କାରବୀୟ ଦଳକୁ ବିପୁଳ ବ୍ୟବଧାନରେ ହରାଇ ଟୁର୍ଣ୍ଣାମେଂଟର ବିଜେତା ମୁକୁଟ ପିନ୍ଧିଲା। ତେବେ ଏହି ଅଭିଯୋଗ ସତରେ ଭାରତୀୟ କ୍ରିକେଟ୍ ଦଳର ଚେହେରା ଧୂମିଳ କରିଦେଲା।
ଏବେବି ସେ ମ୍ୟାଚର ରେକର୍ଡି ଦେଖିଲେ ମନରେ ପ୍ରଶ୍ନ ଉଠେ ଯେ ସତରେ କଣ ଏହି ରନର ପିଛା କରାଯାଇପାରି ନଥାନ୍ତା? ଉଭୟଙ୍କ ପାଖରେ ବଡ୍ ସଟ୍ ଖେଳିବାର ଦକ୍ଷତା ନଥିଲା ସତ, କିନ୍ତୁ ସେମାନେ କାହିଁକି ଚେଷ୍ଟା କଲେ ନାହିଁ ତାହା ଉପରେ ଏବେ ବି ପ୍ରଶ୍ନ ଉଠେ। ଏହି ଘଟଣାକ୍ରମ ପରେ ପରେ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗୋଟିଏ ତଦନ୍ତ କମିଟି ବସିଲା। ଏହି କମିଟି ସଚିନ୍, କପିଳ ଦେବ, ଆଝାରୁଦ୍ଦିନ୍ ଆଦି ଖେଳାଳିଙ୍କୁ ମ୍ୟାଚ୍ ଫିକ୍ସିଂ ବିଷୟରେ ଜଣାଇବା ପାଇଁ ସମନ କଲା।
ସେଥର ମ୍ୟାଚ୍ ଫିକ୍ସ ହୋଇଥିଲା କି ନାହିଁ ଜଣା ନାହିଁ। ତେବେ ଏହି ମ୍ୟାଚ୍ ପରେ ଖେଳାଳି ଏବଂ ବୁକିଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ତନାଘନା ଆଲୋଚନା ହେଲା। ଏହି ମ୍ୟାଚ୍ ଯୋଗୁଁ ମ୍ୟାଚ୍ ଫିକ୍ସିଂ ବିଷୟରେ ଅଧିକ ଜାଣିବା ପାଇଁ ଲୋକ ସୁଯୋଗ ପାଇଲେ। ତେବେ ମୋଟ୍ ଉପରେ ଏହି ମ୍ୟାଚ୍ ଯୋଗୁଁ ହିଁ ଭାରତୀୟ କ୍ରିକେଟର କାୟାକଳ୍ପରେ ଏକ ପ୍ରକାର ପରିବର୍ତ୍ତନ ଆସିବା ସ୍ପଷ୍ଟ ହୋଇଗଲା।
ଫୋ- ୭୯୭୮୬୭୧୭୭୬
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
