Advertisment

ସଚିନ୍‌ଙ୍କ ମରୁଭୂମିରେ ବାତ୍ୟା!

ଇଂରାଜୀ ଶବ୍ଦ ଡେଜାର୍ଟର ଓଡ଼ିଆ ଅର୍ଥ ହେଉଛି ମରୁଭୂମି ଏବଂ ଷ୍ଟର୍ମ ଅର୍ଥ ହେଉଛି ଝଡ଼। ସଚିନ୍ ନିଜ କ୍ୟାରିୟରରେ ଏମିତି ଏକ ଇନିଂସ୍ ଖେଳିଥିଲେ ଯେଉଁ ଇନିଂସ୍ ମରୁଭୂମିରେ ମରୁଝଡ଼ ଆଣିପାରିଥିଲା। ସେ ଇନିଂସର ପ୍ରାସଙ୍ଗିକତା ଏବଂ କାହିଁକି ଏହାକୁ ଡେଜାର୍ଟ ଷ୍ଟର୍ମ କୁହାଯାଏ ତାହା ଜାଣି ରଖିବା ଆବଶ୍ୟକ।

author-image
Debendra Prusty
Sachin Tendulkar

Sachin Tendulkar

ସଚିନ ତେନ୍ଦୁଲକରଙ୍କ ବିଷୟରେ ବ୍ୟାପକ ପରିଚୟ ଦେଇ ଶବ୍ଦ ଏବଂ ସ୍ଥାନ ନଷ୍ଟ କରିବାର ଆବଶ୍ୟକତା ନାହିଁ। ୧୯୮୯ରୁ ୨୦୧୩ ଯାଏ ସଚିନ୍‌ଙ୍କ ଯେଉଁ କ୍ୟାରିୟର ପରିବ୍ୟାପ୍ତ ଥିଲା ତାହା ମୋଟ ଉପରେ ଥିଲା ବେଶ୍ ପ୍ରଭାବଶାଳୀ। ଏହି ଦୁଇ ଦଶନ୍ଧି ଭିତରେ ସଚିନ୍ ଖେଳିଥିଲେ ଅନେକ ଅବିସ୍ମରଣୀୟ ଇନିଂସ୍। ଭାରତକୁ ଭେଟି ଦେଇଥିଲେ ଏକାଧିକ ସ୍ମରଣୀୟ ବିଜୟ। ଖେଳିଲାବେଳେ ତାଙ୍କର ଲୋକପ୍ରିୟତା ଏତେ ଅଧିକ ଥିଲା ଯେ ତାଙ୍କୁ ଅନେକ ‘କ୍ରିକେଟର ଭଗବାନ’ ଆଖ୍ୟା ଦେଇଥିଲେ। କ୍ରିକେଟର ତିନି ଫର୍ମାଟରେ ସଚିନ୍ ଶହେ ଶତକ ସହ ମୋଟ ୩୪,୦୦୦ରୁ ଅଧିକ ରନ ସ୍କୋର କରିଥିଲେ। ଲିଟଲ ମାଷ୍ଟର ନାମରେ ଖ୍ୟାତ ଏହି ଖେଳାଳି ଜଣଙ୍କ ନିଜ ସମୟରେ ଏକ ଦିବସୀୟ ଫର୍ମାଟରେ ଥିଲେ ଶ୍ରେଷ୍ଠ ଓପନର। ବିଶ୍ୱ ପାଇଁ ସେ ଥିଲେ ଭାରତୀୟ କ୍ରୀଡ଼ାର ଶ୍ରେଷ୍ଠ ଆମ୍ବାସାଡର। ସେ ଦୀର୍ଘ ଦୁଇ ଦଶନ୍ଧି ଧରି ଥିଲେ ଭାରତୀୟ କ୍ରିକେଟର ପୋଷ୍ଟର ବୟ।

Advertisment

ଏବେ ଆସିବା ସଚିନଙ୍କର ଡେଜାର୍ଟ ଷ୍ଟର୍ମ ବା ମରୁଭୂମି ବାତ୍ୟା ପ୍ରସଙ୍ଗକୁ। ଇଂରାଜୀ ଶବ୍ଦ ଡେଜାର୍ଟର ଓଡ଼ିଆ ଅର୍ଥ ହେଉଛି ମରୁଭୂମି ଏବଂ ଷ୍ଟର୍ମ ଅର୍ଥ ହେଉଛି ଝଡ଼। ସଚିନ୍ ନିଜ କ୍ୟାରିୟରରେ ଏମିତି ଏକ ଇନିଂସ୍ ଖେଳିଥିଲେ ଯେଉଁ ଇନିଂସ୍ ମରୁଭୂମିରେ ମରୁଝଡ଼ ଆଣିପାରିଥିଲା। ସେ ଇନିଂସର ପ୍ରାସଙ୍ଗିକତା ଏବଂ କାହିଁକି ଏହାକୁ ଡେଜାର୍ଟ ଷ୍ଟର୍ମ କୁହାଯାଏ ତାହା ଜାଣି ରଖିବା ଆବଶ୍ୟକ।

୧୯୯୮ ମସିହା ଏପ୍ରିଲ ମାସର କଥା। ଶାରଜାହରେ ଭାରତ, ଅଷ୍ଟ୍ରେଲିଆ ଏବଂ ନିଉଜିଲ୍ୟାଣ୍ଡକୁ ନେଇ ଏକ ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଂଟର ଆୟୋଜନ ହେଉଥାଏ। ପ୍ରତିଯୋଗିତାର ନାମ ଥିଲା କୋକାକୋଲା କପ୍। ଭାରତ ତିନୋଟି ମ୍ୟାଚ୍ ଖେଳି ସାରିଥାଏ। ସେଥିରୁ ମିଳିଥାଏ ମାତ୍ର ଗୋଟିଏ ବିଜୟ। ସେହିପରି ନିଉଜିଲ୍ୟାଣ୍ଡ ମଧ୍ୟ ନିଜର ଚାରୋଟି ମ୍ୟାଚରୁ ଗୋଟିଏ ଜିତିଥିଲେ ମଧ୍ୟ ରନ ରେଟରେ ଭାରତଠାରୁ ଆଗରେ ଥାଏ। ଭାରତ ପାଇଁ ଆଉ ଗୋଟିଏ ମ୍ୟାଚ୍ ବାକିଥାଏ। ତାହା ପୁଣି ଅଷ୍ଟ୍ରେଲିଆ ବିପକ୍ଷରେ। ଭାରତ ଏହି ମ୍ୟାଚ୍ ଜିତିଲେ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବ। ତେବେ ହାରିବା ସହିତ ରନ୍‌ ରେଟ୍‌ରେ କମ ରହିଲେ ନିଉଜିଲ୍ୟାଣ୍ଡ ଅଷ୍ଟ୍ରେଲିଆ ସହିତ ଫାଇନାଲ ଖେଳିବ। ଭାରତ ପାଇଁ ଶେଷ ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଭାରତ ହାରିଲେ ବି ଟୁର୍ଣ୍ଣାମେଂଟର ଫାଇନାଲ ଖେଳିପାରିବ କିନ୍ତୁ ସେଥିପାଇଁ ତାକୁ ନିଉଜିଲ୍ୟାଣ୍ଡଠାରୁ ଅଧିକ ଭଲ ରନ ରେଟ୍ ବଜାୟ ରଖିବାକୁ ହେବ।

Advertisment

ଏପ୍ରିଲ ୨୨ରେ ସେହି ବହୁ ପ୍ରତୀକ୍ଷିତ ମ୍ୟାଚ୍ ଅନୁଷ୍ଠିତ ହେଲା। ଭାରତ ବନାମ ଅଷ୍ଟ୍ରେଲିଆ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇ ଅଷ୍ଟ୍ରେଲିଆ ପଚାଶ ଓଭରରେ ସାତ ୱିକେଟ୍ ହରାଇ ବିଶାଳ ୨୮୪ ରନ ସଂଗ୍ରହ କଲା। ସେତେବେଳେ ଟି-୨୦ କ୍ରିକେଟ୍ ନଥିବାରୁ ଏବଂ ପାୱାର ହିଟିଂର ବିଶେଷ ପ୍ରଚଳନ ନଥିବାରୁ ଏହି ସ୍କୋର ଅଷ୍ଟ୍ରେଲିଆ ପାଇଁ ବେଶ୍ ବିଶାଳ ବୋଲି ପ୍ରତୀୟମାନ ହେଉଥିଲା। ପୁଣି ଦଳରେ ଥିଲେ କାସ୍ପ୍ରୋୱିଚ୍‌, ଫ୍ଲେମିଂ ସେନ ୱାର୍ଣ୍ଣଙ୍କ ପରି ବୋଲର। ଅଷ୍ଟ୍ରେଲିଆ ପକ୍ଷରୁ ମାଇକେଲ ବେଭାନ ଅପରାଜିତ ୧୦୧ ଏବଂ ମାର୍କ ୱ ୮୧ ରନର ଇନିଂସ୍ ଖେଳିଥିଲେ। ଭାରତ ପକ୍ଷରୁ ଭେଙ୍କଟେଶ ପ୍ରସାଦ କରିଥିଲେ ଶ୍ରେଷ୍ଠ ବୋଲିଂ। ସେ ଆଠ ଓଭରରେ ୪୧ ରନ ଦେଇ ଦୁଇ ୱିକେଟ୍ ପାଇଥିଲେ। ହରବିନ୍ଦର ସିଂହ, ଅନୀଲ କୁମ୍ବଲେ, ସଚିନ ତେନ୍ଦୁଲକର ଏବଂ ହରଭଜନ ସିଂହଙ୍କୁ ମିଳିଥିଲା ଗୋଟିଏ କରି ୱିକେଟ୍।

ଭାରତ ଇନିଂସ ଆରମ୍ଭ କଲା। ଓପନର ଗାଙ୍ଗୁଲୀ (୧୭ ରନ୍‌) ଓ ୱିକେଟ୍ କିପର ବ୍ୟାଟର ନୟନ ମୋଙ୍ଗିଆଙ୍କ ୱିକେଟ୍ ହରାଇ ଭାରତ ୨୨ ଓଭରରେ କରିଥିଲା ୧୦୭ ରନ୍। ତେନ୍ଦୁଲକର ଫର୍ମରେ ଥିବା ପରି ଲାଗୁଥିଲା। ଏହି ସମୟରେ ଧୂଳିଝଡ୍ ଆରମ୍ଭ ହେଲା। ଖେଳ ୨୫ ମିନିଟ୍ ବନ୍ଦ ରହିଲା।

ପୁଣି ଥରେ ଖେଳ ଆରମ୍ଭ ହେଲାବେଳକୁ ସଚିନ୍ ନିଜର ସ୍ୱରୁପ ବଦଳାଇ ସାରିଥିଲା। ଭାରତ ସାମନାରେ ବିଜୟ ପାଇଁ ନୂତନ ଲକ୍ଷ୍ୟ ଧାର୍ଯ୍ୟ ହୋଇ ସାରିଥିଲା। ଭାରତକୁ ଏବେ ୨୮୫ ବଦଳରେ ୪୬ ଓଭରରେ ୨୭୬ କରିବାର ଥିଲା। ତେବେ ୨୩୭ ରନ କରିପାରିଲେ ହାରିଲେ ମଧ୍ୟ ରନ୍‌ ରେଟ୍‌ ହିସାବରେ ଭାରତ ଯେ ଫାଇନାଲକୁ ପହଁଚିପାରିବ ତାହା ଜଣା ପଡ଼ିସାରିଥିଲା।

ଏବେ ସଚିନ୍ ନିଜର ବ୍ୟାଟିଂ ପରାକାଷ୍ଠା ପ୍ରଦର୍ଶନ କଲେ। ଫ୍ଲେମିଂ, ମାର୍ଟିନ ଏବଂ କାସ୍ପରୋୱିଚ୍ ଆଦି ବୋଲରଙ୍କୁ ପଡ଼ିଆର ଚତୁର୍ଦିଦିଗକୁ ସଟ୍ ଖେଳି ସେ ପ୍ରମାଣିତ କରିଦେଲେ ଯେ ମାତ୍ର ୨୪ ବର୍ଷ ବୟସରେ ସେ ବିଶ୍ୱର ତମାମ ବଡ଼ ବଡ଼ ବୋଲରଙ୍କୁ ନିର୍ଭୟରେ ପ୍ରହାର କରିବାର ଦକ୍ଷତା ରଖନ୍ତି। ସେହି ସମୟରେ ସଚିନ୍ ବନାମ ୱାର୍ଣ୍ଣ ନାମରେ ଯେଉଁ ରୋଚକ ପ୍ରତିଯୋଗିତା ବିଶ୍ୱ କ୍ରିକେଟକୁ ଆଚ୍ଛାଦିତ କରିରଖିଥାଏ ତାହା କ୍ରିକେଟର ଗାରିମା ଏବଂ ମାଧୁର୍ଯ୍ୟକୁ ବଢ଼ାଇ ଦେଇଥାଏ। ଏହି ମ୍ୟାଚରେ ସଚିନ ୱାର୍ଣ୍ଣଙ୍କ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ ଦେଲେ। ମୋଟ୍ ଉପରେ ୧୩୧ଟି ବଲ ଖେଳି ସେ କରିଥିଲେ ୧୪୩ ରନ। ଏଥିରେ ସାମିଲ ଥିଲା ୯ଟି ଚୌକା ଏବଂ ୫ଟି ଛକ୍କା।

ଇନିଂସର ୪୩ତମ ଓଭରର ଶେଷ ବଲରେ ସଚିନ ଡାମିଏନ୍ ଫ୍ଲେମିଂଙ୍କ ଦ୍ୱାରା ଆଉଟ୍ ହେବା ବେଳକୁ ଭାରତ ମ୍ୟାଚ୍ ଜିତିବା ପାଇଁ ଆଉ ତିନି ଓଭରରେ ୩୫ରନ ଆବଶ୍ୟକ କରୁଥିଲା। ତେବେ ଶେଷ ତିନି ଓଭରରେ ଭାରତୀୟ ବ୍ୟାଟ୍ସମ୍ୟାନ ମାତ୍ର ଆଠ ରନ ସ୍କୋର କରିଥିବାରୁ ଭାରତ ମ୍ୟାଚକୁ ହାତଛଡ଼ା କରିବାକୁ ବାଧ୍ୟ ହୋଇଥିଲା। ଭାରତ ୨୬ ରନରେ ପରାଜୟ ବରଣ କରିଥିଲା। ତେବେ ସଚିନ୍‌ଙ୍କର ଏହି ଇନିଂସ୍ ବେକାର ଯାଇନଥିଲା। ଭାରତ ଫାଇନାଲରେ ପହଁଚିବାରେ ସଫଳ ହୋଇଥିଲା। ୨୪ ଏପ୍ରିଲରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ ଖେଳିବାକୁ ଓହ୍ଲାଇଥିଲା। ଏହି ମ୍ୟାଚରେ ସଚିନ ଖେଳିଥିଲେ ଆଉ ଏକ ଧୂଆଁଧାର ଇନିଂସ୍। ୧୩୧ ବଲରେ ୧୩୪ ରନ କରି ସଚିନ ଭାରତକୁ କୋକାକୋଲା କପ୍ ଜିତାଇବାରେ ସହାୟକ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୭୨ ରନ କରିଥିବା ବେଳେ ଭାରତ ୪୮.୩ ଓଭରରେ ଚାରି ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରି ନେଇଥିଲା। ପୂରା ଟୁର୍ଣ୍ଣାମେଂଟ ସାରା ଅପରାଜେୟ ଥିବା ଅଷ୍ଟ୍ରେଲିଆ କପ୍ ହାତଛଡ଼ା କରିବାକୁ ବାଧ୍ୟ ହୋଇଥିଲା।

ଅଷ୍ଟ୍ରେଲିଆ ପରି ଏକ ଶକ୍ତିଶାଳୀ ଦଳକୁ ଜଣେ ନିଜେ ଏକୁଟିଆ ବ୍ୟାଟିଂ କରି ଚମକେଇବା ସେତେବେଳେ ବେଶ୍ କଷ୍ଟକର କାମ ଥିଲା। ଆଉ ସଚିନ୍ ଏହି କାମକୁ ଲଗାତାର ଦୁଇଥର କରିବା ବେଶ୍ ବିସ୍ମୟକର ଥିଲା। ଏପ୍ରିଲ ମାସର ଶାରଜାହରେ ଯେଉଁ ଖରାହୁଏ ସେଠାରେ ଜଣେ କିଛି ସମୟ ଠିଆ ହୋଇ ରହିବା କଷ୍ଟକର। ଅଥଚ ସେହି ଗ୍ରୀଷ୍ମର ଉତ୍ତାପ ଭିତରେ ଜଣେ ଲଗାତାର ଦୁଇ ଦିନ ପାଇଁ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପରି ଦଳକୁ ଦୁଇଥର ହରାଇବ ତାହା ଭାବିବା ବି କଷ୍ଟହୁଏ। ସଚିନ୍‌ଙ୍କର ସେହି ଇନିଂସ୍ କ୍ରିକେଟର ଲୋକକଥାରେ ଡେଜାର୍ଟ ଷ୍ଟର୍ମ ନାମରେ ଖ୍ୟାତ ଏବଂ ଏହି ଇନିଂସ୍ ଦ୍ୱୟକୁ ଆଜି ବି ଅନେକ ସଚିନଙ୍କ ଶ୍ରେଷ୍ଠ ଏକଦିବସୀୟ ଇନିଂସ୍ ବୋଲି ସ୍ୱୀକାର କରନ୍ତି।

ରୁଦ୍ର ପ୍ରସନ୍ନ ରଥ

ଫୋ- ୭୯୭୮୬୭୧୭୭୬

Cricket Sachin Tendulkar Indian Cricket Captain