ରୁଦ୍ର ପ୍ରସନ୍ନ ରଥ
ମାଷ୍ଟର ବ୍ଲାଷ୍ଟର ସଚିନ୍ ନିଜର ବ୍ୟାଟିଂ ଦକ୍ଷତା ପାଇଁ ବେଶ୍ ଜଣାଶୁଣା। ଅନେକ ମ୍ୟାଚ୍ରେ ସେ ନିଜର ବ୍ୟାଟିଂ ଦକ୍ଷତା ବଳରେ ଭାରତକୁ ଜିତାଇଛନ୍ତି। ତେବେ ଏମିତି ଅନେକ ମ୍ୟାଚ୍ ବି ଅଛି ଯେଉଁଠି ସେ ନିଜର ବୋଲିଂ ପାଇଁ ଖବରକାଗଜର କ୍ରୀଡ଼ା ପୃଷ୍ଠାରେ ନିଜ ପାଇଁ ସାବାସୀ ସାଉଁଟିଛନ୍ତି। ତାଙ୍କ ବୋଲିଂ ପାଇଁ ଭାରତ କେବଳ ମ୍ୟାଚ୍ ନୁହେଁ ବରଂ ଟୁର୍ଣ୍ଣାମେଂଟ ବି ଜିତିଛି। ଏମିତି ବି ହୋଇଛି ଯେ କୌଣସି ମ୍ୟାଚ୍ରେ ଗୋଟିଏ ଦୁଇ ଓଭର ବୋଲିଂ କରୁ କରୁ ସେ ମ୍ୟାଚ୍ରେ ପୂରା କୋଟା ପୂରଣ କରିଛନ୍ତି। ପୂରା ଟୁର୍ଣ୍ଣାମେଂଟରେ ନିଜର ବୋଲିଂ ଯୋଗୁଁ ପ୍ରଭାବ ବିସ୍ତାର କରିଛନ୍ତି। ତେବେ ଜଣେ ନିୟମିତ ବୋଲର କିମ୍ବା ଅଲରାଉଣ୍ଡର ଭାବେ ସଚିନଙ୍କୁ କେବେ ବି ଦର୍ଶକ ବିଚାରକୁ ନେଇ ନାହାନ୍ତି। ବରଂ ସେ ଜଣେ ପାର୍ଟ ଟାଇମ୍ କାମଚଳା ବୋଲର ଭାବେ ଦର୍ଶକଙ୍କ ମଧ୍ୟରେ ନିଜର ପରିଚୟ ପାଇଛନ୍ତି।
୧୯୯୩ ମସିହାର ହୀରୋ କପ୍ ଟୁର୍ଣ୍ଣାମେଂଟର କଥା। ଏହି ଟୁର୍ଣ୍ଣାମେଂଟ ଭାରତରେ ଅନୁଷ୍ଠିତ ହେଉଥାଏ। ସେହି ବର୍ଷ କ୍ରିକେଟ୍ ଆସୋସିଏସନ ଅଫ ବେଙ୍ଗଲ ପ୍ରତିଷ୍ଠାର ଡାଇମଣ୍ଡ ଜୁବୁଲୀ ପାଳିତ ହେଉଥାଏ। ଭାରତ, ପାକିସ୍ତାନ, ୱେଷ୍ଟ ଇଣ୍ଡିଜ, ଜିମ୍ବାୱେ, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଏକ ଷଡ଼ରାଷ୍ଟ୍ରୀୟ ଟୁର୍ଣ୍ଣାମେଂଟ ଆୟୋଜିତ ହେବାର ଥିଲା। ତେବେ ଟୁର୍ଣ୍ଣାମେଂଟ ଆରମ୍ଭର ୪ ଦିନ ପୂର୍ବରୁ ପାକିସ୍ତାନ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ମନା କରିଦେଲା। ତେଣୁ ବାକି ପାଂଚଟି ଦଳ ପରସ୍ପର ସହିତ ରାଉଣ୍ଡ ରବିନ୍ ପଦ୍ଧତିରେ ମ୍ୟାଚ୍ ଖେଳିଥିଲେ। ଦଶଟି ଭେନ୍ୟୁରେ ମ୍ୟାଚ୍ ହେଉଥିଲା ଏବଂ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନରେ ଅନୁଷ୍ଠିତ ହୋଇଥିଲା।
ହୀରୋ କପ୍ ଟୁର୍ଣ୍ଣାମେଂଟର ପ୍ରସାରଣରୁ ହିଁ ଭାରତରେ କ୍ରିକେଟର ସାଟେଲାଇଟ୍ ବ୍ରଡକାଷ୍ଟିଂ ଯୁଗ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ସବୁ ଟୁର୍ଣ୍ଣାମେଂଟର ପ୍ରଚାର ଏବଂ ପ୍ରସାର ଉପରେ ଦୂରଦର୍ଶନର ଏକଚାଟିଆ ଅଧିକାର ରହୁଥିଲା। ତେବେ ସୁପ୍ରିମ୍ କୋର୍ଟରେ ଏକ ମାମଲା ପରେ ବିଦେଶୀ ବ୍ରଡକାଷ୍ଟିଂ କମ୍ପାନୀମାନେ ଭାରତରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ମ୍ୟାଚର ପ୍ରସାରଣର ଅଧିକାର ପାଇଲେ। ଭାରତରେ ହେଉଥିବା ମ୍ୟାଚ୍ ଗୁଡ଼ିକର ପ୍ରସାରଣର ସାଟେ ଲାଇଟ୍ ଅଧିକାର ବିଦେଶୀ କମ୍ପାନୀମାନେ ପାଇଲେ। ଏହି ଟୁର୍ଣ୍ଣାମେଂଟ ଷ୍ଟାର ଟିଭିରେ ପ୍ରସାରଣ ହେଉଥିଲା।
ଏବେ ଆସିବା ସେହି ବହୁ ଚର୍ଚ୍ଚିତ ସେମିଫାଇନାଲ ମ୍ୟାଚ୍ ଏବଂ ସଚିନଙ୍କ ଶେଷ ଓଭରକୁ। ଲିଗ୍ ଷ୍ଟେଜ୍ ଶେଷରେ ପଏଂଟ ଟେବୁଲରେ ୱେଷ୍ଟ ଇଣ୍ଡିଜ୍ ଶୀର୍ଷରେ ଥିବାବେଳେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ, ଭାରତ ତୃତୀୟ ଏବଂ ଶ୍ରୀଲଙ୍କା ଚତୁର୍ଥ ସ୍ଥାନରେ ଥିଲା। ତେଣୁ ସେମିଫାଇନାଲ ମ୍ୟାଚରେ ୱେଷ୍ଟ ଇଣ୍ଡିଜ୍ ଶ୍ରୀଲଙ୍କା ସହ ମ୍ୟାଚ୍ ଖେଳିଲା ଏବଂ ଭାରତର ମୁହାଁମୁହିଁ ହେଲା ଦକ୍ଷିଣ ଆଫ୍ରିକା ସହ।
୨୪ ନଭେମ୍ବର ୧୯୯୩ର ଶୀତଳ ସଂଧ୍ୟାରେ ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେଲେ। ଭାରତ ଆୟୋଜକ ରାଷ୍ଟ୍ର ହୋଇଥିଲେ ମଧ୍ୟ ଯେଭଳି ବ୍ୟାଟିଂ ପ୍ରଦର୍ଶନ କରିବା କଥା ସେଭଳି କରି ପାରିନଥିଲା। କେବଳ ଆଝାରୁଦ୍ଦିନଙ୍କୁ ଛାଡ଼ିଦେଲେ ଅନ୍ୟ କେହି ବ୍ୟାଟର ସେଭଳି ସଫଳ ହୋଇପାରିନଥିଲେ।
ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୯୫ ରନ୍ କରିଥିଲା। ଭାରତ ପକ୍ଷରୁ ଆଝାରୁଦ୍ଦିନ୍ ୯୦, ପ୍ରବୀଣ ଆମ୍ରେ ୪୮ ରନ୍ କରିଥିଲାବେଳେ ସଚିନଙ୍କ ଯୋଗଦାନ ଥିଲା ୧୫ ରନ୍। ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁ ପାରିନଥିଲେ। ସେତେବେଳେ ଦକ୍ଷିଣ ଆଫ୍ରିକା ବିଶ୍ୱ କ୍ରିକେଟରେ ବେଶ୍ ଚମତ୍କାର ପ୍ରଦର୍ଶନ କରୁଥିଲା। ଦଳରେ ଏକାଧିକ ଅଲରାଉଣ୍ଡର ଏବଂ ଦୁର୍ଦ୍ଦଶ ବୋଲର ଥିଲେ। ଲାଗୁଥିଲା ଏହି ଛୋଟିଆ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ସହଜରେ ହାସଲ କରିଦେବ।
ତେବେ ଦକ୍ଷିଣ ଆଫ୍ରିକାର ଆରମ୍ଭ ବି ବେଶ୍ ପ୍ରଭାବହୀନ ଥିଲା। ଆରମ୍ଭରୁ ୱିକେଟ୍ ହରାଉଥିଲେ ବି ପ୍ରତି ୱିକେଟ୍ ପାର୍ଟନରଶିପରେ କିଛି କିଛି ରନ୍ ସଂଗ୍ରହ ହେଉଥିଲା। ୱିକେଟ୍ ପଡୁଥିଲେ ବି ଦକ୍ଷିଣ ଆଫ୍ରିକାର ଲକ୍ଷ୍ୟର ସଠିକ୍ ଅନୁଧାବନ କରୁଥିଲା। କେତେବେଳେ ବି ଆବଶ୍ୟକୀୟ ରନ୍ ସଂଗ୍ରହ ହାର ହାସଲ କରିବାର କ୍ଷମତା ବାହାରକୁ ଚାଲିଯାଇ ନଥିଲା। ଶେଷ ଓଭରରେ ଦଳକୁ ଜିତିବା ପାଇଁ କେବଳ ୬ ବଲରେ ୬ ରନ୍ କରିବାର ଥିଲା ଏବଂ ଦକ୍ଷିଣ ଆଫ୍ରିକା ପାଖରେ ଆହୁରି ୪ ବ୍ୟାଟର ଅପରାଜିତ ଥିଲେ। ଏଭଳି ପରିସ୍ଥିତିରେ ଦକ୍ଷିଣ ଆଫ୍ରିକା ଜିତିବା ପାଇଁ କେବଳ ଗୋଟିଏ ବଡ଼ ସଟ୍ ଆବଶ୍ୟକ ଥିଲା।
ଏବେ ଭାରତ ପାଇଁ ସମସ୍ୟା ଥିଲା ଯେ ଏହି ଶେଷ ଓଭର କିଏ ବୋଲିଂ କରିବ? ଭାରତର ପ୍ରମୁଖ ବୋଲରମାନଙ୍କ ମଧ୍ୟରୁ କେବଳ ଅନୀଲ କୁମ୍ବଲେ ନିଜ କୋଟାର ୧୦ ଓଭର ବୋଲିଂ କରି ସାରିଥାଆନ୍ତି ଏବଂ ଅନ୍ୟ ପ୍ରମୁଖ ବୋଲର ଯଥା ପ୍ରଭାକର, କପିଲ ଦେବ ଏବଂ ଶ୍ରୀନାଥ ନିଜ କୋଟାରୁ ଆଠ ଓଭର ବୋଲିଂ କରିସାରିଥାଆନ୍ତି। ସଲୀଲ୍ ଆଙ୍କୋଲା ୬ ଓଭର ଏବଂ ଅଜୟ ଜାଡେଜା ୯ ଓଭର ବୋଲିଂ କରିଥାଆନ୍ତି। ଅଜୟ ଜାଡେଜା ୯ ଓଭର ବୋଲିଂ କରି ୩୧ ରନ୍ ଦେଇ ଦୁଇ ୱିକେଟ୍ ନେଇଥାଆନ୍ତି ଏବଂ କୁମ୍ବଲେଙ୍କ ପରେ ସବୁଠୁ ଅଧିକ ମିତବ୍ୟୟୀ ବୋଲିଂ କରିଥାଆନ୍ତି। ଏଣୁ ସାଧାରଣତଃ ଅନ୍ୟ କୌଣସି ଅଧିନାୟକ ହୋଇଥିଲେ ଅଜୟ ଜାଡେଜାଙ୍କୁ ଶେଷ ଓଭର ବୋଲିଂ ପାଇଁ ବଛିଥାଆନ୍ତେ।
ଏକ କଷ୍ଟକର ପରିସ୍ଥିତିରେ ଶେଷ ଓଭର ବୋଲିଂ କଲେ ଏବଂ ଆପଣଙ୍କ ବୋଲିଂ ଯୋଗୁଁ ଦଳ ହାରିଲେ ଆପଣ ଲୋକଙ୍କ ଆଖିରେ ଦୀର୍ଘ ଦିନ ଧରି ଖଳନାୟକ ହେବାକୁ ବାଧ୍ୟ। ଏଣୁ ଯେଉଁଠି ବିପକ୍ଷ ଦଳକୁ ଛଅଟି ବଲରେ ମାତ୍ର ଛଅ ରନ୍ କରିବାକୁ ଅଛି ସେଠି ଭାରତର ବିଜୟ ସୁଯୋଗ ନାହିଁ କହିଲେ ଚଳେ। ତେଣୁ କିଏ କାହିଁକି ବୋଲିଂ କରି ନିଜ ମୁଣ୍ଡରେ ପରାଜୟର ଅଠା ବୋଳିବାକୁ ଚାହିଁବ ଯେ?
ତେବେ ସେଦିନ ଅଧିନାୟକ ଆଝାରୁଦ୍ଦିନ୍ କପିଳଙ୍କ ପରାମର୍ଶରେ ସଚିନଙ୍କୁ ଶେଷ ଓଭର ବୋଲିଂ କରିବାକୁ ଦେଲେ। ସଚିନ୍ ସେଯାଏ ମ୍ୟାଚରେ ଜମା ବୋଲିଂ କରିନଥିଲେ। ଶୀତ ଦିନ ସଚିନଙ୍କ ମାଂସପେଶୀ ଏବଂ ହାତର ଆଙ୍ଗୁଠି ସବୁ ଉପଯୁକ୍ତ ଅଭ୍ୟାସର ଅଭାବରେ କଠିନ ହୋଇଯାଇଥାଏ। ଏପଟେ ନଭେମ୍ବରର ପ୍ରବଳ ଶୀତ। ସେପଟେ କୋଲକାତାର ଇଡେନ୍ ଦର୍ଶକଙ୍କ ମ୍ୟାଚ୍ ଜିତିବା ପାଇଁ ପ୍ରବଳ ଉତ୍କଣ୍ଠା। ପୂରା ଭାରତୀୟ ଦଳ ଚାପରେ। ସେଦିନ ସଂଧ୍ୟାବେଳେ ଜଣେ ହୀରୋ ଜନ୍ମ ନେବାର ଥିଲା।
ସଚିନ୍ ଆଗ୍ରହର ସହିତ କୋଲକାତାର ସେହି ଧୀର ମନ୍ଥର ପିଚ୍ରେ ବୋଲିଂ କରିବାକୁ ହଁ ଭରିଲେ। ସଚିନଙ୍କ ପ୍ରଥମ ବଲକୁ ବ୍ରାଏନ୍ ମ୍ୟାକ୍ମିଲନ ଏକ୍ସଟ୍ରା କଭର ଆଡ଼କୁ ଖେଳି ଗୋଟିଏ ରନ୍ ସଂଗ୍ରହ କଲେ ସତ ଦ୍ୱିତୀୟ ରନ ନେବା ଚକ୍କରରେ ଫାନି ଡି ଭିଲିଏର୍ସ ରନ୍ ଆଉଟ୍ ହୋଇଗଲେ। ବୋଧହୁଏ ଦକ୍ଷିଣ ଆଫ୍ରିକା ପ୍ରଥମ ବଲରେ ରନ୍ ନେବାର ନଥିଲା। କାରଣ ଫାନିଙ୍କ ଆଉଟ୍ ପରେ ବ୍ୟାଟିଂ କରିବାକୁ ଆସିଲେ ଦ୍ରୁତ ବୋଲର ଆଲାନ୍ ଡୋନଲ୍ଡ। ଡୋନାଲ୍ଡଙ୍କର ବ୍ୟାଟିଂ ଦକ୍ଷତା ବହୁତ କମ୍ ଥିଲା। ଏବଂ ସେ ତେନ୍ଦୁଲକରଙ୍କର ପରବର୍ତ୍ତୀ ଚାରୋଟି ବଲରୁ କେବଳ ଗୋଟିଏ ରନ୍ ସଂଗ୍ରହ କରିପାରିଲେ। ସେପଟେ ନନ୍ ଷ୍ଟ୍ରାଇକର ପାଶ୍ୱର୍ରେ ଥିବା ବ୍ରାଏନ୍ ମ୍ୟାକମିଲନଙ୍କ ପାଖରେ କେବଳ ହତାଶ ହେବା ଛଡ଼ା ଅନ୍ୟ କିଛି କରିବାର ନଥିଲା।
ଶେଷ ବଲରେ ଦକ୍ଷିଣ ଆଫ୍ରିକାକୁ ଆହୁରି ଚାରି ରନ ଦରକାର ଥିଲା। ଏବଂ ମ୍ୟାକମିଲନ୍ ବ୍ୟାଟିଂ କ୍ରିଜରେ ଉପସ୍ଥିତ ଥିଲେ। ତାଙ୍କୁ ଏବେ ଗୋଟିଏ ବଡ଼ ସଟ୍ ଖେଳି ଦକ୍ଷିଣ ଆଫ୍ରିକାକୁ ବିଜୟ ଭେଟି ଦେବାର ଥିଲା।
ଏହି ସମୟରେ ଭାରତ ପାଇଁ କିପିଂ କରୁଥିବା ବିଜୟ ଯାଦବ ସଚିନଙ୍କୁ ପଚାରିଲେ ଆପଣ କ’ଣ ବୋଲିଂ କରିବାକୁ ଯାଉଛନ୍ତି। ସଚିନ୍ କହିଲେ ଯେ ମୁଁ ଦୃଢ ନିଶ୍ଚିତ ଯେ ମୁଁ ୟର୍କର ହିଁ ପକାଇବି। ତେବେ ପ୍ରଥମ ପାଂଚଟି ବଲକୁ ଠିକ୍ ୱିକେଟ୍ ପଛରେ ରହି ସଂଗ୍ରହ କରୁଥିବା ବିଜୟ ଯାଦବ ଶେଷ ବଲ ବେଳକୁ ୱିକେଟ୍ ପଛକୁ ହଟିବାକୁ ନିଷ୍ପତ୍ତି ନେଲେ। କାରଣ ଭୟ ଥିଲା ଯଦି ୟର୍କରଟି ଇନ୍ ସାଇଡ୍ ଏଜ୍ ହୋଇଯିବ ତେବେ ଏହା ସହଜରେ ବାଉଣ୍ଡାରୀ ଅଭିମୁଖେ ପଳାଇବ। ଆଉ ଯଦି ୱିକେଟ୍ କିପର ପଛରେ ଥାଆନ୍ତି ତେବେ ସେପରି ସ୍ଥିତିରେ ବଲକୁ ଅନ୍ତତଃ ଚୌକା ହେବାରୁ ରୋକାଯାଇପାରିବ।
ଶେଷରେ ସେଇଆ ହିଁ ହେଲା। ସଚିନଙ୍କ ଶେଷ ବଲ ମ୍ୟାକମିଲାନଙ୍କ ବ୍ୟାଟରେ ବାଜି ୱିକେଟ୍ କିପରଙ୍କ ପାଖକୁ ଗଲା ସତ ତେବେ ଏଥିରେ ଗତି ନଥିଲା। ଦକ୍ଷିଣ ଆଫ୍ରିକା କେବଳ ଗୋଟିଏ ରନ୍ ସଂଗ୍ରହ କରି ପାରିଲା। ଏବଂ ଦୁଇ ରନରେ ପରାଜୟ ବରଣ କଲା। ବ୍ରାଏନ୍ ମ୍ୟାକମିଲାନ୍ ୪୮ ରନରେ ଅପରାଜିତ ରହିଲେ।
ସେହି ସଂଧ୍ୟାରେ ଭାରତୀୟ ଶିବିରରେ ଜଣେ ବୋଲିଂ ହୀରୋର ଜନ୍ମ ହେଲା। ସେହି ମ୍ୟାଚ୍ ପରେ ପରେ ପ୍ରାୟ ଦୁଇ ଦଶନ୍ଧି ଧରି ଭାରତୀୟ କ୍ରିକେଟର ନିରବଚ୍ଛିନ୍ନ ସେବା କରିଥିବା ସଚିନ୍ ଯେ ଆବଶ୍ୟକ ପଡ଼ିଲେ ଉଚ୍ଚକୋଟୀର ବୋଲିଂ କରି ପାରନ୍ତି ତାହା ପ୍ରମାଣିତ କରିଦେଲେ।
ଯଦିଓ ସଚିନଙ୍କୁ ଅନେକ ବ୍ୟାଟିଂର ଭଗବାନ ବୋଲିଂ ଗ୍ରହଣ କରନ୍ତି ତେବେ ତାଙ୍କର ଏହି ପ୍ରଭାବଶାଳୀ, କଳାତ୍ମକ ଏବଂ ସମୟ ଉପଯୋଗୀ ବୋଲିଂର ଚର୍ଚ୍ଚା ବିଶେଷ ହୁଏ ନାହିଁ। ତେବେ ନବେ ଦଶକର ଭାରତୀୟ ଦର୍ଶକ ଆଜି ବି ଏହି ମ୍ୟାଚ୍ ଏବଂ ଏହାର ରୋମାଂଚକୁ ମନେ ରଖିଛନ୍ତି।
ଫୋ- ୭୯୭୮୬୭୧୭୭୬
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।