ସରଳ କୁମାର ଦାସ
ଜଳବାୟୁ ସୁରକ୍ଷା କର୍ମୀ ସୋନମ ୱାଙ୍ଗଚୁକ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୧,୫୦୦ ଫୁଟ ଉଚ୍ଚତାରେ ଲଦାଖଠାରେ ମାର୍ଚ୍ଚ ୨୦୨୪ରେ ୨୧ ଦିନ ଧରି ଜଳବାୟୁ ଅନଶନ କରିଥିଲେ। ତାଙ୍କର ଏହି ଅନଶନ ପଛରେ ଦୁଇଟି ଉଦ୍ଦେଶ୍ୟ ସନ୍ନିହିତ ଥିଲା। ପ୍ରଥମତଃ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଯୋଗୁଁ ଦ୍ରୁତ ଗତିରେ ତରଳୁଥିବା ହିମାଳୟର ହିମ ପ୍ରବାହଗୁଡ଼ିକ ପ୍ରତି ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିବା ଓ ଦ୍ୱିତୀୟତଃ, ଲଦାଖ ଅଞ୍ଚଳର ସମ୍ୱଳକୁ ସୁରକ୍ଷା କରିବା ଲାଗି ସେଠାକାର ଅଧିବାସୀମାନଙ୍କୁ ଆଇନଗତ ଅଧିକାର ପ୍ରଦାନ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଉପରେ ଚାପ ପକାଇବା। ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ପ୍ରତି ଧ୍ୟାନ ଆକର୍ଷଣ କରିବା ଲାଗି ଜଳବାୟୁ ସୁରକ୍ଷା କର୍ମୀମାନେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟର ଅବଲମ୍ୱନ କରିଥାନ୍ତି। ତେବେ ୱାଙ୍ଗଚୁକଙ୍କ ଜଳବାୟୁ ଅନଶନ ଏ କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ଅଭିନବ ପ୍ରୟାସ। ପ୍ରତିକୂଳ ପରିବେଶରେ ବାହାରର ତାପମାନ ବିଯୁକ୍ତ ୨୫ ଡିଗ୍ରି ଥିଲାବେଳେ ପରିବେଶର ସୁରକ୍ଷା ଲାଗି କେବଳ ପାଣି ପିଇ ଜଣେ ୨୧ ଦିନ ଧରି ଜଳବାୟୁ ଅନଶନ ମାଧ୍ୟମରେ ପ୍ରତିବାଦ କରିବା ଅନେକଙ୍କୁ ବିସ୍ମିତ କରିବା ସହ ସମସ୍ୟା ପ୍ରତି ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଅବଶ୍ୟ ଏହି ଅନଶନରେ ୱାଙ୍ଗଚୁକ ଏକୁଟିଆ ନ ଥିଲେ। ମହିଳାଙ୍କଠାରୁ ଆରମ୍ଭ କରି ବୌଦ୍ଧ ଲାମାଙ୍କ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସ୍ୱତଃପ୍ରବୃତ୍ତ ଭାବେ ତାଙ୍କ ସହ ରିଲେ ଅନଶନରେ ଯୋଗଦାନ କରିବାକୁ ଲାଗିଲେ। ଚାହୁଁଚାହୁଁ ଜଳବାୟୁ ଅନଶନଟି ଆଉ ବ୍ୟକ୍ତିଗତ ଅନଶନରେ ସୀମିତ ନ ରହି ଗଣ ଅନଶନରେ ରୂପାନ୍ତରିତ ହେବାକୁ ବସିଲା। ଫଳରେ ତାହା ଲଦାଖ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ପ୍ରତି ଦେଶବାସୀ ଓ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଫଳପ୍ରଦ ହେଲା।
ଲଦାଖର ଅବସ୍ଥିତି ହିମାଳୟର ଜଳଛାୟା ଅଞ୍ଚଳରେ ହୋଇଥିବାରୁ ସେଠାରେ ବାର୍ଷିକ ହାରାହାରି ମାତ୍ର ସାଢ଼େ ତିନି ଇଞ୍ଚ ବା ୯୦ ମିଲିମିଟର ବୃଷ୍ଟି ହୋଇଥାଏ। ଓଡ଼ିଶାରେ ହେଉଥିବା ବାର୍ଷିକ ହାରାହାରି ୧୪୮୦ ମିଲିମିଟର ବୃଷ୍ଟି ସହ ତୁଳନା କଲେ ତାହା ଯେ କେତେ କମ ତାହା ସହଜରେ ଅନୁମେୟ। ତେଣୁ ଲଦାଖର ଅଧିବାସୀମାନେ ସେମାନଙ୍କ ଦୈନନ୍ଦିନ ପାଣିର ଆବଶ୍ୟକତା ପାଇଁ ମୁଖ୍ୟତଃ ତରଳୁଥିବା ତୁଷାର ଓ ବରଫ ଉପରେ ନିର୍ଭର କରିଥାଆନ୍ତି। କିନ୍ତୁ ଗତ କିଛି ବର୍ଷ ଧରି ସେମାନେ ସେଠାରେ ହିମପ୍ରବାହ (ଗ୍ଲାସିୟର)ଗୁଡ଼ିକର ଦ୍ରୁତ କ୍ଷୟ ହେଉଥିବା ଲକ୍ଷ୍ୟ କରିଆସୁଛନ୍ତି। ଏଥି ସହ ଅନିଶ୍ଚିତ ତୁଷାରପାତ, ମରୁଡ଼ି, ବାଦଲଫଟା ବର୍ଷା ଓ ହିମପ୍ରବାହ ସୃଷ୍ଟ ହ୍ରଦଗୁଡ଼ିକରେ ଅଚାନକ ବନ୍ୟାଜନିତ ବିତ୍ପାତ ଆଦି ସେଠାକାର ଜଳବାୟୁରେ ହେଉଥିବା ଦ୍ରୁତ ପରିବର୍ତ୍ତନକୁ ରେଖାଙ୍କିତ କରିବା ସହିତ ଆସନ୍ନ ସଙ୍କଟକୁ ଇଙ୍ଗିତ କରୁଛି। କହିବା ବାହୁଲ୍ୟ ଯେ ଲଦାଖ ସଂଲଗ୍ନ ହିମପ୍ରବାହ ଶୃଙ୍ଖଳ ମଧୁର ଜଳର ଏକ ବୃହତ୍ ଭଣ୍ଡାର, ଯାହା ଉପରେ ସାରା ବିଶ୍ୱର ପ୍ରାୟ ଏକ-ଚତୁର୍ଥାଂଶ ଲୋକ ନିର୍ଭର କରିଥାଆନ୍ତି। ତେଣୁ ଏହି ହିମପ୍ରବାହ ଶୃଙ୍ଖଳ ସୁରକ୍ଷିତ ରହିବା କେବଳ ଲଦ୍ଦାଖ ଅଧିବାସୀଙ୍କ ସ୍ୱାର୍ଥରେ ନୁହେଁ ବରଂ ଉତ୍ତର ଭାରତରେ ବସବାସ କରୁଥିବା ଏକ ବିଶାଳ ଜନସମୂହର ସ୍ୱାର୍ଥରେ ମଧ୍ୟ।
କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଥିବା ଦୁଇଟି ଜିଲ୍ଲା ମଧ୍ୟରୁ ଲେହ ଜିଲ୍ଲା ବୌଦ୍ଧ ବହୁଳ ଅଞ୍ଚଳ ହୋଇଥିବା ବେଳେ କାରଗିଲ୍ ଜିଲ୍ଲା ମୁସଲମାନ ବହୁଳ ଅଞ୍ଚଳ ଅଟେ। ତେବେ ଉଭୟ ବୌଦ୍ଧ ଓ ମୁସଲମାନମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଦିବାସୀ। ଉଲ୍ଲେଖଯୋଗ୍ୟ ଯେ ଏଠାକାର ୯୭ ପ୍ରତିଶତ ଅଧିବାସୀ ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି। ତେଣୁ ଲଦାଖ ଅଧିବାସୀଙ୍କ ଏକ ପ୍ରମୁଖ ଦାବି ହେଉଛି ଲଦ୍ଦାଖକୁ ସମ୍ୱିଧାନର ଷଷ୍ଠ ଅନୁସୂଚୀ ଅନ୍ତର୍ଭୁକ୍ତ କରି ତାକୁ ବିଶେଷ ଆଦିବାସୀ ଅଞ୍ଚଳର ମାନ୍ୟତା ପ୍ରଦାନ କରିବା। ସମ୍ୱିଧାନର ଷଷ୍ଠ ଅନୁସୂଚୀରେ ଦେଶର ଉତ୍ତର-ପୂର୍ବରେ ଅବସ୍ଥିତ ଆସାମ, ମେଘାଳୟ, ତ୍ରିପୁରା ଓ ମିଜୋରାମ ରାଜ୍ୟଗୁଡ଼ିକରେ ଥିବା ଆଦିବାସୀ ଅଞ୍ଚଳଗୁଡ଼ିକର ଶାସନ ପାଇଁ ବିଶେଷ ପ୍ରାବଧାନ କରାଯାଇଛି। ଏଥିରେ କେତେକ ଆଦିବାସୀ ଅଞ୍ଚଳକୁ ସ୍ୱୟଂଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରାଯାଇ ସ୍ୱୟଂଶାସିତ ଜିଲ୍ଲା ବା ଅଞ୍ଚଳ ଗଠନ କରାଯାଇଛି। ଉପରୋକ୍ତ ୪ଟି ରାଜ୍ୟରେ ଏବେ ୧୦ଟି ସ୍ୱୟଂଶାସିତ ଜିଲ୍ଲା କାର୍ଯ୍ୟ କରୁଛି। ଏହି ସ୍ୱୟଂଶାସିତ ଜିଲ୍ଲା କାଉନସିଲଗୁଡ଼ିକୁ ବିଧାୟିକା, କାର୍ଯ୍ୟପାଳିକା, ନ୍ୟାୟିକ ଓ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି। ଏହାଦ୍ୱାରା ଆଦିବାସୀମାନେ ସେମାନଙ୍କ ଜମି, ଜଙ୍ଗଲ, ଜଳସେଚନ, ପୋଡ଼ୁ ଚାଷ, ଗାଁ ଶାସନ, ସମ୍ପତ୍ତି ଉତ୍ତରାଧିକାର, ବିବାହ, ବିଚ୍ଛେଦ, ସାମାଜିକ ବିଧି ଆଦି ସଂକ୍ରାନ୍ତରେ ଆଇନ ପ୍ରଣୟନ କରିପାରୁଛନ୍ତି। ଲଦାଖକୁ ଷଷ୍ଠ ଅନସୂଚି ଅନ୍ତର୍ଭୁକ୍ତ କରାଗଲେ ସେଠାକାର ଅଧିବାସୀମାନେ ଅନୁରୂପ ଭାବେ ସେମାନଙ୍କ ଅଞ୍ଚଳର ସ୍ୱାର୍ଥାନୁକୁଳ ଆଇନ ପ୍ରଣୟନ କରିବା ସହିତ ସ୍ୱାୟତ୍ତ ଶାସନରେ ଅଂଶୀଦାର ହୋଇପାରନ୍ତେ।
ଲଦାଖକୁ ଷଷ୍ଠ ଅନୁସୂଚୀରେ ସାମିଲ କରିବା ପଛର ଦାବି ଏତେ ପ୍ରବଳ ହେବାର ମୂଳ କାରଣକୁ ବୁଝିବାକୁ ହେବ। ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସେହି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜିତ କରାଯାଇଥିଲ।। ତେବେ ଜାମ୍ମୁ ଓ କାଶ୍ମୀର ଲାଗି ବିଧାନସଭାର ପ୍ରାବଧାନ ଥିଲା ବେଳେ ଲଦ୍ଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ବିଧାନସଭାର ପ୍ରାବଧାନ କରାଗଲା ନାହିଁ। ଅର୍ଥାତ୍, ଲଦ୍ଦାଖ ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଆଇନ ପ୍ରଣୀତ ହେଉଛି, ଯେଉଁଥିରେ ସ୍ଥାନୀୟ ଅଧିବାସୀଙ୍କର କୌଣସି ଭୂମିକା ରହୁନାହିଁ। ଲଦାଖରେ ଜମିର ବ୍ୟବହାର ସମ୍ପର୍କରେ ନିର୍ଣ୍ଣୟରେ ଲଦାଖୀମାନେ ଅଂଶଗ୍ରହଣ କରିପାରୁନାହାନ୍ତି। ସୀମାବର୍ତ୍ତୀ ଅଞ୍ଚଳରେ ଥିବା ବିସ୍ତୀର୍ଣ୍ଣ ଚାରଣ ଭୂମିଗୁଡ଼ିକ ଏବେ ଚୀନ କବଜାକୁ ଚାଲିଯାଇଥିବାରୁ ସେଠାକାର ମେଷ ପାଳକମାନେ ସେ ସବୁ ସ୍ଥାନକୁ ଯାଇପାରୁ ନଥିବାର ଅଭିଯୋଗ କରିଆସୁଥିବା ବେଳେ ତାଙ୍କ କଥା କେହି ଶୁଣୁନାହାନ୍ତି। ଅନ୍ୟ ପକ୍ଷରେ ଲଦାଖର ଭିତର ଅଞ୍ଚଳରେ ଥିବା ଚାରଣ ଭୂମିଗୁଡ଼ିକୁ ବଡ ବଡ଼ ଶିଳ୍ପପତିମାନଙ୍କୁ ନିର୍ବିଚାର ଭାବେ ପ୍ରଦାନ କରାଯାଉଥିବାରୁ ମେଷ ପାଳକମାନେ ସେମାନଙ୍କ ଜୀବିକା ହରାଇବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି।
ଏଥିରୁ ସୃଷ୍ଟି ହେଉଛି ବଡ଼ ଧରଣର ଅବିଶ୍ୱାସ ଓ ଆଶଙ୍କା ଯେ ଏଣିକି ବଡ଼ ବଡ଼ ମାଇନିଂ, ଶକ୍ତି, ଶିଳ୍ପ ପ୍ରକଳ୍ପ କରିବା ପାଇଁ ଲଦ୍ଦାଖକୁ ବାହାର ଲୋକଙ୍କ ଆଗମନ ବଢ଼ିଯିବ। ସେଗୁଡ଼ିକୁ ବିରୋଧ କରିବା ତ ଦୂରର କଥା ସେହି ସବୁ ପ୍ରକଳ୍ପ ଲଦ୍ଦାଖର ସ୍ୱାର୍ଥରେ ହେଉ ନଥିଲେ ବି ସେଗୁଡ଼ିକୁ ସୀମିତ କରିବା ବା ସେଗୁଡ଼ିକ ଉପରେ ଅଙ୍କୁଶ ଲଗାଇବାରେ ସ୍ଥାନୀୟ ଲୋକେ ଅସମର୍ଥ ହେଉଛନ୍ତି। ଶିଳ୍ପଗୁଡ଼ିକର ଜଳ ଆବଶ୍ୟକତାକୁ ପୂରଣ କରିବା ଲାଗି ଜନତାଙ୍କ ଆବଶ୍ୟକତାକୁ ଅଣଦେଖା କରାଯିବ। ଶିଳ୍ପଜନିତ ପ୍ରଦୂଷଣ ଯୋଗୁଁ ହିମ ପ୍ରବାହଗୁଡ଼ିକ ଦ୍ରୁତ ତରଳି ଓ ଅଚିରେ ନିଶ୍ଚିହ୍ନ ହେବାର ଆଶଙ୍କା ସୃଷ୍ଟି ହେବ। ଆଞ୍ଚଳିକ ସ୍ୱାର୍ଥର ସୁରକ୍ଷା ପ୍ରତି ଗୁରୁତ୍ୱ ନଦେଇ ଲଦାଖକୁ ସମସ୍ତଙ୍କ ଲାଗି ଖୋଲି ଦିଆଗଲେ ପାହାଡ଼ ଓ ଉପତ୍ୟକାଗୁଡ଼ିକରେ ବଡ଼ ବଡ଼ ହୋଟେଲମାନ ଗଢ଼ିଉଠିବ, ଯାହା ଜଳକ୍ଳିଷ୍ଟ ଲଦ୍ଦାଖର ଜଳାଭାବ ସମସ୍ୟାକୁ ବହୁଗୁଣିତ କରିବ। ଅଧିକ ସଂଖ୍ୟାରେ ବଡ଼ ବଡ ରାସ୍ତା ନିର୍ମାଣ ହେବା ଦ୍ୱାରା ଡିଜେଲ ଯାନବାହାନଗୁଡ଼ିକର ଚଳାଚଳ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବ। ଫଳରେ ଅଙ୍ଗାରକାମ୍ଳ ନିର୍ଗମନ ବୃଦ୍ଧି ପାଇବ। ଉଲ୍ଲେଖଯୋଗ୍ୟ ଯେ ଗାଡ଼ିର ଧୂଆଁ ସହ ବାହାରୁଥିବା କଳା ଝୁଲଗୁଡ଼ିକ ଉଡ଼ି ବରଫ ଉପରେ ପଡ଼ିଥାଏ। ଏହି ଝୁଲଗୁଡ଼ିକ ସୌର ଶକ୍ତିକୁ ଧରି ରଖୁଥିବାରୁ ବରଫ ଶୀଘ୍ର ଗରମ ହୋଇ ତରଳିଥାଏ, ଯାହା ହିମପ୍ରବାହ ତରଳିବା ପ୍ରକ୍ରିୟାକୁ ଦ୍ରୁତତର କରିଥାଏ।
ଏହା କେବଳ ଆଶଙ୍କା ନୁହେଁ, ବରଂ ଗତ କିଛି ବର୍ଷ ଧରି ଲଦ୍ଦାଖରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ପରେ ରାସ୍ତା ପାର୍ଶ୍ୱରେ ଥିବା ତୁଷାରାବୃତ ଅଞ୍ଚଳଗୁଡ଼ିକ କ୍ରମଶଃ ଅପସାରିତ ହୋଇ ଶହ ଶହ ମିଟର ଭିତରକୁ ଘୁଞ୍ଚିଯାଇଥିବାର ଅନେକ ଉଦାହରଣ ସେମାନଙ୍କ ଆଖି ଆଗରେ ରହିଛି। କେବଳ ସେତିକି ନୁହେଁ, ଲଦ୍ଦାଖର ପ୍ରାକ଼ୃତିକ ସମ୍ପଦର ପ୍ରକୃତ ଅର୍ଥରେ ସୁରକ୍ଷା ନହେଲେ ସେମାନଙ୍କ ହଜାର ହଜାର ବର୍ଷର ସଂସ୍କୃତି ଓ ଜୀବନ ଧାରଣ ଶୈଳୀ ମଧ୍ୟ ଲୋପ ପାଇବାର ଆଶଙ୍କା ବୃଦ୍ଧି ପାଇବ। ସେମାନଙ୍କ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ନିର୍ଣ୍ଣୟ ପ୍ରକ୍ରିୟାରେ ସେମାନଙ୍କ ଜନ ପ୍ରତିନିଧିମାନେ ଅଂଶଗ୍ରହଣ ନ କଲା ପର୍ଯ୍ୟନ୍ତ ସେଠାକାର ଆଞ୍ଚଳିକ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସମ୍ଭବ ନୁହେଁ ବୋଲି ସେମାନଙ୍କ ବିଶ୍ୱାସ। ତେଣୁ ଲଦାଖକୁ ଷଷ୍ଠ ଅନୁସୂଚୀ ଅନ୍ତର୍ଭୁକ୍ତ କରିବା ଲାଗି ଲଦ୍ଦାଖ ଅଧିବାସୀଙ୍କର ଦାବି ଯେ ଆଦୌ ଅଯୌକ୍ତିକ ନୁହେଁ, ତାହା ହୃଦୟଙ୍ଗମ କରିହେଉଛି।
ମାଗାସେସେ ପୁରସ୍କାର ବିଜେତା ଇଞ୍ଜିନିଅର, ଶିକ୍ଷାବିଦ୍ ଓ ପରିବେଶବିଦ୍ ସୋନମ ୱାଙ୍ଗଚୁକ ଲଦ୍ଦାଖର ‘ସେକମଲ’ (ଷ୍ଟୁଡେଣ୍ଟସ ଏଜୁକେସନାଲ ଆଣ୍ଡ କଲଚରାଲ ମୁଭମେଣ୍ଟ ଅଫ ଲଦ୍ଦାଖ) ନାମକ ସଂସ୍ଥା ମାଧ୍ୟମରେ ସେଠାରେ ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାରମୂଳକ କାର୍ଯ୍ୟ କରିଛନ୍ତି। ସଫଳ ହିନ୍ଦୀ ଚଳଚ୍ଚିତ୍ର ‘ଥ୍ରି ଇଡିଅଟସ୍’ରେ ଆମିର ଖାଁଙ୍କ ଚରିତ୍ର ୱାଙ୍ଗଚୁକଙ୍କ ଜୀବନୀରୁ ଅନୁପ୍ରାଣିତ। ସେଠାକାର ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ସେ ଏକ ନୂତନ ଧରଣର ବରଫ ସ୍ତୁପ ନିର୍ମାଣ କରିଥିଲେ। ଏତଦଭିନ୍ନ ସେ ତାଙ୍କ ସହଯୋଗୀମାନଙ୍କ ସହ ମିଶି ଲଦାଖର ପରିବେଶ ଅନକୂଳ ଏକାଧିକ ନବସୃଜନ ପ୍ରସ୍ତୁତ କରିବାକୁ ସମର୍ଥ ହୋଇଥିଲେ। ଏ ସମସ୍ତ ଗଠନମୂଳକ କାମ କରିବା ଭିତରେ ତାଙ୍କର ହୃଦୟଙ୍ଗମ ହେଲା ଯେ ଲଦାଖର ଭଙ୍ଗୁର ପରିମଣ୍ଡଳର ସୁରକ୍ଷା କରିବାକୁ ହେଲେ ଲଦ୍ଦାଖ ସମ୍ପର୍କିତ ନୀତି ଓ ଆଇନ ପ୍ରଣୟନ ପ୍ରକ୍ରିୟାରେ ସ୍ଥାନୀୟ ଅଧିବାସୀଙ୍କ ଅଂଶଗ୍ରହଣ ଜରୁରୀ। ହେଲେ ପ୍ରଚଳିତ ବ୍ୟବସ୍ଥାରେ ଲଦ୍ଦାଖ ଏକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବାରୁ ଲଦ୍ଦାଖ ପାଇଁ ଆଇନ ପ୍ରଣୟନ ଓ ନୀତି ନିର୍ଦ୍ଧାରଣ ସମ୍ପୂର୍ଣ୍ଣ ଭାବେ ବାହାର ଲୋକ ଓ ବାବୁମାନଙ୍କ ଦ୍ୱାରା ହୋଇଥାଏ। ଏହାର ତୁରନ୍ତ ପରିବର୍ତ୍ତନ ହେବା ଆବଶ୍ୟକ। ତେଣୁ ଲଦ୍ଦାଖକୁ ସ୍ୱତନ୍ତ୍ର ରାଜ୍ୟ କରିବା ସହ ଏହାକୁ ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବାର ବୈଧାନିକ ଆବଶ୍ୟକତାକୁ ଅନୁଭବ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ଜଳବାୟୁ ଅନଶନର ଅନ୍ୟତମ ଉଦ୍ଦେଶ୍ୟ।
ଉଲ୍ଲେଖଯୋଗ୍ୟ ଯେ ଲଦାଖ ଅଞ୍ଚଳରେ କେନ୍ଦ୍ର ସରକାର, ବିଶେଷ କରି ବିଜେପି ବିରୋଧରେ ଜନ ଅସନ୍ତୋଷ ପ୍ରବଳ ହେବାର ଏକ ବଡ଼ କାରଣ ହେଉଛି ସମ୍ୱିଧାନର ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ୨୦୧୯ରେ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ତରଫରୁ ଲଦ୍ଦାଖକୁ ସମ୍ୱିଧାନର ଷଷ୍ଠ ଅନୁସୂଚୀ ଅନ୍ତର୍ଭୁକ୍ତ କରାଯିବାର ପ୍ରତିଶ୍ରୁତି ଦିଆଯାଇଥିଲା ଓ ଦଳ ସେଠାରେ ବିଜୟ ଲାଭ କରିଥିଲା। ତେବେ ନିର୍ବାଚନ ପରେ ଦଳ ଏ ସମ୍ପର୍କରେ ଉଦାସୀନ ରହି କୌଣସି ପଦକ୍ଷେପ ଗ୍ରହଣ ନ କରି ପ୍ରତିଶ୍ରୁତି ଭଙ୍ଗ କରିଥିବା ଅଭିଯୋଗରେ ଲଦ୍ଦାଖରେ ଦଳ ବିରୋଧରେ ପ୍ରବଳ ରୋଷ ଦେଖାଦେଇଛି। ସେଠାରେ ଆଗାମୀ ନିର୍ବାଚନରେ ବିଜେପି ପାଇଁ ସ୍ଥିତି ଏପରି ପ୍ରତିକୂଳ ହେବାକୁ ଲାଗିଲା ଯେ ୨୦୧୯ରେ ଲଦାଖ ଲୋକସଭା ଆସନରୁ ନିର୍ବାଚିତ ବିଜେପି ସାଂସଦ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲଙ୍କୁ ଏଥର ଦଳ ଟିକେଟ ଦେବାକୁ ଉଚିତ ମଣିଲା ନାହିଁ। ତାଙ୍କ ସ୍ଥାନରେ ଦଳ ଲଦ୍ଦାଖ ଅଟୋନମସ ହିଲ ଡେଭେଲପମେଣ୍ଟ କାଉନସିଲର ଅଧ୍ୟକ୍ଷ ଥିବା ତାସି ଗ୍ୟାଲସନଙ୍କୁ ଟିକେଟ ପ୍ରଦାନ କରିଛି। ଉଲ୍ଲେଖଯୋଗ୍ୟ ଯେ ସମ୍ୱିଧାନର ଧାରା ୩୭୦ ଉଚ୍ଛେଦ ହେବା ଠିକ୍ ପରେ ପରେ ନବ ନିର୍ବାଚିତ ନାମଗ୍ୟାଲ ଲୋକସଭାରେ ତା ସପକ୍ଷରେ ସେତେବେଳେ ଦେଇଥିବା ଭାଷଣଟି ଖୁବ୍ ଭାଇରାଲ ହୋଇଥିଲା ଓ ସେ ହଠାତ୍ ସେଲିବ୍ରିଟି ପାଲଟି ଯାଇଥିଲେ। ଲଦାଖରେ ବୌଦ୍ଧ ଧର୍ମାବଲମ୍ୱୀଙ୍କ ମଧ୍ୟରେ ବିଜେପି ବିରୋଧରେ ଦାନା ବାନ୍ଧିଥିବା ରୋଷକୁ ଅନ୍ତତଃ କିଛିଟା ପ୍ରଶମିତ କରିବା ଲାଗି ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ପଡ଼ିଲା ବୋଲି କୁହାଯାଉଛି।
ଅଳ୍ପରେ ସନ୍ତୁଷ୍ଟ ହେବାର କଳାଟିକୁ ଆମେ ଶିଖିବାକୁ ଲାଗିଲେ ବିକାଶର ତଥାକଥିତ ଭାଷା ବଦଳି ଏକ ନୂତନ ପରିଭାଷା ସୃଷ୍ଟି ହେବ ଓ ଆମ ପ୍ରାକୃତିକ ସମ୍ପଦଗୁଡ଼ିକ ଉପରେ ଅଯଥାରେ ଚାପ ସୃଷ୍ଟି ହେବନାହିଁ। ବିଶ୍ୱବାସୀ ନିଜ ନିଜ ଜୀବନଶୈଳୀକୁ ଅଧିକରୁ ଅଧିକ ସରଳ ଓ ସହଜ କରିବା ଉପରେ ଗୁରୁତ୍ୱ ଦେବେ। ଅର୍ଥାତ୍ ଅଙ୍ଗାରକାମ୍ଳ-ସଘନ (କାର୍ବନ ଇଣ୍ଟେନସିଭ) ଜୀବନଶୈଳୀରୁ ମୁକ୍ତ ହୋଇ ଆମେ ସବୁଜ ଜୀବନଶୈଳୀର ଅଧିକ ନିକଟତର ହେବାର ପ୍ରୟାସ କରିବା। କାରଣ ଅଙ୍ଗାରକାମ୍ଳ ନିର୍ଗମନକୁ କୌଣସି ଦେଶର ସୀମା ମଧ୍ୟରେ ବାନ୍ଧି ରଖିବା ସମ୍ଭବ ନୁହେଁ। ଏହା ସୀମା ଲଂଘି ବିଶ୍ୱବ୍ୟାପୀ ହେବା ଥୟ। ତେଣୁ ଅଙ୍ଗାରକାମ୍ଳର ବହୁଳ ବ୍ୟବହାର ପୃଥିବୀର ପ୍ରଭୁତ କ୍ଷତିସାଧନ କରିବା ସହ ବିଶ୍ୱବାସୀଙ୍କୁ ଧ୍ୱଂସାଭିମୁଖୀ କରିବା ଅବଶ୍ୟମ୍ଭାବୀ। ଫଳରେ ଅଙ୍ଗାରକାମ୍ଳର ସେତେ ଅଧିକ ବ୍ୟବହାର କରୁ ନଥିବା ଅଞ୍ଚଳର ଅଧିବାସୀମାନେ ମଧ୍ୟ ବିପର୍ଯ୍ୟୟରୁ ବର୍ତ୍ତି ପାରି ନଥାନ୍ତି। ଆଜି ଲଦ୍ଦାଖର ଅଧିବାସୀମାନେ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ଯେଉଁ କରାଳ ରୂପକୁ ପ୍ରତ୍ୟକ୍ଷ କରିବା ଆରମ୍ଭ କରିଛନ୍ତି, ହୁଏତ ଆଗାମୀ ଦିନଗୁଡ଼ିକରେ ସେହି ଚିତ୍ର ଆହୁରି ଭୟଙ୍କର ରୂପରେ ଅନେକ ସ୍ଥାନରେ ଦେଖିବାକୁ ମିଳିବ। କୌଣସି ସମସ୍ୟା ଯେତେ ଆଞ୍ଚଳିକ ମନେ ହେଲେ ବି ତାର ସୁଦୂରପ୍ରସାରୀ ପ୍ରଭାବ ଅନ୍ୟମାନଙ୍କ ଉପରେ ପଡ଼ିବାର ଆଶଙ୍କା ଥିଲେ ମଧ୍ୟ ସଚେତନତା ଅଭାବରୁ ସେମାନେ ସାଧାରଣତଃ ସମସ୍ୟା ପ୍ରତି ଉଦାସୀନ ଥାଆନ୍ତି। ୱାଙ୍ଗଚୁକଙ୍କ ଜଳବାୟୁ ଅନଶନରୁ ଏକ ବଡ଼ ଶିକ୍ଷା ମିଳିଲା ଯେ ମୂଳ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ଉଦାସୀନ ଅନ୍ୟ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରାଯାଇପାରିଲେ ସେମାନଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇ ଆନ୍ଦୋଳନ ସପକ୍ଷରେ ସମର୍ଥନକୁ ବ୍ୟାପକ କରିହେବ। ତେଣୁ ୱାଙ୍ଗଚୁକଙ୍କ ଜଳବାୟୁ ଅନଶନ ଆମ ସମସ୍ତଙ୍କୁ ପରିବେଶର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଲାଗି ଚେତେଇ ଦେଉଥିବା ବେଳେ ପରିବେଶ ନଷ୍ଟ ହେଲା ଭଳି ଯେ କୌଣସି ସରକାରୀ ଓ ବେସରକାରୀ ଉଦ୍ୟମକୁ ବିରୋଧ କରିବା ଲାଗି ସାମୂହିକ ଭାବେ ସ୍ୱର ଉତ୍ତୋଳନ କରିବାକୁ ପ୍ରବର୍ତ୍ତାଉଥିବ।
ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।