ନିକଟରେ ବିଭିନ୍ନ ଓଡ଼ିଆ ଟିଭି ଚ୍ୟାନେଲମାନଙ୍କରେ ଏକ ବିଜ୍ଞାପନ ବହୁଳ ଭାବରେ ପ୍ରସାରିତ ହେଉଛି, ଯେଉଁଥିରେ ଚଳଚ୍ଚିତ୍ର ଅଭିନେତା ବାବୁଶାନ୍ ଏବଂ ସମ୍ବିତ ଏକ ଇଲାଇଚି ବିଜ୍ଞାପନରେ ଅଭିନୟ କରିଛନ୍ତି। ପୂର୍ବରୁ ମଧ୍ୟ ଅକ୍ଷୟ କୁମାର, ଅଜୟ ଦେବଗନ ଓ ଶାହାରୁଖ ଖାନଙ୍କ ଭଳି ଅଭିନେତା ଏକ ଇଲାଇଚି ବିଜ୍ଞାପନରେ ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ରଣବୀର ସିଂହ, ଟାଇଗର ଶ୍ରଫ୍, ମହେଶ ବାବୁଙ୍କ ପରି ଅନେକ କଳାକାର ମଧ୍ୟ ଏହିପରି ଇଲାଇଚି ଏବଂ ମାଉଥ୍ ଫ୍ରେସନର ବିଜ୍ଞାପନରେ ଅଭିନୟ କରିଛନ୍ତି। ବାସ୍ତବରେ ଏହା ଇଲାଇଚି, ମାଉଥ୍ ଫ୍ରେସନର କି ତମାଖୁ ବିଜ୍ଞାପନ ତାହା କାହାକୁ ଅଛପା ନୁହେଁ। ଆଶ୍ଚର୍ଯ୍ୟର ବିଷୟ ଓଡ଼ିଶାରେ ସର୍ବସାଧାରଣରେ ତମାଖୁ ସେବନ ପ୍ରତିବନ୍ଧିତ ଥିବା ବେଳେ ମୁଖ୍ୟତଃ ଏହିପରି ବିଜ୍ଞାପନ ମାଧ୍ୟମରେ ପ୍ରତ୍ୟକ୍ଷ ଭାବରେ ନ ହେଲେ ମଧ୍ୟ ପରୋକ୍ଷରେ ତମାଖୁ ସେବନକୁ ପ୍ରୋତ୍ସାହିତ କରାଯାଉଛି ଏବଂ ଏହାକୁ ସାଧାରଣ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଦର୍ଶାଯାଉଛି। ବଡ଼ ବଡ଼ ଅଭିନେତାଙ୍କ ସଂପୃକ୍ତି କାରଣରୁ ଅନେକ ସମୟରେ ଏହି ସବୁ ବିଜ୍ଞାପନ ସମାଜରେ ଅନେକ ପ୍ରଭାବ ପକାଇଥାଏ ସେଥିପାଇଁ ଏସବୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ବିଜ୍ଞାପନ ହେଉଛି କୌଣସି ଉତ୍ପାଦ ବିକ୍ରି ପାଇଁ ପ୍ରୋତ୍ସାହନର ସବୁଠାରୁ ସାଧାରଣ ଏବଂ ପ୍ରଭାବଶାଳୀ ପଦ୍ଧତି। ବିଜ୍ଞାପନ ହେଉଛି ବିକ୍ରି ପାଇଁ ଲିଡ୍ ସୃଷ୍ଟି କରିବାର ସର୍ବୋତ୍ତମ ଉପାୟ। କିନ୍ତୁ ଅନେକ କିଛି ଉତ୍ପାଦ ବିଜ୍ଞାପନର ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଉଥିବା ମଦ, ସିଗାରେଟ୍ ଏବଂ ତମାଖୁ ଭଳି ନିର୍ଦ୍ଦିଷ୍ଟ ଦ୍ରବ୍ୟ ସେବନକୁ ଅନୁମତି ଦିଆଯିବା ଉଚିତ ନୁହେଁ। ସେଥିପାଇଁ ସରକାର ଏଭଳି ଉତ୍ପାଦର ପ୍ରଚାର ପାଇଁ ଅନୁମତି ଦେଇନାହାଁନ୍ତି। ତେଣୁ, ସରୋଗେଟ୍ ମାର୍କେଟିଂ ଏଭଳି ଉତ୍ପାଦର ସମାଧାନ ଭାବରେ କାର୍ଯ୍ୟ କରେ। ଯେଉଁଥିରେ ମୁଖ୍ୟ ପ୍ରଡକ୍ଟ ବ୍ୟତୀତ ଅନ୍ୟ ବ୍ରାଣ୍ଡର ପ୍ରଡକ୍ଟ ବିଜ୍ଞାପନ କରାଯାଏ। ଏହି ଉତ୍ପାଦ ମୂଳ ଉତ୍ପାଦର 'ସରୋଗେଟ୍' ଭାବରେ କାର୍ଯ୍ୟ କରେ। ଏହି ପ୍ରକାର ବିଜ୍ଞାପନ ପଦ୍ଧତି, ଯେଉଁଠାରେ ସାଧାରଣତଃ ସମାନ କିମ୍ବା ସମାନ ବ୍ରାଣ୍ଡର ଅନ୍ୟ ଉତ୍ପାଦ ନାମରେ ଅନ୍ୟ ଏକ ଉତ୍ପାଦକୁ ଏକ ଝଲକ ଭାବରେ ପ୍ରଦର୍ଶନ କରାଯାଇ ବିଜ୍ଞାପନ କରାଯାଏ, ଏପରି ବିଜ୍ଞାପନକୁ ସରୋଗେଟ୍ ବିଜ୍ଞାପନ କୁହାଯାଏ। ଏହି ଉତ୍ପାଦଗୁଡ଼ିକ ପରୋକ୍ଷଭାବରେ ବିଜ୍ଞାପିତ ହୁଏ କିମ୍ବା ଅନ୍ୟ ଉତ୍ପାଦ ଅଧୀନରେ ବିଜ୍ଞାପନ ଦିଆଯାଏ। ନିଷିଦ୍ଧ ଉତ୍ପାଦଗୁଡ଼ିକୁ ପରୋକ୍ଷରେ ପ୍ରୋତ୍ସାହିତ କରିବା ପାଇଁ ବ୍ରାଣ୍ଡଗୁଡ଼ିକ ସେମାନଙ୍କ ଦର୍ଶକଙ୍କୁ ଗୁପ୍ତଭାବରେ ଏହି ସରୋଗେଟ୍ ଉତ୍ପାଦ ପ୍ରଦର୍ଶନ କରନ୍ତି। ଉଦାହରଣ ସ୍ୱରୂପ, କିଛି ମଦକୁ କ୍ଲବ ସୋଡ଼ା, ମିନେରାଲ ଜଳ କିମ୍ବା ମ୍ୟୁଜିକ୍ ସିଡି, ତମାଖୁ ଜାତୀୟ ପାନ ମସଲାକୁ ଇଲାଇଚି କିମ୍ୱା ମାଉଥ ଫ୍ରେସନର୍ ଦ୍ୱାରା ବଦଳାଯାଇଥାଏ। କିନ୍ତୁ ସେମାନଙ୍କର ମୂଳ ଉତ୍ପାଦର ନାମ ଅକ୍ଷୁଣ୍ଣ ରଖାଯାଇଥାଏ।
ସରୋଗେଟ୍ ବିଜ୍ଞାପନର ଆରମ୍ଭ ଗ୍ରେଟ୍ ବ୍ରିଟେନରେ ହୋଇଥିବାର ଜଣାଯାଏ। ସେ ଦେଶରେ ଗୃହିଣୀମାନେ ମଦ୍ୟପାନର ବିଜ୍ଞାପନକୁ ବିରୋଧ କରି ଆନ୍ଦୋଳନ କରିଥିଲେ, ଯାହାଫଳରେ ଏହା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ବ୍ରାଣ୍ଡଗୁଡ଼ିକୁ କ୍ଷତି ପହଞ୍ଚାଇଥିଲା, ଯେଉଁମାନଙ୍କୁ ଉତ୍ପାଦର ପ୍ରଚାର ପାଇଁ ଅନ୍ୟ ଉପାୟ ବିଷୟରେ ଚିନ୍ତା କରିବାକୁ ପଡ଼ିଥିଲା। ଏହି କାରଣରୁ ସରୋଗେଟ୍ ବିଜ୍ଞାପନର ଜନ୍ମ ହୋଇଥିଲା। ଭାରତରେ ସିଗାରେଟ୍ ଓ ତମାଖୁ ଦ୍ରବ୍ୟର ସିଧାସଳଖ ବିଜ୍ଞାପନ ଉପରେ ପ୍ରତିବନ୍ଧକ ପାଇଁ ୨୦୦୩ରେ ସିଓଟିପିଏ ବା ସିଗାରେଟ୍ ଓ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଆଇନ ପାରିତ ହୋଇଥିଲା। ଏଥିରେ ତମାଖୁ ଓ ସିଗାରେଟ୍ର ସିଧାସଳଖ ବିଜ୍ଞାପନ କଲେ ୨ରୁ ୫ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଏବଂ ୧ ହଜାରରୁ ୫ ହଜାର ପର୍ଯ୍ୟନ୍ତ ଜରିମାନାର ନିୟମ ରହିଛି। ଏହାବ୍ୟତୀତ କେବୁଲ ଟେଲିଭିଜନ ନେଟୱର୍କ ଆକ୍ଟ ୧୯୯୪ ଜରିଆରେ ସିଗାରେଟ, ତମାଖୁ, ମଦ କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟର ସିଧାସଳଖ ପ୍ରଚାର ଉପରେ ମଧ୍ୟ କଟକଣା ଲଗାଯାଇଛି। କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ଅଧୀନରେ 'ବିଭ୍ରାନ୍ତିକର ବିଜ୍ଞାପନ ନିବାରଣ ଏବଂ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଅନୁମୋଦନ ପାଇଁ ନିର୍ଦ୍ଦେଶାବଳୀ, ୨୦୨୨' ଅନୁଯାୟୀ ସିସିପିଏ କୌଣସି ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ନିର୍ମାତା, ବିଜ୍ଞାପନଦାତା ଏବଂ ଅନୁମୋଦନକାରୀଙ୍କ ଉପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଇପାରେ। ପରବର୍ତ୍ତୀ ନିୟମ ଉଲ୍ଲଂଘନ କଲେ ସିସିପିଏ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିପାରେ। ଏପରିକି ଓଡ଼ିଶାରେ ୨୦୧୩ ମସିହାରେ ତମାଖୁ ତଥା ନିକୋଟିନ ଜାତୀୟ ପାନ ମସଲା ଆଦି ବିକ୍ରି ଉପରେ କଟକଣା ଲଗାଯାଇଛି।
ସରୋଗେଟ୍ ବିଜ୍ଞାପନରେ ବ୍ରାଣ୍ଡଗୁଡ଼ିକ ସେମାନଙ୍କ ଉତ୍ପାଦର ପ୍ରଚାର ପାଇଁ ମୁଖ୍ୟତଃ ସମାନ ନାମରେ ଅନ୍ୟ ଉତ୍ପାଦ ପ୍ରସ୍ତୁତ କରି, ଲୋକପ୍ରିୟ ଅଭିନେତାଙ୍କୁ ନେଇ, ଟିଭି ବିଜ୍ଞାପନ ମାଧ୍ୟମରେ, ଇଭେଣ୍ଟ ଓ ପ୍ରାୟୋଜକତା ମାଧ୍ୟମରେ ଏବଂ ଜନସେବା ଘୋଷଣା ଆଦି ଉପାୟ ବ୍ୟବହାର କରନ୍ତି। ଯଦିଓ ସରୋଗେଟ୍ ବିଜ୍ଞାପନ ଏବେ ବି ଏକ ସାଧାରଣ କଥା। ଗଣମାଧ୍ୟମ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତରେ ସରୋଗେଟ୍ ବିଜ୍ଞାପନ ପାଇଁ ବାର୍ଷିକ ୬୦୦-୮୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାର ୭୦ ପ୍ରତିଶତ ଟିଭି ବିଜ୍ଞାପନରେ ଖର୍ଚ୍ଚ ହୋଇଥାଏ। ଏହା ବ୍ୟତୀତ କମ୍ପାନିଗୁଡ଼ିକ ଇଭେଣ୍ଟ ଆୟୋଜନ, ଇଭେଣ୍ଟ ସ୍ପନ୍ସରସିପ୍, କର୍ପୋରେଟ୍ ଫିଲ୍ମ ଏବଂ ଏଭଳି ଅନେକ ଅଭିନବ ଏବଂ ସମନ୍ୱିତ ମାର୍କେଟିଂ କୌଶଳ ଆପଣାଉଛନ୍ତି।
ଉତ୍ପାଦର ବିଜ୍ଞାପନ ପାଇଁ ସରୋଗେଟ୍ ବିଜ୍ଞାପନ ଏକ ସଫଳ କୌଶଳ ସାବ୍ୟସ୍ତ ହୋଇଥିବା ବେଳେ ଏଭଳି ସାମଗ୍ରୀର ବୈଧତା ଅନେକ ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନେକ ସର୍ବେକ୍ଷଣରୁ ଜଣାପଡ଼ିଛି ୫୦ ଜଣଙ୍କ ମଧ୍ୟରୁ ୪୨ ଜଣ ବିଜ୍ଞାପନ ଦିଆଯାଉଥିବା ପ୍ରକୃତ ପାନୀୟ କିମ୍ବା ତମାଖୁ ଉତ୍ପାଦକୁ ବୁଝିପାରନ୍ତି ଏବଂ ସରୋଗେଟ୍ ବିଜ୍ଞାପନ ଗ୍ରାହକଙ୍କୁ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଦ୍ରବ୍ୟ କିଣିବା ପାଇଁ ପ୍ରୋତ୍ସାହିତ କରିଥାଏ। ଏହା ଶିଶୁ ଏବଂ ଯୁବକମାନଙ୍କୁ ଜୀବନରେ ଏକ ଖରାପ ଦିଗ ପ୍ରଦାନ କରେ କାରଣ ଅନେକ ନିଷିଦ୍ଧ ଉତ୍ପାଦ ଏବଂ ବିଜ୍ଞାପିତ ଉତ୍ପାଦ ମଧ୍ୟରେ ପାର୍ଥକ୍ୟ କରିପାରିବେ ନାହିଁ। ତେଣୁ ଏଭଳି ପରିସ୍ଥିତିକୁ ରୋକିବା ପାଇଁ ଅନେକ ଦେଶର ସରକାର ଏଭଳି ଉତ୍ପାଦର ସିଧାସଳଖ ମାର୍କେଟିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ପଦକ୍ଷେପ ନେଉଛନ୍ତି।
ଯଦିଓ ସରୋଗେଟ ବିଜ୍ଞାପନକୁ ନେଇ ଅନେକ ଆଇନ୍ ଏବଂ ନିର୍ଦ୍ଦେଶାବଳୀ ରହିଛି, ତଥାପି ଏଥିରେ ସ୍ପଷ୍ଟତା ଅଭାବରୁ ତଥା ସମାନ ବ୍ରାଣ୍ଡ ନାମରେ ଅନ୍ୟ ଉତ୍ପାଦ ପ୍ରସ୍ତୁତ କରି ବିଭିନ୍ନ କମ୍ପାନୀ ଏସବୁକୁ ଅଣଦେଖା କରିଚାଲିଛନ୍ତି। ସେହିପରି ଇଭେଣ୍ଟ ଏବଂ ପ୍ରାୟୋଜକତାକୁ ନେଇ ସେପରି କୌଣସି ସ୍ପଷ୍ଟ ଆଇନ୍ ପ୍ରସ୍ତୁତ ହୋଇନି। ଏହା ଛଡ଼ା ମଦ ଏବଂ ତମାଖୁ ବ୍ୟବସାୟ ଆଇନ ମାଧ୍ୟମରେ ସୀମିତ ଅଟେ, କିନ୍ତୁ ଏହା ପ୍ରତି ଉଦାସୀନତାର କାରଣ ଏହା ସରକାରଙ୍କ ପାଇଁ ବିପୁଳ ରାଜସ୍ୱ ସୃଷ୍ଟି କରିବାରେ ସାହାଯ୍ୟ କରେ, ଯାହା ଦେଶର ଅର୍ଥନୀତିକୁ ଫାଇଦା ଦେଇଥାଏ। ଏପରିକି ଓଡ଼ିଶାରେ ତମାଖୁ ତଥା ନିକୋଟିନ ଜାତୀୟ ପାନ ମସଲା ବିକ୍ରି ପ୍ରତିବନ୍ଧିତ ଥିବା ବେଳେ ରାଜ୍ୟରେ ତମାଖୁ ଓ ନିକୋଟିନ୍ ଦ୍ରବ୍ୟର ବିକ୍ରି ଓ ସେବନ ନିରବଚ୍ଛିନ୍ନ ଭାବେ ଜାରି ରହିଥିବାରୁ ଏହି ଆଇନ୍ କେବଳ କାଗଜପତ୍ରରେ ସୀମିତ ଅଛି। ଏବେ ବି ଗୁଟଖା କମ୍ପାନି ଶିକ୍ଷାନୁଷ୍ଠାନ ନିକଟରେ, ଜନଗହଳି ପୂର୍ଣ୍ଣ ସ୍ଥାନରେ ତଥା ସାଧାରଣରେ ଖୋଲାଖୋଲି ଭାବେ ନିଷିଦ୍ଧ ଦ୍ରବ୍ୟ ବିକ୍ରି କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ଏଣୁ ପ୍ରଶାସନିକ ଉଦାସୀନତାର ଫାଇଦା ଉଠାଇ ଆଉ ପାଦେ ଆଗକୁ ଯାଇ ଏକ ତମାଖୁ କମ୍ପାନୀ ପ୍ରତିଷ୍ଠିତ ଓଡ଼ିଆ କଳାକାରଙ୍କୁ ନେଇ ଓଡ଼ିଆରେ ଏକ ସରୋଗେଟ୍ ବିଜ୍ଞାପନ ପ୍ରସ୍ତୁତ କରିଛି।
ସରୋଗେଟ୍ ବିଜ୍ଞାପନ ହେଉଛି ଏକମାତ୍ର ଉପାୟ ଯାହା ତମାଖୁ ଏବଂ ପାନୀୟ କମ୍ପାନୀମାନେ ସେମାନଙ୍କ ଉତ୍ପାଦର ପ୍ରଚାର କରିପାରିବେ। ସରକାର ଏଭଳି ବିଜ୍ଞାପନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଉଚିତ ନୁହେଁ, ବରଂ ଏହି ବିଜ୍ଞାପନ ଗୁଡ଼ିକ ଯେପରି ସେମାନଙ୍କ ଉଦ୍ଦେଶ୍ୟ ପୂରଣ କରିପାରିବ ସେଥିପାଇଁ ନିୟମକୁ ଅଧିକ କଠୋର କରିବା ଉଚିତ। ଉଦ୍ଦେଶ୍ୟ ହେଉଛି ଉତ୍ପାଦକୁ ସମସ୍ତଙ୍କୁ ନୁହେଁ ବରଂ ସମ୍ପୃକ୍ତ ଟାର୍ଗେଟ୍ ଲୋକଙ୍କ ନିକଟରେ ପ୍ରୋତ୍ସାହିତ କରିବା। ସରକାର ଏପରି ଆଇନ ପ୍ରଣୟନ କରିପାରିବେ ଯେ କୌଣସି ବ୍ରାଣ୍ଡ ନାମରେ ମଦ କିମ୍ବା ତମାଖୁ ଉତ୍ପାଦ ବିକ୍ରି କରୁଥିବା କୌଣସି କମ୍ପାନି ଅନ୍ୟ ଉତ୍ପାଦ ପାଇଁ ସମାନ ବ୍ରାଣ୍ଡ୍ ନାମ କିମ୍ବା ଟ୍ୟାଗ୍ ଲାଇନ୍ ବ୍ୟବହାର କରିପାରିବେ ନାହିଁ। ଯଦିଓ ଏହା ଏକ ଅତି ସରଳ ସମାଧାନ ପରି ଲାଗୁଛି କିନ୍ତୁ ଏଥିପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ସମ୍ପୂର୍ଣ୍ଣ ଦାୟିତ୍ୱ କେବଳ ସରକାରଙ୍କ ଉପରେ ଲଦିଦେଲେ ହେବ ନାହିଁ। ସେଲିବ୍ରିଟିମାନଙ୍କର ଏକ ଲମ୍ବା ତାଲିକା ଅଛି ଯେଉଁମାନେ ଦେଶର ଲୋକଙ୍କୁ କର୍କଟ ବିକ୍ରି କରୁଛନ୍ତି। ଯଦି ଆମେ ରାଜନୀତି କିମ୍ବା ଆଇନଗତ ଢାଞ୍ଚାକୁ ବାଦ୍ ଦେଇଥାଉ ତେବେ ସେଲିବ୍ରିଟିମାନଙ୍କ ଉପରେ ମଧ୍ୟ ସମାଜର ଦାୟିତ୍ୱ ରହିଛି। ସେ ଦୃଷ୍ଟିରୁ ସେମାନେ ଏଭଳି ଉତ୍ପାଦର ବିଜ୍ଞାପନ କରିବା ଉଚିତ ନୁହେଁ।
ଅତୀତରେ ପିଅର୍ସ ବ୍ରୋସନନ୍, ଅମିତାଭ ବଚ୍ଚନଙ୍କ ପରି ସେଲିବ୍ରିଟିମାନେ ଜନସାଧାରଣଙ୍କ ବିରୋଧ କାରଣରୁ ସରୋଗେଟ୍ ବିଜ୍ଞାପନ କରିବା ବନ୍ଦ କରିଥିଲେ। ଅକ୍ଷୟ କୁମାର ମଧ୍ୟ ଏଥି ନିମନ୍ତେ ନିଜ ପ୍ରସଂଶକଙ୍କୁ କ୍ଷମା ମାଗିଥିଲେ। ବ୍ୟକ୍ତିଗତ ଭାବରେ, କୌଣସି ମଦ କିମ୍ବା ତମାଖୁ ବ୍ରାଣ୍ଡ ସହିତ ମୋର କୌଣସି ଶତ୍ରୁତା ନାହିଁ, କିନ୍ତୁ ମୋଟାମୋଟି ଭାବରେ, ସରୋଗେଟ୍ ବିଜ୍ଞାପନ ଉପରେ ନୈତିକ ଦୃଷ୍ଟିକୋଣ ଜଟିଳ, ଏବଂ କମ୍ପାନୀଗୁଡ଼ିକ ପାଇଁ ଉଭୟ ଉପଭୋକ୍ତା ଏବଂ ସମଗ୍ର ସମାଜ ଉପରେ ଏହି ଅଭ୍ୟାସର ସମ୍ଭାବ୍ୟ ନକାରାତ୍ମକ ପ୍ରଭାବକୁ ବିଚାର କରିବା ଗୁରୁତ୍ୱପୂର୍ଣ୍ଣ। ବିଜ୍ଞାପନରେ ନିରପେକ୍ଷତା ଏବଂ ସଚ୍ଚୋଟତାକୁ ପ୍ରୋତ୍ସାହିତ କରିବା ପାଇଁ କଂପାନିଗୁଡ଼ିକ ସେମାନଙ୍କ ମାର୍କେଟିଂ ଅଭ୍ୟାସରେ ସ୍ୱଚ୍ଛ ଏବଂ ଦାୟିତ୍ୱବାନ ହେବା ଏବଂ ନିୟମ ଏବଂ ନୈତିକ ମାନଦଣ୍ଡପାଳନ କରିବା ଗୁରୁତ୍ୱପୂର୍ଣ୍ଣ। ପରିଶେଷରେ ଲୋକମାନେ ହିଁ ଭଲ ଏବଂ ଖରାପ ମଧ୍ୟରେ ପାର୍ଥକ୍ୟ ଜାଣିବା ଉଚିତ ଏବଂ ସେମାନେ କେବଳ ବିଜ୍ଞାପନ ଦ୍ୱାରା ପ୍ରଭାବିତ ହେବା ଉଚିତ୍ ନୁହେଁ।
ଏ ପି ଶୁଭକାନ୍ତ ସାମଲ, ହରିପୁର, ଖଡିଅଙ୍ଗ, ଯାଜପୁର, ଫୋ- ୮୨୮୦୧୩୦୬୦୫