MS Swaminathan
ଜାନକୀଶ ବଡ଼ପଣ୍ଡା
ଏବେ ଏବେ ଶ୍ରୀମତି କାଟାଲିନ କାରିକୋ ଏବଂ ଶ୍ରୀ ଡ୍ରିଉ ଉଇସମ୍ୟାନଙ୍କୁ 'ଭେଷଜ ବିଜ୍ଞାନ' କ୍ଷେତ୍ରରେ ଯୁଗାନ୍ତକାରୀ ଅବଦାନ କାରଣରୁ ବିଶେଷ ଭାବେ କୋଭିଡ ଟିକା ପ୍ରସ୍ତୁତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରିବାର ଘୋଷଣା ହୋଇଛି। ସେହିଭଳି ତିନି ଜଣ ପଦାର୍ଥ ବିଜ୍ଞାନୀ, ତିନି ଜଣ ରସାୟନ ବିଜ୍ଞାନୀ ଓ ଜଣେ ସାହିତ୍ୟିକଙ୍କୁ ମଧ୍ୟ ନୋବେଲ ପୁରସ୍କାର ମିଳିବାର ଘୋଷଣା ସରିଛି। ସେହିପରି ବିଶ୍ୱ ଶାନ୍ତି ଏବଂ ଅର୍ଥନୀତିରେ ନୋବେଲ ବିଜେତାଙ୍କ ନାମ ମଧ୍ୟ ଘୋଷଣା ହୋଇଛି। ୧୯୦୧ ମସିହାଠାରୁ ପ୍ରଦତ୍ତ ଏହି ସମ୍ମାନଜନକ ପୁରସ୍କାର କେବଳ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଭେଷଜ ବିଜ୍ଞାନ, ସାହିତ୍ୟ ଏବଂ ଶାନ୍ତି କ୍ଷେତ୍ରରେ ଶ୍ରେଷ୍ଠ ଅବଦାନ ପାଇଁ ଦିଆଯାଇ ଆସୁଥିଲା ବେଳେ ୧୯୬୮ଠାରୁ ଏହି ତାଲିକାରେ ଅର୍ଥନୀତି କ୍ଷେତ୍ରକୁ ଯୋଡ଼ା ଯାଇଛି।
ଆଜିଯାଏ ସବୁଠୁ ଗୁରୁତ୍ୱପୂର୍ଣ୍ଣ କୃଷି ଓ ଖାଦ୍ୟ ଉତ୍ପାଦନ ବିଜ୍ଞାନ ଏହି ତାଲିକାରେ ସ୍ଥାନିତ ହୋଇ ପାରିନାହିଁ। କୃଷି ପାଇଁ ନୋବେଲ ପୁରସ୍କାର ବ୍ୟବସ୍ଥା ନଥିବାରୁ ବିଶ୍ୱରେ ସବୁଜ ବିପ୍ଳବର ସୂତ୍ରପାତ କରିପାରିଥିବା ଡ଼ଃ ନର୍ମାନ ବୋରଲଗଙ୍କୁ ବିଶ୍ୱଶାନ୍ତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଯଦି କୃଷିବିଜ୍ଞାନ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ବ୍ୟବସ୍ଥା ଥାଆନ୍ତା ଭାରତର କୃଷି ବୈଜ୍ଞାନିକ ଡ଼ଃ ଏମ ଏସ ସ୍ୱାମୀନାଥନଙ୍କୁ ନିଶ୍ଚିତ ଭାବେ ଏହି ସମ୍ମାନ ମିଳିଥାଆନ୍ତା। ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ସମ୍ମାନ ଓ ନୋବେଲ ସମ୍ମାନ ପ୍ରାପ୍ତିରୁ ବଞ୍ଚିତ ଏହି କୃଷି ବୈଜ୍ଞାନିକଙ୍କୁ ପଦ୍ମ ବିଭୂଷଣ ସମେତ ଅନେକ ପ୍ରଶଂସା ଓ ସମ୍ମାନ ମିଳିଛି; ଯାହା ମଧ୍ୟରେ ରହିଛି କୃଷିବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ସହିତ ତୁଳନା କରାଯାଉଥିବା 'ବିଶ୍ୱ ଖାଦ୍ୟ ପୁରସ୍କାର'।
ଓଡ଼ିଶା ସମେତ ସାରା ଦେଶରେ ଯେତେବେଳେ ପ୍ରଥମ କରି ସବୁଜ ବିପ୍ଲବର ଶଙ୍ଖଧ୍ୱନୀ ମଧ୍ୟରେ ସଙ୍କର-ବାମନ ପ୍ରଜାତିର ଅଧିକ ଅମଳକ୍ଷମ ଧାନଚାଷ ଆରମ୍ଭ ହେଲା, ସେତେବେଳେ ତାଇଚୁଙ୍ଗ୍ ଓ ଆଇଆର୍-୮ ଧାନ ଚାଷକୁ ପ୍ରାଧାନ୍ୟ ଦିଆ ଯାଇଥିଲା। ତାଇୱାନର ଏକ ସହର 'ତାଇଚୁଙ୍ଗ୍' ନାମ ଅନୁସାରେ ସେଠାକାର ଏକପ୍ରକାର ଅଧିକ ଅମଳକ୍ଷମ ଧାନର ଗୁଣସୂତ୍ରକୁ ବଦଳାଇ ଭାରତୀୟଙ୍କ ପସନ୍ଦଯୋଗ୍ୟ ଖାଦ୍ୟ - ଭାତ ଉପଯୋଗୀ କରାଯାଇଥିଲା। କିସମର ବୈଶିଷ୍ଟ୍ୟ ଥିଲା ଅଳ୍ପ ଉଚ୍ଚତା, ଅଧିକ ପିଲ, ପ୍ରତି ପିଲରେ କେଣ୍ଡା ତଥା ସହଳ ଓ ଅଧିକ ଅମଳ। ଧାନ କାଟି ଆଣିବା ପରେ ମଧ୍ୟ ମୂଳବୁଦାରୁ ନୂଆ ପିଲ ବାହାରୁ ଥିଲା ଓ କେବଳ ରାସାୟନିକ ସାର ଓ ରୋଗ ପୋକ ନିୟନ୍ତ୍ରଣ କଲେ ଦ୍ୱିତୀୟ ଥର ଅମଳ ଦେଉଥିଲା। ଓଡ଼ିଶାରେ କୃଷି ବିଭାଗ ପକ୍ଷରୁ ବିହନ ଓ ଧାଡ଼ିରୁଆ କୌଶଳଗତ ତାଲିମ ଯୋଗାଇ ଦିଆଯିବାରୁ ଚାଷୀମାନେ ଉଭୟ ଖରିଫ ଓ ରବି ଋତୁରେ ଉଭୟ ଧାନ ଚାଷ କଲେ। କିନ୍ତୁ ତାହାକୁ ତାଇଚୁଙ୍ଗ ଧାନ କହିଲେ। ଭାରତରେ ସବୁଜ ବିପ୍ଳବ ଆରମ୍ଭ ହୋଇଥିଲା ୧୯୬୫ ମସିହାରେ ଓ ତା’ ପରଠାରୁ ଗହମ, ଆଳୁ ଓ ଧାନ ଉତ୍ପାଦନ ବଢ଼ିବାରେ ଲାଗିଥିଲା। ଆଧୁନିକ ପ୍ରଯୁକ୍ତି ବିଦ୍ୟା ଓ ଚାଷ ପ୍ରଣାଳୀ ପ୍ରୟୋଗ କରି ଅଧିକ ଖାଦ୍ୟ ଉତ୍ପାଦନ କରି ଆତ୍ମନିର୍ଭର ହେବାକୁ ଆରମ୍ଭ କରିଥିଲା ଭାରତ।
ଭାରତ ସ୍ୱାଧୀନତା ପାଇବା ବେଳକୁ ଡାଲି ଉତ୍ପାଦନ କରୁଥିବା ବ୍ରହ୍ମଦେଶ (ମିଆଁମାର), ଧାନ ଉତ୍ପାଦନର ପେଣ୍ଠ ପୂର୍ବ ବଙ୍ଗ (ବାଂଲାଦେଶ) ଓ ଗହମ କ୍ଷେତ ପଶ୍ଚିମ ପଞ୍ଜାବ (ପାକିସ୍ତାନ) ଭାରତର ଅଂଶ ହୋଇ ରହି ନଥିଲା। ପ୍ରାୟ ୩୬ କୋଟି ଭାରତୀୟଙ୍କୁ ଆହାର ଯୋଗାଇ ଦେବାକୁ ଯଦିଓ ଦେଶ ସମର୍ଥ ଥିଲା ତେବେ ଜ୍ୟାମିତିକ ହାରରେ ଜନସଂଖ୍ୟା ବୃଦ୍ଧି ହେଉଥିବାରୁ ଖାଦ୍ୟାଭାବର ବିପଦ ଘଣ୍ଟି ବଜି ସାରିଥିଲା। ପ୍ରଥମ ପଞ୍ଚ ବାର୍ଷିକ ଯୋଜନାରେ ଶିଳ୍ପକୁ ପ୍ରାଧାନ୍ୟ କାରଣରୁ କୃଷି ଉତ୍ପାଦନ କମିଗଲା। ଏଣୁ ଭାରତ ୧୯୫୪ ମସିହାରେ ଆମେରିକା ସହ ଦୀର୍ଘ ମିଆଦୀ 'ପବ୍ଲିକ ଲ' ଚୁକ୍ତିପତ୍ରରେ ସ୍ଵାକ୍ଷର କରି ସାହାଯ୍ୟ ରୂପେ ଖାଦ୍ୟ ଆମଦାନୀ କଲା। ଏହାକୁ 'ପିଏଲ ୪୮୦' କୁହାଯାଏ। ୧୯୬୫-୬୭ ମଧ୍ୟରେ ଉଭୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଓ ଇନ୍ଦିରା ଗାନ୍ଧୀ ଏହି ଚୁକ୍ତିକୁ ଅଧିକ ଦିନପାଇଁ ଚଳାଇ ରଖିବାକୁ ଚାହିଁଲେନି। ତାହାକୁ ବାତିଲ କରାଗଲା। ଆମେରିକା ଦେଉଥିବା ଖାଦ୍ୟକୁ 'ଜାହାଜରୁ ପାଟି' ବା 'ଫ୍ରମ ସିପ୍ ଟୁ ମାଉଥ୍' କୁହାଯାଉଥିଲା। ସାହାଯ୍ୟ ସ୍ୱରୂପ ନିକୃଷ୍ଟ ମାନର ଗହମ ଓ ଅତି ଅଳ୍ପ ଚାଉଳ ଆସୁଥିଲା; ଯାହା ୧୯୭୦ ବେଳକୁ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। 'ପିଏଲ ୪୮୦' ଥିଲା ସ୍ୱାଭିମାନୀ ଭାରତୀୟଙ୍କ ପାଇଁ ଅତି ଲଜ୍ଜାକର ଚୁକ୍ତି। ସତୁରୀ ଦଶକରେ ଭାରତୀୟମାନେ ସବୁଜ ବିପ୍ଳବ, ଜନସଂଖ୍ୟା ବିସ୍ଫୋରଣ ଇତ୍ୟାଦି ଶବ୍ଦ ସହ ପରିଚିତ ହେଲେ। ଚାଉଳ, ଗହମ, ଆଳୁ, ହରଡ଼, ମୁଗ ଓ ମସୁର ଡାଲି ଉଚିତ ମୂଲ୍ୟରେ ବଜାରରେ ମିଳିବାକୁ ଲାଗିଲା। ଅଧିକାଂଶ ଲୋକଙ୍କର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆସିଲା। କ୍ରମଶଃ ଆଳୁ ପାଲଟିଗଲା ଗାଁ ଗହଳିର ସବୁଠୁ ବଡ଼ ପରିବା।
ସବୁଜ ବିପ୍ଳବ ପ୍ରାରମ୍ଭରେ ଏହାର ରାଜନୈତିକ ନେତୃତ୍ୱ ନେଇଥିଲେ ପ୍ରଧାନମନ୍ତ୍ରୀ ଲାଲବାଦୁର ଶାସ୍ତ୍ରୀ ଓ ତାଙ୍କ ଯୋଗ୍ୟ କୃଷି ଓ ଖାଦ୍ୟମନ୍ତ୍ରୀ ସି ସୁବ୍ରମଣ୍ୟମ। ଭାରତ-ପାକ ଯୁଦ୍ଧ ବେଳେ ଶାସ୍ତ୍ରୀଜୀ ଡାକରା ଦେଇଥିଲେ 'ଜୟ ଜୱାନ, ଜୟ କିଷାନ'। ପରେ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ସବୁଜ ବିପ୍ଳବ ସହିତ ଶ୍ୱେତ ଓ ନୀଳ ବିପ୍ଲବର ସୂତ୍ରପାତ ହେଲା। ଭାରତରେ ସବୁଜ ବିପ୍ଳବର ରୂପାୟନରେ ଯେଉଁମାନେ ପିତାର ଭୂମିକା ନିର୍ବାହ କରିଥିଲେ ସେମାନେ ହେଲେ ଭାରତୀୟ ସବୁଜ ବିପ୍ଲବର ପିତା କୃଷିବିଜ୍ଞାନୀ ଡ଼ଃ ଏମ୍ ଏସ୍ ସ୍ୱାମୀନାଥନ ରାଜନୈତିକ ପିତା ତତ୍କାଳୀନ କୃଷି ଓ ଖାଦ୍ୟମନ୍ତ୍ରୀ ସି ସୁବ୍ରମଣ୍ୟମ, ଗହମ ଉତ୍ପାଦନର ପିତା ଡ଼ଃ ଦିଲବାଘ ସିଂ ଅଥୱାଲ, କୃଷିବିଜ୍ଞାନୀ ତଥା ବିହନ ସୃଷ୍ଟିର ବିନ୍ଧାଣୀ ଡ଼ଃ ଆତ୍ମାରାମ ଭୈରବ ଯୋଶୀ ଏବଂ ସ୍ୱୟଂ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (ଆଇଏଆରଆଇ)।
ସ୍ୱାମୀନାଥନ ୟୁରୋପ ଓ ଆମେରିକାରେ ଉଚ୍ଚଶିକ୍ଷା ଶେଷକରି ୧୯୫୪ ମସିହାରେ ଭାରତ ଫେରିଲା ବେଳକୁ କଟକ ନିକଟସ୍ଥ ବିଦ୍ୟାଧରପୁରଠାରେ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ୧୯୪୮ରେ ଆରମ୍ଭ ହୋଇ ସାରିଥାଏ। ଓଡ଼ିଶାର ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଉଦ୍ଭିଦ ବିଜ୍ଞାନୀ ଡ଼ଃ ପ୍ରାଣକୃଷ୍ଣ ପରିଜାଙ୍କୁ ରାଜ୍ୟ କୃଷି ବିଭାଗର ପ୍ରଥମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇ ଥାଆନ୍ତି। ଗଜପତିଙ୍କ ରାଜନୈତିକ ଗୋଟିଚାଳନା ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଦୁଇ ପୂର୍ବତନ ଛାତ୍ର ଡ଼ଃ ପରିଜା ଓ 'ରାଇସ ରାମିଆ' ନାମରେ ଜଣାଶୁଣା ଧାନଚାଷ ବିଶାରଦ ଡ଼ଃ କୃଷ୍ଣସ୍ୱାମୀ ରାମିଆଙ୍କ ମଣିକାଞ୍ଚନ ସଂଯୋଗରୁ ଏହି ବିଶ୍ୱସ୍ତରୀୟ ଧାନ ଗବେଷଣା କେନ୍ଦ୍ର ଓଡ଼ିଶାରେ ସ୍ଥାପିତ ହୋଇଥାଏ। ସେଠାରେ ଯୋଗଦେଲେ ବିଦେଶ ଫେରନ୍ତା ସ୍ୱାମୀନାଥନ।
କେତେକ ଉଦ୍ଭିଦ ପ୍ରଜନନ ବିଶେଷଜ୍ଞ (ପ୍ଲାଣ୍ଟ ବ୍ରିଡର) ଓ କ୍ଷେତ୍ର ବିଶେଷଜ୍ଞଙ୍କ ସହାୟତାରେ ମେକ୍ସିକୋର ବାମନ କିସମ ଗହମ ସହିତ ଅଧିକ ଅମଳକ୍ଷମ ଭାରତୀୟ ପାଣିପାଗ ସହଣୀ ଗହମ ମିଶ୍ରଣରେ ନୂଆବିହନ ପ୍ରସ୍ତୁତି ଚାଲିଥାଏ ନୂଆଦିଲ୍ଲୀ ନିକଟସ୍ଥ ପୁଷା ଗବେଷଣା କେନ୍ଦ୍ରରେ। ସ୍ୱାମୀନାଥନ ସେଠାରେ ଯୋଗଦେଇ କଟକ ସିଆରଆରଆଇରୁ ଶିଖିଥିବା ନୂଆ ଧାନବିହନ ଉଦ୍ଭାବନ କୌଶଳକୁ ଆଳୁ, ଗହମ ଓ ଡାଲିର ଅଧିକ ଅମଳକ୍ଷମ ବିହନ ସୃଷ୍ଟିରେ ବ୍ୟବହାର କଲେ। ଏଥିରେ ତାଙ୍କୁ ରାଜନୈତିକ, ବୈଷୟିକ, ପ୍ରଶାସନିକ ଓ ଚାଷୀଙ୍କ ସହାୟତା ମିଳିଲା। ଏଥିରେ ତାଙ୍କର ଗୁରୁ ଓ ଦିଗଦର୍ଶକ ଥିଲେ ଆମେରିକୀୟ କୃଷି ବିଜ୍ଞାନୀ ଓ ଖାଦ୍ୟ ନିରାପତ୍ତା ପ୍ରବକ୍ତା ପ୍ରଫେସର ନରମାନ ବୋରଲଗ। ବୋରଲଗ ଯେତେବେଳେ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଲେ ସେ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ ଯେ ଏହାର ଶ୍ରେୟ ସ୍ୱାମୀନାଥନଙ୍କର।
ସ୍ୱାମୀନାଥନ ଭାରତ ରତ୍ନ ଓ ନୋବେଲ ବ୍ୟତୀତ ବିଶ୍ୱର ଆଉ ସବୁ ପ୍ରମୁଖ ପୁରସ୍କାର ପାଇଛନ୍ତି। ସ୍ୱାମୀନାଥନ କହୁଥିଲେ ଯେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସବୁଜ ବିପ୍ଳବର ବିକାଶଧାରାକୁ ନିରନ୍ତର କରିବାକୁ ପଡ଼ିବ। ଖାଦ୍ୟଶସ୍ୟ କ୍ଷେତ୍ରରେ ଜାତି ବିଭାଗକରଣ କରି (ମୋଟାଶସ୍ୟ ବା ମିଲେଟ୍ସ , ଖାଦ୍ୟଶସ୍ୟ, ତୈଳବୀଜ, ଡାଲି ଇତ୍ୟାଦି) କାହାକୁ ବି ଅବହେଳା କରିହେବ ନାହିଁ। କୃଷିକୁ ପରିବେଶ, ଚାଷୀ ଓ ଖାଉଟିଙ୍କ ସହ ଯୋଡି ସମସ୍ତଙ୍କ ପାଇଁ ଲାଭଜନକ କରିବାକୁ ହେବ। ସେ କହୁଥିଲେ ପୁଷ୍ଟିସାଧନ ଓ ଖାଦ୍ୟ ନିରାପତ୍ତାକୁ ନେଇ ରାଜନୀତି ପ୍ରଖର ହେବ। ଆମେ ଖାଦ୍ୟ ନିରାପତ୍ତା ନାମରେ ଗରିବଙ୍କୁ ମାଗଣା ଚାଉଳ ଯୋଗାଣ ଓ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରିତ ରାଜନୀତିକୁ ପ୍ରତ୍ୟକ୍ଷ କରୁଛେ। ଚଳିତ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରୁଛେ, ଏବଂ ଡାଲି ଓ ଖାଇବା ତେଲର ଦରବୃଦ୍ଧି ଦେଖୁଛେ। ତତ୍କାଳୀନ ପ୍ରଶାସକଙ୍କୁ ଉପେକ୍ଷା କରି ଦୂରଦର୍ଶୀ ଶାସ୍ତ୍ରୀଜୀ ଦୁଇଜଣ ବିଷୟ ବିଶାରଦ - ସବୁଜ ବିପ୍ଳବ ପାଇଁ ସ୍ୱାମୀନାଥନ ଓ ଶ୍ୱେତ ବିପ୍ଳବ (ଦୁଗ୍ଧ ଉତ୍ପାଦନ) ପାଇଁ ଭର୍ଗିଜ କୁରିଆନଙ୍କ ହାତରେ ଯେଉଁ ଗୁରୁ ଦାୟିତ୍ୱ ଦେଇଥିଲେ ଦୁହେଁ କେବଳ ସଫଳ ହୋଇ ନ ଥିଲେ, ଭାରତର ସ୍ଥିତି ବଦଳାଇ ଦେବାରେ ସମର୍ଥ ହୋଇଥିଲେ।
ଷାଠିଏ ଦଶକରେ ଭାରତକୁ ଖାଦ୍ୟାଭାବ ପରିସ୍ଥିତିରୁ ଉଦ୍ଧାର କରି ବଳକା ଦେଶରେ ପରିଣତ କରିବା ପାଇଁ ଡ଼ଃ ସ୍ୱାମୀନାଥନ ତାଙ୍କ କୃଷି-ପ୍ରଶାସନିକ ନୀତି ମାଧ୍ୟମରେ ଏକ ସାମାଜିକ ବିପ୍ଳବ ଆଣିଥିଲେ। ସେ ୧୯୭୨ରୁ ୧୯୮୦ ମଧ୍ୟରେ ଭାରତୀୟ କୃଷି ଅନୁସନ୍ଧାନ କେନ୍ଦ୍ରର ମହାନିର୍ଦ୍ଦେଶକ ଏବଂ ୧୯୮୨ରୁ ୧୯୮୮ ମଧ୍ୟରେ ଅନ୍ତର୍ଜାତୀୟ ଧାନ ଅନୁସନ୍ଧାନ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଥିଲେ। ଅଧିକ ଅମଳକ୍ଷମ ଗହମ ବିହନ ଓ ସେଗୁଡ଼ିକର ଗୁଣସୂତ୍ର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯାହା ଭାରତରେ ସବୁଜ ବିପ୍ଳବ ସୃଷ୍ଟି କରିଥିଲା। ପରବର୍ତ୍ତୀ କାଳରେ ସେ 'ଏମ୍ଏସ୍ ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ' ସ୍ଥାପନ କରିଥିଲେ।
ନିଜର ଗବେଷଣା ଓ ଉଦ୍ଭାବନ ପାଇଁ ଅନେକ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଛନ୍ତି ସେ। ସେ ୧୯୮୬ରେ ଆଲବର୍ଟ ଆଇନଷ୍ଟାଇନ୍ ବିଶ୍ୱ ବିଜ୍ଞାନ ପୁରସ୍କାର, ୧୯୮୭ରେ ବିଶ୍ୱ ଖାଦ୍ୟ ପୁରସ୍କାର, ୧୯୯୧ରେ ପରିବେଶ ସଫଳତା ପାଇଁ 'ଟାଇଲର ପୁରସ୍କାର' ଏବଂ ୨୦୦୦ରେ 'ପ୍ଲାନେଟ୍ ଆଣ୍ଡ ହ୍ୟୁମାନିଟି ପଦକ' ସହିତ ଅନେକ ଅନ୍ତର୍ଜାତୀୟ ପୁରସ୍କାର ଏବଂ ସମ୍ମାନ ପାଇଛନ୍ତି। ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ମଧ୍ୟ ପ୍ରଦାନ କରାଯାଇଛି। ଅଗଷ୍ଟ ୭, ୧୯୨୫ରେ ତାମିଲନାଡୁର କୁମ୍ବାକୋନମରେ ଜନ୍ମଗ୍ରହଣ କରିଥିବା ଭାରତର ସବୁଜ ବିପ୍ଳବର ଜନକ ଭାବରେ ସଶ୍ରଦ୍ଧ ଉଚ୍ଚାରିତ ଏହି ପ୍ରଥିତଯଶା କୃଷି ବୈଜ୍ଞାନିକ ଗତ ସେପ୍ଟେମ୍ବର ମାସ ୨୮ ତାରିଖରେ ନିଜର ଚେନ୍ନାଇସ୍ଥିତ ବାସଭବନରେ ୯୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୬୫ ମସିହାରେ ୬୦ କୋଟି ୪୦ ଲକ୍ଷ ଦେଶବାସୀଙ୍କ କ୍ଷୁଧା ଦୂର କରିବା ପାଇଁ ଯେଉଁ ସବୁଜ ବିପ୍ଳବର ସୂତ୍ରପାତ ହୋଇଥିଲା ତାହା ଆଜି ୧୪୧ କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିପାରିଛି।
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1696930774.jpg)