ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର କ୍ରିକେଟରେ ଅନେକ କାହାଣୀ ଏବଂ କିମ୍ବଦନ୍ତୀର ମହାନାୟକ। ଜଣେ ଖେଳାଳୀ ହିସାବରେ ସଚିନ ଯେ ଦକ୍ଷତାସଂପନ୍ନ ଥିଲେ ତାହା ଆମେ ସମସ୍ତେ ଜାଣିଛେ। କିନ୍ତୁ ଏହାଠାରୁ ଆହୁରି ବଡ଼ କଥା ହେଲା ଯେ ସଚିନ ନିଜର କ୍ୟାରିୟରର ପ୍ରତ୍ୟେକ ଆହ୍ୱାନକୁ ବେଶ୍ ଗୁରୁତର ସହ ଯେ କେବଳ ଗ୍ରହଣ କରୁଥିଲେ ତାହା ନୁହେଁ ବରଂ ଏଥିରୁ ବାହାରି ଆସିବାର କୌଶଳ ବି ତାଙ୍କୁ ବେଶ୍ ଜଣାଥିଲା। ସଚିନ୍ ବନାମ ହେନେରୀ ଓଲୋଙ୍ଗା ଲଢ଼େଇକୁ ପଢ଼ିଲେ ସଚିନ ନିଜ ପ୍ରତିପକ୍ଷ ବୋଲରଙ୍କ ବିପକ୍ଷରେ କିପରି ସ୍ୱତନ୍ତ୍ର ଯୋଜନା କରିବା ସହ ସେମାନଙ୍କୁ ସହଜରେ ମୁକାବିଲା କରିପାରୁଥିଲେ ତାହା ଆମେ ସହଜରେ ଜାଣି ପାରିବା।
୧୯୯୮ ମସିହାର କଥା। ଶ୍ରୀଲଙ୍କା, ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତ୍ରି-ରାଷ୍ଟୀୟ କୋକାକୋଲା କପ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଥାଏ। ସେତେବେଳେ ସଚିନ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଥାଆନ୍ତି। ପ୍ରତିଯୋଗିତା ଆୟୋଜନ ହେଉଥାଏ ଶାରଜାହରେ। ଭାରତ ନିଜ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ଜିମ୍ବାୱେ ସହ ଖେଳୁଥାଏ। ସେତେବେଳେ ଜିମ୍ବାୱେ ଦଳ ବେଶ୍ ଆକ୍ରାମକ ଏବଂ ସନ୍ତୁଳିତ ଥାଏ। ଦଳରେ ଆଣ୍ଡି ଫ୍ଲାୱାର, ଗ୍ରାଣ୍ଡ ଫ୍ଲାୱାର, ହିଥ୍ ଷ୍ଟ୍ରିକ୍ଙ୍କ ପରି ଖେଳାଳୀ ଥାଆନ୍ତି। ପୁଣି ନୀଲ ଜନସନଙ୍କ ପରି ଅଲରାଉଣ୍ଡର ମଧ୍ୟ ଥାଆନ୍ତି। ଜିମ୍ବାୱେର ପ୍ରଦର୍ଶନ ପ୍ରଭାବୀ ଥାଏ ଏବଂ ଶ୍ରୀଲଙ୍କା ଭାରତ ଏବଂ ଜିମ୍ବାୱେଠୁ ହାରି ପ୍ରତିଯୋଗିତାରୁ ବାଦ ପଡ଼ିଥାଏ। ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଫାଇନାଲ ଖେଳ ହେବା ଧାର୍ଯ୍ୟ ହୋଇ ସାରିଥାଏ।
ଫାଇନାଲ ପୂର୍ବର ଶେଷ ଲିଗ୍ ମ୍ୟାଚ୍ରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି କରିଥିଲା ୨୦୫ ରନ୍। ସେତେବେଳେ ୨୨ ବର୍ଷୀୟ ଜଣେ ଯୁବ ଖେଳାଳି ଅଳ୍ପ କିଛି ଦିନ ହେବ ଜିମ୍ବାୱେ ସହ ଯୋଗ ଦେଇ ଥାଆନ୍ତି। ତାଙ୍କ ନାମ ଥିଲା ହେନେରୀ ଓଲୋଙ୍ଗା। ଓଲୋଙ୍ଗା ହେଉଛନ୍ତି ଜିମ୍ବାୱେର ପ୍ରଥମ ଅଣଶ୍ୱେତାଙ୍ଗ ଖେଳାଳି। ଜିମ୍ବାୱେର ଜନସଂଖ୍ୟାର ଶତକଡ଼ା ଅନେଶ୍ୱତ ଭାଗରୁ ଅଧିକ ଜନସଂଖ୍ୟା କୃଷ୍ଣକାୟ ବର୍ଗର ହେଲେ ବି ବ୍ରିଟିଶ୍ ମୂଳ ଅଧିବାସୀମାନେ ଜିମ୍ବାୱେ କ୍ରିକେଟର ପରିଚୟ ପାଲଟି ଥାଆନ୍ତି। ମାତ୍ର ୧୮ ବର୍ଷ ବୟସରେ ଓଲୋଙ୍ଗା ୩୧ ଜାନୁୟାରୀ ୧୯୯୫ରେ ପ୍ରଥମ ଅଣଶ୍ୱେତାଙ୍ଗ କ୍ରିକେଟର ଭାବେ ଦଳରେ ସ୍ଥାନ ପାଇ ଥାଆନ୍ତି। ଏହା ସେତେବେଳେ ଚର୍ଚ୍ଚାର କାରଣ ପାଲଟି ଥାଏ। ତେବେ ତାଙ୍କ ବୋଲିଂ ପରାକ୍ରମ ବିଷୟରେ ଭାରତୀୟମାନଙ୍କୁ ବିଶେଷ ଭାବେ ଜଣା ନଥାଏ।
୨୦୬ ରନର ବିଜୟ ଲକ୍ଷ୍ୟର ପିଛା କରି ଭାରତୀୟ ଦଳ ଭଲ ଆରମ୍ଭ କରିପାରିଲା ନାହିଁ। ମାତ୍ର ୩୦ ରନ୍ ଭିତରେ ଦଳ ସୌରଭ ଗାଙ୍ଗୁଲୀ ଏବଂ ରାହୁଳ ଦ୍ରାବିଡ଼ଙ୍କର ୱିକେଟ୍ ହରାଇ ସାରିଥାଏ। ଏ ଦୁଇ ୱିକେଟ୍ ଆସିଥାଏ ଓଲୋଙ୍ଗାଙ୍କ ଖାତାକୁ। ଦଳ ଚିନ୍ତାରେ ଥିଲାବେଳେ ସଚିନ ସବୁବେଳେ ଉଦ୍ଧାରକର୍ତ୍ତା ଭୂମିକାରେ ନଜର ଆସନ୍ତି। ଦର୍ଶକ ଭାବୁଥିଲେ ଯେ ଯେତେବେଳ ଯାଏ ସଚିନ୍ ଅଛନ୍ତି ସେବେ ଯାଏ କିଛି ଅସୁବିଧା ନାହିଁ। ୨୦୬ ରନ ଦଳ ଆରାମରେ ହାସଲ କରିନେବ।
ମାତ୍ର ସେଦିନ ତାହା ଘଟିବାର ହିଁ ନଥିଲା। ହେନେରୀ ଓଲୋଙ୍ଗାଙ୍କର ଏକ ବଲ ଗୁଡ଼୍ ଲେନ୍ଥ ଅଂଚଳରୁ ସିଧା ଉଠି ସଚିନଙ୍କର ଛାତି ଆଡ଼କୁ ଆସିଲା। ସଚିନ ବଲ ଅନୁସାରେ ନିଜକୁ ପ୍ରସ୍ତୁତ କରିପାରିଲେ ନାହିଁ। ସେ କିଛି ବୁଝିବା ପୂର୍ବରୁ ବଲ ତାଙ୍କ ବ୍ୟାଟ୍ର ଧାର ଛୁଇଁ ଗଲି ଅଂଚଳକୁ ଚାଲି ଯାଇଥିଲା ଯେଉଁଠି ଗ୍ରାଂଟ ଫ୍ଲାୱାର କ୍ୟାଚ୍ ଧରି ସଚିନଙ୍କୁ ପାଭଲିୟନ ପଠାଇ ଦେଇଥିଲେ। ଏହା ପୂର୍ବ ବଲରେ ମଧ୍ୟ ସେ ସଚିନ୍ଙ୍କୁ ଆଉଟ୍ କରିବାର ସୁଯୋଗ ପାଇଥିଲେ। ହେଲେ ସେହି ବଲଟି ନୋବଲ ଥିଲା। ଲଗାତାର ଦୁଇଟି ବଲରେ ଦୁଇଥର ସଚିନଙ୍କୁ ଆଉଟ୍ କରିବା ଫଳରେ ଓଲୋଙ୍ଗାଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ଥିଲା। ତା’ ପରେ ପରେ ଓଲୋଙ୍ଗା ଅଜୟ ଜାଡେଜାଙ୍କ ୱିକେଟ୍ ବି ନେଲେ। ମୋଟ୍ ଉପରେ ଚାରୋଟି ଟପ୍ ଅର୍ଡର ୱିକେଟ୍ ନେଇ ଭାରତକୁ ପରାସ୍ତ ହେବାକୁ ବାଧ୍ୟ କରିଥିଲେ। ନିମ୍ନ କ୍ରମର ବ୍ୟାଟ୍ସମ୍ୟାନଙ୍କ ପ୍ରଚେଷ୍ଟା ସତ୍ତ୍ୱେ ଭାରତ ୧୩ ରନରେ ମ୍ୟାଚ ହାରିଗଲା।
କ୍ରିକେଟରେ ହାରଜିତ ଲାଗି ରହିଥାଏ। କେତେବେଳେ ବୋଲର ପ୍ରଭାବୀ ହୁଏ ତ ଆଉ କେତେବେଳେ ବ୍ୟାଟର। ସଚିନଙ୍କୁ ଆଗରୁ ଅନେକ ନାମୀଦାମୀ ବୋଲର ଏବଂ ଅନେକ ଅନାମଧେୟ ବୋଲର ଆଉଟ୍ କରିଛନ୍ତି। ଏପରି ସ୍ଥିତିରେ ହେନେରୀ ଓଲୋଙ୍ଗା ସଚିନଙ୍କୁ ଆଉଟ୍ କରିବା କିଛି ନୂଆ କିମ୍ବା ବିସ୍ମୟକର କଥା ନଥିଲା। ତେବେ କୁହାଯାଏ ଯେ ସଚିନଙ୍କୁ ଆଉଟ୍ କଲା ପରେ ହେନେରୀ ଓଲୋଙ୍ଗା ଯେଉଁପରି ଭାବେ ଚିତ୍କାର କରି ସଚିନଙ୍କୁ ରାଗରେ ଅନାଇ ସେଲେବ୍ରେଶନ କଲେ ତାହା ସଚିନ୍ଙ୍କୁ ଭଲ ଲାଗିଲା ନାହିଁ। ମାତ୍ର ୨୨ ବର୍ଷ ବୟସରେ ଗୋଟିଏ ସ୍ପେଲ ମଧ୍ୟରେ ଗାଙ୍ଗୁଲୀ ସଚିନ ଏବଂ ଦ୍ରାବିଡ଼ଙ୍କ ୱିକେଟ୍ ହାସଲ କଲେ କେହି ବି ଖୁସି ହେବା ସ୍ୱଭାବିକ। ତେବେ ବୋଧହୁଏ ସେଦିନ ଓଲୋଙ୍ଗା ଟିକିଏ ଅଧିକ ଖୁସି ହୋଇଯାଇଥିଲେ। ସଚିନଙ୍କ ୱିକେଟ ପାଇଲା ମାତ୍ରେ ସେ ଚିତ୍କାର କରି ଗ୍ରାଣ୍ଡ ଫ୍ଲାୱାରଙ୍କ ଆଡ଼କୁ ଦୌଡ଼ିଗଲେ। ଏହା ସଚିନଙ୍କୁ ଭଲ ଲାଗିନଥିଲା।
ଏହା ସଚିନଙ୍କୁ ଏତେମାତ୍ରାରେ ଉତ୍କ୍ଷିପ୍ତ କଲା ଯେ ସଚିନ୍ ଏହାର ପ୍ରତିଶୋଧ ନେବାପାଇଁ ହୁଏତ ଚିନ୍ତା କଲେ। ସାଥୀ ଖେଳାଳି ଅଜୟ ଜାଡେଜାଙ୍କ ମତରେ ସଚିନ ଜଣେ ଆତ୍ମଗର୍ବୀ ବ୍ୟକ୍ତି ନୁହନ୍ତି। କିନ୍ତୁ ନିଜର ଦକ୍ଷତାକୁ ନେଇ ଗର୍ବ କରନ୍ତି ଏବଂ ନିଜର ଖେଳ କୌଶଳ ଉପରେ ସେ ଶତ ପ୍ରତିଶତ ବିଶ୍ୱାସ କରନ୍ତି। ଏକ ବାଉନ୍ସରରେ ଅନାବଶ୍ୟକ ଭାବେ ଆଉଟ୍ ହେବା ଏବଂ ଓଲୋଙ୍ଗାଙ୍କ ସେଲେବ୍ରେଶନ ତାଙ୍କୁ ବେଶ୍ ଦୁଃଖ ଦେଇଥିଲା। ସେ ସେଦିନର ରାତି ଶୋଇପାରି ନଥିଲେ। ଡ୍ରେସିଂ ରୁମ କିମ୍ବା ହୋଟେଲରେ ଗୋଟିଏ ପରାଜୟ ପାଇଁ ଏତେ ଦୁଃଖୀ ହେବା ଆଗରୁ କେହି କେବେ ଦେଖି ନଥିଲେ।
୩୬ ଘଂଟାର ସେହି କଷ୍ଟକର ସମୟ ପରେ ଭାରତ ପୁଣି ଥରେ ଜିମ୍ବାୱେ ବିପକ୍ଷରେ ଫାଇନାଲ ଖେଳିବାକୁ ଓହ୍ଲାଇଲା ୧୩ ନଭେମ୍ବର ୧୯୯୮ରେ। ଫାଇନାଲ ମ୍ୟାଚ୍ ଦିବାରାତ୍ର ବିଶିଷ୍ଟ ଥିଲା। ଏଥର ବି ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୯୬ ରନ କଲା। ଭୋଜନ ବିରତି ପରେ ଭାରତ ବ୍ୟାଟିଂ କରିବାକୁ ଆସିଲା। ପୂର୍ବଥର ପରି ଏଥର ବି ଓପନର ଥିଲେ ସଚିନ୍ ଏବଂ ଗାଙ୍ଗୁଲୀ।
ସାଧାରଣତଃ ସଚିନ ବ୍ୟାଟିଂ କଲାବେଳେ ବେଶ୍ ମନଧ୍ୟାନ ଦେଇ ବ୍ୟାଟିଂ କରନ୍ତି। ସତେ ଯେମିତି ଜଣେ ଋଷି ତପସ୍ୟା କରୁଛନ୍ତି। ତାଙ୍କ ମୁଖ ମଣ୍ଡଳ ଶାନ୍ତ ଥାଏ। ଚେହେରା ପ୍ରତିକ୍ରିୟାଶୂନ୍ୟ ଥାଏ। ସଫଳତା କିମ୍ବା ବିଫଳତା ତାଙ୍କ କ୍ରୀଡ଼ାକୁ ପ୍ରଭାବିତ କରୁଥିଲେ ବି ଏହା ତାଙ୍କ ମୁଖମଣ୍ଡଳରେ ପ୍ରତିଭାତ ହୋଇନଥାଏ। ସେଦିନ କିନ୍ତୁ ସଚିନ୍ ଅଲଗା ମୁଡ଼୍ରେ ଥିଲେ। ଶେଷ ଗ୍ରୁପ୍ ମ୍ୟାଚ୍ରେ କରିଥିବା ସେ ଭୁଲ ଯେପରି ଆଉ ଥରେ ଦେଖାନଦିଏ ତାହା ପାଇଁ ସେ ବହୁତ ପ୍ରସ୍ତୁତି କରି ଆସିଥିଲେ। ଜିମ୍ବାୱେ ବି ସେଦିନ ସଚିନଙ୍କୁ ଶୀଘ୍ର ଆଉଟ୍ କରିଦେଇ ମ୍ୟାଚକୁ ନିଜ ପାଖକୁ ନେବାର ସୁଯୋଗରେ ଥିଲା।
ସେଦିନ କିନ୍ତୁ ଓଲୋଙ୍ଗାଙ୍କୁ ଆଉ ସୁଯୋଗ ମିଳିଲା ନାହିଁ। ସଚିନ୍ ସବୁ ବଲକୁ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇ ସାରିଥାଆନ୍ତି। ପ୍ରଥମ ଓଭର ଶେଷରେ ସଚିନ ଚେଷ୍ଟା କରିଥିଲେ ବି ବଲ ସହ ବ୍ୟାଟର ସଂଯୋଗ ସ୍ଥାପନ ହୋଇ ପାରିନଥିଲା। ତେବେ ପରେ ସ୍ଥିତି ବଦଳି ଗଲା । ଓଲୋଙ୍ଗାଙ୍କର ବୋଲିଂର ଦ୍ୱିତୀୟ ଓଭରରେ ସେ ଆଦାୟ କଲେ ଗୋଟିଏ ଛକ୍କା ଏବଂ ଗୋଟିଏ ଚୌକା ସହ ମୋଟ ଦଶ ରନ। ତା ପରେ ଯିଏ ବି ବୋଲିଂ କଲା ସଚିନ ଛାଡ଼ିବା ମୁଡ଼୍ରେ ନଥିଲେ। ଯିଏ ବି ବୋଲିଂ କରିବାକୁ ଆସୁଥିଲେ ସଚିନ ପଡ଼ିଆର ଚତୁର୍ଦିଗରେ ବଡ଼ ବନ ସଟ ଖେଳୁଥିଲେ। ସେହି ସମୟରେ ତାଙ୍କର ମୁଖମଣ୍ଡଳର ଭଙ୍ଗୀ ଦେଖିବାର ଥିଲା। ଓଲୋଙ୍ଗା ଯେତେ ଜୋରରେ ଦୌଡ଼ି ଆସୁଥିଲେ ସଚିନ ସେ ବଲକୁ ତାଠୁ ଅଧିକ ଜୋରରେ ପଡ଼ିଆ ବାହାରକୁ ପଠାଇ ଦେଉଥିଲେ। ଆଉ ଟିଭି ପରଦାର ସଚିନ ସେହିସବୁ ସଟ୍ ଖେଳିଲା ପରେ ହେନେରୀ ଓଲୋଙ୍ଗାଙ୍କ ନିରାଶ ପ୍ରତିକ୍ରିୟା ଏବଂ ବିଫଳ ମନୋରଥ ନେଇ ପୁଣି ଥରେ ବୋଲିଂ ରନ୍ ଅପକୁ ଫେରି ଯାଉଥିବାର ଦୃଶ୍ୟ ବେଶ୍ ରୋଚକ ଥିଲା ଏବଂ ଭାରତୀୟ କ୍ରିକେଟର ଫ୍ୟାନମାନେ ଏହାକୁ ବେଶ୍ ଉପଭୋଗ କରିଥିଲେ।
ସଚିନ ନିଜେ ଏକୁଟିଆ ୯୨ ବଲରେ ୧୨୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳି ଅପରାଜିତ ରହିଲେ। ଏଥିରେ ସାମିଲ ଥିଲା ୧୨ଟି ଚୌକା ଏବଂ ୬ଟି ଛକ୍କା। ଭାରତ ଦଶ ୱିକେଟ୍ରେ ଜିମ୍ବାୱେକୁ ହରାଇ କୋକାକୋଲା ଚମ୍ପିୟାନ୍ସ ଟ୍ରଫି ହାତେଇଲା। ଏହି ମ୍ୟାଚ୍ ପାଇଁ ଭାରତୀୟ ଓପନରମାନଙ୍କୁ ଖେଳିବାକୁ ପଡ଼ିଥିଲା ମାତ୍ର ୩୦ ଓଭର। ପୂର୍ବ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଭାରତକୁ ଧୂଳି ଚଟାଇଥିବା ଜିମ୍ବାୱେର ସେହି ହେନେରୀ ଓଲୋଙ୍ଗା ନିଜର ଧାର୍ଯ୍ୟ ବୋଲିଂ କୋଟା ବି ପୂରଣ କରିବା ପାଇଁ ସୁଯୋଗ ପାଇଲେ ନାହିଁ। ସେ ୬ ଓଭର ବୋଲିଂ କରି ମୋଟ୍ ୫୦ ରନ ବ୍ୟୟ କରିଥିଲେ ଏବଂ କୌଣସି ୱିକେଟ୍ ପାଇପାରି ନଥିଲେ। ସଚିନ ସେ ବର୍ଷ ପ୍ରଥମ କ୍ରିକେଟର ଭାବେ ଗୋଟିଏ ବର୍ଷରେ ନଅଟି ଶତକ ହାସଲ କରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ।
କ୍ରିକେଟ୍ ସମୀକ୍ଷକଙ୍କ ମତରେ ଏହି ଇନିଂସ ସଚିନଙ୍କ କ୍ରିକେଟ କ୍ୟାରିୟରର ଗତିପଥ ବଦଳାଇ ଦେଇଥିଲା। ମାତ୍ର ଛତିଶ ଘଂଟାର ବ୍ୟବଧାନ ଭିତରେ ସଚିନ ପ୍ରମାଣିତ କରିଥିଲେ ଯେ ସେ କାହିଁକି ଶ୍ରେଷ୍ଠ। ଯେଉଁ ଓଲୋଙ୍ଗା ନିଜର ଗତି ଆଉ ସଫଳତାକୁ ନେଇ ଗର୍ବ ଅନୁଭବ କରୁଥିଲେ ସେହି ଓଲୋଙ୍ଗା ଭୂପତିତ ହୋଇଯାଇଥିଲେ ଏବଂ ମାତ୍ର ୩୬ ଘଂଟା ଭିତରେ ସଚିନ ଓଲୋଙ୍ଗାଙ୍କୁ ଧୋଇ ଦେଇ ଶେଷ ହସ ହସିଥିଲେ।
ରୁଦ୍ର ପ୍ରସନ୍ନ ରଥ
ଫୋ- ୭୯୭୮୬୭୧୭୭୬