ପଞ୍ଚାନନ କାନୁନଗୋ
ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ସରକାରୀ ସ୍କୁଲରେ ପ୍ରତିବର୍ଷ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ଆମ ରାଜ୍ୟରେ ସବୁଠୁ ବେଶୀ। ଏହି ସଂଖ୍ୟା ସରକାରୀ ହିସାବରେ ଯାହା କୁହାଯାଇଥାଏ ତା’ ଠାରୁ ଯଥେଷ୍ଟ ଅଧିକ। ବହୁବିଧ କାରଣ ରହିଛି। ସେଥିମଧ୍ୟରୁ ଅନ୍ୟତମ କାରଣ ଅଭାବୀ ପରିବାରର ପିଲାମାନେ ଅନେକ କାମରେ ପରିବାର ଲୋକଙ୍କୁ ସାହାଯ୍ୟ କରିବାକୁ ସ୍କୁଲ୍ ଛାଡ଼ିଥାନ୍ତି। ଅନେକ ସମୟରେ ଅସମୟରେ ଶାରୀରିକ ଅସୁସ୍ଥତା ହେତୁ ପିଲା ବିଦ୍ୟାଳୟ ଯାଇନଥାଏ। ପାଠପଢ଼ାରେ ହାରିଯାଏ, ଘରେ ରହିଯାଏ। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ଏହି ଉପସ୍ଥାନ ସଂଖ୍ୟା ହେରଫେର୍ କରାଯାଇଥାଏ। ସନ୍ଧ୍ୟା ସମୟରେ ଅର୍ଥାତ୍ ସ୍କୁଲ୍ ଛାଡ଼ିବା ସମୟରେ ପିଲାଙ୍କ ସଂଖ୍ୟା ଗଣାଗଲେ ବାସ୍ତବ ସ୍ଥିତି ଜଣାଯିବ। ପ୍ରାଥମିକ ସ୍ତରରେ ଭାରତର ସବୁଠାରୁ କମ୍ ପାଠ ଛାଡ଼ୁଥିବା ସର୍ବଭାରତୀୟ ସ୍ତରରେ ଅନୁପାତ ୭.୩% ଥିବାବେଳେ ଓଡ଼ିଶାରେ ଏହି ହାର ୨୩.୩୯%। ସେହିପରି ମାଧ୍ୟମିକ ସ୍ତରରେ ସର୍ବଭାରତୀୟ ହାର ୧୨.୬% ଥିବାବେଳେ ଓଡ଼ିଶାର ହାର ୨୭.୩%। ଏକ ହିସାବରୁ ଜଣାଯାଏ ଓଡ଼ିଶାରେ ୨୦୨୦-୨୧ରେ ୨୧ ଲକ୍ଷ ୪୨ ହଜାର ପିଲା ପ୍ରାଥମିକ ବିଦ୍ୟାଳୟ ଛାଡ଼ିଥିବାବେଳେ ୨୦୨୧-୨୨ରେ ଏହି ସଂଖ୍ୟା ସାମାନ୍ୟ କମି ୨୦ ଲକ୍ଷ ୭୨ ହଜାର ଥିଲା। ସେହିପରି ମାଧ୍ୟମିକ ସ୍ତରର ସଂଖ୍ୟା ୨୦୨୦-୨୧ରେ ୧୩ ଲକ୍ଷ ୨୫ ହଜାର ଥିବାବେଳେ ୨୦୨୧-୨୨ରେ ୧୨ ଲକ୍ଷ ୪୬ ହଜାର ଥିଲା।
ଯେତେସବୁ ସରକାରୀ ଯୋଜନା କାର୍ଯ୍ୟକାରୀ କରାଗଲେ ମଧ୍ୟ ପିଲା ପାଠ ଛାଡ଼ିବା ସଂଖ୍ୟା ଏବେ ବି ଯଥେଷ୍ଟ ଅଧିକ ଅଛି ଏବଂ ଉଭୟ ସରକାର ଓ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ହୋଇ ରହିଛି। ପାଠ ପ୍ରତି ଅନାଗ୍ରହ ଭାବ ହେତୁ ପିଲାଟି ଯେ ଶ୍ରେଣୀ ଗୃହରେ ଅନ୍ୟମନସ୍କ ରହୁଛି ଅବା ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଛି ଏକଥା ଆଲୋଚିତ ହୋଇଥାଏ। ତେବେ ଏହି ଅନାଗ୍ରହ ଓ ଅନ୍ୟମନସ୍କତା କାହିଁକି ଓ କିପରି ଦୂର ହେବ ସେସବୁ ଏପର୍ଯ୍ୟନ୍ତ ସ୍ଥିର ହେଲାନାହିଁ। ଯାହାକି ନିଶ୍ଚୟ ଦରକାର। ପିଲାଟିକୁ ପୁନଶ୍ଚ ଶ୍ରେଣୀଗୃହକୁ ଫେରାଇ ଆଣିବାର ବ୍ୟବସ୍ଥା କରାଯିବା ଦରକାର। ତା’ର ଅନାଗ୍ରହର କାରଣ ଅନେକ ଥାଇପାରେ। ପାଠପ୍ରତି ଭୟଜାତ ହେଲେ ସେ ନିଜକୁ ଅନ୍ୟଠାରୁ ନ୍ୟୁନ ମନେକରି ବାରମ୍ବାର ଅନୁପସ୍ଥିତ ରହିଥାଏ। ପିଲାଟିର ଶାରୀରିକ ଦୁର୍ବଳତା ଅନେକ ସମୟରେ ତା’ର ମାନସିକ ଦୁର୍ବଳତାର କାରଣ ହୋଇଥାଏ। ଯେଉଁଥିପାଇଁ ସମବୟସ୍କ ସହପାଠୀ ସହ ସମତାଳ ଦେଇ ପାଠ ହଜମ କରିବା ହୃଦୟଙ୍ଗମ କରିବା ଆଦୌ ସମ୍ଭବ ହୁଏ ନାହିଁ। ଅଧିକନ୍ତୁ ପିଲାଟି ପାଇଁ ତା’ର ପିତାମାତା ଅବା ବଂଶ ପରମ୍ପରାର ପ୍ରଭାବ ଯେ ନଥାଏ ତା’ ନୁହେଁ, ତା’ଠାରୁ ବଳି ତା’ ପରିବାରର ଆବଶ୍ୟକତା ପୂରଣ ପାଇଁ ସେମାନଙ୍କର ସାଥୀରେ ସେ କ୍ଷେତ୍ର ବାଛି ନେଇଥାଏ। ସେମାନଙ୍କ ଠାରୁ ଅଲଗା ରଖି ବିଦ୍ୟା ଅଧ୍ୟୟନରେ ଯୋଡ଼ି ରଖିବାର କ୍ଷେତ୍ର ପ୍ରସ୍ତୁତ ହେବା ଦରକାର। ଡ୍ରପ୍ ଆଉଟ ଛାତ୍ରଛାତ୍ରୀମାନଙ୍କୁ ବର୍ଷ ଶେଷରେ ଖୋଜି ଅନ୍ତତଃ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ନିରନ୍ତର ଶିକ୍ଷା ଦେବା ନିମନ୍ତେ ଶିକ୍ଷକ ଚେଷ୍ଟା କରିବା ଦରକାର।
ଏ ସମୟରେ ତାକୁ ‘ଗଧ’ ବା ‘ତୋ ଦେଇ କିଛି ହେବନାହିଁ’ ଏପରି ମନ୍ତବ୍ୟ ନଦେଇ ‘ତୁ ପାରିବୁ ଚେଷ୍ଟା କର’ କହି ପିଲାଟିକୁ ଉତ୍ସାହିତ କରିବା ଦରକାର। ବାରମ୍ବାର ସେହି ଗୋଟିଏ ପାଠ୍ୟକ୍ରମ ଉପରେ ମନୋନିବେଶ କରାଇବା ଦରକାର। ଗାଁ’ର କଥା – ‘ନାଦ ଘୋଷ ବିଦ୍ୟ’ ଅର୍ଥାତ୍ ଉଚ୍ଚସ୍ୱରରେ ବାରମ୍ବାର ଘୋଷିବା କାର୍ଯ୍ୟ ରହିବ। କିଛି ଛାତ୍ରଛାତ୍ରୀ ସଅଳ ମନେ ରଖନ୍ତି ସଅଳ ଭୁଲିଯା’ନ୍ତି। କିଛି ଛାତ୍ରଛାତ୍ରୀ ଡେରିରେ ମନେ ରଖନ୍ତି, ଡେରିରେ ଭୁଲନ୍ତି ଓ ଅନ୍ୟ କିଛି ଡେରିରେ ମନେ ରଖନ୍ତି, ସଅଳ ଭୁଲିଯାଆନ୍ତି। ଏହି ଶେଷ ପର୍ଯ୍ୟାୟ ଛାତ୍ରଛାତ୍ରୀମାନେ ହିଁ ଅକୃତକାର୍ଯ୍ୟ ହେବାର ସମ୍ଭାବନା ବେଶୀଥାଏ। ଏହି ଶ୍ରେଣୀର ପିଲାଏ ହିଁ ବହୁ ସଂଖ୍ୟାରେ ଅକୃତକାର୍ଯ୍ୟ ହୋଇଥାନ୍ତି। ଏମାନଙ୍କୁ ଠାବକରି ଶ୍ରେଣୀ ଗୃହରେ ଅଧିକ ଯତ୍ନ ଓ ଅଧିକ ପରିଶ୍ରମ କରିବାକୁ ଏହି ପିଲାମାନଙ୍କୁ ଚାରିଭାଗରେ ବିଭକ୍ତ କରାଯାଇଥାଏ । (୧) ବେଗବେଗା, (୨) ବେଗଚିରା (୩) ଚିରଚିରା (୪)ଚିରବେଗା। ପାଠପ୍ରତି ଭୟ ପରିହାର କରି ଆଗ୍ରହ ବଢ଼ାଇବାର ଶିକ୍ଷା ପ୍ରଣାଳୀ ଅନୁସୃତ ହେବା ଦରକାର। ସବୁଠାରୁ ବଡ଼ କଥା ହେଉଛି ଜଣେ ଶିଶୁ ବିଶେଷଜ୍ଞ ବର୍ଷକରେ ଅନ୍ତତଃ ଦୁଇଥର ଅଣାଯାଇ ଶିଶୁଟିର ମନସ୍ତାତ୍ତ୍ୱିକ ବିଶ୍ଳେଷଣ କରିବା ଦରକାର। ସେ ଆବଶ୍ୟକ କରୁଥିବା ବିଷୟ ପ୍ରତି ଧ୍ୟାନ ରଖି ତାକୁ ପୂରଣ କରିବାର ଯତ୍ନ ନେବାକୁ ହେବ।
ବିଦ୍ୟାଳୟ ଓ ଶିକ୍ଷକଙ୍କ ପ୍ରତି ପିଲାର ଭୟ ଦୂରହେବା ଦରକାର। ଯଦିଓ ଏବେ ଦଣ୍ଡମୁକ୍ତ ବିଦ୍ୟାଳୟ ଘୋଷଣା ହୋଇଛି ତଥାପି ଶିକ୍ଷକଙ୍କ ବିରକ୍ତିର ଶିକାର ପିଲାଏ ହେଉଥିବା ଦେଖାଯାଉଛି। ତା’ପରେ ପାଠପ୍ରତି ଭୟ ମଧ୍ୟ ପରଖିବା ଦରକାର। ଅର୍ଥାତ୍ ଭୟର କାରଣ ସବୁ ଖୋଜି ବାହାର କରିବାକୁ ହେବ। ଗୋଟିଏ ପିଲାର କେଉଁ ପାଠପ୍ରତି ଆଗ୍ରହ, କେଉଁ ପାଠପ୍ରତି ଅନାଗ୍ରହ ସେ ସବୁ ପ୍ରଥମେ ଚିହ୍ନଟ କରି ସେଥିରେ ମନୋନିବେଶ କରିବା ନିମନ୍ତେ ଶ୍ରେଣୀ ଶିକ୍ଷକ ଅଧିକ ଯତ୍ନ ନେବା ଆବଶ୍ୟକ। ସାମାଜିକ ସ୍ଥିତି ମଧ୍ୟ ଅନେକ ସମୟରେ ତଳବର୍ଗର ପିଲାଙ୍କୁ ନିମ୍ନକରି ରଖିଦିଏ। ବିଦ୍ୟାଳୟରେ ଶିକ୍ଷକଙ୍କର ଉଚ୍ଚବର୍ଣ୍ଣ ବା ଥିଲାବାଲା ପରିବାର ପିଲାଙ୍କ ପ୍ରତି ଅଧିକ ଧ୍ୟାନ ଥିବା ଲକ୍ଷ୍ୟ କଲେ କିଛିପିଲା ସମାନ ଆଦର ପାଇବାରୁ ବଂଚିତ ହୋଇଥାନ୍ତି। ଫଳରେ ଶିକ୍ଷକଙ୍କଠାରୁ ଦୂରେଇ ଯାଇଥାନ୍ତି। ଯଦ୍ୱାରା ଶିକ୍ଷକଙ୍କ ପକ୍ଷପାତିତା ଜନିତ ସନ୍ଦେହ ସୃଷ୍ଟି ହୋଇଥାଏ। ପ୍ରଶ୍ନ ପଚାରି ବିଦ୍ୟାଧ୍ୟୟନ କରିବାରୁ ସେମାନେ ନିବୃତ୍ତ ରୁହନ୍ତି। କିଛି ପିଲାଙ୍କର ଉତ୍ତର ଅସ୍ପଷ୍ଟ ରୁହେ। ମାତ୍ର ତାହା ସେ ଜାଣିଥାନ୍ତି। ଶିକ୍ଷକ ବା ଶିକ୍ଷକମାନେ ଏ ଦିଗଗୁଡ଼ିକୁ ଭଲ କରି ଲକ୍ଷ୍ୟ କରିବେ। ତରବରରେ ପାଠ୍ୟକ୍ରମ ଶେଷ କରିବାର ଇଚ୍ଛା ଯେପରି ନକରନ୍ତି। ପିଲାର ଦୁଷ୍ଟାମୀ ପ୍ରତି ଧ୍ୟାନ ରହିବା ଦରକାର।
ପ୍ରାଥମିକ ସ୍ତରରେ ଶିକ୍ଷାଦାନ ବେଳେ ଖୁବ୍ ଅଧିକ ଯତ୍ନବାନ୍ ହେବା ଜରୁରୀ। ମୂଳଦୁଆ ସବଳ ଓ ସରଳ ହେଲେ ପରବର୍ତ୍ତୀ ଅଧ୍ୟୟନ ମଜବୁତ୍ ହୋଇଥାଏ। କେତେକ ପିଲାଙ୍କର ପ୍ରାଥମିକ ସ୍ତରରେ ଶିକ୍ଷା ଦୁର୍ବଳ ଥିଲେ ମଧ୍ୟ ମାଧ୍ୟମିକ ସ୍ତରରେ ବେଶ୍ ଭଲ ହୋଇଥାଏ। ଏଇ ପିଲାମାନଙ୍କୁ ‘ମନୁଆ ପିଲା’ ବୋଲି ଧରି ନିଆଯାଏ। ଦେଖାଯାଏ କିଛି ଭଲ ପଢ଼ନ୍ତି। ଶ୍ରେଣୀ ଗୃହରେ ଭଲ ଉତ୍ତର ମଧ୍ୟ ଦିଅନ୍ତି। ମାତ୍ର ପରୀକ୍ଷାକୁ ଭୟ ପାଇଯାଇଥାନ୍ତି। ଫଳରେ ପରୀକ୍ଷାରେ ଖରାପ କରିଥାନ୍ତି। ଜଣେ ମେଧାବୀ ଛାତ୍ରଙ୍କ ବିଷୟରେ ଲେଖକ ଜାଣିଛନ୍ତି ଯେ ସେ ଜୀବନ ଭରି ବାର୍ଷିକ ପରୀକ୍ଷାରେ ନବସି ପରୀକ୍ଷା ହଲ୍ରୁ ଉଠି ଆସିଥାନ୍ତି ଓ ସପ୍ଲିମେଣ୍ଟାରୀ ପରୀକ୍ଷାରେ ବସି ରାଜ୍ୟରେ ପ୍ରଥମ ହେବାର ଗୌରବ ଅର୍ଜନ କରିଛନ୍ତି। ପରବର୍ତ୍ତୀ କାଳରେ ସେ ବିଶ୍ୱର ଜଣେ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। କିଛି ଛାତ୍ରଛାତ୍ରୀମାନଙ୍କର କଦର୍ଯ୍ୟ ଅକ୍ଷର ଉଭୟ ଛାତ୍ର ଓ ଶିକ୍ଷକଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ। ପିଲାଟିର ପରୀକ୍ଷା ଖାତା ଦେଖିଲାବେଳେ ପରୀକ୍ଷକଙ୍କ ବିରକ୍ତିର କାରଣ ହୋଇଥାଏ ଓ ସନ୍ତୋଷ ଜନକ ନମ୍ବର ପାଇବାରୁ ବଂଚିତ ହୁଏ।
ଗୋଟିଏ ବିଷୟରେ ବାରମ୍ବାର ଅକୃତକାର୍ଯ୍ୟ ହେଉଥିବା ପିଲା ଅନ୍ୟ ବିଷୟମାନଙ୍କରେ ଭଲ ବା ଅତିଭଲ ପ୍ରଦର୍ଶନ କରିଥାନ୍ତି। ସେହି ଦୁର୍ବଳ ବିଷୟକୁ ଆଳକରି ପିଲାକୁ ଅକୃତକାର୍ଯ୍ୟ କରାଇଲେ ତା’ ମନ ଭାଙ୍ଗିଯାଏ। କୌଣସି କାରଣରୁ ଉପସ୍ଥାନ ସଂଖ୍ୟା କମିଯିବାର ଆଳ ଦେଖାଇ ପିଲାଙ୍କୁ ଉତ୍ତୀର୍ଣ୍ଣ ନ କରାଇଲେ ହୁଏତ ତା ମନ ଭାଙ୍ଗି ଯାଇପାରେ। ଏହିସବୁ କାରଣ ଖୋଜି ଏପରି ପିଲାଙ୍କୁ (ଡ୍ରପ୍-ଆଉଟ୍) ରଖି ସ୍ୱତନ୍ତ୍ର ପାଠ୍ୟକ୍ରମ ସେହି ବିଦ୍ୟାଳୟରେ ଅବା ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ବିଦ୍ୟାଳୟ ଖୋଲି ଅଧ୍ୟୟନ ବ୍ୟବସ୍ଥା କରାଗଲେ ରହିଯାଇଥିବା ପିଲା ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ସହଜ ହୋଇଥାଏ। ଏପରି କଲେ କ୍ରମଂଶଃ ବିଦ୍ୟାଳୟ ଛାଡ଼ି ଯାଉଥିବା ସଂଖ୍ୟାହାର କମିଯିବ।
ଫୋ- ୯୪୩୮୩୬୦୮୪୯