ରାଗିଂ ରାକ୍ଷସକୁ ବଧ କରିବା କିପରି?

୧୯୯୦ ମସିହା ବେଳକୁ ଏହି ରାଗିଂ ରାକ୍ଷସର ପ୍ରକୋପ ଏତେ ଅଧିକ ଥିଲା ଯେ ଏହାର କବଳରେ ରାଜ୍ୟର ସବୁ ବଡ଼ ବଡ଼ ସରକାରୀ ଏବଂ ବେସରକାରୀ ଶିକ୍ଷାନୁନୁଷ୍ଠାନ ଆସିଥିଲା।

  • ରୁଦ୍ର ପ୍ରସନ୍ନ ରଥ

ଓଡ଼ିଶାରେ ପୁଣି ଥିରେ ରାଗିଂ (ବରିଷ୍ଠ ଛାତ୍ରମାନଙ୍କ ଦ୍ୱାରା କନିଷୋଠ ଛାତ୍ରମାନଙ୍କୁ ଉଦ୍ଦେଶ୍ୟମୂଳକଭାବେ ଶାରୀରିକ, ମାନସିକ ଏବଂ ଯୌନ ନିର୍ଯାତନା ଆଦି ଦିଆଯିବା) ରାକ୍ଷସ ତାର ଆଁ ଭିତରେ ଆଉ ଜଣଙ୍କର ମୁଣ୍ଡ ପୂରାଇ ଦେଇଥିବାର ଅଭିଯୋଗ ହୋଇଛି। ଏଥର ତା’ର ଶିକାର ହୋଇଛନ୍ତି ଭୀମଭୋଇ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ନିଶାନ୍ତ କୁମାର। ବୟସ ମାତ୍ର ଅଠର ବର୍ଷ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଥିଲା ଯେ ସିନିୟରମାନଙ୍କର ରାଗିଂରେ ଅତ୍ୟାଚାରିତ ହୋଇ ଏହି କୋମଳମତି ଛାତ୍ର ଜଣଙ୍କ ନିଜକୁ ମୃତ୍ୟୁ ହାତରେ ସମର୍ପି ଦେଇଥିଲା। ମାମଲା ଏବେ ବିଚାରାଧୀନ ଅଛି ଏବଂ ଅଭିଯୋଗର ସତ୍ୟାସତ୍ୟ ପ୍ରମାଣିତ ହେବାକୁ ବେଶ୍ କିଛି ସମୟ ଲାଗିଯିବ। ତେବେ ପ୍ରଥମରୁ କଲେଜ କର୍ତ୍ତୃପକ୍ଷ ଏହାକୁ ଅସ୍ୱୀକାର କରି ଏଡ଼ାଇ ଦେବାକୁ ବସିଥିବା ବେଳେ ଯାହା ଲାଗୁଛି ସତ କଣ ତାହା ଜାଣିବାକୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ।

ତେବେ ଏହି ପ୍ରସଙ୍ଗରେ ପୁଣି ଥରେ ରାଗିଂ ରାକ୍ଷସ ଏବଂ ତାହାର କଳାକାରନାମା ଚର୍ଚ୍ଚାକୁ ଆସିଛି। ଏହି ଘଟଣାର ପୃଷ୍ଠଭୂମିରେ ଏହା ଆଲୋଚନା କରାଯାଇ ପାରିବ ଏବଂ ଯଦି ଘଟଣା ସତ ବୋଲି ପ୍ରମାଣିତ ହୁଏ ତେବେ ଆମେ ଏହା ସ୍ୱୀକାର କରିପାରିବା ଯେ ରାଗିଂ ରାକ୍ଷସ ସମୟ ଅସମୟରେ ତାର ମୁଣ୍ଡ ଟେକୁଛି। ଆଉ କଲେଜ କର୍ତ୍ତୃପକ୍ଷଙ୍କ ଅସହାୟତା ଏବଂ କିଛି ବିଶୃଙ୍ଖଳିତ ଛାତ୍ରଙ୍କର ଆଚରଣକୁ ଆୟୂଧ କରି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଯାଉଛି।

ଓଡ଼ିଶା କ’ଣ ସାରା ଭାରତବର୍ଷରେ ରାଗିଂ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି। ସବୁ ବଡ଼ ବଡ଼ କଲେଜ ଏବଂ ଛାତ୍ରାବାସଥିବା ଶିକ୍ଷାନୁଷ୍ଠାନରେ ଏହା ବେଶ୍ ସହଜରେ ଏବଂ ନିୟମିତ ଘଟୁଛି। କିଛି ଦଶକ ତଳେ ନୂଆ କରି ଆସିଥିବା ଗୋଟିଏ କୋମଳମତି ଛାତ୍ର ଏବଂ ଛାତ୍ରୀକୁ ପରିଚୟ ବାହାନାରେ ବରିଷ୍ଠମାନେ ଅତ୍ୟାଚାର କରିବା ଏବଂ ସେମାନଙ୍କୁ ମାନସିକ ଓ ଶାରୀରିକ ଦଣ୍ଡ ଦେବା ବେଶ୍ ସାଧାରଣ ଘଟଣା ଭାବେ ପରିଗଣିତ ହେଉଥିଲା। ୧୯୯୦ ମସିହା ବେଳକୁ ତ ଏହି ରାଗିଂ ରାକ୍ଷସର ପ୍ରକୋପ ଏତେ ଅଧିକ ଥିଲା ଯେ ଏହାର କବଳରେ ରାଜ୍ୟର ସବୁ ବଡ଼ ବଡ଼ ସରକାରୀ ଏବଂ ବେସରକାରୀ ଶିକ୍ଷାନୁନୁଷ୍ଠାନ ଆସିଥିଲା। ବିଶେଷ କରି ଛାତ୍ରାବାସ ଥିବା ଅନୁଷ୍ଠାନମାନଙ୍କରେ ଏହାର ମାତ୍ରା ବ୍ୟାପକ ଥିଲା। ସାଧାରଣତଃ ଅନେକ ରାଗିଂ ରାତ୍ରଭୋଜନ ପରେ ପରେ ଆରମ୍ଭ ହୁଏ। ବରିଷ୍ଠ ଛାତ୍ରମାନଙ୍କର ଗୋଟିଏ ଗୋଷ୍ଠୀ କନିଷ୍ଠ ଛାତ୍ରମାନଙ୍କୁ ନିଜ ରୁମକୁ ଡକାଇ ସଂପର୍କ ବଢ଼ାଇବା ନାମରେ ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ କହନ୍ତି। କେତେବେ ଉଲଗ୍ନ କରାଇ ଠିଆ କରିବା, କଥା ଅକଥାରେ ମାଡ଼ ମାରିବା, ରାତି ସାରା ଠିଆ କରାଇ ରଖିବା, ହିଟର ଉପରେ ପରିସ୍ରା କରାଇବା, ଗୁପ୍ତାଙ୍ଗ ଏବଂ ଯୌନାଙ୍ଗକୁ ଅ।ଘାତ ଦେବା, ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ବରିଷ୍ଠ ଛାତ୍ରମାନଙ୍କର ବୋଲହାକ କରିବାକୁ ବାଧ୍ୟ କରାଯାଇଥାଏ। ରାତି ନଅରୁ ଆରମ୍ଭ ହୋଇ ଏ କାର୍ଯ୍ୟକ୍ରମ ମଧ୍ୟରାତ୍ର ଯାଏ ଚାଲୁଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ ଏବଂ ହଷ୍ଟେଲ ପରିଚାଳକମାନେ ଏହାକୁ ଗୁରୁତ୍ୱ ଦେଇନଥାନ୍ତି। ରାତି ପାହି ସକାଳ ହୁଏ ଆଉ ରାତିର ଅନ୍ଧକାର ଭିତରେ ରାଗିଂର ରାକ୍ଷସ ବିଦାୟ ନେଇ ସାରିଥାଏ। ସକାଳ ହେଲାବେଳକୁ ଛାତ୍ରାବାସର କକ୍ଷରେ ଗତ ରାତିରେ ଘଟିଥିବା ସେ ଭୟଙ୍କର ଘଟଣା ଆଉ ଅନୁଭୂତି ସବୁ ତା’ର କଡ଼ କେତେବେଳୁ ଲେଉଟାଇ ସାରିଥାଏ। ସକାଳ ସଂଧ୍ୟା ହେବାକୁ ଯୋଜନା କଲା ଭିତରେ ବରିଷ୍ଠ ଛାତ୍ରମାନେ ଅତ୍ୟାଚାରର ନୂଆ ଫର୍ମୂଲା ସବୁକୁ ନିଜ ନିଜ ମୁଣ୍ଡର ଲାବୋରେଟୋରୀରେ ପ୍ରସ୍ତୁତି ଚଲାଇଥାଆନ୍ତି। ସଂଧ୍ୟାବେଳକୁ ସେ କନିଷ୍ଠ ଛାତ୍ରଟି ସେମାନଙ୍କ ରାଗିଂ ପରୀକ୍ଷା ଗାରର ‘ଗିନିପିଗ’ ମୂଷା ହୋଇ ସାରିଥାଏ। ଏହା ଯେ କେବଳ ଛାତ୍ରାବାସରେ ହୁଏ ତାହା ନୁହେଁ ବରଂ ଛାତ୍ରୀନିବାସରେ ମଧ୍ୟ କନିଷ୍ଠ ଛାତ୍ରୀମାନେ ସମାନ ଦଶା ଭୋଗ କରନ୍ତି।

ଏପଟେ ସକାଳ ହେଲାବେଳକୁ କନିଷ୍ଠ ଛାତ୍ରଟିଏ ଭାଙ୍ଗି ପଡ଼ିଥାଏ। ଭୟ, ମାନସିକ ଚାପ୍‌, ଲଜ୍ଜା ଏବଂ ଅବସାଦ ଭିତରେ ନିଜ ଉପରେ ଭରସା ହରାଇ ସାରିଥାଏ। କାହାକୁ କହିବ ଜାଣି ପାରେନି। ବରିଷ୍ଠ ଛାତ୍ରମାନଙ୍କୁ କହିଲେ ବିଶେଷ ଲାଭ ନଥାଏ। କଲେଜ କର୍ତ୍ତୃପକ୍ଷଙ୍କୁ କହିଲେ ଧରା ପଡ଼ିଯିବାର ଭୟ। ପୋଲିସ୍ ପର୍ଯ୍ୟନ୍ତ ଯାଇ ପାରେନି। ଏମିତି ଭିତରେ ରାଗିଂର ଅଭିଯୋଗ କଲେ କଲେଜ ତରଫରୁ ପିଲା ଏବଂ ବାପାମା’ଙ୍କୁ ଧମକ ମିଳେ। ଆଉ ଥରେ ରାଗିଂ ହୁଏ। ପ୍ରାଇଭେଟ୍ କଲେଜ ହୋଇଥିଲେ ତ ଚାପ ପୀଡ଼ିତାର ପିତାମାତାଙ୍କ ଉପରେ ପଡ଼େ। କେସ୍ ଉଠାଇବାକୁ ଚାପ ପକାଯାଏ। ଯେଉଁଠି ପୀଡ଼ିତପୀଡିତାଙ୍କୁ ସାମାନ୍ୟ ସମର୍ଥନ ମିଳେ ସେଠାରେ ସେମାନେ ବଂଚିଯାଆନ୍ତି। ଯେଉଁଠି କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ପୀଡ଼ିତା ଅପେକ୍ଷା ବରିଷ୍ଠ ଛାତ୍ରଙ୍କ ପାଖରେ ଠିଆ ହୁଏ ସେଠି ଛାତ୍ର କଲେଜ ଛାଡ଼ିବା କିମ୍ବା ଆତ୍ମହତ୍ୟା କରିବାକୁ ବାଧ୍ୟହୁଏ। ବେଶ୍ ଆର୍ଶ୍ଚଯ୍ୟଜନକ ଭାବେ ଅନେକ କ୍ଷେତ୍ରରେ କଲେଜ, ଛାତ୍ର ସମାଜ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ସବୁ ପୀଡ଼ିତ/ପୀଡ଼ିତା ଅପେକ୍ଷା ରାଗିଂ ରାକ୍ଷସ ରୂପେ ବିଚରଣ କରୁଥିବା ସେ ବରିଷ୍ଠ ଛାତ୍ରଗୋଷ୍ଠୀଙ୍କ ସହ ଠିଆ ହେବାକୁ ଉଚିତ୍ ମନେ କରନ୍ତି। ଆମ ସମାଜର ଲକ୍ଷଣ ଯେ ଆମେ ସବୁବେଳେ ସଂଖ୍ୟାଧିକ ଏବଂ ବଳିଷ୍ଠଙ୍କ ପାଖରେ ଠିଆ ହୋଇ ଦୁର୍ବଳ ଏବଂ କନିଷ୍ଠମାନଙ୍କୁ ହେୟଜ୍ଞାନ କରିବା କିମ୍ବା ଆହୁରି ଅତ୍ୟାଚାର କରିବାକୁ ଭଲ ପାଉ। ରାଗିଂ ବରିଷ୍ଠ ଏବଂ କନିଷ୍ଠ ମଧ୍ୟରେ ସଂପର୍କର ସେତୁ ତିଆରି କରେ ବୋଲି ଯେଉଁମାନେ ଭାବନ୍ତି ସେମାନେ ହିଁ ଏହି ରାଗିଂ ରାକ୍ଷସକୁ ଦାନାପାଣି ଦେଇ ପରିପୁଷ୍ଟ କରନ୍ତି ବୋଲି କୁହାଯାଇ ପାରିବ।

ଅତୀତରେ ରାଗିଂକୁ ରୋକିବାକୁ ଅନେକ କଡ଼ା ନିୟମ ପ୍ରଚଳନ କରାଯାଇଛି। ରାଗିଂ ଫ୍ରି କ୍ୟାମ୍ପସ ଘୋଷଣା କରିବାକୁ ଅନେକ ପ୍ରଚେଷ୍ଟା କରାଯାଇଛି। ଅଧ୍ୟାପକମାନଙ୍କୁ ନେଇ କମିଟି ଗଠନ କରାଯାଇ କନିଷ୍ଠ ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲ ଆଦିରେ ରାତି ଅଧିଆ ଚଢ଼ାଉ କରିବାକୁ କୁହାଯାଇଛି। କେତେବେଳେ କେମିତି ରାଗିଂକୁ ନେଇ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି। ଅଳ୍ପ କିଛି କ୍ଷେତ୍ରରେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ତେବେ ଏହାର ସମୂଳେ ବିନାଶ ହୋଇନାହିଁ। ଗତ ବର୍ଷ ସମ୍ବଲପୁରର ଭିସୁଟ ୧୨ ଜାଣ ଛାତ୍ରଙ୍କୁ ରାଗିଂ ପାଇଁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ନିଲମ୍ବନ ଆଦେଶ ଦେଇଥିଲା। ୨୦୧୮ରେ କେନ୍ଦ୍ର ମାନବ ସମ୍ବଳ ବିଭାଗ ତରଫରୁ ପ୍ରକାଶିତ ରିପୋର୍ଟରେ କଲେଜ ରାଗିଂରେ ଓଡ଼ିଶାର ସ୍ଥାନ ସାରା ଭାରତରେ ଷଷ୍ଠରେ ଥିଲା। ଏହି ତଥ୍ୟ ଏହା ପ୍ରମାଣିତ କରିବାକୁ ଯଥେଷ୍ଟ ଯେ ରାଗିଂ ରାକ୍ଷସର ମୂଳତ୍ପୋଟାନ ଏବେ ବି ହୋଇ ନାହିଁ। ଆମକୁ ଏଦିଗରେ ଆହୁରି କଠିନ ପରିଶ୍ରମ କରିବାକୁ ପଡ଼ିବ।

କଲେଜ ଏବଂ ବିଶ୍ୱ ବିଦ୍ୟାଳୟସ୍ତରରେ ଥିବା ଶୃଂଖଳା କମିଟି ଗୁଡ଼ିକ ନିୟମିତ ହଷ୍ଟେଲ ସବୁ ଚେକିଂ କରିବା, କ୍ୟାଣ୍ଟିନ୍‌, କାଫେଟେରିଆ, ଲାଇବ୍ରେରୀ ଆଦି ସ୍ଥାନ ଉପରେ ସତର୍କ ଦୃଷ୍ଟି ରଖିବା, ଛାତ୍ରମାନଙ୍କ ମଧ୍ୟରେ ରାଗିଂ ବନ୍ଦ କରିବାକୁ ନେଇ ସଚେତନତା ସୃଷ୍ଟି କରିବା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଗିଂ ହେଉଥିଲେ ଖବର ଦେବା ପାଇଁ ସ୍ୱେଚ୍ଛାସେବୀ ନିୟୋଜିତ କରିବା ସହ ରାଗିଂ ସମ୍ବନ୍ଧୀୟ ସୂଚନାକୁ ଗମ୍ଭୀରତାର ସହ ନେଇ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠା।ନ ଗ୍ରହଣ କରିବା ଆଦି କାମ କଲେ ଏହି ରାକ୍ଷାସକୁ ସଂପୂର୍ଣ୍ଣ ଧ୍ୱଂସ କରାଯାଇ ପାରିବ। ତେବେ ପୀଡ଼ିତ ଏବଂ ପୀଡ଼ିତା ତୁରନ୍ତ ଏ ନେଇ ଅଭିଯୋଗ କରିବା ଏବଂ କଲେଜ କର୍ତ୍ତୃପକ୍ଷ ଏ ଅଭିଯୋଗ ସବୁକୁ କେତେ ଗମ୍ଭୀରତାର ସହ ନେଉଛନ୍ତି ତାହା ଉପରେ ଏହି ରାଗିଂ ରାକ୍ଷସର ବିନାଶ ନିର୍ଭର କରେ। ନଚେତ୍ ସବୁବେଳେ ନୂଆ ନୂଆ ମୁଣ୍ଡ ରାଗିଂ ରାକ୍ଷସର ପାଟି ଭିତରକୁ ଚାଲି ଯାଉଥିବା ଆଉ ଆମେ ଜଳକା ହୋଇ ଚାହିଁ ରହୁଥିବା।

ଧବଳଗିରି, ଯାଜପୁର ରୋଡ଼

ଫୋ-୭୯୭୮୬୭୧୭୭୬

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।