ବିପନ୍ନ ଗଣତନ୍ତ୍ରରେ ସୁଧାର ଆସିବ କିପରି?

  • ପଞ୍ଚାନନ କାନୁନ୍‌ଗୋ

ଗଣତନ୍ତ୍ରରେ ଜନଗଣଙ୍କର ଭାଗୀଦାରିତା ଯେତେ ବ୍ୟାପକ ଓ ସ୍ୱଚ୍ଛ ହେବ ଶାସନ ବ୍ୟବସ୍ଥା ସେହି ପରିମାଣରେ ଦୃଢ଼, ସ୍ଥାୟୀ ଓ ଉତ୍ତରଦାୟୀ ହୋଇଥାଏ। ପ୍ରାଚୀନ କାଳରେ ପରୀକ୍ଷା ନିରୀକ୍ଷା ଭିତରେ ରାଜତନ୍ତ୍ରର ସ୍ୱେଚ୍ଛାଚାରିତା, ଉଦାରବାଦୀ ସମବେଦନଶୀଳ ଭାବ ଅନ୍ୱେଷଣ ଭିତରେ ସ୍ୱାଧୀନଚେତା ମଣିଷ ନୟାନ୍ତ ହୋଇଯାଇଛି। ରାଷ୍ଟ୍ର ଓ ରାଷ୍ଟ୍ର ନାୟକ ପ୍ରତି ଘୃଣାଭାବ ଜାତ ହୋଇଛି। ଲୋକେ ନିଜେ ନିଜ ଶାସନ ପାଇଁ ପ୍ରସ୍ତୁତି କରିବାବେଳେ ଜନ୍ମ ନେଇଛି ଅନେକ ବ୍ୟବସ୍ଥା। ଗ୍ରୀକ୍ ସାମ୍ରାଜ୍ୟର ଏଥେନ୍ସ ଓ ସ୍ପାର୍ଟା ଦୁଇଟି ପ୍ରାଚୀନ ରାଷ୍ଟ୍ର ଏକ ସମୟରେ ସାମ୍‌ନାକୁ ଆସିଛି। ପ୍ରତ୍ୟକ୍ଷ ଓ ପରୋକ୍ଷ ମତଦାନ ଉପରେ ଏହି ଦୁଇ ରାଜ୍ୟରେ ଶାସନତନ୍ତ୍ର ପ୍ରତିଷ୍ଠିତ ହୋଇଥିଲା। ତଥାପି ସମସ୍ୟାର ସମାଧାନ ହେଲାନାହିଁ। ଦାର୍ଶନିକ ଗଣ ଭିନ୍ନ ଭିନ୍ନ ଭାବେ ସମସ୍ୟା ସମାଧାନର ସୂତ୍ରମାନ ବାହାର କରିବାର ପ୍ରୟାସ କଲେ। ରାଜା ବା ରାଷ୍ଟ୍ରକୁ ନିୟନ୍ତ୍ରଣରେ ରଖିବା ପାଇଁ ନୀତିଶାସ୍ତ୍ର ପ୍ରଣୟନ କରି ଆଇନଶୃଙ୍ଖଳା ରକ୍ଷାର କବଚ ସୃଷ୍ଟି କଲେ। ଏହପରି ଭାବେ ମଣିଷ ସମାଜକୁ ସଂସ୍କାରି ଓ ସଭ୍ୟ କରିବାର ପ୍ରଚେଷ୍ଟା ଅହରହ ଚାଲିଛି। ମଣିଷର ଅହଂକାର, ସ୍ୱେଚ୍ଛାଚାରିତା ପାଖରେ ‘ନୀତି’ ପରାମର୍ଶ ହାରମାନିଛି।

ପ୍ଲାଟୋଙ୍କର ‘ଦାର୍ଶନିକ ରାଜା’ ତତ୍ତ୍ୱଠାରୁ ଆରମ୍ଭ କରି ମନୁ ସଂହିତା, କୌଟିଲ୍ୟ ଅର୍ଥଶାସ୍ତ୍ର ଭାଗବତ ଗୀତା ଜ୍ଞାନ ମାଧ୍ୟମରେ ଗ୍ରନ୍ଥ ଓ ଶାସ୍ତ୍ର ଶିକ୍ଷା ଦେବାର ବ୍ୟବସ୍ଥା ହୋଇଛି। ହେଲେ ସବୁ ନିରର୍ଥକ ହୋଇଯାଇଛି। ଧର୍ମଶାସ୍ତ୍ରର ଭୟ ମଧ୍ୟ ନା ରାଜା, ନା ପ୍ରଜା କାହାକୁ ଶୃଙ୍ଖଳିତ ବା ବିକାଶମୁଖୀ କରିପାରିଛି! ତା’ ପରେ ଆରମ୍ଭ ହୋଇଛି ମଣିଷ ପ୍ରକୃତିକୁ ନେଇ ତର୍ଜମା। ଯାହାକୁ ଦେଖି ରାଷ୍ଟ୍ରର କର୍ତ୍ତବ୍ୟ ସ୍ଥିର କରିବ, ଶାସନ ପରିଚାଳନା କରିବ, କଠୋରତା ବା ଉଦାରବାଦୀ ଧାରା ଅବଲମ୍ବନ କରିବ ବୋଲି ବିଚାର ହେଲା।

ଏକ ଶ୍ରେଣୀର ଦାର୍ଶନିକଙ୍କ ମତାନୁସାରେ ପ୍ରତ୍ୟେକ ମଣିଷ ଖୁବ୍ ଅହଂକାରୀ, କଳହପ୍ରିୟ, ପରଶ୍ରୀକାତର, ସ୍ୱାର୍ଥପର, ଭୋଗବାଦୀ, ଅସହିଷ୍ଣୁ। ସେହିସବୁର ଗୁଣଥିବା ହେତୁ ରାଷ୍ଟ୍ର ବା ରାଜତନ୍ତ୍ର ତାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା ଦରକାର। ଅର୍ଥାତ୍ ଏକ କଠୋର ରାଜତନ୍ତ୍ର ବା ଶାସକର ଆବଶ୍ୟକତା ଅଛି। ଏହି ଶ୍ରେଣୀର ଦାର୍ଶନିକମାନେ ଭୁଲିଗଲେ ଯେ ଶାସକବର୍ଗ ବା ରାଜାମାନେ ମଧ୍ୟ ମଣିଷ। ମଣିଷ ପାଖରେ ଥିବା ଏହିସବୁ ଗୁଣର ଅଧିକାରୀ। ସାମାନ୍ୟ ସୁଯୋଗ ପାଇଲେ ଅତ୍ୟଧିକ ହିଂସ୍ରତା ସେମାନଙ୍କଠାରେ ଦେଖାଦେବ। ଅଧିକ କ୍ଷମତା ଠୁଳ ହେଲେ ଶାସକଙ୍କୁ ଅଧିକ ସ୍ୱେଚ୍ଛାଚାରୀ ଅଧିକ ଦୁର୍ନୀତିଗ୍ରସ୍ତ କରିଥାଏ।

ଅନ୍ୟ ଦାର୍ଶନିକ ଗଣ ବିପରୀତ କଥା କହିଲେ। ଏହି ତତ୍ତ୍ୱର ଆବିଷ୍କାରକ, ପ୍ରବର୍ତ୍ତକ ଦାର୍ଶନିକମାନଙ୍କ ମତରେ ମଣିଷ ଜନ୍ମ ମାତ୍ରକେ ଗୋଟିଏ ସଫା କାଗଜ ପରି ଧୋବ ଫରଫର ଚରିତ୍ର ନେଇ ଆସିଥାଏ। ପାରିପାର୍ଶ୍ୱିକ, ପାରିବାରିକ ଓ ସାମାଜିକ ଚଳନୀର ଛାପାନୁସାରେ ସେ ଭିନ୍ନରୂପ ଧାରଣ କରିଥାଏ। ପୂର୍ବୋକ୍ତ ଦୁଇ ବିଚାର ପରସ୍ପର ବିରୋଧୀ ଥିବା ଲକ୍ଷ୍ୟକରି ଦଳେ ବୈଜ୍ଞାନିକ ତଥା ଆଉ ଦଳେ ଦାର୍ଶନିକ ଅଧିକ ଅଧ୍ୟୟନ କଲେ ଓ ଭିନ୍ନମତ ଦେଲେ। ବୈଜ୍ଞାନିକ ଦଳ ପ୍ରତ୍ୟେକ ଜନ୍ମିତ ମଣିଷ ଉପରେ ବଂଶଗତ ବା କୌଳିକ ପ୍ରଭାବ ରହିଥିବାର ପ୍ରମାଣ କଲେ ଓ ଏହା ଅନେକ ସମୟରେ ପାରିପାର୍ଶ୍ୱିକ କାରଣରୁ ଅବଦମିତ ଏବଂ ସୁଯୋଗ ପାଇଲେ ପୂର୍ଣ୍ଣ ଆତ୍ମପ୍ରକାଶ କରିଥାଏ ବୋଲି କୁହାଗଲା। ପୂର୍ବ ସମୟର ଦାର୍ଶନିକଗଣ ମଣିଷର ପ୍ରାରବ୍ଧ, ପୂର୍ବଜନ୍ମ, ଅସୁରୀ ସ୍ୱଭାବ ଆଦି କଥା କହିଥିଲେ। କିନ୍ତୁ ସମସ୍ତଙ୍କର ନିର୍ଯ୍ୟାସ ହେଲା ରାଷ୍ଟ୍ର ଏହାକୁ ସଜାଡ଼ି ପାରିବ ଓ ଶାସକବର୍ଗ ହିତକାରୀ ହେବା ଦରକାର। ହିତକାରୀ ପ୍ରଜାବତ୍ସଳ ଶାସକ ସବୁବେଳେ ମିଳି ନଥାନ୍ତି।

ଆଉଦଳେ ଦାର୍ଶନିକ ବିପ୍ଳବ ବା ବିଦ୍ରୋହ ମାଧ୍ୟମରେ ପରିବର୍ତ୍ତନ ଓ ଶାସନକୁ ସଜାଡ଼ିବାର ସୂତ୍ର ଦେଲେ। ପ୍ରଜା ଭୁଲକଲେ ଦଣ୍ଡବିଧାନ ଓ ରାଜା ବା ଶାସକ ଭୁଲ କଲେ ଗାଦିଚ୍ୟୁତ କରିବାର ପନ୍ଥାମାନ ନିର୍ଣ୍ଣୟ ହେଲା। ଫରାସୀ ବିପ୍ଳବ ହେଲା। ବିଦ୍ରୋହୀମାନେ ରାଜତନ୍ତ୍ରର ବିଲୋପ ଚାହିଁଲେ। ରାଜା ଷୋଡ଼ଶ ଲୁଇଙ୍କୁ ହତ୍ୟାକଲେ। ଏହାପରେ ଯେଉଁ ଶାସନ ଆସିଲା ତାହା ଥିଲା ନେପୋଲିୟନଙ୍କ ସାମ୍ରାଜ୍ୟବାଦୀ ବ୍ୟବସ୍ଥା, ତା’ର ଅଭିଜ୍ଞତା ମଧ୍ୟ ଉତ୍କଟ ଥିଲା। ରାଜ୍ୟ ବିସ୍ତାରର ଅସ୍ଥିରତା ଭିତରେ ମଣିଷ ଖୋଜୁଥିବା ସୁଖଶାନ୍ତି ହଜିଗଲା। ହେଲେ ଗୋଟିଏ କଥାର ଆଂଶିକ ବିଜୟ ହେଲା। ତାହା ହେଉଛି ଭୋଲଟାୟାର, ରୁଷୋ, ମଣ୍ଟେସ୍କୋଙ୍କ ପରି ରାଜନୈତିକ ଦର୍ଶନଶାସ୍ତ୍ରର ପ୍ରଭାବ ପରବର୍ତ୍ତୀ ସମୟରେ ରାଜନୈତିକ ପ୍ରକ୍ରିୟା ଓ ବ୍ୟବସ୍ଥାକୁ ବହୁମାତ୍ରାରେ ପ୍ରଭାବିତ କଲା। ପ୍ରଜା ମଙ୍ଗଳକାରୀ ରାଷ୍ଟ୍ର ଗଠନର ପ୍ରକ୍ରିୟା ଅନ୍ୱେଷଣରେ ସମସ୍ତେ ରହିଲେ। ହେଗେଲଙ୍କର ଅତି ମାନବବାଦୀ ଦର୍ଶନ ଶାସ୍ତ୍ରକୁ ନେଇ ଅନେକ ରାଜନୈତିକ ପ୍ରକ୍ରିୟାମାନ ପରୀକ୍ଷା ନିରୀକ୍ଷା ଭିତର ଦେଇ ଶାସକ ଓ ଶାସନତନ୍ତ୍ରକୁ ପ୍ରଭାବିତ କଲା। ଏହାର ବିପରୀତ ଧାରା ମଧ୍ୟ ଜନ୍ମ ନେଲା।

କାର୍ଲ ମାର୍କସଙ୍କ ବସ୍ତୁବାଦୀ ଶାସ୍ତ୍ର ଆଧାରରେ ଲେନିନଙ୍କର ସାମ୍ୟବାଦୀ ଗଣସଂଗଠନ ଲୋକଗଣତନ୍ତ୍ରର ଏକ ନୂଆରୂପ ଆବିଷ୍କାର କଲା। ରୁଷିଆରେ ଜାର୍ ଶାସନର ପତନ ହେଲା। କିନ୍ତୁ ସେଇ ଏକ ଦ୍ୱନ୍ଦ୍ୱ ମଣିଷକୁ ନେଇ ଠିଆ ହେଲା। ଲେନିନଙ୍କ ପରେ ଜନ୍ମ ନେଲେ ଷ୍ଟାଲିନଙ୍କ ପରି ନେତା। ଯାହାଙ୍କ ନାମ ଶୁଣିବା ମାତ୍ରକେ ଭିନ୍ନ ମତବାଦୀଙ୍କର ଛାତି ଥରି ଉଠୁଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଓ ହିଟଲରଙ୍କ ଆବିର୍ଭାବ ଆହୁରି ଅଧିକ ଭୟଙ୍କର ଥିଲା। ସେଥିପାଇଁ ଷ୍ଟାଲିନଙ୍କ ପ୍ରତିପକ୍ଷ ହଟାଇବା ବ୍ୟବସ୍ଥାର ଭୟାବହତା ଉପରେ ବିଶ୍ୱର ଦୃଷ୍ଟି ବହୁ ପଛରେ ପଡ଼ିଲା। ସେହି ମତବାଦର ସରକାର ସୋଭିଏତ ରୁଷିଆ ଓ ଅନ୍ୟ କେତେକ ୟୁରୋପୀୟ ଦେଶରେ ବେଶିଦିନ ଚାଲି ପାରିଲାନାହିଁ।

ଏବେ ସମଗ୍ର ବିଶ୍ୱରେ ଗୋଟିଏ ବ୍ୟବସ୍ଥା “ଗଣତନ୍ତ୍ର ନାମରେ” ହିଁ ଭିନ୍ନ ଭିନ୍ନ ରୂପରେ ମୁଣ୍ଡଟେକି ବାଟ ଚାଲିଛି। ଏଥିରେ ସଂଘୀୟ ସଂସଦ ବା ପ୍ରେସିଡେନ୍ସିଆଲ୍ ଫର୍ମ ଅଫ୍ ଗଭର୍ଣ୍ଣମେଣ୍ଟ୍ ଓ ଅନ୍ୟ ପକ୍ଷରେ ସଂସଦ ଓ ପ୍ରଧାନମନ୍ତ୍ରୀୟ ଶାସନ ବ୍ୟବସ୍ଥା ରହିଥିବାର ଦେଖାଯାଇଛି। ହେଲେ ଭାରତରେ ସଂଘୀୟ ବ୍ୟବସ୍ଥା ଥାଇ ଯେଉଁ ସଂସଦୀୟ ଗଣତନ୍ତ୍ର ରହିଛି ତାହା ଗତ ୭୫ ବର୍ଷ ମଧ୍ୟରେ ଖୁବ୍ ଗୋଟାଏ ପରୀକ୍ଷା ନିରୀକ୍ଷା ଭିତର ଦେଇ ଚାଲିଛି। ସ୍ୱେଚ୍ଛାଚାର ଓ ଏକଛତ୍ରବାଦୀ ମନୋଭାବକୁ ଭୋଟ ମାଧ୍ୟମରେ ପ୍ରତିହତ କରାଯାଇଛି। ବହୁଦଳୀୟ ଓ ଗଠବନ୍ଧନର ସରକାର କେନ୍ଦ୍ର ଓ ରାଜ୍ୟ ସ୍ତରରେ ବେଶ ଭଲ ଫଳପ୍ରଦ ହୋଇଛି। ତର୍କବାଦୀ ଭାରତୀୟଙ୍କ ପାଇଁ ହୁଏତ ଖୁବ୍ ଆଦରଣୀୟ ଓ ଗ୍ରହଣୀୟ ହୋଇ ପାରିଛି।

ଭାରତରେ ପ୍ରଚଳିତ ବ୍ୟବସ୍ଥାର ସବୁଠାରୁ ବଡ଼ ବିପଦ ହେଉଛି ନିର୍ବାଚନରେ ଅର୍ଥବଳ ପ୍ରୟୋଗ କରି ଭୋଟରମାନଙ୍କୁ ନିଜ ପକ୍ଷକୁ ଟାଣିବା। ଯେଉଁ ବ୍ୟକ୍ତି ବା ତା’ ଦଳ ପାଖରେ ଯେତେ ଟଙ୍କା ଅଛି ସେ ତାହା ପ୍ରୟୋଗ କରି ଭୋଟରମାନଙ୍କୁ କରାୟତ୍ତ କରିବାର ଦେଖାଯାଏ। ଏବେ ନୂଆ ବ୍ୟବସ୍ଥା ମଧ୍ୟ ଦେଖାଗଲାଣି। ଏହି ଟଙ୍କାର ପ୍ରୟୋଗ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କରାଯାଉଛି। ସିଧାସଳଖ ଭୋଟବେଳେ ଟଙ୍କା ବାଣ୍ଟିବା ଓ ସରକାରରେ ଥାଇ ବିଭିନ୍ନ ମାଗଣା ବ୍ୟବସ୍ଥା ଯୋଜନା ମାଧ୍ୟମରେ ଭୋଟଦାତାଙ୍କୁ ଆକୃଷ୍ଟ କରିବା ଏହି ପ୍ରତ୍ୟକ୍ଷ ଓ ପରୋକ୍ଷ ବ୍ୟବସ୍ଥାର ରୂପ ଭୋଟଦାତାଙ୍କ ଭୋଟବେଳେ ଅର୍ଥବଳର ଶିକାର ହୋଇଛନ୍ତି। ଭୋଟଦାତାଙ୍କର ନିର୍ବାଚନରେ ଆଗ୍ରହ ରହୁନାହିଁ, ବିଶ୍ୱାସ ତୁଟିଯିବାରେ ଲାଗିଛି। ନିର୍ବାଚନ ଅସ୍ୱଚ୍ଛ, ଅପରିଷ୍କାର ହେବା ହେତୁ ଅନେକ ଚିନ୍ତାଶୀଳ ଓ ଉତ୍ତମ ନାଗରିକ ଏଥିରୁ ଦୂରେଇ ଯାଉଛନ୍ତି ବା ଏଥିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି।

ଏହି ଦୁଇ ବିପଦ (କ) ଅର୍ଥବଳ ଓ (ଖ) ଅନାଗ୍ରହକୁ ଦୂରେଇ ପାରିଲେ ଭାରତରେ ସଂସଦୀୟ ଗଣତନ୍ତ୍ର ସମଗ୍ର ବିଶ୍ୱରେ ସର୍ବଶ୍ରେଷ୍ଠ ରାଜନୈତିକ ଶାସନ ବ୍ୟବସ୍ଥା ଭାବେ ଆଦର୍ଶ ସୃଷ୍ଟି କରିବ।

ବିଧାନସଭା, ବିଧାନ ପରିଷଦ, ଲୋକସଭା, ରାଜ୍ୟସଭା ଆଦି ଲୋକ ପ୍ରତିନିଧିମାନଙ୍କ ସଭାରେ ସଦସ୍ୟମାନଙ୍କ ଆଚରଣ ଦେଖି ନାଗରିକମାନଙ୍କ ମଧ୍ୟରେ ସଂସଦୀୟ ଗଣତନ୍ତ୍ର ପ୍ରତି ଘୃଣାଭାବ ବୃଦ୍ଧି ପାଇଛି। ଏହାର ମୁଖ୍ୟକାରଣ ହେଉଛି ରାଜନୈତିକ ବିଚାର, କାର୍ଯ୍ୟକଳାପ, ଆଇନ ପ୍ରଣୟନ ଜନିତ ତର୍ଜମା କମିଯାଇ ସଭ୍ୟମାନଙ୍କୁ କାର୍ଯ୍ୟନିର୍ବାହରେ ଅଧିକ ନିୟୋଜିତ କରାଯାଇଛି। ରାଜନୈତିକ ପ୍ରକ୍ରିୟା ଓ ଲୋକ ପ୍ରତିନିଧିମୂଳକ ବ୍ୟବସ୍ଥାର ଅବକ୍ଷୟ ଘଟି ଦଳ ବା ନେତାଙ୍କ ମନୋନୟନ ତଥା ଜିତିବାର ସାମର୍ଥ୍ୟ ଦେଖି ପ୍ରାର୍ଥୀ ମନୋନୟନ କରାଯାଉଥିବାରୁ ଅନେକ ଭାବେ ସହନଶୀଳତା ଓ ରାଜନୈତିକ ଭାଇଚାରା ଲୋପ ପାଇଯାଉଛି। ମୂଲ୍ୟବୋଧ, ଆଦର୍ଶ ଅବକ୍ଷୟ ହେବାରେ ଲାଗିଛି।

ଏହାର ସଂଶୋଧନ ଦରକାର। ପ୍ରଥମତଃ ଗୃହ ମଧ୍ୟରେ ହୋ ହାଲ୍ଲା କରିବାର ଦୃଶ୍ୟ ବା ଆଚରଣ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ କରିବା ଉଚିତ। ଫଳତଃ ନାଗରିକଗଣ ନିଜେ ପଠାଇଥିବା ପ୍ରତିନିଧିମାନଙ୍କର ମୂଲ୍ୟାୟନ କରିବାର ସୁଯୋଗ ପାଇବେ। କୌଣସି ଅଶାଳୀନ, ହିଂସାତ୍ମକ କାର୍ଯ୍ୟ ଗୃହ ମଧ୍ୟରେ ହେଲେ ନିର୍ବାଚନ କୋର୍ଟରେ ମକଦ୍ଦମା ଦାୟର କରାଯାଇ ସଂପୃକ୍ତ ସଦସ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଯେହେତୁ ଆମ ବ୍ୟବସ୍ଥା ଭିତରେ ସଦସ୍ୟ ପ୍ରତ୍ୟାହାର ବ୍ୟବସ୍ଥା ନାହିଁ, ଦୃଢ଼ କାର୍ଯ୍ୟାନୁଷ୍ଠାନ କୋର୍ଟ ଜରିଆରେ ହେବାର ଆବଶ୍ୟକତା ଦେଖାଦେଇଛି। ନିର୍ବାଚିତ ଦଳ ବା ବ୍ୟକ୍ତି ଲୋକମତକୁ ଖାତିର ନକରି ଅନେକ ସମୟରେ ସଂସ୍କୃତି ରହିତ ଆଚରଣ ପ୍ରଦର୍ଶନ କରିଥାନ୍ତି। ଗୋଲମରିଚ ଗୁଣ୍ଡ ସଭ୍ୟଙ୍କ ଆଖିକୁ ପକାଇବା, ମାଇକ୍ରୋଫୋନ୍ ଫୋପାଡ଼ିବା ଆଦି ହିଂସାତ୍ମକ କାର୍ଯ୍ୟର ଅନ୍ତର୍ଭୁକ୍ତ କରାଯାଇ ବିଶୃଙ୍ଖଳାସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ପ୍ରାର୍ଥୀମାନେ ମଦ୍ୟପାନ କରୁ ନଥିବା ଉପଯୁକ୍ତ ପ୍ରମାଣପତ୍ର ପ୍ରାର୍ଥିପତ୍ର ଦାଖଲବେଳେ ଦେବା ଦରକାର। ମଦ୍ୟପାନ କରୁଥିବା ପ୍ରାର୍ଥୀ ଆଦୌ ଭଲ ଲୋକ ପ୍ରତିନିଧି ହୋଇ ନଥାନ୍ତି। ସେଥିପାଇଁ କଂଗ୍ରେସ ଦଳ ସଂବିଧାନରେ ସଭ୍ୟ ମଦ୍ୟପାନ କରିବେ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ଥିଲା। ମଦ୍ୟପାନ ନ କରୁଥିବା ସଦସ୍ୟ ଲୋକ ପ୍ରତିନିଧି ହେବା ଏହାର ଉଦ୍ଦେଶ୍ୟ ଥିଲା।

ରାଜ୍ୟ ଭିଜିଲାନ୍ସ ବିଭାଗ (ଦୁର୍ନୀତି ନିବାରଣ ସଂସ୍ଥା, ଲୋକପାଳ ଲୋକାୟୁକ୍ତ) ପାଖରେ ଯେଉଁମାନଙ୍କ ବିରୋଧରେ ଅଭିଯୋଗର ତଦନ୍ତ ଚାଲିଛି ସେ ପ୍ରାର୍ଥୀ ହେବାପାଇଁ ଅଯୋଗ୍ୟ ବିବେଚିତ ହେବା ଦରକାର। ସେଥିରୁ ମୁକ୍ତ ହେଲେ (କୋର୍ଟର ବିଚାର ପରେ) ସେ ବ୍ୟକ୍ତି ପ୍ରାର୍ଥୀ ହୋଇପାରନ୍ତି। ଯାହାଙ୍କ ବିରୋଧରେ ଆୟକର ବିଭାଗର ଅଭିଯୋଗ ଥିବ ବା କଳାଟଙ୍କା ଠୁଳ କରିଥିବାର ଅଭିଯୋଗ ଥିବ, ବ୍ୟାଙ୍କ ଋଣ ପରିଶୋଧ ନ କରିବା ଅଭିଯୋଗ ବ୍ୟାଙ୍କମାନେ କରିଥିବେ ସେ ପ୍ରାର୍ଥୀ ହୋଇପାରିବ ନାହିଁ। ଅପରାଧମୂଳକ ଅଭିଯୋଗ ଅନେକ ସମୟରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦେଖା ଯାଇଥାଏ। କିନ୍ତୁ ଅପରାଧୀ ଥରେ ସାବ୍ୟସ୍ତ ହୋଇଥିଲେ ଯେ କୌଣସି ବ୍ୟକ୍ତି ନିରପରାଧ ଘୋଷିତ ନ ହେବା ପର୍ଯ୍ୟନ୍ତ ପ୍ରାର୍ଥୀ ହୋଇପାରିବ ନାହିଁ। ଏହାଦ୍ୱାରା ରାଜନୀତିରେ ଅପରାଧ ପ୍ରବଣତା ଅନେକ ପରିମାଣରେ ହ୍ରାସ ପାଇବ। ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ପ୍ରତିବାଦ ଅନିବାର୍ଯ୍ୟ। ଗୃହ ମଧ୍ୟରେ ଓ ଗୃହ ବାହାରେ ପ୍ରତିବାଦର ସ୍ୱର ଯଥାର୍ଥ। ହେଲେ ତାହା ହିଂସ୍ର ହେବା ଦୁଃଖଦାୟକ।

ଅନେକ ପ୍ରକାର ପ୍ରତିବାଦର ତରିକା ବିଭିନ୍ନ ଦେଶର ସଂସଦମାନଙ୍କରେ ଦେଖିବାକୁ ମିଳିଥାଏ। ୱେଣ୍ଡି ଡାଭିସ୍ ନାମକ ଜଣେ ଟେକ୍ସାସ ସିନେଟର ପ୍ରତିବାଦ କରିବାକୁ ଯାଇ ସିନେଟରେ ଏକଦା ୧୧ ଘଣ୍ଟା ବକ୍ତବ୍ୟ ରଖି ଗୃହର କାର୍ଯ୍ୟ ବହୁ ସମୟ ଧରି ଅଚଳ କରିଦେଲେ (୨୦୧୩ ଜୁନ୍)। ସେହିପରି ୟୁ.ଏସ୍. ସିନେଟର ଲ୍ୟାଣ୍ଡ ପାଉଲ ଏକଦା ନିରବଚ୍ଛିନ୍ନ ଭାବେ ୧୦ ଘଣ୍ଟାରୁ ଅଧିକ ସମୟ ବକ୍ତବ୍ୟ ରଖି ଗୃହରେ କାର୍ଯ୍ୟ ଅଚଳ କରିଦେଲେ। ଗ୍ରେଟ୍ ବ୍ରିଟେନର ହାଉସ୍ ଅଫ୍ କମନ୍ସରେ ସଦସ୍ୟ ମାଇକେଲ ଭେସ୍ରଟାଇନ୍ ଏକଦା ଗୋଟିଏ ଦିନ ପାଇଁ ଗୃହର କାର୍ଯ୍ୟ ବନ୍ଦ କରିଦେଲେ। କିଛି ଦୃଷ୍ଟି ଆକର୍ଷଣକାରୀ କାର୍ଯ୍ୟ ସଦସ୍ୟ ଗୃହରେ ପ୍ରଦର୍ଶନ କରିବାବେଳେ ହିଂସ୍ର ହୋଇ ଉଠିବା ଆଦୌ ସମୀଚିନ ନୁହେଁ। ଗଣତାନ୍ତ୍ରିକ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଦଳ ଭିତରେ ଆଲୋଚନା ପରିସର ବୃଦ୍ଧି ଘଟିଲେ ଓ ସଦସ୍ୟମାନେ ଗୃହ ମଧ୍ୟରେ ଆଲୋଚନାରେ ଭାଗ ନେବାର ଅଧିକ ସୁଯୋଗ ପାଇଲେ ଗୃହ ଭିତରେ ଅସହିଷ୍ଣୁ ଭାବ ଅନେକ ପରିମାଣରେ ପ୍ରଶମିତ ହୋଇଥାଏ।

ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଯେ ନିର୍ବାଚନ ପ୍ରକ୍ରିୟାର ବ୍ୟାପକ ସଂଶୋଧନ ଓ ସଂସ୍କାର। ନିର୍ବାଚନ କମିଶନ ଏକ ସ୍ଥାୟୀ, ସ୍ୱୟଂସମ୍ପୂର୍ଣ୍ଣ, ସର୍ବକାଳୀନ ସ୍ୱାଧୀନ ସଂସ୍ଥାଭାବେ କାର୍ଯ୍ୟ କରିବା ଦରକାର। ସମସ୍ତ ନିର୍ବାଚନ ବ୍ୟୟ ସରକାର ବହନ କରିବା ଦରକାର। କୌଣସି ପ୍ରାର୍ଥୀ ନିଜ ହାତରୁ ବା ଦଳୀୟ ଅର୍ଥ ଖର୍ଚ୍ଚ କରିବା ଉଚିତ୍‌ ନୁହେଁ। ଏହି ଅର୍ଥ ବିଭିନ୍ନ ଉପାୟରେ ନିର୍ବାଚନ କମିଶନ ପାଣ୍ଠିକୁ ଆସିବା ସହିତ ଖର୍ଚ୍ଚ ହେବାର ଆଇନ ହେବା ଦରକାର। ଏଥିରେ ସର୍ବସାଧାରଣ ଭିତରେ ବିଶେଷତଃ ଶିକ୍ଷିତ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ମଧ୍ୟରେ ନିର୍ବାଚନରେ ଭାଗନେବା ପାଇଁ ଆଗ୍ରହ ସୃଷ୍ଟି ହେବ। ଭୋଟଦାତା ଚିହ୍ନା ପରିବର୍ତ୍ତେ ବ୍ୟକ୍ତିବିଶେଷଙ୍କୁ ଭୋଟ ଦେବାର ପ୍ରକ୍ରିୟାରେ ଅଭ୍ୟସ୍ତ ହେବେ।

ସଂସଦୀୟ ଗଣତନ୍ତ୍ର ହିଁ ଏକମାତ୍ର ଶ୍ରେଷ୍ଠ ଶାସନ ବ୍ୟବସ୍ଥା, ଯଦି ଏଥିରେ ଉତ୍ତମ ଲୋକପ୍ରତିନିଧିମାନଙ୍କ ଅଂଶ ଗ୍ରହଣକରିବାର ଅବାଧ ଓ ସ୍ୱଚ୍ଛ ବ୍ୟବସ୍ଥା ରହିବ।

ଫୋ- ୯୪୩୮୩୬୦୮୪୯

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।