ମହାଭାବର ପ୍ରତୀକ ମହାପ୍ରସାଦର ନକଲିକରଣ ରୋକିବା ବାଟ

ଶ୍ରୀଜୀଉମାନଙ୍କୁ ଦର୍ଶନ କରି ସାରିବା ପରେ ମହାପ୍ରସାଦ ପାଇବାକୁ ଅପେକ୍ଷା କରିଥିବା ବହିରାଗତ ଭକ୍ତମାନେ ଆଉଥରେ ଚକାଡୋଳାଙ୍କୁ ମନପୂରାଇ ଦେଖିନେବାକୁ ଭିତରକାଠ ଯାଏଁ ଯିବା କାରଣରୁ ଶ୍ରୀମନ୍ଦିର ଗମ୍ଭୀରା ଭିତରେ ଗହଳି ଓ ଠେଲାପେଲା ରହୁଛି। ଥରେ ବାହାରକୁ ଚାଲିଗଲେ, ପୁଣି ଥରେ ବେଢ଼ା ମଧ୍ୟକୁ ଆସିବା ପାଇଁ ଧାଡ଼ି ବାନ୍ଧିବା ଆଶଙ୍କାରେ ସେମାନେ ବାଇଶି ପାହାଚ, ମହାଲକ୍ଷ୍ମୀ ମନ୍ଦିର ଓ ଆନନ୍ଦ ବଜାରରେ ଦୀର୍ଘ ସମୟ ଅପେକ୍ଷା କରି ରହୁଛନ୍ତି। ଗହଳି କମୁ ନଥିବାର ଅନ୍ୟତମ ମୁଖ୍ୟ କାରଣ ଆନନ୍ଦ ବଜାରର ଅବସ୍ଥିତି। ସେଠାରେ କେବଳ ଶୁଖିଲା ଭୋଗ ବିକ୍ରି ବ୍ୟବସ୍ଥା କରି, ଅନ୍ନ ମହାପ୍ରସାଦ ବିକ୍ରି ଓ ଭୋଜନ ବ୍ୟବସ୍ଥା ବିକଳ୍ପ ଆନନ୍ଦ ବଜାରରେ କରିବାକୁ ହେବ।

Mahaprasad

  • Published: Thursday, 22 June 2023
  • , Updated: 22 June 2023, 12:34 PM IST

News highlights

  • ନକଲି ମହାପ୍ରସାଦ ପ୍ରସ୍ତୁତି ଓ ବିକ୍ରି ଏକ ଜଘନ୍ୟ ଧାର୍ମିକ ଅପରାଧ।
  • ଏହାର ପ୍ରସ୍ତୁତି ଓ ବିକ୍ରି ରୋକିବା ସଙ୍ଗେ ସଙ୍ଗେ ଶ୍ରୀମନ୍ଦିରର ଆନନ୍ଦ ବଜାର ଗହଳି କମାଇବାକୁ ବିକଳ୍ପ ବ୍ୟବସ୍ଥା ଦରକାର।
  • ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ବାହାରେ ବିକଳ୍ପ ଆନନ୍ଦ ବଜାରରେ ଅସଲି ମହାପ୍ରସାଦ ସେବନ ବ୍ୟବସ୍ଥା କଲେ ମନ୍ଦିର ଭିତରେ ଗହଳି କମିବା ସହିତ ପରିସର ପରିଷ୍କାର ପରିଚ୍ଛନ ରହିବ ଏବଂ ବାହାରେ ନକଲି ମହାପ୍ରସାଦ ବିକ୍ରି ବନ୍ଦ ହୋଇଯିବ।

କିଛିଦିନ ତଳେ ଶ୍ରୀକ୍ଷେତ୍ରରେ ନକଲି ଅବଢ଼ାକୁ ନେଇ ଦେଖାଦେଇଥିଲା ବିବାଦ। ଶ୍ରୀମନ୍ଦିର ପ୍ରଶାସନ କହୁଛନ୍ତି ଯେ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ନକଲି ଅବଢ଼ା ରନ୍ଧାସ୍ଥଳକୁ ପୋଲିସ ଯାଇ ଅନୁସନ୍ଧାନ କରିଥିଲେ ବି ଆଜିଯାଏ କିଛି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ। ଏବେ ମହାପ୍ରସାଦ ବରାଦ ଦେଇ ଦୂରଦୂରାନ୍ତକୁ ନେଉଥିବା ଭକ୍ତ ଠକାମୀର ଶିକାର ହୋଇଥିବାର ସନ୍ଦେହ ଭିତରେ। ତେବେ, ଯଜମାନମାନେ ଯଦି ବରାଦଦେଇ କୁଡୁଆରେ ପ୍ରସାଦ ଦେବାକୁ କହିଥିବେ, ସେଥିପାଇଁ ସୁଆର ଓ ମହାସୁଆରଙ୍କୁ ଦୋଷ ଦେବା ଠିକ୍ ନୁହେଁ ବୋଲି ନିଯୋଗ ମତ ଦେଇଛନ୍ତି। ଏଥିପାଇଁ ସୁଆର ନୁହନ୍ତି ବରଂ ଯଜମାନ ଦାୟୀ ହେବା ଉଚିତ ବୋଲି ସେମାନେ କହୁଛନ୍ତି। ରଥଯାତ୍ରା ଚାଲିଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହିଁବନାହିଁ। ଯଜମାନ ବରାଦ ଦେଇଥିଲେ ବି ସୁଆରମାନେ ମହାପ୍ରସାଦ ଭ୍ରମସୃଷ୍ଟିକାରୀ ରୋଷେଇ କରିବା ଏକ ଅପରାଧ ଓ ସଂସ୍କୃତି ବିରୋଧୀ। ଏହା ପଛରେ ଏକ ଗୋଷ୍ଠୀ ନିଶ୍ଚୟ ଅଛନ୍ତି। ଏହାଦ୍ୱାରା ଶ୍ରୀ ଜଗନ୍ନାଥଙ୍କ ଘୋର ଅବମାନନା ଓ ଭକ୍ତଙ୍କ ଭାବାବେଗ ପ୍ରତି କୁଠାରାଘାତ କରାଯାଇଛି। ଶ୍ରୀକ୍ଷେତ୍ରରେ ଶୁଖିଲା ଭୋଗ, ନିର୍ମାଲ୍ୟ, ଟଙ୍କ ତୋରାଣୀ ବିକ୍ରି ଓ ମହାପ୍ରସାଦ ବିକ୍ରିର ଲାଭଖୋର୍‌ ବ୍ୟବସାୟକରଣ ଚାଲିଛି। ଆଦ୍ୟସେବକ ଗଜପତି ଏହାକୁ ନାପସନ୍ଦ କରିଥିଲେ ହେଁ ଏହା କଳିଯୁଗର ପ୍ରଭାବ କହି ହାଲୁକା ଭାବରେ ନେଇଛନ୍ତି।

ପ୍ରାୟ ୩୫ ବର୍ଷ ତଳେ, ପୁରୀ ପାନ୍ଥନିବାସଠାରେ କିଛି ସୁଆର, ମହାସୁଆର ଓ ସୂପକାର ସେବକଙ୍କ ସହଯୋଗରେ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ହେଉଥିବା ଅନ୍ନ, ଡାଲି, ଡାଲମା, ବେସର, ମହୁର ଭଳି ପାରମ୍ପାରିକ ବ୍ୟଞ୍ଜନ କାଠ ଚୁଲି ଓ କୁଡୁଆ ବ୍ୟବହାରକରି ପ୍ରସ୍ତୁତ କରାଯାଇଥିଲା। ସେବକମାନେ ସମ୍ପୂର୍ଣ୍ଣ ଗୋପନୀୟତା ରକ୍ଷାକରି, ଆବଶ୍ୟକୀୟ ଚାଉଳ, ଡାଲି, ପନିପରିବା ଓ ମସଲାଠାରୁ ଗୁଆଘିଅ ଯାଏଁ ସାଥୀରେ ଆଣି ପ୍ରସ୍ତୁତ କରିଥିଲେ ପ୍ରସାଦସମ ଅନ୍ନ ଓ ବ୍ୟଞ୍ଜନ। ବିଶିଷ୍ଟ ଖାଦ୍ୟ ବିଶେଷଜ୍ଞ ଏହାକୁ ଭୋଜନ କଲାପରେ ମତଦେଇଥିଲେ ଯେ, ରନ୍ଧାଖାଦ୍ୟର ସ୍ୱାଦ ଥିଲା ଅପୂର୍ବ, କିନ୍ତୁ ମହାପ୍ରସାଦ ଭଳି ମହକ ନଥିଲା ସେଥିରେ। ସେମାନେ ମତଦେଇଥିଲେ ଯେ, ‘ଶ୍ରୀମନ୍ଦିର ରୋଷଘରର କାନ୍ଥ ବାଡ଼ ଓ ଛାତରେ ଭେଦି ହୋଇ ରହିଥିବା ଛପନ ଭୋଗ ପ୍ରସ୍ତୁତି ବେଳର ଗୋ-ଘୃତ ପରିବାହିତ ମହମହ ବାସ୍ନା ହିଁ ସେଠାରେ ପ୍ରସ୍ତୁତ ଅନ୍ନ ଓ ବ୍ୟଞ୍ଜନ ମଧ୍ୟକୁ ସଞ୍ଚରିତ ହେଉଥିବାରୁ ମହାପ୍ରସାଦ ଭଳି ସୁବାସିତ ହୋଇପାରିନଥିଲା ପାନ୍ଥନିବାସର ଏକ ନିଭୃତ କୋଣରେ ପ୍ରସ୍ତୁତ ଅନ୍ନ ଓ ବ୍ୟଞ୍ଜନ।’ ଏହା ହୁଏତ ଏକ ଆଧୁନିକ ପାକଶାସ୍ତ୍ର ଆଧାରିତ ବିଚାର। ଶ୍ରୀମହାପ୍ରସାଦ ଯେ ସୁଆର, ମହାସୁଆର ଓ ସୂପକାରଙ୍କ ମାଧ୍ୟମରେ କେବଳ ପ୍ରସ୍ତୁତ ହୁଏ, କିନ୍ତୁ ସ୍ୱୟଂ ମହାଲକ୍ଷ୍ମୀଙ୍କ ଶ୍ରୀହସ୍ତରେ ପାକ ହୋଇଥାଏ; ତାହାକୁ ବୁଝିବା ଓ ବୁଝେଇବା ପାଇଁ ସମର୍ପିତ ଆଧ୍ୟାତ୍ମିକ ସୂକ୍ଷ୍ମ ବିଚାର ବୋଧ ସେହି ବିଶେଷଜ୍ଞଙ୍କ ପାଖରେ ଅଭାବ ଥିଲା ନିଶ୍ଚୟ।

ଚାରିଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ପରଂବ୍ରହ୍ମଙ୍କର ଭୋଜନଧାମ ଭାବେ ସୁବିଦିତ। ଏହି କ୍ଷେତ୍ରରେ ଭୋଗର ପ୍ରାଧାନ୍ୟ ରହିଆସିଛି। ଏହାଛଡ଼ା, ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରାରେ ସ୍ୱତନ୍ତ୍ର ଭୋଗର ବ୍ୟବସ୍ଥା ମଧ୍ୟ ରହିଛି। କୋଟିଦେବତାଙ୍କ ନିକଟରେ ସମର୍ପିତ ନୈବେଦ୍ୟ, ଭୋଗ ବା ପ୍ରସାଦ ବୋଲାଉଥିବାବେଳେ କେବଳ ଦାରୁବ୍ରହ୍ମଙ୍କ ନିକଟରେ ଅର୍ପିତ ନୈବେଦ୍ୟ ହିଁ ଶ୍ରୀମହାପ୍ରସାଦ ପଦବାଚ୍ୟ; ଯାହା କେବଳ ଶ୍ରୀମନ୍ଦିର ପରିସରରେ ଉପଲବ୍ଧ। ଏହି ପରିସର ମଧ୍ୟରେ ସଂଘଟିତ ଅଲୌକିକ ଲୀଳା ମଧ୍ୟରେ ମହାପ୍ରସାଦ ଅନ୍ୟତମ ଅଲୌକିକ ଶ୍ରେଷ୍ଠ ଲୀଳା। ଶ୍ରୀମହାପ୍ରସାଦ ହିଁ ଅନ୍ନବ୍ରହ୍ମ। ଦାରୁ ମଧ୍ୟରେ ଅକ୍ଷୟବ୍ରହ୍ମ ଆରୋପିତ ହେଲା ପରେ ଯେପରି ଦାରୁବ୍ରହ୍ମ ଭାବେ ସର୍ବମାନ୍ୟ, ସେପରି ଅନ୍ନ ମଧ୍ୟରେ ବ୍ରହ୍ମ ଆରୋପିତ ହେଲାପରେ ଅନ୍ନବ୍ରହ୍ମ ରୂପେ ମହିମାମଣ୍ଡିତ। ଶ୍ରୀଜଗନ୍ନାଥଙ୍କ ଲୀଳା ଓ ତତ୍ତ୍ୱଦର୍ଶନରେ ଉଭୟ ଦାରୁବ୍ରହ୍ମ ଓ ଅନ୍ନବ୍ରହ୍ମ ଏକ ଓ ଅଭିନ୍ନ।

ପ୍ରସାଦ ଭେଦ ବିଭିନ୍ନ ପ୍ରକାରର। ମନ୍ତ୍ର ସଂସ୍କାର ନଥାଇ ଦେବତାଙ୍କୁ ସମର୍ପିତ ନୈବେଦ୍ୟକୁ 'ଭୋଗ', ମନ୍ତ୍ର ସହିତ ବୈଦିକ ରୀତିରେ ଉପଚାର ସଂଯୁକ୍ତ ନୈବେଦ୍ୟକୁ 'ପ୍ରସାଦ' ଓ ଯଜ୍ଞାଗ୍ନିରେ ପାକ ହୋଇଥିବା, ଯନ୍ତ୍ର ଉପରେ ରଖାଯାଇ ନୃସିଂହ ମନ୍ତ୍ରରେ ସଂସ୍କାରିତ ତଥା ଗୋବିନ୍ଦଙ୍କୁ ନିବେଦିତ ନୈବେଦ୍ୟଙ୍କୁ ମହାପ୍ରସାଦ କୁହାଯାଏ। ଏହି ଚାରିକ୍ରିୟା କେବଳ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁସୃତ ହୋଇଥାଏ। ଏହି ମହାପ୍ରସାଦ ମା' ବିମଳାଙ୍କୁ ସମର୍ପଣ କରାଯାଇଥାଏ। ମହାପ୍ରସାଦ ଭୈରବୀ ଚକ୍ରରେ ସମର୍ପଣ କରାଗଲେ, ତାହାକୁ କୈବଲ୍ୟ କୁହାଯାଇଥାଏ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ, ତୁଳସୀ, ପୁଷ୍ପ-ମାଲ୍ୟ ଇତ୍ୟାଦିକୁ ମଧ୍ୟ ପ୍ରସାଦ କୁହାଯାଇଥାଏ। ଅଙ୍ଗବସ୍ତ୍ର ବର୍ଷକ ପରେ ଏବଂ ସ୍ୱର୍ଣ୍ଣାଦି ଅଳଙ୍କାର ୧୨ ବର୍ଷ ପରେ ପ୍ରସାଦ ବୋଲାଇ ଥାଏ। ମଣୋହି ହୋଇଥିବା ଶୁଖିଲା ଅନ୍ନ ମହାପ୍ରସାଦକୁ ନିର୍ମାଲ୍ୟ କୁହାଯାଏ। ଶ୍ରୀକ୍ଷେତ୍ରରେ ଶ୍ରୀମହାପ୍ରସାଦ ହେଉଛନ୍ତି ମହାଆନନ୍ଦ, ମହାଭାବ ଓ ମହା ପବିତ୍ରତାର ପ୍ରତୀକ। ବର୍ଣ୍ଣବୈଷମ୍ୟ ଓ ସାମ୍ପ୍ରଦାୟିକ ସଂକୀର୍ଣ୍ଣତାକୁ ଭୁଲି ସମସ୍ତେ ମିଳିତ ଭାବେ ଶ୍ରୀମହାପ୍ରସାଦ ସେବନ କରିବା କେବଳ ଶ୍ରୀକ୍ଷେତ୍ରରେ ହିଁ ସମ୍ଭବ। ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ଶ୍ରୀକ୍ଷେତ୍ରର ଆନନ୍ଦ ବଜାରରେ ଏକାକାର। ଏଠି ଥାଏ କେବଳ ଭକ୍ତିଭାବର ଅମୃତଧାରା। ପଞ୍ଚସଖାଙ୍କ ରଚିତ ଭାବ ସମୁଦ୍ର ଗ୍ରନ୍ଥଠାରୁ ଆରମ୍ଭ କରି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମଧ୍ୟ ଶ୍ରୀମହାପ୍ରସାଦର ମାହତ୍ମ୍ୟ ବର୍ଣ୍ଣନା କରିଛନ୍ତି।

ମହାପ୍ରସାଦର ବିକ୍ରିଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଏହାର ସୁଯୋଗ ନେଇ କେତେକ ସୁଆର ମହାସୁଆର ସେବକ ମନଇଚ୍ଛା ଦର ବୃଦ୍ଧିକରି ଚାଲିଛନ୍ତି। ମହାପ୍ରସାଦ ଦର ପ୍ରାୟ ୩ ଗୁଣ ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି। ଏଥିଯୋଗୁଁ ସହରବାସୀଙ୍କ ସମେତ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଉତ୍ତମ ପରିବେଶରେ ମହାପ୍ରସାଦ ପ୍ରସ୍ତୁତି, ରୋଷଶାଳାରେ ରହିଥିବା ଚୁଲିଗୁଡ଼ିକର ଉପଯୁକ୍ତ ପରିଚାଳନା ଏବଂ ମହାପ୍ରସାଦ ଦର ନିୟନ୍ତ୍ରଣ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି ମନ୍ଦିର ପ୍ରଶାସନ। ପରିଚାଳନା କମିଟି ବୈଠକରେ ବାରମ୍ବାର ନିଷ୍ପତ୍ତି ସତ୍ତ୍ୱେ ଦରତାଲିକା ଲଗାଯାଉ ନାହିଁ। ପ୍ରଶାସନର ଅବହେଳା ଯୋଗୁଁ କେତେକ ସୁଆର ସେବକ ମନଇଚ୍ଛା ମହାପ୍ରସାଦ ବିକ୍ରିଦର ବୃଦ୍ଧି କରୁଛନ୍ତି।

ମହାପ୍ରସାଦ ପ୍ରସ୍ତୁତ ଏବଂ ବିକ୍ରି ହେଉଥିବା ମାଟିକୁଡୁଆ ଆକାର ଦିନକୁ ଦିନ ଛୋଟ ହେଉଥିବା ବେଳେ ମହାପ୍ରସାଦର ଗୁଣାତ୍ମକ ମାନ ବୃଦ୍ଧି ପାଉନାହିଁ। କେତେକ ସୁଆର ମହାସୁଆର ସେବକ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି କରୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରସାଦ ଦର ନିର୍ଦ୍ଧାରଣ କରିବା ସହ ଆନନ୍ଦ ବଜାରରେ ମାତ୍ର ଗୋଟିଏ ଦିନ ପାଇଁ ଦରତାଲିକା ଲଗାଇଥିଲେ ହେଁ ସୁଆର ସେବକଙ୍କ ବିରୋଧ ଯୋଗୁଁ ରାତାରାତି ଦରତାଲିକା ହଟାଇ ଦେଇଥିଲେ। ସ୍ୱାସ୍ଥ୍ୟକର ପରିବେଶରେ ମହାପ୍ରସାଦ ପ୍ରସ୍ତୁତି ଏବଂ ବିକ୍ରି ସମେତ ଆନନ୍ଦବଜାର ଏବଂ ରୋଷଶାଳାର ଉପଯୁକ୍ତ ପରିଚାଳନା ପାଇଁ ଜଷ୍ଟିସ୍‌ ବି.ପି. ଦାସଙ୍କୁ ନେଇ ଗଠିତ କମିଶନ ସୁପାରିସ କରିଥିଲେ। କିନ୍ତୁ ସୁଆର ସେବକଙ୍କ ଉପରେ ମହାପ୍ରସାଦ ପ୍ରସ୍ତୁତି, ବିକ୍ରି ଏବଂ ଦର ନିର୍ଦ୍ଧାରଣ ଦାୟିତ୍ୱ ଲଦିଦେଇ ମନ୍ଦିର ପ୍ରଶାସନ ନିରବ ହୋଇ ବସିରହିଛନ୍ତି। ଅତ୍ୟଧିକ ଦରବୃଦ୍ଧି ଯୋଗୁଁ ବହୁ ଗରିବ ଭକ୍ତ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଛନ୍ତି। ଏ କ୍ଷେତ୍ରରେ ମନ୍ଦିର ପ୍ରଶାସନର ରହସ୍ୟଜନକ ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଭକ୍ତମାନେ ମହାପ୍ରସାଦ କିଣି ଶୋଷଣର ଶିକାର ହେଉଛନ୍ତି। କିଛି ଦଲାଲ ଏଭଳି ଶୋଷଣର ମାର୍ଗ ପ୍ରଶସ୍ତ କରି ଚାଲିଛନ୍ତି। ଆନନ୍ଦ ବଜାରରୁ ମହାପ୍ରସାଦ କିଣିଆଣି ଦୁଇଗୁଣା ଦରରେ ବାହାରେ ଭକ୍ତଙ୍କୁ ବିକ୍ରି କରୁଛନ୍ତି। ଦଲାଲଙ୍କ ସହ ଉତ୍ତର ଦ୍ୱାରରେ ଥିବା ଜେଟିପି ଓ ଅନ୍ୟମାନେ ବି ହାତ ମିଳାଇଛନ୍ତି। ଏହି ଦଲାଲମାନେ ଆନନ୍ଦ ବଜାରକୁ ଭକ୍ତ ଭଳି ଆସି ମହାପ୍ରସାଦ କିଣୁଛନ୍ତି। କିନ୍ତୁ ଭକ୍ତଙ୍କୁ ବିକ୍ରି ବେଳେ ଯେଉଁ ଦରରେ କିଣୁଛନ୍ତି, ତା’ ଠାରୁ ଅଧିକ ଦରରେ ବିକ୍ରି କରୁଛନ୍ତି। ଏହି ଲାଭଖୋରି ମନୋବୃତ୍ତି ମହାପ୍ରସାଦ ନାମରେ ନକଲି ଅନ୍ନ ଓ ବ୍ୟଞ୍ଜନ ପ୍ରସ୍ତୁତି ଓ ତାହାର ବେପାରକୁ ସମ୍ଭବତଃ ପ୍ରୋତ୍ସାହିତ କରିଛି।

ଶ୍ରୀମନ୍ଦିର ବାହାର ଭାଗରେ ସୌନ୍ଦର୍ଯ୍ୟକରଣ ଅପେକ୍ଷା ବ୍ୟବସ୍ଥିତ ଆଭ୍ୟନ୍ତରୀଣ ଶୃଙ୍ଖଳା ଅଧିକ ଗୁରୁତ୍ୱପୂର୍ଣ୍ଣ। ପ୍ରଶାସନ ମଧ୍ୟରେ ସମନ୍ୱୟର ଅଭାବ, ସମୟ ନିର୍ଘଣ୍ଟ ଅନୁଯାୟୀ ସେବାପୂଜା ସମ୍ପାଦନ ନହେବା, ଅଧିକ ମୂଲ୍ୟରେ ମହାପ୍ରସାଦ ବିକ୍ରି ଓ ଏବେ ଏବେ ନକଲି ଅବଢ଼ା ବିକ୍ରି ସମସ୍ତଙ୍କୁ ବ୍ୟଥିତ କରିଛି। ଆଗରୁ ଆଲୋଚନା କରିଛୁ ଯେ ଶ୍ରୀମହାପ୍ରସାଦ ସହ ଭକ୍ତଜନଙ୍କ କିଭଳି ଭାବାବେଗ ରହିଛି ଓ ଏହାକୁ କେତେ ମାତ୍ରାରେ ଆମେ ପବିତ୍ର ମନେକରୁ। ଅର୍ଥ ଲାଳସାରେ ଭକ୍ତମାନଙ୍କ ଭାବାବେଗ ସହ ଖେଳିବା କାହାପକ୍ଷେ ବି ଅନୁଚିତ - ସେ ସେବକ ହୁଅନ୍ତୁ ବା ପ୍ରଶାସନ ସହ ଜଡିତ କର୍ମଚାରୀ ଅଥବା ପେଟ ପାଟଣା ପାଇଁ ଶ୍ରୀମନ୍ଦିର ଉପରେ ନିର୍ଭରଶୀଳ ବ୍ୟବସାୟୀ।

ଶ୍ରୀଜୀଉମାନଙ୍କୁ ଦର୍ଶନ କରି ସାରିବା ପରେ ମହାପ୍ରସାଦ ପାଇବାକୁ ଅପେକ୍ଷା କରିଥିବା ବହିରାଗତ ଭକ୍ତମାନେ ଆଉଥରେ ଚକାଡୋଳାଙ୍କୁ ମନପୂରାଇ ଦେଖିନେବାକୁ ଭିତରକାଠ ଯାଏଁ ଯିବା କାରଣରୁ ଶ୍ରୀମନ୍ଦିର ଗମ୍ଭୀରା ଭିତରେ ଗହଳି ଓ ଠେଲାପେଲା ରହୁଛି। ଥରେ ବାହାରକୁ ଚାଲିଗଲେ, ପୁଣି ଥରେ ବେଢ଼ା ମଧ୍ୟକୁ ଆସିବା ପାଇଁ ଧାଡ଼ି ବାନ୍ଧିବା ଆଶଙ୍କାରେ ସେମାନେ ବାଇଶି ପାହାଚ, ମହାଲକ୍ଷ୍ମୀ ମନ୍ଦିର ଓ ଆନନ୍ଦ ବଜାରରେ ଦୀର୍ଘ ସମୟ ଅପେକ୍ଷା କରି ରହୁଛନ୍ତି। ଗହଳି କମୁ ନଥିବାର ଅନ୍ୟତମ ମୁଖ୍ୟ କାରଣ ଆନନ୍ଦ ବଜାରର ଅବସ୍ଥିତି। ସେଠାରେ କେବଳ ଶୁଖିଲା ଭୋଗ ବିକ୍ରି ବ୍ୟବସ୍ଥା କରି, ଅନ୍ନ ମହାପ୍ରସାଦ ବିକ୍ରି ଓ ଭୋଜନ ବ୍ୟବସ୍ଥା ବିକଳ୍ପ ଆନନ୍ଦ ବଜାରରେ କରିବାକୁ ହେବ। ଏବେ ଶ୍ରୀମନ୍ଦିରେରେ ବିଦ୍ୟମାନ ଭୋଗମଣ୍ଡପ ବା ଭଅଣ୍ଡ, ରୋଷଘର, ସ୍ନାନ ମଣ୍ଡପ ଓ ଆନନ୍ଦ ବଜାର ମୂଳ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ହେବାର ପରବର୍ତ୍ତୀ କାଳରେ ନିର୍ମିତ ହୋଇଛି ଓ ଆଜି ବି ପରିକ୍ରମା ମାର୍ଗ ନିର୍ମାଣ ଚାଲିଛି। ଦ୍ୱିତୀୟତଃ, ଆମ ଦେଶର ଜନସଂଖ୍ୟା ଏବେ ୧୪୧ କୋଟି ଥିଲାବେଳେ ୨୦୭୦ ମସିହା ବେଳକୁ ୧୭୦ କୋଟିରେ ପହଞ୍ଚିଥିବ ଓ ଭାରତ ଅନ୍ତତଃ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବାର କଳନା କରାଯାଉଛି। ସେତେବେଳକୁ ଶ୍ରୀଜଗନ୍ନାଥ ଦର୍ଶନାର୍ଥୀଙ୍କ ସଂଖ୍ୟା ଅହେତୁକ ବଢ଼ି ଯାଇଥିବାର ଅନୁମାନ କରାଯାଏ। ଏଣୁ, ବିକଳ୍ପ ଆନନ୍ଦ ବଜାର ନିର୍ମାଣ ପାଇଁ ସ୍ଥିତାବସ୍ଥା ଓ ରକ୍ଷଣଶୀଳତା ରକ୍ଷା ବଦଳରେ ଆମକୁ ଆଗୁଆ ପଦକ୍ଷେପ ନେବାକୁ ପଡ଼ିବ।

ଗଜପତି ମହାରାଜ 'ଅନ୍ନଯଜ୍ଞ କ୍ଷେତ୍ର ପରିକଳ୍ପନା' ପ୍ରସ୍ତୁତ କରିଛନ୍ତି; ଯାହାକି ପର୍ଯ୍ୟାପ୍ତ ଓ ଦୂରଦର୍ଶୀ ନୁହେଁ। ଆମର ପ୍ରସ୍ତାବ ରହିବ ଯେ, ଶ୍ରୀମନ୍ଦିରଠାରୁ ଅନ୍ତତଃ ଅଧ କିଲୋମିଟର ଦୂରରେ ଉଭୟ ଉତ୍ତର ଓ ଦକ୍ଷିଣ ଦିଗରେ ଦୁଇ ତିନୋଟି ବହୁତଳ ବିଶିଷ୍ଟ ବିଶାଳ ପ୍ରତୀକ୍ଷାଳୟ ସଂଯୁକ୍ତ ବିକଳ୍ପ ଆନନ୍ଦ ବଜାର ନିର୍ମାଣ ହେଲେ ମହାପ୍ରସାଦ ପାଇବାକୁ ଭକ୍ତମାନେ ଶ୍ରୀମନ୍ଦିରରେ ଗହଳି କରିବେନି। ସେଠାକୁ ଶ୍ରୀମନ୍ଦିର ପ୍ରଶାସନ ଅନ୍ନ ମହାପ୍ରସାଦ ନିଜ ଖର୍ଚ୍ଚରେ ପରିବହନ କରିବେ। ବରାଦି ମହାପ୍ରସାଦ ଶ୍ରୀକ୍ଷେତ୍ର ବାହାରକୁ ପଠାଯିବା ଉଦ୍ଦେଶ୍ୟରେ ଆଉ ଗୋଟିଏ ସ୍ଥାନ ନିରୂପଣ କରାଯିବା ମଧ୍ୟ ଆବଶ୍ୟକ ହେବ। ଅବଢ଼ାର ବିକ୍ରିଦର ୫୦ ପ୍ରତିଶତ କମାଇ, କ୍ଷତି ପରିମାଣକୁ ପ୍ରଶାସନ ଭରଣା କଲେ ନକଲି ଅବଢ଼ା ପ୍ରସ୍ତୁତକାରୀ ଅର୍ଥନୈତିକ କାରଣରୁ ନିରୁତ୍ସାହିତ ହେବେ। ତେବେ, ବିକଳ୍ପ ଆନନ୍ଦ ବଜାର ଅତ୍ୟନ୍ତ ବ୍ୟବସ୍ଥିତ, ଭକ୍ତିମୟ ଓ ଆରାମପ୍ରଦ ହେବା ଦରକାର। ଗାଡ଼ି ରହଣୀ ସ୍ଥଳ ନିକଟରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବାତାନୁକୂଳିତ ଆନନ୍ଦ ବଜାର ପ୍ରତିଷ୍ଠା ହେଲେ ସେହିଠାରେ ସମ୍ପନ୍ନ ଭକ୍ତମାନେ ମହାପ୍ରସାଦ ପାଇବାକୁ ଚାହିଁବେ। ଏକାସଙ୍ଗେ ଶୃଙ୍ଖଳିତ ଦର୍ଶନ ସହିତ ବ୍ୟବସ୍ଥିତ ମହାପ୍ରସାଦ ସେବନ ସମ୍ଭବ ହୋଇପାରିବ। ପ୍ରସ୍ତାବିତ ବିକଳ୍ପ ଆନନ୍ଦ ବଜାରମାନଙ୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ନିର୍ମାଲ୍ୟ, ଖଜା, ପଥର ମୂର୍ତ୍ତୀ, ନାଲିବାଡ଼ି, ଗାମୁଛା, ପଟ୍ଟଚିତ୍ର ବିକ୍ରି ସହ ପୁସ୍ତକ, ଭଜନ ସିଡ଼ି ଇତ୍ୟାଦି ବିକ୍ରି କରାଯାଇ ପାରିବ। ମାଗଣାରେ ମହାପ୍ରସାଦ ବଣ୍ଟନ ପରିକଳ୍ପନା ଭକ୍ତଙ୍କ ସ୍ୱାଭିମାନ ପ୍ରତି ଉପହାସ। ଯାହାର ଦେବତା ଜଗତର ନାଥ, ସେ ନିଜ ସଞ୍ଚିତ ଧନରେ ଶ୍ରୀମହାପ୍ରସାଦ ତୁଣ୍ଡରେ ଦେବାକୁ ନିଶ୍ଚୟ ସମର୍ଥ। ହିନ୍ଦୁମାନେ ଦାନ ଦେଇ ପୁଣ୍ୟଅର୍ଜନ କରିବାରେ ବିଶ୍ଵାସୀ। ଏଣୁ, ରିହାତିରାଶି ଶ୍ରୀମନ୍ଦିର ବହନ କଲେ, ଭକ୍ତମାନେ ହୁଣ୍ଡିରେ ଦାନ ଦେବେ, ସ୍ୱଳ୍ପମୂଲ୍ୟରେ ଶ୍ରୀ ମହାପ୍ରସାଦ ପାଇବେ ତଥା ଶ୍ରୀଜଗନ୍ନାଥଙ୍କ କରୁଣାସିକ୍ତ ଆହ୍ଲାଦ ପାଇବେ। ନକଲବାଜ ଦଲାଲି ରହିବନି।

ଜାନକୀଶ ବଡ଼ପଣ୍ଡା

ଫୋ – ୯୪୩୮୨୯୯୦୩୭

Related story