ଆମେରିକାକୁ ବିତାଡ଼ିତ କରି ବି ଭିଏତନାମ ଏବେ ବିକଶିତ!

ମାତ୍ର ଦଶ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଭିଏତନାମ ଦେଶର ଅଧିବାସୀମାନେ ଖୁବ୍ ପରିଶ୍ରମୀ। ଆମ ଭାରତରୁ ଦେଢ଼ ଘଣ୍ଟା ଆଗୁଆ ତାଙ୍କ ସମୟ ଚକ୍ର। ସେମାନଙ୍କ ଦିନଚର୍ଯ୍ୟା ଖୁବ୍ ସକାଳୁ ଆରମ୍ଭ ହୋଇଯାଏ। ଭାରତୀୟ ସମୟ ଅନୁସାରେ ଭୋର ତିନିଟା ଏବଂ ସେଠିକା ସମୟ ଅନୁଯାୟୀ ସାଢ଼େ ଚାରିଟାରୁ ସକାଳ ନିତ୍ୟକର୍ମ ସାରି ଛଅଟା ସୁଦ୍ଧା ଜଳଖିଆ ଖାଇ ବାହାରି ଯାଆନ୍ତି ନିଜ ନିଜ କର୍ମ ସ୍ଥଳକୁ। ଦିନ ୧୧ଟାରେ ମଧ୍ୟାହ୍ନ ଭୋଜନ ଓ ସନ୍ଧ୍ୟା ଛଅଟା ମଧ୍ୟରେ ରାତ୍ର ଭୋଜନ ତାଙ୍କ ନିରାମୟ ସ୍ୱାସ୍ଥ୍ୟର ଏକ ପ୍ରମୁଖ ରହସ୍ୟ।

Vietnam

  • Published: Saturday, 16 September 2023
  • , Updated: 16 September 2023, 03:24 PM IST

ଡ଼ଃ ରୀନା ରାଉତରାୟ, ସମାଜ ବିଜ୍ଞାନୀ

ଭିଏତନାମ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ତିନି ଦିନିଆ ଭାରତୀୟ ପ୍ରମୁଖ ଉଦ୍ୟୋଗୀ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିବାର ଏକ ସୁଯୋଗ ମିଳିଥିଲା। ମହିଳା ଆତ୍ମନିର୍ଭର ଅଭିଯାନ କାର୍ଯ୍ୟକ୍ରମର ଅଧ୍ୟକ୍ଷା ଭାବରେ ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କ ବିକାଶ ନିମନ୍ତେ କିଛି ଜ୍ଞାନ ଆହରଣ କରିବା ଓ ଯୋଗସୂତ୍ର ରକ୍ଷା କରିବାର ଆଗ୍ରହକୁ ଏଡ଼ାଇ ନ ପାରି ଭିଏତନାମ ସରକାରଙ୍କ ପକ୍ଷରୁ ଏହି ନିମନ୍ତ୍ରଣକୁ ସ୍ୱୀକାର କରି ଗତ ଜୁଲାଇ ମାସ ୨୫ ତାରିଖରେ କିଛି ମହିଳା ଉଦ୍ୟୋଗୀଙ୍କ ସହିତ ଭିଏତନାମ ଗସ୍ତ କରିଥିଲି। ଜୁଲାଇ ୨୮ରୁ ୩୦ ତାରିଖ ତିନି ଦିନ ବ୍ୟାପି ଏହି ସମ୍ମିଳନୀ ହୋ ଚି ମିନ ସିଟି ଓ ବିଭିନ୍ନ ପ୍ରଦେଶରେ ଅନୁଷ୍ଠିତ ହୋଇଥିଲା।

ମାତ୍ର ଦଶ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଭିଏତନାମ ଦେଶର ଅଧିବାସୀମାନେ ଖୁବ୍ ପରିଶ୍ରମୀ। ଆମ ଭାରତରୁ ଦେଢ଼ ଘଣ୍ଟା ଆଗୁଆ ତାଙ୍କ ସମୟ ଚକ୍ର। ସେମାନଙ୍କ ଦିନଚର୍ଯ୍ୟା ଖୁବ୍ ସକାଳୁ ଆରମ୍ଭ ହୋଇଯାଏ। ଭାରତୀୟ ସମୟ ଅନୁସାରେ ଭୋର ତିନିଟା ଏବଂ ସେଠିକା ସମୟ ଅନୁଯାୟୀ ସାଢ଼େ ଚାରିଟାରୁ ସକାଳ ନିତ୍ୟକର୍ମ ସାରି ଛଅଟା ସୁଦ୍ଧା ଜଳଖିଆ ଖାଇ ବାହାରି ଯାଆନ୍ତି ନିଜ ନିଜ କର୍ମ ସ୍ଥଳକୁ। ଦିନ ୧୧ଟାରେ ମଧ୍ୟାହ୍ନ ଭୋଜନ ଓ ସନ୍ଧ୍ୟା ଛଅଟା ମଧ୍ୟରେ ରାତ୍ର ଭୋଜନ ତାଙ୍କ ନିରାମୟ ସ୍ୱାସ୍ଥ୍ୟର ଏକ ପ୍ରମୁଖ ରହସ୍ୟ।

ଦେଶରେ ପୁରୁଷମାନଙ୍କ ସହିତ ଅଧିକାଂଶ ମହିଳା ମଧ୍ୟ କର୍ମଜୀବୀ ଓ ସ୍ୱାବଲମ୍ବୀ। ଦେଶର ଶ୍ରମଶକ୍ତିରେ ଉଭୟଙ୍କ ଯୋଗଦାନ ତାଙ୍କ ଯୁଦ୍ଧ ପରବର୍ତ୍ତୀ ଅର୍ଥନୈତିକ ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ସହରାଞ୍ଚଳର ପ୍ରାୟତଃ ଅଶୀ ଭାଗ ଲୋକ ଦୁଇ ଚକିଆ ଯାନ ବ୍ୟବହାର କରନ୍ତି। ସମଗ୍ର ଦେଶରେ ବ୍ୟାଟେରୀ ଚାଳିତ ଯାନ ପାଇଁ ବାୟୁ ପ୍ରଦୂଷଣ ନାହିଁ କହିଲେ ଚଳେ। ଚାରି ଲେନର ରାସ୍ତାର ଦୁଇ ପଟେ ଆଉ ଦୁଇଟି ଅତିରିକ୍ତ ଲେନରେ କେବଳ ହଜାର ହଜାର ଦୁଇ ଚକିଆ ଯାନ ସମାନ୍ତରାଳ ଭାବରେ ଯାଉଥିବାର ଦୃଶ୍ୟ ସେମାନଙ୍କ ଶୃଙ୍ଖଳା ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରେ। ଖୁବ୍ କମ୍ କଥା କହୁଥିବା ଏବଂ ନିଜ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ସଚେତନ ଥିବା ଏହି ଭିଏତନାମ ନାଗରିକମାନେ ଅତ୍ୟନ୍ତ ସ୍ଵାଭିମାନୀ ଓ ଆମେରିକା ପରି ରାଷ୍ଟ୍ରକୁ ନିଜ ଶୃଙ୍ଖଳିତ ଏକତା ଓ ଏକାଗ୍ରତା ବଳରେ ହରାଇଥିବାର ସ୍ୱାଭିମାନରେ ସବୁବେଳେ ମୁଣ୍ଡ ଉପରକୁ ଟେକି ବଞ୍ଚିବାରେ ବିଶ୍ୱାସ କରନ୍ତି।

ଜାପାନ ଦେଶ ପରି ଭିଏତନାମ୍ ଦେଶରେ ମଧ୍ୟ ଖଣି ଖାଦାନ ଓ ଅନ୍ୟ ପ୍ରାକୃତିକ କଞ୍ଚା ମାଲର ଘୋର ଅଭାବ ସତ୍ତ୍ୱେ ଏହି ଦେଶ ଶିଳ୍ପ କ୍ଷେତ୍ରରେ ଖୁବ୍ ଆଗୁଆ ଅଟେ। ଏହାର ମୁଖ୍ୟ କାରଣ ହେଉଛି ଏହି ଅଧିବାସୀମାନଙ୍କ ଶୃଙ୍ଖଳା, ସଚ୍ଚୋଟତା, ଅମାୟିକ ବ୍ୟବହାର ଏବଂ ପରିଶ୍ରମ।

ଆମଦାନୀ ଓ ରପ୍ତାନୀ ମାଧ୍ୟମରେ ଦେଶର ଅର୍ଥନୀତି ଖୁବ ସୁଦୃଢ଼। ଗତ ୨୦୨୨ ବର୍ଷରେ ଏହି ଦେଶ ୩୭୫ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରି ପାରିଛି।

ମାତ୍ର ୩୩୧,୬୯୦ ବର୍ଗ କିମି ଆୟତନର ଏହି ଛୋଟିଆ ଦେଶ (ଆମ ଦେଶର ରାଜସ୍ଥାନ ରାଜ୍ୟ ପରି)ରେ ୩୪ଟି ବିମାନ ବନ୍ଦର ରହିବା ନିଶ୍ଚିତ ଭାବରେ ଏକ ବିକଶିତ ରାଷ୍ଟ୍ରର ସଂକେତ।

ଆମ ଦେଶ ଭାରତ ସହିତ ଏହାର ଦ୍ୱିପାକ୍ଷିକ ବାଣିଜ୍ୟ ବୁଝାମଣାରେ ଆମ ଦେଶର ରପ୍ତାନୀ ଅପେକ୍ଷା ଭିଏତନାମଠାରୁ ଆମଦାନୀ ସାମଗ୍ରୀ ବହୁ ଅଧିକା ଅଟେ। ଗତ ବର୍ଷରେ ଏହାର ଭାରତ ସହିତ ବାର୍ଷିକ ୧୫ ବିଲିୟନ ଡଲାର୍ ବାଣିଜ୍ୟ କାରବାର ହୋଇଥିଲା ବେଳେ ଚୀନ ସହିତ ଏହା ୧୫୦ ବିଲିୟନ ଡଲାର୍ ଅଟେ।

ଗତ କୋଭିଡ ସମୟରେ ଚୀନରୁ ପୁଞ୍ଜି ପ୍ରତ୍ୟାହାର କରି ଫେରି ଆସିଥିବା ବଡ଼ ବଡ଼ ଅନ୍ତର୍ଜତୀୟ ଶିଳ୍ପକୁ ନିଜ ଦେଶରେ ପୁଞ୍ଜି ନିବେଶ କରି ଶିଳ୍ପ ପ୍ରତିଷ୍ଠା କରାଇବା ଦିଗରେ ଭିଏତନାମ ଅନ୍ୟ ରାଷ୍ଟ୍ର ଅପେକ୍ଷା ବିଶେଷ ସଫଳତା ହାସଲ କରି ପାରିଛି।

ହାଇ ଏଣ୍ଡ ଟେକ୍ନୋଲୋଜି ବା ଅତି ଉନ୍ନତ ଜ୍ଞାନକୌଶଳରେ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ପ୍ରତିଯୋଗିତା ନ କରି ଲୋ ଆଣ୍ଡ ମିଡିଲ ଏଣ୍ଡ ଟେକ୍ନୋଲୋଜିକୁ ଗୁରୁତ୍ଵ ଦେଇ ଛୋଟ ଛୋଟ ଶିଳ୍ପକୁ ପ୍ରୋତ୍ସାହନ ଦେବା ହିଁ ତାଙ୍କ ସଫଳ ଶିଳ୍ପ ନୀତିର ଏକ ମୁଖ୍ୟ କାରଣ ଅଟେ।

ସାଇଗନ୍ ନଦୀ ପରିବେଷ୍ଟିତ, ପ୍ରଦୂଷଣ ମୁକ୍ତ ସ୍ୱଚ୍ଛ ଆକାଶ, ପରିଷ୍କାର ପରିଚ୍ଛନ୍ନ ସହର ହୋ ଚି ମିନ ସହିତ ଖୁବ୍ ଛୋଟ ଛୋଟ ପର୍ଯ୍ୟଟନ ସ୍ଥଳୀର ବିକାଶ, ରକ୍ଷଣାବେକ୍ଷଣ ଓ ଅମାୟିକ ଆତିଥେୟତା ଦ୍ୱାରା ବାର୍ଷିକ ଦୁଇ କୋଟିରୁ ଉର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ରାଜସ୍ୱ ବୃଦ୍ଧି ଦ୍ଵାରା ଦେଶର ଅର୍ଥନୀତିକୁ ସୁଦୃଢ଼ କରୁଥିବା ଏହି ସ୍ଵାଭିମାନୀ ଦେଶ ଅନେକ କିଛି ଶିକ୍ଷା ଦେଇଥାଏ।

ଚାଉଳ ତିଆରି ନୁଡୁଲ୍ସ ଓ କେକ୍ ଏମାନଙ୍କର ମୁଖ୍ୟ ଖାଦ୍ୟ ଓ ଧାନ ଚାଷ ଏହି ଦେଶର ପ୍ରଧାନ କୃଷି ଅଟେ। ଏତଦବ୍ୟତୀତ ମତ୍ସ୍ୟ ଚାଷ, ଅନ୍ୟାନ୍ୟ ସାମୁଦ୍ରିକ ସାମଗ୍ରୀ, ଔଷଧ, ବୟନ ଶିଳ୍ପ, ଗୋ ଖାଦ୍ୟ, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ରାସାୟନିକ ଦ୍ରବ୍ୟ, ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ପାଇଁ ଅନ୍ୟ ରାଷ୍ଟ୍ରକୁ ନିମନ୍ତ୍ରଣ କରି ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ନିବେଶ କରିବାର ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରି ଏହା ଆଜି ସିଙ୍ଗାପୁର ଓ ଜାପାନ ପରି ବିକାଶଶୀଳ ରାଷ୍ଟ୍ର ସହିତ ସମକକ୍ଷ ହୋଇ ପାରିଛି।

ଭିଏତନାମର ରାଜଧାନୀ ହାନୋଇଠାରେ ପ୍ରାୟତଃ ଅଧିକାଂଶ ମୁଖ୍ୟ ପ୍ରଶାସନିକ କାର୍ଯ୍ୟାଳୟ ଅବସ୍ଥିତ। ହୋ ଚି ମିନ ସହର ଆମର ମୁମ୍ବାଇ ପରି, ଏହାର ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଭାବରେ ପରିଚିତ। ଆମର କାର୍ଯ୍ୟକ୍ରମ ହୋ ଚି ମିନ ସହରରେ ଆୟୋଜନ ହୋଇଥିବାରୁ ମୋତେ ହାନୋଇ ଯିବା ପାଇଁ ଆଉ ସମୟ ମିଳି ନ ଥିଲା।

ହୋ ଚି ମିନ ସହର ବିମାନ ବନ୍ଦରରେ ଅବତରଣ କରି ରାତି ଦୁଇଟାରେ ଆମର ବାସସ୍ଥଳକୁ ଯିବା ସମୟରେ ଅନେକ ମହିଳାଙ୍କୁ ସ୍କୁଟି ଓ ସାଇକେଲରେ ନିର୍ବିଘ୍ନରେ ଯିବା ଆସିବା କରିବା ଦେଖି ଦେଶଟି ମହିଳାଙ୍କ ପାଇଁ ନିରାପଦ ହୋଇଥିବା ସହିତ ମହିଳାମାନେ ମଧ୍ୟ ନିର୍ଭୀକ ଓ ପରିଶ୍ରମୀ ବୋଲି ଅନୁଭବ କରିଥିଲି।

ଏହି ଭାରତ-ଭିଏତ୍ ନାମ ବାଣିଜ୍ୟିକ ସମ୍ମିଳନୀର ଦ୍ଵିତୀୟ ଦିନରେ ଡଙ୍ଗ ଥାପ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ଫା ଥିଏଁ ନିଆଙ୍କ ସହିତ ଏକ ଆଲୋଚନା ସମୟରେ ଆମ ରାଜ୍ୟର ପଶ୍ଚିମାଞ୍ଚଳରେ ପ୍ରଚୁର ପଣସ ହେଉଥିବା ପ୍ରସଙ୍ଗ ତାଙ୍କ ଦୃଷ୍ଟିକୁ ଆଣି ଉପଯୁକ୍ତ ପ୍ରଶିକ୍ଷଣ ପ୍ରଣାଳୀ ଦ୍ଵାରା ଏହାର ମାନ ବୃଦ୍ଧି କରି ଏହାକୁ କିପରି ରପ୍ତାନୀ ଯୋଗ୍ୟ କରାଯାଇ ପାରିବ ଏହି ବିଷୟରେ ସବିଶେଷ ଆଲୋଚନା କରିଥିଲି।

ସେହି ଦେଶର ରାଜ୍ୟକୁ ପ୍ରୋଭିନ୍ସ ଓ ରାଜ୍ୟ ମୁଖ୍ୟଙ୍କୁ ଚେୟାରମ୍ୟାନ କୁହନ୍ତି। ଦେଶର ଆୟତନ କମ୍ ହୋଇଥିବାରୁ ତାଙ୍କର ଗୋଟିଏ ରାଜ୍ୟ ଆମ ରାଜ୍ୟର ପ୍ରାୟ ଗୋଟିଏ ଜିଲ୍ଲା ସହିତ ସମାନ ଅଟେ।

ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଭାରତୀୟ ଯୋଗ ଗୁରୁମାନଙ୍କ ଦ୍ୱାରା ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଏହାର ପ୍ରଚାର ପ୍ରସାର କରିବାରେ ସେଠାରେ ଅବସ୍ଥିତ ଭାରତୀୟ କନ୍ସଲ୍ ଜେନେରାଲ କାର୍ଯ୍ୟାଳୟ ବେଶ୍ ସକ୍ରିୟ ଭୂମିକା ଗ୍ରହଣ କରିଛି। ଏହି ଅବସରରେ ଆମେ ମଧ୍ୟ ଡଙ୍ଗ ଥାପ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଯୋଗ ଶିବିରରେ ଅଂଶ ଗ୍ରହଣ କରିବାର ସୁଯୋଗ ମିଳିଥିଲା। ବିଦେଶରେ ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ ଶ୍ଲୋକର ଝଙ୍କାର ମନରେ ପବିତ୍ରତା ସହିତ ଦେଶ ପ୍ରେମର ଶିହିରଣ ଆଣୁଥିଲା।

ବଡ଼ ଗୌରବର ବିଷୟ ଯେ ଆମ ଓଡ଼ିଶାର ଜଣେ ସୁଯୋଗ୍ୟ ସନ୍ତାନ ଡ଼ଃ ମଦନ ସେଠୀ ଭିଏତନାମରେ ଭାରତ ସରକାରଙ୍କ କନ୍ସଲ୍ ଜେନେରାଲ ଭାବରେ ଅବସ୍ଥାପିତ ଅଛନ୍ତି। ହୋ ଚି ମିନ୍ ସହରର ଜଣେ ସର୍ବାଦୃତ କୁଟନୀତିଜ୍ଞ ଓ ତାଙ୍କର ପ୍ରଚେଷ୍ଟାରେ ଭିଏତନାମରେ ଅନେକ ଗୁଡ଼ିଏ ଭାରତ କେନ୍ଦ୍ରିକ ସଫଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପାରିଛି। ଜଣେ ଓଡ଼ିଆ ଭାବରେ ତାଙ୍କର ଆନ୍ତରିକ ଇଚ୍ଛା ଯେ ଭାରତରୁ ଆସୁଥିବା ସବୁ ପ୍ରତିନିଧି ଦଳରେ ଓଡ଼ିଶାର ଉଦ୍ୟୋଗୀମାନଙ୍କ ପ୍ରମୁଖ ଅଂଶଗ୍ରହଣ ରହୁ। ତେଣୁ ଆମର ପ୍ରତିନିଧିତ୍ୱରେ ସେ ଖୁବ୍ ଖୁସି ଓ ଆଗ୍ରହ ସହକାରେ ସମସ୍ତ ସାହାଯ୍ୟ ଓ ସହଯୋଗ କରିଥିଲେ।

କିଛି ଦିନ ପରେ ଦ୍ୱିତୀୟ ଥର ଭିଏତନାମ ଗସ୍ତ ପୁଣି ଥରେ ଏହାର ଐତିହ୍ୟ କଳା ଓ ସଂସ୍କୃତିକୁ ନିକଟରୁ ବୁଝିପାରିବାର ଏକ ସୁଯୋଗ ଆଣିଲା। କନସଲ ଜେନେରାଲଙ୍କ ଦ୍ୱାରା ଆୟୋଜିତ ‘ନମସ୍ତେ ଭିଏତନାମ’ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଦେଶର ରୁଚିପୂର୍ଣ୍ଣ କଳା ସଂସ୍କୃତି ଓ ବେଶ ପୋଷାକ ବିଷୟରେ ଜ୍ଞାନ ଆହରଣ କରିବା ସହିତ ବହୁ ଗୁଣୀ ବ୍ୟକ୍ତିତ୍ୱ, କଳାକାର, ପ୍ରଶାସକ ଓ ସାମ୍ବାଦିକ ବନ୍ଧୁମାନଙ୍କ ସହିତ ମିଶିବାର ସୁଯୋଗ ମିଳିଥିଲା।

ସମସ୍ତଙ୍କ ଭିତରେ ସେହି ସମାନ ଦେଶପ୍ରେମ, ନିଷ୍ଠା ଓ ସ୍ୱାଭିମାନର ଛିଟା ବାରି ହୋଇପଡୁଥିଲା। ୧୯୫୪ -୭୫ ମସିହା ବିଶ୍ଵ ବିଖ୍ୟାତ ଭିଏତନାମ ଓ ଆମେରିକା ଯୁଦ୍ଧ ସମୟର ଭୟଙ୍କର ସ୍ମୃତିର ନିଦର୍ଶନ ଆଜି ମଧ୍ୟ ସଂରକ୍ଷିତ ହୋଇ ରହିଛି ହୋ ଚି ମିନ ସହରର ଯୁଦ୍ଧ ସଂଗ୍ରାହଳୟରେ।

ମୋର ଭିଏତନାମ ଗସ୍ତ ସମୟରେ ସେହି ସଂଗ୍ରାହଳୟ ଓ ସହରଠାରୁ ୭୦ କିମି ଦୂରରେ ଅବସ୍ଥିତ କୁଚି ଟନେଲ ପରିଦର୍ଶନ କରିଥିଲି। ଯୁଦ୍ଧ ବିପର୍ଯ୍ୟୟ ସମୟରେ ଘୋର ଜଙ୍ଗଲ ଭିତରେ ଅତ୍ୟନ୍ତ ସଂକୀର୍ଣ୍ଣ ସୁଡ଼ଙ୍ଗ ମଧ୍ୟରେ ରହି ବର୍ଷ ବର୍ଷ ଧରି କନ୍ଦମୂଳ ପରି ଜଙ୍ଗଲଜାତ ଦ୍ରବ୍ୟ ଖାଇ ସେମାନେ ମହାଶକ୍ତି ଆମେରିକା ବିରୁଦ୍ଧରେ ଯେପରି ସଂଗ୍ରାମ କରି ତାଙ୍କ ଦେଶକୁ ମୁକ୍ତ କରିଥିଲେ ତାହା ବିଶ୍ଵ ଇତିହାସକୁ ଏକ ନିର୍ଣ୍ଣାୟକ ମୋଡ଼ ଦେଇଥିଲା।

ଭୁଙ୍ଗ ଟାଉ ସମୁଦ୍ର କୂଳ ଓ ଥିନ ଭିନ ଚୋନ ଖୋଙ୍ଗ ପାଗୋଡ଼ା ଇତ୍ୟାଦି ଐତିହ୍ୟ ଓ ପର୍ଯ୍ୟଟନସ୍ଥଳି ଭ୍ରମଣ କରିଥିଲି। ଛୋଟ ଛୋଟ ପ୍ରାକୃତିକ ପରିବେଶକୁ ଖୁବ୍ ସୁନ୍ଦର ଭାବରେ ବିକାଶ କରି ସେମାନେ ରାଜସ୍ୱ ଆୟର ଏକ ଅନନ୍ୟ ସୁଯୋଗ ସୃଷ୍ଟି କରି ପାରିଛନ୍ତି।

ଅନୁପମ ଖେରଙ୍କ ଉପସ୍ଥିତିରେ ତାଙ୍କ ଅଭିନୀତ ‘ଦ ସିଗ୍ନେଚର୍’ର ବିଶ୍ଵ ପ୍ରିମିୟରରେ ଆମ ଭାରତୀୟ ବନ୍ଧୁମାନଙ୍କ ସହିତ ଭିଏତନାମର କଳାପ୍ରିୟ ଦର୍ଶକରେ ପରିପୂର୍ଣ୍ଣ ପ୍ରେକ୍ଷାଳୟଟି ଉଭୟ ଦେଶର ସୁସମ୍ପର୍କ ଓ ସର୍ବୋପରି ପରସ୍ପରର କଳା ସଂସ୍କୃତି ପ୍ରତି ରୁଚିକୁ ସମ୍ମାନ ଦେଉଥିଲା। ପ୍ରେକ୍ଷାଳୟରେ ଉପସ୍ଥିତ ଜଣେ ୯୭ ବର୍ଷୀୟା ଭିଏତନାମୀ ମହିଳା ଭାରତୀୟ ସିନେମା, ଭାରତୀୟ ପାରିବାରିକ ବନ୍ଧନ ଓ ନିବିଡ଼ତାର ସନ୍ଦର୍ଶନରେ ଭାବ ବିହ୍ୱଳ ହୋଇ ଏହାର ଉଚ୍ଚ ପ୍ରଶଂସା କରିଥିଲେ।

ସର୍ବୋପରି ଭିଏତନାମ ପରି ଛୋଟିଆ ଦେଶଟିଏ ବିଗତ ମାତ୍ର ପନ୍ଦର କୋଡ଼ିଏ ବର୍ଷ ମଧ୍ୟରେ ଯେପରି ପ୍ରଭୂତ ଅର୍ଥନୈତିକ ପ୍ରଗତି ଓ ଅନ୍ତର୍ଜାତୀୟ ସ୍ୱୀକୃତି ଲାଭ କରିଛି ତାହା ଉଚ୍ଚ ପ୍ରଶଂସନୀୟ ଓ ଅନୁକରଣୀୟ।

rinaroutray@gmail.com

Related story