/odisha-reporter/media/post_attachments/uploadimage/library/16_9/16_9_0/IMAGE_1755762042.jpg)
Beneficiaries
ଦେବ ରଞ୍ଜନ
ସାଧାରଣ ଲୋକଙ୍କ ମାନବିକ ଅଧିକାର କ୍ଷେତ୍ରରେ ନବେ ଦଶକ ଏକ ବିରାଟ ଘାଇ ସୃଷ୍ଟି କରିଦେଲା। ଆଜି ବି ଆମେ ସେହି ଘାଇରେ ପଡ଼ି ଘୂରି ହେଉଛୁ। ବାହାରିବାର ରାସ୍ତା ବାହାର କରିପାରିନାହୁଁ।
ଏହି ଦଶକରେ କଂଗ୍ରେସ ନେତୃତ୍ଵାଧୀନ ନରସିଂହ ରାଓ ସରକାର ଦେଶରେ ଜଗତୀକରଣ ଓ ନିଜସ୍ୱୀକରଣ ନାମରେ ନୂତନ ଆର୍ଥିକ ସଂସ୍କାର ଲାଗୁ କରିଥିଲେ। କ୍ରମଶଃ ଦେଶର ଅର୍ଥନୀତି ସଂପୂର୍ଣ୍ଣ ଭାବରେ ବୃହତ କମ୍ପାନୀମାନଙ୍କ ନିୟନ୍ତ୍ରଣକୁ ଚାଲିଗଲା।
ମାନବିକ ଅଧିକାର ଆନ୍ଦୋଳନ ହେତୁ ନବେ ଦଶକ ପର୍ଯ୍ୟନ୍ତ ଅନେକ ଉପକାରୀ ଆଇନ ଦେଶରେ ଲାଗୁ ହୋଇପାରିଥିଲା। ସେ ମଧ୍ୟରେ ଜମିଦାରୀ ପ୍ରଥା ଉଚ୍ଛେଦ, ଆଦିବାସୀଙ୍କ ଅଧିକାରର ସୁରକ୍ଷା, ଅନୁସୂଚୀତ ଜାତି ଓ ଉପଜାତି ଅତ୍ୟାଚାର ନିରୋଧ ଆଇନ ଇତ୍ୟାଦି। କଂଗ୍ରେସ ଅମଳର ଅନେକ ଅତ୍ୟାଚାରୀ ଆଇନକୁ ପ୍ରତ୍ୟାହାର ମଧ୍ୟ ଏହି ସମୟରେ କରାଯାଇଥିଲା ଯଥା ‘ମିସା’, ‘ପୋଟା’ ଓ ‘ଟାଡା’ ଇତ୍ୟାଦି।
ଦୀର୍ଘ ୬୦ ବର୍ଷର ଦାବି ପରେ ଯଦିଓ ତଥ୍ୟ ଜାଣିବାର ଅଧିକାର (୨୦୦୬), ଜଙ୍ଗଲ ଅଧିକାର (୨୦୦୬), ସମସ୍ତଙ୍କୁ ଶିକ୍ଷା ଅଧିକାର (୨୦୦୯), କ୍ଷତିପୂରଣ ଓ ଥଇଥାନ ନୀତି (୨୦୧୩) ଆମେ ପାଇଲୁ କିନ୍ତୁ ଏହାକୁ ପୁଣି ଦୁର୍ବଳ କରିଦିଆଯାଉଛି। ନବେ ଦଶକରୁ ଆରମ୍ଭ ହୋଇଥିବା ମାନବିକ ଅଧିକାର କ୍ଷେତ୍ରରେ ଏହି ଅବକ୍ଷୟ ଆଜି ବି ଚାଲୁରହିଛି। ଏହାର କାରଣ କ’ଣ ହୋଇପାରେ?
କମ୍ପାନୀ ରାଜତ୍ଵର ଆରମ୍ଭ
ଏକ ଗଣତାନ୍ତ୍ରିକ ସରକାରର ଦାୟିତ୍ଵ ଥିଲା ସମସ୍ତ ନାଗରିକଙ୍କୁ ଉପଯୁକ୍ତ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା, ସ୍ୱଚ୍ଛ ପାନୀୟ ଜଳ, ଉପଯୁକ୍ତ କାର୍ଯ୍ୟ ପରିବେଶ ଦିଗରେ ଧ୍ୟାନ ଦେବା। ବାସ୍ତବିକ ଏ କ୍ଷେତ୍ରରେ ହେଲା କ’ଣ? ଆଜି ଆମେ ଯାହା ସରକାରଙ୍କ ନିକଟରେ ଦାବି କରୁଛୁ ତାହାର ମାଲିକାନା କୌଣସି ନା କୌଣସି କମ୍ପାନୀଙ୍କ ହାତରେ ରହିଛି।
ନବେ ଦଶକରେ ଆଶା କରାଯାଉଥିଲା ଯେ କଂଗ୍ରେସର ଜଗତୀକରଣ ଯୋଜନାକୁ ଆଞ୍ଚଳିକ ରାଜନୈତିକ ଦଳମାନେ ଅନ୍ତତଃ ବିରୋଧ କରିବେ। କୃଷକ ଓ ଶ୍ରମିକମାନଙ୍କ ଆନ୍ଦୋଳନ ମଧ୍ୟ କଂଗ୍ରେସର ଅର୍ଥନୀତି ବିରୁଦ୍ଧରେ ଠିଆ ହୋଇଥିଲା ବେଶ ସକ୍ରିୟ ଥିଲା। ସମାଜବାଦୀ ଓ କମ୍ୟୁନିଷ୍ଟ ପାର୍ଟିମାନେ ମଧ୍ୟ ଏହାକୁ ସମର୍ଥନ ଦେଉଥିଲେ। ହେଲେ ଅନ୍ୟ ଆଞ୍ଚଳିକ ରାଜନୈତିକ ଦଳମାନେ କଂଗ୍ରେସର ଜଗତୀକରଣ ଅର୍ଥନୀତିକୁ ବିରୋଧ କଲେ ନାହିଁ।
ଆନ୍ଧ୍ର ପ୍ରଦେଶର ଏନଟି ରାମାରାଓ ନେତୃତ୍ଵାଧୀନ ତେଲେଗୁ ଦେଶମ ପାର୍ଟି, ଓଡ଼ିଶାରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ଜନତା ଦଳ, ତାମିଲନାଡୁରେ ଜୟଲଳିତାଙ୍କ ନେତୃତ୍ଵାଧୀନ ଏଆଇଏଡିଏମକେ ଦଳ ତୁରନ୍ତ ଜଗତୀକରଣ ଅର୍ଥନୀତିକୁ ରାଜ୍ୟ ଅର୍ଥନୀତିରେ ଲାଗୁ କରିବା ଆରମ୍ଭ କରିଦେଲେ। ସେମାନେ ବିଭିନ୍ନ କ୍ଷେତ୍ରର ପ୍ରାଇଭେଟଜାଇସେନ କରିବା ସହିତ ବିଭିନ୍ନ କମ୍ପାନୀଙ୍କ ସହିତ ଚୁକ୍ତି କରିବା ଆରମ୍ଭ କରିଥିଲେ। ଲୋକଙ୍କ ସହିତ ଧୋକ୍କାବାଜୀ ଏହିଠାରୁ ଆରମ୍ଭ ହୋଇଥିଲା।
ଭାରତୀୟ ଜନତା ପାର୍ଟି ଓ ଅନ୍ୟ ଛୋଟବଡ଼ ରାଜନୈତିକ ଦଳମାନେ ନିଶ୍ଚିତ ଥିଲେ ଯେ କଂଗ୍ରେସର ଆର୍ଥିକ ସଂସ୍କାର ଦ୍ଵାରା ଦେଶବାସୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ ନାହିଁ। ଏହା ଦ୍ଵାରା ଯେ ଲୋକଙ୍କ ମଧ୍ୟରେ ଦାରିଦ୍ର୍ୟ ବଢ଼ିବ ସେ କଥା ସେମାନେ ଜାଣିଥିଲେ। ତେଣୁ ଅର୍ଥନୀତି ପ୍ରସଙ୍ଗକୁ ଭାରତୀୟ ଜନତା ପାର୍ଟି ଭୁଲିଯାଇ ବାବରୀ ମସଜିଦ- ରାମଜନ୍ମ ଭୂମି ପ୍ରସଙ୍ଗ ନବେ ଦଶକରେ ଆରମ୍ଭ କଲେ। ଆଡଭାନୀଙ୍କ ରଥଯାତ୍ରା (୧୯୯୨) ଏହାର ପ୍ରକୃଷ୍ଟ ଉଦାହରଣ। କ୍ଷମତାକୁ ଆସିବା ଲାଗି ସେମାନେ ସାମ୍ପ୍ରଦାୟିକତାକୁ ଏହି ଦଶକରେ ଅସ୍ତ୍ର କରିବା ଆରମ୍ଭ କରିଥିଲେ। ବିଭିନ୍ନ ଆଞ୍ଚଳିକ ଦଳ ଗୋଟିଏ ପଟରେ ଆଞ୍ଚଳିକବାଦର ସ୍ଲୋଗାନ ଦେଲେ। ଅନ୍ୟପଟରେ ଲୋକଙ୍କୁ ପ୍ରଥମେ ସେମାନେ ହିତାଧିକାରୀରେ ରୂପାନ୍ତର କରିଥିଲେ।
ଅଧିକାର ବଦଳରେ ହିତାଧିକାରୀ
ଆନ୍ଧ୍ର ପ୍ରଦେଶର ତେଲେଗୁ ଦେଶମ ପାର୍ଟି ଲୋକଙ୍କ ଅଧିକାର ଛଡ଼ାଇ ନେଇ ହିତାଧିକାରୀରେ ରୂପାନ୍ତରିତ କରିବାରେ ସବୁଠାରୁ ଆଗୁଆ ଥିଲା। ଏନଟି ରାମାରାଓ ଦେଶରେ ପ୍ରଥମ ମୁଖ୍ୟମନ୍ତ୍ରୀ ଯେ ଏକ ଟଙ୍କିଆ ଚାଉଳ ଗରିବୀ ସୀମାରେଖା ତଳେ ଥିବା ପରିବାର ପାଇଁ ଘୋଷଣା କରିଥିଲେ। ତାଙ୍କ ସହିତ ଜୟଲଳିତା ବାଳିକା ସୁରକ୍ଷା ଯୋଜନା ନାମରେ ପରିବାରକୁ ୨୦୦୦ ଟଙ୍କା ଦେବାର ଘୋଷଣା କରିଥିଲେ। ୨୦୦୦ ମସିହା ପରଠାରୁ ଏହି ଘୋଷଣାର ସଂଖ୍ୟା ଅଧିକ ହେଲା। ନିର୍ବାଚନରେ ଆଞ୍ଚଳିକ ଦଳମାନେ ଏହାର ସୁଫଳ ପାଇବା କାରଣରୁ ୨୦୦୪ ପରେ ଏହାର ସଂଖ୍ୟା ଆହୁରି ଅଧିକ ହୋଇଗଲା।
ମାନବିକ ଅଧିକାର କହିଲେ ଆଇନଗତ ଅଧିକାରକୁ ବୁଝାଉଛି। କୌଣସି ବ୍ୟକ୍ତି ଉତ୍ତମ ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇବା ତାହାର ଅଧିକାର। ସେ ଏହାକୁ ନେଇ ପ୍ରତିବାଦ କରିପାରିବ ଓ ସରକାର ଏଥିଲାଗି ଉତ୍ତରଦାୟୀ ରହିବେ। ଏହା ସମ୍ବିଧାନରେ ରହିଛି। କିନ୍ତୁ ହିତାଧିକାରୀ ପାଇଁ ନିଶ୍ଚିତ ହୋଇଥିବା ଯୋଜନାକୁ ସେ ନିଜର ବୋଲି ଦାବି କରିପାରୁ ନାହିଁ। ସେ କେବଳ ସରକାରଙ୍କ ତାଲିକାରେ କେବେ ତାହାର ନାମ ଉଲ୍ଲେଖ ରହିବ ତାହାକୁ ଅପେକ୍ଷା କରିରହୁଛି। ଲୋକେ ଯାହା ଦାବି କଲେ ସରକାର ‘ଶୀଘ୍ର ଦେଉଛୁ’, ‘ନିଶ୍ଚିତ ଦେଉଛୁ’ କହି ସମୟ ଗଡ଼ାଇ ଚାଲିଲେ। ହିତାଧିକାରୀ ଚୟନ ସବୁ ଲୋକଙ୍କୁ ମିଳୁଥିବା ସୁବିଧାକୁ ଛଡ଼ାଇ ନେଲା। ଦୁଃଖର କଥା ଯେ ମୌଳିକ ଅଧିକାର ପୂରଣ କ୍ଷେତ୍ରରେ ହିତାଧିକାରୀ ଚୟନ ପ୍ରକ୍ରିୟା ବିରାଟ ପ୍ରତିବନ୍ଧକ ସୃଷ୍ଟି କରିଦେଲା।
ଶିକ୍ଷା ଏକ ବଳିଷ୍ଠ ଉଦାହରଣ
ଆଜି ଅନେକ ସମୟରେ ଖବରକାଗଜରେ ପ୍ରକାଶ ପାଉଛି ଯେ ବଣ୍ଡା ଆଦିବାସୀ ଯୁବକ ଡାକ୍ତରୀ ପଢ଼ିବା ଲାଗି ଯୋଗ୍ୟ ହେଲେ, ଡିଡାୟୀ ଯୁବତୀ ଡାକ୍ତରୀ ପଢ଼ିବେ, ସଫେଇ କର୍ମଚାରୀଙ୍କ ପୁଅ ଇଞ୍ଜିନିୟର ହେଲେ ଇତ୍ୟାଦି। ସମୁଦାୟ ଜନସଂଖ୍ୟାର ମାତ୍ରା ଅନୁସାରେ ଏହି ସଂଖ୍ୟା ଅତି ନଗଣ୍ୟ। କିନ୍ତୁ ପରୋକ୍ଷରେ ଏହା ପ୍ରମାଣ କରୁଛି ଯେ କୌଣସି ସମୁଦାୟ ମଧ୍ୟରେ ଦକ୍ଷତାର ଅଭାବ ନାହିଁ। ଯଦି ପ୍ରୋତ୍ସାହନ ମିଳିବ ତେବେ ଅଧିକ ସଂଖ୍ୟାରେ ଆଦିବାସୀ ଓ ଅନୁସୂଚୀତ ଜାତିର ପିଲାମାନେ ଭଲ ସୁଯୋଗ ସୃଷ୍ଟି କରିବେ।
ଏହାକୁ କିନ୍ତୁ ନିର୍ବାଚିତ ସରକାରମାନେ ସ୍ଵୀକାର କରିବାକୁ ମନା କରିଦେଲେ। ସେମାନେ ଶିକ୍ଷାକ୍ଷେତ୍ରକୁ ସଂପୂର୍ଣ୍ଣ ଭାବରେ ବ୍ୟବସାୟରେ ଲଗାଇଦେଲେ। ଆଜି ସାଧାରଣ ବିଷୟରେ ଡିପ୍ଲୋମା ପାଇବାକୁ ହେଲେ ବି ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି। ଯଦିଓ ଆଦିବାସୀ ପିଲାଙ୍କ ଲାଗି କିଛି ଶିକ୍ଷାବୃତ୍ତି ଘୋଷଣା ହେଲା କିନ୍ତୁ ନା ତାହା ସମସ୍ତଙ୍କ ଲାଗି ଉପଲବ୍ଧ ନା ତାହାର ସ୍ୱଚ୍ଛତା କିଛି ରହିଛି। ଅନେକ ଇଂଜିନିୟରିଂ କଲେଜ ଶିକ୍ଷାବୃତ୍ତିକୁ ସୁବିଧାରେ ହଡ଼ପ କରିବା ଲାଗି ଏସଟି ପିଲାଙ୍କୁ ନାମମାତ୍ର ଆଡମିସନ କରାଇଛନ୍ତି। ପ୍ରାଇଭେଟ ଶିକ୍ଷା ଅନୁଷ୍ଠାନମାନେ ଶିକ୍ଷାକ୍ଷେତ୍ରରେ ଦୁର୍ନୀତି ଓ ଲାଞ୍ଚ କାରବାର ଦ୍ଵାରା ତିଷ୍ଠି ରହିବାର କୌଶଳ ଉଦ୍ଭାବନ କରିନେଇଛନ୍ତି। ପ୍ରାଇଭେଟାଇଜେସନ ହେତୁ ଏହା ହୋଇଛି।
ଯେଉଁ ସମୟରେ ଦେଶରେ ସମସ୍ତଙ୍କୁ ଶିକ୍ଷା ଅଧିକାର ଆଇନ (୨୦୦୯) ପାସ ହେଉଛି, ପିଲାଙ୍କ ବୟସ ୬ରୁ ୧୪ ବର୍ଷ ମଧ୍ୟରେ ସମସ୍ତଙ୍କୁ ଶିକ୍ଷା ଯୋଗାଇଦେବା ବାଧ୍ୟତାମୂଳକ କରାଯାଉଛି ସେହି ସମୟରେ ଦେଶର ରାଜନୈତିକ ଦଳମାନେ ପ୍ରାଇଭେଟ କମ୍ପାନୀମାନଙ୍କୁ ଶିକ୍ଷା ଅନୁଷ୍ଠାନ ଖୋଲିବା ଲାଗି ମାଗଣାରେ ଜମି, ଆନୁଷଙ୍ଗିକ ସୁବିଧା, ଋଣ ଇତ୍ୟାଦି ଯୋଗାଇଦେଉଛନ୍ତି। ସେଭଳି ଯୋଗାଇବା ଏକ ଭଲ ଆୟରେ ପରିଗଣିତ ହୋଇଛି।
ଏମଏଲଏ ଓ ଏମପି ଶିକ୍ଷାନୁଷ୍ଠାନର ମାଲିକ
ଅନେକ ଏମଏଲଏ ଓ ଏମପି ମଧ୍ୟ ନିଜସ୍ଵ ଶିକ୍ଷା ଅନୁଷ୍ଠାନର ମାଲିକ ହୋଇଛନ୍ତି। ଗଣତନ୍ତ୍ର ପଦ୍ଧତିରେ ନିର୍ବାଚିତ ହେବା, ସମସ୍ତଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇଦେବା ଲାଗି ସମ୍ବିଧାନ ଛୁଇଁ ଶପଥ ନେବା ଅଥଚ ଶିକ୍ଷା ଓ ସ୍ୱାସ୍ଥ୍ୟ ଅନୁଷ୍ଠାନର ବ୍ୟବସାୟିକରଣରେ ସେମାନେ ସାମିଲ ହେବା ଗଣତନ୍ତ୍ର ଶାସନରେ ଅତି ବିଚିତ୍ର କଥା। ନିଜର ସରକାରଙ୍କ ଉପରେ ପ୍ରଭାବ ରହିଥିବା କାରଣରୁ ସେମାନେ ନିଜସ୍ୱ କୌଣସି ବିଲିଡିଙ୍ଗ ନଥାଇ ମଧ୍ୟ ଭଡ଼ାଘରେ ଅନୁଷ୍ଠାନ ଚଳାଉଛନ୍ତି। ସେମାନେ ସର୍ବନିମ୍ନ ମଜୁରୀଠାରୁ କମ ମଜୁରୀ ଦେଇ ଶିକ୍ଷକ/ ଶିକ୍ଷୟିତ୍ରୀ ନିଯୁକ୍ତ କରୁଛନ୍ତି।
କେତେ ସ୍ଥାନରେ ଶ୍ରମ ବିଭାଗ ଚଢ଼ାଉ କରି ଏଭଳି ବେଇଆନ କାର୍ଯ୍ୟ ବିରୁଦ୍ଧରେ ମାମଲା ରୁଜୁ କରିଛି? କେତେ ସ୍ଥାନରେ ଶିକ୍ଷା ବିଭାଗ ଉପଯୁକ୍ତ ଭିତ୍ତିଭୂମି ଅଭାବରୁ କେତେ ଅନୁଷ୍ଠାନକୁ ଦିଆଯାଇଥିବା ଅନୁମତି ପତ୍ରକୁ ପ୍ରତ୍ୟାହାର କରିଛି? ସରକାରୀ ଜମିରେ ଚାଲିଥିବା ଶିକ୍ଷା ଅନୁଷ୍ଠାନକୁ ଗରିବ ଶ୍ରେଣୀର ପିଲାଙ୍କୁ ଆଡମିସନ ଲାଗି କାହାରିକୁ ବାଧ୍ୟ କରିଛି?
ନିଷ୍କର୍ଷ
ପୁରୁଣା ରାଜନୈତିକ ଦଳ ଶାସନରେ ଥିବା ବେଳେ ଲୋକଙ୍କ ଆଶା ଭରସା ନରଖି ପାରିବା କାରଣରୁ ପରାସ୍ତ ହୋଇ ଦୁର୍ବଳ ସ୍ଥିତିକୁ ମଧ୍ୟ ଆସୁଛନ୍ତି । କିନ୍ତୁ ସେମାନେ ନିଜେ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥାର ବ୍ୟବସାୟୀକରଣକୁ ବନ୍ଦ କରିବା ଲାଗି ନୂତନ ସରକାରୀ ଦଳ ଉପରେ ଚାପ ପକାଇବାରେ ଅସମର୍ଥ।
ଆର୍ଥିକ ସଂସ୍କାର ହେତୁ ଦେଶରେ ବିଲିୟୋନେୟାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଓ ଲୋକଙ୍କ ସଞ୍ଚୟ କମିବାରେ ଲାଗିଛି। ଏହି ବିଷମତା ଓ ଆର୍ଥିକ ଅନିଶ୍ଚିତତା କାରଣରୁ ଲୋକେ ସରକାରଙ୍କ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି। କିନ୍ତୁ ସରକାର ସେମାନଙ୍କୁ ମିଥ୍ୟା ପ୍ରତିଶୃତି ପରେ ପ୍ରତିଶୃତି ଦେଇଚାଲିଛନ୍ତି। ମୋର ଏହି କ୍ଷୁଦ୍ର ଲେଖା ଯେ ବିଶେଷ କିଛି ପରିବର୍ତ୍ତନ ଆଣିବ ତାହା ମଧ୍ୟ ନୁହେଁ। ଲୋକେ ମଧ୍ୟ କ୍ରମଶଃ ଅବ୍ୟବସ୍ଥାକୁ ଗ୍ରହଣ କରିବା ଶିଖିଯାଇଛନ୍ତି।
ନିର୍ବାଚିତ ପ୍ରତିନିଧିମାନେ କମ୍ପାନୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ଲାଗି ଭୟଭୀତ। ଏଭଳି ସ୍ଥିତିରେ ନାଗରିକର ମୌଳିକ ଅଧିକାର ବା ସୁରକ୍ଷିତ ରହିବ କିଭଳି? ବ୍ୟବସ୍ଥାରେ ବିରାଟ ପରିବର୍ତ୍ତନ ନଆସିଲେ ପରିସ୍ଥିତିରେ ଉନ୍ନତି ଅସମ୍ଭବ। ମାନବିକ ଅଧିକାର କ୍ଷେତ୍ରରେ ସେହି ଭଳି ବିରାଟ ପରିବର୍ତ୍ତନର ଆବଶ୍ୟକତା ରହିଛି।
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
