Advertisment

କୃଷି ଉତ୍ପାଦନ ବଢ଼ୁଛି ଯଦି ଚାଷୀ ଆୟ କମୁଛି କିଆଁ?

କୃଷିର ବିକାଶ ହୋଇଥିଲେ ଚାଷୀର ଆୟ ବୃଦ୍ଧି ନପାଇ ହ୍ରାସ ପାଇଥାନ୍ତା କିପରି? ୨୦୧୫-୧୬ରେ ଗୋଟିଏ ଚାଷୀ ପରିବାରର ମାସିକ ଆୟ ୭,୭୩୧ ଟଙ୍କା ଥିବାବେଳେ ୨୦୧୮-୧୯ର ହ୍ରାସ ପାଇ ୫,୧୧୨ ଟଙ୍କା ହେଲା କିପରି?

odisha pulses farmer

pulses farmer

Advertisment

ନିକଟରେ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଛି ଯେ ଏଗ୍ରିକଲଚର ଟୁଡେ ଗ୍ରୁପ ପକ୍ଷରୁ ୨୦୨୨ ବର୍ଷ ପାଇଁ ଓଡ଼ିଶାକୁ ଲିଡରସିପ୍ ଆୱାର୍ଡ ଦିଆ ଯାଇଛି। କୁହା ଯାଇଛି ଯେ, ସ୍ୱାଧୀନୋତ୍ତର ଭାରତବର୍ଷରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ନିଅଣ୍ଟିଆ ରାଜ୍ୟରୁ ଆଜି ଆତ୍ମନିର୍ଭରଶୀଳ ରାଜ୍ୟ କେବଳ ହୋଇନାହିଁ, ଖାଦ୍ୟଶସ୍ୟ ମଧ୍ୟ ରପ୍ତାନି କରୁଛି। ଗତ ୨୦ ବର୍ଷ ମଧ୍ୟରେ ଉତ୍ପାଦନ ଦୁଇ ଗୁଣରୁ ଅଧିକ ହୋଇଛି। ୨୦୨୦-୨୧ ବର୍ଷରେ ରାଜ୍ୟରେ ରେକର୍ଡ ୧୩୦.୩୯ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରିଛି। ୨୦୦୦-୦୧ ବର୍ଷରେ ୫୫.୩୫ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବା ବେଳେ ବିଗତ ୨୦ ବର୍ଷ ମଧ୍ୟରେ ଉତ୍ପାଦନ ଦୁଇ ଗୁଣରୁ ଅଧିକ ହୋଇଛି।

Advertisment

ଏହି ଆୱାର୍ଡକୁ ନୂଆଦିଲ୍ଲୀରେ ଗତ ୧୫/୧୨/୨୦୨୨ ତାରିଖରେ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଗ୍ରହଣ କରିଛନ୍ତି। ଏହାର ଅର୍ଥ ଏଗ୍ରିକଲଚର ଟୁଡେ ଗ୍ରୁପ ଯେଉଁ ପରିସଂଖ୍ୟାନ ଆଧାରରେ ଏହି ପୁରସ୍କାର ଦେଇଛି, ସେହି ପରିସଂଖ୍ୟାନକୁ ରାଜ୍ୟ ସରକାର ଦେଇଥିବେ ଅବା ପୁରସ୍କାରଦାତା ସରକାରୀ ସୂତ୍ରରୁ ସଂଗ୍ରହ କରିଥିବେ। ଯେହେତୁ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଉତ୍ସବରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଛନ୍ତି, ତେଣୁ ଯେଉଁ ପରିସଂଖ୍ୟାନ ଆଧାରରେ ଓଡ଼ିଶା କୃଷି ଉତ୍ପାଦନ ବୃଦ୍ଧିରେ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ରୂପେ ମାନ୍ୟତା ପାଇଛି ସେହି ପରିସଂଖ୍ୟାନ ସତ ବୋଲି ରାଜ୍ୟ ସରକାର ପୁଷ୍ଟ କରିଛନ୍ତି। କିନ୍ତୁ ବିଭିନ୍ନ ସମୟରେ ସରକାରଙ୍କ ତରଫରୁ ଯେଉଁସବୁ କୃଷି ବିକାଶ ସମ୍ବନ୍ଧୀୟ ରିପୋର୍ଟ ପ୍ରକାଶ ପାଏ ସେସବୁକୁ ଅଧ୍ୟୟନ କଲେ ଜଣାଯିବ ଯେ, ଏଗ୍ରିକଲଚର୍ ଟୁଡେ ଗ୍ରୁପ ଯେଉଁ ପରିସଂଖ୍ୟାନକୁ ଆଧାର କରି ପୁରସ୍କାର ପ୍ରଦାନ କରିଛି ତାହା ଭ୍ରମାତ୍ମକ। କୁହା ଯାଇଛି ଖାଦ୍ୟଶସ୍ୟରେ ଏକ ନିଅଣ୍ଟିଆ ରାଜ୍ୟରୁ ଏକ ବଳକା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା। ତାହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର। କେବଳ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ବର୍ଷକୁ ଛାଡ଼ି ଦେଲେ ଓଡ଼ିଶାରେ ଖାଦ୍ୟଶସ୍ୟ କେବେ ନିଅଣ୍ଟ ପଡ଼େନା, ଏହା ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରକାଶିତ ରିପୋର୍ଟ କହେ, ଆମେ ମନରୁ ବାନ୍ଧି କହୁନାହୁଁ। ଏହା କହିବା ଦ୍ୱାରା ଓଡ଼ିଶାକୁ ପରୋକ୍ଷରେ ଅପମାନିତ କରାଯାଇଛି ଏଗ୍ରିକଲଚର ଟୁଡେ ଗ୍ରୁପ ଦ୍ୱାରା।

ସରକାରଙ୍କ ଦ୍ୱାରା ପ୍ରକାଶିତ ବିଭିନ୍ନ ରିପୋର୍ଟ ମଧ୍ୟରୁ ରାଜ୍ୟ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ - 5 Decades of Odisha Agriculture Statistics: 2020କୁ ଅନୁଧ୍ୟାନ କଲେ ଜଣାଯିବ ଯେ, ଏଗ୍ରିକଲଚର୍ ଟୁଡେ ଗ୍ରୁପ ଯେଉଁ ପରିସଂଖ୍ୟାନ ଦେଇ ପୁରସ୍କାର ଘୋଷଣା କରିଛି ତାହା ସମଗ୍ର ଓଡ଼ିଶାବାସୀଙ୍କୁ ଭ୍ରମରେ ପକାଇ ଭୂଆଁ ବୁଲାଇବା ପରି ହୋଇଛି। କୁହା ଯାଇଛି ୨୦୦୦-୦୧ରେ ୫୫.୩୫ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବା ବେଳେ ୨୦୨୦-୨୧ ବର୍ଷରେ ୧୩୦.୩୯ ଲକ୍ଷ ମେଟ୍ରିକ୍ ଟନ୍ ଅମଳ କରି ଦୁଇଗୁଣ କରାଯାଇଛି। କିନ୍ତୁ ବର୍ତ୍ତମାନର ସରକାର କ୍ଷମତାକୁ ଆସିଲା ପରେ ୨୦୦୨-୦୩ ରେ ଉତ୍ପାଦନ ହୋଇଥିଲା ୪୪.୪୫ ମେଟ୍ରିକ୍ ଟନ୍। ଏହାର କାରଣ ସେହି ଦୁଇ ବର୍ଷରେ ଉଭୟ ପ୍ରବଳ ବନ୍ୟା ଓ ମରୁଡ଼ି ହୋଇ ଫସଲ ନଷ୍ଟ କରିଥିଲା। ପ୍ରାକୃତିକ ବିପର୍ଯ୍ୟୟ ବର୍ଷର ଉତ୍ପାଦନ ସହ ଅନୁକୂଳ ପାଣିପାଗ ବର୍ଷର ଉତ୍ପାଦନ ସହ ତୁଳନା କରି ପୁରସ୍କାର ଘୋଷଣା କରିବା କେଉଁ ନ୍ୟାୟ? ପୁରସ୍କାର ଘୋଷଣା କରିବା ସଂସ୍ଥା ନିଜର ବିଶ୍ୱନୀୟତା ବଢ଼ାଇବା ପାଇଁ ସରକାରଙ୍କ ପ୍ରକାଶିତ ପରିସଂଖ୍ୟାନକୁ ଅନୁଧ୍ୟାନ କରିବା ଉଚିତ ଥିଲା। ସରକାରଙ୍କ ପ୍ରକାଶିତ ଉପରୋକ୍ତ ରିପୋର୍ଟର ୫୯ ପୃଷ୍ଠାକୁ ଯାଇ ଦେଖନ୍ତୁ, ୧୯୯୦ -୯୧ରୁ ୧୯୯୯-୦୦ ଦଶ ବର୍ଷର ଖାଦ୍ୟଶସ୍ୟ ଉତ୍ପାଦନକୁ ହିସାବକୁ ନେଲେ ସେ ଦଶନ୍ଧିରେ ବାର୍ଷିକ ହାରାହାରି ଖାଦ୍ୟଶସ୍ୟ ଉତ୍ପାଦନ ଥିଲା ୭୧.୬୨ ଲକ୍ଷ ଟନ୍। ପରବର୍ତ୍ତୀ ଦଶନ୍ଧି ୨୦୦୦-୨୦୦୧ରୁ ୨୦୦୯ -୧୦ ମଧ୍ୟରେ ବାର୍ଷିକ ହାରାହାରି ଖାଦ୍ୟଶସ୍ୟ ଉତ୍ପାଦନ ଥିଲା ୭୬.୨୯ ଲକ୍ଷ ଟନ୍। କିନ୍ତୁ ୧୯୯୧ ଜନଗଣନା ଅନୁସାରେ ଓଡ଼ିଶାର ଲୋକସଂଖ୍ୟା ଥିଲା ୩.୧୬ କୋଟି, ୨୦୦୧ରେ ବୃଦ୍ଧି ପାଇ ହେଲା ୩.୬୮ କୋଟି ଏବଂ ତା' ପରବର୍ତ୍ତୀ ଦଶନ୍ଧି ୨୦୧୦-୧୧ରୁ ୨୦୧୯-୨୦ ବାର୍ଷିକ ହାରାହାରି ଉତ୍ପାଦନ ଥିଲା ୯୮.୨୭ ଲକ୍ଷ ଟନ ଆଉ ଲୋକସଂଖ୍ୟା ବୃଦ୍ଧି ପାଇ ୨୦୧୧ରେ ହେଲା ୪.୧୯ କୋଟି।

Advertisment

୧୯୯୦ ଦଶକରେ ହାରାହାରି ମୁଣ୍ଡ ପିଛା ଦୈନିକ ଖାଦ୍ୟଶସ୍ୟ ୬୩୦ ଗ୍ରାମ ମିଳୁଥିବାବେଳେ ୨୦୦୦ ଦଶକରେ ଉପଲବ୍ଧ ଥିଲା ୫୮୦ ଗ୍ରାମ ଏବଂ ୨୦୧୦ ଦଶକରେ ହେଲା ୬୫୦ ଗ୍ରାମ। ସରକାରୀ ହିସାବ ଅନୁଯାୟୀ ଜଣେ ଲୋକର ଦୈନିକ ଖାଦ୍ୟଶସ୍ୟ ଆବଶ୍ୟକତା ହେଉଛି ୫୫୦ ଗ୍ରାମ। ସରକାରୀ ରିପୋର୍ଟରେ ୧୦୪ ପୃଷ୍ଠାରେ ୧୯୭୦-୭୧ଠାରୁ ୨୦୧୯-୨୦ ପର୍ଯ୍ୟନ୍ତ ଵର୍ଷ ୱାରି କେଉଁ ବର୍ଷ କେତେ ଦୈନିକ ମୁଣ୍ଡ ପିଛା ଖାଦ୍ୟଶସ୍ୟ ଉପଲବ୍ଧ ଥିଲା ଦର୍ଶାଯାଇଛି। ସେଥିରୁ ଦେଖିବେ ୧୯୭୦-୭୧ରେ ୫୭୧ ଗ୍ରାମ,୧୯୮୦-୮୧ରେ ୫୫୧ ଗ୍ରାମ,୧୯୯୦ -୯୧ରେ ୫୩୯ ଗ୍ରାମ,୨୦୦୦-୦୧ରେ ୩୫୭ ଗ୍ରାମ,୨୦୧୦-୧୧ରେ ୫୦୮ ଗ୍ରାମ ଏବଂ ୨୦୧୯-୨୦ରେ ୬୦୩ ଗ୍ରାମ ଉପଲଵ୍ଧ ଥିଲା। ଯେଉଁ ବର୍ଷ ପ୍ରାକୃତିକ ବିପଦ ପଡ଼େ ସେହି ବର୍ଷ ଖାଦ୍ୟଶସ୍ୟ ଟିକେ ନିଅଣ୍ଟ ପଡ଼େ ସିନା ଅନ୍ୟ ବର୍ଷରେ ନିଅଣ୍ଟ ପଡ଼େ ନାହିଁ। ଏହି ପରିସଂଖ୍ୟାନରୁ ସହଜରେ ଅନୁମାନ କରନ୍ତୁ କିପରି ଆମର ଖାଦ୍ୟଶସ୍ୟ ଉତ୍ପାଦନ ଡବଲ ହୋଇଛି, ଆଉ ପୂର୍ବେ ଖାଦ୍ୟଶସ୍ୟ ନିଅଣ୍ଟ ପଡୁଥିଲା, ଏବେ ବଳକା ହୋଇଛି! ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପରିସଂଖ୍ୟାନ ରିପୋର୍ଟ କହୁଛି କ'ଣ, ଆଉ ପୁରସ୍କାର ବିତରଣ ସଂସ୍ଥା କହୁଛି କ'ଣ? ସତ୍ୟର କି ଅପଳାପ! ଏହା ଓଡ଼ିଶାର ସ୍ୱାଭିମାନ ପ୍ରତି ଆଘାତ।

ଏବେ ସେହି ସରକାରୀ ରିପୋର୍ଟର ୭୬ ପୃଷ୍ଠାକୁ ଆସି ଦେଖନ୍ତୁ, ୨୦୧୭-୧୮ରେ ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ହେକ୍ଟର ପିଛା ଯଥାକ୍ରମେ ୨,୮୩୮ କିଲୋଗ୍ରାମ ଓ ୨,୯୩୪ କିଲୋଗ୍ରାମ ଥିବା ବେଳେ ଓଡ଼ିଶାରେ ୧୩୬୫ କିଲୋଗ୍ରାମ ଥିଲା। ସେହିପରି ୨୦୧୮-୧୯ରେ ସେହି ଦୁଇଟି ରାଜ୍ୟରେ ଯଥାକ୍ରମେ ୨,୮୫୬ ଓ ୨,୭୨୯ କିଲୋଗ୍ରାମ ହେବାବେଳେ ଓଡ଼ିଶାରେ ୧,୫୫୪ କିଲୋଗ୍ରାମ। ସେହିପରି ଚାଉଳ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ତଦୃପ ସ୍ଥିତି। ଏଥିରେ ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶା ପ୍ରଥମ କିପରି ହେଲା?

ଏବେ ଡାଲି କଥା ବିଚାର କଲେ ଜଣାଯିବ ଯେ, ଡାଲିରେ ଆମେ ଏକ ଆମଦାନୀକାରୀ ରାଜ୍ୟ। ୧୯୯୦-୯୧ରେ ଆମର ଡାଲି ଉତ୍ପାଦନ ଥିଲା ୧୧.୭୫ ଲକ୍ଷ ଟନ୍, ୧୯୯୯-୨୦୦୦ରେ ହୋଇଛି ୬.୫୪ ଲକ୍ଷ ଟନ୍,୨୦୦୯-୧୦ରେ ୯.୬୩ ଲକ୍ଷ ଟନ୍ ଏବଂ ୨୦୧୯-୨୦ରେ ୧୦.୪୫ ଲକ୍ଷ ଟନ୍(ପୃଷ୍ଠା ୫୭)। ୧୯୯୦-୯୧ରେ ଆମେ ଯେତେ ଅମଳ କରିଥିଲୁ ୩୦ ବର୍ଷ ପରେ ବି ସେତିକି ଡାଲି ଅମଳ କରି ପାରିଲୁ ନାହିଁ। ତୈଳବୀଜ କଥା ନକହିଲେ ଭଲ। ୧୯୯୦-୯୧ରେ ଉତ୍ପାଦନ ଥିଲା ୯.୪୯ ଲକ୍ଷ ଟନ୍, ୨୦୦୦-୦୧ରେ ୩.୭୪ ଲକ୍ଷ ଟନ୍ ଏବଂ ୨୦୦୯-୧୦ରେ ୬.୬୪ ଲକ୍ଷ ଟନ୍। ୨୦୧୯-୨୦ରେ ଆହୁରି ହ୍ରାସ ପାଇ ହୋଇଛି ୫.୬୯ ଲକ୍ଷ ଟନ୍ (ପୃଷ୍ଠା ୬୬)। ସରକାରୀ ହିସାବ ଅନୁଯାୟୀ ୨୦୧୮-୧୯ରେ ଓଡ଼ିଶାରେ ତୈଳବୀଜ ନିଅଣ୍ଟ ଥିଲା ୧୮ ଲକ୍ଷ ଟନ୍।

ଏବେ ଆସନ୍ତୁ ଆଳୁ କଥା ବିଚାରକୁ ନେବା। ଆଳୁ ଆମର ଏକ ନିତିଦିନିଆ ଅତ୍ୟାବଶ୍ୟକ ପରିବା। ଆଳୁ ବିନା ଆମ ରୋଷେଇ ଘରର ରାନ୍ଧଣା ଅଧୁରା। ଆମର ବାର୍ଷିକ ଆଳୁର ଆବଶ୍ୟକତା ୧୩ ଲକ୍ଷ ଟନ୍। ଆମ ରାଜ୍ୟକୁ ଆଳୁରେ ଆତ୍ମ ନିର୍ଭରଶୀଳ କରିବା ପାଇଁ ୨୦୧୫-୧୬ରେ କାର୍ଯ୍ୟକାରୀ ହେଲା ଆଳୁ ମିଶନ। ୫୦ କୋଟି ଟଙ୍କାର ବ୍ୟୟ ବାରାଦ ହେଲା। ଆଳୁର ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ ହେଲା ୧୧.୨୫ ଲକ୍ଷ ଟନ୍ ଏବଂ ଶୀତଳ ଭଣ୍ଡାର ସ୍ଥାପନର ଲକ୍ଷ୍ୟ ହେଲା ୨୧୨ଟା। ଏହାର ଅବଧି ତିନି ବର୍ଷ ଥିଲା। କିନ୍ତୁ ଏହି ମିଶନ ସମ୍ପୂର୍ଣ୍ଣ ଭାବରେ ବିଫଳ ହେଲା। ଉତ୍ପାଦନ ବଢ଼ିବ କ'ଣ କମିବାରେ ଲାଗିଲା। ୨୦୧୫-୧୬ରେ ଆଳୁ ଉତ୍ପାଦନ ଥିଲା ୩.୮୯ ଲକ୍ଷ ଟନ୍ ଆଉ ୨୦୧୯-୨୦ରେ ହ୍ରାସ ପାଇ ଆସି ପହଞ୍ଚିଛି ୨.୬୧ ଲକ୍ଷ ଟନରେ। ଶୀତଳ ଭଣ୍ଡାର ୨୧୨ଟା ହେବ କ'ଣ ୧୨ଟା ବି ସମ୍ପୁର୍ଣ୍ଣ ହୋଇ ପାରିଲା ନାହିଁ।

ଗୋଟିଏ ରାଜ୍ୟରେ କୃଷି ବିକାଶ ତ୍ୱରାନ୍ୱିତ ହୋଇଥାଏ ଯେତେବେଳେ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପରେ ପ୍ୟାକେଜିଂ ହୋଇ ସଂରକ୍ଷଣ କରି ଧୀରେ ଧୀରେ ବଜାରକୁ ଛଡ଼ାଯାଏ। ଏଥିପାଇଁ ଆବଶ୍ୟକ ହଉଏ ଶୀତଳଭଣ୍ଡାର। ଯେଉଁ ରାଜ୍ୟରେ ଯେତେ ଅଧିକ ଶୀତଳ ଭଣ୍ଡାର ସେ ରାଜ୍ୟରେ କୃଷି ସେତେ ଉନ୍ନତ ବୋଲି ଧରିବାକୁ ହୁଏ। ଓଡ଼ିଶା ସରକାର ଅନ୍ତତଃ ପ୍ରତି ବ୍ଳକରେ ଗୋଟିଏ ଲେଖା ଶୀତଳ ଭଣ୍ଡାର ସ୍ଥାପନ ପାଇଁ ବହୁଦିନ ତଳୁ ନୀତି ଘୋଷଣା କରିଥିଲେ ବି ଶୀତଳ ଭଣ୍ଡାରର ସ୍ଥିତି ଜାଣିଲେ ତାଜୁବ ହେବାକୁ ପଡ଼େ। ରାଜ୍ୟ ବିଧାନସଭାରେ ତତ୍କାଳୀନ କୃଷି ମନ୍ତ୍ରୀ ଡିସେମ୍ବର ୨୦୨୧ରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ଓଡ଼ିଶାରେ ଥିବା ମୋଟ ୧୩୧ ଶୀତଳ ଭଣ୍ଡାର ମଧ୍ୟରୁ ମାତ୍ର ୪୯ଟି କାର୍ଯ୍ୟକ୍ଷମ ଅଛି। ଏଥିରୁ ଜାଣି ହେବ ଆମେ କୃଷି କ୍ଷେତ୍ରରେ କେତେ ବିକଶିତ!

କୃଷିର ବିକାଶ ହୋଇଥିଲେ ଚାଷୀର ଆୟ ବୃଦ୍ଧି ନପାଇ ହ୍ରାସ ପାଇଥାନ୍ତା କିପରି? ୨୦୧୫-୧୬ରେ ଗୋଟିଏ ଚାଷୀ ପରିବାରର ମାସିକ ଆୟ ୭,୭୩୧ ଟଙ୍କା ଥିବାବେଳେ ୨୦୧୮-୧୯ର ହ୍ରାସ ପାଇ ୫,୧୧୨ ଟଙ୍କା ହେଲା କିପରି?

ଆମର କୃଷିର ପ୍ରକୃତ ସ୍ଥିତିଠାରୁ ବଢ଼େଇ ଚଢ଼େଇ କରି କହିବା ଦ୍ୱାରା କୃଷମାନଙ୍କର ମଙ୍ଗଳ ହେଉନାହିଁ, ବରଂ କ୍ଷତି ହିଁ ହେଉଛି। ଏହା ଦ୍ୱାରା କୃଷିର ସ୍ଥିତିରେ ସୁଧାର ଆଣି କୃଷକର ଆୟ ବୃଦ୍ଧି କରିବା ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ଯେଉଁ ବାହାରର ସଂସ୍ଥା ଓଡ଼ିଶା ସରକାରଙ୍କଠାରୁ କିଛି ପାଇବା ଆଶାରେ କୃଷି ବିକାଶକୁ ବଢ଼େଇ କରି କହୁଛନ୍ତି, ସେମାନେ ସମଗ୍ର କୃଷକ ସମାଜ ପ୍ରତି ଅନ୍ୟାୟ କରୁଛନ୍ତି। ସରକାର ମଧ୍ୟ ଆତ୍ମ ପ୍ରଚାରରୁ ବିରତ ରହି ରାଜ୍ୟର କୃଷି ଓ କୃଷକର ସ୍ଥିତି କିପରି ସୁଧୁରିବ, ସେଥିପାଇଁ କାର୍ଯ୍ୟକାରୀ ହୋଇପାରିବା ଭଳି ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରନ୍ତୁ।

ନଟବର ଖୁଣ୍ଟିଆ

ଏ୫୦୨/ ମୋତି ବ୍ଳକ, ତୋଷାଳୀ ଆପାର୍ଟମେଣ୍ଟ, ସତ୍ଯନଗର, ଭୁବନେଶ୍ୱର- ୭୫୧୦୦୭

ମୋ: ୯୯୩୭୯୫୧୨୬୨

Odisha Naveen Patanaik Odisha Agriculture Potato
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe