/odisha-reporter/media/post_attachments/uploadimage/library/16_9/16_9_0/IMAGE_1758519779.jpg)
Trump Tariff War
ରବି ଦାସ
ଟ୍ରମ୍ପ ପ୍ରଶାସନ ଦାୟିତ୍ୱ ନେବା ସମୟରେ ଭାରତରେ ଏକ ଦୃଢ଼ ବିଶ୍ୱାସ ଥିଲା ଯେ, ଟ୍ରମ୍ପଙ୍କ ସହିତ ମୋଦୀଙ୍କର ବନ୍ଧୁତ୍ୱ ଯୋଗୁ ଆମେରିକା ପ୍ରଶାସନ ଠାରୁ ଭାରତ ସବୁ କ୍ଷେତ୍ରରେ ବନ୍ଧୁତ୍ୱପୂର୍ଣ୍ଣ ସହଯୋଗ ସହିତ ସାହାଯ୍ୟ ପାଇବ। କିନ୍ତୁ ଦେଖାଯାଉଛି ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହୋଇଥିବା ଡୋନାଲ୍ଟ ଟ୍ରମ୍ପ ବିଭିନ୍ନ ଘଟଣାରେ ମୋଦୀଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରୁଥିଲେ ମଧ୍ୟ ଭାରତ ଉପରେ ଓ ଆମେରିକାରେ ଥିବା ଭାରତୀୟ ଲୋକମାନଙ୍କ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ ଚଳାଇଛନ୍ତି। ଆମେରିକାକୁ ପୁଣିଥରେ ମହାନ୍ କରିବା ଲକ୍ଷ୍ୟରେ ସେ ଯେଉଁସବୁ ନୀତି ଓ ଆଦେଶମାନ ଜାରି କରୁଛନ୍ତି ତାହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଭାରତର କ୍ଷତି ସାଧନ କରିଚାଲିଛି।
ଭାରତରେ ଯେପରି ଭାବରେ ଜାତିୟତାର ସ୍ଳୋଗାନ ଦିଆଯାଇଛି, ସେହି ଢଙ୍ଗରେ ଟ୍ରମ୍ପ ପ୍ରଶାସନ ଆମେରିକା ଜାତୀୟତା ନାମରେ ଆମେରିକାର ସ୍ୱାର୍ଥ ପାଇଁ ଅଣଆମେରିକୀୟଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ଆମେରିକା ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ର ଓ ସେଠାରେ ମୁକ୍ତ ଗଣତନ୍ତ୍ର ରହୁଥିବାରୁ ଆମେରିକା ଏକ ସୁଯୋଗ ସୃଷ୍ଟିକାରୀ ଦେଶ ଭାବରେ ଆତ୍ମପ୍ରକାଶ କରିଥିବାରୁ ବିଶ୍ୱର ବିଭିନ୍ନ ଦେଶରୁ ଲୋକମାନେ ଆମେରିକା ଯିବାପାଇଁ ଆଗ୍ରହୀ। ସେହି କ୍ରମରେ ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରୁ ଆମେରିକା ଯିବା ପାଇଁ ଆଗ୍ରହୀଙ୍କ ସଂଖ୍ୟା ସବୁବେଳେ ଅଧିକ। ପାଠ ପଢ଼ିବା ଠାରୁ ଆରମ୍ଭ କରି ନିଯୁକ୍ତି ଓ ସମୃଦ୍ଧି ପାଇଁ ଆମେରିକା ଏକ ସୁଯୋଗ ବୋଲି ବିବେଚିତ ହୋଇ ଆସୁଥିଲା ଓ ସେହି କ୍ରମରେ ଅନେକ ଲୋକ ଯେଉଁଥିରେ ଭାରତୀୟମାନଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ରହିଛି, ସେମାନେ କୌଣସି ନ୍ୟାୟସଂଗତ ଆମେରିକା ପ୍ରବେଶର ସୁଯୋଗ ନ ପାଇ ବିଭିନ୍ନ ବାଟରେ ଆମେରିକାରେ ପ୍ରବେଶ କରିବାର ଉଦ୍ୟମ କରିଛନ୍ତି। କିନ୍ତୁ ଏହି ଲୋକମାନଙ୍କୁ କୌଣସି ଦେଶ ଗ୍ରହଣ ନକରିବା ଏକ ସ୍ୱାଭାବିକ କଥା କିନ୍ତୁ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଏହି ବେଆଇନ୍ ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରି ଦେଶରୁ ବାହାର କରୁଛନ୍ତି।
ଏଥିରେ ଅନେକ ଭାରତୀୟଙ୍କୁ ମଧ୍ୟ ହାତ ଗୋଡରେ ଶିକୁଳୀ ଦେଇ ବିମାନରେ ଭାରତକୁ ପଠାଇ ଦିଆଯାଇଛି। ଆମେରିକା ବିଶ୍ୱବିଦ୍ୟାଳୟମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯେଉଁମାନେ ପାଲେଷ୍ଟାଇନ୍ ଘଟଣାରେ ଆନ୍ଦୋଳନ କରିଛନ୍ତି ସେମାନଙ୍କୁ ମଧ୍ୟ ବାଧ୍ୟ କରି ବିଦାୟ କରିଦିଆଯାଉଛି। ଏଥିରେ ମଧ୍ୟ ଭାରତ ଚିନ୍ତିତ ନଥିଲା। କିନ୍ତୁ ପହେଲଗାମ୍ ଘଟଣା ପରେ ଭାରତ-ପାକିସ୍ତାନ ଭିତରେ ସାମରିକ ବିବାଦ ହେବା କ୍ଷଣି ଟ୍ରମ୍ପ ପ୍ରଶାସନ ହଠାତ୍ ଯାହାକୁ ଭାରତୀୟମାନେ ବନ୍ଧୁ ବୋଲି ବିଚାର କରୁଥିଲେ ସେହି ଦେଶ ବିବାଦର ସମାଧାନ ଓ ଶାନ୍ତି ପ୍ରତିଷ୍ଠା ନାମରେ ଯେଉଁ ଆଚରଣ କଲେ ସେଥିରୁ ସ୍ପଷ୍ଟ ଜଣାପଡ଼ିଲା ଯେ, ଭାରତ ଅପେକ୍ଷା ପାକିସ୍ତାନ ପ୍ରତି ଆମେରିକାର ଅଧିକ ସମର୍ଥନ ଅଛି।
ଦୁଇଦେଶ ଭିତରେ ଯୁଦ୍ଧବିରତି ପାଇଁ ଟ୍ରମ୍ପ ମଧ୍ୟସ୍ଥତା କରି ଉଭୟ ରାଷ୍ଟ୍ରକୁ ବାଣିଜ୍ୟରେ ଧମକ ଦେଇ ରାଜି କରାଇଥିବା ଦାବି କଲେ। ଯଦିଓ ପାକିସ୍ତାନର ଅନୁରୋଧ କ୍ରମେ ଓ ପାକିସ୍ତାନରେ ସନ୍ତ୍ରାସବାଦୀ ଆଡ୍ଡା ଧ୍ୱଂସ କରିବା ପରେ ଭାରତ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲା। ଏଥିରେ ଆମେରିକାର କୌଣସି ଭୂମିକା ନାହିଁ ବୋଲି ଭାରତ ଯେତେ କହିଲେ ମଧ୍ୟ ଟ୍ରମ୍ପ ବାରମ୍ବାର ତାଙ୍କ କଥାକୁ ଦୋହରାଇ ଚାଲିଲେ। କେବଳ ସେତିକି ନୁହେଁ ପହେଲଗାମ୍ ସନ୍ତ୍ରସବାଦୀ ଆକ୍ରମଣର ପ୍ରକୃତ ପ୍ରେରଣାଦାୟୀ ପାକିସ୍ତାନର ସାମରିକ ମୁଖ୍ୟ ଅସୀମ୍ ମୁନିର୍ଙ୍କୁ ହ୍ୱାଇଟ୍ ହାଉସ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରିବା ଓ ଭାରତକୁ ନୀଚା ଦେଖାଇବା ପାଇଁ ଭାରତର ଅର୍ଥନୀତିକୁ ଏକ ମୃତ ଅର୍ଥନୀତି ବୋଲି କହିବା ସମସ୍ତଙ୍କୁ ବିସ୍ମିତ କରିଦେଇଥିଲା।
କେବଳ ସେତିକି ନୁହେଁ, ସାରା ବିଶ୍ୱର ବିଭିନ୍ନ ଦେଶଗୁଡ଼ିକରେ ଟାରିଫ୍ ଯୁଦ୍ଧ ଚଳାଇଥିବା ଡୋନାଲ୍ଟ ଟ୍ରମ୍ପ ଭାରତ ବିରୋଧରେ ପ୍ରଥମେ ଶତକଡ଼ା ୨୫ ଟାରିଫ୍ ଲାଗୁ କରିବା ପରେ ରୁଷ୍ ଠାରୁ ଭାରତ ତୈଳ ଖରଦି କରି ୟୁକ୍ରେନ ଯୁଦ୍ଧ ପାଇଁ ରୁଷ୍କୁ ସହାୟତା କରୁଛି ବୋଲି ଅଭିଯୋଗ କରି ଭାରତ ଉପରେ ଆଉ ୨୫% ଜୋରିମାନା ଟାରିଫ୍ ଲାଗୁକଲେ। ଅର୍ଥାତ୍ ଭାରତ ବିରୋଧରେ ମୋଟ୍ ଟାରିଫ୍ ଶତକଡ଼ା ୫୦ ପହଂଚିଗଲା। ଏଥିରେ ଭାରତର ବାଣିଜ୍ୟ ଓ ଅର୍ଥନୀତି ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବ ବୋଲି ଜାଣି ସୁଦ୍ଧା ଟ୍ରମ୍ପ ଏହି ପଦକ୍ଷେପ ନେଲେ। ଯଦିଓ ରୁଷ୍ ଠାରୁ ଚୀନ୍ ସବୁବେଳେ ଅଧିକ ପରିମାଣର ତେଲ ଖରଦି କରୁଛି, ତଥାପି ଚୀନ୍ ଉପରେ ମାତ୍ର ୩୦ ଭାଗ ଟାରିଫ୍ ଲଗାଇଛନ୍ତି। ଭାରତ ଓ ଆମେରିକା ଭିତରେ ବାଣିଜ୍ୟ କଥାବାର୍ତ୍ତା ଚାଲିଥିବା ସମୟରେ ଆମେରିକା ଏହିପରି ପଦକ୍ଷେପରୁ ଏହା ଯେ ଭାରତ ବିରୋଧୀ ତାହା ପରିଷ୍କାର ହୋଇଥିଲା। ଚୀନ୍ ସହିତ ଭାରତର ସୀମା ବିବାଦ ରହିଥିବା ଯୋଗୁ ଚୀନ୍କୁ ଏସିଆ ମହାଦେଶରେ ନିୟନ୍ତ୍ରଣ କରିବା ପାଇଁ ଆମେରିକା ପକ୍ଷରୁ ଲଗାଯାଇଥିବା କ୍ୱାର୍ଡ ମେଂଟରେ ଭାରତ ସାମିଲ ହୋଇଥିଲା।
କିନ୍ତୁ ଭାରତ ବିଭିନ୍ନ କ୍ଷେତ୍ରରେ ଆମେରିକା ସହିତ ରାଜନୈତିକ ଓ ସାମରିକ ସମ୍ପର୍କକୁ ବଢ଼ାଉଥିବା ସମୟରେ ଟ୍ରମ୍ପ ପ୍ରଶାସନ ମୋଦୀଙ୍କୁ ବନ୍ଧୁ ବୋଲି ସମ୍ବୋଧିତ କରି ଭାରତ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରିବାରୁ ସାଂଘାଇ ସହଯୋଗ ସମ୍ମିଳନୀରେ ଏଥର ମୋଦୀ ଯୋଗ ଦେଇଥିଲେ। ସେଠାରେ ଚୀନ୍ ରାଷ୍ଟ୍ରପତି ସି ଜିଙ୍ଗ୍ ପିଙ୍ଗ୍ ଓ ରୁଷ୍ ରାଷ୍ଟ୍ରପତି ପୁଟିନ୍ଙ୍କ ସହିତ ମୋଦୀଙ୍କ ଫଟୋ ସାରା ବିଶ୍ୱ ଦେଖିଥିଲା। ଆଶା କରାଯାଉଥିଲା ଯେ, ଆମେରିକା ଏହାର ନୀତିକୁ ପରିବର୍ତ୍ତନ କରି ଭାରତ ସହିତ ବନ୍ଧୁତ୍ୱ ପାଇଁ ଉଦ୍ୟମ କରିବ।
ଆମେରିକାରେ ବିଶ୍ୱର ବିଭିନ୍ନ ଦେଶର ବଂଶୋଦ୍ଭବମାନେ ରହିଥିଲେ ମଧ୍ୟ ସେଠାରେ ଥିବା ଭାରତୀୟ ବଂଶୋଦ୍ଭବ ସଂଖ୍ୟା ବେଶ୍ ଭାବରେ ବଢ଼ି ଚାଲିଥିଲା। ଏହି ଭାରତୀୟମାନେ ଅନ୍ୟ ଯେକୌଣସି ଦେଶର ଅନୁପ୍ରବେଶକାରୀଙ୍କ ଅପେକ୍ଷା ଅଧିକ ଯୋଗ୍ୟ ଓ ଆମେରିକାର ବୈଷୟିକ ଜ୍ଞାନକୌଶଳ କାର୍ଯ୍ୟକ୍ରମଗୁଡ଼ିକରେ ଆଗଧାଡ଼ିର ଲୋକଭାବରେ ପରିଚିତ। ଆମେରିକା ବିଶ୍ୱବିଦ୍ୟାଳୟଗୁଡ଼ିକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଭାରତୀୟ ଛାତ୍ରମାନେ ପାଠ ପଢ଼ିବାକୁ ଯାଉଛନ୍ତି। ଆମେରିକାରେ ଥିବା ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଭାରତୀୟ ଇଞ୍ଜିନିୟର ଓ କୁଶଳୀ ଲୋକମାନେ ନିଯୁକ୍ତି ପାଇଛନ୍ତି। ଭାରତୀୟମାନଙ୍କର ଦକ୍ଷତା ଓ ଯୋଗ୍ୟତା ଯୋଗୁ ଭଲ ଭଲ ବୈଷୟିକ କମ୍ପାନୀଗୁଡ଼ିକରେ ସେମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଛନ୍ତି। ଏମାନଙ୍କ ଭିତରୁ ଅଧିକାଂଶ ଏଚ୍-ଆଇ-ବି ଭିସା ଜରିଆରେ ଆମେରିକା ଯାଇ ଏହିସବୁ ସଂଗଠନରେ କାମ କରୁଛନ୍ତି। ଏଚ୍-ଆଇ-ବି ଭିସା ଜରିଆରେ କେବଳ ଅତ୍ୟନ୍ତ ଦକ୍ଷତା ସମ୍ପନ୍ନ ଯୁବକ ଯୁବତୀମାନେ କାମ କରିବାକୁ ଯାଇପାରନ୍ତି।
ବିଶ୍ୱର ବିଭିନ୍ନ ଦେଶରୁ ଏହି ବ୍ୟବସ୍ଥାରେ ଯେତେ ଲୋକ କାମ କରୁଛନ୍ତି ସେମାନଙ୍କ ଭିତରୁ ଭାରତୀୟମାନଙ୍କ ସଂଖ୍ୟା ପ୍ରାୟ ଶତକଡ଼ା ୬୦-୭୦ ଭାଗ। ପ୍ରତିବର୍ଷ ଭାରତରୁ ହାରାହାରି ଅଢ଼େଇ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଏଚ୍-ଆଇ-ବି ଭିସାଧାରୀ ଯୁବକ ଯୁବତୀ ଆମେରିକୀୟ ବୈଷୟିକ କମ୍ପାନୀଗୁଡ଼ିକରେ ନିଯୁକ୍ତି ପାଇଁ ଯାଉଛନ୍ତି। କିନ୍ତୁ ଟ୍ରମ୍ପ ଏଥିରେ ବିରକ୍ତି ପ୍ରକାଶ କରି କହିଛନ୍ତି ଯେ, ଏମାନେ ଏତେ ସଂଖ୍ୟାରେ ଆସିବା ଫଳରେ ଆମେରିକୀୟ ଦକ୍ଷ ଯୁବକ ଯୁବତୀମାନେ ସେହି ନିଯୁକ୍ତି ପାଉନାହାନ୍ତି। ତେଣୁ ସିଧାସଳଖ ଏହି ବ୍ୟବସ୍ଥାକୁ ରଦ୍ଦ ନକରି ଗତ ଶୁକ୍ରବାର ଦିନ ଏକ ଆଦେଶନାମାରେ ଘୋଷଣା କଲେ ଯେ, ଏଚ୍-ଆଇ-ବି ଭିସା ପାଇବା ପାଇଁ ବାର୍ଷିକ ୧ ଲକ୍ଷ ଡଲାର୍ ଅର୍ଥାତ୍ ପ୍ରାୟ ୮୮ ଲକ୍ଷ ଟଙ୍କା ଫି’ ଦେବାକୁ ପଡ଼ିବ। ଯେଉଁ ଫି’ର ପରିମାଣ ପୂର୍ବରୁ ମାତ୍ର ୨ ହଜାରରୁ ୫ ହଜାର ଡଲାର୍ ଭିତରେ ଥିଲା, ତାହାକୁ ଏକାଥରେ ୨୦ ଗୁଣ ବଢ଼ାଇଦେବାର ଉଦ୍ଦେଶ୍ୟ ହେଲା ଯେ, କୌଣସି ଆମେରିକୀୟ କମ୍ପାନୀ ଏହି ଭାରତୀୟ ଲୋକମାନଙ୍କୁ କାମ ପାଇଁ ଆଣିବେ ନାହିଁ।
କାରଣ ଯଦି ଏହିପରି ଦକ୍ଷ ଇଞ୍ଜିନିୟର୍ ବାର୍ଷିକ ୨ ଲକ୍ଷ ଡଲାର୍ରୁ ଅଧିକ ଅର୍ଥ ନପାଇବେ ତେବେ ବାର୍ଷିକ ୧ ଲକ୍ଷ ଡଲାର୍ ଫି’ ସେମାନେ କଦାପି ଦେଇପାରିବେ ନାହିଁ। ଏକ ହିସାବରୁ ଜଣାପଡ଼ିଛି ଯେ, ହାରାହାରି ଯେଉଁ ଭାରତୀୟମାନେ ଏହି ଭିସାରେ ଆମେରିକାରେ କାମ କରୁଛନ୍ତି ସେମାନଙ୍କ ଭିତରୁ ୬୦ ଭାଗର ହାରାହାରି ବାର୍ଷିକ ଆୟ ୧ ଲକ୍ଷ ଡଲାର୍ରୁ କମ୍। ଟ୍ରମ୍ପଙ୍କ ଏହି ଆଦେଶ ସେପ୍ଟେମ୍ବର ୨୦ରୁ ଲାଗୁ ହୋଇଛି। ଅର୍ଥାତ୍ ସେପ୍ଟେମ୍ବର ୨୧ ପରେ ଯେଉଁମାନେ ଏହି ଭିସାରେ ଆମେରିକା ଯିବେ ସେମାନଙ୍କୁ ବାର୍ଷିକ ୧ ଲକ୍ଷ ଡଲାର୍ ଫି’ ଦେବାକୁ ପଡ଼ିବ। କିନ୍ତୁ ଯେଉଁମାନେ ଆମେରିକାରେ ଅଛନ୍ତି, ସେମାନଙ୍କ ପାଇଁ ଏହା ଲାଗୁ ହେବନାହିଁ।
ତେଣୁ ଯେଉଁ ଏହି ପ୍ରକାର ଭିସାଧାରୀମାନେ ଦଶହରା ଓ ଦୀପାବଳି ଯୋଗୁ ଭାରତକୁ ପଳାଇ ଆସିଥିଲେ ସେମାନଙ୍କୁ ୨୧ ପୂର୍ବରୁ ଆମେରିକା ଫେରିଯିବା ପାଇଁ ସେମାନଙ୍କ କମ୍ପାନୀମାନେ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକୀୟ କମ୍ପାନୀ ଆମାଜନ୍, ମାଇକ୍ରୋସପ୍ଟ, ଗୁଗୁଲ୍ ଓ ମେଟା ପ୍ରଭୃତି ବିଭିନ୍ନ କମ୍ପାନୀ ଛଡ଼ା ଭାରତୀୟ କମ୍ପାନୀ ଇନ୍ଫୋସିସ୍, ପିସିଏସ୍, ୟୁପ୍ରୋ ପରି ଅନେକ କମ୍ପାନୀରେ ମଧ୍ୟ ଭାରତୀୟମାନେ କାମ କରୁଛନ୍ତି। ଏହି କମ୍ପାନୀମାନଙ୍କୁ ମଧ୍ୟ ଭାରତୀୟ ଇଞ୍ଜିନିୟର ନେବାକୁ ହେଲେ ଭିସା ଆଇନ ଅନୁସାରେ ବାର୍ଷିକ ୧ ଲକ୍ଷ ଟଙ୍କା ଫି’ ଦେବାକୁ ପଡ଼ିବ। ଏହି ଅବସ୍ଥାରେ କେତେ କମ୍ପାନୀ ଭାରତୀୟମାନଙ୍କୁ ନେଇପାରିବେ?
ଭାରତୀୟ ଦକ୍ଷ ଇଞ୍ଜିନିୟର ଓ କୁଶଳୀ ବ୍ୟକ୍ତିମାନେ ଆମେରିକୀୟ କମ୍ପାନୀରେ କାମ କରି ସେଠାରେ ଇନୋଭେସନ୍ ଓ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ବା ଏଆଇ ପ୍ରତିଯୋଗିତାରେ ଆମେରିକାକୁ ଅଗ୍ରଣୀ ରଖିବାରେ ଏକ ପ୍ରମୁଖ ଭୂମିକା ନେଉଛନ୍ତି। ସେମାନଙ୍କ ଅନୁପସ୍ଥିତିରେ ଭାରତୀୟ ଇଞ୍ଜିନିୟର ଓ କୁଶଳୀ ଲୋକମାନଙ୍କର ନିଯୁକ୍ତି ଓ ଅଗ୍ରଗତି କିଛି ସମୟ ପାଇଁ ବାଧାପ୍ରାପ୍ତ ହେଲେ ମଧ୍ୟ ଆମେରିକୀୟ କମ୍ପାନୀଗୁଡ଼ିକ ଚୀନ୍ ସହିତ ହେଉଥିବା ପ୍ରତିଯୋଗିତାରେ କ୍ଷତିଗ୍ରସ୍ତ ହେବେ ବୋଲି ଆଶଂକା କରାଯାଉଛି। ଅବଶ୍ୟ ଭାରତରେ ଅନେକ ଭାବୁଛନ୍ତି ଯେ, ଭାରତର ଦକ୍ଷ ଇଞ୍ଜିନିୟର ଓ ବୈଜ୍ଞାନିକମାନେ ଯଦି ଏଚ୍-ଆଇ-ବି ଭିସାରେ ଆମେରିକା ନଯାଇ ପାରନ୍ତି ତେବେ ସେମାନେ ଦେଶ ଭିତରେ ରହି କାମ କଲେ ଆଧୁନିକ ବୈଷୟିକ ବିଦ୍ୟାରେ ଯେଉଁସବୁ କ୍ଷେତ୍ରରେ ଭାରତ ପଛରେ ରହିଛି ସେଗୁଡ଼ିକ ଦେଶ ଭିତରୁ ଆଗେଇବା ପାଇଁ କାମ କରିବ। କିନ୍ତୁ ଏହା କ’ଣ ସମ୍ଭବ? ଆମେରିକାରେ ଏହିପରି ପ୍ରାୟ ୭ ଲକ୍ଷରୁ ଉର୍ଦ୍ଧ୍ୱ ଉନ୍ନତ ଇଞ୍ଜିନିୟର ଓ ବୈଜ୍ଞାନିକ କାମ କରୁଛନ୍ତି। ସେମାନଙ୍କ ପାଇଁ ଦେଶରେ କ’ଣ ସେହି ଧରଣର ସୁବିଧା ସୃଷ୍ଟି ହୋଇପାରିବ? ଯଦି ସେପରି ସୁବିଧା ଥାଆନ୍ତା ତେବେ ଏହି ଲୋକମାନେ ଜୀବନର ଶେଷ ଲକ୍ଷ୍ୟ ଭାବରେ ଆମେରିକା ଯିବା ପାଇଁ ପ୍ରତିଯୋଗିତା କରିନଥାନ୍ତେ। ଆଉ ଗୋଟିଏ ବଡ଼ କଥା ଯେ, ଭାରତ କେବଳ ଆଇଟି କ୍ଷେତ୍ରରେ ଆମେରିକାକୁ ପ୍ରାୟ ୧୦,୦୦୦ କୋଟି ଡଲାର୍ ରପ୍ତାନୀ କରୁଛି। ଏହି କମ୍ପାନୀମାନଙ୍କର ଅବସ୍ଥା କ’ଣ ହେବ?
ମୋ- ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
