- ମାୟାଧର ନାୟକ
ଆମର ଏ ପ୍ରିୟ ରାଜ୍ୟ ଓଡ଼ିଶା ଖଣିଜ, ବନ, ଜଳ ସମ୍ପଦର ବିଶାଳ ଭଣ୍ଡାର। କିନ୍ତୁ ଶିଳ୍ପ ଓ କୃଷି କ୍ଷେତ୍ରରେ ଆଶାନୁରୂପ ଅଗ୍ରସର ହୋଇପାରୁନାହିଁ। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଧିକାଂଶ ଜମିରେ ବର୍ଷକୁ ଗୋଟିଏ ଫସଲ ଅମଳ ହୁଏ। ତା’ ପୁଣି ବର୍ଷାର ଦୟା ଉପରେ ହିଁ ନିର୍ଭର କରେ। ଜଳର ପ୍ରାଚୁର୍ଯ୍ୟ ଥିଲାବେଳେ ଜଳସେଚନର ସୁବିଧା ନାହିଁ। ବାତ୍ୟା, ବଢ଼ି, ମରୁଡ଼ିରେ କବଳିତ ଓଡ଼ିଶାର ଚାଷୀ ଓ କୃଷି ଶ୍ରମିକ ନିହାତି ହୀନିମାନିଆ ଅବସ୍ଥାରେ ଦିନ କଟାନ୍ତି। ଚାରିଆଡ଼େ ନଦୀନାଳ, ମାଟି ତଳେ ପାଣି, ମାଟି ଉପରେ ପାଣି, କିନ୍ତୁ ଚାଷ ଜମିକୁ ଜଳ ନାହିଁ। ଏପର୍ଯ୍ୟନ୍ତ ଜଳ ଭଣ୍ଡାର ଓ ଜଳସେଚନରୁ ଯାହାକିଛି ଜମି ଚାଷ କରାଯାଉଛି, ତାହା ନଗଣ୍ୟ। ଯେ ପର୍ଯ୍ୟନ୍ତ ଚାଷ ପାଇଁ ପର୍ଯ୍ୟାପ୍ତ ଜଳସେଚନର ବ୍ୟବସ୍ଥା କରାନଯାଇଛି, ସେ ପର୍ଯ୍ୟନ୍ତ କୃଷିର ବିକାଶ ହେବା ଅସମ୍ଭବ। କୃଷିର ବିକାଶ ନ ହେଲେ ଦାରିଦ୍ର୍ୟ ଘୁଂଚିବ କିପରି?
ଓଡ଼ିଶାରେ ଛୋଟ ଚାଷୀ, ଭୂମିହୀନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେଉଁମାନଙ୍କ ପାଖରେ ଅଳ୍ପ ଜମି ଅଛି ସେମାନେ ସମ୍ବଳ, କୌଶଳ ଖଟାଇ ଚାଷ ଉଠାଇବା କଷ୍ଟକର ହୋଇପଡ଼ିଛି। ଜମି ଧୀରେ ଧୀରେ ବଡ ଚାଷୀ ଓ ଶିଳ୍ପପତିମାନଙ୍କ ଦ୍ୱାରା କବଳିତ ହେବାରେ ଲାଗିଛି। ଚାଷରୁ ଲାଭ ପାଉନାହାନ୍ତି ବୋଲି ଅଧିକାଂଶ ଗ୍ରାମରୁ ଲୋକମାନେ କାମଧନ୍ଦା ଅନ୍ୱେଷଣରେ ଓଡ଼ିଶା ବାହାରକୁ ପଳାଇ ଯାଉଛନ୍ତି।
୧୩ରୁ ୩୦ରେ ପହଂଚିସାରିଛି ଓଡ଼ିଶାର ଜିଲ୍ଲା ସଂଖ୍ୟା କାହିଁ କେଉଁଦିନୁ। ହେଲେ ଅନେକ ଅଦଳବଦଳ ସମେତ ସୀମା ନିର୍ଦ୍ଧାରଣ ସରିଥିବା ସତ୍ତ୍ୱେ ଓଡ଼ିଶାରେ ନିର୍ବାଚନମଣ୍ଡଳୀମାନ ସୀମିତ ରହିଛି ସେଇ ୧୪୭ ସଂଖ୍ୟାର ଶିକୁଳି ମଧ୍ୟରେ।
ଜିଲ୍ଲା ବଢ଼ିଲା, ମାତ୍ର ବଢ଼ିପାରିଲାନି ନିର୍ବାଚନମଣ୍ଡଳୀ। ୧୪୭ ବିଧାୟକଙ୍କୁ ନେଇ ଓଡ଼ିଶା ବିଧାନସଭାର ବହୁ ବିତର୍କିତ ବ୍ୟାପାର ଆମକୁ ମନେପକାଇଦିଏ ସେଇ ପୁରାଣ-ପୂର୍ତ୍ତ କୌରବ-ପାଣ୍ଡବ କଳହର କଳଙ୍କିତ କୁରୁକ୍ଷେତ୍ର କଥା। ଇଏ ହେଉଛି ସେଇ ବିଡ଼ମ୍ବିତ ବିଧାନସଭା ଯେଉଁଠି ଚା’ କପରେ ଝଡ଼ ଉଠେ ମୁହୂର୍ତ୍ତକ ମଧ୍ୟରେ। ବିଧା ବର୍ଷଣରେ ବନ୍ୟତାର ବନ୍ୟା, ଗାଳି ଗର୍ଜନରେ ଗୋରୁହାଟରେ ଗଣ୍ୟ। ଏ ସଭା ଭଙ୍ଗ କରେ ସମସ୍ତ ବିଧାନ। ଟେଲିଭିଜନ ସୌଜନ୍ୟରୁ ଅଛପା ହୋଇ ରହିପାରେନା ଏଭଳି ଅଭାବନୀୟ ଅତିନାଟକୀୟତା!
୩୦ ଜିଲ୍ଲାର ୧୪୭ ନିର୍ବାଚନମଣ୍ଡଳୀରୁ ବିଧାନସଭାର ସଭ୍ୟ ଆସନ ମଣ୍ଡିଥିବା ଉକ୍ତ ମାନ୍ୟଗଣ୍ୟ ମହାଶୟମାନେ ଏମିତି ଉନ୍ମତ୍ତ ହୋଇପାରନ୍ତି କେମିତି? ନିଜ ନିଜ ଦଳକୁ ନେଇ ନିନ୍ଦନୀୟ ଦ୍ୱନ୍ଦ୍ୱଯୁଦ୍ଧରେ ଏମିତି ଯଦୁବଂଶୀ ଯଥେଚ୍ଛାଚାରିତାର ପ୍ରମତ୍ତ ପ୍ରଦର୍ଶନ କରିପାରନ୍ତି କେମିତି? ୧୪୭ ନିର୍ବାଚନମଣ୍ଡଳୀର ନଖଦର୍ପଣରେ କ’ଣ ଦୁଃଖିନୀ ଓଡ଼ିଶା ମାଆର ମୁହଁଟି ଦିଶିପାରେନାହିଁ ମୋଟେ?
ଆମର ଏ ଅନ୍ନପୂର୍ଣ୍ଣା ମାଆ ଓଡ଼ିଶାମାଟି ୧୪୭ ବିଧାୟକଙ୍କ ସୌଖିନ୍ ଡ୍ରଇଂରୁମର କାନ୍ଥରେ କ’ଣ କେବଳ ଫିମ୍ପିମରା ପଟ୍ଟଚିତ୍ର? ମହାପାତ୍ରମାନଙ୍କ ମାର୍ବଲ୍ ମହଲଗୁଡ଼ାକରେ ଟଙ୍ଗା ହୋଇଥିବା ମୌନ ମାନଚିତ୍ର? ଭୋକର ଭୂଚିତ୍ର?
ଆଜି ଦଳ ନେଇ ଦଳାଦଳି। ଦଳଗାଡ଼ିଆରେ ଶାସକପକ୍ଷରୁ ବିରୋଧୀବର୍ଗକୁ ବଳାବଳି। ସଚିବାଳୟର ସଦରଦର୍ଜା ସାମ୍ନାରେ ଶୋଭାଯାତ୍ରାକାରୀ ସଂଗଠନ ସମୂହଙ୍କ ମହାମେଳି। କେତେ ଦାବୀ ଦବିଯାଏ ସ୍ୱୈରାଚାରୀ ଶାସନର ସ୍ୱାର୍ଥରକ୍ଷା ପାଇଁ। କେତେ ଅନୁନୟ ଅସଫଳ ହୋଇ ରହିଯାଏ ଅନୁଚିତ ଉପେକ୍ଷାରେ। ଜଳକା ଜନତା ବଳକା ବ୍ୟଥାରେ ବିତାଉଥାଏ ବିଫଳ ଜୀବନ।
ଗରିବମାନଙ୍କ ଗଡ଼ଜାତ, ଗାଉଁଲୀମାନଙ୍କ ଗାଆଁ, ମୂର୍ଖମାନଙ୍କ ମଫସଲ, ମୂଢ଼ମାନଙ୍କ ମୋଗଲବନ୍ଦି, ଜନଜାତିମାନଙ୍କ ଜଙ୍ଗଲ ଜମିକୁ ନେଇ ସମୁଦ୍ରଠୁ ପାହାଡ଼ ପର୍ଯ୍ୟନ୍ତ ପ୍ରସାରିତ ଏକ ପ୍ରବଂଚିତ ପ୍ରକୃତିପ୍ରତିମା ଏ ଓଡ଼ିଶା। କେନ୍ଦୁପତ୍ରଠୁ କୁନ୍ଦପୁଷ୍ପଯାଏଁ, ତାଳବେଣେଇଠୁ ଶାଳବଣଯାଏଁ, ଘାଟଘେରିଠୁ ଘାଟିମୁଲକଯାଏଁ ବାଟିବାଟି ବିଲବାସ୍ନାର ବିହ୍ୱଳ ଭୂମିକା ଏ ଓଡ଼ିଶା। ଏଠି ଖଣି ଅଛି, ମଣି ଅଛି, କ୍ଷେତ ଅଛି, ନେତ ଅଛି, ନଦୀ ଅଛି, ବେଦୀ ଅଛି, ମଠ ଅଛି, ପୀଠ ଅଛି, ମୂର୍ତ୍ତି ଅଛି, କୀର୍ତ୍ତି ଅଛି - ନାହିଁ କ’ଣ? ନାହିଁ ଖାଲି ମନ। ଓଡ଼ିଶାକୁ ଓଡ଼ିଆମାନଙ୍କର ବୁକୁଭରି ଭଲପାଇବାର ଭରପୂର୍ ମନ।
୧୪୭ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ଆସୁଥିବା ବିଧାୟକବର୍ଗ – ମନେହେଉଛି, ଯେମିତି ବିଧାନସଭାକୁ ବୁହା ହୋଇ ଆସୁଛନ୍ତି, ଓଡ଼ିଶାରୁ ନୁହେଁ ଓଡ଼ିଶା ବାହାରୁ! କାହିଁକିନା କଦବା କେମିତି ନିଜନିଜ ନିର୍ବାଚନମଣ୍ଡଳୀର ନାଆଁ ସିନା ସେମାନେ ଧରୁଛନ୍ତି ଗଣମାଧ୍ୟମ ଆଗରେ, ମାତ୍ର ଗୋଟାପଣେ ଓଡ଼ିଶାର ସମ୍ବୋଧନ ସେମାନଙ୍କ ସ୍ୱରଶଦ୍ଦରେ ଶୁଣାଯାଉଛି କି ଥରଟିଏ?
ଲଙ୍କାରେ ପଛେ ହରିନାମ ଶୁଭିପାରେ ରକ୍ଷିତ ରାକ୍ଷସମାନଙ୍କ ମୁହଁରେ ହେଲେ ଓଡ଼ିଶା ବିଧାନସଭାରେ ‘ଓଡ଼ିଶା’ ନାଆଁଟି ଶୁଭୁଛି କି ଆମ ବିଧାୟକବର୍ଗଙ୍କ ଭକ୍ତିପ୍ରତ୍ୟୁକ୍ତିରେ? ଓଡ଼ିଶାର ବିଧାୟକବର୍ଗ ଭୁଲିଯାଇଛନ୍ତି ଓଡ଼ିଶାକୁ - ନିଜ ନିର୍ଯାତିତା ନୀଳମାଧବୀକୁ।
ଶବରମାନଙ୍କ ଖବର, କନ୍ଧମାନଙ୍କ କାହାଣୀ, କୋହ୍ଲମାନଙ୍କ କୋହ, ଜୁଆଙ୍ଗମାନଙ୍କ ଯନ୍ତ୍ରଣା, ମୁଣ୍ଡାମାନଙ୍କ ମୁହାଁସ, ପରଜାମାନଙ୍କ ପରାସ, ବଣ୍ଡାମାନଙ୍କ ବ୍ୟଥା, କୁଇମାନଙ୍କ କଥା କେଉଁ ଓଡ଼ିଶାର ଗିରିକନ୍ଦରକୁ ଚିରିଦେଉଥାଏ ଚିରକାଳ? ପ୍ରଜା, ପ୍ରଜାତି, ଜନଜାତିର ଅସୁମାରି ଆକାଙ୍କ୍ଷା କେଉଁ ଓଡ଼ିଶାର ଚିତ୍ରପଟରେ ଅଙ୍କା ହେଉଥାଏ ଅବିକଳ? କେଳା, କୈବର୍ତ୍ତ, କୁମ୍ଭାର, କମାର, ଚଷା, ଚମାର, ଗୋପାଳ, ଗୋଚ୍ଛାୟତ, କ୍ଷତ୍ରୀ, ଖଣ୍ଡାୟତ, ନାହାକ, ନାପିତ, ସାହୁ, ସେବାୟତ ଇତ୍ୟାଦି ଶତାଧିକ କୁଳ ଓ ବର୍ଗର ଭାଷା-ଉପଭାଷା କେଉଁ ଓଡ଼ିଶାର ଲୋକସଂସ୍କୃତିକୁ ଏକାଠି କରୁଥାଏ ସେକାଳରୁ ଏକାଳ?
ଓଡ଼ିଶାକୁ ମହାଜନମାନେ ଏବେ ବି ଅଣ୍ଡାଳି ଚାଲିଛନ୍ତି ଖାତକର ଖତଗଦାରେ। ବେଠି-ବେକାରି-ବେରୋଜଗାରିରେ ବେଦମ୍ ଏ ବାଦାମୀ ଭୂଇଁ। ଝଡ଼ି-ବଢ଼ି-ମରୁଡ଼ିରେ ଝୋଲାମରା ଏ ଖୋଲାମାଟି। ବନ୍ଧନାହିଁ, ବାଡ଼ ନାହିଁ - ନଈନାଳର ଏ ନୁଆଣିଆ ନୈରାଜ୍ୟରେ। କେନ୍ଦ୍ରର କବାଟ ସାମ୍ନାରେ କରୁଣ କେନ୍ଦରା ବଜାଉଥିବା ନାଥଯୋଗୀର ଅନାଥ ଅନ୍ତଃସ୍ୱର!
ଗବେଷକମାନେ ଏ ଓଡ଼ିଶାକୁ ତଲାସ କରନ୍ତି ତାଳପତ୍ରରେ। ପର୍ଯ୍ୟଟକମାନେ ତାକୁ ଭଙ୍ଗାରୁଜା ମୂର୍ତ୍ତି ଭାବରେ ଭେଟନ୍ତି ପରିତ୍ୟକ୍ତ କେଉଁ ମନ୍ଦିରଗାତ୍ରରେ। ସାମ୍ବାଦିକମାନେ ତାର ଶୋକାର୍ତ୍ତ ସାକ୍ଷାତକାର ନିଅନ୍ତି ଅନାହାରୀ ଅପନ୍ତରାର ଅଜ୍ଞାତ ଅନ୍ନଛତ୍ରରେ। ଐତିହାସିକମାନେ ଓଡ଼ିଶାକୁ ଠାବ କରନ୍ତି ଐରାବତର ଅରଣ୍ୟରେ ଏବଂ ରାଜନୈତିକ ରକ୍ତବାହୁମାନେ ତାକୁ ବରାବର ଧର୍ଷଣ କରନ୍ତି ଲୁପ୍ତଲୁଣ୍ଠିତ ରାଜକୋଷର ଗୁପ୍ତ ଗୋଦାମରେ!
ଓଡ଼ିଶା ପାଇଁ ପରୁଆ ନାଇଁ। ବେପରୁଆ ବେପାରୀବର୍ଗର ପଣବନ୍ଦିନୀ ଗଣନର୍ତ୍ତକୀଟିଏ ପାଲଟିବାକୁ ଯାଉଛି ଏ ବୁନିଆଦ୍ ଭୂଇଁ!
ସତ କହିବାକୁ ଗଲେ ଅତୀତର ବିଧର୍ମୀ ବାହିନୀର ବିପକ୍ଷତା ବା ବର୍ତ୍ତମାନର ମାଓବାଦୀ ସଂଗଠନର ଆକ୍ରମଣ ଦ୍ୱାରା ଓଡ଼ିଶା ଯେତେ କ୍ଷତିଗ୍ରସ୍ତ ହୋଇନାହିଁ, ତା’ ଅପେକ୍ଷା ଆହୁରି ଅଧିକ କ୍ଷୟକ୍ଷତିରେ ଆକ୍ରାନ୍ତ ହୋଇସାରିଛି ନିଜର ରାଜନୈତିକ ରଣକୌଶଳୀ ଶଠମାନଙ୍କ ଦ୍ୱାରା! ଆଜିର ଏ ଚଂଚକ ନେତାମାନେ ହେଉଛନ୍ତି ପ୍ରକୃତରେ ଓଡ଼ିଶାର ପ୍ରଳୟଙ୍କର ପ୍ରତିପକ୍ଷ! ବେଳ ଆସିଲେ ଏମାନେ ବିନା ଦ୍ୱିଧାରେ ଓଡ଼ିଶାକୁ କ୍ରୀତଦାସୀ କରି ରପ୍ତାନୀ କରିଦେଇପାରନ୍ତି ବିଦେଶୀ କମ୍ପାନୀର ବ୍ଲାକ୍ ମାର୍କେଟକୁ।
ଓଡ଼ିଶା ଆଜି ଏଇ ରାଜନୈତିକ ବୈଶ୍ୟମାନଙ୍କ ନାରକୀୟ ନେଟ୍ୱାର୍କର ନମ୍ବର-ୱାନ୍ ନୂଆଶିକାର୍...ଟ୍ରାଜିକ୍ ଟାର୍ଗେଟ୍! ଓଡ଼ିଶା ଏବେ ପାଲଟିଛି କୁଶଳୀ କଂସେଇମାନଙ୍କ କୁଶ କଅଁଳୁ ନଥିବା ନବ୍ୟ ନରକ।
ନର୍କ-ଓଡ଼ିଶାକୁ ସ୍ୱର୍ଗ କରାଯାଇପାରିବ ଯଦି ଦଳମତ ନିର୍ବିଶେଷରେ ଏକଜୁଟ ହୋଇପାରନ୍ତି ୧୪୭ ନିର୍ବାଚନମଣ୍ଡଳୀର ଜନପ୍ରତିନିଧିମାନେ। ନହେଲେ ନାରା ଉଠିପାରେ: ଓଡ଼ିଶାକୁ ଯଦି ନକରିବ ସ୍ୱର୍ଗ, ବିଦା ହୋଇଯାଅ ବିଧାୟକବର୍ଗ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।